STORYMIRROR

Lipi Sahoo

Classics

4  

Lipi Sahoo

Classics

ପୁନଶ୍ଚ ଦେବଦତ୍ତା

ପୁନଶ୍ଚ ଦେବଦତ୍ତା

5 mins
387

ଗୁରୁଙ୍କ ଆଦେଶରେ ବ୍ରହ୍ମଚାରୀ ପ୍ରଜ୍ଞାପାଦ କାଶୀ ବିଶ୍ଵନାଥଙ୍କ ଦର୍ଶନ ସାରି ମନଭରି ଗଙ୍ଗାସ୍ନାନ କଲେ । ବେଶ୍ ଉତ୍ସାହିତ ଥିଲେ ପ୍ରଜ୍ଞାପାଦ । ଏହିଠାରୁ ଫେରିଗଲା ପରେ ଗୁରୁଦେବ ସନ୍ନ୍ୟାସ ପ୍ରଦାନ କରିବେ ତାଙ୍କୁ । ତା'ପରେ ଜୀବନର ଚରମ ଲକ୍ଷ୍ୟପଥରେ ଆଗେଇ ଯିବେ । ସେ ସଅଳ ସଅଳ ପାଦ ପକାଇଲେ ଗୁରୁଦେବଙ୍କ ଆଶ୍ରମ ଅଭିମୁଖେ । ପ୍ରାୟ ଚାରି ପାଞ୍ଚ ଦିନ ଲାଗିଯିବ ଆଶ୍ରମରେ ପହଞ୍ଚିବାକୁ । 

          କାଶୀର ଶେଷ ସୀମାରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ନଇଁ ଆସୁଥାଏ । ଚାରିଆଡକୁ ଅନାଇଲେ ସଂପୂର୍ଣ୍ଣ ଜନମାନସ ଶୂନ୍ଯ ଅଞ୍ଚଳ । ଗୋଟିଏ ବି ଘରଦ୍ବାର ଦିଶୁ ନଥାଏ । ଏହା ପରେ ନିଘଞ୍ଚ ଜଙ୍ଗଲ ଆରମ୍ଭ ହେଇଯିବ । ଧୀରେ ଧୀରେ ଥଣ୍ଡା ପବନ ବୋହିବା ଆରମ୍ଭ ହେଇଗଲା । କୁଆଡେ ଥିଲା କେଜାଣି ପୂର୍ବାକାଶ ପଟୁ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଜୋର୍ ପବନ ସହ ଆରମ୍ଭ ହେଇଗଲା ମୂଷଳ ଧାରାରେ ବର୍ଷା । 

                  ସେ କିଛି ବାଟ ଆଗକୁ ଯାଇ ଦେଖିଲେ ଗୋଟିଏ ଛୋଟିଆ ସୁନ୍ଦର ପ୍ରାସାଦ । ସେଠାକୁ ଯିବେ କି ନାହିଁ ଦ୍ବନ୍ଦରେ ପଡିଲେ । ଏକ ତ ମୁଁ ବ୍ରହ୍ମଚାରୀ କୌଣସି ଗୃହସ୍ଥଙ୍କ ଆଶ୍ରୟ ନେବା କ'ଣ ଠିକ୍ ହେବ ? ହେଲେ ୟେ ଅନ୍ଧାର ବର୍ଷା ରାତିରେ କୁଆଡେ ଯିବି ? ସେଇ ପିଣ୍ଡାରେ ରାତ୍ରିଯାପନ କରିବାକୁ ହିଁ ପଡିବ । ଅନ୍ୟ ଉପାୟ ବି କିଛି ନାହିଁ । ଧୀରେ ଧୀରେ ଆଗେଇଲେ ।

               କିଛି ସମୟ ପରେ ଜଣେ ସୁନ୍ଦରୀ ରମଣୀ ଦରଜା ଖୋଲି ବାହାରକୁ ଆସି କହିଲେ ଶ୍ରୀମନ ଆପଣ ଏତେ ବର୍ଷାରେ ବାହାରେ ବସିଛନ୍ତି ଅଥଚ ମୋତେ ଡାକିଲେନି । ଭିତରକୁ ଆସନ୍ତୁ । ପ୍ରଜ୍ଞାପାଦ ଗମ୍ଭୀର ହେଇ କହିଲେ ମୁଁ ବ୍ରହ୍ମଚାରୀ କୌଣସି ଗୃହସ୍ଥଙ୍କ ଆଶ୍ରୟ ଗ୍ରହଣ ମୋ ପାଇଁ ସମ୍ଭବ ନୁହେଁ । ମୁଁ କାଲି ସାକାଳୁ ବାହାରି ଯିବି । ଆପଣ ଅନୁମତି ଦେଲେ ଏଇ ପିଣ୍ଡାରେ ରାତ୍ରିଯାପନ କରିବି । 

                ଆପଣ ମୋ ଅତିଥି ହେଇ ପିଣ୍ଡାରେ ରାତ୍ରିଯାପନ କରିବେ ୟେ କ'ଣ ସମ୍ଭବ ? ୟେ ଯାଗା ସ୍ବାପଦସଂକୁଳ ରାତ୍ରିକାଳରେ ବାହାରେ ରହିବା ସୁରକ୍ଷିତ ନୁହଁ । ଆପଣ ଭିତରକୁ ଆସନ୍ତୁ । ପ୍ରଜ୍ଞାପାଦ ନିଶ୍ଚଳ ଭାବେ ବସି ରହିଲେ । ହେଲେ ରମଣୀ ନଛୋଡବନ୍ଧା । ଇଶ୍ୱରଙ୍କ ଅବମାନନା ମୋ ଆଦର୍ଶର ଖିଲାଫ । ବାଧ୍ଯ ହୋଇ ମୋତେ ବି ଆଜି ରାତିଟା ବାହାରେ ବସି ରହିବାକୁ ପଡିବ କହି ପିଣ୍ଡାରେ ବସି ପଡିଲେ । ପ୍ରଜ୍ଞାପାଦ ବାଧ୍ୟ ହେଇ ଠିଆ ହେଲେ ।

                 ଗୃହ ଭିତରେ ଅନେକ ବାଦ୍ୟଯନ୍ତ୍ର ଦେଖି ପ୍ରଜ୍ଞାପାଦଙ୍କ ସନ୍ଦେହ ହେଲା । ସେ ପ୍ରଶ୍ନ କଲେ ଗୃହକର୍ତ୍ତା ଘରେ ନାହାଁନ୍ତି କି ରମଣୀ ସାମାନ୍ଯ ହସି କହିଲେ ମୁଁ ଯଦି କହେ ଇଶ୍ୱର ୟେ ଗୃହର କର୍ତ୍ତା । ଆପଣ ତାଙ୍କୁ ଦେଖି ପାରୁଛନ୍ତି କି , ତେବେ ? ମୁଁ ରାଜନର୍ତ୍ତକୀ ଦେବଦତ୍ତା । ଆପଣ ୟେ ରାଜ୍ୟର ନୁହଁନ୍ତି ନିଶ୍ଚିତ । ସେଇଥି ପାଇଁ ମୋତେ ଚିହ୍ନି ନାହାଁନ୍ତି ।

              ପ୍ରଜ୍ଞାପାଦଙ୍କ ପାଦ ନିଶ୍ଚଳ ହେଇଗଲା । ସେ ଆଉ ଆଗକୁ ବଢିବେ ନା ଫେରିଯିବେ ପୁନଶ୍ଚ ଦ୍ବନ୍ଦରେ ରହିଲେ । ହେଲେ ତାଙ୍କୁ ନାମଟା ପରିଚିତ ମନେ ହେଲା । ସେ ତ ଅତି ବାଲ୍ୟକାଳରୁ ଗୁରୁକୂଳରେ ହିଁ ଅତିବାହିତ କରିଛନ୍ତି । ଏପରି ନାମ କେବେ କେଉଠି ଶୁଣିବା ଅସମ୍ଭବ , ହେଲେ । 

                    ଦେବଦତ୍ତା ତାଙ୍କ ହାତ ଧରି ଶ୍ରୀମନ ! ବସନ୍ତୁ କହି ଆସନ ଉପରେ ବସେଇ ଦେଲେ । ସେ ସ୍ପର୍ଶରେ ଏକ ବିଦ୍ୟୁତ ତରଙ୍ଗ ଖେଳିଗଲା ପ୍ରଜ୍ଞାପାଦଙ୍କ ଶରୀରରେ । ସେ ହାତ ଖସାଇ ଆଣିଲେ ସତ । ହେଲେ ତାଙ୍କୁ ଲାଗିଲା ୟେ ସ୍ପର୍ଶ ସେ ଆଗରୁ ବି କେଉଁଠି ପାଇଛନ୍ତି । ବେଶ୍ ପରିଚିତ । ୟେ ସବୁ କି ଅସମ୍ଭବ ଘଟଣା ଘଟୁଚି ସେ କିଛି ବୁଝି ପାରିଲେ ନାହିଁ

ଦେବଦତ୍ତା ଖିଲ ଖିଲ ହସି ଉଠି ପଚାରିଲେ କ'ଣ ହେଲା ଶ୍ରୀମନ ? ଭୟ ପାଇଲେ କି ? କିଛି ଗୋଟେ ମନେ ପଡିଗଲା ବୋଧେ ୟେ ଜଣେ ସାମାନ୍ଯ ନାରୀ ହେଇ ମୋ ମନ କଥା କେମିତି ପଢି ପରିଲେ ?                

        ଆପଣ ଗୃହସ୍ଥାଶ୍ରମକୁ ଛାଡି ସନ୍ନ୍ୟାସ କୁ କାହିଁକି ଚୟନ କଲେ ଶ୍ରୀମନ ? ସେ ପଥ ଖୁବ୍ କଠିନ ନୁହେଁ କି ? ପୁଣି ପ୍ରଜ୍ଞାପାଦ ଚମକି ପଡିଲେ । ୟେ ମୋ ବିଷୟରେ ଏତେ କଥା ଜାଣିଲେ କିପରି ? ୟେ କେଉଁ କୁହୁକନାରୀ ନୁହେଁ ତ ? ହେଲେ ସାମାନ୍ଯ ରୁକ୍ଷ ଭାବରେ ଉତ୍ତର ରଖିଲେ , ମୋ ଲକ୍ଷ୍ଯ ନିର୍ଦ୍ଧିଷ୍ଟ ଆଉ ତାହା ସନ୍ନ୍ୟାସ ପଥରେ ଗଲେ ହିଁ ପାଇ ପାରିବି । ସେଇଥି ପାଇଁ । ଆପଣଙ୍କ ଲକ୍ଷ୍ଯ କଣ ଶ୍ରୀମନ ? ଇଶ୍ବରତ୍ବ ନା ବ୍ରହ୍ମତ୍ବ ନା ନିର୍ବାଣ ? ପ୍ରଜ୍ଞାପାଦ ତାଚ୍ଛଲ୍ୟ କରି ପଚାରିଲେ ଆପଣ ଏଇ ଯେଉଁ ଶବ୍ଦ ଗୁଡିକ ଉଚ୍ଚାରଣ କଲେ ତାର ଅର୍ଥ ବି ଜାଣନ୍ତି ନା ଏମିତି କେଉଁଠୁ ଶୁଣିଥିଲେ କହିଗଲେ ?

          ଦେବଦତ୍ତା ହସି ହସି କହିଲେ ଆପଣଙ୍କ ଏପରି ପ୍ରଶ୍ନ କରିବା ସ୍ୱାଭାବିକ । ଯେ କେହି ହେଲେ ବି ସନ୍ଦିହାନ ହେବେ । ମୋ ଭଳି ଜଣେ ସାମାନ୍ଯ ନାରୀ ମୁହଁରେ ୟେ ସବୁ ଶବ୍ଦ ଶୋଭନୀୟ ନୁହେଁ । ଏୟା ଭାବୁଛନ୍ତି ନା। ଆଧ୍ୟାତ୍ମିକତା ଉପରେ ଆପଣମାନଙ୍କର ଏକଚାଟିଆ ଅଧିକାର ଅଛି ବୋଲି ଆପଣଙ୍କ ଭଳି ପଣ୍ଡିତମାନେ ଭାବି ନିଅନ୍ତି । ଜ୍ଞାନର ଅହଂକାର ଆପଣଙ୍କର ସେତେବେଳେ ବି ଥିଲା ଏବେ ବି ଅଛି । ତିଳେ ମାତ୍ର ବଦଳି ନାହାଁନ୍ତି ।              

             ମାନେ ତମେ କ'ଣ କହିବାକୁ ଚାହୁଁଚ ? ମୋତେ ତୁମେ ଆଗରୁ ଜାଣିଚ ? ହେଲେ ମୁଁ ତ ତମକୁ ଚିହ୍ନିନି ।

ମୁଁ ଯଦି କହେ , ମୁଁ ଆପଣଙ୍କୁ ଜନ୍ମଜନ୍ମାନ୍ତର ଧରି ଜାଣିଚି ତେବେ ଆପଣ କ'ଣ ବିଶ୍ବାସ କରିବେ ? ଯଦି କହେ ଆପଣଙ୍କ ର ଲକ୍ଷ୍ଯରେ ପହଞ୍ଚିବାର ମାଧ୍ୟମ ମୁଁ । ଆଉ ଏଠିକି ଆସିବା ବି ବିଧି ନିର୍ଦ୍ଦିଷ୍ଟ ତେବେ ?

         ଦେଖ ଥଟ୍ଟା ଖେଳିବାର ଗୋଟେ ସୀମାଥାଏ । ମୁଁ ତୁମ ଗରାଖ ନୁହଁ କି ମୁଁ ତୁମ ରୂପ ଭିକାରୀ ବି ନୁହଁ । ଏକ ବ୍ରହ୍ମଚାରୀ ସହ ଏପରି କଥାବାର୍ତ୍ତା କରିବାର ଆସ୍ପର୍ଦ୍ଧା ଦେଖି ଆଶ୍ଚର୍ଯ୍ଯ ଲାଗୁଛି । ଶାନ୍ତ ହୁଅନ୍ତୁ ଶ୍ରୀମନ ବାହ୍ୟିକ ରୂପଭେକ ଦେଖି କାହାକୁ କଳନା କରି ନେବାର ଭୂଲ କରନ୍ତୁ ନାହିଁ । ଆପଣ ମୋର ଭଗବାନ ତେଣୁ ଆପଣଙ୍କର ସେବା କରିବା ମୋର କର୍ତ୍ତବ୍ଯ । ଏଇ ଏରୁଣ୍ଡିବନ୍ଧ ପାର କରିଥିବା ପ୍ରତିଟି ବ୍ଯକ୍ତି ମୋ ପାଇଁ ଭଗବାନ । କାରଣ ସେମାନଙ୍କର ଅହଂତ୍ବକୁ ହରଣ କରିନିଏ ମୁଁ । ଆଉ ଆପଣ ଭଲ ଭାବରେ ଜାଣନ୍ତି ଯେ ବ୍ଯକ୍ତିର ଅହଂତ୍ବ ଚାଲିଗଲା ପରେ ଯାହା କିଛି ଅବଶେଷ ରହେ ତାହା ହିଁ ବ୍ରହ୍ମ । ବାହ୍ୟତ ଲୋକେ ଜାଣନ୍ତି ମୁଁ ଗଣିକା ହେଲେ ପ୍ରକୃତରେ ମୁଁ ଇଶ୍ୱରଙ୍କ ସେବିକା । ମୋର ପ୍ରତିଟି ନୃତ୍ଯଗୀତ କେବଳ ଇଶ୍ୱରଙ୍କ ପାଇଁ ସମର୍ପିତ । ଏହିଠାରେ ପ୍ରତି ରାତିରେ ଯେଉଁମାନେ ମୋର ସାନ୍ନିଧ୍ୟ ଯାଚନା କରନ୍ତି ତାଙ୍କ ଉପରେ ମୁଁ ଇଶ୍ବରତ୍ବ ଆରୋପିତ କରେ ହେଲେ ଦୁଃଖର ବିଷୟ ସେମାନେ ତାକୁ ଧାରଣ କରି ରଖି ପାରନ୍ତି ନାହିଁ କାରଣ ପ୍ରଜ୍ଞାର ଅଭାବ ଯୋଗୁଁ । ଏ ଏରୁଣ୍ଡି ପାର କରିବା ମାତ୍ରେ ସେ ସବୁ ଭୂଲି ଯାଆନ୍ତି ।

          ପ୍ରଜ୍ଞାପାଦ ଏବେ ସଳଖି ହେଇ ବସିଲେ । ସତରେ ମୋ ସମ୍ମୁଖ ରେ ଯିଏ ଦଣ୍ଡାୟମାନ ସେ ଜଣେ ସାଧାରଣ ନାରୀ ନୁହଁ ବେଶ୍ ବିଦୂଷୀ । ଦେବଦତ୍ତା ଧୀରେ ଆସି ପ୍ରଜ୍ଞାପାଦଙ୍କର ମସ୍ତକ ସ୍ପର୍ଶ କରିବା ମାତ୍ରେ । ପ୍ରଜ୍ଞାପାଦଙ୍କ ପୂର୍ବଜନ୍ମର (ଶ୍ରୀଧର) କାହାଣୀ ଗୋଟିଏ ପରେ ଗୋଟିଏ ଚିତ୍ରପଟ୍ଟ ଭଳି ଭାସି ଉଠିଲା । ପ୍ରଜ୍ଞାପାଦ ଏଥର ଦେବଦତ୍ତାଙ୍କର ପାଦଧରି ପଡିଗଲେ ।

          ଉଠନ୍ତୁ ଶ୍ରୀମାନ ବର୍ଷ ବର୍ଷ ଧରି ମୁଁ ତୁମର ହିଁ ପ୍ରତୀକ୍ଷା କରିଥିଲି । ମୋ ଉପରେ ଏଇ ଗୁରୁଦାୟିତ୍ବ ଥିଲା । ତୁମକୁ ଇଶ୍ବରତ୍ବ ପ୍ରଦାନ କରିବା । ସେଇଥି ପାଇଁ ତ ତମ ଗୁରୁ ତମକୁ ମୋ ନିକଟକୁ ପ୍ରେରଣ କରିଛନ୍ତି । କେବଳ ଜ୍ଞାନଦ୍ବାରା ଇଶ୍ବରତ୍ବରେ ପ୍ରତିଷ୍ଠିତ ହେଇ ହୁଏନା । ପ୍ରେମର ଆବଶ୍ୟକତା ବି ରହିଛି । ଏତିକି ଟିକିଏ କଥା ତୁମକୁ ବୁଝେଇ ଦେବା ପାଇଁ ମୋର ଏଇ ବର୍ଷ ବର୍ଷର ସାଧନା । ମୁଁ ଏବେ ନିଶ୍ଚିନ୍ତରେ ମୁକ୍ତ ହେଇ ପାରିବି । ଇଶ୍ବରତ୍ବ ରୁ ବ୍ରହ୍ମତ୍ବର ଦୂରତ୍ବ ବେଶୀ ନୁହଁ । ବିଶ୍ବକୁ ଭଗବତ ଜ୍ଞାନରେ ଭଲ ପାଇ ପାରିଲେ ତୁମର ଚରମ ଲକ୍ଷ୍ଯରେ ଉପନୀତ ହେଇ ପାରିବ । ଦେବଦତ୍ତା ଉଠିଆସି ଝର୍କା ଖୋଲିଦେଲେ । ଏଇ ଦେଖ ସୂର୍ଯ୍ୟଉଦୟ ହେଇ ସାରିଲେଣି । ବର୍ଷା ବି ଛାଡି ଯାଇଚି । ଏବେ ତୁମେ ତୁମ ଗନ୍ତବ୍ୟପଥରେ ଯାଇପାର ଶ୍ରୀମନ । ଦ୍ବାର ଖୋଲିଦେବା ମାତ୍ରେ ଏକ ନୂତନ ଆଭା ପ୍ରଜ୍ଞାପାଦଙ୍କ ଶରୀରରେ ଉଦ୍ଭାସିତ ହେଇ ଉଠିଲା ।         


Rate this content
Log in

Similar oriya story from Classics