Lalita Mohan Mishra

Classics

2  

Lalita Mohan Mishra

Classics

ପତିବ୍ରତା

ପତିବ୍ରତା

3 mins
182


ଅବନ୍ତୀ ରାଜ୍ୟର ଦୟାଶୀଳ ନରେଶ ଅଶ୍ବପତୀ । ବହୁପୂଣ୍ଯ ବଳରେ ତାଙ୍କର ଏକମାତ୍ର କନ୍ୟା ଜାତ ହୋଇଥିଲେ ସାବିତ୍ରୀ । ବୟସାନୁ୍ଯାୟୀ ବିବାହ ଯୋଗ୍ୟା ହୋଇଥିଲେ ସାବିତ୍ରୀ । ରାଜା ଅଶ୍ବପତୀ ଦ୍ବୀମତସେନଙ୍କର ପୁତ୍ର ରାଜକୁମାର ଚିତ୍ରସେନଙ୍କ ସହିତ ବିବାହ କରାଇଥିଲେ ସାବିତ୍ରୀଙ୍କୁ । ଚିତ୍ରସେନ ସାବିତ୍ରୀଙ୍କୁ ବିବାହ କରିବା ପରେ ନିଜ ରାଜ୍ୟକୁ ନେଇ ଯାଇଥିଲେ । ସାବିତ୍ରୀ ଶାଶୁଘରେ ଅତି ଆନନ୍ଦ ସହକାରେ ଶାଶୁ ଶ୍ବଶୁରଙ୍କୁ ସେବା ଏବଂ ଘରର ସମସ୍ତ କାର୍ଯ୍ୟ କରିଥିଲେ। ସାବିତ୍ରୀଙ୍କ ସ୍ବଭାବ ଓ ବ୍ୟବହାରରେ ଚିତ୍ରସେନ ଅତ୍ଯନ୍ତ ପ୍ରୀତ ହୋଇଥିଲେ ।

      ଚିତ୍ରସେନଙ୍କର ଉନ୍ନତି କାମନା କରି ସାବିତ୍ରୀ ନିଷ୍ଠା ଓ ଏକାଗ୍ରତାରେ ଲକ୍ଷ୍ମୀନାରାୟଣଙ୍କର ପୂଜାର୍ଚ୍ଚନା ସହିତ ସ୍ତୋତ୍ର ପାଠ ମଧ୍ୟ କରୁଥିଲେ । ଲକ୍ଷ୍ମୀନାରାୟଣଙ୍କୁ ଶ୍ରଦ୍ଧାର ସହିତ ବିଭିନ୍ନ ପ୍ରକାର ଫଳ ନୈବେଦ୍ୟ ରୂପେ ସମର୍ପଣ କରି ବ୍ରାହ୍ମଣମାନଙ୍କୁ ଭୋଜନ ପ୍ରଦାନ କରୁଥିଲେ । ତାହାପରେ ଶାଶୁ ଶ୍ବଶୁର ଓ ସ୍ବାମୀଙ୍କୁ ଭୋଜନ ପ୍ରଦାନ କରୁଥିଲେ ।

     ଥରେ ରାଜକୁମାର ଚିତ୍ରସେନ ଜାଳେଣୀ କାଠ ଏବଂ ଫଳ ଆଣିବା ସଂଗ୍ରହ କରିବା ପାଇଁ ଅରଣ୍ୟକୁ ଯାଇଥିଲେ । ଚିତ୍ରସେନଙ୍କ ସହିତ ସାବିତ୍ରୀ ମଧ୍ୟ ଅରଣ୍ୟକୁ ଯାଇଥିଲେ । ଚିତ୍ରସେନ ବିବିଧ ପ୍ରକାରର ଫଳ ସଂଗ୍ରହ କରି ସାବିତ୍ରୀଙ୍କ ନିକଟରେ ରଖୁଥିଲେ ।


ଚିତ୍ରସେନ କହିଲେ - ହେ ପ୍ରିୟେ ! ତୁମେ ଏଠାରେ ଉପବେଶନ କରିଥାଅ, ମୁଁ କିଛି କାଷ୍ଠ ସଂଗ୍ରହ କରି ଆଣୁଛି ।


    ଏହା କହି ଚିତ୍ରସେନ ଟିକେ ଦୂରରେ କାଷ୍ଠ ଛେଦନ କଲେ । କିଛି ସମୟ ପରେ ଚିତ୍ରସେନଙ୍କୁ ଚତୁର୍ଦ୍ଦିଗ ଅନ୍ଧକାରାଚ୍ଛନ୍ନ ଦେଖାଗଲା ।


ସେ କହିଲେ - ହେ ପ୍ରିୟେ ! ମୋର ମୁଣ୍ଡରେ ଭିଷଣ ଆଘାତ ଲାଗିଛି । ମୁଁ ଶୋଇବାକୁ ଇଚ୍ଛା କରୁଛି ! ! ! 

    ସାବିତ୍ରୀ ପିନ୍ଧିଥିବା ଲୁଗା କାନିଟି ବିଛାଇ ଦେଲେ ଏବଂ ତାରି ଉପରେ ଶୋଇ ପଡିଲେ ଚିତ୍ରସେନ । କିଛି ସମୟ ପରେ ଚିତ୍ରସେନ ସେଠାରେ ଆଖି ବୁଜି ଦେଲେ ।

   ମୃତ ଚିତ୍ରସେନଙ୍କୁ ଦେଖି ସାବିତ୍ରୀ ରୋଦନ କଲେ । ଚିତ୍ରସେନଙ୍କୁ ସ୍ବର୍ଗ କୁ ନେବା ପାଇଁ ଯମଦୂତମାନେ ସାବିତ୍ରୀଙ୍କର ଚତୁଃପାର୍ଶ୍ୱରେ ପରିକ୍ରମଣ କଲେ ।

     ପତିବ୍ରତା କାରଣରୁ ସେମାନେ ଚିତ୍ରସେନଙ୍କୁ ସାବିତ୍ରୀଙ୍କ ଠାରୁ ଛଡାଇ ନେବାରେ ସକ୍ଷମ ହୋଇପାରିଲେ ନାହିଁ ।

    ଯମଦୂତମାନେ ସେଠାରୁ ଫେରିଯାଇ ଯମରାଜଙ୍କ ନିକଟରେ ନିଜର ଅସଫଳତାର କାରଣ ବର୍ଣ୍ଣନା କଲେ । ତାହାପରେ ସ୍ବୟଂ ଯମରାଜ ସାବିତ୍ରୀଙ୍କର କୋଳରୁ ଚିତ୍ରସେନଙ୍କୁ ନେବା ପାଇଁ ଆସିଥିଲେ ।


ସେ ସାବିତ୍ରୀଙ୍କ ନିକଟରେ ନିବେଦନ କରିଥିଲେ - ହେ ଦେବୀ ! ଆପଣଙ୍କର ପତିପରମେଶ୍ବର ମରଣଶୀଳା । ତାଙ୍କର ଆୟୁଷ ସମାପ୍ତ ହୋଇ ଯାଇଛି । ଏଣୁ ଆପଣଙ୍କର ପତିଙ୍କୁ ଆମକୁ ସମର୍ପଣ କରି ନିଜ ଘରକୁ ଯାଆନ୍ତୁ ! ! ! ଏହା କହି ଯମରାଜ ଚିତ୍ରସେନଙ୍କୁ ନେଇ ଯମାଳୟ ଅଭିମୁଖେ ଗମନ କରିଥିଲେ ।

    ଯେତେବେଳେ ଯମରାଜ ଚିତ୍ରସେନଙ୍କୁ ଯମାଳୟକୁ ନେଇ ଯାଉଥିଲେ ସେତେବେଳେ ସାବିତ୍ରୀ ରୋଦନ କରି ଯମରାଜଙ୍କ ପଛରେ ଅନୁଧାବନ କଲେ ।

   ଯମରାଜ ସାବିତ୍ରୀଙ୍କର ଆସିବା ଦେଖି କହିଥିଲେ - ଦେବୀ ! ଆପଣ ମୋର ପଛରେ ଅନୁଧାବନ ନ କରି , ବର୍ତ୍ତମାନ ସ୍ବ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ।

     ସାବିତ୍ରୀ ଯମରାଜଙ୍କୁ ନିବେଦନ କରିଥିଲେ - ହେ ଯମରାଜ ! ମୁଁ ଆପଣଙ୍କର ଦର୍ଶନରେ ଅତ୍ୟନ୍ତ ପ୍ରୀତ । ମୁଁ ଏହି ଅନିତ୍ୟ ସଂସାରକୁ ପରିତ୍ଯାଗ କରି ଆପଣଙ୍କର ଭୂବନକୁ ଯିବାକୁ ଇଛା କରୁଅଛି । ଏଠାରେ ରହି ବା କଣ କରିବି ? ଏଣୁ ଆପଣ ମୋର ସ୍ବାମୀଙ୍କ ସହିତ ମୋତେ ନେଇ ଯାଆନ୍ତୁ ।

     ଯମରାଜ ସାବିତ୍ରୀଙ୍କର ପତିବ୍ରତାର ଦୃଢ଼ତା ଦେଖି ଆଶ୍ଚର୍ଯ୍ୟ ଏବଂ କିଂ କର୍ତ୍ତବ୍ୟବିମୂଢ ହୋଇଯାଇଥିଲେ ।

   ଯମରାଜ ଚିନ୍ତାକଲେ - ଏହାଙ୍କୁ ଏକ ବର ପ୍ରଦାନ କରିବି, ଯେଉଁ ବର ପାଇ ସେ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିବେ.....

     ଯମରାଜ ସାବିତ୍ରୀଙ୍କୁ କହିଲେ - ହେ ଦେବୀ  ! ଆପଣ ସ୍ବ ପତିଙ୍କ ଜୀବନ ବିନା ଯାହା କିଛି କାମନା କରିବେ, ମୁଁ ନିଶ୍ଚୟ ପ୍ରଦାନ କରିବି ।

    ଯମରାଜଙ୍କର ଏହି ପ୍ରସ୍ତାବ ଶୁଣି - ସେ ନିଜ ଶ୍ବଶୁର ଅଶ୍ବପତୀଙ୍କୁ ଚକ୍ଷୁଷ୍ମାନ କରିବାକୁ ନିବେଦନ କରିଥିଲେ । ଜନ୍ତୁରାଜ - ତଥାସ୍ତୁ ! ! ! କହି ଆଗକୁ ଚାଲିଲେ ।

     କିଛିବାଟ ଯିବା ପରେ ଯମରାଜ ଦେଖିଲେ - ପୁଣି ସାବିତ୍ରୀ ତାଙ୍କର ପଛରେ ଅନୁଗମନ କରୁଛନ୍ତି ।

ଯମରାଜ ସାବିତ୍ରୀଙ୍କୁ ବୁଝାଇ କହିଥିଲେ - ଆପଣ ଯଦି ଇଛା କରୁଛନ୍ତି ! ଅନ୍ୟ ଏକ ବର ଯାଚନା କରନ୍ତୁ ଏବଂ ମନୋସ୍କାମନା ପୂର୍ଣ୍ଣ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ।

   ସାବିତ୍ରୀ ଦ୍ବିତୀୟ ବର ମାଗିଥିଲେ - ଶ୍ବଶୁରଙ୍କ ପାଇଁ ନଷ୍ଟ ରାଜ୍ୟ ପୁନଃ ପ୍ରାପ୍ତି ହେଉ ।

      ଯମରାଜ "ତଥାସ୍ତୁ" କହି ଆଗକୁ ଚାଲିଲେ ।

ବର ଦୁଇଟି ପାଇ ଯମରାଜଙ୍କର ପିଛା ଛାଡି ନ ଥିଲେ ସାବିତ୍ରୀ । ଯମରାଜଙ୍କ ପଛେ ପଛେ ଆସୁଥିବା ସାବିତ୍ରୀଙ୍କୁ ଦେଖି , ଜନ୍ତୁପତି କହିଲେ - ହେ ପତିବ୍ରତେ ! ଆପଣ ଘରକୁ ଗମନ କରନ୍ତୁ । ନାହିଁ ଯଦି ଇଛା କରୁଛନ୍ତି ସ୍ବାମୀଙ୍କର ଜୀବନକୁ ପରିତ୍ଯାଗ କରି ଅନ୍ୟ ଏକ ବର ଯାଚନା କରନ୍ତୁ ଏବଂ ସେହି ବରକୁ ନେଇ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ।

    ଯମରାଜଙ୍କର ବାଣୀରେ ପ୍ରସନ୍ନା ହୋଇ ଅନ୍ୟ ଏକ ବର ମାଗି, ସାବିତ୍ରୀ କହିଥିଲେ - ହେ ଜନ୍ତୁପତି ! ମମ ପତି ସଦୃଶ ଶତେକ ପୁତ୍ର ପ୍ରୟୋଜନ ।

    ଜନ୍ତୁପତି ଅତି ପ୍ରସନ୍ନ ହୋଇ "ତଥାସ୍ତୁ" କହି ଆଗକୁ ଚାଲିଲେ । ପତିପରାୟଣା ସାବିତ୍ରୀ ଯମରାଜଙ୍କୁ ନିବେଦନ କରି କହିଲେ - ହେ ଦେବ ! ଏବେ ଆମ ଦୁହିଁଙ୍କର ମିଳନ ଆବଶ୍ୟକ। ଆପଣ ମୋତେ ଶତ ପୁତ୍ରର ବର ପ୍ରଦାନ କରି କିପରି ମୋର ପତିଙ୍କୁ ଆପଣଙ୍କ ଭୁବନକୁ ନେଇ ଯାଉଛନ୍ତି । ତାଙ୍କର ଅଭାବରେ ମୁଁ କିପରି ଶତେକ ପୁତ୍ରର ଜନନୀ ହୋଇପାରିବି ?

    

 ଆପଣ ଦେଇଥିବା ବରକୁ ମୁଁ କେମିତି ସଫଳ କରାଇପାରିବି


ସାବିତ୍ରୀଙ୍କର ପତିନିଷ୍ଠା ଓ ପତିପ୍ରାପ୍ତିର ଏକାଗ୍ରତା ଭାବକୁ ଦେଖି ଯମରାଜ ଚିତ୍ରସେନଙ୍କୁ ଫେରାଇ ଦେଇଥିଲେ  । ସାବିତ୍ରୀଙ୍କର ଏହିପରି ପତିବ୍ରତା, ପତିଭକ୍ତି ସଂସାରରେ ଅନନ୍ୟ ନାରୀ ରୂପେ ଖ୍ୟାତି ଲାଭ କରିଅଛି । ଏକାଗ୍ରତା ଓ ନିଷ୍ଠା ଦ୍ବାରା ଅସମ୍ଭବକୁ ସମ୍ଭବ କରିବାର ଶିକ୍ଷା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।


Rate this content
Log in

Similar oriya story from Classics