ପଶୁପକ୍ଷୀଙ୍କ ଭୋଟ
ପଶୁପକ୍ଷୀଙ୍କ ଭୋଟ
ଜଙ୍ଗଲରେ ସବୁ ପଶୁପକ୍ଷୀ ମିଳିତ ହୋଇ ଭୋଟ ଦେଇ ରାଜା ନିର୍ବାଚନ କରିବାକୁ ସ୍ଥିର କଲେ. କଥାଟି ହେଲା ସିଂହ ଯେବେ କହିଲା ଜଙ୍ଗଲରେ ରାଜା ମୁଁ ବାଘ ମଧ୍ୟ କହିଲା ଜଙ୍ଗଲରେ ରାଜା ମୁଁ. ଦୁହିଁଙ୍କ ଯୁକ୍ତିତର୍କ ବଢିଚାଲିଲା ତ ପଶୁ ପକ୍ଷୀମାନେ ପ୍ରମାଦ ଗଣିଲେ. ବିଲୁଆର ତ ବହୁତ ବୁଦ୍ଧି. ସେ ଭାବିଚିନ୍ତି ଦୁହିଁଙ୍କୁ ଦୁଇଟି ମେଣ୍ଢା ଛାଲ ଆଣି ଦେଲା ଓ କହିଲା ଏ ମେଣ୍ଢା ଛାଲ ଦୁଇଟି ନେଇ ମେଣ୍ଢା ପଲରେ ରହି ଯିଏ କିଛି ଦିନ ବିତେଇ ଜଙ୍ଗଲକୁ ଫେରିବ ସେ ହିଁ ଜଙ୍ଗଲର ରାଜା ହେବ. ଆମେ ପଶୁ ପକ୍ଷୀମାନେ ତାକୁ ହିଁ ବଣର ରାଜା ରୂପେ ମାନିନେବୁ. ଏକଥା ବାଘ ଓ ସିଂହ ଦୁହିଁଙ୍କ ମନକୁ ପାଇଲା. ବାଘ ଭାବୁଥାଏ ମେଣ୍ଢାଛାଲ ଘୋଡ଼ି ହୋଇ ମେଣ୍ଡାପଲ ଭିତରେ ରହିଲେ ତାକୁ ମେଣ୍ଢା ରଖୁଆଳ ଚିହ୍ନି ପାଇବନି ତେଣୁ ଅକ୍ଳେଶରେ ମେଣ୍ଡା ମାରି ଖାଇପାରିବ ସେ. ସିଂହ କଣ ଭାବୁଥିଲା କେଜାଣି ସେ କିନ୍ତୁ ଏ ପ୍ରସ୍ତାବରେ ରାଜି ହେଲା.
ବାଘ ଓ ସିଂହ ଦୁହେଁ ମେଣ୍ଢା ଛାଲ ଘୋଡ଼ି ହୋଇ ମେଣ୍ଢାପଲ ସହିତ ସେଦିନ ସାନ୍ଧ୍ୟରେ ମିଶି ଖୁଆଡ଼କୁ ଗଲେ. ମେଣ୍ଢା ଜଗୁଆଳ ଭାଇର ସେଦିନ ଜନ୍ମଦିନ ଥିବାରୁ ସମସ୍ତ ବନ୍ଧୁବାନ୍ଧବ ତାକୁ ଭୋଜି ମାଗିବାରୁ ସେ ଅନୁଚର ମାନଙ୍କୁ କହିଲା ବାଛି ବାଛି ଖୁଆଡ଼ରୁ ମୋଟା ମେଣ୍ଢା ଆଣିବାକୁ. ଏକଥା ଶୁଣି ସିଂହ ମାରିଲା ଡିଆଁ ବଣକୁ କିନ୍ତୁ ବାଘକୁ ମୋଟା ମେଣ୍ଢା କରି ଧରିନେଲେ ତ ସେ ମେଣ୍ଢା ଛାଲ ଫୋପାଡି ନିଜ ରୂପ ପ୍ରକଟ କଲା. ସମସ୍ତେ ବାଘ ବାଘ ପାଟି କରି ଦଉଡି ପଳେଇଲେ ତ ବାଘ ମଧ୍ୟ ଚମ୍ପଟ ମାରିଲା. ବାଟରେ ଗୋଟିଏ ଯନ୍ତା ଭିତରେ ପଶିଯାଇ ବାଘ ଅଟକି ଗଲା. ଶିକାରୀ ରଖିଥିବା ଯନ୍ତା ଭିତରେ ପଡି ଛଟପଟ ହେଲା ବେଳେ ଗୋଟେ ମଣିଷକୁ ଦେଖି ତାକୁ ଅନୁରୋଧ କଲା ଯନ୍ତା କବାଟ ଖୋଲି ତାକୁ ମୁକୁଳେଇବାକୁ. ମଣିଷଟି ଭାରି ଦୟାବନ୍ତ ଥିଲା. ସହଜେ ବଣ ମୂଳକର ବାଘମାମୁଁଙ୍କର ଏ ଦୁରାବସ୍ଥା ଦେଖି ସେ ସହି ପାରିଲା ନାହିଁ ତେଣୁ ଖୋଲିଦେଲା. ଖୋଲିଦେଲା ପରେ ଭୋକିଲା ବାଘ କହିଲା ମୁଁ ତତେ ଖାଇବି. ମଣିଷ ଭାଇ କେତେ ନେହୁରା ହେଲା. କହିଲା ମୁଁ ଏକରେ ତୋତେ ମାମୁଁ ବୋଲି କହି ସ୍ନେହ ଶ୍ରାଦ୍ଧରେ ଡାକିଲି. ଦୁଇରେ ମଣିଷ ପଣିଆ ଜାଗି ତତେ ଉଦ୍ଧାର କଲି ଅଥଚ ମୋ ଉପକାର ଭୁଲି ତୁ ମତେ ଖାଇବୁ କହୁଛୁ? ସେହି ବାଟେ ଜଣେ ସନ୍ୟାସୀ ଯାଉଥିଲେ. ସେ ଲୋକଟିର ସବୁକଥା ଶୁଣି କହିଲେ କଥାଟା ଟିକେ ବୁଝେଇକି କୁହ. ପ୍ରଥମେ ବାଘ କୋଉଠି କେମିତି ଅବସ୍ଥାରେ ଯନ୍ତାରେ ଥିଲା ଦେଖିସାରିଲେ ମୁଁ ମୋ ନିଷ୍ପତ୍ତି ଜଣେଇବି ଏହା ଶୁଣି ବାଘ ଯନ୍ତା ଭିତରକୁ ପଶିଯାଇ କହିଲା ମୁଁ କୌତୁହଳ ବଶତଃ ଏହି ଯନ୍ତା ଭିତରେ ପଶିଥିଲି. ସେ ଏତିକି କହୁ କହୁ ସନ୍ୟାସୀ ଯନ୍ତାର ଶିକୁଳି ଲଗେଇ କହିଲେ ସେମିତି ରହିଥାଅ. ମଣିଷ ତୁମେ ତୁମ ବାଟରେ ଯାଅ. ମଣିଷ ଓ ସନ୍ୟାସୀ ଚାଲିଯିବା ପରେ ଶିକାରୀ ଆସି ଦେଖିଲା ମହାବଳ ବାଘ. ସେ ଡରିଗଲା. ବାଘ ତାକୁ ନେହୁରା ହୋଇ ଖୋଲିଦେବାକୁ କହିବାରୁ ସେ ଖୋଲି ଦେଲା କାରଣ ମହାବଳ ବାଘ ଧରିବା ତାର ଉଦେଶ୍ୟ ନଥିଲା. ଯନ୍ତାରୁ ଫିଟିଲା ପରେ ବାଘ ଶିକାରୀ ହାତରେ ଧନୁ ଓ ତୀର ଦେଖି ଜଙ୍ଗଲକୁ ଦଉଡି ପଳାଇଲା. ସେତେବେଳକୁ ସିଂହ ରାଜା ହୋଇସାରିଥିଲା. ବାଘ ସିଂହର ବଶତା ସ୍ୱୀକାର ନକରି ବଣମୂଳକରେ ରାଜା ପରି ଏଣେ ତେଣେ ଘୁରି ବୁଲିଲା. ସିଂହ ରାଜା ମନଇଛା ପଶୁ ଓ ପକ୍ଷୀ ଆହାର କରୁଥିଲା ବେଳେ ସ୍ବାଧୀନ ବାଘ ରାଜା ଯୋଗୁଁ ଗଛ ସୁରକ୍ଷିତ ରହିଲା.ଶିକାରୀ ବା ଗଛକଟାଳି ବାଘ ଭୟରେ କେହି ଜଙ୍ଗଲରେ ପଶ୍ଚିପାରୁନଥିଲେ. ଗଛ ରହିବା ଯୋଗୁଁ ବୃଷ୍ଟିପାତ ଠିକ ସମୟରେ ହେଉଥିଲା. ପଶୁ ପକ୍ଷୀଙ୍କୁ ମଧ୍ୟ ଆହାର ଓ ଆଶ୍ରୟ ମିଳିବା ସଙ୍ଗେ ଖେଳି ବୁଲିବାକୁ ଘଞ୍ଚ ସବୁଜ ବାନାନୀ ମିଳିଯାଇଥିଲା. ସିଂହ ବଣର ରାଜା ସତ ହେଲେ ବାଘରାଜା ପାଇଁ ବଣମୂଲକ ସୁରକ୍ଷିତ ଥିଲା.
ଏଣିକି ପଶୁ ପକ୍ଷୀମାନେ ସ୍ଥିର କଲେ ମଣିଷ ଭଳି ଭୋଟ କରି ସିଂହ ବା ବାଘ କାହାକୁ ରାଜା କରିବା ସ୍ଥିର କରିବା କିନ୍ତୁ ବ୍ୟକ୍ତି, ତାର ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବା.ପ୍ରଥମେ ବାଘ କଥା ଚିନ୍ତା କରିବା. ବାଘ ଜଙ୍ଗଲକୁ ଯେତିକି ସୁରକ୍ଷା ପ୍ରଦାନ କରେ ପଶୁ ପକ୍ଷୀ ଓ ମଣିଷଙ୍କ ପ୍ରତି ମଧ୍ୟ ତାର ଅନୁରାଗ ଓ ଅନୁରକ୍ତି ଅଛି. ଅତୀତରେ ବଉଳା ଗାଈର ମାନବିକ ମୂଲ୍ୟବୋଧ ଅର୍ଥାତ କଥା ଦେଇ କଥା ରଖିପାରୁଥିବା ମୂଲ୍ୟବୋଧ ଦେଖି ବାଘମଧ୍ୟ ନିଜ ଭିତରେ ମାନବିକତା ଜାଗରଣ କରି ବଉଳା ଗାଈର ମାତୃତ୍ୱ ଦେଖି ତାକୁ ନଖାଇ ସବୁଦିନ ପାଇଁ ତାକୁ ଛାଡିଦେଇଥିଲା. ସେମିତି ଟୁଆଁ ଟୁଇଁଙ୍କ ପାଇଁ ଆଈ କରୁଥିବା ଚକୁଳି ପିଠା ଖାଇବାକୁ ଲୋଭ କରି ଦାନ୍ତଭାଙ୍ଗି ଆସିଥିଲା. ଏସବୁ କଥାରୁ ବାଘମାମୁଁ ଭିତରେ ମଣିଷ ଓ ପଶୁପକ୍ଷୀ ସମସ୍ତଙ୍କ ପାଇଁ ଆନ୍ତରିକତା ଅଛି ସତ ହେଲେ ଜଙ୍ଗଲର ସୁରକ୍ଷା ପାଇଁ ଆନ୍ତରିକତା ଅପେକ୍ଷା ଜୋର ଯାର ମୂଲକ ତାର ନ୍ୟାୟରେ ସିଂହ ଅଧିକ ବଳବାନ. କେହି ଜଣେ ପ୍ରତିବାଦ କରି କହିଥିଲା ସିଂହ ରାଜାଙ୍କୁ ପ୍ରତିଦିନ ପାଳି କରି ଖାଦ୍ୟ ଦେବାକୁ ପଡୁଛି. ତ ବିଲୁଆ କହିଲା ପାଳି କରି ଖାଦ୍ୟ ଦେବା ଦ୍ୱାରା ଆମ ସମସ୍ତଙ୍କର ଦୁଇଟି ଉପକାର ହେଉଛି. ପ୍ରଥମଟି ହେଲା ସିଂହ ମନଇଛାରେ ପଶୁ ପକ୍ଷୀ ମାରୁନି. ଦ୍ୱିତୀୟଟି ହେଲା ଦିନେନା ଦିନେ ମୃତ୍ୟୁ ମୁଖରେ ପଡିବା ଜାଣି ପାରିବାରରେ ଯିଏ ରାଜି ହେଉଛି ତାକୁ ହିଁ ଖାଦ୍ୟ ରୂପେ ବଛା ଯାଉଛି. ଏଥର ଠେକୁଆ କହିଲା କିନ୍ତୁ ଏହାଦ୍ୱାରା ପରିବାରରେ ଥିବା ଅନ୍ୟମାନେ ଦୁଃଖ ପାଉଛନ୍ତି. ବିଲୁଆ ଏଥର କହିଲା ତାହାଲେ ଗୋଟେ କାମ କରିବା ମଣିଷ ମାନଙ୍କ ଭଳି କୁକୁଡ଼ା ପାଳନ କରି ରାଜାଙ୍କୁ ଯୋଗେଇଦେବା. ସମସ୍ତଙ୍କ ମନକୁ କଥାଟି ପାଇଲା. ବାଘ ଓ ସିଂହ ଦୁହେଁ ବଳବାନ ଓ ପ୍ରତାପୀ ହେଲେ ମଧ୍ୟ ବାଘ ବହିର୍ଦ୍ଦେଶ ଜଗିବା ଦାଇତ୍ୱ ନେଇ ନିଜକୁ ଯେମିତି ସ୍ବାଧୀନ ରାଜା ଭାବେ ପ୍ରତିପାଦନ କରୁଛନ୍ତି କରନ୍ତୁ କିନ୍ତୁ ସିଂହର ପରାକ୍ରମ, ସାହାସ ଯୋଗୁଁ ତାଙ୍କୁ ରାଜା କରିବାକୁ ଚାଲ ଭୋଟ ଦେଇ ଜୟଯୁକ୍ତ କରାଇବା. ପ୍ରସ୍ତାବ ଅନୁମୋଦନ ଲାଭ କଲା ତ ସବୁ ପଶୁପକ୍ଷୀଙ୍କ ଭୋଟ ପାଇ ସିଂହ ରାଜା ହେଲା. ବାଘ କିନ୍ତୁ ଭୋଟ ଦେବାକୁ ନଯାଇ ସ୍ବାଧୀନ ଭାବେ ଜଙ୍ଗଲ ଚାରିପଟେ ଘୁରି ବୁଲୁଥିଲା.।
