ପଶ୍ଚାତାପ
ପଶ୍ଚାତାପ


ରୁଟିନବନ୍ଧା ନିୟମ କାନୁନ୍ ,ବନ୍ଧନ ଓ ଆକଟ ଭିତରେ ପାଠପଢା ସରିଗଲା। ତାପରେ କଲେଜ ଯିବାର ସମୟ ଆସିଗଲା।କଲେଜର ମୁକ୍ତ ଛାତିରେ ବେଡିବିହୀନ ପାଦ ପକେଇବାର ଆନନ୍ଦ ନା ପାଠପଢାର ତାଗିଦ୍ ନା ନିଦ୍ଦିଷ୍ଟ ସମୟର କଡାକଡି ଗଗନ ପବନରେ ଉଡୁଥାଏ "ପ୍ରୀତିର" ମନ।ଅନେକ ନୂଆପିଲାଙ୍କ ସହିତ କମନରୁମରେ ସଂକ୍ଷିପ୍ତ ପରିଚୟରେ କଟିଗଲା। କେତେବେଳେ କିଛି ମିନଟ୍ ରେ କିଏ ଅତି ନିଜର ବି ହୋଇଯାଆନ୍ତି। ନିଜର ଗୋରା ତକତକ ଚେହେରା ସାଙ୍ଗକୁ ବ୍ଲୁ ରଂଗର Without ୟୁନିଫର୍ମ ରେ ପ୍ରଥମ କରି ପାଠ ପଢିବାକୁ ଯାଇଥିବା ପ୍ରୀତି ନିଜକୁ ବାରମ୍ବାର ଚାହୁଁଥାଏ।ମଝିରେ ମଝିରେ ଭୟ ବି ଆସୁଥାଏ କୋ-ଏଜୁକେସନ୍ କଲେଜର ଭୟ ଲାଗିବା ସ୍ବାଭାବିକ।ତା ଛଡା କମନରୁମରୁ କ୍ଲାସ କରିବାକୁ ଯିବାକୁ ହେଲେ ଫିଲ୍ଡି ଅତିକ୍ରମ କରିବାକୁ ପଡୁଥିଲା। ବାଟରେ ଆମ୍ବଗଛ ଚଉତରାରେ ବସିଥିବା ପୁଅମାନଙ୍କ ନଜର ନର୍ଭସ କରାଉଥିଲା।ପାଦରେ ପାଦ ଛନ୍ଦି ହୋଇ ଯାଉଥିଲା। କ୍ଲାସର ଗୋଟିଏ ପଟେ ପୁଅ ଅନ୍ୟପଟେ ଝିଅମାନେ ବସି ପଢନ୍ତି ଯାହା କି ଦୀର୍ଘ ପାଞ୍ଚବର୍ଷ ଧରି ହେଉନଥିଲା।କାରଣ ସେ ବାଳିକାବିଦ୍ୟାଳୟର ଛାତ୍ରୀ ଥିଲା।ତେଣୁ କ୍ଲାସରେ ବହୁ ସନ୍ତର୍ପଣରେ ଓଢଣୀ ସଜାଡି ବସୁଥିଲା।ତା ଅଜଣାତରେ ତପନର ନଜର ତା ଉପରେ ପଡିଥିଲା। ସେ ତା ସହପାଠୀ।"ପ୍ରୀତି"କୁ ନେଇ ମନରେ ସ୍ବପ୍ନ ସଜାଉଥିବା "ତପନ" ଟିକିଏ ଲାଜକୁଳା ଥିବାରୁ ସହଜେ କିଛି କହିବାକୁ ସାହାସ କରି ପାରୁ ନଥିଲା।
ତପନର ସାହାସ ସିନା ନଥିଲା,ପ୍ରେମ କରି ଲୁଚି ଛପି ଚାହେଁ।ବହି ଦେବା ନେବା ବାହାନାରେ ଦୁଇପଦ କଥା ହୁଏ।ମନ କଥା ମନରେ ମାରି ଚୁପ ହୋଇ ରହିଯାଏ। ପଦେ କଥାରେ ଆତ୍ମସନ୍ତୋଷ ପାଏ।କିନ୍ତୁ ଅନ୍ୟ ପୁଅମାନଙ୍କ ପରି ତପନକୁ ସାଙ୍ଗ ଭଳି ଧରି ନେଇଥିଲା।
ସମୟ ଗଡି ଚାଲିଲା କୁଆଁରୀ ମନ କେଉଁଠି କେତେବେଳେ ମନର ମଣିଷ ବାଛିନେବ କିଏ କହିପାରିବ।ଯୁକ୍ତ ଦୁଇ ପରୀକ୍ଷା ପାଖେଇ ଆସିଲା। କଲେଜ ଦୀର୍ଘଦିନ ଧରି ଛୁଟି ।ସମସ୍ତେ ଘରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ। ତପନ ମନରେ ଦୁଃଖ , ପ୍ରେମ ଜାହିର ନ କଲେ ମଧ୍ୟ ଦେଖା ତ ହେଉଥିଲା।ଆଉ ତା ବି ସମ୍ଭବ ନୁହେଁ।ନା ତା ପାଖରେ ଫୋନ୍ ନମ୍ବର ଅଛି ପଦେ କଥା ହେବାପାଇଁ।ପୁଣି ପରୀକ୍ଷା ସରିଲେ କିଏ କେଉଁ ଗଛରେ ବସା ବାନ୍ଧିବେ,ଏ କଲେଜ ଜୀବନ କେବଳ ସ୍ମୃତିଟିଏ ହୋଇ ରହିଯିଵ। ପ୍ରୀତି ଯଦି ତପନ କଥା ଜାଣିଥାନ୍ତା ତାହେଲେ କିଛି ସମୟ ଭାବିଥାନ୍ତା।
ନବ ବସନ୍ତରେ ପଲ୍ଲବିତ ବୃକ୍ଷ ମଳୟରେ ମହମହ ବାସିଲା ପରି ନୂଆ କରି ଲାଗିଥିବା ଯୌବନରେ ମଳୟର ମନକୁ କିଏ ରୋକିପାରିବ କେଉଁ ଗନ୍ଧରେ ବାସିଉଠିବ। ଠିକ୍ ଛୁଟିରେ ଏକ ସମ୍ପର୍କୀୟ ଘରକୁ ଯିବା ସମୟରେ ପ୍ରୀତି ମନ ବାସି ଉଠିଥିଲା ବିଶ୍ୱାସର ସୁଗନ୍ଧରେ। ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ।
ପ୍ରୀତିର ହୃଦୟ ନୂଆ ରଙ୍ଗରେ ରଙ୍ଗେଇ ଥିଲା ରଙ୍ଗିନ ସ୍ବପ୍ନରେ।ସବୁକିଛି ନୂଆନୂଆ ପ୍ରଥମ ପ୍ରେମ କଅଁଳ ବୟସ ସାଙ୍ଗକୁ ସହରର ଆଭିଜାତ୍ୟ ଉଚ୍ଚଶିକ୍ଷିତ ନିଜ ଜାତିର ପୁଅକୁ ନିଶ୍ଚିତ ଜୀବନସାଥୀ କରି ସନ୍ମତି ଦେବାରେ ଘରଲୋକ ବାଧା ଦେବେନି।ଅଳ୍ପ ଦିନର ଦେଖା ସାକ୍ଷାତରେ ପ୍ରୀତିର ପ୍ରେମ ମକହି ଉଠିଥିଲା ଦୁହିଁଙ୍କ ପରସ୍ପର ଆକର୍ଷଣରେ।
ସମୟ ବଡ ବଳବାନ। ପ୍ରୀତିର ପ୍ରେମ ସିନା ହୃଦୟରୁ ଥିଲା ବିଶ୍ୱାସର ପ୍ରେମ ଖେଳ। ସମାଜର ନାଲି ଆଖି ଘରର ଚାପ,ପୁଣି ଭବିଷ୍ୟତର ଚାକିରୀ ପାଇଁ ବିଶ୍ୱାସ ଘରଲୋକଙ୍କୁ ପାଖେ ଜିଦ୍ କରି ପାରି ନଥିଲା।ଅଳ୍ପ ଦିନରେ ବିରତି।ପରୀକ୍ଷା ସରିଥାଏ ଯୁକ୍ତ ତିନି ପାଇଁ ପୁଣି ସେହି କଲେଜର ଛାତ୍ରୀ । ତପନ ମଧ୍ୟ ସେହି କଲେଜର ଛାତ୍ର। । ତପନ ମନରେ ଶୁଖି ଯାଇଥିବା ସମ୍ଭାବନାର ତରୁଟି ପତ୍ର ଦେଇ କଅଁଳିବାକୁ ଲାଗିଥିଲା। କିନ୍ତୁ ହୃଦୟର କଥା କହିବାକୁ ବର୍ଷେ ଲାଗିଗଲା।
ପ୍ରୀତି ଦୁଃଖରେ କଲେଜ ଆସେ।ଅପେକ୍ଷା ପରେ ଅପେକ୍ଷା।ଦୂର ସହରରୁ କିଛି ଖବର ଆସେ ନା କଲ୍। ବିଶ୍ୱାସର ଆନମନା ଝାଉଁଳି ପଡେ ହସହସ ମୁହଁ। କଲେଜ ଆସେ ପୁଣି ଗଡିଚାଲେ ଦିନ ଆଉ ରାତି ବୁଝିବାକୁ ଡେରି ହେଲାନି ସେ ବିଶ୍ୱାସ ଦ୍ବାରା ପରିତ୍ୟକ୍ତା। ଅତି ମାତ୍ରାରେ ହୃଦୟ ଦେଇଥିବା ଝିଅଟି ପ୍ରାଣହୀନ, ସ୍ପନ୍ଦନ ହୀନ, କେବଳ ମୂକ ପାଲଟି ଯାଇଛି। କେବେ ବି କେଉଁ ମୁହୂର୍ତ୍ତରେ ବିଶ୍ୱାସକୁ ଭୁଲି ପାରିନାହିଁ।
ସେହି ସମୟରେ ତପନ ମନରେ ଆତ୍ମଗୋପନ କରିଥିବା ହୃଦୟର କଥାଟି ପ୍ରେମ ନିବେଦନରେ ପ୍ରୀତି ଥରି ଉଠିଥିଲା,ସେ ଜୀବନରେ କାହାକୁ ବି ପ୍ରେମ କରି ପାରିବନି।ଯେଉଁ ଭଲପାଇବାକୁ ପୂଜା ଆଉ ତପସ୍ୟା କରିଛି, ସେହି ବିଶ୍ୱାସର ଆଶ୍ରମରେ ତପସ୍ୱୀନିର ଜୀବନ ବିତାଇବାକୁ ପଣ। ଭାବନାକୁ ଅନ୍ୟ ପୋଖରୀରେ କାଗଜଡଙ୍ଗା ଭାବି ଭସାଇବାର ଝିଅ ସେ ନୁହେଁ।
ଆଞ୍ଜୁଳାଏ ସ୍ମୃତିର ଜଳରେ ସାରାଜୀବନ ମେଣ୍ଟାଇବାର ଇଛା। ଅନ୍ୟ ଘରର ଘରଣୀ ହୋଇ କେଉଁ ମନ ସେ ଦେବ।ମନ ଛଡା ଦେହ ତ ଶଶ୍ମାନ। ବିଫଳ ହୋଇ ତପନ ଆଗେଇଗଲା ତା ବାଟରେ, ଛାଡି ଯାଇଥିଲା ହୃଦୟଟି ପ୍ରୀତି ପାଖେ। ପ୍ରୀତି ତପସ୍ୱୀନର ଜୀବନକୁ ଅନ୍ୟ କାହା ସଂସାରରେ ବାନ୍ଧିଥିଲା ନିଜ ଘରର ଲୋକଙ୍କ ପାଇଁ।ଆଜି ବି ନିଉଛଣା ବେଳାରେ ପ୍ରୀତି ବସି ଭାବେ ଯଦି ତା ବିଶ୍ୱାସର ସହିତ ଦେଖା ହୋଇ ନ ଥାନ୍ତା,ତା ମନର ମାଲିକ ତପନ ହିଁ ହୋଇଥାନ୍ତା। ତପନ ଭଳି ଉତ୍ତମ ଚରିତ୍ର ,କର୍ମଯୋଗୀ,ଆଉ ଭଲପାଇବା ସ୍ବାମୀ ନେଇ ତା ଜୀବନ କେତେ ଖୁସିରେ କଟିଥାନ୍ତା।
କିନ୍ତୁ ତା ଅନୁତାପର ଲୁହ ସେହିଁ ଦେଖେ ,ସେ ହିଁ ପୋଛେ ବନ୍ଦ ଓଠର କାହାଣୀ ଟିଏ ତପନ ସଙ୍ଗେ ଦେଖାହେଲେ ଭାବେ ମୁଁ ତା ପାଖେ ଦୋଷି ।ଆଜି ବି ତପନର ଭଲପାଇବା ଅତୁଳନୀୟ।କିନ୍ତୁ ପ୍ରୀତି ଅନ୍ତରରେ ପଶ୍ଚାତାପ ପାହାଡ ଭଳି ଘର କରି ରହିଛି ତେଣୁ ତପନସଙ୍ଗେ ବନ୍ଧୁତା ଦୁଃଖସୁଖ ବିନିମୟରେ ଶାନ୍ତି ପାଏ ।।