STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

3 mins
126


ପକେଟରୁ ଫୋନ ଡାକିଲା ରିଂ ରିଂ ।

ବନ୍ଧୁଖଟ୍ଟିକୁ ଠାରିଦେଲା ସୁଖେଶ୍ ବାଁ ହାତରେ ଫୋନ କାଢୁ କାଢୁ ନୀରବିବା ପାଇଁ ।


_ ଭାଇ ର ବେ ର ! ବାପାଙ୍କ ଫୋନ । ଏଇଲେ କହିବେ, " ଆରେ ବିନୁ! ସେ ଟିଭିଟା କାଇଁ ଚାଲୁନିରେ । " ହେ ହେ ହେ ।


ଏଠିକା ଜୀବନ ଅଦ୍ଭୁତ ।ସପ୍ତାହେ ପାଞ୍ଚ ଦିନଯାକ ଗଧ ,ଦି ଦିନ ଅଚିହ୍ନା ପବନ । 


ନାଁକୁ ଆଠ ଘଣ୍ଟା ,ହେଲେ ଘଣ୍ଟା କଣ୍ଟା ବୁଲୁଥିବା ଯାଏ କାମ । ମୁଣ୍ଡଖଟଣି ଚାଷ ।ହଳଲଙ୍ଗଳ ନା କଲମ.....କିଛି ଲୋଡା ନୁହେଁ ।ସବୁ ସେଇ କମ୍ପ୍ୟୁଟର କି ଲ୍ଯାପଟପ କି ଫୋନ ।ଖୁଣ୍ଟୁଟା ପରି ଠା' ଠି ବସି ବସି ଶେଷକୁ ଆଣିଥିବା ମାସୁଆରି ବୁହା ବସ୍ତାକର ଟଙ୍କାଥଳିକୁ ଅଣ୍ଟା, ଆଣ୍ଠୁ, ମନସ୍ତତ୍ବ ଡାକ୍ତର ପାଖରେ ଓଜାଡି ଆସିବା କଥା ।ଏଇ କଣ ଗୋଟେ ଜୀବନ !


_ ହାଲୋ ! ହଁ ବାପା କୁହ ।

_ଆରେ ! ବିନୁ ସେ ଟିଭିଟା କାଇଁ ଚାଲୁନିରେ ରେ? ଦେଖିବୁ ତ ।

_ହଁ ହଉ ବାପା ।

_ଆଉ ? ଆଉ ସବୁ କଣ କେମିତି ଅଛ ? ପିଲେ ? କାମରୁ ଫେରିଲୁଣି? ତୋ ବୋଉ ପଚାରୁଥିଲା କଣ ଖାଇଥିଲୁ ଆସିକିଟି?

_ ହଁ ହଁ ହଁ ସବୁ ଠିକ୍ ।ସବୁ ଚାଲିଛି ।ହଉ ମୁଁ ଘରକୁ ଯାଇକି କଥା ହଉଛି ।ଟିକେ ବାହାରେ ଅଛି ।

_ ହ ହ ହଉ ରଖେ ରଖେ ।ଯା ।ଭଲରେ ଥା ......


ଫୋନ କଟିସାରିଥିବ ।


ଶନିବାର, ରବିବାର ଦି ଦିନରେ ସପ୍ତାହ ଯାକର ବାକିଆ କାମ, ପିଲାଙ୍କ ପାଠ୍ଯୋତ୍ତର ଅତିରିକ୍ତ ଚିତ୍ର, ନାଚ,ପହଁରା, ଗୀତ, ଅନ୍ଯାନ୍ୟ କଥା, ପୁଣି ଏ ପାର୍ଟି ସେ ପାର୍ଟି , ଆଉଟିଂ । ଆହୁରି କଣ କଣ ସବୁ ଏସା,ମେସା, ତେସା । ତା' ଭିତରେ ଦେଖା ହୁଅନ୍ତି ଏଇଠି ଗଢିଉଠିଥିବା ସାଙ୍ଗ କେତେଜଣ ।ହଁ ମ ଏଇଠି ଏଇମାନେ ହି ତ ପରିବାର ।ୟାଙ୍କୁ ନେଇ ଚଳାବସା ।


_ କିରେ ! କଣ ଟିଭି ହଉଛି କି ? ତୁ କଣ ମଉସାଙ୍କ ଫୋନ ଆସୁ ଆସୁ ଏମିତି କହିଲୁ?


_ ଆରେ ନାଇଁ ମ ! ସେ ମାସିକିଆ ରିଚାର୍ଜ ।ନ କଲେ ଟିଭି ଚାଲିବନି ।ରିଟାର୍ଡ ପରେ ବାପା ଆଉ ଟିଭି , ସଙ୍ଗାତ ବସିଯାଇଛନ୍ତି ।ଅଧଘଣ୍ଟା ନ ଚାଲିଲେ ବି ବ୍ଯସ୍ତ ହେବେ । ଅସମ୍ଭାଳ କରିବେ ।


ସମ୍ମିଳିତ ଅଟ୍ଟହାସ୍ୟର ମିଶା ଥଟ୍ଟାଳିଆ ରୋଳଟେ ସଂଧ୍ୟା ପବନରେ ଗୋଳେଇ ହେଉଥାଏ ।ଆଉ ଜଣେ ଉପଦେଶ ବାଢିଲେ ....


_ ଏମିତି କରୁନ, ଛ ମାସିଆ କି ବର୍ଷିକିଆ ରିଚାର୍ଜ ପ୍ଲାନ୍ ଗୋଟେ ପକେଇଦଉନ ତମ ଘର ଟିଭିରେ ।କାମ ଛିଡନ୍ତା !


ପବନ ବହିବା ଥମକି ଗଲା ।


ପୁଅଟି ଅଳ୍ପ ସମୟ ପରେ କହିଲା ....


_ ନାଇଁ ଭାଇ, ମାସିକିଆ ଥାଉ ।ସେଇ ବାହାନାରେ ଅନ୍ତତଃ ମାସକୁ ଥରେ ପଛେ ହଉ ବାପାଙ୍କ ସାଙ୍ଗେରେ କଥା ଦିପଦ ତ ହେଇଯାଉଛି ।


ପୁଅଟିର ପୁଅ ଫେରୁଥିଲା ତାର ଗୀଟାର୍ ଶିଖା ସାରି । ବାପପୁଅ ବାହାରିଲେ " ଆସିଲି ଭାଇ,ପରେ ଦେଖା " କହି ହାତ ହଲେଇ ।ଗାଡି ବୁଲିଲା ମୋଡାଣି ।


ବାଟରେ ପୁଅର ପୁଅ ପଛପଟୁ ତାର କୁନି କୋମଳ ହାତକୁ ପଦ୍ମନାଡ ପରି ତା'ବାପା ପେଟ ଚାରିପଟେ ଗୁଡେଇଦେଇ କହିଲା, " ପାପା ଜାଣିଛ! ମୁଁ ନା କେତେବେଳେ କ୍ଲାସ ସରିବ ଆଉ ତମ ପାଖକୁ ଆସିବି ଭାବୁଥାଏ ,ଯେମିତି ଜେଜେ କୁହନ୍ତି ସିଏ ଚାହିଁ ବସିଥାନ୍ତି କେବେ ଖରାଛୁଟି ହବ ଆଉ ଆମେ ଗାଁ କୁ ଯିବା ।ଆମେ କେବେ ଯିବା ପାପା । ଲଭ୍ଯୁ ପାପା ।" 


ତା'କୋମଳ ଓଠ ସୁଖେଶ୍ ର ପିଠିକୁ ଛୁଇଁଲା ବେଳେ ତାର ମନେପଡୁଥିଲା ସିଏ ବସିଥାଏ ଏମିତି ଲୁହା ସାଇକେଲ କ୍ଯାରିଅର୍ ରେ ତା ପିଲାଦିନେ,ବାପାଙ୍କ ପିଠିକୁ ଜଡେଇ । ବାପାଙ୍କ ଝାଳୁଆପିଠିର ବାସ୍ନାଟା ନାକ ଅଗରେ ବାଜିଲେ, ଗୋଟେ ବିଶ୍ବାସ, ଭରସା, ଶାନ୍ତି ଓହ୍ଲାଇ ଆସେ ଆପେ ।ବାପାମାନେ ହି ଠାକୁର ।ତଥାସ୍ତୁ ଈଶ୍ବର ।ଚକ ଗଡୁଥାଏ କେତେ ଯେ ବାଟ .....


ବାପା ହେଇଯାଉଥାଏ ସିଏ ........... ଧିରେ ଧିରେ .... ରାସ୍ତା ଅତିକ୍ରାନ୍ତ ପଥେ ।

ପ୍ରତିକ୍ଷାର ଅନ୍ତ ନେଇ ସିଏ କହୁଥାଏ ପୁକୁନ୍ କୁ


" ହଁ ଯିବା ।ଏଥର ଦୋଳ ବେଳଠୁ ଯିବାଭରି ।ଆଉ ଧାନକଟା ବେଳକୁ ବି ଯିବା ।ବହୁତ ଖେଳିବୁ ତୁ ଜେଜଙ୍କ ସହ ।


Rate this content
Log in

Similar oriya story from Action