STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ପ୍ରତିବିମ୍ବିତ

ପ୍ରତିବିମ୍ବିତ

5 mins
207


ମୁଁ ତଳେ ପହଞ୍ଚିଲା ବେଳକୁ ଦେଖିଲି ସିଏ ଦୌଡୁଥିଲା ।ତା ମୁହଁ ଗୋଲାପି ପଡି ସାରିଥିଲା ।କାନ ଦି ପଟୁ ଧାର ଧାର ଝାଳ ବହି ଚାଲିଥିଲେ ଆଉ ସାଟ୍ ଟା ପିଠିରେ ପୁରା ଲାଖି ସାରିଥିଲା ।ତଥାପି ସିଏ ଦୌଡୁଥିଲା ଯମା ଅନ୍ଯମନସ୍କ ନହେଇ ।ନା ଏମିତି କହିହେବ ଯେ କିଛି ଗୋଟେ ଦୃଢ ମନସ୍କତା ନେଇ ।


ଲମ୍ବା ଲମ୍ବା ଖମ୍ବ ମଝିର ପୋର୍ଟିକୋ ସବୁରେ ଯେଝା ଗାଡି ସବୁ ରଖାହେଇଥିଲେ ମାଲିକ ମାନଙ୍କ ଅପେକ୍ଷା ରେ ।ଖମ୍ବ ମାନେ ଛିଡା ହେଇଥିଲେ ମହଲେ ମହଲେ ପାରାଭାଡି ପରି ଏକା ଢଙ୍ଗର ଘର ମାନଙ୍କୁ ମୁଣ୍ଡେଇ ।" ସୁଜଲ୍ ଆପାର୍ଟମେଣ୍ଟ " ଏଇଟା ହିଁ ନାଆଁ ଥିଲା ଯୋଉଟା କି ବଡ ବଡ ଅକ୍ଷରରେ ମୁଖ୍ଯ ଦରଜା ତୋରଣ ସହ କୃତ୍ରିମ ଜଳାଶୟର ତଳ ମେଜରେ ବି ଅଙ୍କିତ ହେଇ ନିଜସ୍ବତା ପ୍ରତିପାଦିତ କରୁଥିଲା ।


ଆହୁରି କେତେ ପିଲା ସାଇକେଲ ଚଲଉଥିଲେ, କେତେକ ଖେଳୁଥିଲେ ପାର୍କ କୁହାଯାଉଥିଲା ଛୋଟିଆ ଅଞ୍ଚଳରେ ।ସଂଧ୍ୟାରେ ପଦଚାରଣ ବିଧିରେ ମଧ୍ୟ ଅନେକ ହଳ ଓ କିଛି ଏକୁଟିଆ ପାଦ ଚାଲୁଥିଲେ ପାଚିରୀ କଡେ କଡେ ।


ସିଏ କିନ୍ତୁ ଦୌଡୁଥିଲା " ପାଦ ମାଟି ନ ଛୁଉଁ" ର ପ୍ରଣ ନେଇ ।


ମୋ ଉପସ୍ଥିତିରେ ସିଏ ସାଧାରଣତଃ ଦୌଡିଆସେ ମୋ ଆଡକୁ ଟିକି କଅଁଳ ହରିଣ ଶାବକ ପରି ପ୍ରତିଦିନ ।କିନ୍ତୁ ଆଜି ସେ ଚାହୁଁ ବି ନଥିଲା ।ତା ମୁହଁ ବେଶ୍ କଠିନ ଆଉ ଥମଥମ ଦିଶୁଥିଲା ଯେମିତି ଏଇ ଏଇ ଅପମାନ ର ଝଡଟେ ବହିଯାଇଛି ତା ଉପର ଦେଇ ଆଉ ସିଏ ସେ ଲାଭା ତକକୁ ଦବେଇ ଦବା ଚେଷ୍ଟା ରେ ।


ଅନ୍ୟ ଦିନ ତାର ମୋର ଚାଲୁ ପାଦରେ ପାଦ ତାଳ ପରି ମିଶେଇ ।ସିଏ ମଜାରେ କହେ , " ଏଇ ଆମ ମୁଣ୍ଡ ଉପର ସବୁ ଘର ମାନଙ୍କରେ ଥିବା ଠାକୁର ମାନଙ୍କୁ ଆମେ ପ୍ରତିଦିନ ପ୍ରଦକ୍ଷିଣ କରୁଛୁ ଦଶ ଘେରାରେ ନା ଯେମିତି ମନ୍ଦିର ରେ ବିଶ୍ବାସ ସହ ବୁଲୁ ।" କହେ ଆଉ ହସେ ।ପୁଣି କେବେ କହେ ," ଏଇ ସେଇଠି ଯୋଉ କୁନି ପିଲାଟି ଖେଳୁନି ତା ମାଆ ସହ ,ଓଃ ସେଇଠି ଲାଲହଳଦୀ ବେଲୁନରେ .... ହଁ ( ସେଇପଟକୁ ଆଙ୍ଗୁଳି ଦେଖେଇ କହିଲା ବେଳେ ସିଏ ମୁଁ ରୋକେ, " ହେ କାହାକୁ ଏମିତି ଆଙ୍ଗୁଳି ଠାରି କୁହନ୍ତି କଣ ! ସିଏ କଣ ଭାବିବେ ।ଖାଲି କହୁନୁ ମୁଁ କଣ ବୁଝିପାରିବିନି ।" ସିଏ ଜୋର୍ ହସେ ଆଉ କହେ ," ମୁଁ ତ ଭଲ କଥା କହୁଛି ।ଖରାପ କାଇଁ ଭାବିବେ ? ।ନିର୍ବୋଧ ଟା ।" ) ସେଇ ..... ତାକୁ ମୁଁ ଆଗରୁ ଚିହ୍ନେ ।ବହୁତ ଆଗରୁ ।ବୋଧେ ଆର ଜନ୍ମ ରୁ ।" ତାର ଏଇ କଥା ରେ ମତେ ଖୁବ୍ ହସ ଲାଗେ ।


ଆର ଜନ୍ମ ? ଏଇ ଜନ୍ମ ର ଦି ବର୍ଷ ତଳ କଥା ,କି ପିଲାଦିନ କଥା ,କି ଏଇ କାଲିର କି ଘଣ୍ଟେ ତଳର କଥା ବି କୋଉ ମନେ ରହେ ଯେ ।ୟାର ଆର ଜନ୍ମ ।ହା ହା ।


ତାର ମୋର ବୟସ ରେ ଢେର୍ ତଫାତ୍ ସତ୍ବେ ଖୁବ୍ ଭଲ ସାଙ୍ଗ ଆମେ ।ବୁଝାମଣା, ବିଚାର, ହି ତ ନିକଟତର କରାଏ ।ଆମ ଭିତରେ ଗୋଟେ ପାରଦର୍ଶିତା ଥାଏ ଯେ ଆମେ ବିନା ଶବ୍ଦ, ବାକ୍ଯବ୍ଯୟରେ ଖୁବ୍ ଭିତରୁ ପରସ୍ପରକୁ ବୁଝିପାରୁ ।ଆଉ କଣ ଲୋଡା ।ସେଇ ତ ମନୋବଳ, ଦମ୍ଭ ।ସେ ଭାରି ସରଳ ,ନିଷ୍ପାପ, କୋମଳ ,ଚଞ୍ଚଳ,ପବିତ୍ର ।ଠିକ୍ ଈଶ୍ବର ଙ୍କ ପରି । ଦେଖିଛ ଟି ଈଶ୍ଵର ଙ୍କୁ ?


ଆଉ ମୁଁ ଝଡରେ ଠିଆହେଇଥିବା ଗଛ ,ଯିଏ ଚେଷ୍ଟା ରେ ଥାଏ ଅବିରତ କି ତାର ଚେର ମାନେ ସମର୍ଥ ହୁଅନ୍ତୁ ଧରିରଖିବାକୁ ମୁଠାଏ ମାଟି , ଯେତେବେଳେ କି ଖସିଯାଉଥିରେ ଶିରାଳ ଶିରା ଫିଟି ପଡି ଖସିଝରି ଯାଉଥିବା ମାଳା କୁସୁମ ପରି ଗଣ୍ଠି ଟିଏର ଅନୁପସ୍ଥିତିରେ ।


ମୋଟା ମୋଟି ଆମେ ଦିହେଁ ଦିହିଁଙ୍କର ପ୍ରିୟ ଥିଲୁ ।ସିଏ ତାର ସବୁ କଥା ମତେ କହିପାରୁଥିଲା ।ଏଇ ଯେମିତି ଆଗରୁ ଆସୁଥିବା ସେ ଚାରିଜଣ ଆଧୁନିକ ଷ୍ଟାଇଲିସ୍ ବୁଟ୍ ଜ୍ଯାକେଟ ପିନ୍ଧା ମେଞ୍ଚଡ ମାନେ କେମିତି ତା ଚାରିପଟେ ଫିଲ୍ମି ଢଙ୍ଗରେ ରେସିଙ୍ଗ ସାଇକେଲ ହ୍ଯାଣ୍ଡେଲ୍ ଟା ଚାରିପଟେ ଘୁରେଇ ଘୁରେଇ ତାକୁ ଚଲଚିତ୍ର ଖଳନାୟକ ପରି ରାଂଗି କରିବା ଚାହାଣୀ ଫିଙ୍ଗିଲେ ଆଉ ଶେଷକୁ କୃତ୍ରିମ କଦାକାର ହସରୁ ମୁଠେ ମୁଠେ ଛିନ୍ଚାଡି ତାକୁ " କଚରା " ବୋଲି କହିଲେ । ସିଏ ବୁଝିପାରିନଥିଲା କାହିଁକି । ସେଦିନ ମତେ ଢେର୍ ବେଳ ଲାଗିଥିଲା ତାକୁ ବୁଝେଇବାକୁ ।


ଆଜି କିନ୍ତୁ କଥା ଭିନ୍ନ ଥିଲା ।ମୁଁ ଗୋଟେ କୋଣରେ ଠିଆ ହେଲି ଆଉ ତା ନଜରରେ ଆସିବାର ଚେଷ୍ଟା କଲି ।ଯଦିଓ ସିଏ ଜାଣିଶୁଣି ଆଡେଇ ଗଲା ପରି ଲାଗୁନଥିଲା ।ଲାଗୁଥିଲା ଯଦି ମୁଁ ତାକୁ ଏବେ ରୋକିବି ସିଏ ବୋଧେ ଭାଙ୍ଗିକି ଚୁନା ହେଇ ଗଦାଟେ ମାଟି କି ଖପରା ସ୍ତୁପ ପରି ମୋ ଆଗରେ ଭୁଷୁଡି ପଡିବ ।ମତେ ଡର ଲାଗିବା ଆରମ୍ଭ ହେଲା ।ତଥାପି ମୁଁ ତାକୁ ରୋକିବା ଇଛ୍ଛା ରେ ଦୁଇ ତିନି ଥର ଡାକିଲି ।ଜୋର୍ ଲଗେଇ ଡାକିଲି ।


ତା ମୁହଁ ର ରଙ୍ଗ ଗାଢ ରଙ୍ଗା ଦିଶୁଥିଲା ଏବଂ ବାଇଗିଣୀ ଆଗକୁ ଗତି କରୁଥିଲା ।ମୁଁ ଭାବିଲି ସିଏ ଚେତା ବୁଡିଯିବ ବୋଧେ ।ବହିଯିବ ।ମୁଁ ଆଉ ତାକୁ ଧରିପାରିବିନି କେବେ ।କେବେ ବି ନୁହେଁ ।ଏବେ ତାକୁ ଏମିତି ହରେଦବାର ଭୟଟା ମୋ ଭିତରେ ତାକୁ ରୋକିବାର ଇଛ୍ଛା କୁ ଦୃଢ କରିଦେଲା ।ମୁଁ ପର୍ବତ ପାଲଟିଗଲି ଆଉ ଭାବିଲି, " ଖାଉ ,ଯଦି ଧକ୍କା ଖାଇବାର ଅଛି, ତେବେ ମୋ ଦେହରେ କାହିଁକି ନୁହେଁ ।ମୁଁ ସମ୍ଭାଳି ନେବି ତା ମନର ଝଡକୁ, ମୁଁ କୋଳେଇନେବି ସବୁ ଉତ୍ତପ୍ତ ବହମାନ ଲାର୍ଭାକୁ ।ହଉ ହେଇ ହେଇ ମୋ ଛାତି ସାରା ଘା ହବ ତ ।ହଉ ।ସିଏ ନ ଭାଙ୍ଗିଯାଉ ।ବାସ୍ ।ମତେ ଜଣା ନଥିଲା ତାର କଣ ହେଇଥିଲା, ଏକଥା ବି ଜାଣିନଥିଲି ସମାଧାନ ଟେ ଖୋଜିଦେଇ ତାକୁ ଅସ୍ବସ୍ତ କରିପାରିବି କି ନା ।କିନ୍ତୁ ଜଣାଥିଲା ଯେ ଜଖମ ଟା ଯା ହଉ ନା କାଇଁ ଆଗେ ତାକୁ ରୋକିବାକୁ ହବ ହି ।ଜରାୟୁର ଶୀତଳତା ଓ ଗଭୀର ଉଷ୍ମତା ଦେଇ ମୁଁ ତାକୁ ରୋକିଲି ।


ମୁଁ ପାଦେ ଆଗକୁ ଗଲି ।ସିଏ ସେମିତି ଦୌଡୁଥିଲା ।ବିଚଳିତ ସମୁଦ୍ରିକ ଘୂର୍ଣ୍ଣିଝଡ ଟେ ଚକ୍ର ଚକ୍ର ବୁଲୁଥିଲା ଯେମିତି ।ମୁଁ ହିମାଳୟ ପରି ମୋର ସବୁ ଶକ୍ତି ଏକାଠି କରି ତାକୁ ଧରିନେଲି ।ସିଏ ବହେ ବାଡେଇ କଚାଡି ହେଲା ।ଆକ୍ରମକ ହେଲା ।ବହେ କସରତ କଲା ମୁକୁଳି ଯିବାକୁ ମୋ କବଜାରୁ ।ମୁଁ ସେମିତି ଠିଆ ହେଲି ମତେ କାଟୁଥିବା ସତ୍ବେ ।ହଜାରେ ଛଟପଟ ହେଲା ପରେ ମାଛ ଫାଁ କାଢି ଦମ୍ ମାରି ପଡିଗଲା ପରି ତା ମନ ବି ତୋଡ୍ ଛାଡି ଜବାବ ଦେଲା ।ସିଏ ଏବେ ମୋ କାନ୍ଧରେ । ଗୁମ ମାରିଥିବା ଓଜନଦାର ଭାରିଭାରିଆ ଆକାଶ ଟା ରେ ପୋଖତି ବାଦଲଟେ ଫାଟିଗଲେ ସିଏ ଯେମିତି ବହେଇ ନିଏ ଧରିତ୍ରୀ ର ଓଢଣୀ ସିଏ ସେମିତି କାନ୍ଦୁଥିଲା ।ସତେ ଆଜି ପରେ ଆଉ ଜମା କାନ୍ଦିବନି ।


ମୁଁ କିଛି ବୋଲି କିଛି ପଚାରିଲିନି ।ଶବ୍ଦ ଟେ ବି ।ବାସ୍ ଥାପୁଡଉଥିଲି ।ମୋ କାନ୍ଧ ର ଅଧାରୁ ବେଶୀ ଭାଗ ଲୁହନାଳ ରେ ଭିଜୁଥିଲେ ।ସେ ଏବେ ଉଠିଲା ।ମୁଣ୍ଡ ଟେକିଲା ।ଆଉ ସିଧା ମୋ ଆଖି କୁ ଚାହିଁଲା ।ତା ଆଖି ରୁ ସବୁ ନିଆଁ ବୋହିସାରିଥିଲେ ।କାଚ ପରି ସ୍ବଚ୍ଛ ଦିଶୁଥିଲା ତା ଆଖି । ଶାନ୍ତ ପଡିଯାଇଥିଲା ଗୁମ୍ଫା ର ଭିତର ଅନ୍ଧାରରେ ଲହଡି ଭାଙ୍ଗୁଥିବା ଶବ୍ଦ ତରଙ୍ଗ ଯୋଉମାନେ ତାକୁ ହଲେଇଦେଇଥିଲେ କୋଉ ଅତଳ ସ୍ତରରୁ ।ଏବେ ସିଏ ମୋ କାନ୍ଧରୁ ଓହ୍ଲାଇଲା ଓ ମୁଁ ଖାଲି ଏତିକି କହିଲି, " ଚାଲିବା ?" ସିଏ ମୁଣ୍ଡ ହଲେଇ ନାହିଁ କଲା ଶିଶୁ ହାତୀଟେ ପରି ।ମତେ ଅଭିନବ ସୁନ୍ଦର ଲାଗିଲା ।ମୁଁ ବାଧ୍ୟ କଲିନି ।ସେଇଠି ତା ପାଖରେ ବସି ରହିଲି । ବହୁତ ସମୟ ଆମେ ଦିହେଁ ସେମିତି ଚୁପ୍ ଚାପ୍ ବସିରହିଲୁ ।ସିଏ କୋଉଠୁ ଆରମ୍ଭ କରିବ ଆଉ ମୁଁ କୋଉଠୁ ପଚାରିବି ଭିତରେ ଗୁଡେଇ ହେଉଥିଲୁ ବୋଧେ ।ସେ ହଠାତ୍ କି କହିଲା ," ମୁଁ କେବେ ବି ସେମାନଙ୍କ ପରି ହେବିନି । " 


ଦୂରରେ ସେଇ ଫାଟୁଆ ଫାଜିଲ୍ ଦଳ ଅଜଥା ଅତ୍ଯଧିକ ସ୍ମାର୍ଟ ଦେଖେଇହେଇ ଅତ୍ଯାଚାର କରିବା ଭଙ୍ଗୀରେ ଠାଣୀ କାଢୁଥିଲେ ।ମୁଁ ତାଙ୍କ ଆଡେ ଚାହିଁ ଏକ କଟୁଚାହାଣୀର ବାଣ ଛାଡିଲି ।ବାଧ୍ୟ ହେଇ ସେମାନେ ସେଠୁ ବିଦାୟ ନେଲେ ।ମୋର ବୁଝିବା ବାକି ନଥିଲା ସବୁ କଥା ।ତେବେ ତା ଭିତରେ ଆହୁରି କିଛି ଥିବାର ମୁଁ ଅନୁଭବୁଥିଲି ।ଆଉ ଥରେ ତାକୁ ସିଧା ଚାହିଁଲି ।


ଏଥର ସିଏ ଆତ୍ମବିଶ୍ବାସୀ ଦିଶୁଥିଲା ।ଆଉ କହିଲା, " କହିଲୁ ତୁ ଫୁଲ, ପ୍ରଜାପତି, ରଙ୍ଗ, ଆକାଶ, ବର୍ଷା ଆଉ ସବୁ ଏମିତି କଥା ଭଲ ପାଉ ?" ମୁଁ କହିଲି, " ହଁ , କିଏ ବା ନ ଭଲ ପାଏ ଯେ ଏ ସବୁ ।ଯାହାର ହୃଦୟ ଟେ ଅଛି ସିଏ ଏ ସବୁ ଥରଟେ ପାଇଁ ହେଲେ ବି ଭଲ ପାଇଛି ।" 


ଏବେ ସିଏ ଶାନ୍ତ ଦିଶିଲା ।ଆଉ କହିଲା, " ହଁ ନା ! ଦେଖ ସେମାନେ ମତେ କେମିତି କହିଲେ ମୁଁ ସେଇ ସୁନ୍ଦର ହଳଦୀମଖା ପ୍ରଜାପତି ଟି ଗୋଲାପି ଫୁଲଟି ଉପରୁ ମୋ ଆଡକୁ ଉଡିଆସିଲା ବେଳେ ଖୁସି ହେଲି ବୋଲି ! "

 

ଏବେ ବି କିଛି ଅଭିଯୋଗ ବଳିଥିଲା ଭିତରେ କଣ୍ଟାଶବ୍ଦ ମାନଙ୍କୁ ନେଇ ।

ମୁଁ ହସିଲି ।ଆଉ କହିଲି, " ଛାଡ ନା ,ସମସ୍ତେ କଣ ଈଶ୍ବର ଙ୍କୁ ଚିହ୍ନି ପାରନ୍ତି ? " 



Rate this content
Log in

Similar oriya story from Action