ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ଔଷଧ ଖାଇବାକୁ ବହୁ କଷ୍ଟରେ ମେଡ଼ିସିନ ଡବା ଖୋଲି ବଟିକାଟିଏ ହାତକୁ ନେଇ ପାଣି ମୁନ୍ଦେ ପାଇଁ ନଇଁପଡିଲା ବେଳକୁ କଥା ସରିଥିଲା ଜାଣ. ହେଲେ ଧରି ନେଇଥିଲା ଫୁଲ. ପାଣିଗ୍ଲାସ ହାତକୁ ଦେଇ କହିଥିଲା, ଏବେ କଣ ହେଇଥାନ୍ତା କହିଲ ବାବୁ . ମତେ ଡାକିନଥାନ୍ତ?? ମୁଁ ପରା ଏଇ ପାଖ ଘରେ ଅଛି ପୁଣି ଡାକିବାକୁ ସୁବିଧା ହେବ ବୋଲି ଘଣ୍ଟି ବାନ୍ଧି ରଖିଛି ହାତ ପାଖରେତୁମର . ଏବେ ମୁଁ ଆସିନଥିଲେ କଣ ହୋଇଥାନ୍ତା କୁହତ ବାବୁ? କଣ ଆଉ ହୋଇଥାନ୍ତା ଫୁଲ? ଏବେ ଯେଉଁ ସବୁ ରୋଗ ପାଇଁ ଚାଲି ପାରୁନି, ସେଇ ରୋଗଠୁ କଣ କିଛି ଆଉ ଅଧିକା ହୋଇଥାନ୍ତା?? ଫୁଲ କହୁଥିଲା, ତୁମକୁ କେତେ ଆଉ କହିବି ବାବୁ, ମର୍ଣ୍ଣିଙ୍ଗ ୱାକ କଲେ ଟିକେ ଆଣ୍ଠୁ ଗଣ୍ଠି ଫିଟନ୍ତା, ତୁମେ କଣ ମୋ କଥା ଶୁଣୁଛ ବାବୁ? ମୁଁ ମୁରୁଖ ଲୋକ ହେଲେ,ଏତିକି ତ ଜାଣିଛି ଠାଏ ବସିଗଲେ, ଗୋଡ଼ ହାତ ଫିଟିବା ସହଜ ନୁହେଁ. ହଉ ହଉ ତୁ ଯା ଏଥର ଶୋଇବୁ . କାଲି ସକାଳୁ ପେପର ଆଣି ରଖିବୁମୋ ଟେବୁଲ ଉପରେ ଓ ତା ସହ ମୋ ଚଷମା ରଖିଥିବୁ ସଜାଡି. କଣ ସେ କବିତାରୁ ମିଳୁଛି ତୁମକୁ ବାବୁ??କବିତା ନପଢି ଟିକେ ଏଇ ପାଖାପାଖି ବୁଲାବୁଲି କଲେ ହୁଅନ୍ତାନି!ହଉ ମୋ ମାଆ. ମୋ ଉପରେ ଆଉ ଏତେ ଶାସନ ନକରି ଶୋଇବୁ ଯା.ଫୁଲ ଉଠି ଯାବତୀୟ କାମ ପାଇଟି ସାରି, ଫୁଲ ତୋଳି ଠାକୁର ପୂଜା ସାରି ବିନା ଚିନି ଓ ବିନା କ୍ଷୀରରେ ଚା ନେଇ ଆସୁ ଆସୁ ମାଆଙ୍କ କଥା ମନେପକାଉଥିଲା. ମାଆଙ୍କର ବାବୁଙ୍କ ପ୍ରତି ଏତେ ଭଲପାଇବା ସେ କୋଉଠି ଦେଖିନି. ଏତେ ବେଳକୁ ଠାକୁର ପୂଜା ସାରି ସିନ୍ଦୁର ପିନ୍ଧି ସାରି ଗୋଡ଼ ଘଷୁଥିବେ ବାବୁଙ୍କର. ବାବୁ ନକହିଲା ଯାଏଁ ଉଠିବେନି. ପୁଣି ଉଠିଲେ, ଆଗ ବାବୁଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବେ. ଗିଜରରୁ ଗରମ ପାଣି ବାଲଟି ଭରି ବାବୁଙ୍କୁ ଦାନ୍ତ ଘସିବାକୁ ଡାକିବେ. ଫୁଲ ଦିନେ କହିଥିଲା ମାଆ ବାବୁଙ୍କୁ ଏତେ ଗେଲବସର କରି ରଖିଛ କାନିରେ ଯେ ତୁମେ ଆଗ ଗଲେ କେମିତି ଚଳିବେ ବାବୁ?କହିଦେଇ ଜିଭ କାମୁଡି ପକାଇଲା ବେଳକୁ, ମାଆ କିନ୍ତୁ କହୁଥିଲେ,କାହିଁ ତୁ କୁଆଡେ ଯାଇଥିବୁ କି?? ସତକୁ ସତ ସେ ଅଲେକ୍ଷଣା କଥାଟା ସତ ହୋଇଗଲା, ମାଆ ଚାଲିଗଲେ, ଅହିସୁଲକ୍ଷଣା ହୋଇ ଆଉ ତା ସ୍ୱାମୀ ମଧ୍ୟ ଚାଲିଗଲା,ସବୁଦିନ ପାଇଁ . ପୁଅ ଝିଅ ନଥିଲେ ଫୁଲର ତ ବାବୁଙ୍କ ପାଇଁ ବନ୍ଧା ପଡି ସେଵା କରିଆସୁଛି ଏଯାଏଁ. ଭାବୁ ଭାବୁ ଚା ନେଇ ଗଲା ଫୁଲ.,ପଚାରିଲା ଆଣ୍ଠୁ ତେଲ ମାଲିସ କରିଦେବି କି ବାବୁ?? ନା ଥାଉ ମୁଁ ନିଜେ ଘଷି ନେବି, ତୁ କାହିଁକି ଏତେ କଷ୍ଟ କରିବୁ? ଆଣିଲୁ ଆଣିଲୁ ଆଜିର ସମାଜଟା. କଣ ସେ ସମାଜରୁ ମିଳୁଛି କେଜାଣି ଏ ବାବୁଙ୍କୁ. ଆଗ ଦେହ ତା ପରେ ସିନା ସବୁ. ପୁଅ ବୋହୁତ ଆମେରିକାରେ ସ୍ଥାୟୀ ଅଧିବାସୀ ହୋଇ ରହିଲେ. କେବଳ ମାସକୁ ଥରେ ପେନସନ ଆଣିବା ପାଇଁ ଯାଆନ୍ତି ବାବୁ ବ୍ୟାଙ୍କକୁ ନହେଲେ କୁଆଡେ ଟିକେ ବାହାରୁନାହାଁନ୍ତି. ହଉ ତାଙ୍କ ଇଛା କହି ଜଳଖିଆ ଓ ରୋଷେଇ ବାସ କରିବାକୁ ରୋଷେଇ ଘର ଆଡ଼େ ଚାଲିଲା ଫୁଲ. ଲୁଗାପଟା ଦିଟା ମଧ୍ୟ ପଡିଛି ୱାସିଂ ମେସିନରେ. ପଢୁଥାଆନ୍ତୁ ଖବର କାଗଜ ବାବୁ ବସି ବସି. କେତେ କହିବି ଟିକେ ଚାଲବୁଲ କରିବାକୁ??
ପ୍ରତି ରବିବାର ସାହିତ୍ୟ ଫର୍ଦରୁ କବିତା ଗୁଡିକ ଭିତରୁ, ଅମରେଶ ଯାହାଙ୍କ କବିତା ଖୋଜିହୁଅନ୍ତି, କେବେ ଥାଏ କେବେ ନଥାଏ କିନ୍ତୁ ଅମରେଶଙ୍କ ଖୋଜା ବନ୍ଦ ହୁଏନି. ବେଳେ ବେଳେ ପାଇଯାଆନ୍ତି, ପଢ଼ନ୍ତି, ଜୀବନ ଫେରିପାଆନ୍ତି. ଲେଖିକାଙ୍କ ନାମ ପଢୁଥାନ୍ତି ବାରମ୍ବାର କିନ୍ତୁ ଠିକଣା କି ଫୋନ ନମ୍ବର ନଥାଏ କୋଉଠି. କବିତାଟିକୁ ଥରେ ନୁହେଁ ବାରବାର ପଢ଼ନ୍ତି, ଆଉ ଛାତିରେ ଚାପି ଧରନ୍ତି ଅନେକ ସମୟ ଯାଏଁ. ଏହି କବିତାରୁ ତ କବିତା ପଟନାୟକଙ୍କ ସହ ତାଙ୍କର ଅନ୍ତରଙ୍ଗତା. ନୂଆ ନୂଆ ଅଧ୍ୟାପକ ହୋଇ ଯେଉଁ କଲେଜରେ ସେ ଯୋଗ ଦେଇଥିଲେ, ସେହି କଲେଜରେ ଦୁଇ ବର୍ଷ ପରେ ଯୋଗ ଦେଇଥିଲେ କବିତା ପଟ୍ଟନାୟକ. ଧନୀ ଘରର ଏକମାତ୍ର ଅଲିଅଳି, ରୁପସୀ, ତନ୍ଵୀ, ଶିକ୍ଷିତା, ଗୁଣବତୀ, ଚାକିରିଆ ଝିଅ କବିତାଙ୍କ ପ୍ରେମରେ ଅନେକ ପୁରୁଷ, ପତଙ୍ଗ ପରି ଝାସ ଦେବାକୁ ଚାଁହୁଥିଲେ ବି କବିତା ଚାଁହୁଥିଲେ ଅବିନାଶଙ୍କୁ. କେବଳ ଏଇ କବିତା ଶଂଶୋଧନ ନାମରେ ନିକଟତର ହେଉଥିଲେ କବିତା. ଅବିନାଶ ମଧ୍ୟ ଭିତରେ ଭିତରେ ଖୁବ ଭଲ ପାଉଥିଲେ ବି ମନରେ ଡର ଓ ଭୟ ଥିଲା. ଡର ଥିଲା କାଳେ କବିତା ପ୍ରତ୍ୟାଖ୍ୟାନ କରିବେ, ଭୟ ଥିଲା କବିତାଙ୍କ ସହ ଅନ୍ତତଃ ବନ୍ଧୁତ୍ୱ ନରହିଲେ ସେ ବଞ୍ଚିବେ କେମିତି??ଆଦ୍ୟ ଯୌବନର ପ୍ରଥମ ପ୍ରେମକୁ ଛାତି ତଳେ ଚାପି ରଖିପାରିନଥିଲେ ବେଶିଦିନ କାରଣ କବିତା ହିଁ କବିତା ମାଧ୍ୟମରେ ଜଣାଇଥିଲେ ତାଙ୍କ ମନର କଥା. ସେ ଭଲ ପାଆନ୍ତି ଅବିନାଶଙ୍କୁ. ମଳୁ ଖୋଜୁଥିଲା କାକର ପାଣି.. ବଇଦ କହିଲା ଦେ ତୋରାଣୀ ପରି ସମ୍ପର୍କ ଆଗେଇ ଚାଲିଲା . କଥାଟା ଫୁସୁରୁ ଫାସୁରୁ ହୋଇ ଛାତ୍ର ଛାତ୍ରୀ, ସହକର୍ମୀ ଓ କଲେଜ କାନ୍ଥବାଡ଼ରୁ କବିତା ବାପାଙ୍କ ଯାଏଁ ଗଲା ତ ଏକା ସଙ୍ଗେ କବିତାର ବାହାଘର ଓ ଅନ୍ୟତ୍ର ବଦଳୀ ହୋଇଯାଇଥିଲା. ତା ପରେ ଅନେକ ଦିନ ଲାଗିଥିଲେ ମଧ୍ୟ, ସୁନ୍ଦରୀ ଶିକ୍ଷିତା ତଥା ସମର୍ପିତା ଗୁଣବତୀ ସ୍ତ୍ରୀ ପାଇ ସେ ଭୁଲି ଯାଇଥିଲେ, ତାଙ୍କର ପ୍ରଥମ ପ୍ରେମ ସ୍ତ୍ରୀ ନୁହଁନ୍ତି ଅନ୍ୟ କେହି. ସ୍ତ୍ରୀଙ୍କର ଅଧାବାଟରେ ହାତ ଛାଡ଼ି ଚାଲିଯିବା ପରେ ପୁଣି ସେହି କବିତା ପଟ୍ଟନାୟକ ନାମରେ କବୟିତ୍ରୀଙ୍କ କବିତା ପଢି ପ୍ରଥମ ପ୍ରେମର ଖଣ୍ଡି ଉଡ଼ା ଦେଉଥିବା ଚଢେଇଟା ଉଡିଯାଇ ଠିକଣା ଖୋଜୁଥିଲା.ସେ ଯେଉଁ କବିତାକୁ ଖୋଜୁଥିଲେ, ସେ ଏ ଭିତରେ ଆଈ ଓ ଜେଜେମା ହୋଇ ନାତି ନାତୁଣୀ ଖେଳାଉଥିବ, ତ ଠିକଣା ଫୋନ ନମ୍ବର ଦେବାରେ ବାଧା କେଉଁଠି?? ଇଏ ନିଶ୍ଚୟ ଅନ୍ୟ କେହି ଭାବୁ ଭାବୁ ଆଜିଯାଏଁ କୋଉଠି ବି ଫୋନ ନମ୍ବର କି ଠିକଣା ଦିଆନଥିବା କବିତା ପଟ୍ଟନାୟକଙ୍କ କବିତା ହିଁ ତାଙ୍କ ଜୀବନର ରାହା,ଆହା ଓ ସାହା ହୋଇସାରିଥିଲା. ଆଜି ହଠାତ ଠିକଣା ଲେଖାଥିବା ଦେଖିବାକୁ ପାଇ ସେ ଅଧୀର ହୋଇପଡି, ଡାକ ଛାଡିଥିଲେ ଫୁଲ.. ଫୁଲ.. ଏ. ଫୁଲ.. ଲ. ଶୀତ ଛାଡ଼ି ଦଉଡି ଆସିଲା ଫୁଲ.
କଣ ହେଲା ବାବୁ କହି ଦଉଡି ଆସିଥିଲା ଫୁଲ. ବାବୁ କହିଲେ ଆରେ ଆମ ପଡୋଶୀ, ରଘୁନନ୍ଦନବାବୁଙ୍କ ଖାଲି ପଡ଼ିଥିବା ଘରେ କେହି ଭଡା ରହିଲେଣି କି? ହଁ ବାବୁ ଜଣେ ବୟସ୍କା ବିଧବା ସ୍ତ୍ରୀ ଲୋକ. ଆଛା ତାଙ୍କ ଗାଲରେ କଣ କଳାଯାଇ ଅଛି? ହଁ ବାବୁ. କହିଲୁ କହିଲୁ ତାଙ୍କର ଗୋଟେ ଆଖି ଟିକେ ଛୋଟ ନା? ହଁ ତ ହେଲେ ଏତେ କଥା ତୁମେ କେମିତି ଜାଣିଲ ବାବୁ. ସେସବୁ ପରେ ତୁ କହିଲୁ ଆଗ ରଘୁନନ୍ଦନ ବାବୁଙ୍କ ଫ୍ଲାଟ ନମ୍ବର ଆର ଏସ ଶହେ ଏକୋଇଶ ତ??ହଁ ବାବୁ.ଆଛା ମତେ ଟିକେ ନେଇ ଚାଲେ ତ ସେଠିକୁ. ତୁମ ଗୋଡ଼ ପରା ଭଲ ନାହିଁ ବାବୁ, କେମିତି ଯିବ, ଏତେବାଟ? ଲିଫ୍ଟ ମଧ୍ୟ ଖରାପ ଅଛି. ଆରେ ଏତେ ଉପକାର କରୁଛୁ ଟିକେ ରଘୁନନ୍ଦନବାବୁଙ୍କ ଫ୍ଲାଟ ଯାଏ କାନ୍ଧ ଦେଇପାରିବୁନି ମତେ. ହଁ ହଁ ବାବୁ କାହିଁକି ନୁହେଁ, ଚାଲନ୍ତୁ କହି ଫୁଲ ନେଇଯାଇଥିଲା ସତ ହେଲେ ଦୁଆରେ ଗୋଟେ ବଡ଼ ଚାବି ଝୁଲୁଥିବା ଦେଖି ଫେରିଆସିଥିଲା ବାବୁକୁ ନେଇ. କିନ୍ତୁ ତା ପରଠୁ ଅବିନାଶ ଆଣ୍ଠୁ ତେଲ ଲଗାଉଥିଲେ ରୀତିମତ. ଫୁଲ କାନ୍ଧକୁ ଆଶ୍ରା କରି ରଘୁନନ୍ଦନଙ୍କ ଗେଟ ଦେଇ ପାଖ ପାର୍କକୁ ଯିବା ଆସିବା କରୁଥିଲେ ରୀତିମତ ସବୁଦିନ .ଝୁଲୁଥିବା ତାଲା ଦେଖି ଅବିନାଶ ଭାବୁଥିଲେ କେବେ ଏ ତାଲା ଖୋଲି କବିତା ଫେରିବେ କେଜାଣି?,ଠିକ ସେହି ସମୟରେ ଫୁଲ ଭାବୁଥିଲା ଏ ତାଲାଟା ଏମିତି ଝୁଲି ରହନ୍ତା କି ବାବୁ କି ଖରା, ବର୍ଷା, ଶୀତ ପାର୍କ ଯାଇ ଆସି, ବାବୁ ଭଲ ହୋଇଯିବା ଦେଖି,ଉପରେ ମାଆ ତା ଉପରେ ଖୁସି ହୋଇଯାଉଥାଆନ୍ତେ, ସେ ବି ମାଆ ବାବୁଙ୍କର କିଞ୍ଚିତ ଋଣ ଶୁଝି ଋଣମୁକ୍ତ ହେବାକୁ ଚାହେଁ ନା !
