Lalita Mohan Mishra

Drama Romance

0.2  

Lalita Mohan Mishra

Drama Romance

ପ୍ରତାରିତ ତେଜସ୍ବିନୀ

ପ୍ରତାରିତ ତେଜସ୍ବିନୀ

6 mins
383


ମଣିଷ ଜାଣିଛି ଅନୁଭବ କରିଛି ଭଲ ପାଇବାର ପ୍ରତି ଦାନ ହେଉଛି ପ୍ରତାରଣା । ତଥାପି ସେ ଜାଣିଶୁଣି ମଧ୍ୟ ସେଇ ଭୂଲ କରୁଛି । ପୁଷ୍କରିଣୀଟି ପଙ୍କରେ ପରିପୂର୍ଣ୍ଣ ; ପଦ୍ମ ତୋଳିବାର ପ୍ରବଳ ଇଚ୍ଛା । ଜାଣିଛି ଗୋଲାପ ଗଛରେ କଣ୍ଟା ତଥାପି ଫୁଲର ରଙ୍ଗରେ ସେ ବିମୋହିତ । ଫୁଲ ତୋଳିବାର ଆକାଂକ୍ଷା ଇଛାକୁ ସେ ମାରିପାରେନା । ପଥର ଆବଡା ଖାବଡା ରାସ୍ତା ତଥାପି ପର୍ବତ ଚଢିବାରେ ତାର ପ୍ରବଳ ଇଛା । ସତରେ ଦୂର ପର୍ବତ; କେତେ ସୁନ୍ଦର । ପାଖକୁ ଗଲେ ଖାଲି ପଥର ଆଉ ପଥର । ମରୁଭୂମି ମରିଚିକାରେ ପୂର୍ଣ୍ଣ ତଥାପି ଜଳ ଅନ୍ୱେଷଣ ରେ ଧାଇଁ ଥାଏ ମାୟା ମରିଚିକା ପଛେରେ। ତୁଷାର୍ତ୍ତ ମଣିଷ ତୃଷ୍ଣା ନିବାରଣ କରିବା ପାଇଁ । 

ମନୁଷ୍ଯ ଜାଣିଶୁଣି ଭୁଲ୍ କରେ କେବଳ ନିଜ ଭିତରେ ପ୍ରତିଧ୍ଵନିତ ହେଉଥିବ ଇଛା ଶକ୍ତି ପାଇଁ । କେତେ ଗୁଡ଼ିଏ ଇଛା ଆଉ ଅନିଚ୍ଛା ସତ୍ତ୍ବେ ମଧ୍ଯ ଭୂଲ୍ ହୋଇଯାଏ ।


ସମ୍ୟକ ଧାରଣା ନ ଥିଲା ତେଜସ୍ବିନୀର ଏଭଳି କିଛି ବଦଳି ଯିବ ବୋଲି । ତାର ଛାଇ ତାକୁ ବି ଘୃଣା କରି ନିଜଠାରୁ ଦୂରେଇ ଦେବ ବୋଲି ।କିଞ୍ଚିତ ହୃଦସ୍ପନ୍ଦନ ର ଧକ୍ ଧକ୍ ଶବ୍ଦ ମଧ୍ୟରେ ନିଜ ନାମ ଖୋଜି ଥାଏ ।ହୁଏତ ମୋ ଭଲ ପାଇବା ର ମର୍ମ କୁ ସେ ବୁଝି ପାରୁଥିବେ । ନିଘଞ୍ଚ ଅନ୍ଧାରୁଆ ହୃଦୟର ପରିଧି ଭିତରେ ତୁମେ ଥିଲ ମୋର ଆଲୁଅ । ତୁମେ ତ ଥିଲ ମୋ ଜୀବନ ର ସେଇ ଜୁଳୁ ଜୁଳିଆ ପୋକ !

ତୀକ୍ଷ୍ଣ ନ ଥିଲା ଆଳୁଅ  ତଥାପି ମୁଁ ଅନୁଭବ କରିପାରୁଥିଲି। ମୁଁ ତୁମ ପରିଧିରେ ଥିଲି ଏକ ଅଶାନ୍ତ ଛାଇଟିଏ ହୋଇ । ଦୂର ଦିଗବଳୟର ସୀମାନ୍ତକୁ ହୁଏତ କେହି ଜାଣି ପାରି ନ ଥିବେ । କିନ୍ତୁ ମୁଁ ଦିଗବଳୟର ସେଇ ସୀମାନ୍ତ ରେ ତୁମ ଫେରନ୍ତା ବାଟ କୁ ଚାହିଁ ବସିଛି କାଳେ ତୁମେ ଫେରି ଆସିବ ! ! କହି ଦେଇ ଯିବ - ତେଜସ୍ବିନୀ ତୋ ପ୍ରତୀକ୍ଷାର ଅନ୍ତ । ମୁଁ ପରା ତୋର ଚିର ବସନ୍ତ । ମୁଁ ଫେରି ଆସିଛି ତୋ ପାଖକୁ ଆଉ ରହିବି ତୋ ସାଥେ ସକଳ ଜୀବନ। ସତରେ କ'ଣ ତେଜସ୍କର ତେଜସ୍ବିନୀ ପାଖକୁ ଫେରି ଆସିଥିବ ? 


***       

    ଗତ ପନ୍ଦର ଦିନର ଅଜସ୍ର କ୍ଳାନ୍ତିକୁ ଦବେଇ ଏକ ଅଜଣା ଭୟ... କାୟା ବିସ୍ତାର କରିଥିଲା ତେଜସ୍ବିନୀ ଉପରେ । କାହିଁକି କେଜାଣି ରାତିଟି ଅସରନ୍ତି ପରି ଲାଗୁଥିଲା । ରାତ୍ରି ଯେତିକି ଗଭୀରତାକୁ ପାଦ ଦେଉଥାଏ ତେଜସ୍ବିନୀର ହୄତସ୍ପନ୍ଦନ ସେତିକି ବଢି ଚାଲିଥାଏ । ନା ସେ ସ୍ଥିର ହୋଇ ବସିପାରୁଥାଏ ଚୌକିରେ ନା ଶରୀରକୁ ଗଡେଇ ପାରୁଥାଏ ବିଛଣାରେ ।ଏକ ଅଜବ ପରିସ୍ଥିତି । ସେ କେବଳ ପଦଚାରଣ କରୁଥାଏ । ଡ୍ରଇଁରୁ.... ଡାଇନିଂ ପର୍ଯ୍ୟନ୍ତ ଏବଂ ବେଡ୍ ରୁମ୍ ରୁ ରୋଷେଇ ଘର ପର୍ଯ୍ୟନ୍ତ । ଏହା ଭିତରେ ରଜନୀ ଦେବୀ ସୂର୍ଯ୍ୟ ଦେବଙ୍କୁ ପୄଥିବୀର ଭାର ଦେଇ ଲେଉଟିବାକୁ ବସିଲେଣି । ସ୍ଵଳ୍ପ ଆସ୍ଵସ୍ତ ଅନୁଭବ କଲା ତେଜସ୍ବିନୀ ।


ତରତର ହୋଇ ନିଜର ନିତ୍ୟକର୍ମ ସାରି ଦେଲା । ଗାଧେଇ ସାରି ଡ୍ରେସିଂ ଟେବୁଲ ଆଇନାରେ ଆଉଥରେ ନିରେଖି ନେଲା ନିଜକୁ । ଏହି ଗୋଲାପି ରଙ୍ଗ ପୋଷାକଟି ତା ଉପରେ କେମିତି ମାନୁଛି  ? ଯେଉଁ ଟା ତେଜସ୍କରଙ୍କର ଅତି ପ୍ରିୟର ରଙ୍ଗ । ଏହି ପାଞ୍ଚ ବର୍ଷ ଭିତରେ ତା ଶରୀର ଟି ଯେପରି ପନ୍ଦର ବର୍ଷ ଆଗକୁ ଚାଲି ଯିବା ଭଳି ମନେ ହେଉଥିଲା । ନା ଆଉ ଏ ରୂପର ପ୍ରୟୋଜନ କଣ ? ?


ଯାହା ପାଇଁ ଦିନେ ସେ ନିଜକୁ ସଜଉଥିଲା, ଯାହାର ହାତଧରି ନିଜର ଯୌବନ ସମର୍ପି ଦେବାର ସ୍ଵପ୍ନ ଦେଖୁଥିଲା । ସେ ତ ଏବେ ଆଉ କାହା ସୀମନ୍ତରେ ସିନ୍ଦୂର ଦେଇ ସାରିଛନ୍ତି । କାହିଁକି କେଜାଣି ଶତଚେଷ୍ଟା ସତ୍ତ୍ବେ ମଧ୍ୟ ସେ ତେଜସ୍କରଙ୍କୁ ଘୄଣା କରି ପାରୁନଥିଲା । ଆଉଥରେ ଭଲକରି ସେ ଦେଖିନେଲା ଫାଇଲ୍ ଭିତରେ ଥିବା କାଗଜପତ୍ର ଗୁଡିକୁ । ସବୁ ଠିକ୍ ଅଛି ତ ? ? ? ଏବେ କେବଳ ଅପେକ୍ଷା ଘରର ମାଲିକଙ୍କୁ । ଚୌକି ଉପରେ ବସି ପଡିଲା ସେ । ଅତୀତ ଦିନର ଘଟଣାବଳୀ ଭିତରେ ନିଜକୁ ହଜେଇ ଦେଲା..... 


ବର୍ଷେ ତଳେ କେତେ ଆଶା ଆକାଂକ୍ଷା ନେଇ ସେ ଦଉଡି ଆସିଥିଲା ତେଜସ୍କରଙ୍କୁ ଦେଖା କରିବାକୁ । ସେଠାରେ ପହଞ୍ଚି ସେ ଯାହା ଦେଖିଲା ତା ହୄଦୟ ସମ୍ପୂର୍ଣ୍ଣ ଭାଙ୍ଗିଗଲା । ଘର ବାହାରେ ଏକ ଚେୟାର ରେ ବସିଥିଲେ ତେଜସ୍କରଙ୍କ ମା ବିମଳାଦେବୀ କ୍ୟାନସର ପେସେଣ୍ଟ । ତାଙ୍କର ସେବା ଯତ୍ନ କରୁଥିଲେ ବଡଭାଇ ନରୋତ୍ତମ ବାବୁ । ମାଆ ନିଜର କାମ ନିଜେ କରି ପାରୁ ନ ଥିଲେ । ଓଃ କି ଦୁଃଖ ଦାୟକ ଅବସ୍ଥା । କାହିଁକି କେଜାଣି ନିଜର ପ୍ରକୃତ ପରିଚୟ ଓ ଉଦ୍ଦେଶ୍ୟ ଜଣେଇବାକୁ ଠିକ୍ ମନେ କଲାନାହିଁ ତେଜସ୍ବିନୀ ସେଦିନ । ତା ବଦଳରେ କହିଥିଲା ସେ ଜଣେ ଶିକ୍ଷୟିତ୍ରୀ । ନୂତନ ଭାବରେ ଏହି ବିଦ୍ୟାଳୟରେ ଯୋଗ ଦେଇଛି । ଘରଭଡା ପାଇବା ଆଶାରେ ଆସିଛି । 


ନରୋତ୍ତମ ବାବୁ ବହୁତ ଖୁସି ହୋଇ ତାକୁ ନିଜ ଘରେ ଭଡା ରହିବା ପାଇଁ ଅନୁମତି ଦେଇଥିଲେ । ଡ୍ରଇଁ ରୁମରେ ପ୍ରବେଶ କରୁ କରୁ ଟଙ୍ଗା ଯାଇଥିବା ତେଜସ୍କରଙ୍କ ବିବାହର ଫଟୋ ଉପରେ ନଜର ପଡିଲା ତେଜସ୍ବିନୀର । ତା ହୄଦୟ ଭାଙ୍ଗି ଯେମିତି ଖଣ୍ଡ ବିଖଣ୍ଡିତ ହୋଇଗଲା । ପାଦତଳୁ ମାଟି ଖସିଗଲା ଆଉ ଆକାଶ ଯେମିତି ତା ମୁଣ୍ଡ ଉପରେ ଛିଡି ପଡିଲା, ସେପରି ଅନୁଭବ କଲା । ନରୋତ୍ତମ ବାବୁ ଚିହ୍ନେଇ ଦେଉଥିଲେ ଏ ମୋର ସାନଭାଇ ତେଜସ୍କର । ଦୁଇ ବର୍ଷ ହେବ ମାଲକାନଗିରିରେ ଗୋଟିଏ ସ୍କୁଲରେ ସର୍ଭିସ୍ କରିଛି । ପୂର୍ବରୁ ଆମ ଜିଲ୍ଲାରେ ସର୍ଭିସ୍ କରୁଥିଲା ଏବେ ପ୍ରମୋଶନ ପାଇ ସେଠାକୁ ଯାଇଛି। ସେଠାରେ ତାର ଏକ ବଙ୍ଗଳି ସହକର୍ମୀ କୁ ସେ ବିବାହ କରି ରହିଛି ଯେ ଏପର୍ଯ୍ୟନ୍ତ ଘରକୁ ଫେରିନି ।


ବହୁତ କାର୍ଯ୍ୟ ବ୍ୟସ୍ତ ସିଏ ତେଣୁ ଆମ ସହିତ କଥା ହୁଏ ଫୋନରେ । ଆମେ ମାଆ ପୁଅ ଏଠାରେ ରହୁଛୁ । ବୁଢୀ ସାନପୁଅର ଫେରିବା ପଥକୁ ଖୁବ୍ ବିକଳ ହୋଇ ଚାହିଁ ରହିଛି । ଆଉ ଦୁଇ ପୁଅଙ୍କୁ ଠିକ୍ ରେ ବିବାହ କରାଇ ପାରିଲା ନାହିଁ ବୋଲି ଲୁଚେଇ ଲୁଚେଇ କାନ୍ଦୁଛି । ହୄଦୟ ଫାଟି ଯାଉଥିଲେବି ଯନ୍ତ୍ରଣାର ଲୁହକୁ ଆଖିରେ ବୋହିବାକୁ ଦେଉନୁ । କାରଣ ବୁଢୀ ଆଖିରୁ ଲୁହ ବୋହିଲେ କାଳେ ପିଲାମାନଙ୍କର ଅମଙ୍ଗଳ ହେବ । ବଡ ପୁଅ ଗ୍ରାମପଞ୍ଚାୟତର ସେକ୍ରେଟାରୀ । ଆୟପ୍ପା ଧର୍ମାବଲମ୍ବୀ ତେଣୁ ବିବାହ କରିବାକୁ ସ୍ପଷ୍ଟ ମନା କରିଦେଲା । ସାନ ପୁଅକୁ କେତେ ଆଶା କରିଥିଲା କିନ୍ତୁ....


ସର୍ଭିସ୍ ର ପ୍ରାରମ୍ଭ ଜୀବନରେ ତେଜସ୍କର ଓ ତେଜସ୍ବିନୀ ଉଭୟ ଉଭୟଙ୍କୁ ପ୍ରାଣ ଭରି ଭଲ ପାଉଥିଲେ । ଏକାନ୍ତରେ ଅନେକ ସମୟ ମଧ୍ୟ ବିତାଉଥିଲେ । ଗୋପାଳପୁର ବେଳାଭୂମିରେ, ବ୍ରହ୍ମପୁର ଏବଂ ତପ୍ତପାଣି ବଙ୍ଗଳାରେ କେତେ ସମୟ ବିତେଇଛନ୍ତି । ଫୋନରେ ବହୁ ସମୟ ଧରି କଥା ହେଉଥିଲେ । ତେଜସ୍ବିନୀର ଅଙ୍ଗ ଶୋଭାକୁ ବିଭିନ୍ନ ଭାବରେ ଭାଷାରେ ସଜାଉଥିଲେ ତେଜସ୍କର । ତାର ପାଦ ଅଙ୍ଗୁଳିରୁ କେଶାଗ୍ର ପର୍ଯ୍ୟନ୍ତ ଭୁରି ଭୁରି ପ୍ରଶଂସା କରୁଥିଲେ । ଏପରିକି ତେଜସ୍ବିନୀର ଶ୍ୟାମଳ ରଙ୍ଗକୁ ମଧ୍ୟ । ଦୁହେଁ ମିଶି ଏକ ସୁଖ ଶାନ୍ତି ରୂପକ ସୁନ୍ଦର ନୀଡଟିଏ ଗଢିବା ପାଇଁ ସ୍ଵପ୍ନ ଦେଖୁଥିଲେ । ଏହି ଦୁଇ ବର୍ଷ ହୋଇଯିବ ତାଙ୍କ ସହିତ କିଛି ସମ୍ପର୍କ ନାହିଁ । ଫୋନ କଲେବି ରିସିଭ୍ କରୁ ନାହାନ୍ତି ତେଜସ୍କର । ଛିଃ......ମଣିଷ ଏମିତି ବଦଳି ଯାଇ ପାରେ ? ଏତେ ବଡ ପ୍ରତାରଣା ।


ସିଏ ଏ ଘରକୁ ଆସିବାର ବର୍ଷଟିଏ ବିତିଗଲାଣି । ବଡ ଭାଇ ନରୋତ୍ତମ ବାବୁ ସଡକ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲେ । ଏହା ଭିତରେ ମାଉସୀଙ୍କ ମଧ୍ୟ ଦେହାନ୍ତ ହୋଇଯାଇଛି । ଉଭୟଙ୍କର ସବୁ ଦାୟିତ୍ବ ତୁଲେଇଲି । ମାଉସୀ ମରିବାର ପୂର୍ବ ଦିନର ଘଟଣା..... ତାଙ୍କ ଆଖିରେ ଜଳଜଳ..... ହୋଇ ଦିଶୁଛି । ଅତି ଆଦରରେ ସେ ତାଙ୍କ ପାଖକୁ ଡାକି ତାଙ୍କର ପାପୁଲିରେ ଜାବୁଡ଼ି ଧରି ଛୋଟ ପିଲା ଭଳି କଇଁ କଇଁ ହୋଇ କାନ୍ଦି କହିଥିଲେ...


- ମୋ ପୁଅକୁ ତୁ କ୍ଷମା କରିଦେବୁ ମା' !


- ଅର୍ଥାତ୍ ?


-ମୁଁ ସବୁ ଜାଣିଛି । ତୋର ଓ ମୋ ପୁଅର କିଛି ଫଟୋ ମୁଁ ତା ବହି ଥାକରୁ ପାଇଥିଲି । ତେଣୁ ତୁ ଯେଉଁ ଦିନ ପ୍ରଥମେ ଆମ ଘରକୁ ଆସିଥିଲୁ, ମୁଁ ତୋତେ ଚିହ୍ନି ପାରିଥିଲି ଓ ତୋର ହୄଦୟର କ୍ଷତକୁ ସ୍ପଷ୍ଟ ଦେଖିପାରିଥିଲି... ମୋର ବୟସ ଅନୁଭୂତିର ଚଷମାରେ । ସେଇଥିପାଇଁ ତ ତୋତେ ଅନୁରୋଧ କରିଥିଲି ଆମ ଘରେ ରହିବା ପାଇଁ । ତୋ ଭିତରେ ଆମେ ଆମ ଖୁସି, ସୁଖ ଓ ଶାନ୍ତି ପାଇଥିଲୁ । ଆଉ ତୁ ଯେଉଁ ନିଷ୍ଠାପର ଭାବେ ଆମ୍ଭମାନଙ୍କର ଅନନ୍ୟ ସେବା କରିଛୁ , ଆମେ ତୋ ଠାରେ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଋଣୀ ହୋଇଗଲୁ ।


- ଛିଃ.... ଏମିତି କଣ କହୁଛନ୍ତି ? ମୁଁ ପରା ଆପଣଙ୍କର ଝିଅ ! ! 


- ମୋର ଆଉ ଗୋଟିଏ କଥା ରଖିବୁ ? କହିବି ? 


- କ'ଣ ? ?  ?


- ଏହି ଫାଇଲ୍ ଟିକୁ ଗ୍ରହଣ କର । ମୋର ସମସ୍ତ ସମ୍ପତ୍ତି ମୁଁ ତୋ ନାମରେ କରି ଦେଇଛି । 


- ନା.... ନା....


- କିଛି କହନା ମା (ଦୁଇ ହାତ ଯୋଡି ଅଶ୍ରୁଳ ନୟନରେ ଚାହିଁ ରହିଥିଲେ ମାଉସୀ )


ନୀରବରେ ହାତ ବଢ଼ାଇ ଫାଇଲ୍ ଟିକୁ ଧରିଥିଲା ତେଜସ୍ବିନୀ । ଆଜି କେବଳ ସେହି ଫାଇଲ୍ ଓ ଘରର ଚାବିକାଠିଟିକୁ ହସ୍ତାନ୍ତର କରିବା ପାଇଁ ଅପେକ୍ଷା କରିଛି ତେଜସ୍ବିନୀ । ହଠାତ୍ କଲିଂ ବେଲ୍ ର ଶବ୍ଦରେ ଚମକି ପଡିଲା । କବାଟ ଖୋଲିଲା । ସାମ୍ନାରେ ଛିଡା ହୋଇଥିଲେ ତେଜସ୍କର । ବହୁତ ଝଡି ଯାଇଛନ୍ତି ସେ । ଆକର୍ଷଣୀୟ ଚେହେରାଟି ସମ୍ପୂର୍ଣ୍ଣ ମଳିନ ପଡି ଯାଇଛି ।


- ତେଜସ୍ବିନୀ ତମେ  ?  


- ଆପଣଙ୍କ ବଡଭାଇ ଓ ମା'ଙ୍କର ଅତି ପରିଚିତା । ଏ ଘରର ଚାବିକାଠି ଓ କିଛି କାଗଜପତ୍ର ଆପଣଙ୍କୁ ହସ୍ତାନ୍ତର କରି ମୁଁ ଫେରିଯିବି ମୋର ଗନ୍ତବ୍ୟ ପଥକୁ ବୋଲି ଅପେକ୍ଷା କରିଛି ଆପଣଙ୍କୁ...


- ଦୟାକରି ଟିକେ ସମୟ ରହିଲେ.... ଗୋଟିଏ କଥା କୁହନ୍ତି ?


ବାଧ୍ୟ ହୋଇ ଚୌକି ଉପରେ ବସି ପଡିଥିଲା ତେଜୁ । ତେଜସ୍କର ବସିଥିଲେ ଆଉ ଏକ ଚେୟାରରେ..... ଯେପରି ଦୁଇ ଅଚିହ୍ନା ବ୍ୟକ୍ତିଙ୍କର ପ୍ରଥମ ଥର ପାଇଁ ଦେଖାସାକ୍ଷାତ । ନୀରବତାକୁ ଭଙ୍ଗ କରି ପ୍ରଶ୍ନ କରିଥିଲା ତେଜସ୍ବିନୀ.... 


- ଆପଣଙ୍କ ସ୍ତ୍ରୀ ଆସିଲେନି ଯେ ଆପଣଙ୍କ ସହିତ ? 


- ବାହାଘରର ଛଅ ମାସ ପରେ ସେ ଜଣେ ବଙ୍ଗାଳୀ ଟୋକା ସହିତ ଚାଲିଗଲା । ତମ ପ୍ରତି କରିଥିବା ଅପରାଧର ଏଇଟା ବୋଧେ ଥିଲା ମୋ ପାଇଁ ଏକ ଅପମାନିତ ଉପହାର, ଯାହା ମୋତେ ଈଶ୍ବର ଦେଇଛନ୍ତି । 


ଏଥର ପ୍ରସ୍ତୁତ ହେଲା ତେଜସ୍ବିନୀ ଯିବା ପାଇଁ । ତେଜସ୍କର ଆସି ତେଜସ୍ବିନୀର ହାତଟିକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦି କହିଲେ.... "ତୁମେ ମୋତେ କ୍ଷମା କରିଦିଅ ତେଜୁ । ତୁମେ ମୋତେ ଛାଡି ଯାଅନାହିଁ । ମୁଁ ଆଜି ସମ୍ପୂର୍ଣ୍ଣ ଏକୁଟିଆ, ନିଃସଙ୍ଗ, ବେସାହାରା । ତୁମେ ଯଦି ଚାହିଁବ ପୁଣି ଆମେ ଆଉଥରେ.......। "


ତେଜସ୍ବିନୀର ଅନେକ ଆଶା ଆକାଂକ୍ଷା ସମୟ ଚକ୍ରରେ ଧୂଳିସାତ୍ ହୋଇଯାଇଛି । ସମାଜ କେତେ ନିନ୍ଦା ଅପନିନ୍ଦା ଦେଇଛି, ହୃଦୟକୁ ପଥର କରି ସବୁ ସହିଛି । ନିଜର ମନ ଆଉ ହୃଦୟ ବୋଲିବାର କ'ଣ ଅଛି ଅନୁଭବ କରି ପାରିନାହିଁ । ଭାବୁଥିଲା ପୁଣି ଆଉଥରେ ଏହି ପ୍ରତାରକ ସହିତ .... । ତଥାପି କାହିଁକି କେଜାଣି ତା ମନର ସେହି ଦୁର୍ବଳତା ତା ଭିତରେ ପୁନଃ ଉଙ୍କି ମାରୁଥିଲା ।


Rate this content
Log in

Similar oriya story from Drama