Debaki Behera

Abstract Tragedy Crime

4.8  

Debaki Behera

Abstract Tragedy Crime

ପ୍ରକୃତି ହଜିଗଲା କାଶତଣ୍ଡୀ ରେ

ପ୍ରକୃତି ହଜିଗଲା କାଶତଣ୍ଡୀ ରେ

6 mins
276



ବାର ବର୍ଷ ର ଝିଅଟିଏ । ଅତି ଚୂଲୁବୁଲି ସ୍ୱଭାବର । ଏଇଠି ଥାଏ ପୁଣି ଘଡ଼ିଏ ମଧ୍ୟରେ ଗାଁ ଟା ଯାକ ବୁଲି ଆସେ, ଯେପରି ବଗିଚାରେ ଉଡି ବୁଲୁଥିବା ଚଞ୍ଚଳ ମନା ପ୍ରଜାପତି ଟିଏ ପରି । ଗହମ ରଙ୍ଗର ଶରୀର । ନୟନ ଦୁଇଟି ସତେ ନୀଳ ସାଗର ଭଳି । ଯିଏ ଥରେ ଚାହିଁଦେବ ତା ନୟନ ରେ ନିଶ୍ଚୟ ବୁଡ଼ିଯିବ । ଓଠଟି ସଜ ଗୋଲାପ ର ଦୁଇଟି ପାଖୁଡା ପରି । ଉଞ୍ଚତା ଚାରି ଫୁଟ ହେବ ବୋଧେ । ସ୍ଵର୍ଗରେ ଥିବା ରମ୍ଭା, ଉର୍ବଶୀ ବି ତା ରୂପ ରେ ସମାନ ହେବେ ନାହିଁ । ସ୍ୱର୍ଗ ଭୁବନର ଇନ୍ଦ୍ର ଦେବତା ମଧ୍ୟ ତା ରୂପ ର ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇଗଲା ଭଳି ଚେହେରା । କୋକିଳ ପରାୟେ ମିଠା ମିଠା କଥା । ଯେମିତି ସେ କଥା ନୁହଁ ମଧୁଝରା କାବ୍ୟ କହୁଥାଏ । ପ୍ରକୃତି ତାର ସମସ୍ତ ଶୋଭାରାଶି କୁ ତା ଶରୀର ରେ ଆଙ୍କି ଦେଇଥିଲା ଯେମିତି । ତେଣୁ ବାପା ହରିଆ ଓ ମା ସୁନା ତା ନା ପ୍ରକୃତି ଦେଇଥିଲେ ।


ସେହି ଗାଁ କଣ ତା ଆଖ ପାଖ ଦଶ ଖଣ୍ଡ ଗାଁରେ ତା ରୂପ ସହ କେହି ସମକକ୍ଷ ର ଝିଅ ନଥିଲେ । କିଛି ଗାଁ ଝିଅ ତ ତାକୁ ବହୁତ ଇର୍ଷା କରନ୍ତି ଆଉ ସାଙ୍ଗରେ ଖେଳିବାକୁ ବି ଦିଅନ୍ତି ନାହିଁ । ବେଳେ ବେଳେ ମନ ଦୁଃଖ ହୁଏ ହେଲେ ଗାଁ ର ନଦୀକୂଳ, ଚଢେଇ ର ମିଠା ମିଠା ତାନ ଶୁଣି ପ୍ରକୃତି ତା ମନରୁ ସବୁ ପାସୋରି ଦିଏ । ମା, ବାପା ତାକୁ ବହୁତ ଗେହ୍ଲା କରନ୍ତି । ତାର ଛୋଟ ବଡ ସବୁ ଅଳି କୁ ପୁରା କରିବାକୁ ଅପ୍ରାଣେ ଚେଷ୍ଟା କରନ୍ତି । ତା ପାଇଁ ସୁନ୍ଦର ପୋଷାକ, ଖେଳନା, ସଜେଇହେବା ସାମଗ୍ରୀ, ଚୁଡ଼ି, ପାଉଁଜି ସବୁ ଆଣି ଦିଅନ୍ତି । ପ୍ରକୃତି ର କିନ୍ତୁ ଏ ସବୁ ଜିନିଷ ରେ ଲୋଭ ନଥାଏ । ହଁ, କେବଳ ପାଉଁଜିଟି ତାର ଅତି ପସନ୍ଦ ର ଜିନିଷ ଟିଏ । ରୁଣୁଝୁଣୁ ଘୁଙ୍ଗୁର ଲଗା ପାଉଁଜି ପିନ୍ଧି ଖିଲି ଖିଲି ହସିଦେଇ ଗାଁଟା ଯାକ ବୁଲିଆସେ । ଗାଁ ରେ ସଭିଙ୍କର ପ୍ରିୟ ଥାଏ ପ୍ରକୃତି କାରଣ ସେ ଯେପରି ସୁନ୍ଦରୀ ସେମିତି ଦୟାଳୁ ବି ।


ଗାଁ ରେ କାହାର କିଛି ଦେହ ଖରାପ ହୋଇଗଲେ ଘରକୁ ଦୌଡ଼ି ଆସେ ପ୍ରାକୃତିକ ଉପାୟ ତଥା ଘରୋଇ ଉପଚାର ର ଏକ ପୁସ୍ତକ ଟିରୁ ପଢି ସଙ୍ଗେ ସଙ୍ଗେ ଚିକିତ୍ସା ହେତୁ ଧାଇଁ ଚାଲି ଯାଏ । କେଉଁ ରୋଗ ପାଇଁ କେଉଁ ଔଷଧ ଲୋଡ଼ା ତାକୁ ସବୁ ଜଣା ଥାଏ । ନିଜ ଘରେ ହିଁ ଏକ ଛୋଟ ଚିକିତ୍ସାଳୟ ଟେ ଯେପରି ଖୋଲିଥାଏ ସିଏ । ନଦୀ ପାଖରେ ଥିବା ଛୋଟିଆ ଜଙ୍ଗଲରୁ ନିଜେ ଏକା ଯାଇ ବିଭିନ୍ନ ପତ୍ର ଜଡିବୁଟି ସାଉଁଟି ଆଣିଥାଏ । ବିଦ୍ୟାଳୟ ରେ ଉତ୍ତମ ଛାତ୍ରୀ ଭାବରେ ବେଶ ଚର୍ଚ୍ଚା ରେ ଥାଏ ସବୁବେଳେ । ଗାଁ ଯାକ ପିଲାରୁ ବୁଢ଼ା ଡାକ୍ତରାଣୀ ଦିଦି ବୋଲି ଡାକନ୍ତି ତାକୁ । ହରିଆ ଝିଅକୁ ଡାକ୍ତରାଣୀ କରିବାର ସ୍ବପ୍ନ ନେଇ ଦିନ ରାତି ଖଟି ଚାଲିଥାଏ । ସୁନା ମଧ୍ୟ ପ୍ରକୃତି କୁ କେବେ କୌଣସି କଥାରେ ବାରଣ କରିନଥାଏ । କେବଳ ନଦୀ କୂଳକୁ ଏକୁଟିଆ ନଯିବାକୁ ବାର ବାର କହୁଥାଏ କିନ୍ତୁ ପ୍ରକୃତି ବଡ ପିଲା ଭଳି ମୁଁ ବଡ ହେଇଗଲିଣି ମା, ମୋର କିଛି ହେବନି କହିକି ବୁଝେଇ ଦିଏ ।


ଅଶ୍ୱିନ ମାସ । ମାଆଦୁର୍ଗାଙ୍କର ପାର୍ବଣ ର ମାସ । ପ୍ରକୃତି ଦଶହରା ଦେଖିବାକୁ ବହୁତ ଭଲ ପାଏ । ସବୁ ବର୍ଷ ଅଶ୍ୱିନ ମାସକୁ ବହୁତ ଉତ୍ସୁକତା ର ସହ ଚାହିଁ ରହିଥାଏ । କଟକର ଦଶହରା ଦେଖିବାକୁ ହରିଆ ତା ଝିଅକୁ ସବୁ ବର୍ଷ ବୁଲେଇ ଆଣେ । ଏଇ ବର୍ଷ ମଧ୍ୟ ଦଶହରା ଦେଖିବ, ବହୁତ ମଜା କରିବ, ରଙ୍ଗ, ବେରଙ୍ଗି ଆଲୋକରେ ସଜ୍ଜା ତୋରଣ ଦେଖିବ ବୋଲି ପ୍ରକୃତି ମନରେ ଆଶା ବାନ୍ଧିଥାଏ । ମା ର ଷୋଡଶ ଉପଚାର ପୂଜା ପୂଜା ମଣ୍ଡପ ଗୁଡିକରେ ଆରମ୍ଭ ହୋଇଯାଇଥାଏ । ଅଶ୍ୱିନ ମାସ ଆସିଲେ ପ୍ରକୃତି ନଦୀକୂଳ କୁ ପୂର୍ବପେକ୍ଷା ଅଧିକ ଯାଇଥାଏ । କାଶତଣ୍ଡୀ ଫୁଲର ସମ୍ଭାର ତାକୁ ଗୋଟେ ମୁହୂର୍ତ ବି ଘରେ ରହିବାକୁ ଦିଏ ନାହିଁ । ଘଣ୍ଟା ଘଣ୍ଟା ଧରି ସେ ଯାଇ ନଦୀକୂଳରେ ଏକା କିମ୍ବା ସାଙ୍ଗ ମାନଙ୍କ ସହ ଖେଳେ ।


ଦିନେ ସକାଳୁ ଖାଇସାରି ପ୍ରକୃତି ମୁଁ ଖେଳିବାକୁ ଯାଉଛି କହିଦେଇ ଚାଲିଗଲା । ମା ସୁନା ତାର ଘର କାମରେ ଲାଗିଥାଏ । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେଣି, ଅଥଚ ପ୍ରକୃତି ଘରକୁ ଫେରିଲା ନାହିଁ । ସେ ତ ଏତେ ଆନମନା ନୁହେଁ । ଯୁଆଡେ ଯାଇଥାଏ ତା ବାପାର କାମରୁ ଫେରିଲା ବେଳ ହେଲେ ଘରକୁ ଫେରିଆସେ । ତା ବାପା ସହ ଏକାଠି ବସି ନ ଖାଇଲେ ତା ପେଟ ପୂରେନି । ହରିଆ କାମରୁ ଫେରିଲା । ପ୍ରକୃତି କୁ ଘରେ ନଦେଖି ଚିନ୍ତିତ ହେଲା । ଉଦୁଉଦିଆ ଖରାବେଳେ । ଲୋକେ ପଦାକୁ ବାହାରିଲେ ମୁହଁ ପୋଡି ଯାଉଛି କେଉଁଠି ଯାଇ ତାକୁ ଖୋଜିବ। ତଥାପି ନ ଖାଇ ନପିଇ ହରିଆ ଗାଁ ଶେଷ ମୁଣ୍ଡ ନଦୀକୂଳ ସବୁଆଡେ ତାକୁ ଖୋଜି ଆସିଲା ହେଲେ ପ୍ରକୃତିକୁ କେଉଁଠାରେ ପାଇଲା ନାହିଁ । ଶେଷରେ ଗାଁ ର କିଛି ଲୋକ ଆସି ତାକୁ ସାନ୍ତ୍ୱନା ଦେଇ ପ୍ରକୃତି କୁ ଖୋଜି ବାହାରିଲେ । ମା ସୁନା ବି ଏଣେ ତେଣେ ପାଗେଳି ଭଳି ଖୋଜି ଆସିଲା । ଖରାବେଳେ ଯାଇ ସନ୍ଧ୍ୟା ହେବାକୁ ଗଲାଣି । ପ୍ରକୃତି ଏ ଯାଏ ଘରକୁ ଫେରିନି । ଗାଁ ଟା ଯାକ ହରିଆ ଦୁଆର ମୁହଁରେ ରୁଣ୍ଡ । ସମସ୍ତି ଙ୍କ ମୁହଁରେ ଗୋଟିଏ କଥା । ପ୍ରକୃତି ନଦୀ ରେ ଗାଧୋଇବାକୁ ଭଲ ପାଏ ବୋଧହୁଏ ଗାଧଉଥିଲା ବେଳେ ହୁଏତ ଭାସି ଯାଇଛି । ଏଇ ସବୁ କଥାଶୁଣି ହରିଆ ସୁନା ମୁଣ୍ଡ ପିଟି ଗଡ଼ି ଯାଉଥାନ୍ତି ।


ଅନେକ ରାତି ହୋଇଯାଇଥାଏ । ସମସ୍ତେ ଯିଏ ଯାହାର ଘରକୁ ଚାଲିଗଲେ । ହେଲେ ସୁନା ଓ ହରିଆ ଦୁଆର ମୁହଁରେ ସେମିତି ଚାହିଁ ବସିଥାନ୍ତି । ତାଙ୍କ ପ୍ରକୃତି ଦୌଡ଼ି ଆସିବ । ମା ବାପା ଡାକି କୁଣ୍ଢେଇ ପକେଇବ । ଏମିତି ଭାବୁ ଭାବୁ ରାତି ପାହି ସକାଳ ହେଲା । ହରିଆ ଓ ସୁନା ଗାଁ ଲୋକଙ୍କ କଥା କୁ ଆଧାର କରି ନଦୀକୂଳକୁ ଗଲେ । ନଦୀ ରେ ପାଣି ଅଳପ । କେହିବି ଏତିକି ପାଣିରେ ଭାସିଯାଇ ନପାରେ । ତଥାପି ହରିଆ ପାଣିରେ ପଶି ବହୁତ ଖୋଜିଲା ହେଲେ ବିଫଳ ହୋଇ ଖାଲି ହାତରେ ଫେରିଲା । ସୁନା ର ଆଖିରୁ ଲୁହ ଶୁଖୁ ନଥାଏ । ହରିଆ ଓ ସୁନା ପ୍ରକୃତି, ପ୍ରକୃତି ବୋଲି ବହୁତ ଡାକିଲେ । କାଶତଣ୍ଡୀ ଫୁଲ ର ମାଳ ଭିତରେ ତାଙ୍କ ଶବ୍ଦ ଯେପରି ମିଳେଇ ଗଲା । ଦୁହେଁ ଘରକୁ ଫେରିବାକୁ ନିଷ୍ପତି ନେଲେ । ହରିଆ ସୁନାକୁ ଧରି ଫେରୁଥାଏ ହଠାତ ତା ଗୋଡ଼ଟି ଛନ୍ଦି ହେଇଯିବାରୁ ମୁହଁ ମାଡି ତଳେ ପଡିଗଲା । ଉଠିକରି ତଳକୁ ଚାହିଁଲା ଆରେ ଇଏ ତ ତା ପ୍ରକୃତି ର ପାଉଁଜି । ହେଲେ ଗୋଟେ ପଟ । ତା ଅର୍ଥ ତାଙ୍କ ଝିଅ ଏଠିକୁ ଆସିଥିଲା । ଏଠାକୁ ଆସିଥିଲା ଯଦି ଗଲା କୁଆଡେ? ସୁନା ଓ ହରିଆ ତାକୁ ନଦୀ ପାଖ ଆଖ ରେ ଅନେକ ଖୋଜିଲେ । କିଛିବାଟ ଗଲାପରେ ପ୍ରକୃତି ର ଚପଲ ଗୋଟିଏ ମିଳିଲା ତାକୁ ଦେଖି ସୁନା ବହୁତ କାନ୍ଦିବାକୁ ଲାଗିଲା । ହରିଆ ଧର୍ଯ୍ୟ ଧରି ଆଗକୁ ଆଗକୁ ବଢିଲା । କାଶତଣ୍ଡୀ ଫୁଲ ଗଛ ମାଳକୁ ମାଳ । ଚାରିଆଡେ ଖାଲି କାଶତଣ୍ଡୀ ଫୁଲ ର ଗହଳି । ତଥାପି କାଶତଣ୍ଡୀ ଗଛ ମଝିଦେଇ ହରିଆ ଆଗକୁ ବଢୁଥାଏ । ହଠାତ ତାର ପାଦ ଦୁଇଟି ରହିଗଲା । ଆଉ ଏକ ବଡ ଚିତ୍କାର ଟିଏ ଶୁଭାଗଲା । ମୋ ଝିଅ........ ।


ସୁନା ସଙ୍ଗେ ସଙ୍ଗେ ଚପଲ ଟିକୁ ହାତରେ ଧରି ହରିଆ ଛିଡା ହେଇଥିବା ଦିଗ ଆଡେ ଧାଇଁଲା । ହରିଆ ନିକଟରେ ପହଂଚି ସେ ଯାହା ଦେଖିଲା ସେ ତାର କୋହ ସମ୍ଭାଳି ପାରିଲାନି । ପ୍ରକୃତି ର ଲଙ୍ଗଳା ଶରୀରଟେ ପଡ଼ିରହିଛି, ତା ଚାରିପଟେ ରକ୍ତରେ ଭିଜା ମାଟି ମିଶା କାଶତଣ୍ଡୀ ଫୁଲର ଗଛ । ଶରୀରରେ ବିଭିନ୍ନ ଜାଗାରେ କ୍ଷତ । ଗାଲରେ ପାଞ୍ଚ ଅଂଗୁଳି ଛପା ଏକ ହାତର ଚି଼ହ୍ନ । ନାକରୁ ରକ୍ତ ବାହାରି ଆସିଛି । ସୁନା ହରିଆ କାନ୍ଧରୁ ଗାମୁଛାଟିକୁ ନେଇ ଘୋଡ଼େଇଦେଲା ପ୍ରକୃତି ଶରୀରରେ । କୋଳରେ ଜାବୁଡି ଧରି ଅନେକ କାନ୍ଦିଲା ସୁନା । ହରିଆ କୁ ଖାଲି ଏତିକି କହୁଥାଏ କିଏ କଲା ମୋ ଝିଅର ଏ ଅବସ୍ଥା । ହରିଆ ସୁନାର ଲୁଗାରୁ ଖଣ୍ଡିଏ କାନି ଚିରି ଘୋଡେଇ ଦେଲା ପ୍ରକୃତି କୁ । ଦୁଇ ହାତରେ ଝିଅ ର ଶବକୁ ଧରି ଚାଲିଲା ଗାଁ ମୁଣ୍ଡକୁ । ଗାଁ ଦାଣ୍ଡ ରେ ଯିଏ ଦେଖିଲା ସୁନା ଓ ହରିଆ ପଛ ପଛେ ଚାଲିଲା । ଝିଅକୁ ନେଇ ହରିଆ ନିଜ ଘର ଦୁଆର ମୁହଁରେ ଥିବା ପିଣ୍ଡି ରେ ଶୁଆଇଦେଲା । ସୁନା ତ ଯେମିତି ନିର୍ବାକ ହୋଇଯାଇଥିଲା । ପିଣ୍ଡି ଉପରେ ବସି ଖାଲି ମୁଣ୍ଡ ପିଟି କାନ୍ଦୁଥାଏ । ହରିଆ କୋହ କୁ ନିଜ ମଧ୍ୟରେ ଚାପି କହିଲା :-"ମୁଁ ଜାଣିଛି, ମୋ ଝିଅର ଏ ଅବସ୍ଥା ଯିଏ କରିଛି ସେ ଏଇ ଗାଁ ର । ସେ କିଏ ଯିଏ ମୋ ଝିଅ ସହ ଏମିତି ଘୃଣ୍ୟ କାମ କରିଛି? ମୁଁ ତାକୁ ଛାଡିବିନି । ସତ ମାନିଯାଅ ।"


ସମସ୍ତେ ପରସ୍ପର ର ମୁହଁକୁ ଚାହୁଁଥାନ୍ତି କିନ୍ତୁ ହରିଆ ର କ୍ରୋଧ ଓ ଦୁଃଖ ଆଗରେ ସମସ୍ତେ ଚୁପ । ଗାଁ ରୁ କିଏ ଜଣେ ପୋଲିସ କୁ ଖବର ଦେଇଦେଲା । କିଛି କ୍ଷଣ ଭିତରେ ପୋଲିସ ଆସି ପହଂଚିଗଲା । ଶବ ବ୍ୟବଛେଦ ପାଇଁ ଶବକୁ ନେବାକୁ ଚାହିଁଲା କିନ୍ତୁ ସୁନା କି ହରିଆ ତା ଝିଅ ଦେହରେ କାହାରିକୁ ହାତ ନଲଗେଇବାକୁ ଅନୁରୋଧ କରିଥିଲେ । ପୋଲିସ ଯେତେ ବୁଝେଇଲେ ବି ହରିଆ କିଛି ବୁଝିଲାନି । ପ୍ରଥମେ ତା ଝିଅ ର ହତ୍ୟାକାରୀ କୁ ଧର ପରେ ଯାହା କଥା । ଗାଁ ଲୋକ ଫୁସଫୁସେଇଲା ବେଳେ ଗୋଟେ କଥା ତା କାନକୁ ଶୁଭାଗଲା । କିଏ ଜଣେ କହିଲା କି ରାଧୁଆ କୁ କାଲି ଖରାବେଳେ ନଦୀକୂଳ ରେ କିଏ ଦେଖିଥିଲା । ବାସ ଏତିକି ଶୁଣିଲା ମାତ୍ରେ ହରିଆ ରାଧୁଆ କୁ କ୍ରୋଧ ଭରା ନଜରରେ ଖୋଜି ବୁଲିଲା । ରାଧୁଆ କିଛି ଦୂରରେ ଛିଡା ହୋଇଥାଏ । ହରିଆ ମୁହଁକୁ ରାଧୁଆ ଚାହିଁଦେଲା ମାତ୍ରେ ଧାଇଁବାକୁ ଲାଗିଲା । ହରିଆ ତଥା ଗାଁ ଲୋକଙ୍କର ସନ୍ଦେହ ସତରେ ପରିଣତ ହୋଇଗଲା । ରାଧୁଆ ଥିଲା ଗାଁ ସରପଞ୍ଚ ର ପୁଅ । ତଥାପି ଗାଁ ଲୋକ ତଥା ପୋଲିସ ର ସାହାର୍ଯ୍ୟ ରେ ରାଧୁଆ ବେଶୀ ବାଟ ଦୌଡ଼ି ପାରିଲାନି ଆଉ ପୋଲିସ ହାତରେ ଧରାପଡିଗଲା । ପୋଲିସ ଠାରୁ ଦୁଇ ଚାରି ଚଟକଣୀ ଖାଇ ସେ ଓ ତାର ଦୁଇ ସାଙ୍ଗ ମିଶି ପ୍ରକୃତି ର ବଳତ୍କାର କରିଛି ବୋଲି ସତ ମାନିଗଲା । ତା ସହ ତାର ଦୁଇ ସାଙ୍ଗ ମଧ୍ୟ ଧରାହେଲେ । ଗାଁ ର ସରପଞ୍ଚ ହରିଆ ଆଗରେ କ୍ଷମା ପ୍ରାଥନା ମାଗିବା ସହିତ ରାଧୁଆ କୁ ଗୋଟେ ଶକ୍ତ ଜାବୁଡ଼ା ଦେଲେ ଓ କହିଲେ ତୁ ଆମ ଗାଁ ର ଡାକ୍ତରାଣୀ କୁ ମାରିଦେଲୁ । ପୋଲିସ ବାବୁ ୟାକୁ ନେଇଯାଅ ଏବଂ ଫାଶୀରେ ଟାଙ୍ଗିଦିଅ । ମୋର କେହି ପୁଅ ନାହାନ୍ତି । ରାଧୁଆ ଓ ତା ସାଥି ଦୁଇଜଣ ଆରେଷ୍ଟ ହେବା ସହିତ ପ୍ରକୃତି ର ଶବକୁ ପୋଲିସ ବ୍ୟବଛେଦ ପାଇଁ ନେଇଗଲା । ହରିଆ ଓ ସୁନା କେବଳ ନିଜ ଭାଗ୍ୟ କୁ ନିନ୍ଦୁଥିଲେ ।


 ଆଜିବି ପ୍ରକୃତି କୁ ଗାଁ ଲୋକେ ଝୁରୁଛନ୍ତି ଆଉ ଏତିକି କହୁଛନ୍ତି ଡାକ୍ତରାଣୀ ଦିଦି ଆମର କାଶତଣ୍ଡୀ ଫୁଲ ମଧ୍ୟରେ ହଜିଗଲା । ପ୍ରକୃତି ନାଁ ଆସିଲେ ଆପେ ଆପେ ସମସ୍ତିଙ୍କର ଆଖିରୁ ଲୁହ ଗଡ଼ି ଆସେ ।



Rate this content
Log in

Similar oriya story from Abstract