ପ୍ରକାର ଭେଦ
ପ୍ରକାର ଭେଦ
ମୁଁ ମୋ ଜୌତୁକେପ୍ରାପ୍ତ ହଳଦିଆ ଭେସ୍ପା ଟାକୁ ରାସ୍ତା କଡକୁ ଥିବା ଅନାମିଆ ଗଛ ( ମାନେ ମୁଁ ତା ନାଁ ଜାଣିନି ଯାହା ,ନହେଲେ ତାର ନାଁ ଟେ ନଥିବ ବା କେମିତି! ମଣିଷ ତ ତାର ବୁଦ୍ଧି ଓ ଚିଜର ଉପାଦେୟତା ଅନୁସାରେ ସବୁର ନାଁ ଗୋଟିଏ ଗୋଟିଏ ଦେଇଛି ।ଚିହ୍ନଟ ଲାଗି ଆବଶ୍ୟ ସେ ଚିଜ ମାନେ କେବେ ହାତ ଟେକିବାର ସମ୍ଭାବନା ମଧ୍ୟ ନାହିଁ ।ସେମାନେ ବା ଜାଣନ୍ତେ କେମିତି ଯେ ତାଙ୍କର ଗୋଟିଏ ଗୋଟେ ମନୁଷ୍ୟ ଦତ୍ତ ନାଁ ଅଛି ବୋଲି ।ଏଇ ଯେମିତି ମୋ ସ୍କୁଟର କଣ ଜାଣିଛି ତା ନାଁ ସ୍କୁଟର ତ ସ୍କୁଟର ପୁଣି ଭେସ୍ପା ସ୍କୁଟର ।ଟି ପାଖରେ ଡେରିଦେଇ ତାରି ଜିମାଦେଇ ଆସିଲି ଏପାଖକୁ, ମାନେ ଆଉ ଦି ପାଦ ।ଡେଙ୍ଗା ସରବର ଗାଁଉଲି ଠେକା ବନ୍ଧା ନରିଚାହା ଦୋକାନକୁ ।ନିତିଦିନିଆ ଗରାଖ, ଅବେଳିଆ ଗରାଖ ଜଣେ ଦିଜଣ ମୋ ଆଗରୁ ଆସି ଚାହା ବରାଦ କରିଥାନ୍ତି ।ମୁଁ ବି ଗଡିଗଲି ।ନରି ବେସନ ଗୋଳେଇ ପିଆଜ ପକୁଡି କଡେଇରେ ଛାଡୁଥାଏ ।ପୋଦିନା ପତ୍ର, କଞ୍ଚା ଲଙ୍କା ଛଣା ବାସ୍ନା ମହକି ପାଟି ନାଳେଇଦଉଥାଏ । " ପ୍ଲେଟ ଟେ ଇଆଡେ ବି ମିଳୁ ନରିଦା' " ବୋଲି ବରାଦ କରି ଲମ୍ବା କଳା ପଡିଆସୁଥିବା ପଟା ଟା ଉପରେ ଦେହଟାକୁ ଅସାଡ କରି ଥୋଇଦେଲି ।ଟିକେ ଭିତରକୁ ନରିଦା' ଙ୍କ " ବୁଢୀ "
ଚା'କେଟିଲି ଟିକୁ ହାତରେ ଛଳଛଳେଇ ପିଛଳଉଥାଏ ।
( ହଁ ସିଏ ତାକୁ ବୁଢୀ ବୋଲି ଡାକନ୍ତି ।ଦେଖିଲା ଲୋକ ଭାବନ୍ତି ସିଏ ତାଙ୍କ ସ୍ତ୍ରୀ ।କିନ୍ତୁ ଯେହେତୁ ଆମେ ସବୁଦିନିଆ ତେଣୁ ଆମେ ଜାଣୁ ସିଏ ତାଙ୍କ ସ୍ତ୍ରୀ ନୁହଁ ।କିନ୍ତୁ ସିଏ ତାଙ୍କ" ବୁଢୀ " । ସବୁ ସଂପର୍କ କଣ ଖାଲି ସାମାଜିକ ସମ୍ମତି ଟେ ଲୋଡେ ? ପବିତ୍ରତା ବି ତ ସଂମ୍ପର୍କ କୁ ସାଇତି ପାରେ ।ମଞ୍ଜି ବୁଣି ପାରେ ମାନବିକତାର ।ଗୋଟେ ନାରୀ କି ଗୋଟେ ପୁରୁଷର ଦେହ ଟିଏ ଛଡା ଆତ୍ମା ଟିରେ ତ ନାରୀ ,ପୁରୁଷ ଭେଦ ହି ନାହିଁ ।ସେଠି ଗୋଟିଏ ଜୀବ ଆଉ ଗୋଟିଏ ଜୀବର ଆବଶ୍ୟକତା ବେଳେ ଦୟା, କରୁଣା ବା ମାନବୀୟ ଗୁଣ ଆଧାରରେ ସାହା ହୋଇଛି ଯାହା ।ସମାଜ ସବୁବେଳେ କଦର୍ଯ୍ଯ କରିବାରେ ଆନନ୍ଦ ପାଏ । ସମାଧାନର ବାଟ ନ ଦେଖେଇ କଣ୍ଟା ମିଶା ପଙ୍କ ଫିଙ୍ଗେ ।ନିଜେ ସବୁଦିନେ ପଞ୍ଚାମୃତରେ ଧୁଆ ହୋଇ ଅନ୍ଯ ସଭିଁଙ୍କୁ ଗୋବର ପାଣି ଛିନ୍ଚାଏ ।ଆଶ୍ଚର୍ଯ୍ୟ ନା ! ହେଲା ଯଦି ଏଇ ଅମୃତ ଅଦୃଶ୍ୟ ସଂପର୍କ ଟିର ନାଁ " ପ୍ରେମ " ତେବେ ହେଉ ନା ।ଅସୁବିଧା କେଉଁଠି ।
ଗହଗହ କଜଳ ଆଖି ଟି ତାର ତଳମୁହାଁ ଘଷିପାଉଁଶ ମୁଠେଇ ପାଳ ଦିଟା କୁ ଘସି ମାଜି ଚାଲିଥାଏ ।ତା' ଆଡକୁ ଚାହିଁ କହିଲି, " ମଜାମଜି କରିଦେଲ କଣ ମ ମାଆ ।ଚାହା ଟୋପେ ପିଇଥାନ୍ତି ।" ନିର୍ମଳ ହସଟିଏକୁ ଧରି ରଖି ବୁଢୀ ଖାଲି ଆଖି ରେ ଠାରିଦେଲା ଆରପଟ ଚୁଲିକୁ ।କଥା କହିବା ତାର କେବେ ଶୁଣିନି ।କହିପାରେ କି ଜାଡିଖନି ତା' ବି ଜାଣେନି ।ହଁ ପ୍ରଶ୍ନ ସବୁ ମନ ଭିତରେ ଖବଖବ ହୁଅନ୍ତି ନିଶ୍ଚିତ, ହେଲେ ସବୁ କଥା କୋଉ ପଚାରିହୁଏ ଯେ ! ଭଦ୍ରାମୀ ଜଗିବାକୁ ହୁଏ କି ନାହିଁ ।ଆଉ କଣ ପିଲାମନ ଧରି ଚାଲିହୁଏ ? ବଡ ମଣିଷ ର ମୁଖାଟି ପରା ଭଦ୍ରମୁଖା ।ହାତେ ମାପି ଚାଖଣ୍ଡେ ।
ଟବ ଟବ ହେଇ ଫୁଟୁଥାଏ ଡେକଚିରେ ଚାହା । ଅଦା ଛେଚା ର ଗୋଟେ ଲୋଭାଣିଆ ବାସ୍ନା ନାକଯାଏ ଟାଣି ହେଇଆସିଲା ।ଆଖି ଦେଖିଲେ ହି ବୋଧେ ନାକ ବାସ୍ନା ଟା ଟିକେ ଗହୀରିଆ କି ଟାଣିପାରେ ।କଡାକି ଆଉ ଟିକେ ଫୁଟୁ ଭାବିଲି ।ବଗ କି ଏଣ୍ଡୁଅଟେ ପରି ବେକ ବୁଲେଇ ରାଜରାସ୍ତାକୁ ଚାହିଁଲି କାନ୍ଧ ଟାରେ ମୁଣ୍ଡ ଟାର ଭାର ଥାପିଦେଇ ।
ଏ ରାଜରାସ୍ତା ।ଆଗରୁ .... ମାନେ କେତେ ଆଗରୁ ଥିଲା କଚ୍ଚା ରାସ୍ତା ।ଏବେ କଳା ପକ୍କା କଂକ୍ରିଟ୍ ।ତଥାପି କାଛିଏ ମେଘରେ ମାତ୍ର ଗାତ ହେଇଯାଏ କୋଉ ବାଗରେ କେଜାଣି ।ଦଶହାଣ୍ଡି ପାଣି ଠୁଳ ହେଇଯାଏ ଚାହୁଁ ଚାହୁଁ ଆଉ ଗାଡି ମଟର ଧିମେଇଯାନ୍ତି ।ହେଲେ ଏଇଟା ଶରତ ଶୀତ ମଝାମଝି ବେଳା ।ଇଲେ ଏ ଆଶଂକା ଟିକେ କମ, ତଥାପି ଆଜିକାଲି ପାଣିପାଗର କି ଭରସା କି ଓ ।ଧାନ ଟା ଅମଳ ବେଳକୁ ପରା ନାଛି ଦିଏ ମେଘ ଅସରା ଅସରା ଯେ ବିଲରେ ସଢେ ଫଳନ୍ତି ସୁନା ।ଆଗରୁ ଏ ରାଜରାସ୍ତା ରାଜ କରୁଥିଲା ।ଲମ୍ବ ହେଇ ଦଣ୍ଡବତ କଲା ପରି ଆକାଶ ସହ ଗପି ଗପି ଚାଲୁଥିଲା ଏକା ।ତାର ପ୍ରକୃତି ର ସଙ୍ଗାତ ବସିଥିଲେ ।ଏଇଲେ ଅପଡ ନହେଲେ ବି ତାଙ୍କ ମଝିରେ ଏ ପ୍ଲଟିଂ ଜମି, ପାଚେରୀ ବୁଲା / ଅଧାଗଢା ପ୍ଲଟ ,ଆଉ ମାଳ ମାଳ ଏନକ୍ଲେଭ, ଆପାର୍ଟମେଣ୍ଟ ମୁଣ୍ଡ ଟେକିଲେଣି ।ଆଛ୍ଛା ଏ ଆପାର୍ଟମେଣ୍ଟ ର ଓଡିଆ ଟା କଣ ହବ ଟି ? ଏ ରାସ୍ତାର ଦିପଟ ଚାଷଜମି ଥିଲା, ଧାନ,ମୁଗ,ବିରି, କୋଳଥ, କଦଳୀ, ନଡିଆ, ଗୁଆ, ଶୀତପରିବା ଫଳଉଥିଲା ।ଏବେ ଚାରିପଟ ଡେଣା କଟା ସବୁଜିମା ।ଥୋକେ ଥୋକେ ଜାଗାରେ ଚାଷ ଅଛି ଯେ କାଉଖଣ୍ଡିଆ ପରି ହେଲେ ତା' ବେଳକାଳ ବି ସରିଲାଣି ।ଚାଷି ମାନେ ତା ପରକୁ କଣ କରୁଥିବେ କେଜାଣି , ଏଇ ଯାଦୁକାଛୁ ପରି ମାଡୁଥିବା ସହରୀକରଣ ରେ ନିଜ ଭାତହାଣ୍ଡି ଜମିମାଆ କୁ ଶାଗମାଛ ଦରରେ ବିକିଦେଇ ? ହ ମୁଁ ପା ପକେଇଛି ଛ, ଆଠ ଗୁଣ୍ଠ ଏଇ ଦେଢକିମି ଭିତର ଗାଁ କୁ ଟିକେ ।ଆୟେ ଯେତେ ଭିତର ଗାଁ ଦର ସେତେ କମ ରହିବ ।ହଉ ହେଲା ଏବେ ସିନା ରାସ୍ତା ଟା ତା ଜିଭ ବୁଲେଇନି ସେଯାଏ, ହେଇ ହେଇ ପାଞ୍ଚୁଟା ବରଷ ଯିବନି ପରା ।ଜଙ୍ଗଲନିଆଁ ଧରିବାକୁ ଖରାଦିନେ ଝାଞି କଣ କମ ବହେ ! ଯୁଆଡେ ଯୁଆଡେ ଲୋକ ରହିବେ ସିଆଡେ ସିଆଡେ କୋଠା ଗଢିବେ ।ମାଳ ମାଳ ଇଟା ଇମାରତ୍ ମାଟିର ମାଟିଆ ବିଛଣାକୁ କୁନ୍ କୁନ୍ କରି ମୂଷା ପରି କାଟି ବାଟି ବିଦାରି ଦବ ହି ଦବ ।ବହିରେ ମାଟିର ରଙ୍ଗ ମାଟିଆ ପଢି ଆଉ ଅଳପ ଦିନେ ପିଲେ ଖୋଜିହେବେ ମାଟି ଗୋଟେ କି ଚିଜ ଦେଖିବାକୁ, ଛୁଇଁବାକୁ ।ଏବେ ଏବେ ଯେମିତି ଓ ସେଇପଟକୁ ଦୃଢ କିଲୋମିଟର ଭିତରକୁ ବଧେ ଗଢାହଉଛି ଗୋଟେ ରିସୋର୍ଟ " ମାଇଁ ଭିଲେଜ୍ " ।ଗାଁ କୁ ଦଳି ଦେଇ କୃତିମ ଗାଁ ରେ ଲୋକେ ଘଡିଏ ପଇସା ବୁଣି ଚାଳିଆ ଭିତରେ ମୁଗଜାଇ ରଗଡାର ସୁଆଦିଆ ଅନୁଭୂତି ଗୋଟେଇବାକୁ ଯିବେ ।ସତ ଗାଁ କୁ ମୁହଁ ମୋଡିବେ ।ଏ ଦେଖିଣିଆ ସଂସ୍କୃତି କୋଉ ଦେଶରୁ ଆମ ଦେଶକୁ ଗଡୁଛି କିଏ କହିବ?
ହ ଏପଟ ରାସ୍ତା ଟାକୁ ଏବେ ବାଇପାସ୍ କୁହା ହଉଛି ।ସେପଟେ ପୁରୀକୁ ଗଲେ ତମେ କେତେ ଗାଁ, ଗାଁ ଚଳଣୀ, ପିପିଲି ଚାନ୍ଦୁଆ, ବିଲ ବାରି, ନଡିଆ ଗଛ ଛାଇରେ ଛାଇରେ ବାଟମଙ୍ଗଳାଙ୍କ ଦର୍ଶନ ସାରି ପହଞ୍ଚନ୍ତ ଅଠରନଳା ଡେଇଁ ମେଡିକାଲ ଛକ ପଟେ ବାହାରନ୍ତ । ଆହୁରି କେତେକଣ ଦେଶୀୟ ଭୋଗନ୍ତ ।ଏପଟେ ଗଲେ ଫାଙ୍କା ।ଗାଡି ପବନ ସାଙ୍ଗେରେ ଉଡିକି ଯିବ ।ରାସ୍ତା ଟା ଅଚିହ୍ନା ଲାଗେ କିନ୍ତୁ ।କିଏ ପଚାରିଲେ ଧଡ୍ କି କହିହୁଏନି କୋଉଠି ଅଛି ।ଏପଟେ ସମୟ ବଞ୍ଚିଯାଏ ।ଗହଳି ନଥାଏ ।ସବୁ ବଡ ଲୋଡ ଗାଡିର ଚକ ଏଇପଟେ ଗଡନ୍ତି ।ହଜାରେ ଗପ ରାସ୍ତା କଡରେ ମୁଣ୍ଡ ଟେକନ୍ତି ।ଏଇ ଯେମିତି ଆମର ଏଇ ଛୋଟିଆ ବାଟିଛାଟି ନରିଦାଦା' ଚାହା ଦୋକାନ । ଆମ ପରି ଘର କାମ ଚାଲିଥିବା ଲୋକେ ଏଠି ବେଳ ଅବେଳରେ ଯୁଟନ୍ତି ।ଗପ ପାଖୁଡା ମେଲାନ୍ତି ଆଉ ଫେରିଯାନ୍ତି ଅସ୍ତରାଗର ରଙ୍ଗ ପରି ଆଲୋଚନା ନିଷ୍କର୍ଷ ସବୁକୁ ରାତିକ ପାଇଁ ଖୋରାକ କରି ।ପୁଣି ତହିଁରୁ ଖିଅ ଭିଡି ଆଉ କୋଉଠି ଗପ ଲମ୍ବିଯାଏ ରାସ୍ତା ପରି ।
ଏ ରାସ୍ତାକୁ ଚାହିଁବା ଭିତରେ କ୍ରସ୍ କରିଯାନ୍ତି ଶହ ଶହ ଗପ ତୁମକୁ ।ସବୁ କ୍ରସ କରୁଥିବା ତ ମେଞେ ଗପ ମଞ୍ଜି ପାଖରେ ରଖିଥାନ୍ତି ।ଆବଶ୍ୟ କିଏ କଣ ଅଟକେ କହି ବଖାଣିବାକୁ ! ସିଏ ବି ଭଲ ମ ଗୋଟେ ଦୃଷ୍ଟି ରୁ ।ମୁଁ ଗପ ଗଢେ ଏମାନଙ୍କୁ ଦେଖୁ ଦେଖୁ ନିଜ ଭିତର କାନଭାସ ରେ ।
ଏବେ କାଳେ ଲଜ୍ଜା ପଦଟି ଟିକେ କମ ବୋଲି ଦିଶେ ସବୁଠି ।ଖବରକାଗଜ ଠୁ ଦୂରଦର୍ଶନ ପରଦା ଯାଏ ।ଏମିତି କି ଲୋକ ଚକ୍ଷୁରେ ବି ।ତମେ ବିଷୟ ଟିକୁ ତେଜିଲେ ତମେ ଆଉଟ୍ ଡେଟେଡ୍, ରୁଢୀବାଦୀ ରେ ଗଢି ହବ ମୁହଁମୋଡା ସହ ।କାଇଁ କହିଲି କି ,ଇଆଡିକି କାନଟା ଆଣିଲେ ସିନା କହିବି ! ଏଇ ଯୋଉ କଲେଜିଆ, ନୂଆ ନୂଆ ଅଫିସିଆ ପୁଅଝିଅ ସବୁ ହଳି ହେଇ ଏଇ ବାଇପାସ୍ ଟା ଧରୁଛନ୍ତି ଆଉ ବିଲେଇ ଆଖି ବୁଜି ବୁଜି ଖିର ପିଇଲା ପରି ସଂସାର ଆଖି ରେ ଅନ୍ଧ ପୁଟୁଳି ବାନ୍ଧିଛୁ ଭାବି ବିକ୍ରମବେତାଳ ଗଳ୍ପ ର ମୁଖ୍ୟ ଚରିତ୍ର ରାଜା ବିକ୍ରମ କାନ୍ଧରେ ଝୁଲୁଥିବା ଶ୍ବେତ ଦୀର୍ଘ ଶୁଶ୍ରୁ ଧାରୀ ବେତାଳ ପରି ପିଠିରେ ଲଦି ହେଇପଡିଥିବା ପୁଅଝିଅ ଙ୍କ ଗାଡି ଟେ ଉଡିଗଲେ ମତେ ଆଶ୍ଚର୍ଯ୍ୟ ଲାଗେ ।ପୋଷାକ ସଂଠଣା କଥା ପରେ ବିଚାରିବା ।ଏଇ ଯୋଉ ପୁଅଟି ମାନ ଗାଡି ଚାଳକ ତାଙ୍କ କ୍ଷମତା ଅପ୍ରତିମ ।ଭାବୁନ ଜଣେ ତମ ପିଠିରେ ଓହଳିଥିବ, ତମେ ଗାଡିଟା ଶହେ ପାଖାପାଖି କି ବେଶୀରେ ଉଡଉଥିବ ।କିଏ ସାଧାରଣ ମଣିଷ ପାରେ କଣ ? ଆଉ ଏ କନ୍ୟା ରତ୍ନ ମାନେ ତ ଅପୂର୍ବା ।ଝୁଲି, ଓହଳି କେମିତି ଏତେ ଆନନ୍ଦମୟୀ ହୋଇପାରନ୍ତି ସେମାନେ ଜାଣୁଥିବେ ।ପ୍ରାଣକୁ ଟୋପେ ନା ଭୟ ଅଛି ନା ଲୋଭ ।ପ୍ରେମପକ୍ଷୀ ର ମେଘଡେଣା ଥାଏ ପରି କାବ୍ଯିକ ପଦକୁ ନିଶ୍ଚିତ ଅବଚେତନେ ସତ ମଣନ୍ତି ଏମାନେ ।ଦେଖିଲା ଲୋକ କିନ୍ତୁ ଚେତା ବୁଡିଯିବାରେ, କି ବୋଉକିଲୋ କହି ଆଖି ଡରରେ ମୁଦି ଦବାରେ କିଛି ଆଚମ୍ବିତ ତଥ୍ଯ ନାହିଁ ।ମତେ ତ ଭୟ ଲାଗେ ଯଦି ଏମାନେ ଖସି ପଡିବେ ତ ସିଧା ନରକକୁ ବାଟ ଟି! ବାପ ମାଆ ଯାହା ଭୋଗିବେ ସେତକ ଅଧିକନ୍ତୁ ନ ଦୋଷାୟ ବିଧିରେ ଗଣା ।ପ୍ରେମକୁ ନେଇ ଏମନ୍ତ ଉଡନ୍ତ ଦୃଶ୍ୟ ସବୁ ହେଜୁ ହେଜୁ ମନ ମୋର ଉଠିଯାଇ ପହଞ୍ଚିସାରିଥିଲା ମୋର ଏଇ ବୟସର ପଛ ଦିନ ସବୁକୁ ।
ସେ ସଂଜ ବି ଗୋଟେ ସଂଜ ଥିଲା, ପଚିଶଟିଟି ବସନ୍ତ ପୂର୍ବେ ।ଅଭୁଲା ସଂଜ ମୁହାଣଟାରେ
ସିଏ ପଚାରିଥିଲା ଆଖି ରେ ଆଖିଏ କଜଳ ମଡେଇ
_ ତମେ ମତେ ଭଲ ପାଅ ତ ? କୁହନି କାଇଁ କେବେ? ତୁମର ଏ ପୁରୁଣା କାଳିଆ ଢଙ୍ଗ ମତେ ଭଲ ଲାଗେନି ।କିଛି କଥା ଦେଖେଇବାକୁ ହି ହୁଏ ।ସେଇଥିରେ ତାର ସୁଆଦ ।
ମୁଁ ଉତ୍ତର ରେ ଫେରେଉଥିଲି ଧିର କଣ୍ଠରେ
_ ଏହା ତ ଅନୁଭବର କଥା ।ଶବ୍ଦ କଣ ବଖାଣିପାରେ ସବୁ ଅନୁଭୂତି କୁ ? ତମେ କଣ ଏବେ ଯାଏ ବୁଝିପାରନା?
ସିଏ ଅଭିମାନ ବୋଳି କହେ ,
_ ଥାଉ ଥାଉ ସମର ତମର ସେ କାବ୍ଯକତା ।ମତେ ନେଇ କବିତା ଟେ ତ ଲେଖିନ ଯେ ଏ ଯାଏ?
ତା ଅବିମାନକୁ ତରଳେଇବା ଭଙ୍ଗୀର ଚେଷ୍ଟା ଟେ ରଖୁଥିଲି ମୁଁ
_ ତୁମେ ତ ନିଜେ ଚଳନ୍ତି କାବ୍ଯପଦ ।ଆଉ ରହିଲା କଲମରେ ଢାଳିହେବା କଥା ସେଥିପାଇଁ ପରା ଲଡିବାକୁ ତୋଳିବାକୁ ହୁଏ ଶବ୍ଦ ମଞ୍ଜି ।ତୁମର ତୁଳନା ବା କାଇଁ ଯେ ଲେଖିବି!
ଅଳ୍ପ ହସି ସିଏ ପୁଣି ପଚାରୁଥିଲା,
_ ତମେ ମତେ ଝୁରିବନା ଯଦି ମୁଁ ନ ମିଳେ ଏ ଦେହରେ ତମକୁ ?
ମୁଁ ଗମ୍ଭୀର ହେଇ କହୁଥିଲି,
_ ଏ କଣ ଗୋଟେ କଥା ରେ କଥା !
ଯିଏ ଅନ୍ତରରେ ଥାଏ ସିଏ ତ ଆତ୍ମା ସହ ଗଠବନ୍ଧନ ବାନ୍ଧି ସାରିଥାଏ ଛନ୍ଦା ।ପୁଣି ଦେହର ଭଲା ଏଠି ଅସ୍ତିତ୍ଵ କାଇଁ ଯେ ।ପ୍ରେମରେ ଝୁରିହେବା ନଥାଏ ମୋ ମତରେ ।ପ୍ରେମ ତ ସଂପୂର୍ଣ୍ଣ କରେ । ଭିଜାଏ ।ହଜେଇଦିଏ ।ମୋର ମନଟି ଥିବା ଯାଏ ତୁମେ ଥିବ ମୋ ମନରେ ।
ସେ ଖୁବ୍ ଦୁଃଖି ହୁଏ ।ମୋ ପାପୁଲିକୁ ଆଙ୍ଗୁଳି ରେ ତାର ଲଟେଇ ପଟେଇ କହେ
_ ଚାଲନା ଆମେ ବି ହାତରେ ହାତ ଛନ୍ଦି ସିନେମା ଯିବା ।ଦେଖୁନ ସମସ୍ତେ କେମିତି ଯାଉଛନ୍ତି ।ତମେ ଏତେ ପୁରୁଣାକାଳିଆ କେମିତି ହେଇପାର ଯେ ।
ମୁଁ ଧିରେ କି ମୁକୁଳେଇ ଆଣି କହେ ,
_ ନା ଦୃଷ୍ଟିକଟୁ ହୁଏ ଏ ସବୁ ।ଆମ ଭିତରର ଭାବଟା ଖୋଲା ଦାଣ୍ଡ ରେ ପ୍ରଦର୍ଶିତ କରିବାରେ ବା କି ଆନନ୍ଦ ! ଯହା ସୁନ୍ଦର ତାହା ଚିର ସୁନ୍ଦର ।
_ ତେବେ କବିତା ଲେଖିବା ଛାଡିଦିଅ । କହି ଉଠିଯାଏ ସେ ।
କଥା ବଢେ ।ବଢୁ ବଢୁ ବଢିଯାଏ ।ଆନନ୍ଦ, ଅନୁରୋଧ, ଅନୁରାଗ ସବୁ କୁ ସିଏ ପ୍ରତ୍ଯାଖ୍ଯାତ କରି ଫେରିଯାଏ ପଛକୁ ।ତା ଭାଷାରେ ମୁଁ ବର୍ତ୍ତମାନଠାରୁ ବହୁତ ପଛରେ ।ଆଗକୁ ଉଡିବାରେ ପ୍ରତିବନ୍ଧକ ।ସିଏ ଫେରିଯାଏ .... ସବୁ ପ୍ରେମିକାଙ୍କ ପରି ହାତ ଅଧାରୁ ଛାଡିଦେଇ ।ମତେ ବ୍ଯାକୱାର୍ଡ କହିଦେଇ ।
ଆଜିକାଲି ମୁଁ ଖାଲି ଗପ ଲେଖେ ।
ଗୋଟେ ଗାଡିର ଭଁ କରି ସଶବ୍ଦେ ରହିବାରେ ମୁଁ ଝାଙ୍କି ହେଇ ଫେରିଆସିଲି ପୁଣି ସେଇ କାଠ ବେଞ୍ଚକୁ ।ଦଲକାଏ ପବନର ବାସ୍ନା ଗାଲରେ ଲେସି ହେଇଗଲେ ।ନରିଦା' ମୋ ପାଖରେ ଚାହା ଆଉ ପକୁଡି ପ୍ଲେଟ ଟି ଥୋଇ କହିଲେ, " ପିଇଦିଅ ବାବୁ ପବନ ଥଣ୍ଡାଳିଆ କରିଦବ ।ମୁସୁମୁସୁ ସିନା ସୁଆଦ " ।
_ ହୁଁ ।
_ କଣ ବାବୁ ଆଜି ଏତେ ଗମ୍ଭୀରିଆ ଦୁଶୁଛ? କଣ କିଛି ଘଟିଛି ନା ଘଟିବ ?
ମୁଁ ନିରୁତ୍ତର । ଆକାଶୀ ରଙ୍ଗ ଆକାଶକୁ ଚାହିଁ ଖୋଜୁଥିଲି କିଛି ଯେମିତି ।ନଡିଆ ବାହୁଙ୍ଗା ସନ୍ଧି ରେ ପେନ୍ଥି ପେନ୍ଥି ନଡିଆ ଫୁଲ ହସୁଥିବାର ଦେଖିଲି । ଚଅଁର ଭରା କୁନି ଗହମ ହଳଦି ଫୁଲ ସବୁ ସତରେ ଧରିରଖିଥାନ୍ତି ସହସ୍ର ନଡିଆ ଗଛର ଜୀବନ ବୀଜ । ଦୁରରେ ଅଦୃଶ୍ୟ ହେଉଥାନ୍ତି ଅଗଣିତ ବଗପକ୍ଷୀ ଧବଳନୀଳ ରଙ୍ଗଟେ ଚହଟେଇ । ଅଗଣିତ ଏଇଥି ପାଇଁ ଯେ ମୁଁ ଗଣିପାରେନି ଉଡୁଥିବା ଚଢେଇର ଗୋଡ କି ଡେଣା ।ହେଲେ ଭାସିଯାଇପାରେ ସେତିକି ବେଗରେ କି ତାଠୁ ଆହୁରି ବେଗରେ ମେଘମାଳା ସହ ସାଥୀ ହୋଇ ।ମନଟା ସ୍ବପ୍ନବୋଳା ଲାଗୁଥିଲା ।
ହଠାତ ଗୋଟିଏ ବାଇକ୍ ଆସି ଅଟକିଲା ଦୋକାନ ଆଗରେ ।ଆଗ୍ରହ ନଥାଇ ବି ଅନେଇ ଦେଲି ମୁଁ ସେ ଦିଗକୁ ।ଆଜିକାଲିଆ ବିଚିତ୍ରିଆ ଗାଡିଟି ।ତେଡା ମେଢା ଅଷ୍ଟବାଙ୍କ ଗାଡି ।କୋଉ ଅଭିନେତା ଙ୍କ ଅନୁକରଣେ ବାପ ଶଙ୍ଖିରେ ବସି ଲକ୍ଷ୍ୟାଧିକ ଗଣି ଆଣିଥିବେ ପୁତ୍ରମଣି ।ଏମିତି ଦେଖେଇ ହବାର ମନୋବୃତ୍ତି ସବୁ ଇର୍ଷା ତିଆରେ ତାର ଅଜାଣତେ ।କି ଆଧୁନିକତା ।ମୁଁ କଳ୍ପନା କଲି, ଏଇ ଗାଡିଟା ମୁଁ ଚଲେଇଲେ ମୁଁ କେମିତି ଦିଶିବି? ଛେଃ ପୁରା ବେକାର ।ମୁଁ ପାରିବି ବି କୋଉ ଏପଟୁ ବୋଇଲେ ସେପଟୁ ଚେପା ଗାଡିକୁ ସମ୍ଭାଳି ।ଅତି ଦୀର୍ଘ ଶ୍ବାସଟେ ବାହାରି ଆସିଲା କୋଉ ଦବା ଅବଶୋଷ ର ହସଟେ ସହ । ଏ ମଣିଷ ଟା ବି ସବୁଠୁ ବିଚିତ୍ର ଜୀବ ।ନିଜେ ପ୍ରଶ୍ନ, ନିଜେ ହି ଉତ୍ତର ବାଢୁଥାଏ ପ୍ରତିକ୍ଷଣ ।
ମୋ ଆଗରେ ହଳପକ୍ଷୀ ।ଝିଅ ଟି କାଇଁ ଭାରି ଆପଣାର ଲାଗିଲା ।ସାଦାସିଦା ।ସାଲୁଆର କମିଜ ପିନ୍ଧିଥାଏ ।ଘରୋଇ ବେଶଭୁଷା ।ଧିର ଚାହାଣୀ ।ଏ ଟୋକାଟା କିନ୍ତୁ କିଛି ଭଲ ବାସୁନଥାଏ ।ଏ ଭଳି ନିରିମାଖୀ ଝିଅଟି ନିଜ ପଘା ଏ ବାତେରା ଜାତୀୟ ଜନ୍ତୁ ହାତରେ କାହିଁକି ଦେଲା ।ମଣିଷ ଚରିତ୍ର ବ୍ରହ୍ମା ଙ୍କୁ ଆଗୋଚର ।
ରସିକେନ୍ଦ୍ରମୌଳି ଟୋକା ଙ୍କ ଆଖି ରେ ଉକୁଟି ଆସିଥାଏ ପ୍ରବଳ ବିରକ୍ତି ଓ ହାରାଶପଣ ।ଦୋକାନ ଠୁ ଟିକେ ଦୂରକୁ ଗାଡି ପଛଚକ ପାଖକୁ ସଂଭ୍ରମତା ରେ ଜାକି ହେଇ ଠିଆ ହେଇଥାଏ ।ଲାଗୁଥାଏ ତା ' ଆଖି ଧରି ରଖିଛି କାହାର ଏକ ଅନ୍ତରତମ ବିଶ୍ବାସ କୁ ସାଇତି ଆଉ ସେଇ ତାର ଦମ୍ଭ ।ଟୋକାଟା ନରିଦା' କୁ ଚାହିଁ ବରାଦ କଲା, " କଡା ଚା ଗୋଟେ " ।ଝିଅ ଟିକୁ ଚାହିଁ ଫୋପାଡିଲା ପ୍ରଶ୍ନ ଟେ ," ପିବୁ ? " ଝିଅ ଟି ତା ପାଦ ତଳର ସାଧବବୋହୂକୁ ନିରୀକ୍ଷଣ କରୁକରୁ ନାସ୍ତିସୂଚକ ମୁଣ୍ଡ ହଲେଇଲା ଆଉ ପୁଣି ସାଧବବୋହୂ ପିଠିର କଜଳ ବିନ୍ଦୁ ଗଣିଲା ।ଟୋକା ତାକୁ ସେମିତି ଚାହିଁଥାଏ, ଆଖି ରେ ହାରିଯାଉଥିବା ର କ୍ରୋଧଟେକୁ ଜାବୁଡି ।ଭୁସୁଡି ପଡିବା ପରି ଆଗକୁ ଗଲା ଆଉ କିଛି କହିଲା ।ଶୁଭିଲାନି ଏତେ ଆସ୍ତେ କହିଲା ।ଝିଅ ଟିର ମୁଣ୍ଡ ଉପରେ ସତେ ପ୍ରଶ୍ନ ଟିଏ ଝୁଲେଇଦେଲା ।ଅସମାହିତ ପ୍ରଶ୍ନ ।ଝିଅ ଟି କିଛି ଉତ୍ତର ତ ଫେରେଇଲା ।ବୋଧେ ଟୋକାର ପ୍ରତ୍ଯାଶା କୁ ରୁଚିଚୁନା କରିଦେଲା ତା ଉତ୍ତର ।ଉତ୍ଯକ୍ତ ହେଲା ଟୋକା ଆଉ ଅପେକ୍ଷାକୃତ ଯୋର୍ ରେ କହିଲା," ଛୁଇଁବାକୁ ତ ଦବୁନୁ, କିଛି କରିବାକୁ ତ ଦବୁନୁ ଆଉ କି ଭଲପାଉଛୁ ବେ ? ଶଳାଃ* ଆଛ୍ଛା ମଣିଷ ଫସିଗଲା ।ଓହୋ ଏ କଳିଯୁଗର ସୀତା ତୁ ଆଉ ।"
ଝିଅଟି ଅବିଚଳିତ ଥିଲା ।ତାର ସେ ବିଶ୍ବାସ ପୁଞ୍ଜି ଚହଲି ନଥିଲା ଏ ପାଣିଚିଆ ଚହଲା ଧମକରେ ।ସିଏ ସେମିତି ସ୍ଥିର ପ୍ରତିକ୍ରିୟା ସ୍ଥିର ରଖି କହିଲା ," ପ୍ରଥମେ ମୋ ବାପାଙ୍କୁ ଦେଖାକର ।ସିଏ ଖୁସି ଖୁସି ରାଜି ହୋଇ ବିବାହ ସମ୍ମତି ଦିଅନ୍ତୁ ।ବିବାହ ପରେ ଯାଇ ଯୋଉ କଥା ।" ତା' ଭରସାର ସ୍ରୋତ ତା' ବାପା ଥିଲେ ।
ରାଗରେ ଥରୁଥିଲା ପୁଅଟି ।ଗାଁଉଲି ସରଳ ଦିଶୁଥିବା ଝିଅ ଟିର ଅଦୃଶ୍ୟ ତେଜ ଆଗରେ ସିଏ ହାତବନ୍ଧା ଖୁନୀ କଏଦୀ ପରି ଛଟପଟ ହେଇଯାଉଥିଲା ।ହେଲେ ଝିଅ ର ଆଭା ମତେ ମୁଗ୍ଧ କଲା ।ତା' ଦୃଢ ମନୋବଳ, ସ୍ପଷ୍ଟ ଉତ୍ତର ଓ ଆଖି ରେ ନିଡରତା ରେ ମୁଁ ଅଭିଭୂତ ହେଲି ଓ ମନେ ମନେ ତଥାସ୍ତୁ ଈଶ୍ବର ଙ୍କୁ ପ୍ରାର୍ଥନା କରିଦେଲି ଯେ ," ଏ ଯୋଡି କେବେ ଜୋଡି ନ ହେଉ । ଏ ଝିଅ ଟିକୁ ତାର ଉଚିତ୍ ବର ମିଳୁ ।"
ରାଗରେ ପୁଅଟି କହିଲା, " କଣ ଇଛ୍ଛା ହଉଛି ଜାଣୁ? ଏ ତତଲା ଚାହା ତକ ତୋ ମୁହଁ କୁ ଛାଟି ଦିଅନ୍ତି ।"
ଏବେ ମୁଁ ଉତ୍କ୍ଷିପ୍ତ ହେଲି ।ମାତ୍ର ଆମେ ସାଧାରଣ ମଣିଷ ଙ୍କ ଗରମପଣିଆ ଆମ ଭିତରେ ଅତି ଶିଘ୍ର ଦବିଯାଏନି କି " ହେ ,ଝାମେଲାରେ କିଏ ମୁଣ୍ଡ ପୁରଉଛି ।" ଆପେ ବଞ୍ଚିଲେ ବାନର ନାଁ ନ୍ଯାୟ ରେ ।ସେୟା ହେଲା।ମତେ କାନ୍ଦ ଲାଗିଆସିଲା ଭିତରୁ ।ଯଦି ମୋ ଝିଅ ହେଇଥାନ୍ତା ମୁଁ କଣ କରିଥାନ୍ତି ଭାବିଲି ।
କିନ୍ତୁ ଝିଅ ଟି ଆଶ୍ଚର୍ଯ୍ୟ କରି ଉତ୍ତର ଦେଲା, " ଏମିତି କଲେ କଣ ତୁମେ ରକ୍ଷା ପାଇଯିବ? ମୋ ଜ୍ବଳନ ର ଦାହ ତମକୁ ଜଳେଇ ନ ଦେଇ ଛାଡିବବା କାହିଁକି? "
ସେମାନେ ସେଇ ଚାହା କପ୍ ର ପଇସା ତୁଟେଇ ବାହାରିଲେ ।ଝିଅ ଟି ଯଥା ସମ୍ଭବ ନିଜକୁ ଦୂରେଇ ବସିଲା ପୁଅଟିର ପଛରେ ।ଗାଡି ଉଡିଗଲା ।
ମୁଁ ଭାବିଲି, " ହେ ଈଶ୍ବର ତୁମେ ଯଦି ସତରେ ଥାଅ ମୋ ଛାତିତଳ ଡରକୁ ସତ ହବାକୁ ଯେମିତି ନ ଦିଅ ।ଝିଅ ଟି ମୁକୁଳି ଆସୁ ଏ ଜାଲରୁ " ।
ଏ ଭଲା କି ପ୍ରେମ ।ନା ନା ।
ଈଶ୍ବର ଶୁଣିଥିବେ ତ ? ତାଙ୍କ ଶୁଣିଥିବାର ପ୍ରମାଣ ଅପ୍ରମାଣ ତ ଅନେକ ।
ମୁଁ ବୁଢୀଆଣି ଜାଲରେ ଛନ୍ଦି ହେଇଗଲି ।ଉଠିଲି ।ନରିଦା' କୁ ଛୁଟକା ଖୁଚୁରା ରେଜା ରେଜି ସବୁ ମିଶେଇ ଆଉ କୋଡିଏ ଟଙ୍କା ଦିଟି ବଢେଇ କହିଲି, " ପକେଟ ଝାଡିଦେଲି ଦାଦା ।ଦେଇଦିଅ ଗରମାଗରମ ପକୁଡି ତମ ବୋହୁ ପାଇଁ ।"
ନିଜେ ଆହ୍ଲାଦିତ ହେଲି ନିଜ ଶବ୍ଦ ରେ ।ସବୁ ଅଡୁଆରୁ ମୁକ୍ତ କରି ମିଠା ସୂତାର ଭାବନା ଜାଲଟେ ଆବୋରିବା ଆରମ୍ଭିଲା ମତେ ।
ଏମିତି ସଂଜ ସଂଜ ମୁହାଣରେ ବସିଥିଲୁ ତାର ,ମୋର ।
ନିରିମାଖୀପଣ ତାର ମୋର ପଲକ ଦିଟିଙ୍କୁ ଆନମନା କରୁଥିଲେ ।ନବବଧୂ ବେଶେ ଲଜ୍ଜାନତ ଝାଉଁଳା ଥିଲା ସେ ।
କଣ କହିବି, କେମିତି କହିବି ଭାବୁ ଭାବୁ
ଶୁଭିଗଲା, " ଏଇ ଜହ୍ନ ଥିବ,ଏଇ ରାତି ଥିବ
ଏଇ ଫୁଲ ଥିବ ,ଏଇ ପ୍ରେମ ଥିବ
ମୁଁ ଥିବି ସ୍ମୃତି ରେ ସ୍ମିତଟେ ହେଇ ତୁମ ଓଠରେ .....
କଣ ମତେ ଝୁରୁଥିବ ତ
ମିଠା ମିଠା ମଧୁମତି
କିଏ ଜଣେ ଥିଲା ବୋଲି ଜୀବନେ ।"
ମୋ ସ୍ବପ୍ନର ନାୟିକା
ମୋ କବିତାର ଧାରା
" ଅତସୀ "
ସେଇଦିନୁ ପୁଣି ଫେରିଥିଲି କବିତାକୁ ।ହାତ ଧରି ନେଇଆସିଥିଲେ ସେ।
ଆଉ ଏବେ
ପକେଟ ଫୋନଟି ବାଜି ଉଠିଲା ।ନରିଦା ' କୁ ଠାରରେ " ରୁହ " କହି ଉଠେଇଲି ଫୋନ ।
ସେପଟୁ ଶୁଭୁଥିଲା
" ଶୁଣ ! ଆସିଲଣି ଟି ।ଫେରିଲାବେଳେ ନରିଦା ' ଦୋକାନରୁ ପକୁଡି ଦିଟା ଆଣନ୍ତନି ।"