Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ପ୍ରେମର ଚିଠିଟିଏ ଆଈଙ୍କୁ

ପ୍ରେମର ଚିଠିଟିଏ ଆଈଙ୍କୁ

5 mins
711


ମାନନୀୟା, ପରମ ପୂଜନୀୟା ଆଈ ,

    ତୁ ମତେ ଯେତିକି ଭଲ ପାଇବା ଦେଇଛୁ, ମୋ ଜୀବନ କାଳ ମଧ୍ୟରେ ତାହା ମହାର୍ଘ l ତୁ ଚାଲିଗଲୁ ଉଣେଇଶ ଶହ ଅନେଶତ ମହାବାତ୍ୟା ପରେ ପରେ ଆଉ ମୁଁ ହରାଇଲି ମାତୃସମ ଆଈଙ୍କର ସ୍ନେହ ପ୍ରେମ, ସଦିଛା, ଆନ୍ତରିକତା ଓ ଭଲପାଇବା l ଏଵେ ବି ଶୂନ୍ୟ ହୃଦୟ କବାଟ ଖୋଲି ସେହି ନିବିଡ଼ ସ୍ମୃତି ସବୁ ଫୁଟି ଉଠେ ମାନସ ପଟରେ l ତୁ କେତେ ନିଜର ଥିଲୁ ଆଈ ମୋର l ମୁଁ କଣ ତୋ ପରି ଆଈ ଟିଏ ହୋଇପାରିବି, କେବେ ନୁହେଁ ନା ?

ଆଜିବି ସାବିତ୍ରୀ ଆସିଲେ ,ପ୍ରଥମାଷ୍ଟମୀ ଆସିଲେ, ମନେପଡେ, ତୁ ମୋ ପାଇଁ ଆଣି ଆସୁଥିବା ଶାଢ଼ୀ, ଶଙ୍ଖା, ସିନ୍ଦୁର ସହ ପୁରୀ ଅବଢ଼ା l ତତେ ମୁଁ ଦେଇଛି କଣ ?ତୁ କାହିଁକି ଏତେ ଭଲ ପାଉ ମତେ ?ମୁଁ ତୋ ପାଖରେ ରହି ପାଠ ପଢ଼ୁଥିଲି , ତୋ କଥା ମାନୁଥିଲି , ସମୁଦ୍ରକୂଳ କି ସିନେମା ହଲ , ତୋ ବିନା ଅନୁମତିରେ କୁଆଡେ ଯାଉନଥିଲି l ଯୁଆଡେ ଯାଉଥିଲି ତୋ ସହ , କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବ ରାତିରେ ସିଂହଦ୍ୱାରରେ ହୁଏ ଭଜନ ସମାରୋହ l ତୁ ନେଇଯାଉ ମତେ, ମୁଁ ସ୍ୱ ଚକ୍ଷୁ ରେ ଦେଖେ ଭିକାରୀ ବଳ , ଅକ୍ଷୟ ମହାନ୍ତି , ଚିତ୍ତ ଜେନା, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ , ଶେଖର ଘୋଷ , ତାନସେନ ସିଂ , ଗୀତା ପଟ୍ଟନାୟକ , ତୃପ୍ତି ଦାସ , ଶ୍ୟାମାମଣି ଦେବୀ ଇତ୍ୟାଦି ସଂଗୀତ ଜଗତର କଳାକାରଙ୍କୁ l ଝୁଲଣରେ ତୋ ସହ ମଠ ମାନଙ୍କୁ ଯାଇ ଚିହ୍ନେ କୋଉଟା ଏମାର , କୋଉଟା ରାଧାବଲ୍ଲବ ତଥା କୋଉଟା କୋଉ ମଠ ଆଉ ଦର୍ଶନ କରେ ରାଧାକୃଷ୍ଣଙ୍କୁ l ତୁ ଆଣି ଦେଉଥିବା ସୋଲା ଲଗେଇ ଭାତ ଖାଇ କଲେଜ ଯାଏ l ତୁ ଆଣିଦେଉଥିବା ଅବଢ଼ା ଖାଇ ଖୁଦୁରୁକୁଣୀ ଓଷା କରେ l କାହା ସଙ୍ଗେ ହେଁ ହେଁ ଫେଁ ଫେଁ ହୁଏନି ,ତୋ ବାରଣ ମାନେ , ଏମିତିକି କାହାଠୁ ବହି ବା ନୋଟ ଖାତା ଆଣିବାକୁ ଥିଲେ , ତତେ କହେ ତୁ ଆଣିଦେଉ l ଏତେ ସବୁ ତୁ କରିଯାଉ ମୋ ପାଇଁ , ହେଲେ ମୁଁ ତୋର କଣ କରିଛି ଆଈ ???

ତୁ ଯୋଉଠି ଠିକ କଲୁ ବାହାଘର , ସେଇଠି ବାପା ରାଜି ହେଲେ ତ ,ବାହାଘର ହେଲା , କିନ୍ତୁ ମୁଁ କେମିତି ଚାକିରୀ କରିବି ବୋଲି ତୁ ମତେ ନେଇ ପୁରୀରେ ରଖି ବିଇଡି ପଢାଇଲୁ l ମୋ ଖାଇବା ପିଇବା ସହ ନାତୁଣୀ ଜୋଇଁ ଶନିବାର ରବିବାର ଆସିଲେ , ତାଙ୍କ ଖାଇବା ପିଇବା ବି ତୁ ବୁଝୁଥିଲୁ , ମାମୁଁ ଘରେ ନରହି ଭଡା ରହିଥାଏ ସିନା ମାଇଁ ମାନଙ୍କ ଦ୍ୱାରା ରୋଷେଇ ଆଣି ଦେଇଯାଉ ଚାଲି ଚାଲି , ଏ ସାହିରୁ ସେ ସାହିକୁ ମୁଁ ରହୁଥିବା ଭଡାଘରକୁ l

I ଖାଲି ସେତିକି ନୁହେଁ , ମତେ ଜଗି ଶୋଉଥିଲୁ ସିନା ,ହେଲେ ଖଟ ଉପରେ ନୁହେଁ ତଳେ , କେବେ ରାଜି ହେଉନଥିଲୁ ମୋ ପାଖେ ଖଟରେ ଶୋଇବାକୁ ,କେତେ ବାଧ୍ୟ କଲେ ବି ନୁହେଁ କହୁ ଜୋଇଁଟା ଯୋଉଠି ଶୋଉଛି ଆସିଲେ ,ସେଠି ମୁଁ କେମିତି ଶୋଇବି ??ଏମିତିକି ମଶା ଲାଗିଲେ ମୁଁ ମଶାରୀ ଟାଙ୍ଗିଲେ ବି ତୁ ମଶାରୀ ଭିତରକୁ ଆସୁନା ତ ମୁଁ ବାଧ୍ୟ ହୋଇ ଟେବୁଲ ଫ୍ୟାନଟାକୁ ତୋ ଆଡକୁ କରିଦିଏ କେବଳ l

ସେଥିରେ ମାଆ ହେଲି ଯେ ପିଲାର ଯାବତୀୟ କାର୍ଯ୍ୟ ସହ ମୋ ପରୀକ୍ଷା କଥା ସବୁ ବୁଝିଲୁ ଆଉ ମୁଁ ପ୍ରଥମ ଶ୍ରେଣୀରେ ବିଇଡି ପାସ କରିବାରେ ଯେତିକି ଖୁସି ହେଇଥିଲୁ ତାଠୁ ଅଧିକା ଖୁସି ହେଇଥିଲୁ ମୋ ଚାକିରୀ ଖବର ଶୁଣି l ସେତେବେଳକୁ ମୁଁ ଦ୍ୱିତୀୟ ସନ୍ତାନର ଜନନୀ ହେଇସାରିଥିଲି ଆଉ ତୋ ଯିବା ଆସିବା କମି କମି ଯାଇଥିଲା ,ତଥାପି ତୁ ସେହି ବୟସରେ ମୋ ପୁଅ ଝିଅଙ୍କୁ ରଖିବା ସହ ମୋ ଖୁଡି ଶାଶୁଙ୍କର ବି ଦେଖାଶୁଣା କରିଛୁ ଖୁବ କାଳେ ମୁଁ ହଇରାଣ ହେଇଯିବି ବୋଲି ,ହେଲେ ମୁଁ ଦରମା ପାଇଲା ବେଳକୁ ତୁ ନଥିଲୁ ତୁ ଦେଇଥିବା ପ୍ରଥମାଷ୍ଟମୀ ଶାଢ଼ୀ ଗୁଡିକ ସାଇତି ତା ଭିତରୁ ତୋ ସ୍ମୃତି ସବୁ ସାଉଁଟାଏ ,ଆଉ ଲେଖେ ଶାଢ଼ୀ ଗଳ୍ପ ,ଯେମିତିକି -

ପୁଅ କଲିକତାରୁ କଟକ ଫେରିବା ବେଳେ ଯେତେସବୁ ଶାଢ଼ୀ ଆଣିଥିଲା, ତା ଭିତରୁ ମୋ ଆଈ ଦେଇଥିବା ଶାଢ଼ୀ ପରି ଖଣ୍ଡେ ମୋ ପସନ୍ଦର,ଥିଲା ତ ସେ ଖଣ୍ଡକ ରଖି ନେଇଥିଲି l ବୋହୁ ଶାଢ଼ୀ ଖୋଜି ହେଉଥିଲା ତ ସେଇ ଶାଢ଼ିଟି ଦେଖାଇବା ପରେ କହିଥିଲା ହଁ ଏଇ ଶାଢ଼ୀଟା ସେ ପସନ୍ଦ କରିଥିଲା, ତାକୁ ଦେବାପରେ ସେ ନାହିଁ ଆପଣ ପିନ୍ଧନ୍ତୁ କହିଥିଲା କିନ୍ତୁ ଜୋର କରି ଦେଇଦେବା ପରେ ଶାଢ଼ୀଟି ଏଯାଏଁ ଗଡ଼ରେଜ ରେ ପଡ଼ିରହିଛି l

ପ୍ରତିବର୍ଷ ପ୍ରଥମାଷ୍ଟମୀ ରେ ଆଈ ମୋ ପାଇଁ ଆଣି ଆସୁଥିବା ଶାଢ଼ୀ ଗୁଡିକ ମୁଁ ସାଇତି ଦେଇଥିଲି ସ୍ମୃତିର ସନ୍ତକ ରୂପେ l ଝିଅର ଝିଅଟିଏ ହେବା ପରେ ତା ପାଇଁ ବ୍ୟବହୃତ ହେବାକୁ ରଖିଥିବା ଶାଢ଼ୀଗୁଡିକ ଝିଅର ପସନ୍ଦ ହେଲାନାହିଁ କିନ୍ତୁ ମୋ ଆଈ ଦେଇଥିବା ଶାଢୀସବୁ ନେଇ ଚାଲିଗଲା ତ ମୁଁ ମନା କରିପାରିନଥିଲି, ସେହି ଶାଢ଼ୀ ସହ ନାତୁଣୀକୁ କୋଳ କୁ ନେଇ ଆଈ ର ଉସ୍ମତା ସବୁ ପାଇଗଲି l

ଝିଅ ବାହାଘର ବେଳେ ନୂଆ ଶାଢ଼ୀ ସହ ମାଆ ମାନଙ୍କ ପୁରୁଣା ଶାଢ଼ୀ ଵି ଦିଆଯାଏ ତ ମତେ ଵି ଦୁଇଖଣ୍ଡ ମିଳିଥିଲା,ଯେଉଁ ସବୁ ଶାଢ଼ୀ ମୋ ଆଈଙ୍କର ଥିଲା .ଗୋଟିକୁ ସମ୍ପର୍କୀୟ ଜଣେ ମାଗିନେଲେ କିନ୍ତୁ କିଛିଦିନ ପରେ ତାଙ୍କ ଘରେ ସେଇଟି ସ୍କ୍ରିନ ହୋଇଥିବାର ଦେଖି ଯେତିକି କଷ୍ଟ ଲାଗିଥିଲା, ଅନ୍ୟଟିକୁ ବୋହୁ ପିନ୍ଧି ଠାକୁର ପୂଜା କରୁଥିଲା ତ ସନ୍ତୁଷ୍ଟିରେ ଦେଖୁଥିଲି ମୋ ଆଈ , ମୋ ବୋଉ ପାଇଁ ଆଣିଦେଇଥିବା ଶାଢୀରେ ମୋ ବୋହୁ କେତେ ସୁନ୍ଦର ଦିଶୁଥିଲା l

ଏମିତି ସବୁ ଲେଖି ମୋ ମନ ଭିତରେ ଆଈକୁ ପାଇଗଲି ବୋଲି ଯେତେ ଭାବିଲେ ବି ତୁ ଆଉ ମତେ ମିଳିବୁନି .ତୋ ପାଇଁ କିଛି କରିପାରିନଥିବା ଗ୍ଳାନିରେ ଥିଲାବେଳେ ଭାବେ ସେହି ଅନେଶତ ମସିହା ବାତ୍ୟା କଥା ,ଆଉ ଏଵେ କରୋନା ଆଉ କରୋନାର ନୂଆ ନୂଆ ଭ୍ୟାରୀଏଣ୍ଟ ଓମୀକ୍ରନରେ ପୃଥିବୀ ଆଜି ଦୋହଲି ଯାଇଛି ,ସେସବୁର ଭୟଭୟତାକୁ ମଧ୍ୟ ମୁଁ ଗଳ୍ପ ଆକାରରେ ସାହିତ୍ୟକୁ ଭେଟି ଦିଏ ଆଈ ,ତୁ ଥିଲେ ତତେ, ତୋ ପସନ୍ଦର ଜଣାଣ ଶୁଣାଇଲା ଭଳି ମୁଁ ଲେଖିଥିବା ଗଳ୍ପ ବି ଶୁଣେଇଥାନ୍ତି , ତଥାପି ପଢ଼େନେବୁ ସ୍ୱର୍ଗ ରେ ରହି l

ବିଗତ ତିନି ବର୍ଷ ହେଲାଣି ମହାମାରୀ ରୂପେ କରୋନା ସମଗ୍ର ମାନବ ଜୀବନ କୁ କରାୟତ କରିବା ଫଳରେ କିଏ କେତେ ପ୍ରକାର ଦୁଃଖ ସହିଲେ l ଜୀବନ ଗଲା କାହାର ତ ଜୀବିକା ହରାଇ କିଏ ଛଟପଟ, କିଏ ଆସିପାରିଲା ନାହିଁ ପରିବାର ନିକଟକୁ ତ କିଏ ହରାଇଲା ନିଜ ଜ୍ଞାତି କୁଟୁମ୍ବଙ୍କୁ l ପୁଣି ଓମିକ୍ରନ ଭଳି ମହାମାରୀ ଯୋଗୁଁ ଥାଇଲାଣ୍ଡ ରେ ରହୁଥିବା ପିତା ଟି ଘରକୁ ଚାଲିଆସିଲା ପରେ ଜଣାପଡିଲା ସେ ଓମିକ୍ରନ ଆକ୍ରାନ୍ତ l

ଘରେ କଟକଣା ରେ ରହିଲା ସୁଧୀର, ହେଲେ ବାପା ପାଖକୁ ଯିବାକୁ ଏକାଯିଦ ପୁଅର, ବାପାଙ୍କୁ ବହୁତ ଦିନ ପରେ ଦେଖି ପୁଅ ମିଥୁନ ଜମା ଅଲଗା ହୋଇ ରାହିବାକୁ ଚାଁହୁନଥିଲା, ତେଣୁ କୌଶଳ କରି ତାକୁ ହଷ୍ଟେଲ ରେ ଛାଡି ଦିଆଗଲା, ହେଲେ ଟୀକା କରଣ ହେବା ପୁର୍ବରୁ ହଷ୍ଟେଲ ସ୍କୁଲ ସବୁ ଛୁଟି ହୋଇଗଲା, ତ ମିଥୁନ ଘରକୁ ଫେରି ଆସିଲା ବାପାଙ୍କ ପାଖେ ପଢ଼ିପାରିବ, ସମୟ କଟେଇ ପାରିବ ଭାବନାରେ ସେ ଖୁସି ଥିଲା କିନ୍ତୁ ଘରେ ବାପା ନଥିଲେ, ହସ୍ପିଟାଲ ରୁ କେବେ ବାପା ସୁଧୀର ଫେରିବେ ବୋଲି ସମସ୍ତଙ୍କ ସହ ମିଥୁନ ଅପେକ୍ଷା କରିଥିଲା ହେଲେ ବାପା ଆଉ ଫେରିଲେନି, ସେ ଯେତେ ଯାହାକୁ ପଚାରୁଥିଲା କେହି ଉତ୍ତର ଦେଉନଥିଲେ, ହେଲେ ମାଆ ର ଖାଲି ହାତ ଓ ନିରୋଳାରେ ମାଆ ର କାନ୍ଦ ଦେଖି ସେ କିଛି କିଛି ବୁଝିପାରୁଥିଲେ ବି ଆଉ ପଚାରିବାକୁ ସାହସ କରୁନଥିଲା l

ଆଈ ଏହି ଉପରୋକ୍ତ ଗଳ୍ପ ଟି ପଢି ବୁଝିପାରୁଥିବୁ ପୃଥିବୀ କିପରି ମହାମାରୀ କବଳିତ ହୋଇଛି ଆଉ ମଣିଷ ମଣିଷ ସହ ମିଶିବାକୁ ,ବସି କଥା ହେବାକୁ ଡ଼ରୁଛି l ପୁଣି ମାସ୍କ ପିନ୍ଧି ସାନିଟାଇଜର ଲଗେଇ ବୁଲିବାକୁ ପଡୁଛି ,କାମରେ , ନିର୍ଦିଷ୍ଟ ସମୟ ସୀମା ଭିତରେ l ଏଵେ ମହାମାରୀ କମି ଟିକେ ଆଶ୍ୱସ୍ତ ହେଲାବେଳକୁ ,ସ୍କୁଲ ଇତ୍ୟାଦି ସବୁ ଖୋଲିଯିବାକୁ କଣ ହେଇଛି ଜାଣିଛୁ ଆଈ ??

ଯୁଦ୍ଧର ବିଭୀଷିକା ଥରେଇ ଦେଉଛି ଛାତି .ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ l ଭାରତୀୟ ଛାତ୍ର ଓ କର୍ମଜୀବି ଫସି ରହିଛନ୍ତି ୟୁକ୍ରେନରେ l ଭାରତ ଚେଷ୍ଠା ଚରିତ୍ର ଜାରି ରଖି କେତେକଙ୍କୁ ଫେରାଇ ଆଣିଥିଲେ ମଧ୍ୟ ,ଆହୁରି ଅନେକ ଭାରତୀୟ ରହିଛନ୍ତି ୟୁକ୍ରେନରେ l ରୁଷର ଘନ ଘନ ମିଜାଇଲ ମାଡ଼ରେ ପ୍ରକମ୍ପିତ କର୍ଭି ସହର ,ୟୁକ୍ରେନର ,ଗୋଟିଏ ଭାରତୀୟ ଛାତ୍ର ପ୍ରାଣ ହରେଇବା ଖବର ବିଚଳିତ କରୁଛି ଭାରତକୁ ,ତୁ ଥିଲେ ସିନା କାଳିଆଙ୍କୁ ଗୁହାରୀ କରନ୍ତୁ ,ଜଣାଣ ଭଜନ ଗାଇ ଗାଇ ,ଜଣାନ୍ତୁ ସୂର୍ଯ୍ୟ ନାରାୟଣଙ୍କୁ ,ହେ ପ୍ରଭୁ ବିରଞ୍ଚି ନାରାୟଣ ,ରକ୍ଷାକର ପୃଥିବୀକୁ l ତଥାପି ସ୍ୱର୍ଗ ରେ ଥାଇ ଡାକିବୁ କାଳିଆଙ୍କୁ ଆଈ ,ସେ ନିଶ୍ଚୟ ତୋ ଗୁହାରି ଶୁଣି ଯୁଦ୍ଧ ବନ୍ଦ କରିଦେବେ l ତୋ ଠୁ ଶିଖି ମୁଁ ବି ଗାଉଛି ଭଜନ ,ରହିଛି ଉଜାଗର ,ଜାଗରରେ ଦୀପ ଜାଳୁଛି ଆଈ ,କେମିତି ଶାନ୍ତି ଓ ସଂହତି ଫେରିଆସୁ ଖାଲି ଆମ ଦେଶରେ ନୁହେଁ ସମଗ୍ର ପୃଥିବୀ ବାସୀ ଶାନ୍ତି ରେ ରୁହନ୍ତୁ ,ଏହି ମୋର ଇଚ୍ଛା l କ୍ଷମା କରିଦେବୁ ମତେ ଆଈ , ଆରଜନ୍ମରେ ତୋ ଋଣ ଶୁଝିବାକୁ ସମର୍ଥ ହୁଏ ବୋଲି ଠାକୁରଙ୍କୁ ଯେତେ ଡାକିଲେ ବି ମନ ହୃଦୟ ବିଚଳିତ ହୁଏ ତୋ ପାଇଁ ଅଧିକାଂଶ l ପ୍ରଣାମ ଜଣେଇ ରହିଲି l


ଇତି

ସୋନା


Rate this content
Log in

Similar oriya story from Abstract