Deepak Sarangi

Drama Romance

4.5  

Deepak Sarangi

Drama Romance

ପ୍ରେମ ଥିଲା ଅଛି ଓ ରହିବ...

ପ୍ରେମ ଥିଲା ଅଛି ଓ ରହିବ...

13 mins
242


ଆଜ କୁ ପ୍ରାୟ ଦୁଇ ଶହ ବର୍ଷ ତଳ ର କଥା । ଯେତେବେଳେ ବାଲ୍ୟବିବାହ,ଜାତିଆଣ ବାଦ,ସତୀଦାହ ପ୍ରଥା ଆଦି ଭଳି କୁସଂସ୍କାରମାନ ଆମ ଦେଶରେ ପ୍ରଚଳିତ ଥାଏ । ସୁରେନ୍ଦ୍ର ସାମନ୍ତରାୟ ଦଶଖଣ୍ଡ ଗାଁ ର ଏକମାତ୍ର ଜମିଦାର । ଜମିଦାରୀ ପ୍ରଥା ରେ ଚାଷୀ ମୂଲିଆ ଶ୍ରେଣୀ ମାନେ ତ୍ରାହି ତ୍ରାହି ଡାକୁ ଥାଆନ୍ତି । ଅନ୍ୟାୟ ବିରୁଦ୍ଧରେ ମୁଁହ ଖୋଲିଲେ ମୃତ୍ୟୁ ଅନିବାର୍ଯ୍ୟ ।ସମସ୍ତେ ସବୁ ଜାଣୁ ଥାଆନ୍ତି କିନ୍ତୁ ଭୟ ରେ ସବୁ ଚୁପ୍ । ଜମିଦାର ସୁରେନ୍ଦ୍ରଙ୍କର ଆଉ ଦୁଇ ଭାଇ ବୀରେନ୍ଦ୍ର ଓ ରାଜେନ୍ଦ୍ର । ମଝିଆଁ ଭାଇ ବୀରେନ୍ଦ୍ର ଥିଲା ବିକୃତ ମସ୍ତିଷ୍କ । ତା’ର ଦେଖାଶୁଣା କରିବା ପାଇଁ ସୁରେନ୍ଦ୍ର ଗାଁ ର ମାନି ସହ ତା’ର ବିଭାଘର କରେଇ ଦେଇଥିଲେ । ବିଭାଘର ଥିଲା ନାମ କୁ ମାତ୍ର । ପାଗଳ ବୀରେନ୍ଦ୍ର ସହିତ ମାନି ର ବାହାଘର ପାଞ୍ଚ ବର୍ଷ ଉପରାନ୍ତ ହୋଇ ଯାଇଥିଲେ ବି ସେ କେବଳ ବୀରେନ୍ଦ୍ର ର ସେବା ଶୁଶ୍ରୁଷା ହିଁ କରୁଥିଲା । ସ୍ୱାମୀ ସ୍ତ୍ରୀ ଭଳି କୌଣସି ସମ୍ପର୍କ ତାଙ୍କ ଭିତରେ ନ ଥିଲା । ଯାହାର ଭରପୂର ଫାଇଦା ଉଠାଉ ଥିଲେ ଜମିଦାର ସୁରେନ୍ଦ୍ର ।


ବଡ଼ଘର ବଡ଼ ଗୁମର କଥା ଭଳି ଏ ସବୁ ରହସ୍ୟ ଜମିଦାର ଘର ର ଚାରି କାନ୍ଥ ଭିତରେ ହିଁ କଏଦ୍ ଥିଲା । ଜମିଦାର ସୁରେନ୍ଦ୍ର ସାମନ୍ତରାୟଙ୍କର ନିଜ ପତ୍ନୀ ର ଦେହାନ୍ତ ପାଞ୍ଚ ବର୍ଷ ତଳୁ ହୋଇସାରିଥିଲା ; କିନ୍ତୁ ତାଙ୍କ ପତ୍ନୀ ର ମୃତ୍ୟୁ ଥିଲା ଗୋଟେ ରହସ୍ୟମୟ । ତାଙ୍କ ପତ୍ନୀ ଭାନୁମତି ର ମୃତ ଦେହ ଲୋକମାନେ କ୍ଷତ ବିକ୍ଷତ ଅବସ୍ଥାରେ ଜଙ୍ଗଲ ରୁ ପାଇଥିଲେ । ପୁଲିସ ଆସି ତଦନ୍ତ କରିବା ପୂର୍ବରୁ ହିଁ ସୁରେନ୍ଦ୍ର ଲୋକ ଲଗେଇ ତା ମୃତଦେହ କୁ ସଂସ୍କାର କରିଦେଇଥିଲେ । ସମସ୍ତଙ୍କୁ ସେ ଜଣେଇ ଦେଇଥିଲେ ଯେ ଜଙ୍ଗଲ ରାସ୍ତା ଦେଇ ସେ ଆସୁଥିବା ବେଳେ ବାଘ ହାବୁଡ଼ରେ ପଡି ମୃତ୍ୟୁବରଣ କରିଛନ୍ତି ବୋଲି । କିନ୍ତୁ ମୃତ ଦେହ ରେ ବାଘ ଆକ୍ରମଣ ର କୌଣସି ଚିନ୍ହ ଲୋକମାନେ ଭାନୁମତି ଶରୀର ରେ ଦେଖି ପାରି ନଥିଲେ । ଭାନୁମତି ମୃତ୍ୟୁ ର ଠିକ ଦୁଇ ମାସ ପରେ ବୀରେନ୍ଦ୍ର ର ବାହାଘର ହୋଇ ମାନି ଆସି ସାରିଥିଲା ଜମିଦାର ବଙ୍ଗଳା କୁ ।


ମାନି ହେଉଛି ଜମିଦାର ଙ୍କ ଘରେ ଗୁମାସ୍ତା ଗିରି କରୁଥିବା ଗୋପାଳ ମିଶ୍ରଙ୍କ ଝିଅ । ସେ ଯେତେବେଳେ ଛୋଟ ଥିଲା ଗୁମାସ୍ତା ଙ୍କ ସହିତ ସେ ବରାବର ଆସୁଥିଲା ଜମିଦାର କୋଠି କୁ । ସେ ଯୌବନ ରେ ପାଦ ଦେବା ପରଠାରୁ ସୁରେନ୍ଦ୍ରଙ୍କର ଲୋଲୁପ ଦୃଷ୍ଟିରେ ସେ ଆସି ସାରିଥିଲା । କୌଶଳ କରି ଗୁମାସ୍ତା କୁ ତାଙ୍କ ଝିଅ କୁ ସେ ବୀରେନ୍ଦ୍ର ସହ ବାହା ଦେବା ପାଇଁ ସୁରେନ୍ଦ୍ର ଏକପ୍ରକାର ବାଧ୍ୟ କରେଇ ଥିଲେ । ମାନି ର ଇଚ୍ଛା ନ ଥିଲେ ବି ବାପା ଓ ଜମିଦାର ଙ୍କ ଜିଦ୍ ଆଗରେ ସେ ହାର ମାନି ପାଗଳ ବୀରେନ୍ଦ୍ର କୁ ନିଜର ଜୀବନ ସାଥି ରୂପେ ବାଛି ନେଇ ଥିଲା । ସାନ ଭାଇ ରାଜେନ୍ଦ୍ର ଥିଲା ଏକଦମ ଅଲଗା । ବଡ଼ଭାଇ ସୁରେନ୍ଦ୍ରଙ୍କର ପାପାଚାର କୁ ସେ ଦେଖୁଥିଲେ ବି ସେ ତାଙ୍କ ବିଷୟ ରେ ବେଶି ମୁଣ୍ଡ ଖେଳାଉ ନ ଥିଲେ । ଜଣେ ମେଧାବୀ ଓ ମେଳାପୀ ଛାତ୍ର ହିସାବରେ ତାଙ୍କର ଭଲ ନା ଥିଲା ଗାଁ ରେ । ଗାଁ ଲୋକେ ବି ତାଙ୍କୁ ଆଦର ସମ୍ମାନ କରୁଥିଲେ । ସ୍କୁଲରେ ପଢିବା ସମୟରେ ତାଙ୍କ ଶ୍ରେଣୀ ର ଜଣେ ମୁସଲମାନ ଝିଅ ଫାତିମା ସହ ତାଙ୍କର ସମ୍ପର୍କଗଢି ଉଠିଥିଲା ।


ଫାତିମା ଥିଲା ପାଖ କେଶପୁର ଗାଁ ର ସମ୍ଭ୍ରାନ୍ତ ମୁସଲିମ ପରିବାର ଶେଖ୍ ଶାହନୱାଜ୍ ଅଲି ର ଏକମାତ୍ର ଝିଅ । ସେ ସମୟ ହିନ୍ଦୁ,ମୁସଲିମ ଆଦି ଜାତି ପ୍ରଥା କୁ ଲୋକଙ୍କ ମନରେ ଥିଲା ଗୋଟେ ସଙ୍କୋଚ ଓ ଘୃଣାଭାବ । ଏ ସବୁ ବାଧା ବିଘ୍ନ ଭିତରେ ବି ଦୁଇଟି କିଶୋରଙ୍କ ହୃଦୟ ଭିତରେ ଉଦ୍ଭାସିତ ହୋଇଥିଲା ପ୍ରେମ ର ଅଙ୍କୁର । ଲୁଚା ଛପା ପ୍ରେମ ତ କେବେ ବି ବେଶି ଦିନ ଲୁଚି ରହି ପାରିବନି । ଧୀରେ ଧୀରେ ତାଙ୍କ ପ୍ରେମ ର ଖବର ବଡ଼ଭାଇ ସୁରେନ୍ଦ୍ରଙ୍କର କାନରେ ପଡିଲା । ଜମିଦାର ଘର ର ମାନ ଓ ସମ୍ମାନ କୁ ରକ୍ଷା କରିବାକୁ ଯାଇ ସେ ରାଜେନ୍ଦ୍ର ଙ୍କୁ ଫାତିମା ସହ ମିଳାମିଶା ନ କରିବା ପାଇଁ ବାରଣ କଲେ । ପରୋକ୍ଷ ଭାବେ ଫାତିମା କୁ ଲୋକ ପଠେଇ ଧମକଚମକ ବି ଦେଲେ କିନ୍ତୁ କଥାରେ ଅଛି ପରା ପ୍ରେମରେ ପହରା ଲଗେଇଲେ ପ୍ରେମ ଆହୁରି ମଜବୁତ ହୁଏ । ଫାତିମା ର ବାପା ଶାହନୱାଜ୍ ଅଲି ବି ଏ ବିଷୟ ରେ ଜାଣିଲେ ତେଣୁ ସେ ଚାହିଁଲେ ଯେ ଏ ବିଷୟ ଆଉ ଆଗକୁ ନ ବଢୁ ବୋଲି ; ନଚେତ ଗାଁ ଓ ମୁସଲିମ ସମାଜ ରୁ ବାସନ୍ଦ ହେବା ସହିତ ମାନ ସମ୍ମାନ ରେ ବି ପ୍ରଶ୍ନବାଚୀ ସୃଷ୍ଟି ହେବ । ଯୋଉ ଶାହନୱାଜ୍ ଅଲି କୁ ଗାଁ ର ଅନ୍ୟ ମୁସଲିମ ଲୋକମାନେ ଉଦାର ଓ ସଚା ମୁସଲମାନ ବୋଲି ଆଦର କରନ୍ତି ଯିଏ ଦିନ କୁ ପାଞ୍ଚ ଥର ନମାଜ୍ କରେ ତା ଝିଅ ଯଦି ହିନ୍ଦୁ ଜମିଦାର ଘର ପୁଅ କୁ ବାହା ହେବ ସେ ଆଉ ଗାଁ ରେ ମୁଣ୍ଡ ଟେକି ବାଟ ଚାଲିପାରିବେ ତ ଏ ସବୁ କଥା ଭାବି ସେ ଫାତିମା ର ସ୍କୁଲ ଯିବା ବି ବନ୍ଦ କରେଇ ଦେଲେ । ଫାତିମା ପାଇଁ ସେ ଉପଯୁକ୍ତ ପାତ୍ର ଖୋଜିବାରେ ଲାଗି ପଡିଲେ ।


ଏ କଥା ସେ ଫାତିମା ର ସାଙ୍ଗ ପରବୀନ୍ ଠାରୁ ରାଜେନ୍ଦ୍ର ଜାଣିବାକୁ ପାଇଲେ । ସେ ପରବୀନ୍ କୁ କହିଲେ ଯେ ଗୋଟେ ଥର ତାଙ୍କୁ ଫାତିମା ସହିତ ଭେଟ କରେଇ ଦିଅ ବୋଲି । ପରବୀନ୍ କହିଲା ଯେ ଫାତିମା ର ଅବୁ ତାକୁ ଘର ଭିତରେ କବାଟ ବନ୍ଦ କରି ରଖିଛନ୍ତି ତା’ର ବାହାରକୁ ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇ ଯାଇଛି । ପରବୀନ୍ କୁ ରାଜେନ୍ଦ୍ର ବହୁତ ବୁଝେଇବା ପରେ ପରବୀନ୍ ରାଜି ହେଲା ଯେ ସେ ଯେନତେନ ଉପାୟରେ ଫାତିମା କୁ ତାଙ୍କ ସହ ଦେଖା କରେଇ ଦେବ ବୋଲି । ସେଦିନ ହୋଇ ଥାଏ ଅମବାସ୍ୟା । ପରବୀନ୍ ଜାଣିଶୁଣି ସେଦିନ ସନ୍ଧ୍ୟା ରେ ଫାତିମା ର ଘର କୁ ଗଲା ଓ ତାଙ୍କ ଘରେ କହିଲା ଯେ ତାଙ୍କ ଘରେ ଆଜି ସମସ୍ତେ ଗୋଟେ ବାହାଘର କାମରେ ସମସ୍ତେ ପାଖ ଗାଁ କୁ ଯାଇଛନ୍ତି ବୋଲି ଆଗ କୁ ପରୀକ୍ଷା ଅଛି ବୋଲି ସେ ସେମାନଙ୍କ ସହିତ ନ ଯାଇ ଫାତିମା ଘରେ ରହିବ ବୋଲି କହିବାରୁ ଘର ଲୋକେ ତାକୁ ଛାଡି ଦେଇ ଗଲେ । ଶାହନୱାଜ୍ ଅଲି ବି ପରବୀନ୍ ତାଙ୍କ ଘରେ ରହିବ ବୋଲି ଶୁଣି ଖୁସି ହୋଇ ତାକୁ ଫାତିମା ର କୋଠରୀ କୁ ନେଇ ଗଲେ ଫାତିମା ପରବୀନ୍ କୁ ଦେଖି ବହୁତ ଖୁସି ହେଲା ।


ଫାତିମା ର ମୁହଁ ରେ ଆଉ ସେ ପୂର୍ବ ଚମକ ନ ଥିଲା । ଲାଗୁଥିଲା ଯେମିତି ରାଜେନ୍ଦ୍ର ଠାରୁ ଅଲଗା ହେବା ପରେ ସେ ତାକୁ ଏକ ପ୍ରକାର ଝୁରି ଝୁରି ବଞ୍ଚୁଛି ବୋଲି । ଫାତିମା ସଙ୍ଗେସଙ୍ଗେ ରାଜେନ୍ଦ୍ର ବିଷୟରେ ପରବୀନ୍ କୁ ପଚାରିଲା ଯେ ରାଜେନ୍ଦ୍ର ତାକୁ ମନେ ରଖିଛି ନା ନାହିଁ, ତା ବିଷୟରେ ପଚାରୁଛି କି ନାହିଁ ସେ ଆଉ ସ୍କୁଲ କୁ ଆସୁଛି ନା ନାହିଁ ଏମିତି କେତେ କଣ ପ୍ରଶ୍ନ । ସେ ପରବୀନ୍ କୁ ଏକା ନିଶ୍ଵାସରେ ସବୁ ପଚାରିଗଲା । ପରବୀନ୍ ଫତିମା ର ମୁଣ୍ଡ କୁ ଆଉଁସି ଦେଇ କହିଲା ଆଲୋ ପାଗଲୀ ତୁ ଯେମିତି ଏଠି ଅଛୁ ତତେ ନ ପାଇ ନ ଦେଖି ରାଜେନ୍ଦ୍ର ବି ସେମିତି ତତେ ଝୁରଛି । ମୋତେ ରାଜେନ୍ଦ୍ର ହିଁ ଏଠି ପଠେଇଛି ମୁଁ ଖାସ ତୁମ ଦୁଇ ଜଣଙ୍କୁ ଆଜି ଦେଖାକରେଇବା ଲାଗି ଘରେ ମିଛ କହି ତୋ ପାଖ କୁ ଆସିଛି ଆଉ ଏଠି ମୁଁ ତୋ ଅବୁ କୁ କହିଛି ଯେ ଆମ ଘରେ ସମସ୍ତେ ଗୋଟେ ବାହାଘର କୁ ଯାଇଛନ୍ତି ବୋଲି ଫାତିମା ଆଶ୍ଚର୍ଯ୍ୟ ହୋଇ ପରବୀନ ଆଡ କୁ ଚାହିଁ କହିଲା କିନ୍ତୁ କେମିତି ଆମେ ଏ ସବୁ କରିବା ମୁଁ ଏ ଅନ୍ଧାର ରାତିରେ କେମିତି କୁଆଡେ ଯିବି ପରବୀନ୍ ଫାତିମା ଆଡକୁ ଚାହିଁ ଟିକେ ହସି କହିଲା ତୁ ଜମା ବ୍ୟସ୍ତ ହଅନା ମୁଁ ସେ ସବୁ ର ସବୁ ବ୍ୟବସ୍ଥା କରି ଆସିଛି । ଆଜି ରାତିରେ ଠିକ ୧୨ଟା ବେଳେ ରାଜେନ୍ଦ୍ର ତା ସାଙ୍ଗ ଶିବା ସହିତ ଆସିବ ସେ ତୁମ ଘର ଆଗରେ ଥିବା ଆମ୍ବ ଗଛ ଉପରେ ଚଢି ଆମକୁ ଇସାରା କରିବ । ତୁ ସେତିକିବେଳେ ତମ ଘର ର ପଛ ଦୁଆର ଦେଇ ତୁ ପଳେଇବୁ । ତୋ ଜାଗାରେ ମୁଁ ଏଇଠି ଶେଯରେ ଶୋଇଥିବି ଆଉ ପାଖରେ ଗୋଟେ ବଡ ତକିଆ କୁ ଚଦରରେ ଘୋଡେଇ ଦେଇଥିବି; ଯଦି ବି ତୁମ ଘରେ କିଏ ଦେଖିବାକୁ ଆସନ୍ତି ତେବେ ଜାଣିବେ ଯେ ଆମେ ଦୁହେଁ ମିଶି କି ଶୋଇଛେ ବୋଲି । ଏ ସବୁ ଶୁଣି ଫାତିମା ପରବୀନ୍ କୁ କୁଣ୍ଢେଇ ପକେଇଲା କହିଲା ମୁଁ ମୋର କୋଉ ଜନ୍ମ ରେ ପୂଣ୍ୟ କରିଥିଲି ଯେ ତୋ ଭଳି ସାଙ୍ଗ ମୋତେ ମିଳିଛି ।


ଦୁଇ ସାଙ୍ଗ ପରସ୍ପର କୁ ଆଲିଙ୍ଗନ କରିବା ପରେ ଖାଇବାକୁ ଗଲେ ଖାଇସାରି ଦୁହେଁ ଫାତିମା ର କୋଠରୀ କୁ ଆସିଲେ । ଶାହନୱାଜ୍ ଅଲି ଘର ର ସମସ୍ତ କବାଟ ଝରକା ବନ୍ଦ କରି ତାଙ୍କ କୋଠରୀ କୁ ଶୋଇବାକୁ ଗଲେ । ରାତି ଠିକ ୧୨ ଟା ବେଳକୁ ଶିବା ଆମ୍ବ ଗଛ ଉପରେ ଚଢି ଫାତିମା ର ଘର ଆଡ କୁ ଚାହିଁ ପେଚା ବୋବେଇଲା ଭଳି ଶବ୍ଦ କଲା । ପରବୀନ୍ ଜାଣି ପାରିଲା ଯେ ରାଜେନ୍ଦ୍ର ଆସିଯାଇଛି ବୋଲି ସେ ଫାତିମା କୁ ଡାକି କହିଲା ଯେ ତୁ ଧୀରେ ପଛ କବାଟ ଖୋଲି ରାଜେନ୍ଦ୍ର ପାଖ କୁ ଯା । ଫାତିମା ପାଦ ଚାପିଚାପି ଯାଇ କବାଟ ଖୋଲି ବାହାରକୁ ଗଲା ଦେଖିଲା ଯେ ରାଜେନ୍ଦ୍ର ଠିଆ ହୋଇଛି ତା ସାମ୍ନା ରେ ଦୁଇ ପ୍ରେମୀ ଯୁଗଳଙ୍କ ମିଳନ ହୋଇ ସାରିଥିଲା । ଶିବା ରାଜେନ୍ଦ୍ର ଓ ଫାତିମା କୁ କହିଲା ଯେ “ ଏ ସମାଜ ତୁମ ଦୁଇ ଜଣ କୁ କେବେ ବି ସ୍ଵୀକାର କରିବନି ଯଦି ପାରୁଛ ଏ ଗାଁ ଛାଡି ଏବେ ହିଁ ଏଠୁ ପଳାଅ” । ସେ ସମୟ ରେ ଦୁହିଁଙ୍କ ମୁଣ୍ଡ କୁ ଆଉ କିଛି ଜୁଟିଲାନି । ଦୁଇ ଜଣ ହାତ ଧରାଧରି ହୋଇ ଧାଇଁଲେ ଜଙ୍ଗଲ ଭିତର ଦେଇ । ଜାଣି ନ ଥାନ୍ତି କୁଆଡେ ଯିବେ ଅନ୍ଧାର ରାତିରେ;କିନ୍ତୁ ଧାଇଁ ଥାଆନ୍ତି । ହଠାତ୍ ଫାତିମା ଦୌଡୁ ଦୌଡୁ ରହିଗଲା ସେ ପରବୀନ୍ ବିଷୟରେ ଏକଦମ୍ ଭୁଲି ଯାଇଥିଲା ରାଜେନ୍ଦ୍ର କୁ କହିଲା “ଚାଲ ଆମେ ଫେରିଯିବା ମୁଁ ଯଦି ଆଜି ତୁମ ସହିତ ପଳେଇଯାଏ ଆସନ୍ତା କାଲି ସକାଳେ ମୋ ଅବୁ ଯେତେବେଳେ ଜାଣିବେ ଯେ ପରବୀନ୍ ମୋତେ ତୁମ ସହିତ ପଳେଇ ଆସିବାକୁ ସାହାଯ୍ୟ କରିଛି ତେବେ ସେ ତାକୁ ଜୀବନରୁ ମାରିଦେବେ” । ରାଜେନ୍ଦ୍ର ତାକୁ କହିଲା “ଦେଖ ଫାତିମା ଆମେ ଯଦି ଆମ ପ୍ରେମ କୁ ସାକାର କରିବା ତେବେ ଏଇଟା ହିଁ ପ୍ରକୃତ ସମୟ ଆମ କୁ ଏଠୁ ବହୁତ ଦୂରକୁ ପଳେଇଯିବାକୁ ହେବ ଏବେ ତୁମେ କୁହ”? ରାଜେନ୍ଦ୍ର ଦେଖିଲେ ଯେ ଗୋଟେ ଘୋଡାଗାଡି ସେଇ ବାଟ ଦେଇ ଆସୁଛି ଫାତିମା କିଛି ଭାବିବା ପୂର୍ବ ରୁ ତା ହାତ କୁ ଟାଣି ନେଇ ଘୋଡା ଗାଡି ରେ ଚଢି ଦୁଇ ଜଣ ପଳେଇଲେ ସହର ଆଡକୁ ।


ପରଦିନ ସକଳେ ଶାହନୱାଜ୍ ଅଲି ଯେତେବେଳେ ସବୁ କଥା ଜାଣିଲେ ପ୍ରଥମେ ପରବୀନ୍ କୁ ଘରୁ ଘୋଷାରି ନେଇ ଆସି ତାଙ୍କ ଘର ପାଖ କୁ ନେଇ ତା ଅବୁ ଆଗରେ ତାକୁ ପଚାରିଲେ “ଏବେ କହ! ତୁ ସେ ଦୁଇ ଜଣ ଙ୍କୁ କେଉଁଠିକି ଫେରାର୍ କରେଇ ଦେଇଛୁ”? ସେପଟେ ରାଜେନ୍ଦ୍ର ଙ୍କ ସାଙ୍ଗ ଶିବା ବି ଜମିଦାର ଲୋକ ଙ୍କ ହାତରେ ଧରା ପଡି ମାଡ ଖାଇ ସବୁ ସତ ମାନି ଗଲା । ଜମିଦାର ତାଙ୍କ ଲୋକ ମାନଙ୍କୁ ଗାଁ ସାରା ଲଗେଇଦେଲେ ଖୋଜିବା ପାଇଁ । ଶାହନୱାଜ୍ ଅଲି ବି କିଛି ମୁସଲିମ ଲୋକ ଙ୍କୁ ନେଇ ଜମିଦାର ଘର କୁ ଆସି ଜମିଦାର ଙ୍କୁ ଧମକ ଦେଲେ “ଯେ ଯଦି ମୋ ଝିଅ ର କିଛି ହୁଏ ତେବେ ତୁମ ଭାଇ ବି ବଞ୍ଚିବନି ବୋଲି କହି ତାଙ୍କୁ ଗାଁ ଲୋକଙ୍କ ଆଗରେ ଅନେକ ଅପମାନିତ କଲା । ଜମିଦାର ସୁରେନ୍ଦ୍ର ତା’ର ସବୁ ଗାଳି ଗୁଲଜ ଶୁଣି ଚୁପ ହୋଇ ରହିଲେ କିନ୍ତୁ ମନେମନେ ନିଷ୍ପତ୍ତି ନେଲେ ଯେ ଏ ଅପମାନ ର ପ୍ରତିଶୋଧ ସେ ନିଶ୍ଚିତ ନେବେ । ଆଉ ସମସ୍ତଙ୍କ ଠାରୁ ନେବେ ସେ ନିଜ ଭାଇ ହେଇ ଥାଉ ନା କାହିଁକି । ଦୁଇଦିନ ଧରି ଖୋଜା ଖୋଜି କରିବାପରେ ଜମିଦାରଙ୍କ ଲୋକମାନେ ଆସି ଖବର ଦେଲେ ଯେ ରାଜେନ୍ଦ୍ର ଓ ଫାତିମା ସହର କୁ ପଳେଇଛନ୍ତି ବୋଲି । ସେମାନଙ୍କ ଠାରୁ ଠିକଣା ନେଇ ସୁରେନ୍ଦ୍ର ନିଜେ ଗଲେ ତାଙ୍କ ପାଖକୁ । ରାଜେନ୍ଦ୍ର ତା’ର ଜଣେ ସାଙ୍ଗ ପାଖରେ ଫାତିମା କୁ ଧରି ରହୁଥିଲା । ସେମାନେ ସୁରେନ୍ଦ୍ରଙ୍କୁ ଦେଖି ଭୟ ରେ ଘର ଭିତରେ ଲୁଚି ରହିଲେ । ସୁରେନ୍ଦ୍ର ତାଙ୍କୁ ଆଶ୍ୱାସନା ଦେଇ କହିଲେ “ତୁମେ ଦୁଇ ଜଣ ବାହାରକୁ ଆସ ମୁଁ ତୋର କି ଫାତିମା ର କିଛି କ୍ଷତି କରିବିନି ବରଂ ମୁଁ ତ ଏଠିକି ଆସିଛି ତୁମ ଦୁଇଜଣ ଙ୍କୁ ଘର କୁ ଫେରାଇ ନେବା ପାଇଁ । ଆସ ମୋ ସହିତ” ।


ରାଜେନ୍ଦ୍ର ଓ ଫାତିମା ଦୁଇ ଜଣ ଘର ବାହାରକୁ ଆସି ତାଙ୍କୁ କ୍ଷମା ମାଗି ଘର କୁ ଯିବାକୁ ବାହାରିଲେ ଗାଁ ରେ ପହଂଚିବା କ୍ଷଣି ସେ ଫାତିମା ର ବାପା କୁ ଡକେଇଲେ , ଫାତିମା ତା ଅବୁ କୁ ଦେଖି ଲଜ୍ୟାରେ ମୁଣ୍ଡ ଟେକି ଚାହିଁ ପାରୁ ନ ଥାଏ । ସୁରେନ୍ଦ୍ର କହି ଉଠିଲେ “ପିଲାମାନେ ଯେତେବେଳେ ପରସ୍ପରକୁ ଏତେ ଭଲ ପାଉଛନ୍ତି ଆମେ ବଡ଼ ମାନେ କାହିଁକି ତାଙ୍କ ଭିତରେ ପାଚେରୀ ହେବା । ମୁଁ ଫାତିମା ଓ ରାଜେନ୍ଦ୍ର ର ବାହାଘର ରେ ରାଜି; କିନ୍ତୁ ମୋର ଦୁଇଟି ସର୍ତ୍ତ ରହିବ ପ୍ରଥମ ସର୍ତ୍ତ ଯେ ଫାତିମା ମୁସଲିମ ଧର୍ମ କୁ ଛାଡି ସବୁଦିନ ପାଇଁ ତା ବାପ ଘର ଛାଡ଼ି ଏଇଠି ଆମରି ଘରେ ରହିବ ଓ ସେ ଶୁଦ୍ଧିକରଣ ହୋଇ ହିନ୍ଦୁ ଧର୍ମ ଗ୍ରହଣ କରିବ ଏବଂ ଦ୍ବିତୀୟ ସର୍ତ୍ତ ହେଲା ରାଜେନ୍ଦ୍ର ପାଞ୍ଚ ବର୍ଷ ପାଇଁ ଉଚ୍ଚଶିକ୍ଷା ପାଇଁ ଦେଶ ବାହାରକୁ ଯିବ;ସେ ଶିକ୍ଷା ସମାପ୍ତ କରି ଆସିଲେ ତା’ର ଓ ଫାତିମା ର ବାହାଘର ଧୁମଧାମରେ ହେବ । ନୂଆ ନୂଆ ଯୌବନ ରେ ପାଦ ଦେଇଥିବା ଏଇ କଅଁଳ ମନ ଦୁଇଟି ସୁରେନ୍ଦ୍ରଙ୍କର ସବୁ କଥା ରେ ରାଜି ହୋଇଗଲେ । ଝିଅ ର ସମ୍ମତି ପାଇ ସରିବା ପରେ ଶାହନୱାଜ୍ ଆଉ କଣ ବା କରିବ ତାକୁ ଜମିଦାର ଘର ର ଲୋକମାନେ ଧକ୍କା ମାରି ବାହାର କରି ଦେଲେ ।


ସେହିଦିନ ରାତିରେ ହିଁ ସୁରେନ୍ଦ୍ର ରାଜେନ୍ଦ୍ର ର ବିଦେଶ ଯିବାର ବ୍ୟବସ୍ଥା ବି କରିଦେଲେ । ଦୁହେଁ ପୁଣି ଅଲଗା ହୋଇଗଲେ କିନ୍ତୁ ରାଜେନ୍ଦ୍ର ମନରେ ବିଶ୍ୱାସ ଥାଏ ଯେ ତା ବଡ଼ଭାଇ ଏ ସବୁ ତାଙ୍କରି ଭଲ ପାଇଁ ହିଁ କରିଛନ୍ତି ଓ ସେମାନଙ୍କ ବାହାଘର ସେ ପଢି କି ଆସି ସରିଲା ପରେ ନିଶ୍ଚିତ ହେବ । କିନ୍ତୁ ସୁରେନ୍ଦ୍ର ଙ୍କ ପତ୍ନୀ ଭାନୁମତି ଏ ସବୁ ସୁରେନ୍ଦ୍ରଙ୍କର ଗୋଟେ ଷଡ଼ଯନ୍ତ୍ର ବୋଲି ଯେତେ ବୁଝେଇଲେ ବି ରାଜେନ୍ଦ୍ର ତାଙ୍କ କଥା ମାନି ନ ଥିଲେ । ରାଜେନ୍ଦ୍ର ଯିବାର ପର ଦିନ ସେ କିଛି ବ୍ରାହ୍ମଣ ଙ୍କୁ ଡକାଇ ଫାତିମା କୁ ବସେଇ ପୂଜାର୍ଚ୍ଚନା କରେଇଲେ ତାକୁ କୁହାଗଲା ଯେ ଏ ସବୁ ସେ ଶୁଦ୍ଧିକରଣ କାମ ଅର୍ଥାତ ଏ ସବୁ ପୂଜା କରେଇଲେ ତା ଆତ୍ମା ଶୁଦ୍ଧି ହୋଇ ସେ ମୁସଲିମ ରୁ ହିନ୍ଦୁ ବନିଯିବ ଏବଂ ସବୁଦିନ ପାଇଁ ତାଙ୍କରି ଜମିଦାରୀ କୋଠି ରେ ବୋହୂ ହୋଇ ରହିବ । ଫାତିମା ର ମନ ରାଜେନ୍ଦ୍ର କୁ ସବୁଦିନ ପାଇଁ ପାଇବା ଭିତରେ ଖୁସି ଥିଲେ ବି ସେ ଏ ସବୁ କିଛି ବୁଝି ପାରୁ ନ ଥାଏ ସେ ଯାହା କହୁଥାଆନ୍ତି ସେ ସେଇୟା ହିଁ କରି ଚାଲି ଥାଏ । ସୁରେନ୍ଦ୍ର ତା ବାପା ଙ୍କ ଭଳି ସେ କାହିଁକି ତା’ର ଅମଙ୍ଗଳ ଚିନ୍ତା କରିବେ । ଯାହା ବି ହଉଛି ତାରି ଭଲ ପାଇଁ ହଉଛି ବୋଲି ସେ ଭାବି ନେଇଥାଏ । ପୂଜା ସରିଲା ସେ ଦିନ ରାତିରେ ଭାନୁମତି ସୁରେନ୍ଦ୍ର ଙ୍କୁ ବହୁତ ବୁଝେଇଲେ ଯେ “ଦେଖ! ତୁମେ ଯାହା ସବୁ କରୁଛ ଏ ସବୁ ଅନ୍ୟାୟ, ପାପ ସବୁ ଜାଣିଶୁଣି ତୁମେ କେମିତି ଏ ସବୁ ପାପ ର ଭାଗିଦାର ହେଉଛ”? ଭାନୁମତି ର ତଣ୍ଟି କି ମାଡି ବସି ବଡ଼ବଡ଼ ଆଖି ଲାଲ କରି ସୁରେନ୍ଦ୍ର କହିଲେ “ସେ ଶାହନୱାଜ୍ ମୋତେ ପୂରା ଗାଁ ସାମ୍ନା ରେ ଯୋଉ ଅପମାନ ଦେଇଛି, ଏ ରାଜେନ୍ଦ୍ର ର ଭଲପାଇବା ପାଇଁ ମୋ ମୁଣ୍ଡ ଗାଁ ରେ ନଇଁ ଯାଇଛି ହିନ୍ଦୁ ଜମିଦାର ଘର ର ପୁଅ ହେଇ ସେ ଯାଇଁ ମୁସଲିମ୍ ଝିଅ କୁ ପ୍ରେମ କରିଛି ଆଉ ଏ ସବୁ ଘଟିଛି ସେ ଫାତିମା ପାଇଁ ତୁ ଦେଖ ମୁଁ କେମିତି ଏ ସବୁ ର ପ୍ରତିଶୋଧ ନଉଛି । ତୁ ଯଦି ମୋ ବାଟ ରେ ଆସୁ ମୁଁ ଭୁଲିଯିବି ଯେ ତୁ ମୋ ସ୍ତ୍ରୀ ବୋଲି” ଏତିକି କହି ଭାନୁମତି କୁ ଗୋଟେ ଧକ୍କା ପକେଇ ସେ ଚାଲିଗଲେ ଫତିମା ପାଖକୁ ।


ଏତେ ରାତିରେ ସୁରେନ୍ଦ୍ର କୁ ଦେଖି ଫାତିମା ଡରି ଯାଇ ତାଙ୍କୁ ଆସିବା ର କାରଣ ପଚାରିଲା । ସୁରେନ୍ଦ୍ର କହିଲେ “ପୁଜା ରେ ସିନା ତୋ ଆତ୍ମା ର ଶୁଦ୍ଧିକରଣ ହୋଇଛି ହେଲେ ତୋ ଶରୀର ଏବେ ବି ମୁସଲମାନ ଅଛି । ତୁ କଣ ଏ ମୁସଲମାନ ଶରୀର ନେଇ ମୋ ଭାଇ ପାଖରେ ରହିବୁ? ଆସେ ମୁଁ ତତେ ଆଜି ସବୁଦିନ ପାଇଁ ହିନ୍ଦୁ କରିଦେବି” । ଏତିକି କହି ସେ ଫାତିମା ଆଡକୁ ଝପଟି ପଡିଲେ । ଫାତିମା ଚିତ୍କାର କରିବା ପୂର୍ବରୁ ରୁ ନିଜର ବଳିଷ୍ଠ ହାତରେ ତା ପାଟିକୁ ମାଡି ବସିଲେ । ଭାନୁମତି ଆସି ଯେତେ କବାଟ ବଡେଇଲେ ଆଉ ଫତିମା ର ଘର କବାଟ ଖୋଲିଲା ନାହିଁ । କିଛି ସମୟ ପରେ ସୁରେନ୍ଦ୍ର ଫାତିମା ର ଘରୁ ବାହାରକୁ ଆସିଲେ । ଭାନୁମତି ଘର ଭିତରକୁ ଦୌଡ଼ି ଯାଇଁ ଦେଖନ୍ତି ତ ଫାତିମା ର ଲୁଗା ସାରା ରକ୍ତ ର ଛିଟା । ଫାତିମା ର ଗୋଡକୁ ସେ ଲୁହା ରେ ବାଡେଇ ଭାଙ୍ଗି ଦେଇ ଥାଆନ୍ତି ସେ ଅବଶ ହୋଇ ପଡି ରହିଥାଏ ଖଟ ଉପରେ । ମଣିଷ ଯେ କ୍ରୋଧରେ କେତେ ଯେ ନୃଶଂସ ହୋଇପାରେ ତା’ର ଜ୍ଵଳନ୍ତ ଉଦାହରଣ ଭାନୁମତି ତା ଆଖି ଆଗରେ ତା ସ୍ଵାମୀ କୁ ଦେଖୁଥିଲା । ସୁରେନ୍ଦ୍ର ପାଲଟି ଯାଇଥିଲେ ଗୋଟେ ମଣିଷ ରୂପୀ ଦୈତ୍ୟ । ରାଗିଯାଇ ଭାନୁମତି ଘର ଭିତରେ ଟଙ୍ଗା ହୋଇଥିବା ଫାର୍ସା ନେଇ ସୁରେନ୍ଦ୍ର ଆଡ କୁ ଦୌଡ ଆସିଲା ବେଳକୁ ସୁରେନ୍ଦ୍ର ଭାନୁମତି ହାତ ରୁ ଫାର୍ସା ଛଡେଇ ଆଣି ସେଥିରେ ଭାନୁମତି କୁ ହାଣି ଚାଲିଲେ ଭାନୁମତି ରକ୍ତାତ ହୋଇ ତଳେ ପଡ଼ିଗଲା । ରାତି ପାହିବା ପୂର୍ବରୁ ସେ ଭାନୁମତି ର ଶବ କୁ ନେଇ ଜଙ୍ଗଲ ରେ ଫୋପାଡ଼ି ଦେଇ ଆସିଲେ ସକାଳୁ ଉଠି ଅଭିନୟ କରି ସମସ୍ତଙ୍କୁ ଜଣେଇ ଦେଲେ ଯେ ଗତକାଲି ରାତିରେ ତାଙ୍କ କୋଠି ଭିତରକୁ ବାଘ ଚାଲି ଆସିଥିଲା, ବାଘ ଫାତିମା କୁ ଦରମରା କରି ଛାଡିଦେଇ ଭାନୁମତି କୁ ଜୀବନରୁ ମାରିଦେଲା । 


ଏ ଭିତରେ ପାଞ୍ଚ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲା । ସବୁଦିନ ଫାତିମା ସୁରେନ୍ଦ୍ର ର ପାଶବିକ ଅତ୍ୟାଚାର ର ଶିକାର ହେଉଥିଲା । ଭଙ୍ଗା ଗୋଡ କୁ ଲୁଚେଇବା ପାଇଁ ସେ ବଡ ଜୋତା ପିନ୍ଧୁଥିଲା । ଜମିଦାର ଙ୍କ କୋଠି ରେ ସେ ଆବଦ୍ଧ ହୋଇ ରହିଥିଲା ଗୋଟେ ପଞ୍ଜୁରୀ ଭିତରେ ଥିବା ଅସହାୟ ପକ୍ଷୀ ଭଳି । ଏ ଭିତରେ ସୁରେନ୍ଦ୍ର କୌଶଳ କରି ମାନି ସହିତ ପାଗଳ ବିରେନ୍ଦ୍ର ର ବାହାଘର କରେଇ ଦେଇ ଭାଇବୋହୂ ସହ ବି ପରକୀୟା ପ୍ରୀତି ରେ ମାତିଲେ । ରାଜେନ୍ଦ୍ର ର ପାଠପଢା ସରିଲା । ବିଦେଶ ରୁ ରାଜେନ୍ଦ୍ର ର ଫେରିବା କଥା ଜାଣି ସୁରେନ୍ଦ୍ର ଫାତିମା କୁ ଡାକି ତାଗିଦ କରେଇଦେଲେ “ଯେ ତୁ ଯଦି କୌଣସି କଥା ରାଜେନ୍ଦ୍ର କୁ ଜଣାଉ ତେବେ ତୋ ସହ ତାକୁ ବି ମାରି କି ନେଇ ଜଙ୍ଗଲ ଭିତରେ ଫୋପାଡି ଦେଇ ଆସିବି” । ଫାତିମା ଭୟ ରେ ଥରୁଥାଏ । ରାଜେନ୍ଦ୍ର ଘରକୁ ଫେରିଲେ । ଦୁଇ ପ୍ରେମୀ ଯୁଗଳଙ୍କ ମିଳନ ପାଞ୍ଚ ବର୍ଷ ପରେ ହେଉଥିଲା ଦୁହେଁ ଦୁଇ ଜଣ ଙ୍କୁ ସେମିତି ଚାହିଁ ରହିଥାଆନ୍ତି । ଆଖିରୁ ଝରୁ ଥାଏ ଧାରଧାର ଲୁହ । ଫାତିମା ର ଲୁହ କୁ ପୋଛି ଦେଇ ରାଜେନ୍ଦ୍ର କହିଲେ “ଦେଖ ସମୟ କେତେ ଶୀଘ୍ର କଟିଗଲା । ତୁମରି ସ୍ମୃତି ରେ ମୁଁ ପାଞ୍ଚ ବର୍ଷ କୁ ପାଞ୍ଚଶହ ବର୍ଷ ଭଳି ଯିଇଁଛି । ଆମକୁ ଆଉ କେହି ଅଲଗା କେରି ପାରିବେନି ଫାତିମା ର ମୁହଁ ରୁ ଆଉ କିଛି ଶବ୍ଦ ବାହାରି ପାରୁ ନ ଥାଏ ସେ ରାଜେନ୍ଦ୍ର ର ଛାତିରେ ଆଉଜି ଛୋଟ ପିଲାଙ୍କ ଭଳି କାନ୍ଦୁ ଥାଏ । ଯେମିତି ସେ କହୁଥାଏ ମୋତେ ଏଠୁ ଉଦ୍ଧାର କର । ଫାତିମା ର ଛୋଟେଇ କି ଚାଲିବା ଓ ବଡ ଜୋତା ପିନ୍ଧିବାର କାରଣ ତାକୁ ଯେତେ ପଚାରିଲେ ବି ଫାତିମା କିଛି ଉତ୍ତର ଦେଇପାରିଲା ନାହିଁ । ତା’ର ସନ୍ଦେହ ବଢିବାକୁ ଲାଗିଲା ପରଦିନ ଉଠି ସେ ଗାଁ ଭିତରକୁ ଗଲା ତା ସାଙ୍ଗ ଶିବା କୁ ଭେଟିବା ପାଇଁ ।


ଶିବା ସହିତ ତାର ଦେଖା ହେବା ପରେ ଶିବା ରାଜେନ୍ଦ୍ର କୁ ସବୁ କଥା କହିଲା ଯେ କେମିତି ତା ବଡଭାଇ ସୁରେନ୍ଦ୍ର ଫାତିମା କୁ ତା ଯିବା ପରେ ଅତ୍ୟାଚାର କରି ଥିଲା ଶିବା ଥରୁ ସବୁ ଶୁଣିବା ପରେ ସେ ଶାହନୱାଜ୍ ର ଘର କୁ ଗଲା ଶାହନୱାଜ୍ ରାଜେନ୍ଦ୍ର କୁ ଦେଖି କାକୁତିମିନତି ହୋଇ କହିଲା ତୁମେ ଯିବା ପରେ ସେ ରାକ୍ଷସ ମୋ ଝିଅ ଫାତିମା କୁ ବନ୍ଦୀ କରି ରଖିଛି ତୁମେ ତାକୁ ତା କବଳ ରୁ ରକ୍ଷା କର । ତୁମର ଭାଉଜ ଭାନୁମତି କୁ ବି ସେ ହିଁ ହତ୍ୟା କରି ଆଣି ଜଙ୍ଗଲ ରେ ଫିଙ୍ଗି ଦେଇଥିଲା । ମୋର ଠିକ ମନେ ଅଛି ସେଦିନ ରାତିରେ ମୁଁ ବଜାର ରୁ ଫେରୁଥିବା ବେଳେ ଜମିଦାର ସୁରେନ୍ଦ୍ର ଗୋଟେ ସ୍ତ୍ରୀ ଲୋକ ର ଶବ କୁ ଆଣି ଜଙ୍ଗଲ ରେ ଫିଙ୍ଗି ଦେଇ ଗଲେ ମୁଁ ତ ଭାବିଲି ଯେ ସେ ମୋ ଝିଅ କୁ ମାରିଦେଲେ ବୋଲି କିନ୍ତୁ ପାଖ କୁ ଯାଇ ଦେଖିଲା ବେଳକୁ ସେ ତୁମର ଭାଉଜ ଭାନୁମତି ଥିଲା । ଏ ସବୁ କଥା ଶିବା ଓ ଶାହନୱାଜ୍ ଠାରୁ ଶୁଣି ସାରିବା ପରେ ତା ବଡ ଭାଇ ସୁରେନ୍ଦ୍ର ପାଇଁ ତା ମନରେ ଗୋଟେ ଘୃଣା ଓ ପ୍ରତିଶୋଧ ର ଭାବନା ଆସିଲା । ସେ ଘର କୁ ଆସି ଚିନ୍ତା କଲା କେମିତି ଏ ସବୁ ର ପ୍ରମାଣ ସେ ପୁଲିସ କୁ ଦେବ ଫାତିମା ,ଶିବା ଓ ଶାହନୱାଜ୍ କୁ ସେ ଏକାଠି କଲା ଓ ସମସ୍ତେ ମିଶି ଜମିଦାର ସୁରେନ୍ଦ୍ର ବିରୁଦ୍ଧରେ ପୋଲିସ ପାଖରେ ଅଭିଯୋଗ କଲେ ।


ପରଦିନ ସକାଳେ ପୋଲିସ ଆସି ଜମିଦାର କୋଠି ରେ ପହଞ୍ଚି ଜମିଦାର ସୁରେନ୍ଦ୍ର କୁ ଗିରଫ କରି ଥାନା କୁ ନେଇଗଲା । ତାଙ୍କ ମାମଲା ର ଶୁଣାଣି ଚାଲିଲା ଗାଁ ର ସମସ୍ତ ଲୋକେ,ତା ଭାଉଜ ମାନି,ଶିବା,ପରବୀନ୍ ଆଦି ସମସ୍ତେ ଜମିଦାର ସୁରେନ୍ଦ୍ରଙ୍କ ଅତ୍ୟାଚାର ବିରୁଦ୍ଧ ରେ କୋର୍ଟ ରେ ବୟାନ ଦେଲେ ସବୁ ଶୁଣି ସାରିବା ପରେ ଇଂରେଜ ଜଜ୍ ଜମିଦାର ସୁରେନ୍ଦ୍ର ଙ୍କୁ ହତ୍ୟା,ଧର୍ଷଣ,ଅତ୍ୟାଚାର ଆଦି ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ ।

ରାଜେନ୍ଦ୍ର ଫାତିମା କୁ ଧରି ଘୋଡା ଗାଡିରେ କୋଠି କୁ ଫେରିଲାବେଳେ ଫାତିମା ପଚାରିଲା “ତୁମେ ଏବେ ସବୁ ମୋ ବିଷୟରେ ଜାଣି ସାରିବା ପରେ କଣ ତୁମେ ମୋତେ ତୁମର ସ୍ତ୍ରୀ ର ମର୍ଯ୍ୟାଦା ଦେବ?” ରାଜେନ୍ଦ୍ର ତାକୁ ନିଜ ବାହୁବନ୍ଧନ ରେ ଧରି କହିଲେ “ମୁଁ କେବେ ବି ତୁମର ଶରୀର କୁ ଭଲ ପାଇ ନ ଥିଲି । ତୁମେ ମୁସଲିମ୍ ହୋଇଥିଲେ ବି ମୁଁ ଭଲ ପାଇଥିଲି କେବଳ ଫାତିମା ର ସରଳ ହୃଦୟ କୁ । ଯିଏ କି ଏତେ ଅତ୍ୟାଚାର ପାଞ୍ଚ ବର୍ଷ ଧରି ସହି କି ବି ମୋର ଆସିବା ପାଇଁ ଅପେକ୍ଷା କରିଥିଲା । ସେ ଭଳି ହୃଦୟ କୁ ମୁଁ କେମିତି ଛାଡି ଦେଇ ପାରିବି । ଫାତିମା ମୋର ଥିଲା, ଅଛି ଏବଂ ଆଗାମୀ ସାତଜନ୍ମ ପାଇଁ ମୁଁ ତାର ଓ ସେ ମୋର ହୋଇକି ରହିବ । ଫାତିମା ର ଆଖିରୁ ଝରି ଆସିଥିଲା ଦୁଇବୁନ୍ଦା ଅଶ୍ରୁ ଆଉ ସେ ଠିକ୍ ବୁଝି ପାରିଥିଲା ପ୍ରକୃତ ପ୍ରେମ କଣ ବୋଲି ଯାହା କୁ କେବେ କୌଣସି ଏକ ଜାତି କି ଶରୀର ମଧ୍ୟରେ ବାନ୍ଧିବା ଏକ ଅସମ୍ଭବ ବ୍ୟାପାର ।


Rate this content
Log in

Similar oriya story from Drama