STORYMIRROR

Rajalaxmi Tripathy

Classics

2  

Rajalaxmi Tripathy

Classics

ପରଦା ପଛର ବନ୍ଧୁ

ପରଦା ପଛର ବନ୍ଧୁ

4 mins
278

ପ୍ରାତଃ ଭ୍ରମଣ ସାରି ଘରେ ଚା'ପିଉଥିଲେ ବିଜୟ ବାବୁ। ପାଖରେ ପତ୍ନୀ ଗୀତା ବସି ଖବରକାଗଜ ପଢ଼ୁଥିଲେ। ମୋବାଇଲ ଟି ରିଂ ହେବାରୁ ଦେଖିଲେ ସମୁଦୀ ସୁଧୀର ବାବୁ ଫୋନ କରିଛନ୍ତି। ଫୋନ ଉଠାଇ ଶୁଣିଲେ-ସମୁଦୀ, ନମସ୍କାର। ସକାଳୁ ଖୁସି ଖବରଟି ଆଗ ତୁମକୁ ଜଣାଉଛି। ସାନଝିଅ ରିଙ୍କି ର ବାହାଘର ଠିକ୍ ହୋଇଗଲା। ଆସନ୍ତା ମାସ ପନ୍ଦର ତାରିଖରେ। ପୁଅ ଟି ହାଇଦ୍ରାବାଦ ରେ ବ୍ୟାଙ୍କ ରେ ଚାକିରୀ କରେ। ଘର ସମ୍ବଲପୁର ରେ । ଅନ୍ୟାନ୍ୟ ସବୁ ଦେଖାହେଲେ କହିବି। ବନ୍ଧୁ ହିସାବରେ ମୁଁ ଜାଣିଛି ତୁମେ ମୋ ପାଖରେ ନିଶ୍ଚୟ ଠିଆ ହେବ। ବିଜୟ ବାବୁ ଏପଟୁ ଖୁସି ରେ କହିଲେ-ଭାରି ଭଲ ଖବର। ପ୍ରକୃତରେ ରିଙ୍କି ବାହାଘର ପାଇଁ ମତ ବି ବ୍ୟସ୍ତ ଲାଗୁଥିଲା। ହଉ ସୁବିଧା ଦେଖି ଘରଆଡେ ଆସିବ,ଏହାକହି ଫୋନ ରଖିଲେ। ଏପର୍ଯ୍ୟନ୍ତ ନିରବ ହୋଇ ସବୁ ଶୁଣିଲାପରେ ପତ୍ନୀ ଗୀତା ତାଙ୍କ ଆଡକୁ ଚାହିଁ କହିଲେ- ସୁଧୀର ବାବୁ ରିଙ୍କି ବାହାଘର କେମିତି ଜାକଜମକରେ କରିବେ ମୁଁ ଦେଖିବି। ମାମୁଲି ଓକିଲ ଟିଏ। ମୋ ପୁଅ ସିନା ବିନା ସାଜସଜ୍ଜା, ଯୌତୁକ ଆଉ ତୁଚ୍ଛା ସାଦା ଭୋଜିରେ ବାହା ହୋଇଗଲା ତାଙ୍କ ବଡଝିଅ ରିକି କୁ। ରିକି ଭାରି ଚାଲାକ୍ । ମୋ ପୁଅ କୁ ତା'ଜାଲରେ ପକାଇ ବାହା ହୋଇଗଲା। ତୁମ ସରଳତା ଯୋଗୁଁ ଆମ ପୁଅ ରୁଦ୍ର ତାକୁ ବାହାହେବା ପାଇଁ ଜିଦ୍ କଲା। ହଁ,ମୋର ମନେଅଛି,ବାହାଘର ଦିନ ଆମଘରୁ ଯାଇଥିବା ବରଯାତ୍ରୀ ମାନେ କେତେ ହଇରାଣ ରେ ଆସିଛନ୍ତି, ଅଧା ଲୋକ ଓପାସରେ ଫେରିଛନ୍ତି। ସେ କଥା ମୁଁ ଜୀବନ ରେ କେବେ ଭୁଲିବିନି। ନିରବରେ ଗୀତା ଙ୍କ କଥା ଶୁଣି ବିଜୟ ବାବୁ ଦାଣ୍ଡ ପଟ ବଗିଚା କୁ ଚାଲିଆସିଲେ।

ସଂଧ୍ୟାରେ ଗୀତା ମନ୍ଦିର କୁ ଯାଇଥିବା ସମୟରେ ପୁଅ ରୁଦ୍ର ପାଖକୁ ଫୋନକଲେ ବିଜୟ ବାବୁ। କହିଲେ-ରିଙ୍କି ର ବାହାଘର କଥା ଆଜି ସୁଧୀର ବାବୁ ଙ୍କ ଠାରୁ ଜାଣିଲି। ଏକଥା ଶୁଣି ରୁଦ୍ର କହିଲା-ହଁ, ବାପା ତୁମେ ତ ରିକି ବାପାଙ୍କ ଆର୍ଥିକ ଅବସ୍ଥା କଥା ଜାଣିଛ। ଅସୁସ୍ଥତା ଯୋଗୁଁ କୋର୍ଟ କୁ ଏବେ ଯାଉନାହାନ୍ତି। ତେଣୁ ମତେ ଏ ବାହାଘର ର ଅଧିକାଂଶ ଦାୟିତ୍ୱ ତୁଲାଇବା କୁ ପଡିବ। ରିକି ଅବଶ୍ୟ ଏ ବିଷୟରେ ମତେ କିଛି ବାଧ୍ୟ କରିନି। କିନ୍ତୁ ମୁଁ ବି ସେ ଘରର ଜ୍ବାଇଁ, ବଡ଼ପୁଅ ପରି। ତୁମେ ମା'ଙ୍କୁ ଏସବୁ କଥା କିଛି କହିବନି। କାରଣ ରିକି ବାପଘର ପ୍ରତି ତାଙ୍କର ଯେଉଁ ଅସୂୟା ଭାବ ତାହା ଏପର୍ଯ୍ୟନ୍ତ ଦୂର ହୋଇନି।

-ତୁ ବ୍ୟସ୍ତ ହୁଅନା,ରିଙ୍କି ବାହାଘର ଦାୟିତ୍ୱ କେବଳ ତୁମମାନଙ୍କର ନୁହେଁ, ଏଥିରେ ମୋର ମଧ୍ୟ କିଛି ଦାୟିତ୍ୱ ଅଛି।

-ବାପା ତୁମର ଏକଥା ଶୁଣିଲେ ରିକି ଭାରି ଖୁସି ହୋଇଯିବ।

-ହଁ,ତୁମେମାନେ ରିଙ୍କି ପାଇଁ ହାର ଓ ଅନ୍ୟ କିଛି ଗହଣା କିଣି ନେଇ ଆସିବ। ମୁଁ ଆଜି ତୋ ପାଖକୁ ମୋ ଆକାଉଣ୍ଟ ରୁ ଚେକ୍ ଟିଏ ପଠାଇଛି। ସେଥିରେ ଭୋଜି ର ସମୁଦାୟ ଖର୍ଚ୍ଚ ଚଳିଯିବ। ଏସବୁ କଥା ତୁ,ମୁଁ ଓ ରିକି ମଧ୍ୟରେ ସୀମିତ ରହିବାର ଆଶା ନିଶ୍ଚୟ କରିବି। ତୋ ମା'ଏସବୁ ବର୍ତ୍ତମାନ ସମୟପାଇଁ ଜାଣିବା ଉଚିତ ନୁହେଁ। ପରେ ତାକୁ କହି ବୁଝାଇଦେବି ମୁଁ।

-ବାପା,ତୁମେ ମୋର ଓ ରିକି କୁ କେତେ ହାଲୁକା କରିଦେଲ ଏକଥାରେ। ବିରଳ ତୁମର ଏ ବ୍ୟକ୍ତିତ୍ବ କୁ ମୁଁ ଦୂରରୁ ପ୍ରଣାମ କରୁଛି। ମୁଁ ତୁମ ପାଇଁ ଗର୍ବିତ ବାପା ।

ସେପଟୁ ରୁଦ୍ର ର ବାଷ୍ପ ରୁଦ୍ଧ କଣ୍ଠସ୍ବର ଶୁଣିପାରୁଥିଲେ ବିଜୟ ବାବୁ।


ବାହାଘର ଦିନ ଯଥା ସମୟରେ ପତ୍ନୀ ଗୀତା ଙ୍କୁ ଧରି ବିବାହ ମଣ୍ଡପ ରେ ପହଞ୍ଚିଥିଲେ ବିଜୟ ବାବୁ। ସୁନ୍ଦର ସାଜସଜ୍ଜା। ବିବାହ ବେଦୀରେ ହାତଗଣ୍ଠି ପଡ଼ି ସାରିଛି ବରକନ୍ୟା ଙ୍କର। ବିଜୟ ବାବୁଙ୍କ ପାଖକୁ ଉଭୟ ରୁଦ୍ର ଓ ରିକି ଆସି ଆଖି ଛଳ ଛଳ କରି କହିଲେ-ବାପା, ଏ ବାହାଘର ତୁମରିଲାଗି ଏତେ ସୁରୁଖୁରୁରେ ଅନୁଷ୍ଠିତ ହୋଇପାରଲା। ସେମାନଙ୍କ ମୁଣ୍ଡ କୁ ଆଉଁସି ବିଜୟ ବାବୁ କହିଲେ-ପିଲାମାନେ ଚିନ୍ତାଗ୍ରସ୍ତ ହୋଇ ଚାପରେ ରହିଲେ ବାପା,ମା ଶାନ୍ତି ରେ ରହିପାରନ୍ତି ନାହିଁ। ଚାକିରୀ ର ଅବସରପରେ ମିଳିଥିବା ଟଙ୍କା ର ଫିକ୍ସ୍ଡ଼ ଡିପୋଜିଟ୍ ରୁ କିଛି ଉଠାଇଆଣି ତୁମ ମାନଙ୍କ ପାଖକୁ ଚେକ୍ ରେ ପଠାଇଥିଲି। ଖାଲି ନିଜ ପାଇଁ ବଂଚିଲେ ଲାଭକଣ,ନିଜ ଚାରିପାଖର ମଣିଷ, ବନ୍ଧୁ ପରିଜନ ସମସ୍ତେ ମଧ୍ୟ ଭଲରେ ବଂଚିବା ଉଚିତ । ଦେବତା ପରି ଶ୍ବଶୁର ଙ୍କ ଏହି କଥା ସବୁ ଶୁଣି ରିକି ତାଙ୍କ ପାଦଛୁଇଁ କାନ୍ଦି ପକାଇଲା। ତାକୁ ପାଦତଳୁ ଉଠାଇଲେ ବିଜୟ ବାବୁ। ଆଉ ବେଶୀ ସମୟ ବେଦୀ ପାଖରେ ଠିଆ ନହୋଇ ଗୀତା ଙ୍କ ପାଖରେ ଆସି ବସିଲେ।

ବିବାହ ଭୋଜି ପ୍ରାୟ ସରିବା ଉପରେ। ଅଳ୍ପ ସମୟ ପରେ ବରକନ୍ୟା ବିଦା ହେବେ। ରିକି ର ମା'ଙ୍କ ସହ କଥା ହେଉଛନ୍ତି ଗୀତା। କିଛି ଦୂରରେ ବିଜୟ ବାବୁ। ହଠାତ୍ ସମୁଦୀ ସୁଧୀର ବାବୁ ତାଙ୍କ ହାତ ଧରି କିଛି ଦୂର ଏକ ନିରୋଳା ସ୍ଥାନ କୁ ନେଇ କହିଲେ; ମୁଁ ଜୀବନ ସାରା ଋଣୀ ରହିଗଲି ସମୁଦୀ। ତୁମ ର ଏ ତ୍ୟାଗ ପାଗରେ ମୁଁ ଅତି ତୁଚ୍ଛ। ଏ ବାହାଘର ର ସବୁ ଶ୍ରେୟ ହିଁ ତୁମର।

-ଆରେ ଏମିତି କଣ କହୁଛ। ହଁ,ଜାଣିଲି,ରିକି ବୋଧେ ତୁମକୁ ସବୁ କହିସାରିଛି । ଶୁଣ ,ତୁମେ ଖାଲି ମୋର ସମୁଦୀ ନୁହେଁ ସାତଜନ୍ମ ପାଇଁ ବନ୍ଧୁ। ବନ୍ଧୁ ଯଦି ଦୁଃଖ ଅଭାବରେ ପଡି ହଇରାଣ ହୁଏ ତେବେ ତାକୁ ସାହାଯ୍ୟ କରିବା ଅନ୍ୟ ବନ୍ଧୁ ର କର୍ତ୍ତବ୍ୟ ନୁହେଁ ଅଧିକାର। ବନ୍ଧୁ ହିସାବରେ ତୁମ ମୁହଁ ରେ ଦୁଃଖ ର ଛାପ ମୁଁ ଦେଖି ପାରିବିନାହିଁ। ତୁମେ ରିଙ୍କି ବାହାଘର ପାଇଁ ଋଣ କରଜ ରେ ପଡିଲେ ମୋ ପୁଅ,ବୋହୁ ମଧ୍ୟ ସେଥିପାଇଁ ଚିନ୍ତାଗ୍ରସ୍ତ ହେବେ। ମନ ଅସୁଖ କରିବେ। ତା'ଛଡ଼ା ରିଙ୍କି ବାହାଘର ରେ କିଛି ଅସୁବିଧା ହେଲେ ତାହା କଣ ମୋ ପରିବାରର ସମ୍ମାନ ହାନୀ କରିବନି? ଯାହାହେଉ ବାହାଘର ଭଲରେ ସରିଲା,ମୁଁ ବହୁତ ଖୁସି।

ଏସବୁଶୁଣି ସୁଧୀର ବାବୁ ଙ୍କ ମୁହଁ ର କୃତଜ୍ଞତା ର ହସ ଭରି ଉଠିଲା । ବିଜୟ ବାବୁ ଙ୍କୁ ଧରିପକାଇ କହିଲେ:ମୁଁ ପ୍ରକୃତ ରେ କଳ୍ପନା କରିନଥିଲି ତୁମ ଠାରୁ ଏ ବ୍ୟବହାର ପାଇବିବୋଲି। ମୁଁ ତୁମ ପାଖରେ ଚିର ଋଣୀ।

-ନା,ସୁଧୀର ବାବୁ, ଋଣୀ ନୁହେଁ, ଏହା ଆମ ବନ୍ଧୁ ପଣର ଅକ୍ଷୁର୍ଣ୍ଣତା ।

-ହଁ, ସତକଥା। କିନ୍ତୁ ଆଜିର ଏ ବାହାଘର ରେ ତୁମେ ହିଁ ଥିଲ ପରଦା ପଛର ପ୍ରକୃତ ବନ୍ଧୁ।

ଦୁଇ ବନ୍ଧୁ ପରଷ୍ପର ମୁହଁ କୁ ଚାହିଁ ହସିଉଠିଲେ।



Rate this content
Log in

Similar oriya story from Classics