Arabinda Rath

Comedy

3  

Arabinda Rath

Comedy

ପୋଷ୍ଟଅଫିସ୍ ଖୋଲାଅଛି

ପୋଷ୍ଟଅଫିସ୍ ଖୋଲାଅଛି

6 mins
360


ସ୍ବଭାବରେ ଟିଙ୍ଗାଳୁ ପ୍ରକୃତିର ମଦନାଙ୍କୁ ଷଣ୍ଢପୁର ଗ୍ରାମର ପିଲା ଠାରୁ ବୁଢା ସଭିଏଁ ଚିହ୍ନନ୍ତି। ସେଇ ଛୋଟ ଗାଁଆଟିରେ ମଦନା ହିଁ ସବୁଠାରୁ ବେଶୀ ପାଠୁଆ ଓ ବଡ ଚାକିରିଆ। ଗାଁଆ ପୋଷ୍ଟ ଅଫିସରେ ସେ ପୋଷ୍ଟମାଷ୍ଟର ଭାବରେ ବହୁବର୍ଷ ହେଲାଣି କାର୍ଯ୍ଯରତ ଥିଲେ। ଚାକିରିରେ ପଶିଲା ବେଳକୁ ତାଙ୍କ ଚୁଟି କଳାଥିଲା ଓ ଧଳା ହେବା ପର୍ଯ୍ଯନ୍ତ ତାଙ୍କର ସେହି ପୋଷ୍ଟ ଅଫିସରୁ ବଦଳି ହୋଇ ନଥିଲା। ବଦଳି ନ ହେବାର ପ୍ରମୁଖ କାରଣ ଥିଲା ତାଙ୍କର ଟିଙ୍ଗା ପ୍ରକୃତ୍ତି ଓ ଟାଉଁଟାଉଁ କଥା। ମୁଣ୍ଡକୁ ରାଗ ଚଢି ଗଲେ ସେ ନାଗ ସାପକୁ କାକୁଡି ପରି ଚୋବେଇ ଦେବା ଲୋକ। ତତଲା ତାଓ୍ବାରେ ପାଣି ପଡିଲେ ଚେଁ ଚାଁ ହେବା ପରି, କାହା କଥା ତାଙ୍କୁ ଅବାଗିଆ ଲାଗିଲେ ସେ ବୁଢାମାଙ୍କଡପରି ଘାଉଁଘାଉଁ କରି ଗୋଡାଇ ଆଣିବାରେ ଉସ୍ତାଦ୍ ଥିଲେ। ଲୋକଙ୍କ ମନରେ ତାଙ୍କ ପାଇଁ ଭୟ ଥିଲା। ଦୈବାତ୍ ବୁଢା ରାଗିଗଲେ ମନିଅର୍ଡର ଠାରୁ ଆରମ୍ଭ କରି ଚିଠିପତ୍ର ସବୁ ଡାକଘରେ ପଡିପଡି ସଢି ଯିବେ ସିନା ଠିକଣାରେ ପହଞ୍ଚିବେନି; ସେଇ ଡରରେ ଗାଁଆର ନିହାତି ବାଳୁଙ୍ଗା ଟୋକା ବି ମଦନାଙ୍କୁ ଦେଖିଲେ ଭକ୍ତିପୂତ ଓଳଗି ମାରି ସମ୍ମାନ ଦେଖାଉଥିଲେ।

ରବିବାର ଦିନ ସକାଳୁ ବେଶଭୂଷା ହୋଇ ମଦନା କୌଣସି ଜରୁରୀ କାମରେ ବଜାର ଅଭିମୁଖେ ବାହାରିଥିଲେ। ଦଶହରାରେ କିଣିଥିବା ସୁନେଲିରଙ୍ଗର ସାର୍ଟ ଓ କଳା ମଚମଚ ନଳୀପ୍ଯାଣ୍ଟ ପିନ୍ଧି ବଡ ଆନନ୍ଦରେ ଲମ୍ବା ପାହୁଣ୍ଡ ପକାଇ ସେ ଚାଲିବାରେ ନିମଗ୍ନ ଥିବାବେଳେ, ନଖିଆ ତାଙ୍କୁ ଦେଖି ଦଣ୍ଡବତ ହେଲା। ହାତଟେକି ପ୍ରତ୍ଯୁତ୍ତର ଦେଲା ବେଳକୁ ନିଖିଆ ମୁହଁ ରେ ଯଥା ସମ୍ଭବ ଆଶ୍ଚର୍ଯ୍ଯଭାବ ଉକୁଟାଇ କହିଲା- - - ଆଜ୍ଞା..ପୋଷ୍ଟମାଷ୍ଟର ଆଜ୍ଞା... ପୋଷ୍ଟଅଫିସ ଖୋଲା ଅଛି।

ମଦନା ଚଢାଗଳାରେ କହିଲେ - - ଆବେ ବୋକା, ଆଜି ପରା ରବିବାର - - ଛୁଟି ଦିନ, ଆଜି ଦିନରେ କେବେ ପୋଷ୍ଟ ଅଫିସ ଖୋଲେନି। ଆଜି କେମିତି ଖୋଲିବ? ତୁ ଶଳା ଲେମ୍ବୁ ଟା ଜାଣିଛୁ। ମୁର୍ଖ କାହାଁକା ଭାଗ୍ ଏଠୁ। ମଦନାଙ୍କ କଥା ଶୁଣିବା ପରେ ମଧ୍ଯ ନଖିଆ ମୁହଁରୁ ଆଶ୍ଚର୍ଯ୍ଯଭାବ ଉଣା ହେଲାନି ବରଂ ସେ ପୁଣି କହିଲା- - ଆଜ୍ଞା, ମୁଁ କହୁଛି ପରା ପୋଷ୍ଟଅଫିସ ଖୋଲା ଅଛି। ମୋ କଥାରେ ପରତେ ଯାଉ ନାହାଁନ୍ତି କଣ ପାଇଁ?

ଦାନ୍ତ ନିକୁଟି ମଦନା ଗୋଡେଇ ଆଣିବାରୁ ବିଚରା ସେ ଯାଗାରୁ କିଳିକିଳା ରାବ ଛାଡି ଦୌଡି ପଳାଇଲା। ମଦନା ମନେମନେ ଗାରୁଗାରୁ ହୋଇ କହିଲେ- - ୟା'ପ ମୋ ସାଙ୍ଗେ ଗମାତ ଚଲେଇଛି। ମୋ ପୋଷ୍ଟଅଫିସ ଖୋଲିଛି କି ବନ୍ଦ ଅଛି ମୁଁ ଜାଣିନି ଯେ ଏ ଗଣ୍ଡ ମୁର୍ଖମାନେ ମୋତେ ଜଣେଇବ। ରହରେ ପୁଅ-- ତୋ ମନି ଅର୍ଡର ଏଥର ଆସୁ, ଦେଖିବୁ କେମିତି ମାଙ୍କଡନାଚ ଦେଖେଇଦେବି। ଅନୁକୂଳଟା ବିଗିଡି ଯିବାରୁ ତାଙ୍କ ମନରେ ବିରକ୍ତି ଭାବ ଆସି ଯାଇଥିଲା । ଭାବିଲେ ବରା ଦୁଇଟା ଚୋବେଇ ଚାହାକପେ ଢୋକିଦେଲେ ମନଟା ଥଣ୍ଡା ହୋଇଯିବ। ସାହୁ ଦେକାନରେ ବରା ପାକୁଳି କରିବା ସମୟରେ ଦୋକାନ ପିଲାଟା କହିଲା- - ମଦନାଜ୍ଞା, ଆଜି କଣ ପୋଷ୍ଟଅଫିସ ଖୋଲା। ପିଲାଟାର ବାକ୍ଯ ଶେଷରେ ପୂର୍ଣ୍ଣଛେଦ ଥିଲା, ମାତ୍ର ମଦନା ସେ ସ୍ଥାନରେ ପ୍ରଶ୍ନଚିହ୍ନ ମାରି ପିଲା ମୁହଁ କୁ କଟମଟ କରି ଚାହିଁଲେ। ଗରମବରା କୁ ଦାନ୍ତ ମଝିରୁ କଳ କୁ ଠେଲି ଦେଇ କହିଲେ- - କିବେ, ରବିବାର ଦିନ ତୋ ବୋପା ବୋଧେ ଆସି ପୋଷ୍ଟ ଅଫିସ ଖୋଲିଥିବ। ଅଫିସ ଖୋଲୁ କି ବନ୍ଦହେଉ ତୋର ସେଥିରେ କେତେ ଯାଏଆସେ? ପ୍ରଧାନମନ୍ତ୍ରୀକୁ ଚିଠିଦେବୁ ନା ଆମେରିକାକୁ ମନିଅର୍ଡର ପଠେଇବୁ। ପିଲାଟା ପୁଣି କଣ କହି ଆଣୁଥିଲା, ମାତ୍ର ମଦନାଙ୍କ ବକାସୁରିଆ ରୂପ ଦେଖି ତା ଛାତି ଭିତରଟା ଧୁଡୁଧୁଡୁ ହୋଇଗଲା। ସାହୁ ପିଲାଟାକୁ ଚୁପ୍ ରହିବାକୁ ଇସାରା କରି ମଦନାଙ୍କ ହାତରୁ ପଇସା ନେଲା। ଖୁଚୁରା ଫେରାଇଲା ବେଳେ କୁନ୍ଥୁକୁନ୍ଥୁ ହୋଇ କହିଲା- - ଆଜ୍ଞା- - ପୋଷ୍ଟଅଫିସ୍...... ତା କଥା ନ ସରୁଣୁ ମଦନା ତା ମୁହଁ କୁ ଖୁଚୁରା ପଇସାତକ ଫୋପାଡି ଦେଇ ମଦନା କହିଲେ - - ହଇରେ ବାଡିଖିଆ ସାହୁ, ତୋ ବୁଦ୍ଧି ବାମ ହେଲାଣି କିରେ? ମୁଁ କଣ ତୋ ଶାଳୀ ଯେ ମୋ ସହ ଟାପରା କରୁଛୁ? ହଉ-- ତୋ ଖାତାରେ ଟଙ୍କା ଜମା କରିବାକୁ ଏଥର ମୋ ପାଖକୁ ଆସେ, ଦେଖିବୁ କେମିତି ତୋ ଚାମ୍ପିୟାନଗିରି ଛଡଉଛି।

ମଦନାଙ୍କ ମୁଣ୍ଡରେ ତେନ୍ତୁଳିଆ ବିଛା କାମୁଡିବା ଆରମ୍ଭ କରି ସାରିଥିଲେ। ବସଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ତାଙ୍କର ଏ ଦଶା ହେବ ବୋଲି ସେ ଭାବି ନ ଥିଲେ। କିନ୍ତୁ ଯାହାହେଲେ ମଧ୍ଯ ସହର ଯିବାର ଥିଲା, ତେଣୁ ବେଦନା କୁ ମନରେ ଚାପି ସେ ଧିର ମନ୍ଥର ଗତିରେ ଆଗକୁ ବଢିଲେ। ସେତିକି ବେଳକୁ ରାଜୁବଙ୍ଗାଳୀର ସ୍ତ୍ରୀ ରୋଜି ସ୍କୁଟିରେ ପବନବେଗରେ ଛୁଟି ଆସୁଥିଲା। ସେ ଗାଁଆରେ ଏକ "ମାଙ୍କିଡିରୁ ମଣିଷ ବିବର୍ତ୍ତନ କେନ୍ଦ୍ର( ବିଉଟି ପାର୍ଲର)” ଖୋଲି ବେଶ୍ ପଇସା ରୋଜଗାର କରୁଥିଲା ଓ ପୋଷ୍ଟଅଫିସରେ ଚାରିପାଞ୍ଚଟା ଜମାଖାତାରେ ଗାନ୍ଧିମୁଣ୍ଡ ପୁରାଉଥିଲା। ସେ ପ୍ରାୟ ପୋଷ୍ଟଅଫିସକୁ ଦୁଇଦିନରେ ଥରେ ଯାଇ ନଟରପଟର ହେଉଥିଲା। ମାଇପି ମଣିଷଟାର ଦୁଃଖ ଦେଖି ନ ପାରି ମଦନା ତା କାମ ଆଗ ସାରି ତାକୁ ବିଦାୟ ଦେଉଥିଲେ। ଫେରିଲାବେଳେ ମଦନାଙ୍କୁ ସେ ହସିହସି କହୁଥିଲା- - ଆଜ୍ଞା ଆପଣଙ୍କ ପରି ପୋଷ୍ଟଅଫିସ ସାରା ଭାରତବର୍ଷରେ କେଉଁଠି ବି ନାହିଁ। ସେତକି ଶୁଣିଦେଲେ ମଦନାଙ୍କ ମନରେ ଲକ୍ଷେ ସରିକି ପଦ୍ମଫୁଲ ଫୁଟି ଯାଉଥିଲା। ସୁକୁଟାଗାଲରେ ହସର କୁଞ୍ଚିତରେଖା ପକାଇ ସେ ରୋଜିକୁ ବିଦାୟ ଦେଉଥିଲେ। ଟୋକାଳିଆ ପୋଷ୍ଟମ୍ଯାନ୍ ବଳିଆ, ଟିଙ୍ଗାଳୁ ମଦନାଙ୍କ ଏ ରୂପ ଦେଖି ନାକରେ କାଠି ଗେଞ୍ଜି ହସିହସି ପାଟିରେ ସଫଲ ଗୁଟୁଖା ପକେଇ ଚାବାଉଥିଲା।

ରୋଜି କୁ ଦେଖି ମଦନାଙ୍କ ମନରେ ପଦ୍ମଫୁଲ କଢିମାନ ଗଜୁରି ଉଠିଲା। ରୋଜି ତାଙ୍କୁ ଦେଖି ଅଟକି ଗଲା ଓ ସ୍କୁଟିରୁ ଓହ୍ଲାଇ ନମସ୍କାର ପକାଇଲା। କଣ,କେମିତି,କେଉଁଠି,କେତେବେଳେ,କାହିଁକି ଆଦି ପ୍ରଶ୍ନୋତ୍ତର ସାରି ଯିବାକୁ ଉଦ୍ଯତ ହେଲାବେଳକୁ ରୋଜିର କରମଙ୍ଗିଆ ଓଷ୍ଠଯୁଗଳ ଉନ୍ମୁକ୍ତ ହୋଇଗଲେ ଓ ବେହେଡା ଦୁଇଧାଡି ଦାନ୍ତ ମଝିରେ ଜିଭଟା ଚାପି ହୋଇଗଲା। ସେ ମଦନାଙ୍କ କାନ ପାଖକୁ ଲାଗି ଆସି ଦୁଷ୍ଟାମୀଭରା ହସର ଫୁତ୍କାର ଫିଙ୍ଗି କହିଲା- - ଆଜ୍ଞା, ଆଜି ଛୁଟିଦିନ ରେ କଣ ଆପଣଙ୍କ ପୋଷ୍ଟ ଅଫିସ୍ ଖୋଲା ଅଛି? କିଛି ଜରୁରୀ କାମ ଅଛି ନା କଣ? ସେତିକି ଶୁଣି ମଦନାଙ୍କ ପାଟିରୁ ରୋଜିର ଚରିତ୍ରସଂହାର ପୂର୍ବକ କେତେ ଜାତିଆ ଅଜାତିଆ ଗାଳିମାନ ବୋହିବାକୁ ଆରମ୍ଭ କରିବା ବେଳକୁ ସ୍କୁଟିଟି ଧୂଆଁ ଉଡେଇ ସେ ଜାଗାରୁ ଅନ୍ତର୍ଦ୍ଧ୍ଯାନ ହୋଇ ସାରିଥିଲା।

କିନ୍ତୁ ରୋଜି କଥାଶୁଣି ମଦନାଙ୍କ ମୁହଁରେ ଚିନ୍ତାର ରେଖାମାନ ସୁଷ୍ପଷ୍ଟ ଦିଶିଲା। ସେ ଭାବିଲେ କାଳେ ରବିବାରରେ ବି ପୋଷ୍ଟଅଫିସ ଖୋଲା କରିବା ପାଇଁ ସରକାର ଘୋଷଣା କରିଥିବେ। ଟିଭିରେ ଦେଖେଇଥିବ ନ ହେଲେ ରେଡିଓରେ ବାଜିଥିବ। କାଇଁ ତାଙ୍କ ପାଖରେ ତ ଖବର ନାହିଁ। ଏ ସରକାରର କଣ ବାଡବତା ଅଛି। ଯେତେବେଳେ ଯାହା ଚାହିଁବେ କରୁଛି- - ଯେମିତି ରାତାରାତି ପାଞ୍ଚଶହ ଓ ହଜାର ଟଙ୍କିଆ ନୋଟ୍ ସବୁକୁ ରଦି କାଗଜ କରିଦେଲା,ସେମିତି କାଳେ କିଛି କରି ପକେଇଥିବ। ଆଜିକାଲି ତ ଡାକଘରେ ପରିବାପତ୍ର ବିକ୍ରିକୁ ଛାଡି ବାକି ସବୁ କାମ କରେଇବା ପାଇଁ ସରକାର ଚିନ୍ତା କରୁଛି। ଯାହା ନୂଆ ଯୋଜନା ଆସିବ ସବୁ ସେହି ଡାକଘରବାଲା ହିଁ କରିବେ। ଏତେ କାମ ସୂଚାରୁ ରୂପେ କରିବା ପାଇଁ ରବିବାର ଛୁଟିରେ ନିଆଁ ଲଗାଇଦେବା ଟା ସରକାର ପକ୍ଷେ ଆଦୌ ଅସମ୍ଭବ ନୁହଁ।

ପୁଣି ଭାବିଲେ କାଳେ ଗତକାଲି ପୋଷ୍ଟଅଫିସରେ ବଳିଆ ତାଲା ପକେଇ ନ ଥିବ। ଟୋକାଳିଆ ପିଲା, ଛୁଟିଦିନ ଆସିଲେ ଆସ୍କା ଫୋର୍ଟି କୁ କୁକୁଡା କଷା ପାଇଁ କୁକୁରଙ୍କ ପରି ଡହଳବିକଳ ହୋଇଯାଏ। କାଳେ ନିଶାପାଣି ପ୍ରଭାବରେ ସେ ପୋଷ୍ଟଅଫିସ ଖୋଲା ଛାଡି ଦେଇଥିବ। ତାଙ୍କ ମୁଣ୍ଡ ଘୁରେଇଦେଲା ପରି ଲାଗିଲା। ଯଦି ସେମିତି କିଛି ହୋଇଥିବ ଗାଁଆରେ ହୁରି ପଡିଯିବଣି। ଠାଉକାଚୋର ବାଙ୍କାନିଧି ସବୁତକ ଟଙ୍କା ଧରି ଚମ୍ପଟ ମାରି ସାରିବଣି। ଗୁଣ୍ଡୁରୀ ଗଉଡୁଣୀର ଓଲେଇ ଗାଈ ଅଫିସରେ ପଶି ସବୁ କାଗଜପତ୍ର ପାକୁଳି କରିସାରି ଗୋବର ଘଷି ପାଇଁ କଞ୍ଚାମାଲ୍ ଛାଡିବାରେ ବ୍ଯସ୍ତଥିବ। ଗାଁଆର ପରମ ଗଞ୍ଜୋଡ ନେଙ୍କୁରି ତା ସଖା ସହୋଦର ଧରି ଟେବୁଲ ଉପରେ ଖଞ୍ଜଣି ପିଟା କାର୍ଯ୍ଯକ୍ରମରେ ମନପ୍ରାଣ ଦେଇ ଲାଗିଥିବ। ସେସବୁ କଥା ତାଙ୍କୁ ବଳେଇ ଯିବନି ଯେ, କିନ୍ତୁ ଯଦି ସେ ଗୋତ୍ରମାରୁ,ନାରଦିଆ,ପରମ ପର୍ପଞ୍ଚିଆ,ଘୂଷୁରିମୁଣ୍ଡିଆ ସାମ୍ବାଦିକ ଟେଙ୍କାରୁ ମାହାନ୍ତି ପୋଷ୍ଟଅଫିସରେ ପହଞ୍ଚିଥିବ କଥା ସରିଲା ଜାଣ। ଚାକିରି ଟା ପାଚିଲା ଆମ୍ବ ପରି ଝଡି ପଡିବ, କୋଉ ବୋପା ଆସି ପିଠିରେ ପଡିବେନି। ସେ ତ ଶୋରିଷ ପଡିଲେ ବୋମା ପଡିଲା ବୋଲି ରିପୋର୍ଟ ଲେଖେ, ଆଉ ଯଦି ବୋମା ପଡିବା ଖବର ଆସିବ, ସେ ପୃଥିବୀ ଫାଟି ଆଠଫାଳ ହୋଇଗଲା ବୋଲି ରିପୋର୍ଟ ଲେଖିଦେବ। ଏମିତି ହଜାର ପ୍ରକାର ଦୁଃଶ୍ଚିନ୍ତାରେ ଛଟପଟ ହୋଇ ମଦନା ପୋଷ୍ଟଅଫିସ କୁ ଧାଇଁଲେ। ବାଟରେ ତାଙ୍କ ସହ ଚାଣ୍ଡାଳ ସେଠି, ହୟଗ୍ରୀବ ସାଆନ୍ତରା, ଧଣ୍ଡେଶ୍ ମିଶ୍ର, ଝାମ୍ପୁଡି ରଥ ଆଦି ଗ୍ରାମବାସୀ ଦେଖାହେଲେ। ସେମାନେ ସମବେତ ସ୍ବରରେ କହିଲେ ଯେ ଆପଣଙ୍କ ପୋଷ୍ଟଅଫିସ ଖୋଲାଅଛି। ବିଚରା ମଦନା, ସେମାନଙ୍କ ସହ କଳିତକରାଳ ନ କରି କହିଲେ - - ହଁ ହଁ ମୁଁ ସେଇଠିକୁ ହିଁ ଯାଉଛି। ଖବର ଟା ଦେଇ ଥିବାରୁ ଧନ୍ଯବାଦ୍। ଗାଁଆ ଲୋକମାନେ ଖାଲି ବଲବଲ କରି ମଦନାଙ୍କୁ ଦେଖିବାରେ ଲାଗିଥିଲେ ଓ ସେ ଡାଇରିଆ ରୋଗୀ ପାଇଖାନା କୁ ଦୌଡିବା ପରି ଅତର୍ଛିଆ ଦୌଡି ଚାଲିଥିଲେ।

ଦୂରରୁ ସେ ଦେଖିପାରିଲେ ଟେଙ୍କାରୁ ମହାନ୍ତି ଟଳମଳ ଅବସ୍ଥାରେ ଅଫିସ ଆଡୁ ଆସୁଛି। ତାକୁ ଦେଖି ମଦନାଙ୍କ ତଣ୍ଟି ଶୁଖିଗଲା। ମନେମନେ କହିଲେ - - ଆଜି ମୁଁ ମଲି - - ଲୋ ମାଆ ଫୁଟେଶ୍ବରୀ - - ମୋତେ ରକ୍ଷା କର ଲୋ ମାଆ। ମୋତେ ବଞ୍ଚେଇଦେଲେ ତୋ ପାଖରେ ପାଞ୍ଚ ଟଙ୍କାର ଘିଅ ଦୀପ ଜାଳି ମିରିକାଳି ମାଛଟେ ବଳି ଚଢେଇବି। ଡାକଘର ପଇସାରୁ କିଛି ଅନୁଲୋମ ବିଲୋମ କରି ତୋ ପାଇଁ ନୂଆ ଘଣ୍ଟିଟେ କିଣି ଦେବି ଲୋ ମାଆ। ପ୍ରାର୍ଥନା ଟା ସରିବାକୁ ଆଉ ପଦେ ସରିକି ବାକି ଅଛି, ଟେଙ୍କାରୁ ଆସି ମଦନାଙ୍କୁ ଧରି ପକେଇଲା। ମଦନିଶାରେ ଟଳମଳ ହୋଇ ତା ପାଦ ଠିକ୍ ରେ ପଡୁ ନଥିଲା। ସେ ଅଟ୍ଟହାସ୍ଯ କରି କହିଲା- - କିହୋ ମିଷ୍ଟର ପୋଷ୍ଟମାଷ୍ଟର , ଆଜି ରବିବାରରେ ବି ପୋଷ୍ଟଅଫିସ ଖୋଲା ରଖିଛ? ଭଲ - - ଭଲ- - ଅତି ଭଲ। ସହରରୁ ଆସି ଗାଁଆରେ ଭଲ ନାଆଁ କରିବ ତୁମେ। ଟେଙ୍କାରୁ କୁ ଠେଲି ଦେଇ ମଦନା ପୋଷ୍ଟଅଫିସ ପାଖକୁ ଦୌଡିଲେ। ଦେଖିଲା ବେଳକୁ ପୋଷ୍ଟଅଫିସ ତାଲା ପଡିଛି ଓ କବାଟ ସାମନାରେ ବଳିଆ ମହା ଆନନ୍ଦରେ ମଦମାଂସର ମଜା ନେଉଛି। ସେ ପ୍ରଥମେ ବିଶ୍ବାସ କରି ପାରିଲେନି ଯେ ଦେଖୁଥିବା ଦୃଶ୍ଯଟା ସତ ନା ସ୍ବପ୍ନ। ବଳିଆ ପିଚାରେ ଗୋଇଠାଏ କଷି ଦେବାରୁ ସେ "ମାଆ ଲୋ... ବୋପା ଲୋ "ରଡି ଛାଡିଲା ଓ ମଦନା ନିଶ୍ଚିନ୍ତ ହେଲେ ଯେ ସେ ସ୍ବପ୍ନ ଦେଖୁ ନାହାଁନ୍ତି। କିନ୍ତୁ..... ଯଦି ଅଫିସ ବନ୍ଦ ଅଛି ତେବେ କାହିଁକି ସାରା ଜଗତ ତାଙ୍କ ପଛରେ ପଡିଛି ପୋଷ୍ଟ ଅଫିସ ଖୋଲା ବୋଲି।

ସେତିକିବେଳେ ମୁଣ୍ଡ କୁଣ୍ଡାଇବା ସହିତ ପିଚାଆଉଁସି ଦାନ୍ତନେଫେଡି ବଳିଆ କହିଲା - - ସାରେ ଆପଣଙ୍କ ପୋଷ୍ଟ ଅଫିସ ଖୋଲା ଅଛି। ମଦନା ପୁଣି ଚମକି ଉଠିଲେ। ବଳିଆ ମୁହଁକୁ ଥରେ ଓ ଅଫିସରେ ଝୁଲୁଥିବା ତାଲାକୁ ଥରେ ଦେଖିବାକୁ ଲାଗିଲେ। ବଳିଆ ତାଙ୍କ ପାଖକୁ ଲାଗିି ଆସି କହିଲା - - ଆଜ୍ଞା, ଆମ ଡାକଘର କଥା କହୁନି ମ, ଟିକେ ତଳକୁ ଦେଖିବା ହୁଅନ୍ତୁ, ଆପେ ଜାଣିଯିବେ।

କଳା ମଚମଚ ନଳିପ୍ଯାଣ୍ଟର ଖୋଲା ଚେନ୍ କୁ କର୍ କର୍ କରି ଉପରକୁ ଟାଣି ମଦନା ମନଖୋଲା ହସଟେ ହସି କହିଲେ- - ତୁ ଶଳାଟା ପରମ ମା ମା ମା ମାଧବ ଟେ। ଏତିକି କଥା ସକାଳୁ ଜାଣିଥିଲେ ମୋତେ ଏମିତି ପ୍ରସବବେଦନିଆ ନାରୀ ପରି ହେବାକୁ ପଡି ନ ଥାଆନ୍ତା। ସେ ଯାହା ବି ହେଉ, କିନ୍ତୁ ମଦନାଙ୍କ ପୋଷ୍ଟଅଫିସଟା ଛୁଟିଦିନରେ ବି ବହୁତ ସମୟ ଖୋଲା ରହି ବଡ ନାଟକୀୟ ଢଙ୍ଗରେ ବନ୍ଦ ହେଲା।


రచనకు రేటింగ్ ఇవ్వండి
లాగిన్

Similar oriya story from Comedy