Suchismita Satpathy

Abstract Romance Others

4.0  

Suchismita Satpathy

Abstract Romance Others

ପଳାଶ ଫୁଲ

ପଳାଶ ଫୁଲ

3 mins
259



       ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ମିଲି। ଘରର ଆର୍ଥିକ ଅବସ୍ଥା କହିବାକୁ ଗଲେ ସ୍ୱଛଳ। ପରିବାରର ଗୁରୁଜନ ମାନଙ୍କର ଇଛା ପିଲାମାନେ ପାଠ ପଢି ଭଲ ମଣିଷ ହୁଅନ୍ତୁ। ନିଜ ଗୋଡ଼ରେ ନିଜେ ଠିଆ ହୋଇ ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରନ୍ତୁ ଏବଂ କାହା ପାଖରେ ହାତ ନ ପତାନ୍ତୁ । ପରିବାର ଆଦର୍ଶରେ ଅନୁପ୍ରାଣିତ ମିଲି। ପିଲାଦିନରୁ ଉଚ୍ଚ ଆଶା ନେଇ ପାଠପଢା ଜୀବନ ଆରମ୍ଭ କରିଛି।ବିଦ୍ୟାଳୟରେ ସମସ୍ତଙ୍କ ପ୍ରିୟ ଛାତ୍ରୀ । ତାର ମଧ୍ୟ ବହୁତ ଇଛା ସେ ସମସ୍ତଙ୍କର ଉପରେ ଭଲ ଫଳାଫଳ କରୁ ଏବଂ କରେ ମଧ୍ୟ। ପାଠ ପଢା ବ୍ୟତିତ ବହୁ ସମୟରେ ସେ ଏକ ଅଦ୍ଭୁତ ଫୁଲ ବିଷୟରେ ଭାବେ ଯାହାକି ସାଧାରଣ ମନୁଷ୍ୟର ଅଲୋଡା ଓ ଅଖୋଜା। ଯଦିଓ ସେ ଫୁଲ ପ୍ରକୃତରେ ନିଜର ସ୍ଥିତି ରଖିଛି ପୃଥିବୀ ପୃଷ୍ଠରେ ମାତ୍ର ଏ ଛୋଟ ବୟସରେ ଘରଠାରୁ ମାତ୍ର ୫୦୦ ମିଟର ପରିଧି ଭିତରେ ତାର ଗମନାଗମନ ପୁଣି ଭୁବନେଶ୍ୱର ଭଳି ସହର, ଯେଉଁଠି ପ୍ରକୃତିକୁ ପ୍ରକୃତରେ ଅନୁଭବ କରି ହୁଏ ନାହିଁ ସେଠାରେ ପୁଣି ଏଇ ଗଛ କେଉଁଠି ବା ପାଇବ, କେବଳ ସ୍ୱପ୍ନ ଛଡା।ଏଇ ସ୍ୱପ୍ନ ସେ ସବୁଦିନ ଦେଖେ ଏବଂ ତାରି ସହିତ ବଡ ହେଲା। ଭଲ ପାଠ ପଢିଲା ଏବଂ ନିଜେ ଆତ୍ମ ନିର୍ଭରଶୀଳ ମଧ୍ୟ ହେଲା। ଚାକିରି ପାଇଲା।

     ନୂଆ ଚାକିରି, ଖୁସିରେ ଫାଟି ପଡୁଥାଏ ମିଲି। ଘର ଲୋକ ମଧ୍ୟ ବହୁତ ଖୁସି ଏବଂ ବହୁତ ଆଶିର୍ବାଦ କଲେ। ନିଜର ନୂତନ ଅଧ୍ୟାୟ ଆରମ୍ଭ କଲା ମାତ୍ର ପ୍ରତ୍ୟେକ ଦିନ ସେହି ଫୁଲକୁ ଏବେ ଖାଲି ଆଖିରେ ଦେଖେ,ସେମିତି ଅଲୋଡା ବା କାହାର ଅପେକ୍ଷାରେ । 

   କିଛି ଦିନ ଧରି ନିଜର କାର୍ଯ୍ୟରେ ସେ ଏତେ ବ୍ୟସ୍ତ ହୋଇଗଲା, ଏପରିକି ନିଜର ଖାଦ୍ୟ ଉପରେ ବି ଧ୍ୟାନ ଦେବାକୁ ସମୟ ନ ଥାଏ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବହୁତ ପ୍ରଶଂସା। ଏସବୁ ମିଲିକୁ ଆହୁରି ଆଗକୁ ଯିବାକୁ ପ୍ରୋତ୍ସାହିତ କଲା। ନିଜର ଘର ଓ ଚାକିରି ଭିତରେ ସେ ଧ୍ୟାନ କେନ୍ଦ୍ରିତ କଲା। 

ଏମିତି କିଛି ଦିନ ଗଲା।ପ୍ରତ୍ୟେକ ମାସରେ ଯାହା ପ୍ରାପ୍ୟ ପାଏ ସେଥିରେ ସେ ବାପା ମା ଭାଇ ଭଉଣୀ ଓ ଅନ୍ୟ ସଦସ୍ୟମାନଙ୍କ ମାନଙ୍କ ପାଇଁ ବଜାରରୁ ବିଭିନ୍ନ ପଦାର୍ଥ କିଣାକିଣି କରେ ଏବଂ ବାକି ଅର୍ଥକୁ ଘରେ ଦେଇଦିଏ। ଏମିତି ହସ ଖୁସିରେ ସମୟ କଟେ।

    ଏମିତି କିଛି ଦିନ ଗଲା, ମିଲିର ଭଲ କାମ ପାଇଁ ତାକୁ ପଦୋନ୍ନତି ମିଳିଲା ଓ ତତ୍ସହିତ ସ୍ଥାନାନ୍ତର। ଅଫିସ୍ ରୁ ପତ୍ରଟି ପାଇ ବହୁତ ଖୁସି ହୋଇ ପଡିଲା ପ୍ରଥମେ ମାତ୍ର ସ୍ଥାନାନ୍ତର କଥା ପଢି ଡର ଓ ଦୁଃଖ ଲାଗିଲା। ସଂଧ୍ୟାରେ ଘରକୁ ଫେରି ପତ୍ରଟି ଦେଲା। ସମସ୍ତଙ୍କ ମୁହଁରେ ଖୁସି ସହ ଦୁଃଖ ପ୍ରକାଶ ପାଇଲା। ନିଜ ଘରର ବାଡ ଡେଇଁ ନ ଥିବା ମିଲି ସୁଦୂର କୋରାପୁଟ ଯିବ ଚାକିରି କରି। ଏକଥା ଭାବି ମିଲି ମନରେ ଭୟ ଆସିଲା। ମାତ୍ର ବାପାଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁଁ ମିଲି ବାହାରିଲା କୋରାପୁଟ। ଅବଶ୍ୟ ସାଙ୍ଗରେ ଅଫିସ୍ ର ଆଉ ଦୁଇ ସହକର୍ମୀ ମଧ୍ୟ ଥିଲେ। ପ୍ରଥମ ଥର ପାଇଁ ବସ ଯାତ୍ରା ପୁଣି ତାହା ରାତିରେ। ସହର ଛାଡି ରାତିର ଅନ୍ଧକାରରେ ଘୁଂ ଘୁଂ ଶବ୍ଦ କରି କେତେ ଗାଁ ଖପର ଘର, ନଡିଆ ଗଛ, ନଦୀ, ପାହାଡ଼ ଡେଇଁ ଆଗେଇ ଚାଲିଥାଏ ବସ୍।ରାତ୍ରୀର ଅନ୍ଧକାର ଭିତରେ ମିଲିକୁ ସବୁ ଯେମିତି କଳା ଅନ୍ଧାର ପରି ଦେଖାଯାଉଥାଏ। ସେଇ ଭାରାକ୍ରାନ୍ତ ମନ ଭିତରେ କେତେବେଳେ ଆଖିକୁ ନିଦ ଆସିଯାଇଛି। ହଠାତ୍ ନିଦ ଭାଙ୍ଗିଲା ସୂର୍ଯ୍ୟଙ୍କର ରକ୍ତବର୍ଣ୍ଣ ଲାଲିମା ରେ। ଆଖି ଖୋଲୁ ଖୋଲୁ ବସ୍ ର କାଚ ବାହାରୁ ମିଲି ଦେଖିବାକୁ ପାଇଲା ପାହାଡ ଜଙ୍ଗଲରେ ଘେରା ଅଞ୍ଚଳ ଏବଂ ସୁଦୂରରୁ ତା ସ୍ୱପ୍ନର ଅଲୋଡା ଫୁଲ। ହଠାତ୍ ତା ଆଖିକୁ ବିଶ୍ୱାସ ହେଲାନି ଭାବିଲା ପୁଣି ସ୍ୱପ୍ନ ଦେଖୁଛି। ପୁଣି ସେହି ଫୁଲ ତାପରେ ତାକୁ ବିଶ୍ୱାସ ହେବାକୁ ଲାଗିଲା ତା ଆଖି ଉପରେ। ହଠାତ୍ ପାଟି କରି ଉଠିଲା ବସ୍ ରଖ ମୁଁ ପାଇଗଲି। ସମସ୍ତ ଯାତ୍ରୀ ହଠାତ୍ ବୁଲି ପଡିଲେ ମିଲି ଆଡକୁ। କଣ୍ଡକ୍ଟର କହିଲା, ମ୍ୟାଡାମ୍ ଆଉ କିଛି ସମୟ, ଗାଡି ଷ୍ଟାଣ୍ଡ୍ ରେ ପହଞ୍ଚିବ। କିଛି ବୁଝି ପାରିଲାନି ମିଲି। ସ୍ଥିର ହୋଇ ବସିଲା ବହୁତ ଅସ୍ଥିର ମନରେ। ଭାବୁଥାଏ କେମିତି ବସ୍ ରହିବ ଦୌଡି ଯାଇ ଫୁଲ ଗୁଡ଼ିକ କୋଳେଇ ଆଣିବ। ବସ୍ ରହିଲା, ମିଲି ଓଲ୍ହେଇଲା ମାତ୍ର କାହିଁ ସେ ପାହାଡ ଆଉ କାହିଁ ସେ ଜଙ୍ଗଲ। ଦେଖିବାକୁ ପାଇଲାନି ଦିନ ରାତି ନିଜ ସ୍ୱପ୍ନ ରେ ଦେଖୁଥିବା ଫୁଲକୁ।ବହୁ ମନ ଦୁଃଖରେ ପହଞ୍ଚିଲା ଆଗରୁ ଠିକ୍ ହୋଇ ଥିବା ଏକ ବାସସ୍ଥଳୀରେ ଓ ପୁଣି ଲାଗିଗଲା ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ। 

     ଇତି ମଧ୍ୟରେ ଅନ୍ୟ ସ୍ଥାନରୁ ବଦଳି ହୋଇ ଆସିଥିବା ବିଜୟ ବାବୁଙ୍କ ସହିତ ପରିଚିତ ହୁଏ ମିଲିର।ଦୈନନ୍ଦିନ କାର୍ଯ୍ୟ କଳାପ ମଧ୍ୟରେ ଦୂର ଜାଗାରେ ଅତି ଘନିଷ୍ଠ ଓ ନିବିଡ ବନ୍ଧୁ ହୋଇଯାନ୍ତି ଉଭୟେ। 

      ଦିନେ ହଠାତ୍ ବିଜୟ ବାବୁ ମିଲିକୁ ଏକ ପ୍ରାକୃତିକ ପରିବେଶ ଭରା ମନୋରମ ସ୍ଥାନକୁ ଡାକି ନିଅନ୍ତି। ହଠାତ୍ ସେହି ସ୍ଥାନରେ ମିଲି ଦେଖିବାକୁ ପାଏ ତା ସ୍ୱପ୍ନର ଫୁଲକୁ। ଚତୁର୍ଦିଗ ସେଇ ଫୁଲ। ଖୁସିରେ ଆତ୍ମହରା ହୋଇ ପଡେ ମିଲି ଓ ବିଜୟ ବାବୁଙ୍କୁ ପଚାରିବାରୁ ସେ କୁହନ୍ତି ଏହା 'ପଳାଶ ଫୁଲ'।ପାହାଡ଼ି ଫୁଲ ଫୁଟେ ଓ ଝଡିପଡେ।ମିଲିର ଫୁଲରେ ଆଗ୍ରହ ଦେଖି ତୋଳି ଆଣି ଗଦା କରିଦିଅନ୍ତି ତା ଚାରିପାଖରେ। ଖୁସିରେ ଆତ୍ମହରା ହୋଇ କୃତ୍ୟ କୃତ୍ୟ ହୋଇଯାଏ ବିଜୟ ବାବୁଙ୍କ ଉପରେ। ଏହାର ସୁଯୋଗ ନେଇ ବିଜୟ ବାବୁ ବହୁ ନିକଟତର ହୋଇଯାଆନ୍ତି ମିଲିର। ମିଲି ମଧ୍ୟ ସ୍ୱପ୍ନ ସତ ହେବା ତାଳରେ ସବୁକିଛି ଭୁଲିଯାଏ।ସଞ୍ଜ ଯାଇ ରାତି ହେଲା ଓ ପାହିଲା। ମିଲିର ଆଖି ଖୋଲିଲା। ପାଖରେ ଶୁଖି ଯାଇଥିବା ପଳାଶ ଫୁଲ ଓ ଇତସ୍ତତଃ ହୋଇ ପଡିଥିବା ପାଖୁଡା ଛଡା ଆଉ କେହି ନ ଥିଲେ। ସେଠାରୁ ଆସି ବହୁ ସମୟ ଓ ଦିନ ଧରି ବିଜୟ ବାବୁଙ୍କୁ ଖୋଜିଲା ମାତ୍ର କୌଣସି ସୂଚନା ପାଇଲା ନାହିଁ। ସ୍ୱପ୍ନ ରେ ଦେଖିଥିବା ଅଖୋଜା,ଅଲୋଡା 'ପଳାଶ ଫୁଲ' ର ଠିକଣା ତ ପାଇଗଲା ମାତ୍ର ନିଜର ପରିଚୟ ସବୁଦିନ ପାଇଁ  ଅଲୋଡା ଓ ନିଃସ୍ୱ ହୋଇ ରହିଗଲା।


Rate this content
Log in

Similar oriya story from Abstract