ପକ୍ଷୀ ରଙ୍ଗରେ
ପକ୍ଷୀ ରଙ୍ଗରେ
ଚଉରା ମୂଳେ ଜଳ ଢାଳୁ ଢ଼ାଳୁ, ଦୃଷ୍ଟି ପଡେ ବରଗଛ ଉପରେ। ବୁଢା ବରଗଛଟା କାହିଁ କେତେ କାଳୁ, ଶାଖା ପ୍ରଶାଖା ମେଲାଇ, ଜରଦଗବ ଭଳି ଠିଆ ହୋଇଛି। ତା ଡାଳ ତଥା ଶାଖା ପ୍ରଶାଖାରେ, ନାନାଜାତିର ଚଢ଼େଇ ଖୋଜୁଥାଏ ମୋ ଆଖି। ହଲଦିବସନ୍ତ ଚଢ଼େଇର ଡାକ ସହିତ ମୋ କାନ ଦୁଇଟି ସମ୍ପୂର୍ଣ୍ଣ ସଜାଗ ଥାଏ, ତ ଆଖି ଦିଗ ବାରେ, କୋଉଠି ଥିବ ସେ। ଦେଖିଦେଲେ ପେଟ ପୁରିଯାଏ, ମନ ଭରିଯାଏ,କେଜାଣି କାହିଁକି, କେବେଠୁ, କହିପାରିବିନି ଯଦିଓ, ଶୁଭ ହେବା ନିଶାରେ ନିଶ୍ଚୟ।
ହଠାତ୍ ଆଖି ଯୋଉ ଦୃଶ୍ୟରେ ବିଭୋର ହେଲା, ଚମକି ପଡିଲି, ଛାତିରେ ହାତ ମାରିଲି, କାଉ ନୁହଁଇ ତ? ନା ଦୁଇଟା କୁମ୍ଭାଟୁଆ, ହେଲେ କାଉ ପରି ଦିଶନ୍ତି ଦୂରକୁ। କୁମ୍ଭାଟୁଆ ଦୁଇଟିଙ୍କୁ ସହବାସ ଦୃଶ୍ୟରେ ଦେଖି, ଖାଲି ଅପ୍ରତିଭ ତଥା ଅପ୍ରସ୍ତୁତ ହେଲି ତାହା ନୁହେଁ ବରଂ ଆଖି ଆଗରେ ଭାସିଗଲା କେତେ ଅଶୁଭ ଚିନ୍ତା।
ସେଦିନର ସେହି ପିଲାବେଳ କଥା। ପିଉସୀ ଅପାଙ୍କର ଅସ୍ୱାଭାବିକ ମୃତ୍ୟୁ ଖବର ଶୁଣି କାନ୍ଦିକାଟି ତାଙ୍କ ଗ୍ରାମରେ ପହଞ୍ଚିଲା ବେଳକୁ, ବିଲ ମଝିରେ ଥିବା ହିଡରେ ଚାଲୁ ଚାଲୁ, ଅପା ଆସି ହାଜର ହୋଇଗଲେ ତ, ଭୂତ ଦେଖିଲା ପରି ଚମକି ପଡିଥିଲୁ ସମସ୍ତେ। ଆପା ବଞ୍ଚିଛି ଜାଣି ଯେତିକି ଖୁସି ଲାଗିଲା, ମୃତ୍ୟୁ ସମ୍ବାଦ ବହନ କରୁଥିବା ସେ ମିଛ ଚିଠିର ଆବଶ୍ୟକତା ସେତିକି ଜାଣିବାକୁ ଇଚ୍ଛା ହେଉଥିଲେ ବି, ବଡମାନଙ୍କ ବିରୋଧରେ ଗୁପ୍ତ ରଖାଯାଇ ଏଣୁ ତେଣୁ କାରଣ କୁହାଯାଇଥିଲା କିନ୍ତୁ ବଡ ହେଲା ପରେ ଧରାପଡ଼ିଯାଇଥିଲା ସେଇ ଗୁପ୍ତ ରହସ୍ୟ ଭରା ଆପାଙ୍କ ମିଛ ମୃତ୍ୟୁ ଭରା ସନ୍ଦେଶ ପୂର୍ଣ୍ଣ ଚିଠିର କାରଣ। କାରଣ ଟା ଥିଲା ଅପା, ଦେଖିଥିବା କାକ ବା କାଉର ସହବାସ ଦୃଶ୍ୟର କୁପ୍ରଭାବକୁ ଏଡାଇବାକୁ ମିଛ ମୃତ୍ୟୁ ଖବର ପାଇ ନିଜ ଲୋକ କନ୍ଦାକଟା କଲେ ଓ ସତ ମଣିଲେ ଦୋଷ ଖଣ୍ଡନ ହୋଇ ଅଶୁଭ ମୃତ୍ୟୁ କୁ କାଟିଦିଆଯାଇପାରେ ବୋଲି ବିଶ୍ୱାସର ପରିଣତି ସ୍ୱରୂପ, ଅପାଙ୍କର ମୃତ୍ୟୁ ଦୋଷ କଟିଯାଇଥିଲା ସେଦିନ ।
ଆଜିର କଥାଟା କିନ୍ତୁ ମୋ ମନକୁ ବିଚଳିତ କରି ପାପ ଛୁଇଁ ଯାଉଥିଲା, ମନକୁ ପାପ ଛୁଇଁବାରୁ, ଦଉ ଦଉ, ତୁଳସୀ ମୂଳେ, ଡାକିଥିଲି, ପ୍ରଭୁହେ, ମୋର ପଛେ ଯାହା ହେଉ, ମୋ ପରିବାରର ସମସ୍ତ ସଦସ୍ୟଙ୍କୁ, ଘଣ୍ଘୋଡେ଼ଇ ରକ୍ଷାକର। ଅବଶିଷ୍ଟ ଜଳ ଚଉରାରେ ଢାଳୁ ଢ଼ାଳୁ, ହଳଦୀ ବସନ୍ତ ପକ୍ଷୀ ଦୁଇଟି ଉଡ଼ିଯିବାରେ, ମନକୁ କିଛି ପରିମାଣରେ ଆଶ୍ୱସ୍ତି ମିଳିଲେ ମଧ୍ୟ, ସେ ଧଳା ବିଲେଇଟା ମୋ ବାମ ପଟରୁ ଡାହାଣ ପଟକୁ ତ କେବେ ଡାହାଣ ପଟରୁ ବାମ ପଟକୁ ଆସି ମତେ ବାଟ ଛାଡ଼ି ଦେଉନଥିଲା। ଶୁଭ ଅଶୁଭ ଦୋଛକି ଭିତରେ, ମନରୁ ସମସ୍ତ ଅନ୍ଧବିଶ୍ୱାସ କାଟି, ସନ୍ତର୍ପଣରେ ତଥାପି ଖୋଜୁଥିଲି, ଶୁଭ ପକ୍ଷୀ ହଳଦୀବସନ୍ତଟାକୁ, ବର୍ଷଆରମ୍ଭରେ, ମହାବିଷୁବ ସଂକ୍ରାନ୍ତିରେ ।