ପିଠା
ପିଠା
ଅଲିଭା ରହେ ଗୁରଗାଓଁରେ । ବାହାଘର ପରେ ସିଏ ଆଉ ତା ସ୍ବାମୀ ଅମିତ ସେଇଠି ।ସହରି ଜୀବନ । ମେଲି ମେଲି ଆସୁଥିବା ସହରି ଜୀବନ ।ମାଟି କୁଣ୍ଡ ର ଡାଲିଆ ଜିନିଆ ଗଛ ପରି ।ଉପରକୁ ଝିଲମିଲ ରଙ୍ଗୀନ, ମାଟି ତଳେ ଚେରର ପହଞ୍ଚ କୁଣ୍ଡ ର ସିମେଣ୍ଟ ପରସ୍ତ ଯାଏ ।ଇଏ ବି ଗୋଟେ ପ୍ରକାରିଆ ଜୀବନ ।ଏଠି ମଣିଷ ସବୁ ଦୌଡୁଥାନ୍ତି ପବନ,ପାଣିଠୁ ହସ ଯାଏ କିଣିବାର ସାଧନ ଗୋଟେଇବାରେ । ସେମାନେ ବି ସାମିଲ୍ " କିଏ କେତେ ଅଣନିଶ୍ବାସୀ ହେଇପାରିବ " ର ରେସ୍ ରେ । ଭୁବନେଶ୍ବର ରେ ପାପା ।ମାଆ ତାର ହବା ତାର ମନେ ନାହିଁ, ଆଲବମ ରୁ ଚିହ୍ନେ । ପାପା ହି ତାର ସବୁ ।
ଏଠି ବି ସେମିତି ଦୌଡୁଥାନ୍ତି ସମସ୍ତେ କଂକ୍ରିଟ୍ ଘେରା ପ୍ରତିଯୋଗିତା ରେ ନାକେଦମ ହେଇ ।ଏଇଠୁ ବଡ ହେଇ ଯାଇଛି ସିଏ ।ଏ ମାଟି ତାର ଚିହ୍ନା ।
ଶାଶୁ ଘରେ ସମସ୍ତେ ସବୁଜ, କାରଣ ଗାଁ । ସବୁ ସଜ । ନିଶ୍ବାସ ଠୁ ନିଦ ଯାଏ ।ପାଦଚଲା ରାସ୍ତା ଏଇଠି ମାଟି ସିଲଟରେ ଅଙ୍କାହେବା ଦିଶେ । ଖୁସି ହୁଏ ଅଲିଭା ଗାଁ କୁ ଭୋଗିବାକୁ ,ସେଠିକା ଝରରେ ଭିଜିବାକୁ ।ଗାଧେଇବାକୁ ନୀଳ ପୋଖରୀରେ କଇଁ ମାନଙ୍କ ମେଳରେ ଘଣ୍ଟା ଘଣ୍ଟା , ଗୋଲାପି ପାଦ ତାର ଶେଥା ଦିଶିବା ଯାଏ । ହେଲେ ଶାଶୁଘର ପରା ,ସବୁ ଭଲପାଇବା ଆଉ ଭଲ ଲାଗିବା ଆଗରେ 'ଭଲ ବୋହୁ' ହବା ଟି ଥାଏ ।ଲୋଟଣୀ ପାରା ପରି ହସଟିକୁ ଓଠରେ ବାନ୍ଧି ନେଇ ଲୋଟୁଥାଏ ସେ ଦିନ ତମାମ୍ ଗହଳି କୁଟୁମ୍ବରେ। ଖୁବ୍ ଶାନ୍ତି ବି ସେଥିରେ ।
ରହଣୀ ହପ୍ତାଏରୁ ପନ୍ଦର ଦିନ ।ଗଲା ବେଳେ ଲୁହ ଲୁହ ହୁଏ ।ଫେରିବାର ଇଛ୍ଛା ମୁକ୍ତାଟିକୁ ଚଉରା ମୂଳେ ଥାପି ମୁଣ୍ଡ ନୁଆଏଁ ।ଗାଡି ଗାଁ ପୋଲ ଡେଇଁଯାଏ ।ସବୁ ସଜଡା ଦିଶୁଥାଏ ଉପରୁ ସତ ହେଲେ ସବୁ ଦେଇ ନେଇ ବି କେମିତି ଆଉ କାହିଁକି ତାର ଶାଶୁ ପସନ୍ଦ କରନ୍ତିନି ତାର ମାଆ ନଥିବା ବାପଘରଟିକୁ, ସେଇଟି ତାକୁ ଖୁବ୍ ବାଧେ । ଢୋକିନିଏ , ଲୁହ ବାଣ୍ଟିବା ଶିଖିନି ଯେ ସିଏ । ତାର ଇଛ୍ଛା ବାପା ଆଉ ଶଶୁର ସାଙ୍ଗ ହେଇ ହସନ୍ତେ, ବସନ୍ତେ ମାତ୍ର ଦୂର କୁହୁଳିଆ ସ୍ବପ୍ନ ପରି ଲାଗେ ତାକୁ ତା ଇଚ୍ଛା ।ସେଠି ଥିବା ଭିତରେ ସିଏ କଥା ବି ହେଇପାରେନି ପାପାଙ୍କ ସହ ଖୋଲିକି ସଂଭ୍ରମତା ଜଗି କାଳେ କିଏ କଣ କହିବେ, ଭାବିବେ ।ସନ୍ତୁଳି ହୁଏ ।ବାକି ସମସ୍ତେ ନିର୍ବିକାର ।ଅମିତ୍ ନିର୍ଦ୍ବନ୍ଦେ କୁହନ୍ତି, " ତୁମେ ଅଝଥା ଏ ସବୁରେ ଛାଟିପିଟି ହୁଅ ।କେତେକ ଯାଗା ଓ ବ୍ଯକ୍ତି ଙ୍କ ର ମନସ୍ତତ୍ବ ବଦଳେଇବା ତୁମ ହାତରେ ନ ଥାଏ ।ସମୟ ହାତରେ ଛାଡ ।ସବୁ ଠିକ୍ ହବ ।"ଅଲିଭା କିନ୍ତୁ ହୃଦୟରୁ ଭାବେ ।ଏତେ ଦାର୍ଶନିକତା ତା ବୁଦ୍ଧି ବାହାରେ ।ସିଏ ତ ବାସ୍ ଚାହେଁ ସମସ୍ତେ ଏକାଠି ଖୁସି ହୁଅନ୍ତୁ ।ଶାଶୁ କିନ୍ତୁ ଅଭିଯୋଗ ରଖନ୍ତି ଯେ ଅଲିଭା ର ମନ ବେଶୀ ତା ଏକୁଟିଆ ବାପାଙ୍କୁ କାଳେ ଝୁରେ, ଧ୍ୟାନ ଦିଏ ।ସେଥିଲାଗି ତାଙ୍କ ପରିବାର ପ୍ରତି ତାର କାଳେ ଅବହେଳା ।ଅଲିଭା ଆଶ୍ଚର୍ଯ୍ୟ ହୁଏ ।ଟିକିନିଖି ସବୁ ଇଛ୍ଛା କୁ ସମ୍ମାନ ଦେଇ ତ ସିଏ ଚଳିଆସୁଛି ପୁଣି ଅବହେଳା କୋଉଠି, କେମିତି ? ସେ ବୁଝିପାରେନି ।ତେବେ କଣ ତାକୁ ତାର ପାପାଙ୍କୁ ଭୁଲିଯିବା କଥା ?
ଏଥରର କଥା । ଅମିତ ଆଗୁଆ ଫେରି ଯାଇଥିଲେ ଅଫିସ୍ ର ତୁରନ୍ତ କିଛି କାମ ନେଇ ।ସେ ଯିବାକୁ ଚାହିଁ ନଥିଲା ।ଏକା ଫେରିଯିବାକୁ ସ୍ଥିର କରି ଆଉ ଆଠ ଦିନ ଅଧିକ ରହିଗଲା ।ତାର ଯିବା ଆଗଦିନ ଶାଶୁ ନିର୍ମଳାଦେବୀ କେତେ ରକମର ଅମିତ ଙ୍କ ମନ ପସନ୍ଦ ଜିନିଷ ସବୁ ମଗେଇ ବାନ୍ଧୁଥାନ୍ତି ଯତ୍ନ ରେ ଆଉ ଅଲିଭା ର ଆଟାଚରେ ଶଶୁର ହୃଷିକେଷ ବାବୁ ସଜାଡି ରଖୁଥାନ୍ତି ।ଶାଶୁ ବିଭିନ୍ନ ପିଠା ଗଢୁଥାନ୍ତି ।ଅଲିଭା ବି ତାଙ୍କ ସହ ଲାଗିଥାଏ କାମରେ ।ଖୁସି ହେଉଥାଏ ଆଉ ଭାବୁଥାଏ କି ମାଆ ଥିଲେ କେତେ ଭଲ ନା ! କେତେ କଥା ମାଆ ମାନେ ଜାଣନ୍ତି ପିଲାଙ୍କୁ ନେଇ । କାଶ୍ ତାର ବି ମାଆ ଥାନ୍ତା ।ଏମିତି ସବୁ ଭାବିଲେ ହି ତାକୁ ପାପାଙ୍କ ଏକୁଟିଆ, ଶୁଖିଲା ମୁହଁ ଦିଶିଯାଏ।ହାତରେ ରାନ୍ଧି ଖାଉଥିବେ ।କଣ ଟିକେ ଭଲମନ୍ଦ, ପିଠାପଣା କୋଉ ଦିନ ଅବା ହେଇପାରୁଥିବ ଯେ ।ଆଡୁ ସାଡୁ ଭାବିବା ଭିତରେ ସିଏ କହିଦେଲା ନିଜ ଅଜାଣତେ କି ," ମାଆ ଯଦି ଆପଣ କିଛି ମନେ ନ କରନ୍ତି ତେବେ ଏଇ ଆରିସା ପିଠା ଦିଟା ମୋ ପାପା ପାଇଁ ନେଇଯିବି କି ? ସିଏ ବହୁତ ଭଲ ପାନ୍ତି ତ ।କାଲି ଏୟାରପୋର୍ଟ ରେ ଦେଖା ହେଲେ ଦିଅନ୍ତି ।ଖୁସି ହନ୍ତେ ।" ବାସ୍ କଥା ଏତିକି ଥିଲା । ଓହଳିଗଲା ଶାଶୁ ଙ୍କ ମୁହଁ ।ଏତେ ମାତ୍ରାରେ ବିରକ୍ତ ହେଲେ ଯେ ଉଠି ଚାଲିଗଲେ କିଛି ନ କହି ।ଚିଡିଚିଡା ହେଇ ଶୁଣେଇ କହିଲେ," ମୁଁ ରାତିରେ କିଛି ଖାଇବିନି ।ସବୁବେଳେ ବାପଚିନ୍ତା । " ଆଉ ତାଙ୍କ ଶୋଇବା ଘର କବାଟ ଧଡ୍ କି ବନ୍ଦ କରିଦେଲେ ।
ନାକ ଫାଟିଗଲା ପରି ଲାଗିଲା କବାଟ ଧକ୍କା ରେ ଅଲିଭା କୋ।
ଅଲିଭା ଅପମାନିତ ବୋଧ କଲା ।ତାକୁ ଲାଗିଲା ସିଏ ତା ' ପାପାଙ୍କ ପାଇଁ ଦୟା ଭିକ୍ଷା କରିଦେଲା କି ଆଉ ।ବିଦ୍ରୋହ କଲା ତା ମନ ।ସିଏ ଭାବିଲା ଏଇଟା ପରା କାଳେ ମୋର ବି ଘର ? ତେବେ କଣ ମୋର ଏତିକି ଅଧିକାର ନାହିଁ ? ସିଏ କାନ୍ଦ କାନ୍ଦ ହେଇ ଶୋଇପଡିଲା ସେମିତି କିଛି ନ ଖାଇ । ତା ' ପର ଦିନ ସକାଳୁ ତାର ଯିବାର ଥିଲା ।ସିଏ ଶିଘ୍ର ଉଠିଥିଲା ।କାମ ସାରି ପ୍ରସ୍ତୁତ ହେଉଥିଲା କି ତାଙ୍କ ଘରେ କାମ କରୁଥିଲା ହେମ ଆସି ତା କବାଟ ବାଡେଇଲା ଆଉ ଚିଡି ଚିଡା ସ୍ବର ରେ କହିଲା, " ରଖ ,ତମ ବାପାଙ୍କ ପାଇଁ ନେଇଯିବ ।ମାଆ କହିଲେ ।" ଦୁମଦୁମ କରି ଚାଲିଗଲା କବାଟ ଟା ପିଟିଦେଇ ।
ଅଲିଭା ଆଶ୍ଚର୍ଯ୍ୟ ହେଲା ।ପୁଣି ଥରେ ତା ' ନାକଅଗରେ କବାଟ ଟା ପିଟି ହେଇଗଲା ।ସିଏ କିଛି ଉତ୍ତର ଦେଲାନି ।ଲୁହ ପିଇଦେବା ଶିଖିଥିଲା ତ ।କଷ୍ଟ କୁ ପିଠେଇଦେଲା ।
ସିଏ ଗାଡିରେ ବସିଲା ସମସ୍ତଙ୍କଠାରୁ ବିଦାୟ ନେଇ ।ତା ' ଷ୍ଟ୍ରଲି ବ୍ଯାଗ ଛଡା ଆଉ ଗୋଟେ ପୁରା ବଡ ବ୍ଯାଗ ଜିନିଷ ଭରା ଥିଲା ଅମିତଙ୍କ ପାଇଁ ।ତା' ସବୁଠୁ ଉପରେ ଫୋପାଡିଲା ପରି ରଖାହେଇଥିଲା ହେମର ପରିତ୍ଯକ୍ତ ପିଠା ଜରି ।
ଶାଶୁଙ୍କୁ ମୁଣ୍ଡିଆ ମାରିଲା ବେଳେ ସିଏ କହୁଥାନ୍ତି, " ଅମିତ ପାଇଁ ସବୁ ନେଇକି ଯିବୁ ।କିଛି କାଢି ପକେଇବୁନି ଆଉ ଦୟାବହି ।"
ଗାଡି ଛାଡିଦେଲା ।
କଣ୍ଟା ପରି ଲାଗୁଥିଲା ଛାତିତଳ । ଟକ୍ ଟକ୍ ।ଅନ୍ତରଦ୍ବନ୍ଦ ବଢୁଥିଲା ।ଅଝଟ ଲଗେଇଥିଲା ମନ ," କହ କଣ ପାଇଁ ଏମିତି ସବୁ ? " ଆଖି ପୋଡୁଥିଲା ତତଲା ଲୁହ ମନ୍ଥିହେଇ ।ଡ୍ରାଇଭର ପିଲାଟି ଆଖିରେ ଧରାନପଡିଯିବା ପାଇଁ ଗାଡି କାଚ ବାହାରକୁ ସିଏ ଚାହିଁ ବସିଥିଲା ।
ଗାଡି କେତିବେଳେ ଏୟାର୍ପୋର୍ଟ ରେ ପହଞ୍ଚି ସାରିଥିଲା ରାସ୍ତା ଜାଣିପାରିନଥଲା ଅଲିଭା । ଗାଡି ବ୍ରେକ୍ ରେ ଝୁଙ୍କିପଡିଥିଲା ସିଏ ।ସେପଟୁ ପାପାଙ୍କୁ ହସି ହସି ହାତ ହଲେଇ ଆସୁଥିବାର ଦେଖି ସିଏ ଚଟପଟ ତା' ବହି ଆସୁଥିବା ଗରମ ଲୁହ ତକକୁ ପୋଛିପକେଇ ପର୍ସ ଆଗପକେଟରୁ ହସଟି କାଢି ପିନ୍ଧିପକେଇଲା ।
ପାପା କୋଳେଇ ନେଲେ, ସିଏ ଚାରିବର୍ଷ ର କୁନି ଝିଅ ଟିଏ ପାଲଟିଗଲା ।
ପାପା କହୁଥିଲେ, " ପାପା ପାଖରେ ରହିବାକୁ ବି ଟିକେ ସମୟ ନେଇ ଆସେ କେବେ ।" ଅଭିମାନ ଥିଲା ସ୍ବର ରେ ।
ପାପା ଠଉରେଇ ନେଇଥିଲେ ତା' ଆଖି ରୁ କିଛି ଘଟିଛି ।ପଚାରିଲେ, " ହସ କୁଆଡେ ହଜିଛି କି ମୋ ସୁନା ମାଆ ମୁହଁ ରୁ ? କଣ ଖାଇକି ବାହାରି ଥିଲୁ ସକାଳୁ ? "
ତାକୁ ବି ପଚାରିବାକୁ ଇଛ୍ଛା ହେଉଥିଲା, " ପାପା ମୁଁ କଣ ସତରେ ତୁମ ମାଆ ହେଇପାରିବି କେବେ ? ତମେ କଣ ଖାଇଛ ପଚାରିବାର ହକ୍ ଅଛି ତ ମୋର ? " ହେଲେ ସିଏ ପଚାରି ପାରିଲାନି । କୃତ୍ରିମ ହସଟି ଖସିଗଲା ଝଟ୍ କି ତଳେ ।ଅଲିଭା ତାଙ୍କ ସାଟ୍ ପକେଟ ପାଖରେ ମୁହଁ ଗୁଞ୍ଜି ଝରଉଥିଲା ଲୁହ ସତ ଲୁହ ।
