ଫଟୋ ମାନିଆ
ଫଟୋ ମାନିଆ
ସୌନ୍ଦର୍ଯ୍ୟର ମାପକାଠି ଅଧାକିଲିଆ ପ୍ରଲେପ ନୁହେଁ। ପତଳା ଫୁଙ୍ଗୁଳା ପୋଷାକ ବି ନୁହେଁ। କ୍ୟାମେରାର ଫଟୋ ପୋଜ ନୁହେଁ ।
ମିଶ୍ର ପରିବାରର ଜ୍ୟେଷ୍ଠା କନ୍ୟା ନେଉଳି, ମଧ୍ୟମା କାଉଳି କନିଷ୍ଠ ଓ ଏକଇରବଳା ପୁତ୍ର ବାଉଳି। ସଂସ୍କାରୀ ପାରିବାର, କିନ୍ତୁ .......!
ଆରେ ଏହି କିନ୍ତୁ ପରା ଓଡିଆ ଭାଷାର ଅଡ଼ୁଆ ଶଦ୍ଦ। ସୁନ୍ଦର ଗ୍ରାମ୍ୟ ପରିବେଶରେ ବଢିଛନ୍ତି ତିନିହେଁ। ବଉଳି ପଢାପଢ଼ି ଓଡ଼ିଶା ବାହାରେ।
ନେଉଳିର ବାହାଘର ପ୍ରସ୍ତାବ ଆସିବାରେ ଲାଗିଛି। ସୀମିତ ଆଶା ସୀମିତ ସ୍ୱପ୍ନ। କଳାମଚମଚ କୋରାପୁଟିଆ ମାଷ୍ଟର ପ୍ରସ୍ତାବ ପ୍ରାୟ ସ୍ଥିର।
ନେଉଳିର ଆଗ୍ରହ ସୁନ୍ଦର ପୋଷାକ ଓ ସୁନ୍ଦର ଫଟୋପୋଜ। କିନ୍ତୁ ଗାଆଁରେ କ'ଣ ବା କରିହେବ ? ଗାଆଁ ପାଖ ବଜାରରୁ ଶସ୍ତା ପ୍ରଶାଧନ ସାମଗ୍ରୀ କ୍ରୟ କରି ସଜେଇ ହୋଇ ଆଇନା ଦେଖି ନିଜେ ଖୁସି ହୋଇଯିବା ଥିଲା ତାର କାମ।
ସବୁଦିନ ସମାନ ଯାଏନାହିଁ। ସବୁଠି ସମସ୍ତଙ୍କୁ ସୁଯୋଗ ମିଳେ। ହଠାତ ଦେଖାହେଲେ ଅର୍ଦ୍ଧବୟସ୍କ ସମୀରବାବୁ। ଘରୋଇ ସମ୍ପର୍କ। ଓଡ଼ିଶା ବାହାରେ ଚାକିରି। କଥା ଛଳରେ ବୁଲିଯିବା କଥା କହିଲେ।
ଖୁସି ହୋଇଗଲେ ନେଉଳି,କାଉଳି ଓ ବାଉଳି । ମଳୁ ଲୋଡୁଥିଲା କାକର ପାଣି, ବଇଦ କହିଲା ପିଇ ତୋରାଣି।
ବାପା ମାଆ ବି ଆପତ୍ତି କରିବାର କିଛି ନଥିଲା କାରଣ ଏକରେ ସମ୍ପର୍କୀୟ ଦ୍ବିତୀୟତଃ ଅର୍ଦ୍ଧବୟସ୍କ। ଫେରିଗଲେ ସମୀରବାବୁ। ବିଶାଖପାଟନମ ଯିବାକୁ ଦିନ ବାର ସ୍ଥିର ହେଲା।
ଆମେ ଏକବିଂଶ ଶତାବ୍ଦୀରେ। କିଛିବର୍ଷ ପୁର୍ବରୁ ମୋବାଇଲ ଥିଲା ସବୁକିଛି। ବାପାମାଆ ନଥିଲେ ଚଳିବ କିନ୍ତୁ ମୋବାଇଲ ନିତାନ୍ତ ଜରୁରୀ। ଧିରେ ଧିରେ ପରିବର୍ତ୍ତିତ ଶୈଳୀରେ ପୁଣି ପ୍ରଵେଶ କ୍ୟାମେରାର । ନେଉଳି ପାଖ ବଜାରରୁ ଚଷମା ଆଉ କିଛି ପ୍ରଶାଧନ ସାମଗ୍ରୀ କ୍ରୟ କଲା।ନେଉଳିର ଅନୁରୋଧକ୍ରମେ ସାଙ୍ଗଠାରୁ କ୍ୟାମେରା ସଂଗ୍ରହ କଲା ବାଉଳି।
ବିଶାଖପାଟନମ ଯିବା ସମୟ ଉପନୀତ। ଫଟୋ ଉଠେଇବା ଲକ୍ଷ୍ୟ ନେଉଳିର । ସମସ୍ତେ ପହଞ୍ଚିଲେ ବିଶାଖପାଟନମ । ବୁଲା ଆରମ୍ଭ ହେଲା। ସମୀରବାବୁ ମଜାଳିଆ ଲୋକ।ବିଶାଖପାଟନମ ବୁଲିବା ଆରମ୍ଭ ହେଲା।
ପ୍ରଥମଦିନ ପ୍ରସ୍ତୁତ ହୋଇ ବୁଲିଲେ ସମସ୍ତେ। ଦ୍ୱିପହର ଭୋଜନ ସମାପ୍ତ ହେଲା। ଖୁସିରେ ଘୁରି ବୁଲିଲେ ସମସ୍ତେ। ଜୀବନର ଅଧା ସମାପ୍ତ କରିସାରିଥିବା ସମୀର ଲକ୍ଷ୍ୟ କଲେ କିଛିଟା। ଫଟୋ ଉଠେଇବା ସମୟରେ ସମସ୍ତେ ଭୁଲିଯା'ନ୍ତି ଆଉ ଜଣେ ବି ସାଙ୍ଗରେ ଅଛି ବୟସର ତାରତମ୍ୟରେ ବି ତାର କିଛି ଇଚ୍ଛା ଅଛି। ନିଜକୁ ଅବହେଳିତ ଓ ଉପସ୍ଥିତି ଅନାବଶ୍ୟକ ଭାବି ସେ ସଂଧ୍ୟାଭ୍ରମଣରୁ ଦୂରେଇଗଲେ।
ଆଜି କାହିଁକି ମନେ ପଡୁଛି ସମୀରବାବୁଙ୍କ ଯୁବାବସ୍ଥା । ସେ ତ କେବେ ସେହି ସମୟରେ ବି ବୟସର ତାରତମ୍ୟ ଭାବିନାହାଁନ୍ତି। ଓଃ , ଯୁଗ ପରା ବଦଳି ଯାଇଛି। ହେଲେ ଏହି ସିଦ୍ଧାନ୍ତ ତ ଅପରିବର୍ତ୍ତନୀୟ ଯେ ଆଜିର ପଚିଶବର୍ଷୀୟା ବି ଆଗକୁ ପଞ୍ଚଚାଳଶି ରେ ଉପନୀତ ହେବା ସ୍ଥିରନିଶ୍ଚିତ। ତାହେଲେ ଏ କ୍ଷଣିକ ଉନ୍ମାଦନାର ମାନେ କ'ଣ ? ମୁଣ୍ଡଟାକୁଚାପିଧରି ଭାବୁଥିଲେ ସମୀର ବାବୁ। ନା ନା ଏମାନଙ୍କୁ ଜୀବତତ୍ତ୍ଵ ବୁଝାଇ ହେବନାହିଁ। ଏମାନେ କୁଆଡେ଼ ଅଧିକ ଜ୍ଞାନୀ।
ବର୍ତ୍ତମାନ କୁ ନେଇ ଜୀବନ ନିର୍ଦ୍ଧାରଣ କରନ୍ତି। ନୁତନ ଶୈଳୀରେ ଗାନ୍ଧୀ, ନେହୁରୁଙ୍କୁ ଅପରାଧୀ ସଜେଇ ଇଂରାଜୀରେ କୁହନ୍ତି " I HATE THAT GANDHI BUDHA ."
ବାଃ ରେ ଦେଶର ଭବିଷ୍ୟତ ପିଢ଼ି। କାଉ ପରା ନିଜକୁ ଚାଲାକ୍ ଭାବି ମଳ ଖାଏ ଆଉ ତମେ ବି .....। ଧ୍ୟାନଭଙ୍ଗ କରି ଧସେଇ ପଶିଲେ ନେଉଳି,କାଉଳି ଓ ବାଉଳି । ବାହାରେ ବର୍ଷା, ପବନ। ନେଉଳି ଆରମ୍ଭ କଲା ଆପଣ ଭାରି ବେକରିଆ ଲୋକ। ସନ୍ଧ୍ୟାରେ ସମୁଦ୍ରକୂଳ ବୁଲିବାକୁ ପଠେଇ ନିଜେ ଜାଣିଶୁଣି ରହିଗଲେ। ସମୀରବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଅସୁବିଧା କ'ଣ ହେଲା ? କାଉଳି ଖପ୍ପା ହୋଇ କହିଲା, ସନ୍ଧ୍ୟାରେ ଫଟୋ ଉଠିପାରିଲା ନାହିଁ, ତାପରେ ବର୍ଷା।
ଈଷତ୍ ହସିଦେଲେ ସମୀରବାବୁ। କହିଲେ ମାଆରେ ଦୈବୀଦୁର୍ବିପାକ କ'ଣ ମୋ ହାତରେ ? ତାଛଡ଼ା କ୍ୟାମେରା ଫ୍ଲାସ ନଥିଲେ ରାତିରେ ଫଟୋ ଉଠେନି। ଦ୍ବିତୀୟତଃ ସମୁଦ୍ରକୂଳ ପରିଭ୍ରମଣର ସ୍ଥାନ। ଅଶାନ୍ତ ମନୁଷ୍ୟ ଖୋଜେ ଶାନ୍ତି। ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ସମୀର।
ଏଇଠି ଭଲ କଲେ ଭେଲ।
କେମିତି କରି ବିଶାଖପାଟନମ ଭ୍ରମଣ ସାରି ସମସ୍ତଙ୍କୁ ଗାଆଁରେ ଛାଡ଼ି ଆସିଲେ । ମନେ ମନେ କହୁଥିଲେ, ହେ ସୁନ୍ଦରୀ ଉଡାପାର୍କ, ସମୁଦ୍ରକୂଳ, କୈଳାଶଗିରି ତମ ପସନ୍ଦ ନୁହେଁ। ତମର ଉପଯୁକ୍ତ ସ୍ଥାନ ଘରର ସେଇ ଚାରି କାନ୍ଥ ଓ ଗାଆଁ ମୁଣ୍ଡର ଖେଳନା ଚଷମା, ପାଖ ଗାଆଁର ପ୍ରଶାଧନ ସାମଗ୍ରୀ।
ପ୍ରକୃତରେ ଚଳଚିତ୍ର ନିର୍ମାତା ପ୍ରସ୍ତୁତ କରିଥିବା ଚଳଚିତ୍ର " ଅତିଥି ତୁମ କବ ଯାଓଗେ " ତମ ପରି ଅତିଥି ପାଇଁ ପ୍ରଯୁଜ୍ୟ। ନେଉଳି ପଚାରୁଥିଲା ସାର୍ ! ପୁଣି ବୁଲିବାକୁ କେବେଯିବା ? ସମୀରବାବୁ ହସି କହୁଥିଲେ ଆସନ୍ତା ମାସ ବତିଶ ତାରିଖରେ।