STORYMIRROR

Gargi Mishra

Abstract Drama Inspirational

4  

Gargi Mishra

Abstract Drama Inspirational

ଫ୍ରାଇଡେ ରିଲିଜ

ଫ୍ରାଇଡେ ରିଲିଜ

4 mins
8


କାମବାଲୀ ମାଳତୀ ପଇସା ନବାକୁ ମନା କରିଦେଲା। କହିଲା, 

"ଅନିଲ ସାର...ଆପଣଙ୍କ ନାତି ନାତୁଣୀ ଘର... ଲକ୍ଷ୍ମୀ ଛାଡିଯିବେ, ଆଜି ନେବିନି, କାଲି ଶନିବାର ଆସି ପଛେ ସକାଳୁ ନେଇଯିବି।"


ମୁଁ ହସିଲି... ଆଜି ଶୁକ୍ରବାର ବୋଲି କାହିଁ କେମିତି ମନ ଉଚ୍ଚାଟ। ଖୁସିରେ କାମବାଲୀକୁ ବୋନସ ଫୋନସ ମିଶାଇ ତା ପଇସା ଦେଇଦେଉଥିଲି। ଦକ୍ଷିଣ ଭାରତୀୟ ହିନ୍ଦୁ ପରମ୍ପରା ହିସାବରେ ଶୁକ୍ରବାର ଲକ୍ଷ୍ମୀବାର। ମୋ ଅଜାଣତରେ ସେ ପଇସା ନେଇଥିଲେ ତା ପାଇଁ ମଙ୍ଗଳ ହୋଇଥାନ୍ତା। ତାର ଶ୍ରୀ ବୃଦ୍ଧି କୁ ଖାତିର ନାହିଁ। କିଛି ସମ୍ପର୍କ ବିଶ୍ୱସ୍ତତାର ସ୍ପର୍ଶରେ ଆହୁରି ସୁନ୍ଦର ଅନିନ୍ଦ୍ୟ ହୋଇଯାଏ।


ମୋର ଖୁସିର କାରଣ ଥିଲା ଶୁକ୍ରବାର ଫିଲିମ ରିଲିଜ ବାର। ମୋ ପରମ ମିତ୍ର ସତ୍ୟାନନ୍ଦ ଓରଫ 'ସାଉଁଟା'ର ଫିଲିମ ରିଲିଜ ହେଉଛି ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଲି। ନା ନା.. ହିରୋ କି ଡାଇରେକ୍ଟର ନୁହେଁ, ସେ ଥିଲା ଫିଲିମର ସ୍କ୍ରିପ୍ଟ ରାଇଟର। ଫିଲିମର ନାଁ ଥିଲା 'ମୋକ୍ଷ'।


ବୋକା କଉଠିକାର!! ନିଜେ ଫୋନ କରି ଥରେ କହିଲାନିବି । ରାଗ ଚିଡୁଥାଏ ତାକୁ ଖୁନ୍ଦିଟେ ଦେବାକୁ ଇଛା ହେଉଥାଏ। ପିଲାଦିନରୁ ମୈତ୍ରୀ। ସେତକ ମୋ ଅଧିକାର। 


ତାର ପ୍ରଥମ ଚଳଚିତ୍ର, ଏତେ ଦର୍ଶକ ଆସିବେ। ସେ ଘରେ ଘରେ ପରିଚିତ ହେଉ, ଗାଧୋଇ ବଇଠାରେ ଘିଅ ସଳିତା ଜାଳିଦେଇ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଗୁହାରି କଲି। 


ମୋ ମଇତ୍ର ଭାରି ଭୋଳା। ପିଲାଦିନରୁ ଭାରି ମାର୍ଜିତ, ମର୍ମସ୍ପର୍ଶୀ ଲେଖା, ସାରୁ ପତ୍ରରେ ଢଳ ଢଳ ପାଣିବୁନ୍ଦା ପରି କୁନ୍ଦି କୁନ୍ଦି ଅକ୍ଷର। କବିତା ଲେଖାରୁ ଆରମ୍ଭ କରିଥିଲା ସେ ଲେଖାଲେଖି। ସ୍କୁଲ ଛୁଟି ପରେ ଡ଼ାକିନେଇ ପୁରୁଣା ପୋଲ ଉପରେ ବସି ପଢ଼ାଏ ମୋତେ ତା କବିତା ... 


କବିତା ଯାହା ମଣିଷର ଅନ୍ତର୍ମନକୁ ଛୁଇଁ ତାକୁ ବିଚଳିତ କରିପାରେ 

ଅଥୟ କରିପାରେ, 

ସେ ଲେଖେ ଦାଦନର କଥା, ଭୋକର କଥା, ପୀଡିତ ମନବାତ୍ମାର କଥା, ମାଟି ପାଣି ପବନ ର କଥା।


ସୂକ୍ଷ୍ମ ଜଗତ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରିପାରିବାର କ୍ଷମତା ରଖେ ତାର କବିତା। 


କେଜାଣି କାହିଁ ମୋର ଆଖି ଭରିଆସେ ତା କବିତା ପଢିଲା ପରେ। ସେ ଯେ ଏକ ଈଶ୍ୱରଙ୍କ ପ୍ରେରିତ ସ୍ୱତନ୍ତ୍ର ଦେବଦୂତ ଏକଥା ମୁଁ ଅନୁଭବ କରେ। ତାକୁ ଲେଖା ଜାରି ରଖିବାକୁ ଅନୁପ୍ରାଣିତ କରେ। 


ହେଲେ ବିଜ୍ଞାନ ଆଉ ପ୍ରୋଦ୍ୟଗିକ ବିକାଶ ସମୟରେ ସାହିତ୍ୟର ଗୁରୁତ୍ୱ ଫିକା ପଡ଼ିଯାଏ କାହିଁ କେଜାଣି? ସମୟ ଆଗେଇଲା। 


ମୁଁ ବି ବିବର୍ତ୍ତନବାଦ ସହ ତାଳ ମିଳାଇ ବିଜ୍ଞାନ ପଢ଼ି ଇଞ୍ଜିନିଅର ଟିଏ ବନିଗଲି। ସେ କିନ୍ତୁ ଏକ ଛୋଟମୋଟ ବେସରକାରୀ ଚାକିରୀ କରି ବଳକା ସମୟରେ ନିଜ ସାହିତ୍ୟ ପ୍ରତି ପ୍ରତିଶୃତି ଓ ପ୍ରତିବଦ୍ଧତାକୁ ଜାରିରଖିଲା। ମୁଁ ଏପଟେ ବଡ଼ କମ୍ପାନୀରେ ଯୋଗ ଦେଇ ସଂସାର ସମ୍ଭାଳିବାରେ ଆଉ ସେ ନିଜ ଗଳ୍ପ ଏବଂ କବିତା ସବୁ ପ୍ରକାଶିତ କରିବାରେ ବ୍ୟସ୍ତ ହୋଇପଡ଼ିଲୁ। 


ପ୍ରତିଯୋଗିତା ମୂଳକ ଦୁନିଆ। ବଞ୍ଚିବା ପାଇଁ ଏ ମୂଷାଦୌଡ଼ ଭିତରେ ସାହିତ୍ୟିକଙ୍କ ସୁକ୍ଷ୍ମ ଉପଲବ୍ଧିକୁ ଆଦରି ନେବାପାଇଁ କାହାର ତର? ଅର୍ଥାଭାବରୁ ପୁଣିଜଣେ ସ୍ବନାମଧନ୍ୟ ସାହିତ୍ୟିକର ବଳି ପଡିଗଲା.. ପ୍ରଥମେ କେହି କେହି ବିବ୍ରତ ହେଇ ତାକୁ ଅନୁରୋଧ ମୂଳକ ଚିଠିଦେଲେ....ପରେ ପରେ ସବୁଥିରେ ପୁର୍ଣଛେଦ।


ଲୋକମାନଙ୍କ ଅଣଦେଖା ନିତିରୁ ସାଉଁଟା କେଜାଣି କାହିଁ ନିଜ ଅସ୍ତିତ୍ବ ହରାଇ ନିଜକୁ ପଛୁଆ ଭାବିବସିଲା। ମୋର ଅଭିଜାତ୍ୟର ପରିସୀମା ଠାରୁ ଅନେକ ବାଟ ଦୁରେଇଯାଇ ନିଜପାଇଁ ଏକ ନିରାଶମୟ ପରିବେଶ ଗଢି ସେଥିରେ ନିଜ ସଙ୍ଗେ ନିଜ ହତାଶାକୁ ବାଣ୍ଟି ଲାଗିଲା। ମୋର ମନ ବ୍ୟଥିତ ବିଚଳିତ ହୋଇଉଠୁଥାଏ। ଭାରି ସ୍ୱାଭିମାନୀ ମୋ ସାଉଁଟା ... ମୁଁ କେମିତି ତାକୁ ଏ କ୍ଷେତ୍ରରେ ସାହାଯ୍ୟ କରି ପାରିବି, ତାର ହିନମାନ୍ୟତା ଭିତ୍ତିହୀନ ବୋଲି ତାକୁ ଭରସା ଦେଇ ପାରିବି ଭାବି ଦିନେ ହଠାତ ଯାଇ ପହଂଚିଲି ତା' ଘରେ।


 କୋଳାହଳମୟ ପରିବେଶରୁ ଦୂରରେ ବାଖୁରିଏ ଘର, ରାତି ପ୍ରାୟ ଆଠଟା ... ଝର୍କା ବାଟୁ ଦେଖିଲି ବାଡ଼ିପଟରେ ବସିଥାଏ ସାଉଁଟା, ହାତରେ ବୋତଲ। ହଠାତ ଡାକିଲାରୁ ଚମକି ପଡି ପଛକୁ ଅବିଶ୍ୱାସରେ ଚାହିଁଲା ମୋତେ। ମୁଁ କବାଟ ଠେଲି ପଶିଗଲି ତା' ବାଡ଼ି ପଟକୁ, ସେ ପଡୁ ପଡୁ ଧରିନେଲି ତାକୁ। ପଛପଟେ ଧାଡି ଧାଡି ରଙ୍ଗ ବେରଙ୍ଗର ବୋତଲ। କେବେଠୁ ପିଉଛି ତାହେଲେ।


ତାର ଥର ଥର ହେଉଥିବା କାନ୍ଧ ଦୁଇଟାକୁ ଧରି ହଲାଇ ଦେଲି...ଆଖି ଟେକି ଚାହିଁଲା ମୋତେ... କହିଲା,


"ଜୀବନ ସଂଗ୍ରାମରେ ହାରିଗଲିରେ ସାଙ୍ଗ"


"ଆରେ ପାଗଳା?? ଏତିକିରେ ହାର ମାନିଗଲୁ? ତୋ ଲେଖାକୁ ଭଲ ପାଉଥିବା ଲୋକଙ୍କର କଣ ହେବ? ମୋର କଣ ହେବ ଭାବିଛୁ? 


କିଛି ଆଉ ହେବାର ସମ୍ଭାବନା ନାହିଁ ସାଙ୍ଗ, ଯାହା କିଛି ଥିଲା ଜୁଆ ଖେଳରେ ସବୁ ସାରିଦେଇଛି।


ମଦ,ଜୁଆ - ଏସବୁ ଶୁଣି ମୋ ଛାତି ଫାଟି ଯାଉଥିଲା ଯେମିତି... ଆଉ ସଂଭାଳି ପାରିଲିନି....ମୋ ମୁଣ୍ଡ କଣ ହେଇଯାଉଥିଲା। ଘୃଣାରେ ମୁଁ ଆଉ କିଛି କହି ପାରିଲିନି.. ବାହାରି ଚାଲି ଆସୁ ଆସୁ ପଛରୁ ଡାକିଲା,

 "ଶୁଣ...


"ମରିଗଲା ତୋ ସାଙ୍ଗ, ଦିନେ ମୁଁ ତୋ ପାଇଁ ଗର୍ବିତ ଥିଲି...ଆଜି ତୁ ମୋତେ ଲଜ୍ଜିତ କରିଦେଲୁ, ମୋ ଦୋସ୍ତିକୁ ଅପମାନିତ କରିଦେଲୁ ।"


ସେ ସମୟର କଥା ଅଲଗା ଥିଲା। ତା ପରଠୁଁ ତା ସହ ସମ୍ପର୍କ ଛିନ୍ନ ହୋଇଯାଇଛି ବୋଲି କହି ପାରିବିନି...


ହେଲେ ସବୁ ସବୁବେଳେ ତା ସ୍ମୃତି ମୋ ମସ୍ତିଷ୍କରେ ଗୁଡେଇ ହୋଇ ରହିଥାଏ। ନା ଅଜଗର ପରି ଗିଳୁଥାଏ ନା ହଜମ କରି ନପାରି ବାନ୍ତି କରୁଥାଏ.. ବାସ ମୋତେ ଜଡ଼ାଇ ଧରି ଥରକୁ ଥର ଦଂଶୁଥାଏ।


ଏ ଭିତରେ ଜୀବନନଈ କେତେ ଜଟିଳ ପଥ ଅତିକ୍ରମ କରିସାରିଲାଣି। ମୁଁ ରିଟାୟାର କରି ସାରିଲିଣି।

ସେ ଏକ ପ୍ରଖ୍ୟାତ ଗାଳ୍ପିକ ହୋଇ ସାରିଛି। ତାର ପ୍ରତିଟି ବହି ଆମ ଭଙ୍ଗାସମ୍ପର୍କ କାନ୍ଥରେ ଇଟାସାଜି ତାକୁ ପୁଣି ଥରେ ମଜବୁତ କରି ସାରିଲାଣି। ଗାଁ ଲୋକ ମାନେ ମୋତେ ଖୁସି ଖବର ଉପରେ ଖବର ଦେଇ ଅଭିଭୂତ କରି ଲାଗିଥାନ୍ତି। ଖବର କାଗଜ, ସୋସିଆଲ ମିଡ଼ିଆରେ ସତ୍ୟାନନ୍ଦ ବହୁଚର୍ଚ୍ଚିତ। ତା' ଉପନ୍ୟାସ ରାଜ୍ୟ ସାହିତ୍ୟ ଏକାଡେମୀ ପାଇଁ ମନୋନୀତ ହୋଇଛି।

 


ସପରିବାର ସିନେମାହଲକୁ ଯାଉଥିଲୁ। ବୟସ ସହ ମୋର ଆବେଗକୁ ଧରି ରଖିବାର କ୍ଷମତା ଦୁର୍ବଳ ହୋଇ ପଡ଼ିବାର ମୁଁ ଅନୁଭବ କରୁଥାଏ। ରାସ୍ତାରେ ସ୍ମୃତି ମୋ ପତ୍ନୀ ମୋ ଅଖିରେ ଢଳ ଢଳ ହେଉଥିବା ଲୁହକୁ ଦେଖିବା ପୂର୍ବରୁ ଅସରାଏ ବର୍ଷା ବର୍ଷୀଗଲା ଯାହାହେଉ। ମନ ଭିତରେ ଏସବୁ ପୁରୁଣା ନୂଆ କଥା ସବୁ ଖପ ଖପ ହେଉଥିଲା ରାଣୀ ବେଙ୍ଗୁଲି ପରି।


ନୂଆ ଫିଲିମ ମୋକ୍ଷର ରିଲିଜ, ଫାଷ୍ଟ ଡେ ଫାଷ୍ଟ ଶୋ.. ପ୍ରବଳ ଭିଡ଼ ଭିତରେ ଆମେ ଟିକେଟ ପାଇବା ଦୁରୂହ ହୋଇ ଉଠୁଥାଏ। ମୁଁ କୁରୁଳି ଉଠୁଥିଲି ମୋ ସାଙ୍ଗର ଫିଲିମ ବୋଲି।ପୁରା ଫିଲିମ ଦେଖିବା ଭିତରେ ମୁଁ ଆଖି ପତା ମାପି ଚୁପି ଝପକେଇଲି। ଏ ତ ମୋ ଉପରେ ଲେଖିଛି, ଆମ ପିଲାଦିନୁ ଘଟିଥିବା ଘଟଣା ସବୁ...ପୁରା ଫିଲ୍ମ ଦେଖିବା ପରେ ଆଖି ଝାପ୍ସା ହୋଇ ଉଠିଲା.... ମୁଁ ମୁଣ୍ଡ ତଳକୁ କରି ଫିଲିମ କୁ ହେଜିଲି।

ଆସିବା ବାଟରେ ହଲ ପଛରୁ ଚିହ୍ନା ସ୍ୱର...


"ଅଇଁଠା...ମୋ ଫିଲିମ ଦେଖିବା ପରେ କିଛି ମତାମତ ଦେଲୁନି ତ ??

"ସାଉଁଟା.... ମୋ ମଇତ୍ର..ମୁଁ କଣ ସତରେ ଏତେ ମହାନ... ମୁଁ କଣ କରିଛି ଯେ ଏମିତି ତୁ ମୋ ଉପରେ ପୁରା ଫିଲିମ ଲେଖି ପକେଇଲୁ ?? 

କହିଲା,

" କିଛିନା, ମୋତେ ତୁ ସାଧାରଣ ବ୍ୟକ୍ତିରୁ ଏକ ପ୍ରଖ୍ୟାତ ଗାଳ୍ପିକ କରି ତୋଳିଛୁ ଖାଲି ଯାହା । ବର୍ତମାନ ମୁଁ ଏକ ଟିଟୋଟଲର... ଏବେତ ମୋତେ ଆଉଜାଇନେ ତୋ ଛାତିରେ?

ଜଡ଼ାଇ ଧରିଲି ମୋ ସାଙ୍ଗକୁ ବିକଳ ହୋଇ... ବନ୍ଧୁତାର ଫାଲଗୁ ଚାରିଆଡେ ଯେପରି ବିଛୁରିତ ହେଉଥିଲା। ଦୁଇ ଆତ୍ମା ଅନେକ କୁଟିଳ ପଥରେ ଗତି କରି ଶେଷରେ ମୋକ୍ଷ ପାଉଥିଲା ଯେପରି।


Rate this content
Log in

Similar oriya story from Abstract