ଫିଲୋସଫର
ଫିଲୋସଫର
ଗ୍ଯାସ ଚୁଲା ରିପାୟର୍, କୁକର ରିପୟର୍, ମିକ୍ସି ରିପୟର୍ ଅଲ୍ ରିପୟର୍
ଡାକୁଥାଏ ସିଏ ଶୁଦ୍ଧ ଦିହିପହର ଟାରେ ।ଖାଇକି ମଣିଷ ଗଡପଡ ଟିକେ ହବା ବେଳଟାରେ ।ନା ନା ତଣ୍ଟି ଫଟେଇ ଡାକୁନଥାଏ, ଡାକୁଥାଏ ଗୋଟେ କାହାଳିଆ ଡାକବାଜି ବ୍ଯାଟେରୀ ଦିଆ ଯନ୍ତ୍ର ଟାରେ ।ସେଥିପାଇଁ ସ୍ବରଟା ଏକା ତାଳରେ ଶୁଭୁଥାଏ ।
ବାସନ ଧୋଉ ଧୋଉ ଜାଫ୍ରି ଦେଇ ଆଖି ଗଳେଇଲି ତଳକୁ ।କିଶୋର ବୟସର ପିଲାଟି ।ହେଇ ହେଇ ଦଶ କି ବାର ହବ , ଡଙ୍ଗାଭସା ବୟସ । କେବେ ଚହଟ ହଳଦିଆ ଥିବା ସାଟ୍ ଟି ତାର ମଳିକୋଚଟିଆ ନ ଦିଶିଲେ ବି ଫିକା ତ ହେଇଯାଇଛି ,ସଫା ଅଛି କିନ୍ତୁ ।ହଳଦୀ ଉଡିଯାଇ ବଳକା ପଡିଛି ଯାହା ।ମୁଣ୍ଡ ବାଳ କହରା, ଫୁର୍ ଫୁର୍ ।ଆଖି ପହଁରି ଆସୁଛି ଏ କୋଠାରୁ ସେ କୋଠା ଯାଏ, କାଳେ କିଏ କୋଉଠି ହାତ ଠାରିଦବ କହିବ , " ଆ ଏପଟକୁ ।ସଜାଡିଦେ ଏ ଭଙ୍ଗାଦରବ ।ଧରିନେ, ସମ୍ଭାଳ ମଙ୍ଗ ।"
ଆଗରୁ ଆମର ସବୁ ତଳ ଘର ଥିଲା ।ସେଇ ଘରୁ ମାଆ ମାନେ ଅସଜଡାକୁ ସଜାଡୁଥିଲେ ,ବଦଳଉଥିଲେ । ତା'ପରକୁ ଏକ ,ଦୁଇ ତାଲା ହେଇ ହେଇ ଏବେ ତ ତାଲା ପଡିସାରିଥିବା କବାଟ ସବୁ ବହୁତାଲାର ଭାଡିଘର ସବୁରେ ।ହଁ ଭାଡିଘର ନୁହେଁ ତ କଣ ! ଥାକଥାକିଆ ଏକରକମିଆ ।ଏଠି ଜିନିଷ ସଜଡା ଯାଏନି ,ଫିଙ୍ଗିଦିଆହୁଏ ନୂଆ ପ୍ରତିବଦଳରେ ।ଏତେ ଉପରୁ ବି ଏତେ ଥାକ ଦେଇ କଣ ଚଟ୍ କରି ଓହ୍ଲାଇ ହୁଏ !
ସିଏ ପୁଣି ଡାକିଲା, " .........ଅଲ୍ ରିପୟର୍ ....।" ଓଠ କୁ ଚାପି ଏମିତି କହିଛି ଯେ "ଆ" କାରଟି "ପ" ପାଖରୁ ଉଡିଯାଉଛି ।ଏଇ ଶବ୍ଦ ଟା ହି ଟାଣୁଥିଲା ବେଶୀ ।
ଟିକେ ବଙ୍କାବାଟର ଆକର୍ଷଣ ବେଶୀ ।
ମୋର ମନେ ପଡିଲା କାଲି କୁକର୍ ର ଗ୍ଯାସକିଟ୍ ଟି ଢିଲା ହେଇ ଭସ୍ ଭସ୍ କରି ସବୁତକ ଡାଲି ଛାତ ,କାନ୍ଥ ଯାକ ଆଙ୍କିଦେଇଥିଲେ ଏକ ସ୍ବତନ୍ତ୍ର ହଳଦିଆ ନକ୍ସା ,ଏକ ଭିନ୍ନ ପ୍ରତିରୂପ ।ଭାବିଲି ବଦଳେଇ ଦେବି ଏଇ " ଅଲ୍ ରିପାୟର୍ " ପାଖରେ ।
ତଳକୁ ଝୁଙ୍କିଲି ।ଡାକ ଦେଲି, " ଏ ଅଲ୍ ରିପାୟର୍ ,ଏପଟେ ଏପଟେ "
ସିଏ କାବାଆବା ହେଇ ଏଣ୍ଡୁଅ ପରି ଉପରକୁ ଚାହିଁଲା ଅବିଶ୍ବାସରେ ଆଉ ନିଜ ଛାତିରେ ହାତ ଲଗେଇ ପଚାରିଲା, " ମତେ ? "
ହଁ ଟିଏ କହି ମୁଁ କୁକର୍ ର ଢାଙ୍କୁଣିଟି ନେଇ ଓହ୍ଲାଇ ଗଲି ପାହାଚ ପରେ ପାହାଚ ।ତା ଆଡକୁ ବଢେଇଦେଇ ପଚାରିଲି, " ଗ୍ଯାସ ବାହାରି ଯାଉଛି ।କଣ କରିହବ ? "
ତା ଆଖି ରେ ଗୋଟେ ଚମକ ଖେଳୁଥିଲା ଖୁସିର ।ସିଏ ତୁରନ୍ତ ତାର ଜାଦୁ ପସରା ମେଲେଇ ବିଭିନ୍ନ ପ୍ରକାର ଆକାର ଗ୍ଯାସକିଟ୍ କାଢି ସିଦ୍ଧ ହସ୍ତ ପରି ପରଖି ଚାଲିଲା ।ମୁଁ ତା ଭିତରର ଜାଦୁଗରୀ କାରିଗରୀ ଯନ୍ତ୍ର ସବୁକୁ ନିରେଖୁଥାଏ ।କଣ କଣ ସବୁ ରଖିଛି, ପୁରା ଆଲ୍ଲାଦିନ ପେଟି ।
ତା ମୁହଁ ର ସରଳପଣ ।ପଚାରିବାକୁ ମନ ହେଲା," ବାପାରେ ! କଣ କିଛି ଖାଇଛୁ ?ହେଲେ .
ପଚାରିଲି, " ସ୍କୁଲ ଯାଅ? ପଢ? ଏଇ ଅଲ୍ ରିପାୟର୍ ମାନେ କଣ ? କଣ ସବୁ ସଜାଡିପାର ? ସବୁ ମାନେ କଣ କଣ ସବୁ ? "
ସିଏ ଯେମିତି ତଳକୁ ଚାହିଁ ହସିଲାପରି ମତେ ଲାଗିଲା ।ଲାଗିଲା ଯେମିତି ସିଏ ପାଇଯାଇଛି ଗୋଟେ ଖଜାନା । ସିଏ ଗୋଟିଏ ସରୁ କଣ୍ଟା ନେଲା ଆଉ ହ୍ବିସିଲ୍ ପାଖ ଛୋଟ କଣାଟିକୁ ସଫା କରିଦେଲା ।ଆଉ ନୂଆ ଗ୍ଯାସକିଟ୍ ଟିଏ ବି ଲଗେଇଦେଇ ମୋ ହାତକୁ ବଢେଇଦେଲା ।
ହସଟି ଭାରି ସୁନ୍ଦର ଥିଲା ତାର ।ସିଏ କହିଲା, " ହେଇଗଲା ।ଆଉ ଭସ୍ କରି ଗ୍ଯାସ ବାହାରିବନି।"
କେମିତି ଜାଣିଲ ?
ଜୀବନ ବହିରୁ ।ମାଆ କହେ ଜୀବନ ଗୋଟେ ବହି ।ହାତ ଧରି ସବୁ ଶିଖାଏ ।
ମୋର ଆଉ କିଛି କହିବାର ନଥିଲା ।
