Lopamudra Parida

Drama Romance Inspirational

4.6  

Lopamudra Parida

Drama Romance Inspirational

ପାରିଲା ପଣ

ପାରିଲା ପଣ

7 mins
24



ମୁଁ ସୁମନ୍ତ ।ସୁମନ୍ତ ସ ।


ଘର ଠୁ ଷାଠିଏ କିଲୋମିଟର ଦୂରରେ ଅବସ୍ଥିତ ଏଇ ସମୁଦ୍ର ସାଙ୍ଗେ ନିରୋଳାରେ ଢେର୍ ସାରା ମନ ତଳର ଗୁମର ଚୁପ୍ ଚାପ୍ ଆଣ୍ଠୁ ଉପରେ ହାତ ଯୋଡେ ଛନ୍ଦି ଶୂନ୍ୟ ଆକାଶ କୁ ଆଉ ଟିକେ ତଳକୁ ଟାଣିଆଣି ଛତା ତଳେ ଟୁପ୍ ଟାପ୍ ଗପିଲା ପରି କଲେଜ୍ ଟିରେ ପ୍ରଥମ ବର୍ଷର ଛାତ୍ର ।


ଇଂଜିନିୟରିଂ କଲେଜ ହଷ୍ଟେଲର ଅନ୍ତେବାସି ସୁମନ୍ତ ।ଫିଲ୍ ହାଲ ତ ଏଇଟା ହିଁ ଟ୍ଯାଗ ବର୍ତ୍ତମାନ ପାଇଁ ।କାହିଁକି ନା ଆମେ ଥିଲୁ ଫାଷ୍ଟ ବ୍ଯାଚ୍......ରାଗିଙ୍ଗ୍ ପରି କଟୁକର କି ମିଠା ଅନୁଭୂତି ରୁ ପ୍ରାକୃତିକ ଭାବେ ବଞ୍ଚିତ ।


ବୋଉର ତ ଆଗେ ଏଇଟା ହି ଡର ଥିଲା, କେତେ ନ କାନ୍ଦିଛି ସିଏ ମୁଁ ଆସିଲା ଦିନ ।ଚୁଡା, ବଡି, ମୁଢି, ଆଚାର, ଛତୁଆ, ମାଣ୍ଡି, ଚଦର,ସ୍ବିଟର, ମାଙ୍କଡଟୋପି,ମୋଜା, ଜରଝାଡା ବଟିକା, ଟୁଣୁକା ଟୁଣୁକି ପଥି, ସମାଜ କାଗଜରେ ବନ୍ଧା ବିଭୁତି ପୁଡିଆ , କାଚ ଶିଶିରେ ଠାକୁରାଣୀ ପାଦୁକ ଆହୁରି କଣ କଣ ସବୁ । ନଖତୁଳସୀ ଆଉ କାରାଳଚନ୍ଦନ ପୁରା ତାବିଜ ବି କଳା ଫିତାରେ ଯୋଡି ବେକରେ ଗୋଟେ ପୁଣି ବାଁ ପଟ ହାତର ଉପରକୁ ଟାଇଟ୍ କି ଗଣ୍ଠି ପକେଇଥିଲା, କାଳେ ଢିଲା ହେଇ ଗଳି ପଡିବ ।ପୁଣି ତା' ପୁଅକୁ ତା ଅନୁପସ୍ଥିତିରେ ଘଣ୍ଟ ଘୋଡେଇବ କିଏ ।ଯେତେ ଜାଚଙ୍ଗା, ତାଗିଦା ସବୁ ବି ଶ୍ରୃତି ରୂପରେ କାନେ କାନେ ଶୁଭୁଥାଏ ପଛକୁ ପଛ ସ୍ଲୋ ହବା ଯାଏ ।ଲୁହ ହୋଇ ବହିଯିବା ଯାଏ ।କୋଉ ସହଜ କି ।


ମୁଁ ବି ତ କୋଳପୋଛା ପିଲା ପରି କଇଁ କଇଁ କରି କାନ୍ଦୁଥିଲି ତା' କାନିରେ ମୁହଁ ଗୁଞ୍ଜି, ନାକଚଢି ଭଉଣୀଟା ଯିଏ ସବୁଦିନେ କେଚେରେ କେଚେରେ ଲଗେଇଥାଏ ସିଏ ବି ତ ତା' ଆରପଟ କାନିରେ ମୁହଁ ଗୁଞ୍ଜି ଥିଲା ଯେ ମୋର ଆମ ଘର ଗଳି ମୋଡାଣି ଗଲା ଯାଏ ଆଉ କାଢିଲାନି ।ଦୁଆର ବନ୍ଧ ରେ ଦୁହେଁ ଧିରେ ଧିରେ ଛୋଟ ଦିଶୁଥିଲେ ।ପ୍ରସେକ୍ଟିଭ୍ ୱାଇଜ୍ ।


ବାପା କିନ୍ତୁ ସାହାସୀ ।ବାଟରେ ଖାଲି ଯାହା ତାଙ୍କ ଆଖିରେ ହଜାର ଥର ଖାଲି ଗୋଟେ ଉଡା ପୋକ ଅମାନିଆ ଧରି ପଡିଯାଉଥିଲା ।ବୋଉ ମନାକରିଥିଲା ତାର ଥଣ୍ଡା ଦେହ ....କାଚ ଖୋଲିଦବନି ଆଉର ବସ ଝରକା କାଚ ଖୋଲିଦେଇଥିଲ ଶେଷକୁ .......ପବନ ସାଙ୍ଗରେ ଅନ୍ଯମନସ୍କ ହେବାପାଇଁ, ଜାଣିଶୁଣି ।


ଆଉ ମୁଁ ....ହାତପାଦ ଥଣ୍ଡା ବିନା ଶୀତରେ । 


ପାରୁନଥିଲି ବୋଧେ ।


***


କଲେଜ ୱେଲ୍କମ୍ ପରେ ବର୍ଷ ଟେ ଆଉ ନେକ୍ସଟ ବ୍ଯାଚ୍ ଆସିବା ଯାଏ ମୁଁ ଆଉ ମୋ ପରି ପ୍ରାୟ ସବୁ ନିରୀହ ଥିଲୁ ।ଥରେ ହ୍ଯାସ୍ ଟ୍ଯାଗ୍ ସିନିୟର୍ ଲାଗିଗଲା ପରେ ଆମେ ଡେଣା ଆଉ ଚେର ଥିବା ଏକ ଅଦ୍ଭୁତ ପ୍ରାଣୀ ପାଲଟିଗଲୁ ଯିଏ ଗଛ ନୁହେଁ କି ପକ୍ଷୀ ନୁହେଁ .....ବାସ୍ ଦୁଇଟି ଯାକ ।


ବୋଉ ର ଡେଉଁରିଆ ଢିଲା ହଉଥିଲା ଏବେ ଏବେ ହାତକୁ ଆଉ ଟାଇଟ୍ ହଉଥିଲା ବେକକୁ ।ସୋ କାଢିଦବାକୁ ହେଲା କିନ୍ତୁ ଯତ୍ନେଇକି ରଖିଲି ସେଇ ସମାଜ କାଗଜରେ ମୋଡି ।ସୁରକ୍ଷିତ ।


ଏବେ ଜୀବନ ଥିଲା ଏକ ସ୍ବପ୍ନିଳ ଡଙ୍ଗାରେ ଗୀତର ସ୍ବର ସାଧିଥିବା ନାଉରୀ ପରି ।ମୋ ନାଆ, ମୋ ନଈ ।


କାଲିକି କାଲି ସେଲ୍ଫ ଇନ୍ଟ୍ରୋ ଦଉଥିବା ସାଙ୍ଗ ଗୁଡା ଆଜି ପକ୍କା ଭାଇ ।ଏଇ ଜୀଗରି ମାନେ ଏବେ ପରିବାର ।ଏକାଠି କାଜୁ ବଣରେ ଶିଆଳ ପରି ଡେଇଁବା,ସେମିଷ୍ଟାର୍ ରେ ଏକାଠି ଧୂପ ଜାଳିବା ଆଉ କପି ସେୟାର କରିବା,ଜାମୁକୋଳି ଭୋଜି,କଲେଜ କ୍ୟାଣ୍ଟିନ୍ ରେ ମଟନ୍ ହବାଦିନ ପଛ ଝରକାରୁ ପୁରା ଡେକ୍ଚି ଉଠେଇ ଆଣିବା ନୀଳ ଉତ୍ତାଳ ସମୁଦ୍ର ପ୍ରେମରେ ଲାଲି କଙ୍କଡା ଧରିବା, ଟେରାସ୍ ରେ ଏକାଠି ଆକାଶ କୁ ଟଚ୍ ର ଏମ୍ ରେ ଚିଲେଇବା, ଏସ୍କରସନ୍ ରେ ଏକାଠି ହେନ୍ଚାଳିଶ୍ ମସିହା ପୋଜ୍ ରେ ଫଟୋ ଦବା, ଆଉ କଲେଜ ସୁନ୍ଦରୀ ପ୍ରତିଯୋଗିତା ଦିନ ନିଜେ ପଣ୍ଡସ୍ ଡବାଟା ଯାକ ପାଉଡର ମିଶିକି ସାରିବା ଛଡା ପାଠ ବି ରାତି ରାତି ପଢୁଥିଲୁ ଏକାଠି । ପାଠ ପଢାରେ ନୋ କମ୍ପର୍ମାଇଜ୍ ବାକି ଯେତେ ପଛେ ବାଳୁଙ୍ଗାମୀ ହଉ । ଆମେ ଆବଶ୍ୟ ସେ ଗୋଷ୍ଠୀରେ ଆସୁନଥିବା ଛାତ୍ର ଥିଲୁ ଲେକ୍ଚର୍ ମାନଙ୍କର ପ୍ରିୟ ଭାଜନ ।


ସେମିଷ୍ଟାର୍ ପରେ ସେମିଷ୍ଟାର୍ ଆଉ ସିନିଅର୍ ରୁ ସୁପର ସିନିଅର୍ ହବା ଭିତରେ ଆନୁଆଲ୍ ଫଙ୍କସନ୍ ଆମ ନେତୃତ୍ବରେ ସରିଥିଲା ।


ଏ ବର୍ଷ ଆନୁଆଲ୍ ଡେ ରେ ଇଭେଣ୍ଟ ମ୍ଯାନେଜ୍ମେଣ୍ଟ ର ଗୁରୁ ଦାୟିତ୍ୱ ବୁଝିବା ପାଇଁ ମୁଁ ଥିଲି ସୂତ୍ରଧାର ।ଡୁଏଟ୍ ଗୋଟେ ଫର୍ଫରମାନ୍ସ ଥିଲା, ସାଙ୍ଗଟେ ଖୋଜୁଥିଲି ।


ଲିଷ୍ଟ ଲଙ୍ଗ ଇଭେଣ୍ଟ ହାତରେ ..... ବ୍ଯସ୍ତ ବ୍ଯସ୍ତ ମୁଁ ।


ସରୁ ଭଏସ୍ ରେ କିଏ ଡାକିଲା ଏସ୍କ୍ଯୁଜ୍ ମି ସାର୍ ।


ରୁଲ୍ ଥିଲା ଜୁନିଅର୍ସ ସାର୍ ଡାକିବେ ନୋ ଭାଇ...ଫାଇ ।


ଦେଖିଲି ତ ସେ ଥିଲା, ଯାହାକୁ ନେଇ ମୋ ସାଙ୍ଗ ମାନେ ମତେ ଚିଡଉଥିଲେ ଅନେକ ଦିନରୁ ।ଏ ସାଙ୍ଗ ମାନେ ବି ଅଜିବ୍, କିଛି ନ ଥିବା ସତ୍ତ୍ବ କୁ ଜୀବିତ କରିପାରନ୍ତି ମନରେ ଟାହିଟାପରାରେ ।ଆଉ ଏ ମନ ଟା ବି ଅଜିବ୍......ଅନେକ ନଥିବା ଶୁଣା କଥା କୁ ବେଳେ ବେଳେ ସତ ମାନିନିଏ ।


ସେ କହିଲା, ଡୁଏଟ୍ ପାଇଁ ଆସିଥିଲି .....ପୁରା ସଙ୍କୋଚ ରେ ସିକୁଡି ।  


ପଛସିଟ ରୁ ସେମାନେ ହସିବେ ହି ହସିବେ ।ଜନ୍ମ ଗତ ଅଧିକାର, ଅକାରଣେ ସକାରଣେ ।ଗୋଡ ନ ଟାଣିଲେ, ଏମ୍ବ୍ରାସମେଣ୍ଟ ସ୍ପ୍ରେ ଅତର ଟିକେ ନ ଛିନ୍ଚିଲେ ସାଙ୍ଗ ଆଉ କଣ ! କଙ୍କଡା ଯେତେକ, ଇଜ୍ଜତ କା ଫାଲୁଦା ବନିଗଲେ ହି ୟମି ।ତଥାପି ୱି ଆର୍ ବେଷ୍ଟ ବଡିଇସ୍ ।ଅଲୱେଜ୍ ଫର୍ ଇଚ୍ ଅଦର ।ଫାମିଲି ।


ହୁଁ।ଗୀତ ମୁଁ ସିଲେକ୍ଟ କରିସାରିଛି ,ୟୁ ନିଡ୍ ଟୁ ମର୍ଜ ଉଇଥ୍ ମାଇଁ ଭଏସ୍, ପାରିବ ତ ।


ଯଥା ସମ୍ଭବ ଗମ୍ଭୀର ହେଇ କହି ଅପେକ୍ଷା କଲି ତା ଉତ୍ତର କୁ ।ସେ କହିଲା ମୁଁ ବି ସିଲେକ୍ଟ କରିସାରିଛି, ଆପଣ ଥରେ ଶୁଣିଦେଲେ.......।


ହୁଁ, କୁହ କୋଉଟା ।ଗାଇକି ଶୁଣାଅ ।


ପଛରୁ ପୁଣି ଫେଁଏଏ ସହ ହସ ରୋଳ .....ହଁ ବେ ।ଉ....ଦା....ର ଶୁଣା....ଅ ।


ଦୋ ଲଫ୍ଜୋ କି ହେ ଦିଲ୍ କି କାହାନୀ 

ୟା ହୋ ମୁହବ୍ବତ୍, ୟା ହୋ .......


ମୁଁ ଆପେ ସ୍ବର ଯୋଡିଦେଲି 


ୟେ କସ୍ତି ୱାଲା, କ୍ଯା ରାହା ହେ

କୋଇ ଇସେ ଭି ୟାଦ୍ ଆରାହେ ।।


ଲା ଲା ଲାଲା .....ଦୋ ଲଫ୍ଜୋ କି ହେ ଦିଲ୍ କି କାହାନୀ ।।


ଡୁଏଟ୍ ଭଏସ୍ ରେ ହଲ୍ ସାଇଲେଣ୍ଟ । ଆମେ ସ୍ତବ୍ଧ ହଜିଯାଇଛୁ ନୀଳ ଢେଉର ଆଖିରେ ନିଜ ଭିତରେ ।


ପଛରୁ ହେଏଏ କରି ଦଉଡି ଡେଇଁ ମୋ ଚ୍ଯାମ୍ପ ସବୁ ମତେ ଏକରକମ ଟେକି ଧରିଲେ, ସେ ଲାଜେଇଗଲା ଓ ବାହାରିଗଲା ହଲ୍ ରୁ ।


ଏଇଟା ଆରମ୍ଭ ଥିଲା ।


ଏତେ ଖୁସି, ହଠାତ୍ । ସମ୍ଭାଳି ବା ଟଫ୍ ।


ପାରୁନଥିଲି ।


କଭି ଆର୍ କଭି ପାର୍ ଲାଗେ ତୀରେ ନଜର .......


***


ତା'ପରେ ସବୁ ଥିଲା ରଙ୍ଗୀନ, ମାଟିଠୁ ଏକ୍ଜାମ୍ ହଲ୍ ଯାଏ । ସବୁ କଲର୍ ଫୁଲ୍ । ମୁଁ ସଜାଡି ହେଇଯାଉଥିଲି ତା'ର ମୋ କାନ୍ଧ ରେ ଧିରେ କି ମୁଣ୍ଡ ଥାପିବା ମାତ୍ରେ ଏକ ଦାୟିତ୍ୱବୋଧରେ । ସେ ମୋର, ମତେ ହିଁ ତାର ଯତ୍ନ ନେବାକଥା ।


ବାଲେଶ୍ୱର ବୃଷଭ ପଛରେ ହାତ ଯୋଡି, ନୀଳ ଅତଳ ସାଗର କୂଳରେ ସକାଳୁ କାଲିଯାଏ ଗୋଟିଏ ପୋଜିସନ୍ ରେ ଆମେ, ଚୋରାବାଲି ର ମୃଗମୃଗୁଣୀ ଆମେ ।ସାଇକେଲ ରୁ ବେଶୀ ଶିଖିନଥିବା ମୁଁ ରାତାରାତି ସାହାରୁଖ୍ ହେଇସାରିଥିଲି । ଚିଡେଇକି ସାଙ୍ଗ ମାନେ କହୁଥିଲେ, ୟେ ତୋ ଗୟା । ଆଉ ଅଟୋମେଟିକ୍ ତାକୁ ଡାକୁଥିଲେ ଭାବି ଭାଉଜ । ମୁଁ କୁରୁଳୁଥିଲି ।


ପୂଣ୍ଯର ନଦୀ ତୀରେ, ପାପର ତରୁ ଡାଳେ ।।

 

ସେଇ ସାଙ୍ଗ ମାନେ ଦିନେ ମତେ ନିଦରୁ ,ସ୍ବପ୍ନରୁ,ତା'କୋଳର ବିଭୋରତାରୁ ,ସେ ଡାକୁଥିଲା ଏଇ ଶୁଭୁଚିରୁ ଝଡ ବେଗରେ ହଲେଇ ଉଠେଇଲେ ଆଉ ଅର୍ଡର ଦେଲେ ଆଜି...ଆଜି ହିଁ ବ୍ରେକ୍ ଅପ୍ କର୍ ଶଳା ତା ସାଙ୍ଗରେ ବେ ।ଆହୁରି କଣ କଣ କହୁଥାନ୍ତି, ତା ନାଁ ରେ ।


କିନ୍ତୁ କଣ ,କାହିଁକି .....କିଛି ବୁଝିପାରୁ ନଥାଏ ମୁଁ ।ପଥର ଲଦି ଦେଲେ କାଚ ଫାଟିଗଲା ପରି ଫଟେଇଦଉଥିଲା ସବୁ ଶବ୍ଦ ।


ଅଭିମାନରେ ଅଭିଯୋଗ ନେଇ ଅଭିଯୁକ୍ତା ପାଖେ ପହଞ୍ଚିଲି ଏକ ଅନଧିକାରର ଅଧିକାରରେ ,ଯାହାର ନାଁ ଜଣାନାହିଁ ମତେ ନିଜକୁ ।


ଲୁହ,ଅଭିମାନ ଆଗରେ ତରଳି ଗଲି ।ସାଙ୍ଗ ମାନେ ମୁହଁ ନ ବୁଲେଇ କହିଲେ ,ମଲୁ ।ତଥାପି ବୁଝିଲିନି କି ବୁଝିବାକୁ ଚାହିଁଲିନି ବୋଧେ ।ଜଞିର ର ଜଞାଳ ଜଡେଇ ଧରିଥିଲା ଯେ ।ଏମାନେ ସାଙ୍ଗରେ ଥିଲେ, ନିତି ବୁଝେଇଲେ ।ମୁଁ ନିଜ ଆଡୁ ୟାଙ୍କୁ ଦୂରେଇଦେଲି ।


ମୁଁ କ୍ଯାମ୍ପସ ସିଲେକ୍ସନ୍ ରେ ସିଲେକ୍ଟେଡ୍ ।ସେ ବି ।


ସରିଗଲା ଫାୟାର୍ୱେଲ୍ ଡେ .......ସ୍ଲାମ୍ ବୁକ୍,ମେମୋରୀ, ଲୁହ, ଟେକ୍ କେୟାର ରେ ।


ଘରେ ରାଜି ଅରାଜି ଭିତରେ ମହୁରୀ ବଜେଇନେଇ ଚାଲିଗଲି ମୋ ସ୍ବପ୍ନସୁନ୍ଦରୀ କୁ ମୋ ପ୍ରଥମ ଦରମାର ସ୍ବପ୍ନ କୁଟୀର ତୋଳିବାକୁ । 


ବୋଉ କାହିଁକି ଭାରି କାନ୍ଦିଲା ।କଣ ବୁଝିଲା କେଜାଣି!


****

 ତାକୁ ମହଲ ର ଚାହ୍ ଥିଲା, ସ୍ବଳ୍ପ ପ୍ରଥମ ଦରମାରେ ମେଟ୍ରୋ ଟାଉନ୍ ଏ ତା ପାର୍ଲର୍ ଖରଚ ବି ଅଣ୍ଟୁନଥିଲା ।ଘର ଭଡା, ସିକୁରିଟି ମନି, ପାଣି ଠୁ ପବନ କିଣା ରାଇଜରେ ସେ ଚାହୁଁ ଥିଲା ସେ ହାତ ମାରୁଥିବା ସବୁ ହୀରା ହେଇଯାଉ ।ଧିରେ ଧିରେ ମତେ ବି ସେ ଅଚିହ୍ନା ଲାଗିଲା ।କିନ୍ତୁ ପ୍ରଥମ ଛବି ପ୍ରିୟାର ଧୁନ୍ଲଉଥିଲା ନି ଯମା ।ମୁଁ ନିଜେ ବିକି ହେଇ ତାକୁ ହସେଇବାର ଚେଷ୍ଟା ରେ ବୁଡିଥିଲି ।ଏବେ ବି ସାଙ୍ଗ ମାନେ କହୁଥିଲେ, ତୁ ଫସିଗଲୁ ବେ ..ଟେକ୍ କେୟାର ୟାର୍ ........ଏକ ଦୀର୍ଘ ନିଶ୍ବାସ ଫିଙ୍ଗି ।


ମୁଁ ଖୋଜୁଥିଲି ତାକୁ ଯାହାକୁ ନେଇ ମୁଁ ବୁଣିବା ଶିଖିଥିଲି, ରଂଗ ଭରିବା ଶିଖିଥିଲି ହଜିବା ବିଭୋର ହେବା ଶିଖିଥିଲି । ବର୍ଷାରେ ମହକ,ଜହ୍ନରେ କୋମଳତାକୁ ଫିଲ୍ କରିଥିଲି ।ଇଏ ତ ସିଏ ନୁହେଁ ।


ଦିନେ ସେ ଚାଲିଗଲା ତା ଅଫିସ୍ ର ହାଇ ପ୍ରୋଫାଇଲ କାହା ସହ ମୋ ହାତ କୁ ଅଯୋଗ୍ୟ ପ୍ରମାଣିତ କରିବାର ଚେଷ୍ଟା ରେ ।ମୁଁ ଭାଙ୍ଗି ଖସିପଡୁଥିଲି କି ମୋ ବୋଉ କୁ ଆଣି ପହଞ୍ଚିଲେ ମୋର ସେଇ ସାଙ୍ଗ ମାନେ ।ମନ ଭରି ଏତେ ଦିନେ କାନ୍ଦିଲି ।ବୋଉ ର ଲୁହ ବି ପୋଛିନଥିଲି, ନଜର ନଥିଲା ।ବୋଉ ମୁଣ୍ଡ ଆଉଁସୁ ଆଉଁସୁ କହିଲା, ଦେ ଯା ..... ସେ ଘରଭଙ୍ଗେଇ ପାଇଁ ମୋ ପୁଅ କାଇଁ ଏତେ କାନ୍ଦିବ ରେ ।ରଜାପୁଅ ମୋର ତା'ପାଇଁ କଣ କନିଆଁ ଅଭାବ ହବ ।ଦୋଚାରୁଣୀ ଟା ସେଟା ।ପାଣିରେ ମେଲେଇ ଦେ ତାକୁ ଯା ।ଏ ଟୋକା ଟା ଏଡେ ନରମା ହେଲା ।


ବାପା କାନ୍ଥ କୁ ଆଉଜି ଛିଡା ହେଇଥିଲେ କାଠ ମୂର୍ତ୍ତି ପରି ଆଉ ସାଙ୍ଗ ସବୁ ରୋଷେଇରେ ଲାଗିଥିଲେ ।


ମତେ କାଇଁ ଏବେ ବି ତା ପାଇଁ ଏ ଶବ୍ଦ ସବୁ କାଟୁଥିଲା, ଆଶ୍ଚର୍ଯ୍ୟ ଏ ହୃଦୟର ଚୁକ୍ତି ସବୁ ।ମୁଁ ପଦେ କହି ନ ପାରି ଖାଲି କଇଁ କଇଁ ହେଇ କାନ୍ଦୁଥିଲି ସେ ଦିନ ପରି ।


ପୁଣି ପାରୁନଥିଲି ।


ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ

ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ବନି କହେ ତୁମେ ତୁମେ ତୁମେ ।।


*****


ଅନେକ ଦିନ ସରିଯାଇଥିଲା ।ଡିଭୋର୍ସ ସରିଥିଲା ।ଆମେ ଅଜନବୀ ହେଇସାରିଥିଲୁ କାଗଜ ଓ କାଳିରେ ।ମୁଁ ମୋର ଡିପ୍ରେସନ୍ ଦାଢୀ ସବୁ କାଟି ସାରିଥିଲି ।ବୋଉ ମୋ ପାଖରେ ରହୁଥିଲା, ଚେନ୍ନାଇରେ ।ଆଉ ମୁଁ ବୋଉ ଦେଇଥିବା ତାବିଜ ସବୁ ସମାଜ ଗୁଡାରୁ ଖୋଲି ପୁଣି ପିନ୍ଧି ସାରିଥିଲି ।ବାପା ଆଗପରି ମୋ ମଥା ସାଉଁଳଉଥିଲେ ।ଗାଁ କୁ ଯିବା ଆସିବା ଚାଲିଥିଲା ।


ଅଫିସ୍ ରୁ ଦିନେ ଫେରି ବୋଉକୁ ଭାରି ଖୁସି ଖୁସିଆ ଦେଖି ତା କାନିରେ ମୁହଁ ପୋଛି ପଚାରିଲି, କଣ କି ?


କହିଲା ଆଗେ ହାତ ଗୋଡ ଧୋଇଆସି ଖାଇବସ ।ଖାଇବାରେ ଥିଲା ବୋଉ ହାତ ରନ୍ଧା ସହ ଆହୁରି ଅନେକ ଏଠିକି ଦକ୍ଷିଣୀ ଖାଇବା ।


ବୋଉ ତୁ ଏ ସବୁ ଶିଖିଗଲୁଣି! ବଢିଆ କରିଛୁତ ।ତୋ ହାତଟା ମାନେ ଯାହା କହ ।


ମଲା ମୋର ମୁଁ ଆଉ କେତେ ଦିନ କରିବି କିରେ, ବଳ ବୟସ କଣ ଆସୁଛି ।


ମୁଁ ଅଧାଖିଆରେ ଆଁ କରି ଚାହିଁଲି କିଏ ତେବେ ।


ଶ୍ବେତାଲୀନା ସବୁ ରାନ୍ଧିଛି ରେ ।ବେସର ଆଉ ଶାଗ ବି ।ଦୁଆର ପଛରୁ ମଲ୍ଲୀର ମହକ ଆସୁଥିଲା ।ଆମ ଘର ମାଲିକ ଯିଏ ପେସାରେ ଓକିଲ ଆଉ ମୋ କେସ୍ ର ରଫା ଦଫା କରିଥିଲେ ତାଙ୍କର ଏକମାତ୍ର ସୁକନ୍ଯା .......ଶ୍ବେତା ,ଶ୍ବେତାଲୀନା ।


ରାତିରେ ବୋଉ ମତେ ସାକୁଲେଇ ପଚାରିଲା, ସୁମନ୍ତ ସାଙ୍ଗରେ ଶ୍ବେତାଲୀନାଟା ବଢିଆ ଛିଡୁଛି ନୁହଁ କିରେ !


ମୁଁ କିନ୍ତୁ କିଛି ଉତ୍ତର ଦେଲିନି ।


ଭୋରୁ ଉଠି ମର୍ଣ୍ଣି ୱାକ୍ ରୁ ଫେରି ଦେଖେ ବୋଉ ସାଙ୍ଗେ ଦିଅଁଙ୍କଠି ବସିଛି ସେ ଆଉ ପୁଣି ଗୋଟେ ଡୁଏଟ୍ ଶୁଭୁଛି 


କି ସୁନ୍ଦର ଆହା, କି ଆନନ୍ଦ ମୟ

ଏହି ବିଶାଳ ସଂସାର 

ଧନ୍ଯ ମହାପ୍ରଭୁ ମହିମା ତୁମର 

ଅଟେ ଅନନ୍ତ ଅପାର ।।


ମୁଁ ଫେରି ଆସୁଥିଲି ବୋଉ କହିଲା ଆରେ ଭୋଗ ନେ ।

ଆଉ ଥିରେ କି କହିଲା କି ସୁନ୍ଦର ଗାଉନି ! ସାକ୍ଷାତ ଲକ୍ଷ୍ମୀ, ସରସ୍ବତୀ ସବୁ ।ଓଡିଆ ବି କହି ଶିଖିଲାଣି ରେ ଖଣ୍ଡି ଖଣ୍ଡି ।


ଦ୍ବିମତ ହବାର କିଛି ନଥିଲା ।


ସାଙ୍ଗ ମାନଙ୍କର ନୂଆ ଡାଇଲଗ୍ ଥିଲା, ଏନ୍ଟି ଆନ୍ନା ।


ପୁଣି ମୋର ଘର ବୋଉ ହାତରେ ବସିଗଲା । 


ବୋଉ ମାନେ ସବୁ ପାରନ୍ତି ।ସବୁ ............




Rate this content
Log in

Similar oriya story from Drama