STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ପାନଖିଲି

ପାନଖିଲି

7 mins
155

ବାହା ହେଇ ଏରୁଣ୍ଡି ଡେଇଁବା ଦିନୁ ନାକଟେକା ସ୍ବପ୍ନାଙ୍କର । ମୁହଁରେ ବୋଉର କିଛି କୁହନ୍ତିନି ସତ ହେଲେ ପରେ କହନ୍ତି, " ଛିଃ ଲୋ କି ଝାଇଁ ଝାଇଁ ଗନ୍ଧ ସେ ଡବାର । କେମିତି ତମ ଫୋନ ତାକୁ ମହାପ୍ରସାଦ ଭଳିଆ ପାଇଯାଉଛନ୍ତି ଦିନ ରାତି କେଜାଣି! ଛେଳି ଚାକୁଳିଲା ଭଳିଆ ପାଟି ଚାଲିଛି ଯେ ଚାଲିଛି ମୋର ତ ମୁଣ୍ଡ ଘୁରେଇଦିଏ ।" ଯେହେତୁ ସିଏ ମୋରି ସ୍ତ୍ରୀ, ମୋରି ଆଗରେ ମୋରି ବୋଉ ନାଁରେ ଫେରାଦି କରୁଛି, ହଉ ଢୋକିଦିଆଯାଉ । ଶାନ୍ତି ରହୁ, ଏଇ ନ୍ଯାୟରେ ମୁଁ ହସିଦିଏ ନହେଲେ ଓଠରେ ସେଲୋଟେପ୍ ପିଚକେଇଲା ଭଳିଆ ଚୁପ୍ ରହେ । ବେଳେବେଳେ ଖଜବଜ ହେଇ କହିଦିଏ, " ତମେ ତା' ବୟସରେ ପହଞ୍ଚ ,ଦେଖିବ ତମକୁ ବି ଲାଗିବ ଏଇ ସବୁ ।" ପେଟେରାରୁ ଚିତିଟେକୁ ଟିପମାରି ଫଣା ଟେକେଇଦେଲା ପରି ସିଟ୍ କରି କହିବେ, " ହୁଁ, ମୋର ତ କିଛି ବେପାର ନଥିଲା ଆ ଧାଉଁଥିଲି ଏଇ ଅସନା, ଗନ୍ଧ କୁ ଚପର ଚପର କରିବାକୁ କଳରେ ।" ସେଦିନ ସକାଳେ ମଙ୍ଗଳାପୂଜା ଥିଲା ।ସମସ୍ତେ ଘରୁ ପୂଜା ଜିନିଷ ସଜାଡି ଗାଡିରେ ବସିଲୁ ।ବିଲପଦାଦେଇ ଚାଲିକି ଯାଇହବ ।କୋଉ କୋଶେ ବାଟ ନା କଣ ! ଆମ ବାରିରୁ ଦିଶୁଛି ପରା ମନ୍ଦିର ବାନା ।ହେଲେ ଆମ ସହରୀ ପିଲେ ମାନେ ଆଉ ବୋଉର ଆଣ୍ଠୁ ଗଣ୍ଠି ବାତ ହି ଚାଲିବାର ବଇରି ।ମୋର ଚାଲିବାର ଇଛ୍ଛା ଥାଇ ବି ଗାଡିରେ ବସିବାକୁ ହେଲା ।ବେଳେବେଳେ ହି ସୁଯୋଗ ମିଳେ ଗାଁ ବିଲମାଳରେ ଚାଲୁଚାଲୁ ପ୍ରକୃତି କୋଳରେ ହଜିଯିବାକୁ ।କାଲି ଆଉ ଆଜି ଭିତରର ଅନ୍ତବର୍ତ୍ତୀ ସମୟଟାକୁ ଠିକ୍ କିଏ ଯେମିତି ପୋଛି ଦେଇଛି ତାର ସ୍ନେହ ପରଶାରେ । ସହରୀ ଯାନ୍ତ୍ରିକ ଜୀବନର ଏଇ ସ୍ବଳ୍ପ ବିରତି ହି ବିତରି ଦିଏ ବାସ୍ନା ଆପଣାପଣର, ପିଲାଦିନର, ପବନର ନିଜ ଗାଁ ଠିକଣାରେ ।ଛାଡ, ଏ ପିଲେ କୋଉ ବୁଝିବେ ଏତେ କଥା ! ପଇସା ଦେଇ ରିସୋର୍ଟରେ କୃତ୍ରିମ ଗାଁ କୁ ଘଣ୍ଟାଏ ପାଇଁ ଭୋଗିଆସନ୍ତି ଯାହା ।

ଗାଡି ଗଡୁଥିଲା । ମଙ୍ଗଳାବେଢାରେ ଯାଇ ଅଟକିଲା ଚକ ।ଭିତରକୁ ସମସ୍ତେ ଗଲେ ।ଘଣ୍ଟା, ଘଣ୍ଟ, ଝୁଣା, ଘିଅର ମହମହପଣ ପବନଯାକ ଲେସି ହେଲା ।ମନ୍ଦାର ,ସିନ୍ଦୁର ଭିତରୁ ଦେବୀ ପ୍ରକଟିଲେ ।ମୁଁ ମୁଣ୍ଡିଆଟିଏ ମାରି ବାହାରେ ଗାଡି ପାଖରେ ଠିଆ ହେଇ ଆଗପଟ ଟିଣିଆ ନିମ ଗଛଡାଳରେ ହଳେ ହଳଦୀବସନ୍ତଙ୍କ ଚହକ ଡିଆଁକୁ ଉପଭୋଗ କରୁଥାଏ ।ପୁଅ ମୋର ଦଉଡି ଆସି କହିଲା, " ପାପା ଇଣ୍ଡିଆନ ଓରିଅଲ୍ ନା ।କେଜ୍ ରେ ନାହିଁ ।ବାଃ ।" । ମୁଁ ତାକୁ କହିବାକୁ ଚାହୁଁଥିଲି ଯେ ," ବାପାରେ ତମେ ଯୋଉ ଆମୋଦ ଟିକକ ଚିଡିଆଖାନାରେ ପାଅ, ସେଇଟି ସବୁ ଜୀବଜନ୍ତୁଙ୍କର ବନ୍ଦୀଶାଳର ଦୃଶ୍ୟ ପ୍ରତିବଦଳେ । " ଛାଡ କିଏ ଆଉ ମୁକ୍ତ କି !କିଏ ମାୟାରେ, କିଏ ମୋହରେ, କିଏ ଲୁହରେ, କିଏ ଦୃଶ୍ୟ ପୁଣି କିଏ ଅଦୃଶ୍ୟରେ । ବୋଉ ଆସି କଣ ଅଧାଆଖି ମୁଦି ମୋ ଦେହ ଯାକ ହାତ ବୁଲେଇ ନେଲା । ମୁଣ୍ଡକୁ ନୋଇଁ ଦେଇ ମାଜଣା ପାଣି ସିଞ୍ଚି ଦେଲା ।ଦି ହାତ ଯୋଡି ଯୋଡି ପୁଣି ପଳେଇଗଲା ଗମ୍ଭିରୀକୁ ।ଦୂରରେ ଠିଆ ହେଇ ମୋ ସ୍ତ୍ରୀ ପାକୁ ପାକୁ କି ହସି କହୁଥିଲା ," ବୁଢା ପୁଅ " ।ମୁଁ ଏଠି ବି କହିବି ଭାବିଲି, " ଯେ ତମେ କେବେ ଥରେ ତମ ପୁଅ ପାଇଁ ଏମିତି କରିକି ଦେଖ ସ୍ବପ୍ନା, ତମକୁ ବି ବୋଉ ବୋଉ ଲାଗିବ ।" ବୋଉ ପୁଣି ବାହାରିଲା ଆଉ ମୋ ପୁଅକୁ ବହେ ଝଡାଝଡି କଲା ଛଡା ଫୁଲରେ ।ଏ ସବୁ ନେଇ ସିଏ କେବଳ ତା' ମନର ଶୁଣେ, ଆଉ କାହାରି ନୁହେଁ ।ଅମାନିଆ ହବା ବି କେତେ ମିଠା ନା ! ସିରିଣି ଚକଟା ବାସ୍ନା ନାକରେ ଛୁଇଁ ହେଉ ହେଉ ଖଲି ଯୋଡେ ମୋଡି ଦନା କରି ଆମେ ବାପପୁଅ ହାଜିରା ପକେଇଲୁ ଦେଉଳ ସିଂହ କତିରେ ତାରି ପରି ବଡ ଆଁ ମେଲି ।ବୋଉ ହସିଦେଲା ।ସେଇ ହସ ଠାକୁରାଣୀ ହସ ସହ ମିଶିଗଲା । ବୋଉ ସ୍ବପ୍ନା ଶାଢୀ କାନିରେ ମଙ୍ଗଳାଙ୍କ ପାଦୁକ ଫୁଲଧଣ୍ଡା ବାନ୍ଧିଦେଲା ଗଣ୍ଠିକରି । ଆମେ ଫେରିଲୁ ।ସମସ୍ତେ ଗପସପରେ ।ମୁଁ ଅନ୍ଯମନସ୍କ ।ଏଯାଏ ସିରିଣିର ଚିକଣ ହାତରୁ ଯାଇନି ।ବୁଲାଣିଠି ବ୍ରେକ୍ କ୍ଲଚ୍ ଏପାଖ ସେପାଖ ହେଇ ଗାଡି ଦୋହଲି ଗଲା ।ଆଖି ମୁଜି ଚିଲେଇଉଠିଲୁ ସମସ୍ତେ ।ମୁହୂର୍ତ୍ତକେ ଦେଖିଲା ବେଳକୁ ହିଡ ପଥରରେ ଅଟକିଛି ଗାଡି ।ଗଡିପଡିନି ।ରକ୍ଷା ।ଧିରେ ଧିରେ ଅତି ସାବଧାନରେ ପଛକୁ ଗାଡି ଫେରେଇଲି ଆଉ ପୁଣି ରାସ୍ତା କୁ ଉଠିଲି ।ଅଳ୍ପ କେ ରକ୍ଷା ଜାଣ ।ବୋଉ କହିଲା, " ରହ ,ଠିଆ ହ ଦଣ୍ଡେ ।" ଅଟକିଗଲି ।ଗାଡି କାଚ ଦେଇ ପୁଅ ମୁଣ୍ଡ ଗଳେଇଥିଲା ଆଉ ବଡ ପାଟିରେ ଚିଲେଇଲା, " ପାପା ଲୁକ୍ ଲୁକ୍ ।" ସମସ୍ତେ ଏକାଠି ନଜର ଉଠେଇ ଦେଖୁ ତ ବିରାଟକାୟ ଲମ୍ବ, ଓସାରର ସୁନାରଙ୍ଗି ନାଗଟିଏ ଗାଡି ଆଗରେ ଫଣା ତୋଳି ବସିଛି ।ତାର ଆଖି ଦିଟି ଚକ୍ ଚକ୍ କରୁଛି ।ବୋଉ ଠାରରେ ହାତ ଯୋଡିବାକୁ କହିଲା ।ସମସ୍ତେ ମାନିଲୁ ।କିଛି ସମୟ ପରେ ଆପେ ଓହରି ରାସ୍ତା ପାରି କରିଗଲେ ସୁବର୍ଣ୍ଣ ନାଗଦେବ ।ବୋଉ କହିଲେ, " ଏବେ ଚାଲେ ।ରିଷ୍ଟ କଟିଲା ।ନିଶ୍ଚିତ କିଛି ଅଘଟଣ ଲେଖାଥିଲା ।ମାଆ ନିଜେ  ଆସି ସବୁ ସଜାଡିଦେଇ ଗଲେ ।ଦେଖିଲୁ ।ତାଙ୍କ ଠି ଭକ୍ତି ରଖିଥିବୁଟି ।" ଆଉ ଝରକା ବାଟେ ତଲ୍ନିନ ହେଇ ଆକାଶକୁ ଚାହିଁ ଗୁଣୁ ଗୁଣୁ ଗାଇଲା ..... ଘରୁ ଯେତେବେଳେ ବାହାର ହୋଇବୁ ସୁମରିଲେ ନାମ ମୋର ,ଆଗେ ଆଗୁଆଣି ହୋଇଥିବି ମୁହିଁ, ତୁ ଥିବୁ ମୋର ପଛର ।" ସ୍ବପ୍ନାର ତଣ୍ଟି ଶୁଖି କାଠ ହୋଇଯାଇଥିବ ଏତେ ଲମ୍ବ ଭୁଜଙ୍ଗ ଏତେ ନିକଟୁ ଦେଖି ଭାବି ଚାହିଁଲା ବେଳକୁ ସିଏ ତାଙ୍କ ଫୋନରେ କ୍ଯାମେରା ଅଣ୍ଡାଳୁଛନ୍ତି ।ମତେ ଇଛ୍ଛା ହଉଥିଲା ବୋଉ କାନିକୁ କୁନିପୁଅ ଟିଏ ପରି ଜାବୁଡି ଧରିବାକୁ । ବୋଉ ହି ଥିଲା ମଙ୍ଗଳା ଏଠି ।ମୋ ମନକଥା ମାପି ନେଇ ସ୍ବପ୍ନା ହସିଲେ ଆଉ କହିଲେ ," ଧେତ୍, ଫଟୋଟା ଉଠିଲାନି ମ ! ଏଫ୍ ବି ରେ ଦେଇଥାନ୍ତି "ପୁଅ କହୁଥିଲା, " ବଢିଆ ଆଡଭେନ୍ଚର ତମ ଭିଲେଜରେ ପାପା ।ଆଇ ଲାଇକ ଇଟ୍ ।" ଗୋଟେ ଡାଲା ଆଉ ସେଥିରେ ଓଦା ଧଳାସିଆ କନାଟେରେ ଗୁଡା କେତୋଟି ହୃଦୟ ପରି ସବୁଜ ପତ୍ର, ଗୋଟେ ପିତଳ କୁଟା, ପିତଳ ଗୁଆକାତି, ମିଠା ମସଲା, ଆଉ ଜର୍ଦା କଡା ଗୁଣ୍ଡି ଟିପେ ଗୋଟେ ପୁରୁଣା ଝଣ୍ଡୁବାମ କାଚଶିଶିରେ ।ଏଇତିକ ଛଡା ଲବଙ୍ଗ, ଗୁଜୁରାତି, ଅଳେଇଚ । ସମସ୍ତେ କିନ୍ତୁ ଗୋଳା ସେଇ କଡାଶିଆ ବାସ୍ନା ଟାରେ ।ବୋଉର ଦାନ୍ତ ଖସିଲାଣି ।ଚୋବେଇପାରେନି ବୋଲି କୁଟି ପାଟିରେ ପକାଏ ।ସାଦା ପାନଟେରେ ଟିପାଏ ମିଠା ଅତି ଯତନେ ଖିଲ ମୋଡିକି ତରକାରୀ ଘାଣ୍ଟୁଥିବା ସ୍ବପ୍ନାଙ୍କ ଓଠ ପାଖରେ ଦେଖାଏ ଆଉ କହେ ," ହୁଁ, ନେଇଥା ଲୋ ସପନା।ମନେ ପକେଇବୁ । ଯେତେ ଯାହା ହେଲେ ତୋ ଠୁ ମୋ ରଙ୍ଗ ସରସ,ସଫା ଜାଇଁଲୁ ।ଏଇ ପାନରସ ଖାଇକି ।ମୋ ଶାଶୁ ମତେ ଗୁଞ୍ଜିଦେଉଥିଲେ ଲୋ ।ନେ ।" ଅନିଛ୍ଛା ସତ୍ତ୍ବେ ବାଁ ହାତରେ ଜାକି ଧରନ୍ତି ସ୍ବପ୍ନା ,ବେଳ ଦେଖି ଗଳେଇ ଦିଅନ୍ତି ପେଜକୁଣ୍ଡରେ । ସବୁ ଅଭ୍ଯାସ ଧିରେ ଧିରେ ଇତିହାସ ଆଉ ବହୁତ ପରେ କିମ୍ବଦନ୍ତୀ ହେଇଯାଏ ।ତା ପରେ ଚଳଣୀ କୁ ଗଡିଆସେ ।ଏଇ ଯେମିତି ଏଇ ଶାଶୁବୋହୁର ସଂପର୍କ ର ଖଟାମିଠା ସୁଆଦଚକ୍ର ।ଆଜି ଯିଏ ଶାଶୁ ସିଏ କାଲିର ବୋହୁ, ଆଉ ଆଜି ଯିଏ ବୋଉ ସିଏ ଟ୍ରେନିଂରେ ପୋଖତ ଖାଉନ୍ଦାଣୀ ଶାଶୁ ହବାର । ଯେହେତୁ ଆମେ ଏତେ ଦିନେ ଗାଁ କୁ ଆସିଛୁ ଗମରା ମାରିଯାଇଥିବା ସଂପର୍କ ସବୁବି ସଜଘିଅ ଭଳିଆ ବାସି ଉଠନ୍ତି ।ସେଇ ସକାଳେ ମଙ୍ଗଳା ଦାଣ୍ଡରେ ପିଉସା ଦେଖା ହେଇଥାନ୍ତି ଆଉ ," କିରେ ପିଲାଙ୍କୁ ନେଇ ସଂଜ ବେଳକୁ ବସା ଆଡେ ଆ ।ନାନୀକୁ ତୋର କହିଥିବି ତୋ ପସନ୍ଦର ପୋଡ ପକେଇଥିବ କାଠଚୁଲିରେ ।ଏବେ ଆଉ ଖାଉଛୁ ଟି ? ସ୍ବପ୍ନା ହାତେ ଓଢଣୀ ତଳୁ ମତେ ରୁଟ୍ କି ଚିମୁଟି ଦେଇ ପଚାରୁଥିଲେ, କି ପୋଡ ? କଣ ପତ୍ରପୋଡା ? ଯୋଉ ଚୁନାମାଛ ବେସର ଦେଇ ? ବୋଉର ତେଢା ଚାହାଣୀରେ ଜାବ ପକେଇଲେ ଓଠରେ ।ତା' ଠାର କହିଲା," ଯେତେହେଲେ ପିଇସାଶଶୁର ।ବୋହୂଟା ଏତେ ଡଗଡଗି କଣ ହବ ଲୋ ? ଲୋକେ କଣ ମଣିବେ?" ବାଟରେ ଶୁଣିଲି, " ମାଆ ପୁଅ ଯୋଡାକ ହୁଁ ।"

ସଂଜ ବୁଡୁକୁ ଦି ଘଡି ଥାଇ ବୋଉ ଥାକେ କଞ୍ଚା ହଳଦୀ, ଛଣାମଣ୍ଡା, ଘିଅ, ବଡି, ବନ୍ତଳ କାନ୍ଦିଏ, ପଟେ ଦିଅଁ କୁଞ୍ଚ , କଦଳୀପତ୍ରରେ ସକାଳର ମଙ୍ଗଳା ସିନ୍ଦୁର ଏମିତି ଆବୁଜୁ ଜାବୁରୁକି ଗୁଡେ ଦି ସେରା ଗଣ୍ଠି ଦେଇ ପରିବା ବ୍ଯାଗରେ ଖୁନ୍ଦିଲା ।ସାବିତ୍ରୀକୁ ମାମୁଁ ପଠେଇଥିବା ଅରଖ ନୂଆ ଅମ୍ବର ଲୁଗାଟା ଆଣି ସେ ଜରି ଶଙ୍ଖା ଦିମୁଠା, ଅଳତା ଶିଶିଏ ପୁରେଇ ମୋ ହାତକୁ ବଢେଇଦେଲା । କହିଲା, " ଆଇଲା ବେଳେ ନାନୀ ପିଲାଙ୍କ ହାତରେ ଯାହା ହେଲେ ଦେଇଆସିବୁ ।ବୋହୂକୁ ଦବୁ ଦବ ।" ମୁଁ କହିଲି, " ତୁ କଣ ଏତେ ପୁରେଇଲୁଣି ବା ।ଆଉ କଣ ଦେବି ପୁଣି ? " ଚିଡିଗଲା ।କହିଲା, " ହେ ଝିଅନିମତ ଘରଟା ପରା ! ମାନମହତ କିଛି ଅଛି ନା ପୋଡି ଖାଇବ ।ଯାହା କହୁଛି କର ।" କୁଣିଆ ଚର୍ଚ୍ଚା କରେଇ ସେପଟୁ ପୁଣି ନାନୀ ହାତର ଦି ବେଗ ସଜ ପୋଖରୀ ଜାଆଁଳ ବାରି ନଡିଆ, ପୋଈ, କୋଶଳା, ଆମ୍ବସଢା ସହ ସ୍ବପ୍ନା ଆଉ ପୁଅ ଯୋଗେ ନୂଆ ଜାମାପଟା ଘେନି ଫେରିଲୁ ।ପୁଅ ଆବଶ୍ୟ ଯାଇନଥାଏ ତାକୁ ,ସିଏ ବି ଜେଜୀ କୋଳର ବିଲେଇ।ସଂଜ ଯୋଗୁଁ ବୋଉ ଛାଡିନଥାଏ ।ଆଉ ମତେ ଆଲୁଅ ଥିବା ରାସ୍ତା ରେ ଆସିବାକୁ ତଥା ଅନ୍ଧାର ଗାଢେଇବା ଆଗୁ ଫେରିବାକୁ ତାଗିଦା କରିଥାଏ । ଆମେ ଏମିତି ସୁଲୁସୁଲିଆ ସଂଜଟେରେ ନଇବନ୍ଧ କଡେ ଆସୁଥାଉ ।ମନଟା ରୋମାଣ୍ଟିକ୍ ଲାଗୁଥାଏ ।କୋଉ ଗୋଟେ ସିନେମାର ଦୃଶ୍ୟ ପରି ।ଗାଢ ଅନ୍ଧାରିଆ ନୀଳ ଚଦର ବଡ ଆଦରରେ ଘୋଡେଇଦେଇଥାଏ ଆକାଶ ପୃଥିବୀ ପିଠିରେ ।ବୋଧେ ସାତଟା ସାଢେସାତଟା ପାଖାପାଖି ହବ ।ଆମେ ସାଢେଚାରି ପାଖାପାଖି ବାହାରିଥାଉ ଘରୁ ।ବାଟ ପୁରା ଶୁନଶାନ ।ମଝିରେ କିଏ କିଏ ସାଇକେଲରେ କି ଚାଲିକି ଯାଉଥାନ୍ତି । କ୍ବଚିତ୍ ସେମାନେ ଦିଶୁନଥାନ୍ତି ଗାଢ ରଙ୍ଗର ଗଛ ଗହଳ ଦିପଟ ଯେହେତୁ ।ମୋ ବାଇକ୍ ର ହେଡଲାଇଟ ଜଳୁଥାଏ । ସ୍ବପ୍ନା ପଚାରୁଥାନ୍ତି, " ଏମାନେ ମଣିଷଟି ? ଏତେ କିଟିମିଟି ଅନ୍ଧାରରେ ଟର୍ଚ୍ଚ ଟେ ଶୁଦ୍ଧା ହାତରେ ନାହିଁ ।ଆଖି କୁ ଧନ୍ୟ କହିବ ଏମାନଙ୍କର ।ପେଚାକୁ ହରେଇଦେବେ ।"

ମୁଁ କହିଲି ,"ଦଣ୍ଡା ଆଡେ ଯିବା ? କେହି ନ ଥାନ୍ତି ସେଠି ।ଖାଲି ତୁମେ ଆଉ ମୁଁ, ମୁଁ ଆଉ ତୁମେ "  ସିଏ ପଚାରିଲେ, "ଥାଉ ତମର ଏ ରୋମାଣ୍ଟିକ୍ ଅନ୍ଦାଜ ।କୁହ ଆଗେ ଦଣ୍ଡା ? ସିଏ କଣ ? " ମୁଁ ଷ୍ଟାଇଲରେ ଗାଡି ବୁଲେଇ ହୀରୋ ମାର୍କା ଅର୍ଦ୍ଧଚନ୍ଦ୍ରଟେ କାଟି କହିଲି, " ଘରେ ଗହଳି ପାଇଁ ତମକୁ ଏକା ସମୟ ଦେଇପାରୁନି ବୋଲି ଅଭିଯୋଗ ବାଢୁଥିଲ ନା ଆଜି ତୁମର ସବୁ ଅଭିମାନ ଧୋଇଦେବାର ସମୟ ଆସିଛି ପ୍ରିୟେ ।"ମୋର ଆଶା ଥିଲା ଅଳପ ଲାଜେଇ ସ୍ବପ୍ନା ବୋଧେ କହିଥାନ୍ତେ, " ଯ ହେ ଫାଜିଲ୍ ।" ହେଲେ ସ୍ବପ୍ନା ମୋ କାନ୍ଧ ଉପର ସାଟ୍ ଟାକୁ ମୁଠେଇ ଧରି ଚିଲେଇଉଠେଲେ ।ଡୋକିହେଇଗଲା ତାଙ୍କ ଚିତ୍କାର ଅନ୍ଧାର ଆଁରେ ।ପାଖାପାଖି ଗଳିପଡିଲା ଭଳିଆ ଅବସ୍ଥା ।କହିଲେ, " ଚାଲ, ଚାଲ, ଚାଲ ଶିଘ୍ର ଘରକୁ ଚାଲ ।ପ୍ଲିଜ୍ ।ଚାଲ ଚାଲ ଜଲଦି ।" ଅଚିହ୍ନା ଶୁଭୁଥିଲା ତାଙ୍କ ସ୍ବର ।ଭୟାର୍ତ୍ତ ।ମୁଁ ଆଉ ରାମକୃଷ୍ଣ ନ କରି ଗାଡି ଆକ୍ସିଲେଟର ଘାଏଁ କି ମୋଡିଦେଲି ଘର ମୁହାଁ ।ସିଏ ସେମିତି ମତେ ଚିମୁଟିକି କାନ୍ଧଠି ଧରିଥାନ୍ତି ।ତାଙ୍କ ନଖ ଫୁଟିଯାଉଥାଏ । ଘରେ ପହଞ୍ଚ ପହଞ୍ଚ ହଉଛୁ ।ଗହଳି ବଜାର ପାଖ ।ସିଏ ଟିଈଏ ଆସ୍ବସ୍ତ ହେଲେ ବୋଧେ କହିଲେ," ପାଣି ଟିକେ ପିଅନ୍ତେ ।" ମୁଁ କିନ୍ତୁ ଆଉ ଗାଡି ରୋକିଲିନି ।କହିଲି, " ଏଇଟି ଘର ଦିଶିଲାଣି ।" ଘରେ ପହଞ୍ଚି ଦାଣ୍ଡ ପଟ ଅଗଣାରୁ" ବୋଉ ବୋଉ " ଡାକ ପକେଇଲେ ।ଦଉଡି ଆସିଲା ବୋଉ ।ସ୍ବପ୍ନା ଏକରକମ କୁଣ୍ଢେଇ ପକେଇଲେ ବୋଉକୁ ।ମତେ ଚାହିଁ ବୋଉ କହିଲା, " ଯା ତୁ ଭିତରକୁ ଯା ।ସେ ବ୍ଯାଗ ଏଇଠି ଥୋ ।" ସ୍ବପ୍ନା ମୁହଁ ର ରଙ୍ଗ ଶୁଆ ଉଡିଗଲା ପରି ଉଡିଯାଇଥାଏ । ରାତି ଖିଆ ପିଆ ସରିଲାଣି । ପୁଅ ଶୋଇଲାଣି ।ସ୍ବପ୍ନା ଭିତରୁ ଛିଟିକିଣି ହାଲକେଇ ଟଙ୍ଗେଇ ଆସି ପାଖରେ ବସିଲେ ।ଏବେ ତାଙ୍କ ମୁହଁ କୋମଳ ଲାଗୁଥାଏ ।ନୂଆ ରୂପ ।ସାଦାରେ ଶାଢୀ ଗୁଡେଇ ଥାନ୍ତି । ଗାଲଟି ହାଲୁକା ଫୁଲା ଦିଶୁଥାଏ ।ମୁଁ ପଚାରିଲି, " କଣ ଦାନ୍ତ ବିନ୍ଧୁଛି ? ଫୁଲିଛି ଗାଲ ।" ସିଏ ମୋ ହାତରେ ମୋଡା ଖିଲି ଖଣ୍ଡେ ଜାକିଦେଇ

ଶୋଇବାର ଉପକ୍ରମ କଲେ ।ମୁଁ ପଚାରିବି ପଚାରିବିନି ହେଇ ପଚାରିଦେଲି ," କଣ ହେଲା ସ୍ବପ୍ନା ତମେ ପୁଣି ପାନ ? ଆଉ ସେତେବେଳେ? ତମେ ଏମିତି । ସିଏ ପୁଣି ହାଁ କରି ତମେ କଣ ସତରେ ଦେଖିପାରିଲନି ନା ଜାଣିପାରିଲନି ସେ ଧଳା ଗଛପରି ଲୋକଟାକୁ ।ମୁଁ ଯେମିତି ନାନୀ ଦେଇଥିବା ପାନ ଟା ତା'ପଟକୁ ଫୋପାଡି ଦେଇ " ବୋଉ, ବୋଉ" ଡାକିଦେଇଛି କେଡେ କେଡେ ପାହୁଣ୍ଡ ପକେଇ କୁଆଡେ ଅଦୃଶ୍ୟ ହେଇଗଲା ହେ ।" ମୁଁ ତାବଦା ହେଇ କହିଲି ," କଣ ?


Rate this content
Log in

Similar oriya story from Action