Arjuni charan Behera

Classics Others

3  

Arjuni charan Behera

Classics Others

ଓଳକଣା ବିଦୁର ମେଳଣ

ଓଳକଣା ବିଦୁର ମେଳଣ

6 mins
877



ଦ୍ୱାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ପ୍ରିୟ ସଖା ସୁଦାମାଙ୍କ ମଧ୍ୟରେ ଥିବା ଦିବ୍ୟ ବନ୍ଧୁତାର ବର୍ଣ୍ଣନା, ଶ୍ରୀମଦ୍ଭାଗବତ,ବିଷ୍ଣୁ ପୁରାଣ,ହରିବଂଶ ଓ ଅନ୍ୟାନ୍ୟ ପୁରାଣ ତଥା କୃଷ୍ଣଲୀଳା ରସାଣିତ ବୈଷ୍ଣବ ସାହିତ୍ୟ ମାନଙ୍କରେ ଦେଖାଯାଏ l ଭକ୍ତ ବତ୍ସଳ ଭଗବାନ ସଦା ସର୍ବଦା ଭକ୍ତର ଭାବରେ ବନ୍ଧା l ଗାଈ ପଛରେ କ୍ଷୀର ଲୋଭରେ ବାଛୁରୀ ଗୋଡ଼ାଇଲା ଭଳିକା ଭକ୍ତର ଭାବ ପଛରେ ଭାବ ଗ୍ରାହୀ ଗୋଡ଼ାଇ ଥାନ୍ତି l ଶ୍ରୀମଦ୍ଭାଗବତରେ କୃଷ୍ଣ ସୁଦାମା ଉପାଖ୍ୟାନ ଏକ ବହୁ ମାର୍ମିକ ଭାବପୂର୍ଣ୍ଣ ଉପାଖ୍ୟାନ,ସେ ବର୍ଣ୍ଣନାରେ ଥିବା ଭାବରେ ବିହ୍ଵଳ ହୋଇଗଲେ ଆଖିରୁ ଦୁଇ ଟୋପା ପ୍ରେମାଶ୍ରୁ ଗଡ଼ି ପଡ଼େ l ଦରିଦ୍ର ସଖା,ସୁଦାମା ଭାବରେ ବନ୍ଧାପଡ଼ି ମହା ଐଶ୍ୱର୍ଯ୍ୟ ଭିତରେ ଥାଇ ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରୁକ୍ମିଣୀ ତାଙ୍କର ପାଦ ଧୌତକରି ନିଜ ପଣତ କାନିରେ ପୋଛି ଥିଲେ l ଯାହାଙ୍କ ପାଦରୁ ସମ୍ଭବ ହୋଇ ଭଗବତୀ ଗଙ୍ଗେ ଏହି ତ୍ରିଜଗତକୁ ପାବନ କରୁଛନ୍ତି,ଯାହାଙ୍କ ନାମ ଉଚ୍ଚାରଣ ମାତ୍ରେ ସର୍ବ ପାପ ଖଣ୍ଡନ ହୁଏ, ସେ ଭାବରେ ବନ୍ଧା ପଡ଼ି ଭକ୍ତର ପାଦ ଧୌତ କରନ୍ତି l ଏଣୁ ଭାଗବତରେ କୁହାଯାଇଛି :-

          ଯା ପାଦୋଦକ ଗଙ୍ଗାନଦୀ l

            ପବିତ୍ର ଜଗତେ ପ୍ରସିଦ୍ଧି ll

           ଯା ନାମ ସର୍ବ ପାପ ହରେ l

           ସେ ବିପ୍ରପାଦ ବହେ ଶିରେ ll

ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ଅଭେଦ୍ୟ ସମ୍ପର୍କକୁ ଆମର ପୁରାଣ ସାହିତ୍ୟ ବହୁ କାହାଣୀ ଉପାଖ୍ୟାନ ତଥା ବିଭିନ୍ନ ଆଖ୍ୟାୟିକା ମାଧ୍ୟମରେ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି l ଏବେ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହି ଚମତ୍କାର ଘଟଣାମାନ ଘଟି ଚାଲିଛି l (ମହାଭାରତ ଯୁଦ୍ଧ ବନ୍ଦ ପ୍ରୟାସରେ ଭଗବାନ ଶାନ୍ତିଦୂତ ଭାବରେ ହସ୍ତିନା ଦରବାର ଯାଇଥିଲେ l

ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ଏଡ଼ାଇବା ପ୍ରୟାସରେ ଶାନ୍ତିପ୍ରସ୍ତାବ ଧରି ହସ୍ତୀନାରେ ଉପସ୍ଥିତ ହେଲେ l କୁଟିଳ ମାମୁଁ ଶକୁନିର କୁ ମନ୍ତ୍ରଣାରେ ପରିଚାଳିତ ମହାମାନୀ ଦୁର୍ଯ୍ୟୋଧନ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁ ମୂଲ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଜନକୁ ଆମନ୍ତ୍ରଣ କଲେ l କିନ୍ତୁ ଶାନ୍ତି ପ୍ରସ୍ତାବକୁ ଦୁର୍ଯ୍ୟୋଧନ ଅତ୍ୟନ୍ତ ଔଦ୍ଧତ୍ୟର ସହ ପ୍ରତ୍ୟାଖ୍ୟାନ କରିଥିବାରୁ ଶ୍ରୀକୃଷ୍ଣ ତାଙ୍କ ରାଜ ମହଲରେ ଭୋଜନ କରିବା ନାସ୍ତିକରି ଦେଲେ l ସେ କହିଲେ,'ତୁମ ଘରେ ଭୋଜନ ମୋ ରୁଚିର ଅନୁକୂଳ ନୁହେଁ l ଏଣୁ ତୁମ ଭଵନରେ ମୁଁ ଭୋଜନ କରି ପାରିବି ନାହିଁ l'

ସେତେ ବେଳକୁ ମହାତ୍ମା ବିଦୁର ଦୁର୍ଯ୍ୟୋଧନଠାରୁ ଅପମାନିତହୋଇ ନଗର ବାହାରେ ଏକ କୂଟିରେ ରହୁଥାନ୍ତି l ପ୍ରଭୁ ଶ୍ରୀକୃଷ୍ଣ ହସ୍ତିନା ଆସିଛନ୍ତି ଶୁଣି, ସେ ତାଙ୍କର ଦର୍ଶନପାଇଁ ବ୍ୟଗ୍ର ହୋଇ ପଡ଼ିଥାନ୍ତି l ଗଙ୍ଗା ବାରୁଣୀକି ଚାହିଁ ବସିଲା ଭଳି ସେ କୃଷ୍ଣଙ୍କ ତାଙ୍କ ଗୃହକୁ ଆଗମନର ପଥକୁ ଚାହିଁ ବସିଥାନ୍ତି l ଅନ୍ତର୍ଯ୍ୟାମୀ ଭଗବାନ ମଧ୍ୟ ନିଜ ଭକ୍ତର ମନକଥା ବୁଝି ପାରିଥାନ୍ତି l ସେ ପୁଣି ତାଙ୍କୁ ଦର୍ଶନ ନଦେଇ ରହିବେ କିପରି? ବିଦୁରଙ୍କ ପ୍ରତୀକ୍ଷା ଓ ଶ୍ରୀକୃଷ୍ଣଙ୍କ ଉତ୍କଣ୍ଠାକୁ ଭାଗବତ ବର୍ଣ୍ଣନା କରିଛନ୍ତି :-

          ଗଙ୍ଗା ବିଚାରୁ ଅଛି ମନେ l

          ବାରୁଣୀ ପଡ଼ିବ କେସନେ l

          ଆସିବେ ମୋର ଭକ୍ତ ଗଣ l

          ମୋ ପାପ କରିବେ ମୋଚନ l

ଶ୍ରୀକୃଷ୍ଣଯାଇ ପହଞ୍ଚିଲେ ବିଦୁର କୁଟୀରରେ,ଭକ୍ତ ଓ ଭଗବାନଙ୍କର ମହା ମିଳନ ହେଲା l ଶ୍ରୀକୃଷ୍ଣ ଆସିଛନ୍ତି, ବିଦୁର ପତ୍ନୀ ସୁଲଭାଙ୍ଗ ଗୋଡ଼ ତଳେ ଲାଗୁ ନଥାଏ l ପତିପତ୍ନୀ ଦୁହେଁ ବଡ଼ ଭାବବିହ୍ବଳ ହୋଇ ପଡ଼ି ଥାନ୍ତି l ଶ୍ରୀକୃଷ୍ଣ ପ୍ରେମ ଭରା ସ୍ୱରରେ କହିଲେ,' ମହାତ୍ମା ! ମୁଁ କ୍ଷୁଧାର୍ଥ, ମୋ ପାଇଁ କିଛି ଭୋଜନର ବ୍ୟବସ୍ଥାକର l' ଭକ୍ତ ବିଦୁରଙ୍କ ଦରିଦ୍ର

କୁଟୀଆରେ ସେତେବେଳେ ଜଗନ୍ନାଥଙ୍କୁ ଭୋଜନ କରାଇଲା ଭଳି କିଛିବି ଦ୍ରବ୍ୟ ନଥାଏ l ସୁଲଭାଙ୍କ ହଠାତ୍ ମନେ ପଡ଼ିଗଲା ଘରେ କେଇଟା ପାଚିଲା କଦଳୀ ଅଛି l କାଳବିଳମ୍ବ ନକରି ସେହି କଦଳୀ ସବୁକୁ ସେ ନେଇ ଆସିଲେ l କୃଷ୍ଣ ପ୍ରେମରେ ସେ ଏତେ ଭାବାବିଷ୍ଟ ହୋଇ ପଡ଼ିଥିଲେ ଯେ କଦଳୀ ଛଡ଼ାଇ ସେ ଫଳଗୁଡିକୁ ଫୋପାଡ଼ି ଦେଇ ଚୋପା ଗୁଡ଼ିକୁ ନେଇ ଶ୍ରୀକୃଷ୍ଣଙ୍କୁ ପରସି ଦେଲେ l ମାଧବ ବି କିଛି ନ କହି ସପ୍ରେମେ କଦଳୀ ଚୋପା ଖାଇ ଚାଲିଲେ l ସେ ତ ଭାବରେ ବନ୍ଧା,ଭାବ ଓ ଭକ୍ତି ପ୍ରଦତ୍ତ ନୈବେଦ୍ୟ ଗ୍ରହଣ ନକରି କ'ଣ ରହିପାରି ଥାନ୍ତେ l ଶ୍ରୀମଦ ଭଗବତ ଗୀତାରେ ସେ ନିଜେ କହିଛନ୍ତି :-

       ପତ୍ରଂ ପୁଷ୍ପଙ୍ଗ ଫଳଂ ତୋୟଂ

         ଯୋ ମେ ଭକ୍ତ୍ୟl ପ୍ରଯଚ୍ଛତି l

        ତଦହଂ ଭକ୍ତ୍ୟୁପହୃତମଶ୍ନlମି

                ପ୍ରୟତାତ୍ମନଃ ll   

ବିଦୁର କୁଟୀରରେ କୃଷ୍ଣ କଦଳୀ ଚୋପା ଭୋଜନ କରିଛନ୍ତି, ଏହା ପ୍ରଘଟ ହୋଇଗଲା l ମାହାମାନୀ ଦୁର୍ଯ୍ୟୋଧନ କୃଷ୍ଣଙ୍କୁ ଅପମାନ କରିବାକୁ କହିଲା, ମୁଁ ଆପଣଙ୍କପାଇଁ ଛପନଭୋଗ ପ୍ରସ୍ତୁତ କରିଥିଲି, କିନ୍ତୁ ଆପଣଙ୍କୁ ତ କଦଳୀଚୋପା ଖାଇବା ପସନ୍ଦ ହେଲା l ତହୁଁ ସ୍ମିତ ହାସ୍ୟରେ ଭଗବାନ କହିଲେ, "କେହି ଅନ୍ୟ ଘରେ ତିନୋଟି କାରଣରୁ ଭୋଜନ କରେ l ପ୍ରଥମ ହେଲା ଭାବରେ l ଅର୍ଥାତ ଆଦର ସ୍ନେହ ଓ ପ୍ରେମରେ l ଦ୍ଵିତୀୟ ହେଲା ଅଭାବରେ, ଅର୍ଥାତ୍ ଗରିବ,ଅସହାୟ ଓ କ୍ଷୁଧାର୍ତ୍ତ ସ୍ଥିତିଯୋଗୁଁ l ତୃତୀୟ ଟି ହେଲା ପ୍ରଭାବରେ l ଅର୍ଥାତ୍ କାହାର ପ୍ରତିପତ୍ତି, ସମ୍ମାନ ଓ ଉଚ୍ଚାଧିକାରରେ ବଶବର୍ତ୍ତୀ ହୋଇ l ତୁମ ପାଖରେ ତ ମୋ ପ୍ରତି ଭାବ ନାହିଁ l ମୁଁ ତ ଅଭାବି ନୁହେଁ l ତୃତୀୟ, ମୁଁ ତୁମ ପ୍ରଭାବକୁ ମଧ୍ୟ ସ୍ୱୀକାର କରେନାହିଁ l ଏପରି ସ୍ଥିତିରେ ଏବେ କୁହ ମୁଁ କିପରି ତୁମର ନିମନ୍ତ୍ରଣ ରକ୍ଷା କରି ପାରି ଥାନ୍ତି l ମୁଁ ସେଇଠିକି ହିଁ ଗଲି, ଯେଉଁଠିକୁ ମୋର ଯିବାର ଥିଲା l ମୋତେ ଭକ୍ତ ହିଁ ବଶ କରିପାରେ, କୌଣସି ପ୍ରଭାବ ନୁହେଁ "l ଭାଗବତ ଭାଷାରେ :-

           ଭକତ ଜନେ ବଶ ମୁହିଁ l

        ତାର ରକ୍ଷଣେ ମୋର ଦେହି ll

            ମୁଁ ଏ ସଂସାର ଅଛି ଛନ୍ଦି l

        ଭକତ ପାରେ ମୋତେ ବାନ୍ଧି ll

ଏହା ଶୁଣିବାପରେ ମତ୍ତଗର୍ବୀ ଦୁର୍ଯ୍ୟୋଧନ ଚୁପ୍ ହୋଇ ଯାଇଥିଲେ l

ଭକ୍ତ ଏବଂ ଭଗବାନ ଭାବ ଡୋରିରେ ବନ୍ଧା,ଏହି ଚେତନାର ଝଲକ ଗୋଟିଏ ଦେଖିବାକୁ ମିଳିଥାଏ କେନ୍ଦ୍ରାପଡ଼ାଜିଲ୍ଲା ଡେରାବିଶ ବ୍ଲକ ଓ କଟକଜିଲ୍ଲା ମାହାଙ୍ଗା ବ୍ଳକର ମିଳନ ସ୍ଥଳୀ ଓଳକଣା ଠାରେ ଅନୁଷ୍ଠିତ ହେଉଥିବା ଦୋଳ ମେଳଣରେ l ମିଳନ ଶବ୍ଦରୁ ଉଦ୍ଭବ ମେଳଣ ଅର୍ଥାତ୍ ଯେଉଁଠି ମିଳନ ଘଟେ ତାହା ମେଳଣ l ଶ୍ରୀକୃଷ୍ଣ ସୁଦାମାଙ୍କ ମହା ମିଳନ ଭଳି ଏଠାରେ ଶ୍ରୀକୃଷ୍ଣ ଓ ବିଦୁରଙ୍କ ମହା ମିଳନର ସ୍ମାରକୀ ସ୍ୱରୂପ ବହୁ ପ୍ରାଚୀନ କାଳରୁ ପ୍ରତିଷ୍ଠା ହୋଇଛି ଶ୍ରୀ ବିଦୁରଙ୍କ ମନ୍ଦିର l ସମଗ୍ର ଭାରତବର୍ଷରେ ଥିବା ଅଳ୍ପ କେତେଗୋଟି ବିଦୁର ମନ୍ଦିର ମଧ୍ୟରୁ ଏହା ଅନ୍ୟତମ l ଓଡ଼ିଶାର ଗଣ ପର୍ବ ଦୋଳ ଯାତ ସହିତ ଏହି ବିଦୁର ମନ୍ଦିରର ରହିଛି ଆଧ୍ୟାତ୍ମିକ ସଂଯୋଗର ପ୍ରସିଦ୍ଧି l ସଂସ୍କୃତି ଗବେଷକ ମାନଙ୍କ ମତରେ ଆଳି ସୂର୍ଯ୍ୟ ବଂଶୀ ରାଜାମାନେ ପୂର୍ବେ ତାଙ୍କର ଇଷ୍ଟେଟ୍ ପରିସୀମା ଭିତରେ ଏହି ଦୋଳମେଳଣର ଆୟୋଜନ ତଥା ପୃଷ୍ଠପୋଷକତା କରୁଥିଲେ l ଏହାର ଉଦ୍ଦେଶ୍ୟ ଥିଲା ନିଜ ରାଜ୍ୟର ସୁରକ୍ଷା ସହିତ ସୀମାବର୍ତ୍ତୀ ମୋଗଲ ବନ୍ଦୀ ଅଞ୍ଚଳ ସହ ସୌହାର୍ଦ୍ଦ୍ୟତା ପୂର୍ଣ୍ଣ ସଂପର୍କ ବଜାୟ ରଖିବା l

 ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମେଲଣ ଠାରୁ ଏ ଓଳକଣା ମେଲଣର ପରମ୍ପରା ସଂପୂର୍ଣ୍ଣ ନିଆରା l ସାଧାରଣତଃ ମେଳଣ ଯାତକୁ ଆସୁଥିବା ଠାକୁର ମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହ ଯଥାବିଧି ବିଦାକି ଦିଆ ଯାଏ,କିନ୍ତୁ ଓଳକଣା ମେଳଣର ବିଶେଷତା ଏହି ଯେ ମେଲଣରେ ଯୋଗ ଦେଇଥାନ୍ତି କେନ୍ଦ୍ରାପଡ଼ା, ଯାଜପୁର ଓ କଟକଜିଲ୍ଲାର ପ୍ରାୟ 130ରୁ ଅଧିକ ବିମାନ,ଯାହାଙ୍କୁ କୌଣସି ନିମନ୍ତ୍ରଣ ଦିଆଯାଇ ନ ଥାଏ l ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାକୁ ଠାକୁର ମାନେ ଆପଣା ଛାଏଁ ଆସିଥାନ୍ତି ଏବଂ ସେମାନଙ୍କୁ କୌଣସି ବିଦାକି ଦିଆଯାଇ ନ ଥାଏ l ଥାଟବାଟ,ରଙ୍ଗ ରୋଷଣୀ ଭିତରେ ମହା ଆଡ଼ମ୍ବରରେ ଆସୁଥିବା ବିମାନଗୁଡ଼ିକୁ କିନ୍ତୁ ଖୁବ ସୁନ୍ଦର ଭାବେ ପରିଚର୍ଯ୍ୟା କରାଯାଏ l ମେଲଣ ପରଦିନ ବ୍ରାହ୍ମ ମୁହୂର୍ତ୍ତରୁ ଦେବସଭା ଭଙ୍ଗ ହୋଇ ଠାକୁର ମାନେ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି l

 ଦୋଳ ମେଳଣ ରାଧା କୃଷ୍ଣ ଚେତନାର ପ୍ରତୀକ ହୋଇଥିଲେ ହେଁ ଓଳକଣା ମେଲଣର ପୃଷ୍ଠଭୂମି ସୃଷ୍ଟିକର୍ତ୍ତା ହରି ଓ ସଂହାର କର୍ତ୍ତା ହରଙ୍କ ମିଳନର ବାର୍ତ୍ତା ପ୍ରଚାରକରିଥାଏ l ଭକ୍ତଶିରୋମଣି ମହାତ୍ମା ବିଦୂରଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ତାଙ୍କୁ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ବ୍ରାହ୍ମ ମୁହୂର୍ତ୍ତରେ ହରିହର ରୂପରେ ଦର୍ଶନ ଦେବାକୁ ପ୍ରତିଶ୍ରୁତି ବଦ୍ଧ ହୋଇ ଥିଲେ, ଏଣୁ ଏହି ମେଳଣର ଅନ୍ତିମ ତିଥି ଦିନ ମହାତ୍ମା ବିଦୂର,ଦେବ ଦୁର୍ଲ୍ଲଭ ହରିହର ରୂପ ଦର୍ଶନ କରିଥାନ୍ତି l ଓଳକଣା ମେଳଣକୁ ଶତାଧିକ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ଆସିଥିବା ବେଳେ ମାହାଙ୍ଗାର ଶ୍ରୀ ବୀରଭଦ୍ରେଶ୍ୱର ବିମାନରେ ରାଧା କୃଷ୍ଣଙ୍କ ସହ ଶ୍ରୀ ଶ୍ରୀ ବୀର ଭଦ୍ରେଶ୍ୱରଙ୍କ ପ୍ରତୀକ ହର ବିଗ୍ରହ ଆସିଥାନ୍ତି l ଭଦ୍ରେଶ୍ୱର ଗ୍ରାମରୁ ଆସୁ ଥିବା ଏହି ବୀର ଭଦ୍ରେଶ୍ୱର ମହାଦେବ ମେଲଣ ପଡ଼ିଆର ଅଧିପତି,ସେହି ବିମାନରେ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ l

ପୌରାଣିକକାଳରୁ ଏ ଓଳକଣା ମେଳଣ ହୋଇ ଆସୁ ଥିବାର କୁହନ୍ତି ଏଠିକାର ପୁରୁଖା ଲୋକେ l ପ୍ରାୟ ୧୩୪୧ସାଲରେ ଓଳକଣାମେଳଣ ପଡ଼ିଆ ନିକଟରେ ପ୍ରତିଷ୍ଠା ହୋଇଥିଲା ମହାତ୍ମା ବିଦୁରଙ୍କ ମନ୍ଦିର l ମନ୍ଦିର ସଂଲଗ୍ନ ଗ୍ରାମ ମାନଙ୍କରେ ରହିଛି ପଞ୍ଚୁ ପାଣ୍ଡବ ମନ୍ଦିର,ଉଦ୍ଧବ ମନ୍ଦିର, ମହାବୀରଙ୍କ ମନ୍ଦିର ଓ ଗୁରୁଶ୍ରେଷ୍ଠ ଶ୍ରୀଦ୍ରୋଣାଚାର୍ଯ୍ୟଙ୍କ ମନ୍ଦିର l ବିଦୁର,ଉଦ୍ଧବ ଓ ଦ୍ରୋଣାଚାର୍ଯ୍ୟଙ୍କ ମନ୍ଦିର ଭାରତ ବର୍ଷର ବହୁ କମ ସ୍ଥାନରେ ରହିଛି l ପୁଣି ମେଳଣ ପଡ଼ିଆରେ ରହିଛି ମାଆ କ୍ଷେତ୍ରକାଳୀ, ଅଷ୍ଟଶମ୍ଭୁ ଓ ଜଗନ୍ନାଥ ମନ୍ଦିର lଏସବୁ ଦେଖିଲେ ମନେହୁଏ ଓଳକଣା କ୍ଷେତ୍ର ସହିତ ଯୋଡ଼ି ହୋଇ ଯାଇଛି ମହାଭାରତ କାଳୀନ ସଂସ୍କୃତି l

ଐତିହାସିକ ଏହି ଓଳକଣା ମେଳଣରେ ପ୍ରବଳ ଜନ ସମାଗମ ହୋଇ ଥାଏ l ଏହି ମେଳଣରେ ମହାତ୍ମା ବିଦୁରଙ୍କ ଚରିତ ସଂଶ୍ଲିଷ୍ଟ ହୋଇ ଥିବାରୁ ଏହାକୁ ମଧ୍ୟ ବିଦୁର ମେଳଣ ନାମରେ ଅଭିହିତ କରାଯାଏ l ଶ୍ରଦ୍ଧାଳୁ ଭକ୍ତ ମାନେ କୃଷ୍ଣ ପ୍ରେମରେ ପ୍ରମତ୍ତ ହୋଇ ଦୋଳ ବିମାନରେ ପ୍ରଭୁ ଶ୍ରୀଦୋଳ ଗୋବିନ୍ଦଙ୍କୁ ଦର୍ଶନକରି ଅଶେଷ ପୁଣ୍ୟଲାଭ କରି ଥାନ୍ତି l ବିଶ୍ୱାସ ରହିଛି ଦୋଳ ବିମାନରେ ଆରୂଢ଼ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟର ବହୁ ଜନ୍ମର କଳୁଷ ଖଣ୍ଡନହୁଏ,ତାହାର ପୁନର୍ଜନ୍ମ ହୁଏ ନାହିଁ l ଶାସ୍ତ୍ରରେ କୁହାଯାଇଛି :-

      ଦୋଳେଚ ଦୋଳଗୋବିନ୍ଦମ୍

           ଚାପେଶ୍ଚ ମଧୁସୂଦନମ୍ l

          ରଥେ ତୁ ବାମନଂ ଦୃଷ୍ଟ୍ୱା

           ପୁନର୍ଜନ୍ମ ନ ବିଦ୍ୟତେ ll

ବ୍ରହ୍ମପୁରାଣରେ ମଧ୍ୟ କୁହାଯାଇଛି ଫଗୁ ମାସରେ ବିମାନରେ ଆରୂଢ଼ ଶ୍ରୀ ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟକୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ :-

ନରୋ ଦୋଳଗତଂ ଦୃଷ୍ଟା ଗୋବିନ୍ଦ ତ୍ରିଦଶାର୍ଚ୍ଚିତମ୍‌

         ଫାଲ୍‌ଗୁନ୍ୟଂ ସଂଯତୋ ଭୂତ୍ୱା

          ଗୋବିନ୍ଦସ୍ୟ ପୁରଂ ବ୍ରଜେତ୍‌ l

                  


Rate this content
Log in

Similar oriya story from Classics