Arjuni charan Behera

Others

4  

Arjuni charan Behera

Others

ଇନ୍ଦ୍ରପୁତ୍ରୀ ଜୟନ୍ତୀଙ୍କ କଥା

ଇନ୍ଦ୍ରପୁତ୍ରୀ ଜୟନ୍ତୀଙ୍କ କଥା

5 mins
11


    

 ବହୁ ପୁରା କାଳର କଥା l ତିନି ଭବନରେ ଆଧିପତ୍ୟ ବିସ୍ତାର ପାଇଁ ଥରେ ଦେବତା ଓ ଅସୁରଙ୍କ ମଧ୍ୟରେ ଘୋର ସଂଗ୍ରାମ ଲାଗିଲା l ଦେବତାଙ୍କ ହସ୍ତରେ ଅସୁରମାନେ ବାର ବାର ପରାଜିତ ହୋଇ ହତାଶ ହୋଇ ପଡ଼ିଲେ l ସେମାନେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ଯାଇ ଗୁହାରି କଲେ, ଆପଣ ଆମ ମାନଙ୍କର ଗୁରୁ ଏବଂ ମନ୍ତ୍ର ବିଦ୍ୟାରେ ପାରଙ୍ଗମ l ଆପଣ ହିଁ ଆମ ମାନଙ୍କୁ ଏ ଚରମ ଦୁର୍ଦ୍ଦଶାରୁ ରକ୍ଷା କରି ପାରିବେ l ଆପଣ ଆମ ମାନଙ୍କୁ ରକ୍ଷାକରନ୍ତୁ, ନହେଲେ ଆମ ମାନଙ୍କୁ ଯାଇ ପାତାଳରେ ଆଶ୍ରୟ ନେବାକୁ ହେବ l ଶୁକ୍ରାଚାର୍ଯ୍ୟ ଦୈତ୍ୟ ମାନଙ୍କୁ ଆଶ୍ବସ୍ତ କରି କହିଲେ, ହେ ଦୈତ୍ୟ ଗଣ ! ତୁମେମାନେ ହତୋତ୍ସାହିତ ହୁଅନାହିଁ l ମୁଁ ତୁମକୁ ନିଶ୍ଚୟ ରକ୍ଷା କରିବି l

ଏଥିରେ ଅଧିକ ଉତ୍ସାହିତ ହୋଇ ଅସୁର ମାନେ ପୁଣି ଦେବତାଙ୍କ ସହ ଯୁଦ୍ଧ କରିବାକୁ ବାହାରିଲେ l କିନ୍ତୁ ଶୁକ୍ରାଚାର୍ଯ୍ୟ ଦୈତ୍ୟମାନଙ୍କୁ ସତର୍କ କରାଇ ଦେଇ କହିଲେ, ତୁମେମାନେ ଦେବତା ମାନଙ୍କ ସହ ଲଢ଼ିବା ସେତେ ସହଜ ମନେ କରନାହିଁ l ତୁମେମାନେ ସମସ୍ତେ ପୂର୍ବ କାଳରେ ବିଷ୍ଣୁ ପ୍ରବଳ ପ୍ରତାପଶାଳୀ ଦୈତ୍ୟ, ହିରନ୍ୟାକ୍ଷ ଓ ହିରଣ୍ୟକଶିପୁଙ୍କୁ ମାରି ଥିବା କଥା ଶୁଣିଥିବ,ସେ ମାୟାବୀ ବିଷ୍ଣୁକୁ ପାରିବା ଏତେ ସହଜ ନୁହେଁ l ମୁଁ ମନ୍ତ୍ରଶକ୍ତି ବଳରେ ଯେତେ ବଳୀୟାନ ବୋଲି ତୁମେ ମାନେ ଭାବୁଛ ମୁଁ ତାହା ନୁହେଁ l ତେଣୁ ଅଧିକ ଶକ୍ତି ହାସଲ ପାଇଁ ମୁଁ ଭଗବାନ୍ ଶିବଙ୍କୁ ତପସ୍ୟା କରିବା ପାଇଁ ନିର୍ଣ୍ଣୟ ନେଇଛି l ଏଥିରେ ହୁଏତ ବେଶକଛି ସମୟ ଲାଗିଯାଇ ପାରେ l ଏଣୁ ତୁମ ମାନଙ୍କୁ ସେହି ସମୟ ପର୍ଯ୍ୟନ୍ତ ଦରକାର ହେଲେ ଶତ୍ରୁଙ୍କ ବଶ୍ୟତା ସ୍ବୀକାର କରି, ଅପେକ୍ଷା କରିବାକୁ ପଡ଼ିବ l ଶିବଙ୍କ ଠାରୁ ମୁଁ ସିଦ୍ଧି ହାସଲ କରି ଫେରି ଆସିଲେ ଆମେ ପୁଣି ଦେବତାଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିବା l

ଏପରି କହି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଯାଇ ଶିବଙ୍କ କୈଳାସପୁରୀରେ ପହଁଚିଲେ l ଏଣେ ଅସୁର ମାନେ ଯାଇ ଦେବତାଙ୍କୁ କହିଲେ, ଆପଣ ମାନଙ୍କ ସହିତ ଆମ ମାନଙ୍କର ଯୁଦ୍ଧ କରିବାର ଆଉ କୌଣସି ଆଗ୍ରହ ନାହିଁ l ଆମେ ସ୍ଥିର କରିଛୁ ଅସ୍ତ୍ର ତ୍ୟାଗକରି ଆମେ ମାନେ ତପସ୍ୟାରେ ବ୍ରତୀ ହେବୁ l ଏହା କହି ଅସୁରମାନେ ଅସ୍ତ୍ର ତ୍ୟାଗ କଲେ ଓ କଶ୍ୟପ ୠଷିଙ୍କ ଆଶ୍ରମ ନିକଟରେ ବାସ କରି ଗୁରୁଙ୍କ ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ରହିଲେ l ଅସୁରମାନେ ଶାନ୍ତ ପଡ଼ିବା ଯୋଗୁଁ ଦେବତା ମାନେ ଶାନ୍ତିରେ ବାସକଲେ l ଶୁକ୍ରାଚାର୍ଯ୍ୟ ଭଗବାନ୍ ଶିବଙ୍କ ନିକଟରେ ପହଞ୍ଚି କହିଲେ, ପ୍ରଭୁ ! ଅସୁର ମାନେ ଦେବତାଙ୍କ ଉପରେ କିପରି ବିଜୟ ହାସଲ କରିବେ ସେହି ଚିନ୍ତା ନେଇ ମୁଁ ଆପଣଙ୍କ ପାଖକୁ ଆସିଛି l ଏଣୁ ଆପଣ ଏପରି ଗୋଟିଏ ମନ୍ତ୍ର ମୋତେ ଦିଅନ୍ତୁ ଯଦ୍ୱାରା ଏହି କାର୍ଯ୍ଯ ହାସଲ ହେବ ଓ ଯାହା ଦେବଗୁରୁ ବୃହସ୍ପତିଙ୍କୁ ମଧ୍ୟ ଜଣା ନଥିବ l ଦୈତ୍ୟ ଗୁରୁଙ୍କ ଏପରି ପ୍ରାର୍ଥନା ଶୁଣି ଶିବ ଭାବିଲେ,ଆରେ ଇଏତ ଦେବତାଙ୍କ ସର୍ବନାଶ ଚିନ୍ତାରେ ଏଠିକୁ ଆସିଛି l ୟାକୁ କିଏ ଏପରି ମନ୍ତ୍ର ଦେଇ ଦେବ ବିଦ୍ୱେଷୀ ହେବାକୁ ଯିବ l ଏପରି ଚିନ୍ତା କରି ଶିବ କହିଲେ, ବତ୍ସ ! ତୁମେ ଯେଉଁ ମନ୍ତ୍ର ଶକ୍ତି ପାଇବାକୁ ଇଚ୍ଛା କରୁଛ ତାହା ପାଇବା ଏତେ ସହଜ ନୁହେଁ l ସେଥି ପାଇଁ ତୁମକୁ କଠିନ ସାଧନା କରିବା ପାଇଁ ପଡ଼ିବ l ତୁମକୁ କେବକ ଧୂମ ପାନକରି ଏକ ହଜାର ବର୍ଷ ପର୍ଯ୍ୟନ୍ତ ତଳକୁ ମୁଣ୍ଡକରି ସ୍ଥିର ହୋଇ ରହିବାକୁ ପଡ଼ିବ l ତେବେଯାଇ ତୁମେ ତୁମ ଇପ୍ସିତ ମନ୍ତ୍ର ପାଇ ପାରିବ l ଶିବ ଭାବି ଥିଲେ, ଶୁକ୍ର ବୋଧହୁଏ ଏପରି କଠୋର ସାଧନା କରି ପାରିବେ ନାହିଁ l କିନ୍ତୁ ସେହି କଠୋର ସାଧନା କରିବା ପାଇଁ ଶୁକ୍ରାଚାର୍ଯ୍ୟ ପ୍ରସ୍ତୁତ ହୋଇଗଲେ l

ଦେବତା ମାନେ ଜାଣିଗଲେ ଶୁକ୍ରାଚାର୍ଯ୍ୟ ମନ୍ତ୍ର ଲାଭ ପାଇଁ କଠୋର ତପସ୍ୟାରେ ମଗ୍ନ l ତାଙ୍କୁ ତପସ୍ୟା ପାଇଁ ପଠାଇ ଦେଇ ଅସୁର ମାନେ ମିଥ୍ୟା ତପସ୍ୱୀ ଭାବେ ଜୀବନ ଯାପନ କରୁଛନ୍ତି l ଦେଵତାମାନେ ପୁନଃ ରାକ୍ଷସଙ୍କ ଉପରେ ଆକ୍ରମଣ କରି ଦେବାରୁ ସେମାନ ଯାଇ ଶୁକ୍ରମାତା ତଥା ଭୃଗୁ ଋଷିଙ୍କ ପତ୍ନୀ କାବ୍ୟମାତାଙ୍କ ଶରଣ ପଶିଲେ l କାବ୍ୟମାତା ମନ୍ତ୍ର ଦ୍ୱାରା ଦେବତା ମାନଙ୍କୁ ନିଦ୍ରାଭିଭୁତ କରିଦେଲେ l ଦେବରାଜ ଇନ୍ଦ୍ର କୌଣସି ମତେ ରକ୍ଷା ପାଇ ଯାଇ ଭଗବାନ ବିଷ୍ଣୁଙ୍କୁ ଏହା କହିବାରୁ ବିଷ୍ଣୁ ସୁଦର୍ଶନ ଚକ୍ର ନିକ୍ଷେପ କରି କାବ୍ୟମାତାଙ୍କ ମସ୍ତକ ଛେଦନ କରି ଦେଲେ l ମହର୍ଷି ଭୃଗୁ ଏକଥା ଜାଣିପାରି ଆସି ମନ୍ତ୍ର ବକରେ କାବ୍ୟମାତାଙ୍କ ଛିନ୍ନ ମସ୍ତକକୁ ଯୋଡ଼ି ଦେଇ ଜୀବନ୍ୟାସ ଦେଲେ l ଖୁବ୍ କ୍ରୋଧିତ ହୋଇ ମହର୍ଷି ଭ୍ରୁଗୁ, ବିଷ୍ଣୁଙ୍କୁ ଅଭିଶାପ ଦେଲେ, ହେ ବିଷ୍ଣୁ ! ତୁମେ ମୋର ନିରପରାଧିନୀ ପତ୍ନୀଙ୍କୁ ହତ୍ୟା କରି, ଯେଉଁ କ୍ରୂର କର୍ମ କଲ ସେପାଇଁ ତୁମକୁ ବାରମ୍ବାର ଅବତାର ନେବାକୁ ପଡ଼ିବ ଓ ମାତୃ ଗର୍ଭରେ ବାସ କରି ତୁମେ ଅସହ୍ୟ ଯନ୍ତ୍ରଣା ଭୋଗ କରିବ l

ଏପଟେ ଶୁକ୍ରାଚାର୍ଯ୍ୟ ଅମୋଘ ମନ୍ତ୍ରଲାଭ କରିବାକୁ ତପସ୍ୟା କରୁଛନ୍ତି ଏହା ମଧ୍ୟ ଦେବ ଗଣଙ୍କ ଚିନ୍ତାର କାରଣ ହୋଇ ପଡ଼ିଲା l ସୁରପତି ଇନ୍ଦ୍ରଙ୍କ ଜୟନ୍ତୀ ବୋଲି କନ୍ୟାଟିଏ ଥିଲା l ଇନ୍ଦ୍ର ତାଙ୍କୁ ମନେ ମନେ ଅନେକ ଦିନରୁ ଶୁକ୍ରାଚାର୍ଯ୍ୟଙ୍କୁ ସମର୍ପଣ କରି ସାରି ଥିଲେ l ସେ କନ୍ୟାକୁ କହିଲେ, " ମାଆ ଜୟନ୍ତୀ ! ତୁ ତ ଜାଣୁ ! ମୁଁ ତୋତେ ପରମ ତେଜସ୍ଵୀ, ଶୁକ୍ରଙ୍କୁ ବହୁଦିନରୁ ସମର୍ପଣ କରି ସାରିଛି l ଏବେ ତୁ ଯାଇ ତାଙ୍କ ସେବାକର l ଏବେ ସେ କଠିନ ତପସ୍ୟାରେ ମଗ୍ନ ଅଛନ୍ତି l ତୁ ଯାଇ ତାଙ୍କ ସେବା କରି ପାରିଲେ, ମୁଁ ବିଶେଷ ଭାବେ ଖୁସି ହେବି" l ଇନ୍ଦ୍ରଙ୍କ ଉଦ୍ଦେଶ୍ୟ ଥିଲା ପରମାସୁନ୍ଦରୀ ଜୟନ୍ତୀଙ୍କ ଦ୍ବାରା ଦୈତ୍ୟଗୁରୁ ଶୁକ୍ରଙ୍କ ତପସ୍ୟା ଭଙ୍ଗ କରିବା l

ପିତାଙ୍କ ଆଜ୍ଞା ଅନୁସାରେ ଜୟନ୍ତୀ ଯାଇ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ପହଞ୍ଚି ଭକ୍ତି ଓ ନିଷ୍ଠା ସହ ତାଙ୍କ ସେବା କରିବାରେ ଲାଗିଲେ l ହେଲେ ଶୁକ୍ରାଚାର୍ଯ୍ୟଙ୍କ ନିଷ୍ଠା ଓ ଏକାଗ୍ରତାରେ କୌଣସି ବିଘ୍ନ ଘଟିଲା ନାହିଁ l ଏକ ହଜାର ବର୍ଷ ପର୍ଯ୍ୟନ୍ତ ନିଷ୍ଠାରେ ନିଜ ତପସ୍ୟା ଶେଷ କରି ସେ ଶିବଙ୍କୁ ସନ୍ତୁଷ୍ଟ କଲେ ଏବଂ ତାଙ୍କ ଠାରୁ ଅଭୀଷ୍ଠ ମନ୍ତ୍ରଶକ୍ତି ହାସଲ କଲେ l

ଏବେ ସମାଧି ଭଙ୍ଗକରି ଶୁକ୍ରାଚାର୍ଯ୍ୟ ଅସୁର ମାନଙ୍କ ନିକଟକୁ ଫେରିଯିବାକୁ ବାହାରିଛନ୍ତି ସେ ଦେଖିଲେ ତାଙ୍କ ନିକଟରେ ଏକ ସୁନ୍ଦରୀ ନାରୀ l ଶୁକ୍ରାଚାର୍ଯ୍ୟ ତାଙ୍କୁ କହିଲେ, ତୁମେ କିଏ ? କଷ୍ଟ ସ୍ବୀକାର ପୂର୍ବକ ତୁମେ କାହିଁକି ମୋର ଏତେ ସେବାକରୁଛ l ଦେବୀ ଜୟନ୍ତୀ କହିଲେ,ହେ ପରମ ତପସ୍ୱୀ ! ଆପଣ ସବୁ କଥା ଜାଣନ୍ତି l ମୁଁ ଇନ୍ଦ୍ରଙ୍କ ପୁତ୍ରୀ, ଜୟନ୍ତୀ l ଆପଣ ମୋତେ ପତ୍ନୀ ରୂପେ ଗ୍ରହଣକରନ୍ତୁ l ମୋତେ ମୋ ପିତା ଆପଣଙ୍କୁ ସମର୍ପଣ କରି ସାରିଛନ୍ତି l

ଶକ୍ର ନନ୍ଦିନୀଙ୍କ ପ୍ରାର୍ଥନା ଶୁଣି ଶୁକ୍ର କହିଲେ, ହେ ବରାନନେ ! ମୁଁ ତୁମକୁ ପତ୍ନୀ ରୂପେ ଗ୍ରହଣ କରୁଛି l ତୁମେ ସମସ୍ତଙ୍କ ଅଦୃଶ୍ୟରେ ରହି, ମୋ ସହ ଦଶ ବର୍ଷ ପର୍ଯ୍ୟନ୍ତ ଆନନ୍ଦରେ ବିହାର କର l ଏପରି କହି ଶୁକ୍ର ତାଙ୍କୁ ଗ୍ରହଣ କରି ନିଜ ଆଶ୍ରମକୁ ଘେନିଗଲେ l ଆଶ୍ରମରେ ଶୁକ୍ର ତାଙ୍କ ତପ ପ୍ରଭାବରେ ଏକ ମାୟା ମଣ୍ଡଳ ସୃଷ୍ଟି କଲେ ଯେପରି କି ତାଙ୍କୁ କେହି ଦେଖି ପାରିବେନାହିଁ l ସମସ୍ତଙ୍କ ଅଦୃଶ୍ୟରେ ରହି ଜୟନ୍ତୀ ଓ ଶୁକ୍ର ବୈବାହିକ ଜୀବନ ବିତାଇବାକୁ ଲାଗିଲେ l କିଛି କାଳ ପରେ ଜୟନ୍ତୀଙ୍କ ଗର୍ଭରୁ ଭୂମିଷ୍ଠ ହେଲେ ଶୁକ୍ର ନନ୍ଦିନୀ ଦେବଜାନୀ l ଦେବଜାନୀ ଏବଂ ମହାରାଜା ଯଯାତିଙ୍କ ଔରସରୁ ପରବର୍ତ୍ତୀ କାଳରେ ଯଦୁବଂଶ ପ୍ରତିଷ୍ଠାତା ଯଦୁଙ୍କ ଜନ୍ମ ହୋଇଥିଲା l

ଜୟନ୍ତ ହେଉଛନ୍ତି ଜୟନ୍ତୀଙ୍କ ଜାଆଁଳା ଭାଇ l ରାମାୟଣରେ ଜୟନ୍ତଙ୍କ ବିଷୟରେ ଏକ ମନୋଜ୍ଞ କାହାଣୀ ଅଛି l ଥରେ ଇନ୍ଦ୍ରପୁତ୍ର ଜୟନ୍ତ, ରାମଙ୍କ ବଳ କଳିବା ପାଇଁ ଏକ କାକ ରୂପେ ଯାଇ ଜାନକୀଙ୍କୁ ଚଞ୍ଚୁରେ ଆଘାତ କଲେ l ଶ୍ରୀରାମ ଏହା ଜାଣିପାରି ଏକ ଶରଘାସର କାଣ୍ଡ କାକରୂପୀ ଜୟନ୍ତଙ୍କ ଉପରକୁ ଛାଡ଼ି ଦେଲେ l ଭୟାର୍ତ୍ତ କାକ ତ୍ରିଭୁବନ ବୁଲିଗଲା ମାତ୍ର କେଉଁଠି ହେଲେ 

ଆଶ୍ରୟ ପାଇଲାନାହିଁ l ଶେଷକୁ ପିତା ଇନ୍ଦ୍ରଙ୍କ କଥା ମାନି ଜୟନ୍ତ ଆସି ଶ୍ରୀରାମଙ୍କ ଶରଣ ପଶିଲା l ପ୍ରଭୁ ତା ପ୍ରାର୍ଥନାରେ ଦୟା ପରବଶ ହୋଇ ତାର ଡାହାଣ ଆଖିଟି କଣା କରି ଛାଡ଼ି ଦେଲେ l ସେହଦିନ ଠାରୁ କାକ ବକ୍ର ନେତ୍ର ହୋଇ ରହିଛନ୍ତି l ଶ୍ରୀରାମ ଚରିତ ମାନସରେ ଭଗବାନ ଶଙ୍କର ପ୍ରଭୁଙ୍କ ଏହି କାହାଣୀ ମାଆ ଭବାନୀଙ୍କୁ ବୁଝାଇ କହିଥିଲେ :-

     ଶୁନି କୃପାଲ ଅତି ଆରତ ବାନୀ l

     ଏକ ନୟନ କରି ତଜା ଭୱାନୀ ll

           


Rate this content
Log in