Arjuni charan Behera

Inspirational Others

4  

Arjuni charan Behera

Inspirational Others

ହନୁମାନ ପୁତ୍ରଙ୍କୁ ଭେଟିଲେ

ହନୁମାନ ପୁତ୍ରଙ୍କୁ ଭେଟିଲେ

5 mins
10



ସ୍ୱର୍ଣ୍ଣମୟୀ ଲଙ୍କା, ଆଜି ମହା ଶ୍ମଶାନରେ ପରିଣତ ହୋଇଛି l ସ୍ୱର୍ଣ୍ଣ ଲଙ୍କାପୁର ହୋଇଛି ବୀରଶୂନ୍ୟ l ଯୁଦ୍ଧ ଭୂମିରେ ଲୋଟିପଡ଼ିଛନ୍ତି କୁମ୍ଭକର୍ଣ୍ଣ ମେଘନାଦ ଆଦି ମହା ମହାବୀର ମାନେ l ବ୍ୟସ୍ତ ବିବ୍ରତ ବିଂଶବାହୁ ରାବଣ ସିଂହାସନରେ ବସି କଅଣ ସବୁ ଭାବୁ ଭାବୁ ଚିତ୍କାରକରି ଉଠିଲେ, ନାଆଁ ! ଏ ତ୍ରିଭୁବନ ବିଜୟୀ ରାବଣର ବାହୁରେ ବଳ ଥିବା ପର୍ଯ୍ୟନ୍ତ ସେ କେବେ ରାମର ଶରଣ ପଶିବ ନାହିଁ l କାଲିର ରାମ ରାବଣ ସମର ହେବ ରାମର ଶେଷ ଦିନ l ଏହି ସମୟରେ ପ୍ରବେଶ କଲେ ମାଆ ନିକଷା l

ରାବଣ ସିଂହାସନରୁ ଉଠି ମାତାଙ୍କୁ ପ୍ରଣାମ କଲା l ନିକଷା କହିଲେ, ପୁତ୍ର ! ତୁ ଏତେ ଚିନ୍ତିତ କେଉଁଥି ପାଇଁ l ରାବଣ କହିଲା, ମାଆ ! ରାମସହ ଯୁଦ୍ଧରେ ମୋର ସମସ୍ତ ବୀର ଭ୍ରାତା ଓ ପୁତ୍ର ମାନେ ନିହତ l ରାତି ପାହିଲେ ରାମ-ରାବଣ ଯୁଦ୍ଧ l କଅଣ କରିବି ମୁଁ କିଛି ଭାବି ପାରୁନାହିଁ l ତୁମେ କିଛି ଉପାୟ କୁହ ମାଆ ! ମାଆ କହିଲେ, ପୁତ୍ର, ତୁମେ ଆଦୌ ବ୍ୟସ୍ତ ବିଚଳିତ ହୁଅ ନାହିଁ l ମୋର ଆଉ ଗୋଟିଏ ବୀର ପୌତ୍ର ଅଛି ମହିରାବଣ l ମାୟାବଳରେ ସମସ୍ତଙ୍କୁ ଅପହରଣ କରି, ନିଧନ କରିବାର କ୍ଷମତା ତାହାର ଅଛି l ସେ ଏବେ ପାତାଳ ପୁରରେ ମାଆ କାଳୀଙ୍କୁ ତପସ୍ୟା କରୁଛି l 

ଏହା କହି, ମାଆ ନିକଷା ସ୍ମରଣ କରିବାରୁ ସଙ୍ଗେ ସଙ୍ଗେ ଆସି ମହିରାବଣ ଉପସ୍ଥିତ ହେଲେ l ମାତା ନିକଷା କହିଲେ,ରାମଙ୍କ ସହ ଯୁଦ୍ଧରେ ଲଙ୍କା ଆଜି ବୀର ଶୂନ୍ୟ ହୋଇ ପଡ଼ିଲାଣି l ତୁ ପିତା ରାବଣକୁ ସହାୟତା କରି, ଯଥା ଶୀଘ୍ର ରାମକୁ ନିହତ କର l ମହିରାବଣ ପିତାଙ୍କୁ ଚାହିଁ କହିଲେ,ଆଦେଶ ଦିଅନ୍ତୁ ପିତା ସଙ୍ଗେ ସଙ୍ଗେ ଯାଇ ମୁଁ ରାମକୁ ବଧ କରିବି l ରାବଣ କହିଲେ, ନାଁ ! ରାମକୁ ବଧ କରିବା ଏତେ ସହଜ ଭାବନାହିଁ l ସେ ହନୁମାନ,ଅଙ୍ଗଦ, ସୁଗ୍ରୀବ ଆଦି ବଳଶାଳୀ ବାନର ମାନଙ୍କ ଦ୍ୱାରା ସୁରକ୍ଷିତ l ତୁମକୁ ଖୁବ୍ ସତର୍କତାର ସହ ଆକ୍ରମଣ କରିବାକୁ ପଡ଼ିବ l ମହିରାବଣ କହିଲେ,ପିତା, ମୁଁ ତାଙ୍କ ସହ ପ୍ରତ୍ୟକ୍ଷ ଲଢେ଼ଇ କରିବିନାହିଁ l ମୁଁ ରାମ ଲକ୍ଷ୍ମଣଙ୍କୁ ମୋ ମାୟା ଦ୍ଵାରା ଅପହରଣ କରି ଆଣି ଏକ ଗୁପ୍ତ ସ୍ଥାନରେ ହତ୍ୟାକରିବି l ପିତାଙ୍କ ଆଶୀର୍ବାଦ ଘେନି ବାହାରି ଗଲେ ମହିରାବଣ l

ବିଭୀଷଣ ଏକଥା ଜାଣି ପାରିଲେ l ସେ ଶ୍ରୀରାମଙ୍କୁ ଯାଇ ଜଣାଇ ଦେଲେ, ମହିରାବଣ ଆଜି ରାତିରେ ଆପଣ ଓ ଲକ୍ଷ୍ମଣଙ୍କୁ ମାୟା ଦ୍ୱାରା ଅପହରଣ କରି ହତ୍ୟା କରିବ l ଏକଥା ଶୁଣି ରାମ ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହେଲେ l ପାଖରେ ଉପସ୍ଥିତ ଥିଲେ ସମସ୍ତ ବାନର ବୀରମାନେ l ସମସ୍ତେ ଏକ ସ୍ଵରରେ କହି ଉଠିଲେ ତା'ହେଲେ ହନୁମାନ ଏହାର କିଛି ପ୍ରତିକାର ଚିନ୍ତା କରନ୍ତୁ l ହନୁମାନ କହିଲେ, ତୁମେମାନେ କୌଣସି ଚିନ୍ତା କରନାହିଁ l ମୁଁ ଥାଉ ଥାଉ ପ୍ରଭୁଙ୍କର କୌଣସି କ୍ଷତି ହେବ ନାହିଁ l ମୁଁ ମୋ ଲାଙ୍ଗୁଡକୁ ଗୁଡ଼ାଇ ଏକ ଦୁର୍ଗ ତିଆରି କରୁଛି l ତାହାରି ଭିତରେ ମୁଁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଲୁଚାଇ ରଖୁଛି l ତୁମେ ମାନେ ବାହାରେ ଥାଇ, ଦୁର୍ଗକୁ କଡ଼ା ପହରା ଦିଅ l ମୁଁ ଦୁର୍ଗର ଦ୍ଵାର ଜଗୁଛି l ଦେଖିବା କୋଉ ମହିରାବଣ ଆସୁଛି l

ତାହା ହିଁ ହେଲା l ଅର୍ଦ୍ଧରାତ୍ରୀ ବେଳକୁ ମହିରାବଣ ଆସି ଦେଖେ ତ ଛିଡ଼ାହୋଇଛି ଏକ ବିରାଟ ଦୁର୍ଗ l ଦୁର୍ଗର ଦ୍ବାର ଜଗିଛନ୍ତି ଜଣେ ବାନର l ମହିରାବଣ ଆଉ କାଳ ବିଳମ୍ୱ ନକରି ଦଶରଥଙ୍କ ରୂପ ଧାରଣ କରି, ଯାଇ ହନୁମାନଙ୍କ ପାଖରେ ପହଞ୍ଚି କହିଲେ, ମୁଁ ଦଶରଥ, ଶୁଣିଲି ମୋର ପୂତ୍ର ରାମ ଲକ୍ଷ୍ମଣ ଏହି ଦୁର୍ଗ ଭିତରେ ଅଛନ୍ତି l ମୁଁ ସ୍ବର୍ଗପୁରରୁ ଆସିଛି ତାଙ୍କୁ ଟିକେ ଦେଖିଯିବା ପାଇଁ l ମୋତେ ଟିକିଏ ଅନୁମତି ଦିଅ ମୁଁ ଭିତରକୁ ଯାଏ l ହନୁମାନ କହିଲେ, ତୁମେ କିଏ, ମୁଁ ଜାଣେ ନାହିଁ l ବାହାରେ ବିଭୀଷଣ ପହରା ଦେଉଛନ୍ତି l ତୁମେ ଅପେକ୍ଷା କର l ରାତି ପାହୁ ସେ ଆସି ଯଦି ମୋତେ ଅନୁମତି ଦିଅନ୍ତି ତେବେ ତୁମକୁ ମୁଁ ଭିତରକୁ ଛାଡ଼ି ପାରିବି l

ମହିରାବଣ ନିରାଶ ହୋଇ ଫେରି ଯାଇ ପୁଣି କିଛି ସମୟ ପରେ କୌଶଲ୍ୟାଙ୍କ ରୂପ ଧରି ହନୁମାନଙ୍କ ପାଖରେ ପହଞ୍ଚି କହିଲେ, ମୁଁ ଅଯୋଧ୍ୟାରୁ ଆସିଛି l ମୁଁ ରାମଙ୍କ ମାତା, କୌଶଲ୍ୟା l ସ୍ବର୍ଗବାସୀ ପତିଙ୍କ ନିର୍ଦ୍ଦେଶରେ ମୁଁ ରାମ ଲକ୍ଷ୍ମଣଙ୍କୁ ଟିକିଏ ଦେଖିଯିବା ପାଇଁ ଆସିଛି l କେଉଁ ଦିନରୁ ତାଙ୍କୁ ମୁଁ ଦେଖିନାହିଁ l ତୁମେ ଦୟା କରି ମୋତେ ଅନୁମତି ଦିଅ, ମୁଁ ତାଙ୍କୁ ଭିତରକୁ ଯାଇ ଦେଖି ଆସେ l ପୂର୍ବବତ୍ ହନୁମାନ ତାଙ୍କୁ ବିଭୀଷଣଙ୍କ କଥାକହି ଫେରାଇ ଦେଲେ l

ଏଥର ମାୟାବୀ ମହିରାବଣ ବିଭୀଷଣଙ୍କ ରୂପରେ ଆସିଲା ଏବଂ ହନୁମାନଙ୍କୁ କହିଲା ମୋତେ ଟିକେ ଛାଡ଼ିଦିଅ ତ, ମୁଁ ପ୍ରଭୁ କିପରି ଅଛନ୍ତି ଭିତରେ ଯାଇ ଦେଖିଆସେ l ହନୁମାନ ବିଭୀଷଣ ବୋଲି ବିଶ୍ୱାସ କରି, ତାକୁ ଭିତରକୁ ଛାଡ଼ିଦେଲେ l ଦୁର୍ଗ ଭିତରେ ପ୍ରବେଶ କରି, ମହିରାବଣ ମନ୍ତ୍ର ଧୂଳି ପକାଇ ରାମ ଲକ୍ଷ୍ମଣଙ୍କୁ ଅଚେତ କରିଦେଲା ଏବଂ ଦୁର୍ଗ ଭିତରେ ଏକ ଗର୍ତ୍ତ କରି, ମହା ଆନନ୍ଦରେ ତାଙ୍କୁ ପାତାଳକୁ ନେଇ ପଳାଇ ଗଲା l

ସକାଳ ହେବାରୁ ବିଭୀଷଣ ଆସି ପହଁଚିଲେ ଏବଂ ଗତରାତିରେ ମହିରାବଣ ବିଭୀଷଣ ରୂପରେ ଆସି ରାମ ଲକ୍ଷ୍ମଣଙ୍କୁ ପାତାଳକୁ ଘେନି ଯାଇଥିବା ଜଣା ପଡ଼ିଲା l ବିଭୀଷଣଙ୍କୁ ଜଣାଇ ଆଉ କାଳ ବିଳମ୍ବ ନକରି ସେହି ଗର୍ତ୍ତ ମଧ୍ୟ ଦେଇ ପାତାଳରେ ଯାଇ ପହଁଚିଲେ ମହାବୀର ହନୁମାନ l

ପାତାଳରେ ପହଞ୍ଚି ହନୁମାନ ଜାଣିବାକୁ ପାଇଲେ, ମହିରାବଣ ରାମ ଲକ୍ଷ୍ମଣଙ୍କୁ ତା ଆରାଧ୍ୟା ଦେବୀଙ୍କ ପାଖରେ ବଳି ପକାଇବା ପାଇଁ ବନ୍ଦି କରି ରଖିଛି l ରାତି ପାହିଲେ ବଳିପଡ଼ିବେ ରାମ ଲକ୍ଷ୍ମଣ l ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହନୁମାନ ବାହାରିଲେ l ମାତ୍ର ସେଠାରେ ଜଗିବସିଥିବା ଏକ ବାନର ତାଙ୍କୁ ବାଧା ଦେଵାରୁ ହନୁମାନ ଓ ତାଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଲା l ଯୁଦ୍ଧରେ ସେହି ବାନର ହାରିଗଲେ l

ପାତାଳ ପୁରୀରେ ଏ ବାନର କିଏ ! ଅତି ଆଶ୍ଚର୍ଯ୍ୟ ହୋଇ ହନୁମାନ ତାଙ୍କ ପରିଚୟ ମାଗିବାରୁ ସେହି ବାନର କହିଲେ, ମୋର ନାମ ମକରଧ୍ଵଜ l ମୋର ମାତାଙ୍କ ନାମ, ମକରୀ l ମୁଁ ମାତାଙ୍କ ଠାରୁ ଶୁଣିଛି, ହନୁମାନ ବୋଲି କେଉଁ ଏକ ବ୍ରହ୍ମଚାରୀ ହେଉଛନ୍ତି ମୋ ପିତା l ମୋ ପିତାଙ୍କୁ ମୁଁ କେବେ ଦେଖି ନାହିଁ l ମୋ ମାଆ କହୁଥିଲେ, ବ୍ରହ୍ମଚାରୀ ହନୁମାନ ଥରେ ସାଗରରେ ସ୍ନାନ କରିବା ସମୟରେ ତାଙ୍କର ରେତ ସ୍ଖଳିତ ହେଲା l ମୋ ମାତା ସାଗର ଜଳରେ କ୍ରୀଡ଼ା କରି ବୁଲୁଥିଲା ବେଳେ ଦୈବାତ୍ ସେ ରେତକୁ ପାନ କରି ଦେଲେ ଓ ତାଙ୍କ ଗର୍ଭରୁ ମୋର ଜନ୍ମ ହେଲା l ମାତା ମକରୀଙ୍କ ନାମରୁ, ମୋର ନାମ ମକରଧ୍ଵଜ ହୋଇଛି l ପିତା ପୁତ୍ରଙ୍କ ମିଳନ ହେଲା l ହନୁମାନ ଅତି ଆଦରରେ ପୁତ୍ରକୁ ଆଲିଙ୍ଗନ କଲେ l 

ଏହା ପରେ ମକରଧ୍ଵଜ ପିତାଙ୍କୁ ମହିରାବଣର ସବୁ ଚକ୍ରାନ୍ତ ବିଷୟରେ କହିଲେ l ପୁଣି କହିଲେ, କାଲି ଯେତେବେଳେ ପ୍ରଭୁଙ୍କୁ ବଳି ପାଇଁ ମାଆଙ୍କ ପାଖକୁ ନିଆଯିବ ସେତେ ବେଳେ ମହିରାବଣ ପ୍ରଭୁଙ୍କୁ ଭୂମି ଉପରେ ମୁଣ୍ଡ ରଖିବାକୁ କହିବ l କିନ୍ତୁ ପ୍ରଭୁଙ୍କୁ କହି ଦେବ, ସେ ସେପରି ନକରି ମହିରାବଣକୁ କହିବେ, ଆମେ ରାଜପୁତ୍ର, ମୁଣ୍ଡ ନୋଇଁବା ଶିଖିନାହୁଁ l ଏହା କିପରି କରା ଯାଏ, ତୁମେ ଆମକୁ ଦେଖାଇ ଦିଅ l ଦେବୀଙ୍କ ସାମ୍ନାରେ ସେ ମୁଣ୍ଡ ରଖିଲା ମାତ୍ରେ ପ୍ରଭୁ ଦେବୀଙ୍କ ଖଡ୍ଗରେ ତା ଶିରଛେଦ କରିବେ l

ପ୍ରଭାତ ହେବାରୁ ମହିରାବଣ ରାମ ଲକ୍ଷ୍ମଣଙ୍କୁ ବଳି ଦେବା ପାଇଁ ମାଆ କାଳୀଙ୍କ ନିକଟକୁ ଘେନିଗଲା l ପୂର୍ବ ଯୋଜନା ଅନୁଯାୟୀ ମହିରାବଣ ମାଆ କାଳୀଙ୍କ ଆଗରେ ମୁଣ୍ଡ ରଖି ଦେବାରୁ ମାଆଙ୍କ ଖଡ୍ଗରେ ପ୍ରଭୁ ଶ୍ରୀରାମ ତାର ଗଣ୍ଡିମୁଣ୍ଡ ଅଲଗା କରିଦେଲେ l ଏହି ସମୟରେ ଚନ୍ଦ୍ରସେନୀ ନାମକ ଏକ ସୁନ୍ଦରୀ ନାରୀ ଆସି ରାମଙ୍କ ବେକରେ ପୁଷ୍ପମାଲ୍ୟ ଲମ୍ବାଇ ଦେଇ କହିଲା, ମୋତେ ମହିରାବଣ ଅନେକ ଦିନ ହେଲା ବନ୍ଦୀ କରି ରଖିଥିଲା l ଆପଣ ତାକୁ ମାରି ମୋତେ ମୁକ୍ତିଦେଲେ l ମୁଁ ପଣକରିଥିଲି, ଯିଏ ମୋତେ ମୁକ୍ତି ଦେବ ମୁଁ ତାକୁ ପତି ରୂପେ ବରଣ କରିବି l ଆପଣ ମୋତେ ମୁକ୍ତି ଦେଲେ l ଏଣୁ ଆପଣ ମୋତେ ପତ୍ନୀ ରୂପେ ଗ୍ରହଣକରନ୍ତୁ l ପ୍ରଭୁ ହସିହସି କହିଲେ,ତୁମ ଅଭିଳାଷ ନିଶ୍ଚୟ ପୂର୍ଣ୍ଣ ହେବ l କିନ୍ତୁ, ଏ ଜନ୍ମରେ ନୁହେଁ,ଏହା ପର ଜନ୍ମରେ l ଦ୍ୱାପର ଯୁଗରେ ମୋର କୃଷ୍ଣାବତାର ହେବ l ତୁମେ ହେବ ବୃଷଭାନୁ ଜେମା ଶ୍ରୀରାଧା ଏବଂ ମୋର ଲୀଳା ସଙ୍ଗିନୀ ହୋଇ, ମୋ ସାନ୍ନିଧ୍ୟ ଲାଭ କରିବ l ଏହି ହନୁମାନଙ୍କ ଏକ ଅଂଶ ହେବେ ତୁମର ପତି ଚନ୍ଦ୍ରସେଣା l

ମହିରାବଣ ସଂହାର କରି ରାମ, ଲକ୍ଷ୍ମଣ, ହନୁମାନ ପାତାଳପୁରୀରୁ ଫେରି ଆସିଲେ l ପ୍ରଭୁଙ୍କୁ ଫେରିବା ଦେଖି ସମସ୍ତେ ହର୍ଷିତ ହେଲେ l ପୁତ୍ର ମୃତ୍ୟୁ ସମ୍ବାଦ ପାଇ ରାବଣ ପ୍ରମାଦ ଗଣିବାକୁ ଲାଗିଲା l

        


Rate this content
Log in

Similar oriya story from Inspirational