STORYMIRROR

Arjuni charan Behera

Thriller Others

4  

Arjuni charan Behera

Thriller Others

ନର ନାରାୟଣ ଉପାଖ୍ୟାନ

ନର ନାରାୟଣ ଉପାଖ୍ୟାନ

3 mins
23


   

ବ୍ୟାସଦେବ ମହାରାଜ ଜନ୍ମେଜୟଙ୍କୁ ଶ୍ରୀମଦ୍ ଦେବୀ ଭାଗବତ କଥା ଶୁଣାଉ ଥାନ୍ତି l କଥା ପ୍ରସଙ୍ଗରେ ମହର୍ଷି ବ୍ୟାସ ଭଗବାନ କିପରି ନର ନାରାୟଣ ଅବତାର ଗ୍ରହଣ କରିଥିଲେ ସେକଥା କହିଲେ l

ବ୍ୟାସଦେବ କହିଲେ, ସୃଷ୍ଟି ଆରମ୍ଭ କାଳର କଥା l ସଂସାରରେ ଧର୍ମ ରକ୍ଷା ପାଇଁ ବ୍ରହ୍ମାଙ୍କ ହୃଦ ଦେଶରୁ ଧର୍ମଙ୍କ ଉତ୍ପତ୍ତି ହେଲା l ଧର୍ମ, ଦକ୍ଷ ପ୍ରଜାପତିଙ୍କ ଦଶ ଜଣ କନ୍ୟାଙ୍କୁ ଵିଵାହ କଲେ l ସେମାନଙ୍କ ଠାରୁ ଯେଉଁ ପୁତ୍ର ଜନ୍ମ ହେଲେ, ତାଙ୍କ ଭିତରେ ଦୁଇ ପୁତ୍ର ଥିଲେ ନର ଓ ନାରାୟଣ l ବୟକ୍ରମେ ନର ଓ ନାରାୟଣ ହିମାଳୟର ବଦ୍ରିକାଶ୍ରମକୁ ଯାଇ କଠୋର ତପସ୍ୟା ଆରମ୍ଭ କଲେ l ତାଙ୍କ କଠୋର ତପସ୍ୟାରେ ଇନ୍ଦ୍ର ଆସନ ଟଳମଳ ହେଲା l ଇନ୍ଦ୍ର ତାଙ୍କ ତପସ୍ୟାଭଙ୍ଗ ପାଇଁ ବହୁ ଚେଷ୍ଟା କରି ବିଫଳ ହେଲେ l ଶେଷରେ ଦେବରାଜ ଇନ୍ଦ୍ର କାମଦେବଙ୍କୁ ନରନାରାୟଣଙ୍କ ତପସ୍ୟା ଭଙ୍ଗ କରିବାକୁ ନିର୍ଦ୍ଦେଶ ଦେଲେ l

କାମଦେବ ପଞ୍ଚ ଶର, ରତି ଦେବୀ, ସ୍ଵର୍ଗର ସମସ୍ତ ଅପ୍ସରା ଏବଂ ବସନ୍ତ ଋତୁକୁ ନେଇ ବଦ୍ରିକାଶ୍ରମରେ ପହଞ୍ଚିଲେ l କାମଦେବ ପହଞ୍ଚିବା କ୍ଷଣି, ସେଠାରେ ବସନ୍ତର ମୃଦୁ ହିଲ୍ଲୋଳ ପ୍ରବାହିତ ହୋଇ ବୃକ୍ଷଲତା ମାନେ ନବ ପଲ୍ଲବରେ ମଣ୍ଡିତହୋଇ ବନ୍ୟପ୍ରଦେଶ ଅପୁର୍ବ ଶୋଭା ଧାରଣକଲା l ଷୋଳହଜାର ପଚିଶ ଜଣ ଅପସରାଙ୍କ ନୃତ୍ୟଗୀତରେ ବନ ଭୂମି ମୁଖରିତ ହେବାକୁ ଲାଗିଲା l କାମଦେବ ଏହି ଅବସରରେ, ତାଙ୍କ ପଞ୍ଚଶର ନର ନାରାୟଣଙ୍କ ଉପରେ ପ୍ରୟୋଗ କରିଦେଲେ l ଫଳ ସ୍ୱରୂପ, ତପସ୍ୟାରେ ମଗ୍ନ ଦୁଇ ଋଷିଙ୍କ ତପସ୍ୟା ଭାଙ୍ଗିଗଲା l

ଦେବରାଜ ଇନ୍ଦ୍ର ଯେ ତାଙ୍କ ତପସ୍ୟା ଭଙ୍ଗ କରିଛନ୍ତି ଏକଥା ବୁଝିବାକୁ ନର ନାରାୟଣଙ୍କୁ ଆଉ ବାକି ରହିଲାନାହିଁ l ମଦମତ୍ତ ଅପସରା ମାନଙ୍କ ଗର୍ବ ଚୂର୍ଣ୍ଣ କରିବା ପାଇଁ, ନାରାୟଣ ନିଜ ଉରୁ ଦେଶରୁ ଜଣେ ପରମା ସୁନ୍ଦରୀ ରମଣୀ ସୃଷ୍ଟି କଲେ l ଉରୁରୁ ଜାତ ହୋଇ ଥିବାରୁ ତାଙ୍କର ନାମ ହେଲା ଉର୍ବଶୀ l ପୁଣି ନାରାୟଣ ଇନ୍ଦ୍ରଙ୍କ ପ୍ରେରିତ ସମ ସଂଖ୍ୟକ ଅପସରା ସୃଷ୍ଟି କରି ସ୍ୱର୍ଗ ଅପସରୀ ମାନଙ୍କୁ ଚକିତ ଓ ଲଜ୍ଜିତ କରି ଦେଲେ l ଏହା ଦେଖି ସ୍ୱର୍ଗର ଅପସରା

ମାନେ ଯୋଡ଼ ହସ୍ତରେ ୠଷି ନର ଓ ନାରାୟଣଙ୍କୁ ପ୍ରାର୍ଥନା କଲେ,ହେ ମୁନି ଶ୍ରେଷ୍ଠ ! ଆମ ଅପରାଧ କ୍ଷମା କରନ୍ତୁ l ଆମେ ସାଧାରଣ ମନୁଷ୍ୟ ଭାବି ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ, ଆପଣ ମାନଙ୍କ ତପ ଭଙ୍ଗ ପାଇଁ ଆସିଥିଲୁ l ଆପଣ ଦୁହେଁ ମନୁଷ୍ୟ ନୁହଁନ୍ତି l ଆପଣମାନେ ନିଶ୍ଚୟ ଭଗବାନଙ୍କ ଅବତାର l ଆପଣ ମାନଙ୍କୁ ଦର୍ଶନକରି ଆମେ ଅତ୍ୟନ୍ତ ପ୍ରୀତ ହୋଇଛୁ l ଆମ ମାନଙ୍କୁ ଅଙ୍ଗ ସୁଖ ପ୍ରଦାନକରି ଏହି ଅରଣ୍ୟରେ ପ୍ରୀତିପୁର୍ଣ୍ଣ ଭାବେ ବିଚରଣ କରନ୍ତୁ l ଯେଉଁ ଅପସରା ମାନଙ୍କୁ ଆପଣ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଆପଣ ଆମ ବଦଳରେ ସ୍ୱର୍ଗକୁ ପଠାଇ ଦିଅନ୍ତୁ l 

ସୁରସୁନ୍ଦରୀ ମାନଙ୍କ କଥାଶୁଣି ନାରାୟଣ କହିଲେ, ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା, ଆମ ପକ୍ଷରେ ତୁମକୁ ଗ୍ରହଣ କରିବା, ଏ ଜନ୍ମରେ ସମ୍ଭବ ନୁହେଁ l ତେବେ ଦେବକାର୍ଯ୍ୟ ସାଧନ ପାଇଁ ଅଷ୍ଟାବିଂଶତିତମ ଦ୍ୱାପର ଯୁଗରେ ଆମ୍ଭେ କୃଷ୍ଣାବତାର ଗ୍ରହଣ କରିବୁ l ତୁମେ ମାନେ ସେତେ ବେଳେ ବିଭିନ୍ନ ରାଜ ବଂଶରେ ଜନ୍ମ ନେଇ ମୋ ପତ୍ନୀ ହେବ l ଏବେ ତୁମେ ମାନେ ସ୍ବର୍ଗ ଫେରି ଯାଇ ଦେବରାଜ ଇନ୍ଦ୍ରଙ୍କ ସେବା କର l ସାଙ୍ଗରେ ତୁମେ ଉର୍ବଶୀଙ୍କୁ ମଧ୍ୟ ନେଇଯାଅ l

ନାରାୟଣଙ୍କ କଥା ଶୁଣି ଅପସରା ମାନେ ଉର୍ବଶୀଙ୍କୁ ଧରି ସ୍ବର୍ଗଫେରିଗଲେ l ଉର୍ବଶୀଙ୍କୁ ଦେଖି ଇନ୍ଦ୍ର ଖୁବ୍ ବିସ୍ମିତ ହେଲେ l ଯାହାଙ୍କ ତପ ଭଙ୍ଗ ପାଇଁ, ମୁଁ ସ୍ବର୍ଗ ସୁନ୍ଦରୀ ମାନଙ୍କୁ ପଠାଇ ଥିଲି ସେ ଯେ ଏପରି ଏକ ସୁନ୍ଦରୀ ଅପସରା ସୃଷ୍ଟି କରି ପାରନ୍ତି, ଏ କଥା ଭାବି ଦେବରାଜ ଲଜ୍ଜିତ ହେଲେ l 

ସେହି ନର ଓ ନାରାୟଣ ଦ୍ଵାପର ଯୁଗରେ ପୃଥିବୀର ଭାର ହରଣ ଓ ଧର୍ମ ସଂସ୍ଥାପନ ପାଇଁ ଧରା ପୃଷ୍ଠରେ ଅର୍ଜୁନ ଓ ଶ୍ରୀକୃଷ୍ଣ ରୁପେ ଅବତରି ଥିଲେ, ଯାହାଙ୍କୁ ବନ୍ଦନା କରାଯାଇ ଥାଏ, "ନାରାୟଣଂ ନମସ୍କୃତ୍ୟ, ନରଂ ଚୈବ ନରୋତ୍ତମ‌ମ୍"l ଅପ୍ସରାମାନଙ୍କ କାମନା ମଧ୍ୟ ପୂର୍ଣ୍ଣ ହେଲା l ସେମାନେ ଗୋପକନ୍ୟା ଭାବେ ଜନ୍ମ ହୋଇ ଭଗବାନ୍ ଶ୍ରୀକୃଷ୍ଣଙ୍କ ପତ୍ନୀ ଭାବ ପ୍ରାପ୍ତ ହେଲେ l 

          


Rate this content
Log in

Similar oriya story from Thriller