Arjuni charan Behera

Classics Others

4  

Arjuni charan Behera

Classics Others

ଗୋଧନ ହରଣ

ଗୋଧନ ହରଣ

4 mins
6


  

ପାଣ୍ଡବ ମାନେ ବାର ବର୍ଷର ବନବାସ ଶେଷ କରି ମତ୍ସ୍ୟ ଦେଶର ବିରାଟ ନଗରୀରେ ଛଦ୍ମ ବେଶରେ ଗୋଟିଏ ବର୍ଷ ଅଜ୍ଞାତ ବାସ କଟାଉ ଥାନ୍ତି l ଏପଟେ ଦୁର୍ଯ୍ୟୋଧନ ତା ଚାରମାନଙ୍କୁ ଲଗାଇ ଦେଇଥାଏ ପାଣ୍ଡବ ମାନଙ୍କୁ ଖୋଜି ବାହାର କରି ନେବା ପାଇଁ l ଉଦ୍ଦେଶ୍ୟ, ଯଦି ସେମାନେ ଧରା ପଡ଼ିଯାନ୍ତି ତେବେ ପୁଣି ତେର ବର୍ଷ କାଳ ସେ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବ l ଚାରମାନେ ସାରା ଭାରତ ବର୍ଷ ତନ୍ନ ତନ୍ନ କରି ଖୋଜି ଆସିଲେ, କେଉଁଠି ହେଲେ ପାଣ୍ଡବଙ୍କ ସନ୍ଧାନ ପାଇଲେନାହିଁ l ଏହା ଜାଣି ଦୁର୍ଯ୍ୟୋଧନ ଓ ଦୁଃଶାସନ ଧରିନେଲେ ଯେ ପାଣ୍ଡବମାନେ ଆଉ ଜୀବିତ ନାହାଁନ୍ତି l କିନ୍ତୁ ଏକଥାକୁ ଦ୍ରୋଣାଚାର୍ଯ୍ୟ କୃପାଚାର୍ଯ୍ୟ ଏବଂ ପିତାମହ ଭୀଷ୍ମ ଖଣ୍ଡନକରି କହିଲେ, ପାଣ୍ଡବ ମାନେ ସଦାଚାରୀ l ଧର୍ମାତ୍ମା ପାଣ୍ଡବମାନଙ୍କ ଏପରି ନିହତ ହେବା ଅସମ୍ଭବ l ସେମାନେ ଜୀବିତ ଅଛନ୍ତି ଓ ତେରବର୍ଷ ପରେ ନିଶ୍ଚୟ ଫେରି ଆସିବେ l

ଅଜ୍ଞାତବାସ ଆଉ ତେରଦିନ ମାତ୍ର ବାକିଅଛି ଏହି ସମୟରେ ଦୁର୍ଯ୍ୟୋଧନ ଖବରପାଇଲେ ଯେ ମତ୍ସ୍ୟ ଦେଶର ସେନାପତି ପ୍ରବଳ ପ୍ରତାପୀ କୀଚକ ଜଣେ ସୁନ୍ଦରୀ ନାରୀର ପ୍ରଣୟ ପ୍ରାର୍ଥୀ ହୋଇ ତାର ଗନ୍ଧର୍ବ ସ୍ଵାମୀ ମାନଙ୍କ ହାତରେ ନିହତ ହୋଇଛି l ପ୍ରତାପୀ କୀଚକକୁ ହରାଇବାପାଇଁ କେବଳ ମହାବଳି ଭୀମ ଓ ବଳରାମ ସମର୍ଥଥିଲେ l ଦୁର୍ଯ୍ୟୋଧନର ସନ୍ଦେହ ହେଲା କୀଚକର ନିଧନକର୍ତ୍ତା ଭୀମ ବ୍ୟତୀତ ଆଉ କେହି ନୁହେଁ l ଆଉ ସେହି ସୁନ୍ଦରୀ ରମଣୀ ନିଶ୍ଚୟ ଦ୍ରୌପଦୀ ହୋଇଥିବେ l

ଦୁର୍ଯ୍ୟୋଧନ ସମସ୍ତଙ୍କ ସମ୍ମୁଖରେ ସନ୍ଦେହ ପ୍ରକାଶ କରି କହିଲେ, ଚାଲ ସିଧା ମତ୍ସ୍ୟଦେଶ ଆକ୍ରମଣ କରିଦେବା l ପାଣ୍ଡବ ମାନେ ଯଦି ସେଠାରେ ଥିବେ ତା ହେଲେ ନିଶ୍ଚୟ ପ୍ରକଟ ହୋଇ ମତ୍ସ୍ୟ ରାଜ୍ୟକୁ ରକ୍ଷା କରିବେ ଓ ଧରା ପଡ଼ିଯିବେ l ସେମାନେ ସେଠାରେ ନଥିଲେ ମଧ୍ୟ ଆମର କିଛି କ୍ଷତିନାହିଁ l ଯୁଦ୍ଧର ଫଳ ସ୍ୱରୂପ ଆମେ ଗୋଧନ ପାଇଁ ଖ୍ୟାତ ମତ୍ସ୍ୟ ରାଜ୍ୟର ବିପୁଳ ଗୋଧନକୁ ହରଣ କରି ଆଣିବା l ଦୁର୍ଯ୍ୟୋଧନକୁ ସମର୍ଥନ କରି ତ୍ରିଗର୍ତ୍ତ ରାଜା ସୁଶର୍ମା କହିଲେ, ବିରାଟରାଜା ମୋର ଜଣେ ପୁରୁଣା ଶତ୍ରୁ l କୀଚକ ଜୀବିତ ଥିଲା ବେଳେ ମୋତେ ବହୁ ବାର ସେ ପରାସ୍ତ କରିଛନ୍ତି l ଏବେ କୀଚକ ନାହିଁ l ଏଣୁ ପ୍ରତିଶୋଧ ନେବାକୁ ଏହା ସୁବର୍ଣ୍ଣସୁଯୋଗ l ଆମେ ଦକ୍ଷିଣରୁ ଆକ୍ରମଣ କରୁଛୁ ଆପଣ ମାନେ ଉତ୍ତରରୁ ଆକ୍ରମଣ କରନ୍ତୁ l 

କର୍ଣ୍ଣ ଏହାକୁ ସମର୍ଥନ କଲେ, ମତ୍ସ୍ୟଦେଶ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇ ଗଲା l ଦକ୍ଷିଣ ପଟୁ ତ୍ରିଗର୍ତ୍ତ ସୈନ୍ୟମାନେ ମତ୍ସ୍ୟଦେଶକୁ ଆକ୍ରମଣ କରି ସମସ୍ତ ଶସ୍ୟ କ୍ଷେତ୍ର ନଷ୍ଟ କରି ଦେଲେ ଓ ଗୋଧନ ଅପହରଣକଲେ l ଆତଙ୍କିତ ଗୋପାଳମାନେ ରାଜା ବିରାଟଙ୍କୁ ଯାଇ ଏ ଦୁସମ୍ବାଦ ଦେଲେ l ରାଜା ନିଜ ସୈନ୍ୟ ବାହିନୀକୁ ପ୍ରଜାମାନଙ୍କ ରକ୍ଷାପାଇଁ ନିର୍ଦ୍ଦେଶ ଦେଲେ l ଏହି ସମୟରେ କଙ୍କ ନାମରେ ସେଠାରେ ଥିବା, ଯୁଧିଷ୍ଠିର, ରାଜା ବିରାଟଙ୍କୁ କହିଲେ, ମୋତେ ମଧ୍ୟ ଯୁଦ୍ଧ ଜଣା ଅଛି l ତାଛଡ଼ା ଆପଣଙ୍କ ସୂପକାର ବଲ୍ଲଭ, ଅଶ୍ଵପାଳ ଧର୍ମଗ୍ରନ୍ଥି ଓ ଗୋପାଳ ତନ୍ତୀପାଳ ମଧ୍ୟ ଯୁଦ୍ଧ ବିଦ୍ୟା ଜାଣନ୍ତି l ଆପଣ ଚାହିଁଲେ ଆମେ ଆପଣଙ୍କୁ ସାହାଯ୍ୟକରିବୁ l 

ରାଜା ବିରାଟ ଏଥିରେ ସମ୍ମତ ହେବାରୁ, ଚାରି ଜଣ ତାଙ୍କ ସେନାସହ ସମ୍ମିଳିତ ହୋଇ ତ୍ରିିଗର୍ତ୍ତ ସେନାଙ୍କ ସାମ୍ନା କଲେ l କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ଯୁଦ୍ଧରେ ବିରାଟ ପରାଜିତ ହୋଇ ବନ୍ଦୀ ହେଲେ l ସୁଶର୍ମାଙ୍କ ଜୟ କାହାଳୀ ବାଜି ଉଠିଲା l ଏହା ଦେଖି ଯୁଧିଷ୍ଟିର ଭୀମଙ୍କୁ କହିଲେ, ତୁମେ ଶୀଘ୍ର ଯାଇ ରାଜାଙ୍କୁ ରକ୍ଷା କର l ଭୀମ ରାଗରେ ଏକ ବିରାଟ ବୃକ୍ଷ ଉପାଡ଼ିବା ପାଇଁ ଧାଇଁଲେ l କିନ୍ତୁ, ଯୁଧିଷ୍ଠିର ତାଙ୍କୁ ବାରଣ କରି କହିଲେ, ତୁମେ ଏହା କର ନାହିଁ କିମ୍ବା ତୁମର ସିଂହ ରଡ଼ି ଦିଅନାହିଁ l ଏହାକଲେ ଆମେ ଧରା ପଡ଼ିଯିବା l ଯୁଧିଷ୍ଠିରଙ୍କ କଥା ମାନି ଭୀମ ଧନୁଶର ଧରି ତ୍ରିଗର୍ତ୍ତ ସେନାଙ୍କ ପାଶ୍ଚାତ ଧାବନ କରି ସେମାନଙ୍କୁ ପରାସ୍ତ କରି ରାଜା ବିରାଟଙ୍କୁ ମୁକ୍ତ କରି ଆଣିଲେ l

ଏତିକିବେଳେ ବିରାଟ ରାଜ୍ୟରେ ଖବର ପହଞ୍ଚିଲା ଉତ୍ତରଦିଗରୁ ମତ୍ସ୍ୟରାଜ୍ୟ ଆକ୍ରମଣ କରି କୌରବ ସେନା ତାଙ୍କ ଷାଠିଏ ହଜାର ଗୋଧନ ହରଣ କରି ନେଇଛନ୍ତି l ଗୋପାଳମାନେ ଉଦ୍ଧାର ପାଇଁ ବିରାଟ ରାଜ କୁମାର ଉତ୍ତରଙ୍କୁ ବହୁ ଅନୁନୟ କଲାରୁ ସେ ରାଜାଙ୍କ ଅନୁପସ୍ଥିତିରେ ପ୍ରସ୍ତୁତହୋଇଗଲେ l 

ଯୁବରାଜ ଉତ୍ତର ଥିଲେ ସ୍ବଭାବତଃ ଭୀରୁ l କେବେ ଜୀବନରେ ଯୁଦ୍ଧ କରିନାହାଁନ୍ତି l କିନ୍ତୁ ସେ ଗୋପାଳ ମାନଙ୍କ ଆଗରେ ବୃଥା ଆସ୍ଫାଳନକରି କହିଲେ, ମୁଁ ଏକାକୀ କୌରବ ସେନାଙ୍କୁ ପ୍ରତିହତ କରି ପାରେ l ମୋତେ ଖାଲି ଜଣେ ଉପଯୁକ୍ତ ସାରଥି ଆବଶ୍ୟକ l ଏକଥା ସୈରିନ୍ଦ୍ରୀ (ଦ୍ରୌପଦୀ) ଶୁଣିଲେ l ସେ ଯାଇ ରାଜକୁମାରୀ ଉତ୍ତରାଙ୍କୁ କହିଲେ, ତୁମେ ଯୁବରାଜ ଉତ୍ତରଙ୍କୁ ଯାଇ କୁହ ସେ କିଛି ଚିନ୍ତାକରିବେ ନାହିଁ l ଯେଉଁ ବୃହନ୍ନଳା ଆପଣଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି ସେ ବହୁବାର ଅର୍ଜୁନଙ୍କ ସାରଥି ହୋଇଛନ୍ତି l ନିଜେ ସେ ଅର୍ଜ୍ଜୁନଙ୍କଠାରୁ ଧନୁର୍ବିଦ୍ୟା ଶିକ୍ଷା କରିଥିବା କଥା ମୁଁ ଶୁଣିଛି l ଆପଣ ବୃହନ୍ନଳାଙ୍କୁ କୁହନ୍ତୁ ସେ ସାରଥି ହେବା ପାଇଁ ପ୍ରସ୍ତୁତ ହୋଇଯିବେ l

ତାହାହିଁ ହେଲା l ବୃହନ୍ନଳା ରୂପୀ ଅର୍ଜୁନ, ଯୁବରାଜ ଉତ୍ତରଙ୍କ ସାରଥୀ ହୋଇ ଯୁଦ୍ଧକୁ ବାହାରି ପଡ଼ିଲେ l ଗଲାବେଳେ ସେ ଅନ୍ତଃ ପୁରର ମହିଳା ମାନଙ୍କୁ କହି ଗଲେ,ବ୍ୟସ୍ତ ହୁଅନାହିଁ ରାଜକୁମାର ଉତ୍ତର ନିଶ୍ଚୟ ବିଜୟୀ ହୋଇ ଫେରିବେ l ଏପରି କହି ସେ ପବନ ବେଗରେ ଯୁଦ୍ଧ ଭୂମିକୁ ରଥ ଛୁଟାଇ ଦେଲେ l ତାଙ୍କ ରଥ ଓ ଅଶ୍ଵଚାଳନାରୁ ଯୁବରାଜ ଉତ୍ତର ବୁଝିଗଲେ ଇଏ ଜଣେ ଦକ୍ଷ ସାରଥି l

ରଥ ଯାଇ ଯୁଦ୍ଧ ଭୂମିରେ ଉପସ୍ଥିତ ହେଲା l ବିଶାଳ କୌରବ ସୈନ୍ୟ ସାଗରକୁ ଦେଖି ଉତ୍ତର ଭୟଭୀତ ହୋଇ ବୃହନ୍ନଳାଙ୍କୁ କହିଲେ, ତୁମେ ରଥ ଫେରାଅ l ବୃହନ୍ନଳା ହସିଦେଇ କହିଲେ, ତୁମେ ମହିଳାମାନଙ୍କ ଆଗରେ ପରା କହୁଥିଲ ମୁଁ ଏକା କୌରବ ସେନାଙ୍କୁ ପରାସ୍ତ କରିବାକୁ ସମର୍ଥ,କୁଆଡ଼େ ଗଲା ତୁମର ସେ ବୀରତ୍ୱ l ଚାଲ ଚାଲ ଆଉ ପଛକୁ ଫେରି ଯିବାର ପ୍ରଶ୍ନନାହିଁ l ପଥରେ ବୃହନ୍ନଳା, ଉତ୍ତରଙ୍କୁ ସେମାନେ ଏଠାରେ ଛଦ୍ମବେଶରେ ଅଜ୍ଞାତ ବାସ କରୁଛନ୍ତି କହି ନିଜର ପରିଚୟ ଦେଲେ ଓ ଉତ୍ତରଙ୍କ ସାହାଯ୍ୟରେ ଶମୀବୃକ୍ଷରେ ଲୁଚାଇ ରଖିଥିବା ନିଜ ଗାଣ୍ଡୀବ ଧନୁ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଘେନି ଆସିଲେ l ସେ ନିଜର ବେଶ ବଦଳାଇ ରଥ ଉପରେ ଠିଆ ହୋଇ ତାଙ୍କର ଦେବଦତ୍ତ ଶଙ୍ଖକୁ ବାଜାଇଲେ l ତାଙ୍କ ଶଙ୍ଖଘୋଷ ଓ ଗାଣ୍ଡୀବ ଟଙ୍କାରରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା l କୌରବ ସେନାରେ ଉପସ୍ଥିତଥିବା ଆଚାର୍ଯ୍ୟ ଦ୍ରୋଣ, ପିତାମହ ଭୀଷ୍ମ ଆଶଙ୍କା କଲେ ଇଏ ଅର୍ଜ୍ଜୁନଙ୍କ ଛଡ଼ା ଆଉକେହି ନୁହଁ l ଆମେ ଗୋଧନ ଫେରାଇ ଦେଇ ଚାଲି ଯିବା ହିଁ ବିଜ୍ଞତା ହେବ l ଏ କଥାକୁ କିନ୍ତୁ କର୍ଣ୍ଣ ଓ ଦୁର୍ଯ୍ୟୋଧନ ଗ୍ରହଣ କଲେ ନାହିଁ l

କ୍ରମେ ଅର୍ଜୁନ କୌରବ ସେନାର ନିକଟବର୍ତ୍ତୀ ହୋଇ ପ୍ରବଳ ବାଣ ବର୍ଷାରେ ସେମାନଙ୍କୁ ମଥିତ କରିବାକୁ ଲାଗିଲେ l ଅର୍ଜୁନଙ୍କ ବାଣରେ ଅତିଷ୍ଟ ହୋଇ ସମସ୍ତ କୌରବ ସେନା ଛତ୍ରଭଙ୍ଗ ଦେଲେ l ଅର୍ଜୁନଙ୍କ ବାଣ ଆଘାତରେ କର୍ଣ୍ଣ, ଦୁର୍ଯ୍ୟୋଧନ ଓ ସମସ୍ତ ସେନାପତି ମାନେ ସଂଜ୍ଞାହୀନହୋଇ ଭୂମିରେ ପଡ଼ିଥିବା ବେଳେ ଅର୍ଜୁନ ଉତ୍ତରଙ୍କୁ କହିଲେ, ତୁମେ ଯାଆ ! ବିଜୟର ଚିହ୍ନ ସ୍ଵରୂପ ସେମାନଙ୍କ ଅଙ୍ଗବସ୍ତ୍ର ସବୁ ଘେନି ଆସ l ଉତ୍ତର ତାହାହିଁ କଲେ l ଶମୀ ବୃକ୍ଷରେ ପୁଣି ନେଇ ସେ ଅର୍ଜୁନଙ୍କ ଅସ୍ତ୍ର ଶସ୍ତ୍ର ସବୁ ରଖି ଦେଲେ l ଅର୍ଜୁନ ବୀରଦର୍ପରେ ଜୟଶଙ୍ଖ ଧ୍ଵନୀ କରି ଉତ୍ତରଙ୍କୁ ଘେନି ବିରାଟ ନଗରୀ ଅଭିମୁଖେ ପ୍ରସ୍ଥାନ କଲେ l

ଅର୍ଜ୍ଜୁନଙ୍କ ଶଙ୍ଖଧ୍ଵନୀ ଶୁଣି କୌରବସେନାଙ୍କ ଚେତା ଫେରି ଆସିବାରୁ ଦୁର୍ଯ୍ୟୋଧନ ଚିତ୍କାର କରି କହିଲା, ଅର୍ଜୁନ ଯୁଦ୍ଧ ଭୂମିରୁ ପଳାଇ ଗଲା l ଅଥଚ କେମିତି କେହି ତାହାର ଗତି ରୋଧ କଲେ ନାହିଁ l ପିତାମହ ଭୀଷ୍ମ ହସି ହସି କହିଲେ ଅର୍ଜୁନ ପଳାଇ ଯାଇନାହିଁ l ସେ ଆମ୍ଭମାନଙ୍କୁ ପ୍ରାଣରେ ନମାରି ଛାଡ଼ି ଯାଇଛି l ଚାଲ ! ଏବେ ହସ୍ତିନାକୁ ଫେରିଚାଲ l

         


Rate this content
Log in

Similar oriya story from Classics