Arjuni charan Behera

Classics Others

4  

Arjuni charan Behera

Classics Others

କୋପ ଭବନରେ କୈକେୟୀ

କୋପ ଭବନରେ କୈକେୟୀ

5 mins
9



ଅଯୋଧ୍ୟାର ବୃଦ୍ଧ ରାଜା ଦଶରଥଙ୍କ ତରୁଣୀ ଭାର୍ଯ୍ୟା ଥିଲେ ମହାରାଣୀ କୈକେୟୀ l ତାଙ୍କୁ ଦଶରଥ ଅତି ଭଲପାଉଥିଲେ l କୈକେଇଙ୍କୁ ସନ୍ତୁଷ୍ଟ ରଖିବାପାଇଁ ରାଜା ତାଙ୍କ ପାଇଁ ପୁଷ୍ପିତ ଉଦ୍ୟାନ ମଧ୍ୟରେ ଏକ ସୁନ୍ଦର ପ୍ରାସାଦ ଗଢି ଦେଇଥିଲେ l ସେଇଠାରେ ରହୁଥିଲେ, ରାଣୀ କୈକେୟୀ l 

ସେଦିନ କୁଜି ମନ୍ଥରା ପ୍ରରୋଚନାରେ ରାଣୀ କୈକେୟୀ ଭବନରେ ମୁହଁମାଡ଼ି ଶୋଇଥାନ୍ତି l ରାଜା ଦଶରଥ ରାତ୍ରି ଯାପନ ପାଇଁ, ଯାଇ ପହଁଚିଲେ କୈକେୟୀଙ୍କ ଭବନରେ l ମନରେ ଆନନ୍ଦ,ମହାରାଣୀଙ୍କୁ ସେ ରାମଙ୍କ ଅଭିଷେକ ବାର୍ତ୍ତା ଦେଇ ଖୁସି କରିଦେବେ l ସେଦିନ କିନ୍ତୁ ତାଙ୍କୁ ପ୍ରତିଦିନ ପରି, କୈକେୟୀ ଆଉ ସ୍ବାଗତ କରିବା ପାଇଁ ଆସିଲେ ନାହିଁ l ସେ ଆଶ୍ଚର୍ଯ୍ୟ ହୋଇ ଶୟନକକ୍ଷରେ ପ୍ରବେଶକରି ଦେଖନ୍ତି ତ ସେଠାରେ କୈକେୟୀ ନାହାଁନ୍ତି l ଜଣେ ଦାସୀକୁ ରାଜା ପଚାରି ଜାଣିଲେ, ରାଣୀ କୈକେୟୀ ଯାଇ କୋପ ଭବନରେ ଶୟନ କରିଛନ୍ତି l ଦଶରଥ, ଧୂଳି ଶଯ୍ୟାରେ ଶୋଇ ଥିବା ରାଣୀଙ୍କ ପାଖରେ ପହଞ୍ଚି କହିଲେ, ଭଦ୍ରେ ! ତୁମର କଅଣ ହୋଇଛି l କୁହ ପ୍ରୀୟେ ! ତୁମ ସନ୍ତୁଷ୍ଟି ପାଇଁ ମୁଁ ସବୁକିଛି କରିପାରେ l

କୈକେୟୀ କହିଲେ, ହେ ରାଜା ! ମୋର ଗୋଟିଏ ଅଭିଳାଷ ଅଛି ତାହା କେବଳ ତୁମେହିଁ ପୂରଣ କରି ପାରିବ l ତୁମେ ତାହା ପୂର୍ଣ୍ଣ କରିବାକୁ ସତ୍ୟ କଲେ, ମୁଁ ପ୍ରକାଶ କରିବି l ଦଶରଥ କହିଲେ, ମୋର ପ୍ରିୟପୁତ୍ର, ରାମ ନାମରେ ମୁଁ ଶପଥ କରି କହୁଛି, ତୁମର ଅଭିଳାଷ ମୁଁ ନିଶ୍ଚୟ ପୂରଣ କରିବି l ତୁମ ଅଭିଳାଷ ନିଃସଙ୍କୋଚରେ ବ୍ୟକ୍ତ କର l କୈକେୟୀ ଉଠିପଡ଼ି କହିଲେ, ହେ ଦଶ ଦିଗପାଳ ! ତୁମେ ମାନେ ସାକ୍ଷୀ ରହିଲ, ଆଜି ସତ୍ୟସନ୍ଧ ଅଯୋଧ୍ୟା ନରେଶ ମୋତେ ବର ଦେବାପାଇଁ ବଚନବଦ୍ଧ l 

କୈକେୟୀ ମଧୁର ସ୍ଵରରେ କହିଲେ, ରାଜା ! ପୂର୍ବେ ଦେବାସୁର ସଂଗ୍ରାମ ବେଳେ ମୋତେ ଯେଉଁ ଦୁଇଟି ବର ଦେବା କଥା କହିଥିଲେ ତାହା ସ୍ମରଣ ଅଛି ତ? ସେତେବେଳେ ମୁଁ କହିଥିଲି, ଯଥା ସମୟରେ ତାହା ମୁଁ ମାଗି ନେବି,ଏବେ ସେହି ଯଥା ସମୟ ଉପସ୍ଥିତ l ବିମୁଗ୍ଧ ରାଜା କହିଲେ, ହଁ ! ମୋର ସେହି ପ୍ରତିଶ୍ରୁତି ଠିକ୍ ମନେ ଅଛି l ତୁମେ ଯାହା ମାଗିବା କଥା ମାଗ ମୁଁ ତାହା ନିଶ୍ଚୟ ପୂରଣ କରିବି l ରାଣୀ କୈକେୟୀ କହିଲେ, ତେବେ ଶୁଣନ୍ତୁ l ମୋ ପ୍ରଥମ ବର, ରାମ ଅଭିଷେକ ପାଇଁ ଯାହାସବୁ ଅୟୋଜନ ଚାଲିଛି ତାହା ଭରତ ପାଇଁ ହେଉ l ମୋର ଦ୍ୱିତୀୟ ବର ହେଉଛି, ରାମ ଜଟା ବକ୍କଳ ଧାରଣ କରି ଚୋଉଦବର୍ଷ ବନକୁ ଯାଉ l ହେ ରାଜା ! ତୁମେ ଈକ୍ଷାକୁ ବଂଶର ମର୍ଯ୍ୟାଦା ରକ୍ଷାକରି ନିଜର ସତ୍ୟ ପାଳନ କର l

କୈକେୟୀଙ୍କ ଏ ନିଷ୍ଠୁର ବର ପ୍ରାର୍ଥନା ଶୁଣି ଦଶରଥ ମୂର୍ଚ୍ଛିତହୋଇ ପଡ଼ି ଗଲେ l କିଛି ସମୟ ପରେ ସଂଜ୍ଞା ଲାଭ କରି, ଦଶରଥ କହିଲେ,ରେ କୁଳଘାତିନୀ ! ରେ ପାପୀୟସି ! ତୁ ରାଜକନ୍ୟା ନୋହୁଁ, ତୁ ଗୋଟେ କାଳ ସର୍ପିଣୀ l ତୋତେ ଆଣି, ମୁଁ ମୋ ସର୍ଵନାଶକୁ ବରଣ କରିଛି l କିନ୍ତୁ ବଚନବଦ୍ଧ ରାଜା ପୁଣି ସଙ୍ଗେ ସଙ୍ଗେ ବିନୟ ହୋଇ କହିଲେ, କୈକେୟୀ ! ତୁମେ ମୋ ପ୍ରତି ସଦୟ ହୁଅ l ଏହି ସସାଗରା ପୃଥିବୀରେ ତୁମେ ଯାହା ମାଗିବ, ମୁଁ ଦେବା ପାଇଁ ପ୍ରସ୍ତୁତ l ମୋ ପ୍ରାଣ ପ୍ରୀୟ ରାମପ୍ରତି ତୁମେ ଆଉ ଏତେ ନିଷ୍ଠୁର ହୁଅନାହିଁ l ତୁମେ ତ ରାମକୁ ଅତି ଭଲପାଅ l ଘୋର ଅଧର୍ମରୁ ତୁମେ ମୋତେ ରକ୍ଷା କର l ମୁଁ ବୃଦ୍ଧ ଏବେ ମୋର ଶେଷ ସମୟ ଉପସ୍ଥିତ ତୁମେ ସଦୟ ହୁଅ ରାଣୀ କୈକେୟୀ ! ତୁମେ ସଦୟ ହୁଅ

ଦଶରଥଙ୍କ କରୁଣ ବିଳାପରେ କିନ୍ତୁ ରାଣୀ କୈକେୟୀଙ୍କ ହୃଦୟରେ କିଛି ପରିବର୍ତ୍ତନ ହେଲା ନାହିଁ l ସେ ଆହୁରି କଠୋର ହୋଇ କହିଲେ, ହେ ରାଜା ! ତୁମେ ମିଥ୍ୟାଚାରୀ ହୋଇ, ଦୁନିଆଁ ଆଗରେ କେଉଁ ପରିଚୟ ଦେବ ଭାବିନିଅ l ମୁହୂର୍ତ୍ତକ ପାଇଁ ମଧ୍ୟ ମୁଁ ଆଉ କୌଶଲ୍ୟାଙ୍କୁ ରାଜ ମାତା ଭାବେ ଦେଖିବାକୁ ଚାହେଁ ନାହିଁ l ରାମ କେବଳ ବନକୁ ଗଲେ ଯାଇ ମୁଁ ସନ୍ତୁଷ୍ଟ ହେବି l ନୋହିଲେ, ମୁଁ ତୁମରି ଆଗରେ ବିଷ ପାନ କରିବି l ଏପରି କହି କୈକେୟୀ ମୁହଁ ବୁଲାଇ ଦେଇ ଆଉ କୌଣସି କଥା କହିଲେ ନାହିଁ l

କାନ୍ଦି କାନ୍ଦି ଦଶରଥଙ୍କ ଚକ୍ଷୁ ରକ୍ତବର୍ଣ୍ଣ ହୋଇ ଗଲା ମାତ୍ର ରାଣୀ କୈକେୟୀ କିଛି ଉତ୍ତର ଦେଲେ ନାହିଁ l ରାତିପାହି କ୍ରମେ ପ୍ରଭାତ ହେଲା l ଭାଟମାନେ ଆସି ମହାରାଜଙ୍କ ନିଦ୍ରା ଭଙ୍ଗ ପାଇଁ ସ୍ତୁତି ଗାନ କରିବାକୁ ବସିଲାରୁ ଦଶରଥ ତାଙ୍କୁ ବାରଣ କଲେ l ରାଣୀଙ୍କୁ ଚାହିଁ ସେ କହିଲେ,ପାପିନୀ ! ବର୍ତ୍ତମାନ ମୁଁ ତୋତେ, ତୋ' ପୁତ୍ର ଭରତକୁ ଏଇ ମୁହୂର୍ତ୍ତରେ ପରିତ୍ୟାଗ କରୁଛି l ରାମ ଅଭିଷେକ ପାଇଁ, ଯାହା ଆୟୋଜନ ହୋଇଛି ତାହା ମୋ ମୃତ୍ୟୁ କ୍ରିୟାରେ ଲାଗିବ l ଅତି କଠୋର ଶବ୍ଦରେ କୈକେୟୀ କହିଲେ, ମହାରାଜ ! ଏଣୁ ତେଣୁ ଗୁଡ଼ିଏ କହିବାର କିଛି ଅର୍ଥ ନାହିଁ l ଶୀଘ୍ର ରାମକୁ ଡକାଇ ବନକୁ ପଠାଇବାର ବ୍ୟବସ୍ଥା କର l ମୋ ପୁଅ ଭରତ ଯୁବରାଜ ହେଉ l

ପ୍ରଭାତରୁ କୁଳଗୁରୁ ବଶିଷ୍ଠ ରାମାଭିଷେକର ସମସ୍ତ ଆୟୋଜନ ସାରି, ମନ୍ତ୍ରୀ ସୁମନ୍ତ୍ରଙ୍କୁ କହିଲେ, ତୁମେ ଶୀଘ୍ର ଯାଇ ମହାରାଜଙ୍କୁ ଘେନିଆସ l ମନ୍ତ୍ରୀ ସୁମନ୍ତ୍ର ଯାଇ କୈକେୟୀଙ୍କ ଭବନରେ ପହଞ୍ଚିଲେ l ମନ୍ତ୍ରୀଙ୍କୁ ଦେଖି ଶୋକାର୍ତ୍ତ ଦଶରଥଙ୍କ ମୁଖରୁ ବାକ୍ୟ ସ୍ଫୁରିଲା ନାହିଁ l ଏହି ସମୟରେ କୈକେୟୀ କହିଲେ, ପୁତ୍ରର ଅଭିଷେକ କଥା ଚିନ୍ତା କରି କରି ମହାରାଜଙ୍କୁ କାଲି ରାତ୍ରିରେ ଠିକ୍ ନିଦ୍ରା ହୋଇ ନାହିଁ l ସେ ଖୁବ୍ କ୍ଳାନ୍ତ l ତୁମେ ଯାଆ l ରାମକୁ ଏଠାକୁ ଘେନି ଆସ l ସୁମନ୍ତ୍ର କିଛି ବୁଝି ପାରିଲେ ନାହିଁ l ସେ ଦ୍ରୁତ ବେଗରେ ରଥ ଛୁଟାଇ ରାମଙ୍କ ଭବନରେ ପହଞ୍ଚି ରାଜାଙ୍କ ସନ୍ଦେଶ ଜଣାଇ ଦେଲେ l

ରାମ ତୁରନ୍ତ କୈକେୟୀଙ୍କ ଭବନରେ ପହଞ୍ଚି ବିଷର୍ଣ୍ଣ ପିତାଙ୍କୁ ଦେଖି କହିଲେ, କ'ଣ ହୋଇଛି ପିତାଙ୍କର l କୈକେୟୀଙ୍କୁ ଚାହିଁ କହିଲେ, ମାଆ ! ଆପଣ କଅଣ କୌଣସି କଠୋର କଥା କହି ପିତାଙ୍କ ମନରେ କଷ୍ଟ ଦେଇଛନ୍ତି ? କଅଣ ହୋଇଛି ? ସେ ଏପରି ବିଷର୍ଣ୍ଣ ଦେଖା ଯାଉଛନ୍ତି କାହିଁକି l ମହାରାଜ ଦଶରଥ କିଛି କହିବା ପୂର୍ବରୁ କୈକେୟୀ କହିଲେ, ପିତାଙ୍କର କିଛି ହୋଇ ନାହିଁ l ତାଙ୍କର କିଛି ମନର କଥା ଅଛି l ମାତ୍ର ତୁମେ ତାଙ୍କର ପ୍ରିୟପୁତ୍ର ହୋଇ ଥିବାରୁ, ସେ କହିବା ପାଇଁ ସଙ୍କୋଚ କରୁଛନ୍ତି l ତୁମେ ରାଜାଙ୍କ ଆଦେଶ ଯଦି ପାଳନ କରିବା ପାଇଁ ରାଜି, ତାହା ମୁଁ କହିବି l ଶ୍ରୀରାମ କହିଲେ, କୁହନ୍ତୁ ମାଆ ! ମୁଁ ତାହା ନିଶ୍ଚୟ ପାଳନ କରିବି l ପୁଣି ରାମ କହିଲେ:-

     ଭକ୍ଷୟେୟଂ ବିଷମ୍ ତୀକ୍ଷ୍ଣୋ 

       ପତେୟମପି ଚାର୍ଣ୍ଣବେ l

       ନିଯୁକ୍ତୋ ଗୁରୁଣା ପିତ୍ରା 

       ନୃପେଣ ଚ ହିତେନ ଚ ll

       ତଦ୍ ବୃହି ବଚନଂ ଦେବୀ 

       ରାଜ୍ଞୋ ୟଦଭିକାଙ୍କ୍ଷିତମ୍ l

       କରିଷ୍ୟେ ପ୍ରତିଜ୍ଞାନେ ଚ 

      ରାମୋ ଦ୍ଵିର୍ନାଅଭିଭାଷତେ ll 

ଅର୍ଥାତ୍ ରାମ କହିଲେ, ମୁଁ ପିତୃ ଆଜ୍ଞା ପାଳନ ପାଇଁ ତୀବ୍ରବିଷ ପାନ କରିପାରେ l ସମୁଦ୍ରକୁ ଲମ୍ଫ ଦେଇ ପାରେ l ପିତା ମୋର ପରମ ହିତୈଷୀ ଏବଂ ଗୁରୁ l ଏଣୁ ହେ ଦେବୀ, ରାଜାଙ୍କର ଯାହା ଅଭୀଷ୍ଠ ଆପଣ ମୋତେ କୁହନ୍ତୁ, ମୁଁ ନିଶ୍ଚୟ ପିତ୍ରାଜ୍ଞା ପାଳନ କରିବି l ରାମ କେବେ ଦ୍ଵିରୁକ୍ତି କରେ ନାହିଁ l

ରାମଙ୍କ ଦୃଢ଼ ବାକ୍ୟ ଶୁଣି କୈକେୟୀ ପ୍ରିତ ହେଲେ l ସେ କହିଲେ, ପୁତ୍ର ରାମ ! ପୂର୍ବେ ଥରେ ଦେବାସୁର ସଂଗ୍ରାମ ବେଳେ ରାଜା ମୋତେ ଦୁଇଟି ବର ଯାଚି ଥିଲେ l ସେହି ବର ଦୁଇଟି ମୁଁ ନନେଇ ପରେ ମାଗି ନେବି ବୋଲି କହିଥିଲି l ଏବେ ମୁଁ ତାହା ମାଗିବାରୁ ରାଜା ମୋତେ ତାହା ଦେବା ପାଇଁ ସତ୍ୟ କରିଛନ୍ତି l ତାହା ହେଲା, ତୁମ ପରିବର୍ତ୍ତେ ଭରତର ଅଭିଷେକ ହେବ ଏବଂ ତୁମେ ଚଉଦ ବର୍ଷ ବନବାସ କରିବ l ରାଜା ଏପରି ବରଦେଇ ଲଜ୍ଜାରେ ତୁମକୁ କିଛି କହି ପାରୁ ନାହାଁନ୍ତି l ତୁମେ ପିତାଙ୍କ ସତ୍ୟ ପାଳନ ପୂର୍ବକ ତାଙ୍କୁ ଏ ସନ୍ତାପରୁ ଉଦ୍ଧାର କର l 

ଶ୍ରୀରାମ କହିଲେ, ମାଆ ! ଆପଣ ପିତାଙ୍କୁ ସାନ୍ତ୍ଵନା ଦିଅନ୍ତୁ l ମୁଁ ମାତୁଳାଳୟରୁ ଭରତକୁ ଶୀଘ୍ର ଆସିବା ପାଇଁ, ଖବର ପଠାଉଛି l ପିତାଙ୍କ ଆଦେଶ ପାଳନ କରି ମୁଁ ଆଜି ଦଣ୍ଡକାରଣ୍ୟ ଯାତ୍ରା କରୁଛି l ରାମଙ୍କ କଥାଶୁଣି ରାଜା ଦଶରଥ ବାତାହତ ରମ୍ଭା ବୃକ୍ଷ ପରି ପଲ୍ୟଙ୍କ ଉପରେ ମୂର୍ଚ୍ଛିତ ହୋଇ ପଡ଼ିଗଲେ l

          


Rate this content
Log in

Similar oriya story from Classics