Arjuni charan Behera

Classics Others

4  

Arjuni charan Behera

Classics Others

କେଶବ ଧୃତ ନରହରି ରୂପ

କେଶବ ଧୃତ ନରହରି ରୂପ

5 mins
12


 

ଶ୍ରୀମଦ୍ ଭାଗବତ ମହାପୁରାଣର କଥା l ଏକଦା ସନ୍ଧ୍ୟା ଅଗ୍ନିହୋତ୍ର ଶେଷକରି ୠଷି କଶ୍ୟପ ଯଜ୍ଞ ଶାଳାରେ ବସିଥାନ୍ତି l ପତ୍ନୀ ଦିତି ସେଠାକୁ ଆସି ତାଙ୍କଠାରୁ ପୁତ୍ର କାମନା କଲେ l ମହର୍ଷି କଶ୍ୟପ ତାଙ୍କୁ କହିଲେ, ସନ୍ଧ୍ୟା, ଦିବା ରାତ୍ରିର ସନ୍ଧିକାଳ l ଏହି ସମୟରେ ଦେଵତା ହେଊଛନ୍ତି ରୁଦ୍ର l ଏହା ପୁଣି ପବିତ୍ର ଆଗ୍ନିହୋତ୍ରର ସ୍ଥାନ,ଏହି ସମୟରେ ପୁତ୍ର ଉତ୍ପାଦନ ଆଦୌ କରଣୀୟ ନୁହେଁ l ପ୍ରବଳ କାମାବେଶରେ ଦିତି କଶ୍ୟପଙ୍କ କୌଣସି କଥାକୁ କର୍ଣ୍ଣପାତ କଲେ ନାହିଁ l କଶ୍ୟପ କହିଲେ ତୁମର ବର୍ତ୍ତମାନ ଗର୍ଭାଧାନ ହେଲେ ଏକ ମହା ଭୟଙ୍କର ଦୈତ୍ୟର ଜନ୍ମ ହେବ l କିନ୍ତୁ ପ୍ରବଳ କାମ ବଶରେ ଦିତି ମହର୍ଷି କଶ୍ୟପଙ୍କୁ ଟାଣିବାକୁ ଲାଗିଲେ l ଦିତିଙ୍କସହ କଶ୍ୟପଙ୍କ ମିଳନ ହେବାରୁ ଜୟ, ବିଜୟ ନାମକ ଶାପଗ୍ରସ୍ତ, ବିଷ୍ଣୁଙ୍କ ପାର୍ଷଦ ଦ୍ୱୟ ରାକ୍ଷସ ରୁପରେ ଜନ୍ମ ହେଲେ, ସେହି ଦୁଇ ଯମଜ ସନ୍ତାନ ହେଲେ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ l

ପୂର୍ବେ ଏ ଦୁହେଁ ବୈକୁଣ୍ଠର ଦ୍ଵାରପାଳ ଜୟ ଏବଂ ବିଜୟ ଥିଲେ l ଥରେ ଚାରି ସନକାଦି ଋଷିମାନେ ନାରାୟଣଙ୍କ ଦର୍ଶନ ପାଇଁ ଯାଇଥିଲେ l ଏମାନେ ତାଙ୍କୁ ବାଟ ଛାଡ଼ିଲେ ନାହିଁ l କ୍ରୋଧରେ ସନକାଦି ଋଷିମାନେ ତାଙ୍କୁ ଅଭିଶାପ ଦେଲେ ତୁମେ ମାନେ ତିନିଜନ୍ମ ପର୍ଯ୍ୟନ୍ତ ଭୟଙ୍କର ଦୈତ୍ୟ ରୂପରେ ଜନ୍ମ ହେବ l ଜୟ ବିଜୟ ଅନୁତପ୍ତ ହୋଇ ଭଗବାନଙ୍କ ଶରଣ ପଶିଲେ l ଭଗଵାନ କହିଲେ ପାପ ସର୍ବଦା ଦଣ୍ଡନୀୟ l ମୋର ଡାହାଣ ହାତ ପାପ କଲେ ମୁଁ ତାକୁ କାଟି ଦେବି l ତୁମେ ମୋର ପାର୍ଷଦ ହେଲେ ମଧ୍ୟ ଅଭିଶାପ ଅନୁଯାୟୀ ତୁମେ ନିଶ୍ଚୟ ତିନିଥର ରାକ୍ଷସ ଜନ୍ମ ଗ୍ରହଣ କରିବ ଏବଂ ସେତେ ବେଳେ ମୁଁ ପୃଥିବୀକୁ ଆସି ତୁମଙ୍କୁ ଉଦ୍ଧାର କରିବି l

ହିରଣ୍ୟାକ୍ଷ ଘୋର କଠୋର ତପକରି ବଳଶାଳୀ ହେଲା l ସେ ଥରେ ପୃଥିବୀକୁ ହରଣ କରି ନେଇ ଗଭୀର ଜଳ ମଧ୍ୟରେ ଲୁଚିଗଲା l ଭଗଵାନ ବିଷ୍ଣୁ ବରାହ ଅବତାର ଧରି ତାକୁ ବଧ କରି ପୃଥିବୀକୁ ଦନ୍ତାଗ୍ରରେ ଧରି ଉଠି ଆସିଲେ l 

ଭାଇ ହିରଣ୍ୟାକ୍ଷର ବଧ କଥା ଶୁଣି ହିରଣ୍ୟକଶିପୁ କ୍ରୋଧରେ ଜଳିଉଠିଲା l ପ୍ରତିଜ୍ଞା କଲା ଭ୍ରାତୃହନ୍ତା ମାୟାବୀ ବିଷ୍ଣୁଙ୍କୁ ମୁଁ ନିଶ୍ଚୟ ହତ୍ୟା କରିବି l ତାର ଅନୁଚର ମାନଙ୍କୁ କହିଲା, ତୁମେ ମାନେ ସମସ୍ତେ ବ୍ରାହ୍ମଣ ଏବଂ କ୍ଷତ୍ରିୟ ପୂର୍ଣ୍ଣ ଏହି ପୃଥିବୀକୁ ଯାଅ l ସେଠାରେ ତପ,ଯଜ୍ଞ ସ୍ୱାଧ୍ୟାୟ କରୁଥିବା ସମସ୍ତଙ୍କୁ ବଧକର l ଗୋ ବ୍ରାହ୍ମଣଙ୍କୁ ହତ୍ୟା କର l ଏହି ଯଜ୍ଞ ହେଉଛି ବିଷ୍ଣୁର ସ୍ୱରୂପ, ମୁଁ ସେ ମାୟାବୀ ବିଷ୍ଣୁକୁ ଉଚିତ ଶାସ୍ତି ଦେବି l ତା'ର ଆଦେଶରେ ଦୈତ୍ୟ ମାନେ ଭୀଷଣ ଅତ୍ୟାଚାର ଆରମ୍ଭ କରିଦେଲେ l ତାଙ୍କ ଉପଦ୍ରବରେ ତ୍ରିପୁର କମ୍ପି ଉଠିଲା, ଦେବତା ମାନେ ଶଙ୍କିତହୋଇ ଇତସ୍ତତ ପଳାୟନ କଲେ l ହିରଣ୍ୟକଶିପୁ ଅଧିକ ଶକ୍ତିଶାଳୀ ଅଜେୟ ଅମର ହେବାପାଇଁ ଯାଇ ମନ୍ଦରପର୍ବତର ଏକ ଗୁମ୍ଫାରେ ଉଗ୍ର ତପସ୍ୟା ଆରମ୍ଭ କରିଦେଲା l

ହିରଣ୍ୟକଶିପୁ ତପସ୍ୟା କରିବା ପାଇଁ ଚାଲିଗଲା ପରେ ଦେଵତା ମାନେ ରାକ୍ଷସ ମାନଙ୍କ ଉପରେ ପ୍ରବଳ ଆକ୍ରମଣ କରି ଦେଲେ l ହିରଣ୍ୟକଶିପୁର ରାଜ ପ୍ରାସାଦକୁ ଦେଵତା ମାନେ ଧ୍ବସ୍ତବିଧ୍ୱସ୍ତ କରି ରାଜମହିଷୀ କୟାଧୁଙ୍କୁ ଇନ୍ଦ୍ର କବ୍ଜା କରିନେଲେ l ଇନ୍ଦ୍ର କୟାଧୁଙ୍କୁ ଘେନିଯାଉଥିବା ବେଳେ ପଥରେ ଦେବର୍ଷି ନାରଦଙ୍କ ସହ ଭେଟ ହେଲା l ଦେବର୍ଷି ଇନ୍ଦ୍ରଙ୍କୁ କହିଲେ ଏହାଙ୍କୁ ଶୀଘ୍ର ଛାଡ଼ି ଦିଅ l କିନ୍ତୁ ଇନ୍ଦ୍ର କହିଲେ,ଦେଵତାଙ୍କ ଶତ୍ରୁ ହିରଣ୍ୟକଶିପୁର ଉଗ୍ର ବୀର୍ଯ୍ୟ ଏହାଙ୍କ ଗର୍ଭରେ ରହିଛି l ଏଣୁ ସେ ପ୍ରସବ କଲା ପର୍ଯ୍ୟନ୍ତ,ମୋରି ପାଖରେ ରହିବେ l ଏହାଙ୍କ ଗର୍ଭଜାତ ସନ୍ତାନକୁ ମାରି ସାରିଲା ପରେ ମୁଁ ଏହାଙ୍କୁ ମୁକ୍ତକରିବି l ନାରଦ କହିଲେ,ଏହାଙ୍କ ଗର୍ଭରେ ଜଣେ ଭଗବାନଙ୍କ ପରମ ଭକ୍ତ ଅଛନ୍ତି l ତାକୁ ମାରିବାକୁ ତୁମର ଶକ୍ତି ନାହିଁ l ଏପରି କହି ଦେବର୍ଷି କୟାଧୁଙ୍କୁ ନିଜ ଆଶ୍ରମକୁ ଘେନି ଗଲେ l ତାଙ୍କୁ ନାରଦ କହିଲେ, ତୁମର ସ୍ବାମୀ ତପସ୍ୟାରୁ ଫେରି ଆସିଲାଯାଏ ଏହିଠାରେ ନିର୍ଭୟରେ ବାସ କର l କୟାଧୁ ଦେବର୍ଷିଙ୍କ ସେବା କରି ସେଠାରେ କାଳକଟାଇଲେ l ନାରଦ ଗର୍ଭସ୍ଥ ସନ୍ତାନକୁ ଲକ୍ଷ୍ୟ କରି, କୟାଧୁଙ୍କୁ ଭାଗବତ ଧର୍ମର ତତ୍ତ୍ଵ ଓ ବିଶୁଦ୍ଧ ଜ୍ଞାନ ଉପଦେଶ ଦେଲେ l ମାତୃ ଗର୍ଭରେ ସମସ୍ତ ଭକ୍ତି ଆହରଣ କରି କାଳ କ୍ରମେ ଭୂମିଷ୍ଠ ହେଲେ ପରମ ବିଷ୍ଣୁଭକ୍ତ ପ୍ରହଲ୍ଲାଦ l 

ଏଣେ ହିରଣ୍ୟକଶିପୁ ବ୍ରହ୍ମାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ବର ପ୍ରାର୍ଥନାକଲା, ମୋର ମୃତ୍ୟୁ ଜଳ, ସ୍ଥଳ ଆକାଶରେ, ଘର ଭିତରେ ବା ବାହାରେ କେଉଁଠି ହେଲେ ହେବ ନାହିଁ l ମନୁଷ୍ୟ ବା ଅନ୍ୟ କୌଣସି ପ୍ରାଣୀ ମୋତେ ମାରି ପାରିବେ ନାହିଁ l ବ୍ରହ୍ମା ତାକୁ ଇପ୍ସିତ ବର ପ୍ରଦାନ କଲେ l ମାତ୍ର ସମ୍ପୂର୍ଣ୍ଣ ଇନ୍ଦ୍ରର ସମ୍ପଦ ଭୋଗକରି ମଧ୍ୟ ସେ ସନ୍ତୁଷ୍ଟ ହେଲାନାହିଁ l ଭଗଵାନଙ୍କ ପ୍ରତି ଶତ୍ରୁତାରେ ସେ ପୁତ୍ରକୁ ଦୀକ୍ଷିତ କରାଇବା ପାଇଁ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ମାନଙ୍କୁ ନିଜ ପୁତ୍ର ପ୍ରହହ୍ଲାଦର ଗୁରୁଭାବେ ନିଯୁକ୍ତ କଲା l କିଛିକାଳ ପରେ ପୁତ୍ର କ'ଣ ପଢ଼ିଛି ତାହା ଜାଣିବା ପାଇଁ ହିରଣ୍ୟ ଦିନେ ପୁଅକୁ କୋଳ କରି ପଚାରିଲା,ତୁ ସବୁ କଅଣ କଅଣ ପଢ଼ିଲୁ, କଅଣ ସବୁ ତୋତେ ଭଲଲାଗିଲା l ପ୍ରହ୍ଲାଦ କହିଲେ, ଏ ବିନାଶଶୀଳ ବସ୍ତୁରେ ସୁଖନାହିଁ l ଗୃହତ୍ୟାଗ କରି ବନରେ ଭଜନ କରିବା ହିଁ ଭଲ l ହିରଣ୍ୟକଶିପୁ ପୁତ୍ରକୁ ଯେତେ ଭୌତିକ ବିଦ୍ୟା ଶିଖାଇବା ପାଇଁ ଚେଷ୍ଟାକଲା ପ୍ରହ୍ଲାଦ ତାହା ଶିଖିଲେନାହିଁ l ସର୍ବଦା ସେ ଭଗଵାନଙ୍କ ଭଜନରେ ଲାଗି ରହିଲେ l ସେ ପିତାଙ୍କୁ ନବଧା ଭକ୍ତି କଥା ଶୁଣାଇଲେ l

ଶେଷରେ ହିରଣ୍ୟକଶିପୁ ବିଚାର କଲା ଏ ମୋର ପୁତ୍ର ନୁହେଁ ଶତ୍ରୁ l ମୁଁ ଯେଉଁ ବିଷ୍ଣୁଙ୍କୁ ମାରି ତା'ର ନାମକୁ ସଂସାରରୁ ବୁଡ଼ାଇ ଦେବାକୁ ଚାହୁଛି ଇଏ ତାହାରି ଭଜନକରୁଛି l ସେ ଦୈତ୍ୟମାନଙ୍କୁ ଡାକି ଆଦେଶ ଦେଲା, ଏହାକୁ ହତ୍ୟା କର l ତାଙ୍କ ଆଦେଶ ପାଳିତ ହେଲା l ପ୍ରହ୍ଲାଦଙ୍କୁ ନେଇ ଦୈତ୍ୟ ମାନେ ଅଗ୍ନିରେ ପୋଡ଼ିଲେ, ପାଣିରେ ବୁଡ଼ାଇଲେ, ହାତୀ ଚଢ଼ାଇଲେ,ବିଷପାନ କରାଇଲେ, ପର୍ବତ ଉପରୁ ପକାଇ ଦେଲେ l ମାତ୍ର ପ୍ରଲ୍ଲାଦଙ୍କର କିଛି ହେଲା ନାହିଁ l ଶେଷକୁ,କ୍ରୁଦ୍ଧ ହିରଣ୍ୟକଶିପୁ ନିଜେ ଖଣ୍ଡା ଧରି ବାହାରି ଆସିଲା ପ୍ରହ୍ଲାଦଙ୍କୁ ହତ୍ୟା କରିବାକୁ l ସେ ପୁତ୍ରକୁ କହିଲା, ତୁ ତୋର ଭଗବାନ ସବୁଠି ଅଛନ୍ତିବୋଲି କହୁଛୁ l ମୁଁ ଏହି ଖମ୍ବକୁ ପଦାଘାତ କରୁଛି l ଯଦି ତୋତେ ସେ ରକ୍ଷା କରିବ ତେବେ ଏ ଖମ୍ବରୁ ସେ ବାହାରି ଆସୁ l ଭଗଵାନ ନୃସିଂହ ସେ ଖମ୍ବରୁ ବାହାରି ଆସିଲେ l ତାଙ୍କ ରୂପ ଥିଲା " ନ ମୃଗଂ ନ ମାନୁଷମ୍ " l ରାତି ନୁହେଁ କି ଦିନ ନୁହେଁ, ସମୟ ଥିଲା ସନ୍ଧ୍ୟା l ବାହାରେ ନୁହେଁ କି ଘରେ ନୁହେଁ ସ୍ଥାନ ଥିଲା ଦୁଆର ବନ୍ଧ l ଭଗଵାନ ନୃସିଂହ ହିରଣ୍ୟକଶିପୁକୁ ଘୋଷାଡ଼ି ନେଇ ତୀକ୍ଷ୍ମ ନଖରେ ତାର ବୁକୁ ବିଦାରଣ କରି ହତ୍ୟା କଲେ l ସେହି ଉଗ୍ର ନୃସିଂହଙ୍କୁ ବ୍ରହ୍ମା କିମ୍ବା ଦେଵତାମାନେ କେହି ଚାହିଁ ପାରିଲେନାହିଁ l କିନ୍ତୁ ଭକ୍ତ ପ୍ରଲ୍ଲାଦଙ୍କ ସ୍ତୁତିରେ ପ୍ରଭୁ ଶାନ୍ତ ହୋଇ ତାଙ୍କୁ ବର ମାଗିବାକୁ କହିଲେ l ପ୍ରହ୍ଲାଦ କହିଲେ ମୋର କିଛି ଦରକାର ନାହିଁ, ଏତିକି ଅନୁଗ୍ରହ କରନ୍ତୁ, ଯେପରି ଆପଣଙ୍କ ଠାରେ ମୋର ଅଚଳା ଭକ୍ତି ରହୁ l ମୋ ପିତା ବହୁ ଅପରାଧ କରିଛନ୍ତି ତାଙ୍କୁ ଉଦ୍ଧାର କରନ୍ତୁ l

ଭଗବାନ କହିଲେ, ତୁମର ସମସ୍ତ ପିତୃ ପୁରୁଷଙ୍କ ଉଦ୍ଧାର ହୋଇ ସାରିଛି l ମୋ'ର ପ୍ରସାଦ ବୋଲି ଗ୍ରହଣକରି ଏବେ ତୁମେ ଏହି ରାଜ ସିଂହାସନକୁ ଭୋଗ କରି, ଦୀର୍ଘକାଳ ପର୍ଯ୍ୟନ୍ତ ଏହି ପୃଥିବୀକୁ ଶାସନ କର l ଭଗଵାନ ନୃସିଂହଙ୍କ ଆଦେଶରେ ପ୍ରହହ୍ଲାଦ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଶେଷ କଲେ l ଭଗଵାନ ତାଙ୍କୁ କହିଲେ, ମୋତେ ସର୍ବ ଭୂତରେ ତୁମେ ଭଜନ କରି, ରାଜ୍ୟ ଶାସନ କର l ଅନ୍ତଃ କାଳରେ ତୁମେ ମୋର ପରମ ପଦ ଲାଭକରିବ l ମୋର ପରମଭକ୍ତ ଭାବେ ଯିଏ ମୋ ନାମସହ ତୁମ ନାମକୁ ପ୍ରାତଃ କାଳରେ ସ୍ମରଣ କରିବ ତାର ସମସ୍ତ ପାପ ଖଣ୍ଡନହେବ l ଶ୍ରୀମଦ୍ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କହିଲେ:-

 ଯେ ମୋତେ ସ୍ମରିବେ ତୋ ସଙ୍ଗେ l 

        ପାପ ନରହୁ ତାଙ୍କ ଅଙ୍ଗେ ll 

 ଅଶେଷ କର୍ମବନ୍ଧ ପାଶ l 

        ତକ୍ଷଣେ ହୋଇବ ବିନାଶ ll

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥଲେ l ତେଣୁ ଏହି ଦିନଟିକୁ ଭକ୍ତମାନେ ଶ୍ରଦ୍ଧା ଏବଂ ଭକ୍ତି ସହକାରେ ନୃସିଂହ ଜୟନ୍ତୀ ବୋଲି ପାଳନ କରିଥାନ୍ତି l ଭଗଵାନଙ୍କ ଦଶାବତାର କ୍ରମରେ ନୃସିଂହଙ୍କୁ ଚତୁର୍ଥ ଅବତାର ଭାବେ ଗ୍ରହଣ କରା ଯାଇଥାଏ l ଦଶାବତାର ସ୍ତୋତ୍ରରେ ଭକ୍ତକବି ଜୟଦେବ ନୃସିଂହଙ୍କ ବନ୍ଦନା କରିଛନ୍ତି :-

 ତବ କରକମଳବରେ ନଖମଦ୍ଭୁତଶୃଙ୍ଗମ୍ l

   ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ ll

     କେଶବ ଧୃତ, ନରହରି ରୂପ,

       ଜୟ ଜଗଦୀଶ ହରେ ll

  !!! ଓଁ ନମଃ ଭଗବତେ ବାସୁଦେବାୟ !!!

          


Rate this content
Log in

Similar oriya story from Classics