Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀକୃଷ୍ଣଙ୍କୁ ଭୀଷ୍ମଙ୍କ ଶେଷ ଦର୍ଶନ

ଶ୍ରୀକୃଷ୍ଣଙ୍କୁ ଭୀଷ୍ମଙ୍କ ଶେଷ ଦର୍ଶନ

5 mins
7



ଅଷ୍ଟାଦଶ ଦିନର ମହାଭାରତ ଯୁଦ୍ଧ ସମାପ୍ତ ହୋଇଛି l ନୀରବ ନିସ୍ତବ୍ଧ କୁରୁକ୍ଷେତ୍ର ରଣ ଭୂମିରେ ଖାଲି ଶୁଣା ଯାଉଛି, ଗୁଧ୍ର, ଶ୍ୱାନ ଶିବାଙ୍କ ଚିତ୍କାର l ଚାରି ଆଡ଼େ ପଡ଼ି ରହିଛି ଯୋଦ୍ଧାଙ୍କ ଛିନ୍ନବସ୍ତ୍ର, ଗଳିତ ଚ୍ଛିନ୍ନ ଅଙ୍ଗ, ଛିନ୍ନ ମସ୍ତକ l ଚାରି ଆଡ଼େ ଛାଇ ଯାଇଛି ଭୟଙ୍କର ନୀରବତା l ସେହି ଭୟଂକର ନିର୍ଜନ ରଣ ଭୂମିରେ ଶର ଶଯ୍ୟାରେ ଉତ୍ତରାୟଣକୁ ପ୍ରତୀକ୍ଷାକରି ଶୋଇ ଥାନ୍ତି ଭୀଷଣ ପ୍ରତିଜ୍ଞା ଧର ଗଙ୍ଗାପୁତ୍ର ଭୀଷ୍ମ l ହଠାତ ଏକ କ୍ଷୀଣ ସ୍ୱର ଶୁଭିଲା "ପ୍ରଣାମ ପିତାମହ" l

ଚିର ପରିଚିତ ଏ ସ୍ୱରକୁ ଶୁଣି ଭୀଷ୍ମ ଜାଣି ପାରିଲେ ତାଙ୍କୁ ଶେଷ ଦର୍ଶନ ଦେବା ପାଇଁ ଆସିଛନ୍ତି, ଚକ୍ରଧାରୀ ଶ୍ରୀକୃଷ୍ଣ l ସାଙ୍ଗରେ ଅଛନ୍ତି ଧର୍ମ ନନ୍ଦନ ଓ ପାଣ୍ଡବ ଚାରିଭାଇ l ଭାବ ବିହ୍ଵଳ ହୋଇ ପଡ଼ିଲେ ପିତାମହ l 

ଚକ୍ଷୁ ଉନ୍ମିଳିତ କରି କହିଲେ ହେ କେଶବ ! ଆପଣ ମୋର ଇଛା ପୂରଣ କରି, ହସ୍ତୀନା ପୁରକୁ ସୁରକ୍ଷିତ ରଖିଛନ୍ତି l ମର୍ତ୍ତ୍ୟ ଛାଡ଼ିବା ପୂର୍ବରୁ ଆପଣଙ୍କୁ ସ୍ମରଣ କରୁଥିଲି ଅନ୍ତିମ ଦର୍ଶନ ପାଇଁ l ଯାହାହେଉ ଆପଣ ମୋତେ ଦର୍ଶନ ଦେଇ କୃତାର୍ଥ କଲେ l

କିଛି ସମୟର ନୀରବତା ପରେ ପିତାମହ ଭୀଷ୍ମ ପୁଣି ପଚାରିଲେ, ହେ ବାସୁଦେବ ! ମୁଁ ଅତ୍ୟନ୍ତ ଆନନ୍ଦିତ ଧର୍ମରାଜ ଯୁଧିଷ୍ଠିର ହସ୍ତିନା ସିଂହାସନରେ ଅଭିଷିକ୍ତ ହୋଇଛନ୍ତି l ଆପଣଙ୍କ ପରି କୁରୁବଂଶ ହିତାକାଂକ୍ଷୀ ସଂସାରରେ ଆଉ କେହି ନାହାଁନ୍ତି l ଆପଣ ସର୍ବଦା ସେମାନଙ୍କ ପ୍ରତି ଧ୍ୟାନ ରଖିଥିବେ ତଥା ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ ଦେଇ ଏ ହସ୍ତୀନାର ଗୌରବ ବଜାୟ ରଖିବେ l ପିତାମହଙ୍କ କଥା ଶୁଣି କେଶବ ନତ ମସ୍ତକ ହୋଇ ନୀରବ ରହିଲେ l

ପିତାମହ ପୁଣି ପଚାରିଲେ,ହେ ମାଧବ ! ଆପଣ ତ ସ୍ଵୟଂ ଭଗବାନ୍ ମୋ ମନରେ କେତେକ ପ୍ରଶ୍ନ ବହୁ ଦିନରୁ ଉଙ୍କିମାରୁଛି l ଏ ଧରା ପୃଷ୍ଠରୁ ବିଦାୟ ନେବା ପୂର୍ବରୁ ଆପଣ ମୋର ଜିଜ୍ଞାସା ପୁର୍ଣ୍ଣ କଲେ ଅନ୍ତତଃ ମୋର ବହୁ ଦିନର ଭ୍ରମ ଦୂର ହୁଅନ୍ତା l ନତମସ୍ତକ ହୋଇ ଶ୍ରୀକୃଷ୍ଣ କହିଲେ, ହେ ପିତାମହ ! ପଚାରନ୍ତୁ ଏ ପୌତ୍ର, କୃଷ୍ଣକୁ l ମୁଁ ଆପଣଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ଦେବାକୁ ଚେଷ୍ଟା କରିବି l କୃଷ୍ଣଙ୍କ କଥା ଶୁଣି ପିତାମହ ସ୍ମିତହାସ୍ୟରେ କହିଲେ, ହେ ପ୍ରଭୁ ! ଆଉ ମୋତେ ଭ୍ରମିତ କରନ୍ତୁ ନାହିଁ l ଏ ଅନ୍ତିମ ସମୟରେ କୃପାକରି ମୋ ପ୍ରଶ୍ନର ସଠିକ ଉତ୍ତର ଦିଅନ୍ତୁ l

ଶ୍ରୀକୃଷ୍ଣ ପିତାମହଙ୍କ ଶଯ୍ୟା ପାଖକୁ ଲାଗି ଆସିଲେ l ଭୀଷ୍ମ କହିଲେ,ହେ ବାସୁଦେବ ! କୁହନ୍ତୁ ତ ଯୁଦ୍ଧରେ ଯାହା ସବୁ ଘଟିଗଲା ତାହା କ'ଣ ସବୁ ଠିକ ଥିଲା l ଅଧର୍ମୀ କୌରବଙ୍କ କଥା ଛାଡ଼ନ୍ତୁ l ତାଙ୍କ କଥା କହୁ ନାହିଁ, କହୁଛି ପାଣ୍ଡବ ମାନଙ୍କ କଥା l ଏଇ ଯେମିତି ଆଚାର୍ଯ୍ୟ ଦ୍ରୋଣଙ୍କ ବଧ,ଦୂର୍ଯ୍ୟୋଧନ ଜାନୁ ଭଗ୍ନ, ଦୁଃଶାସନର ବୁକୁଚିରି ରକ୍ତ ପାନ, ନିରସ୍ତ୍ର କର୍ଣ୍ଣଙ୍କ ବଧ, ଜୟଦ୍ରଥଙ୍କ ଛଳନା ପୁର୍ଣ୍ଣ ହତ୍ୟା, ଏସବୁ କଣ ଠିକ ଥିଲା l ତାହା ପୁଣି, ଆପଣଙ୍କ ଉପସ୍ଥିତିରେ !!

ସ୍ମିତହାସ୍ୟ କରି କୃଷ୍ଣ କହିଲେ, ଏସବୁର ଉତ୍ତର ମୁଁ କିପରି ଦେବି ପିତାମହ l ମୁଁ ତ ବଚନବଦ୍ଧ ଥିଲି ଏ ଯୁଦ୍ଧରେ ମୁଁ ଅସ୍ତ୍ର ଧରିବି ନାହିଁ l ତାହା ମଧ୍ୟ କରିଛି l ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ହୁଏତ ପାଣ୍ଡବମାନେ ଦେଇ ପାରିବେ l ଉତ୍ତର ଦେଇ ପାରିବେ, ଅର୍ଜୁନ l ଉତ୍ତର ଦେଇପାରିବେ ଭୀମ l ମୁଁ ତ କେବଳ ସଖା ଅର୍ଜୁନର ସାରଥୀ ହୋଇ, ମାର୍ଗ ଦର୍ଶନ ଦେଉଥିଲି ପିତାମହ !!

ହସି ହସି ଭୀଷ୍ମ କହିଲେ, ହେ ପ୍ରଭୁ ! ଆପଣ ଏବେ ବି ଛଳନା କରୁଛନ୍ତି ! ବିଶ୍ୱ ଜାଣିଲା ପାଣ୍ଡବଗଣ ଏ ଯୁଦ୍ଧକୁ ଜିତିଛନ୍ତି କିନ୍ତୁ ମୁଁ ଜାଣେ ଆପଣ ହିଁ ଏ ଧର୍ମ ଅଧର୍ମର ଯୁଦ୍ଧ ଜିତିଛନ୍ତି l ଆପଣ ହିଁ ମହାଭାରତର ମହା ନାୟକ l ଆପଣଙ୍କୁ ଚିହ୍ନିବାରେ ମୋର ବୋଧ ହୁଏ ଭୁଲ୍ ହୋଇ ନଥିବ ହେ ଦ୍ଵାରକାଧିଶ !

ଏଣୁ ମୋ ପ୍ରଶ୍ନ, କେବଳ ଆପଣଙ୍କୁ l ଆପଣ କୃପା କରି ମୋ ଶଙ୍କା ଦୂର କରନ୍ତୁ ମାଧବ l

କୃଷ୍ଣ ହସିହସି କହିଲେ ପିତାମହ ! ଯାହା ହୋଇଛି ସବୁ ଠିକ ହୋଇଛି l କିଛି ମଧ୍ୟ ଭୁଲ ହୋଇ ନାହିଁ l ଏଥିରେ କୌଣସି ଠାରେ ଧର୍ମର ଉଲ୍ଲଂଘନ ହୋଇ ନାହିଁ l ଯାହା ହେବାର ଥିଲା ହୋଇଛି l 

ଭୀଷ୍ମ କହିଲେ,ହେ ମାଧବ ! ଆପଣ ନୀତି ଅନୀତି ଧର୍ମ ଅଧର୍ମର ମାର୍ଗ ଦର୍ଶକ l ଆପଣ ପୁଣି ଏ କଥା କହୁଛନ୍ତି l ଆପଣ ତ ତ୍ରେତୟା ଯୁଗରେ ବିନା କୌଣସି ଛଳରେ ଧର୍ମ ରକ୍ଷା କରିଥିଲେ l ମାତ୍ର ଏଠାରେ ଏ ଛଳ କାହିଁକି? ଏହା କଣ ଆମ ମହାନ୍ ସନାତନ ସଂସ୍କୃତିର ପରିଚାୟକ କି !!! 

ହସିହସି ଶ୍ରୀକୃଷ୍ଣ କହିଲେ, ହେ ପିତାମହ ! ଆପଣ ଯାହା କହୁଛନ୍ତି, ଠିକ୍ କହୁଛନ୍ତି l ମାତ୍ର ତାହା ଥିଲା ମୋର ଇତିହାସ l ପ୍ରତି ଯୁଗରେ ମୌଳିକ କର୍ତ୍ତବ୍ୟ ହେଉଛି ଧର୍ମ ରକ୍ଷା l ସେଥି ପାଇଁ ଯୁଗ ନିର୍ଣ୍ଣୟକରେ ତାର କର୍ତ୍ତାକୁ l ତ୍ରେତୟା ରାମଙ୍କୁ ଚୟନ କରିଥିଲା ଆଉ ଦ୍ୱାପର ଚୟନ କଲା ମୋତେ l ପିତାମହ ! ଆମ ଦୁଇ ଜଣଙ୍କର କୌଶଳ କିନ୍ତୁ ଆବଶ୍ୟକତାକୁ ନେଇ ଭିନ୍ନ l ତ୍ରେତୟାର ଖଳନାୟକ ଥିଲେ ଚାରି ବେଦର ବିଦ୍ୱାନ ମହାନ ଶିବଭକ୍ତ ରାବଣ l ଶିବଙ୍କ ଶକ୍ତିରେ ବଳିୟାନ ହୋଇ ନକାରତ୍ମକ କାର୍ଯ୍ୟ ଏବଂ ଉଚ୍ଚ ଆକାଂକ୍ଷାରେ ସେ ଶକ୍ତି ଅପଚୟକଲେ l କିନ୍ତୁ ତାଙ୍କ ପତ୍ନୀ ମନ୍ଦୋଦରୀ ସର୍ବଦା ଧର୍ମର ରକ୍ଷା ନିମନ୍ତେ ଯତ୍ନଶୀଳା ଥିଲେ l ପୁଣି ପରିବାରରେ ତାଙ୍କର ବିଭୀଷଣ ପରି ସନ୍ଥ ମଧ୍ୟ ଜନ୍ମ ହୋଇଥିଲେ, ଯିଏକି ଧର୍ମରକ୍ଷା ପାଇଁ ସର୍ବଦା ଚେଷ୍ଟିତ ଥିଲେ l ବାଳିର ମହା ବିଦୁଷୀ ପତ୍ନୀ,ତାରା ଓ ପୁତ୍ର ଅଙ୍ଗଦ ଶ୍ରୀରାମ ଭକ୍ତ ଥିଲେ l 

ରାବଣ ଏବଂ ବାଳି ଖଳନାୟକ ହେଲେ ମଧ୍ୟ ଧର୍ମ ଅଧର୍ମର ସଂଜ୍ଞା ବୁଝିଥିଲେ l ତେଣୁ ରାମ ତାଙ୍କ ସହ କୌଣସି ଛଳ କରି ନଥିଲେ l ମାତ୍ର ଏ ଦ୍ଵାପର ଯୁଗରେ କଂସ, ଜରାସନ୍ଧ, ଦୁର୍ଯ୍ୟୋଧନ, ଦୁଃଶାସନ, ଶକୁନି ପରି ମହା କପଟୀ, ମହାପାପୀ ଗଣ ଧର୍ମ ରକ୍ଷାରେ ବାଧକ, ଅଧର୍ମର ବାହକ ଥିଲେ l ଏପରି ପାପୀଙ୍କ ବିନାଶ ପାଇଁ ଶକ୍ତି ସହିତ ଛଳର ବି ଆବଶ୍ୟକତା ଥିଲା l ତାହା ହିଁ ତ ହୋଇଛି l ଏଥିରେ ଭୁଲ୍ କାହିଁ l

ଯୁଗେ ଯୁଗେ ଧର୍ମ ରକ୍ଷାପାଇଁ, ଅଧର୍ମୀଙ୍କର ବିନାଶ ହେବା ଉଚିତ ପିତାମହ ! ତାହା ଯେଉଁ ଉପାୟରେ ହେଉନା କାହିଁକି l

ପିତାମହ କହିଲେ ତା ହେଲେ ଆପଣଙ୍କ ଏ ନିର୍ଣ୍ଣୟ ଭୁଲ ପରମ୍ପରା ସୃଷ୍ଟି କରିବନି ତ କେଶବ? ଶ୍ରୀକୃଷ୍ଣ ସ୍ମିତହାସ୍ୟ କରି କହିଲେ, "ପିତାମହ !! ଭବିଷ୍ୟତ ଏହାଠାରୁ ଆହୁରି ବି କଠୋର l କଳି ଯୁଗରେ ଧର୍ମ ରକ୍ଷାପାଇଁ ଏତିକିରେ ଚଳିବନି l ଧର୍ମରକ୍ଷକ ମାନେ ମୋ ଠାରୁ ଆହୁରି କଠୋର ହେବେ, ନଚେତ ଧର୍ମ ଧ୍ଵଂସୀଙ୍କ ସଂଖ୍ୟା ବଢ଼ିଯିବ ଓ ଧର୍ମର ପତନ ହୋଇ ବିନଷ୍ଟ ହେବ l

ଭବିଷ୍ୟତ ବଂଶଧରଙ୍କୁ ଏହା ହିଁ ଶିଖିବାକୁ ପଡ଼ିବ l ପିତାମହ ପୁଣି ପ୍ରଶ୍ନ କଲେ, ହେ କେଶବ ! ତେବେ ଧର୍ମର କ'ଣ ନାଶ ହୋଇ ପାରେ l ଯଦି ହୁଏ କଅଣ ଭବିଷ୍ୟତ ଏହାକୁ ଅଟକାଇବା ପାଇଁ ସମର୍ଥ ହେବ l 

ଭଗବାନ୍ କହିଲେ, କେବଳ ମାର୍ଗ ଦର୍ଶନ ବ୍ୟତୀତ ଈଶ୍ୱର ସ୍ୱୟଂ କିଛି କରନ୍ତିନାହିଁ l ଏ ମନୁଷ୍ୟକୁ ସବୁ କିଛି କରିବାକୁ ପଡ଼ିବ l ଏହି ଯୁଦ୍ଧରେ ପାଣ୍ଡବମାନେ ସବୁ କିଛି କରିଛନ୍ତି l ଏହା ହିଁ ପ୍ରକୃତିର ବିଧାନ l

ଭଗବାନଙ୍କ ମୁଖରୁ ଏହି ପରମ ମଙ୍ଗଳମୟ ବାଣୀ ଶୁଣି ପିତାମହଙ୍କ ହୃଦୟର ଗ୍ଲାନି ଦୂର ହେଲା l ତାଙ୍କ ଚକ୍ଷୁରୁ ଝରି ପଡ଼ିଲା ଦୁଇ ଟୋପା ଅଶ୍ରୁ l ତାଙ୍କ ଆଖି ଦୁଇଟି ଧୀରେ ଧୀରେ ମୁଦ୍ରିତ ହୋଇ ଆସିଲା l ହାତ ଯୋଡ଼ି ସେ ପ୍ରାର୍ଥନାକରୁଥଲେ, ହେ ପ୍ରଭୋ l ଅନ୍ତିମ ରାତ୍ରୀରେ ଆପଣଙ୍କୁ ଏ ନିଃସହାୟ ଭକ୍ତଟିର ଅନ୍ତିମ ଦର୍ଶନ l କୃପାକର କୃପାସିନ୍ଧୁ !!

ଭଗବାନ ଶ୍ରୀକୃଷ୍ଣ ପିତାମହଙ୍କ ମସ୍ତକକୁ ମୃଦୁ ହସ୍ତ ଚାଳନା କରି ଆଉଁଷି ଦେଲେ ଓ ତାଙ୍କୁ ଭକ୍ତି ଭରେ ପ୍ରଣାମ କରି ପାଣ୍ଡବ ମାନଙ୍କ ସହ ପ୍ରସ୍ଥାନ କଲେ l 

   !! ଓଁ ନମଃ ଭଗବତେ ବାସୁଦେବାୟ !!

     


Rate this content
Log in

Similar oriya story from Inspirational