Arjuni charan Behera

Classics Others

4  

Arjuni charan Behera

Classics Others

ବେଡ଼ି ହନୁମାନ

ବେଡ଼ି ହନୁମାନ

2 mins
9


        

ମହାପ୍ରଭୂ ଶ୍ରୀଜଗନ୍ନାଥ ଲୀଳାମୟ l ଅଦ୍ଭୁତ ତାଙ୍କ ଲୀଳା l ସେ ବିଚିତ୍ରକର୍ମା,ଲୀଳାବିଧୃତ କଳେବର l ସେଥିପାଇଁ ଶ୍ରୀମଦ୍ ଦ୍ଭାଗବତ କହିଲେ, "ଲୀଳାବିଧୃତ କଳେବର l ଦେବ ମାନବେ ଆଗୋଚର" l ସେହି ଭଳି ଏକ ଅଦ୍ଭୂତ ଲୀଳା କଥା l

ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର ମହୋଦଧି କୂଳରେ ଅବସ୍ଥିତ ଥିବାହେତୁ ଅନେକ ସମୟରେ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇ ଥାଏ l କିନ୍ତୁ ଆଶ୍ଚର୍ଯ୍ୟ କଥା ସମୁଦ୍ର କେବେ ହେଲେ କୂଳ ଲଙ୍ଘନ କରି ଶ୍ରୀକ୍ଷେତ୍ର ମଧ୍ୟକୁ ପ୍ରବେଶ କରେ ନାହିଁ l ଅତୀତରେ ବହୁ ଝଡ଼ ବାତ୍ୟାରେ ଶ୍ରୀକ୍ଷେତ୍ର ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲେ ମଧ୍ୟ ସମୁଦ୍ର କୂଳ ଲଙ୍ଘନକରି କେବେ ସହରକୁ ପ୍ରବେଶ କରି ନାହିଁ l ପଛରେ କିଛି ବୈଜ୍ଞାନିକକାରଣ ଥାଇ ପାରେ l ପୌରାଣିକ କିମ୍ବଦନ୍ତୀରେ ଏହା ପଛରେ କିଛି କିନ୍ତୁ ଅଲୌକିକ କଥା ରହିଛି l

କିମ୍ବଦନ୍ତୀ ଅନୁସାରେ ସାଗରରାଜ ବରୁଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ଶ୍ରୀକ୍ଷେତ୍ର ଆସୁ ଥିଲେ l ତେଣୁ ବାରମ୍ବାର ସାଗର କୂଳ ଲଙ୍ଘନ କରୁ ଥିଲା ଏବଂ ଶ୍ରୀକ୍ଷେତ୍ର ଜଳମଗ୍ନ ହେଉଥିଲା l ଏଥିରୁ ରକ୍ଷା ପାଇଁ ଦିନେ କ୍ଷେତ୍ରବାସୀ ମହାପ୍ରଭୁଙ୍କୁ ପ୍ରାର୍ଥନା କଲାରୁ ମହାପ୍ରଭୁଙ୍କ ନିର୍ଦ୍ଦେଶକ୍ରମେ ହନୁମାନ ସମୁଦ୍ର କୂଳ ଚକ୍ରତୀର୍ଥ ନିକଟରେ କଡ଼ା ପହରା ଦେବାରେ ନିଯୁକ୍ତ ହେଲେ l ଫଳରେ ଶ୍ରୀକ୍ଷେତ୍ର ମଧ୍ୟକୁ ସାଗର ରାଜଙ୍କ ପ୍ରବେଶ ପ୍ରତିହତ ହେଲା l ଏହାପର ଠାରୁ ଲୋକ ମୁଖରେ ଦରିଆ କୂଳ ଚକ୍ରତୀର୍ଥ ନିକଟରେ ଅବସ୍ଥାନ କରିଥିବା ମହାବୀର ହନୁମାନ ଶ୍ରଦ୍ଧାରେ ଆଖ୍ୟାୟିତ ହେଲେ "ଦରିଆ ମହାବୀର" l

ହନୁମାନଙ୍କର ଲଡ଼ୁ ଖାଇବାରେ ତ ବହୁତ ସରଧା l ଦିନେ ତାଙ୍କର ଲଡ଼ୁ ଖାଇବାକୁ ଭାରି ଇଚ୍ଛା ହେଲା l ସେ ଭାବିଲେ, ମୁଁ ଯାଏ ଅଯୋଧ୍ୟା, ମାଆଙ୍କ ହାତରୁ ସୁଆଦିଆ ଖୁଆମଣ୍ଡା ଓ ଅମୃତ ଲଡ଼ୁ ଖାଇ ଆସିବି l

ଏମିତି ଚିନ୍ତାକରି, ଦରିଆ ମହାବୀର ଲଡୁ ଖାଇବା ପାଇଁ ଅଯୋଧ୍ୟାକୁ ଚାଲିଗଲେ l ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଇଆଡ଼େ ସାଗରରାଜ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପ୍ରବେଶ କରନ୍ତେ ସମଗ୍ର ସହର ଜଳମଗ୍ନ ହୋଇ ଗଲା l ମହାପ୍ରଭୁ ଜାଣିଲେ ବୋଧହୁଏ ମହାବୀର କର୍ତ୍ତବ୍ୟରେ କିଛି ଅବହେଳା କରିଛନ୍ତି l ମହାପ୍ରଭୁ ତାଙ୍କୁ ସ୍ମରଣକଲାରୁ ସେ ଲଡୁ ଖାଉଥିବା ଅବସ୍ଥାରେ ଆସି ପହଞ୍ଚି ଗଲେ l ସାଗର ରାଜ ମହାବୀରଙ୍କ ପହଞ୍ଚିଯିବା ଜାଣି ସଙ୍ଗେ ସଙ୍ଗେ ଅପସରି ଗଲେ l

ହନୁମାନ ଲଡ଼ୁ ଖାଉଥିବା ଅବସ୍ଥାରୁ ଉଠି ଆସିଛନ୍ତି ଏକଥା ଜାଣି ପାରିଲେ ମହାପ୍ରଭୁ l ସେ ହନୁମାନଙ୍କୁ ଡାକି ଏପରି ଏକ ଅମୃତ ଲଡୁ ପ୍ରଦାନ କଲେ ଯାହା କେବେ ହେଲେ ସରିବ ନାହିଁ l ତେଣୁ ସେବେ ଠାରୁ ହନୁମାନ ଆଉ କେବେ ଅମୃତ ଲଡୁ ଖାଇବା ପାଇଁ ଅଯୋଧ୍ୟା ଗଲେନାହିଁ l କିନ୍ତୁ କର୍ତ୍ତବ୍ୟରେ ଅବହେଳା କରିଥିବାହେତୁ ମହାପ୍ରଭୁ ତାଙ୍କୁ ଶୃଙ୍ଖଳବଦ୍ଧ କରିବା ପାଇଁ ଚାହିଁଲେ l ହନୁମାନ ତ ତାଙ୍କର ପରମ ଭକ୍ତ l ତାଙ୍କୁ ଶୃଙ୍ଖଳବଦ୍ଧକରିବା ଅସମ୍ଭବ ! ମହାପ୍ରଭୁ ଏକ ଉପାୟ ସ୍ଥିର କଲେ l ସେ ଶୃଙ୍ଖଳ ବା ବେଡ଼ିର ପ୍ରତି ଅଂଶରେ ପ୍ରଭୁ ଶ୍ରୀରାମଙ୍କ ନାମ ଉଚ୍ଚାରଣ ହେବାର ବ୍ୟବସ୍ଥା କରିଦେଲେ l 

ହନୁମାନ ରାମନାମ ଉଚ୍ଚାରଣ ହେଉଥିବା ବେଡ଼ିକୁ ଛିଣ୍ଡାଇ ପାରିଲେ ନାହିଁ l ସେବେ ଠାରୁ ଶ୍ରୀକ୍ଷେତ୍ରର ରକ୍ଷକ ଭାବେ ବରୁଣ ରାଜଙ୍କ ଶ୍ରୀକ୍ଷେତ୍ର ପ୍ରବେଶକୁ ପ୍ରତିହତ କରିବା ପାଇଁ ଚକ୍ରତୀର୍ଥ ନିକଟରେ ସତର୍କ ପ୍ରହରୀ ରୂପେ ଅବସ୍ଥାନ କରୁଛନ୍ତି, ବେଡ଼ି ପଡ଼ିଥିବା ଦରିଆ ମହାବୀର ବା ବେଡ଼ି ହନୁମାନ l ବାମହସ୍ତରେ ଲଡ଼ୁ ଓ ଦକ୍ଷିଣ ହାତରେ ଉତ୍ତୋଳିତ ଗଦା ଧରି ଦରିଆ ମହାବୀର ସେବେଠୁଁ ମହାପ୍ରଭୁଙ୍କ ସେବାରେ ଲାଗି ରହିଛନ୍ତି l

     !!! ଜୟ ମହାବୀର ହନୁମାନ !!!

          


Rate this content
Log in

Similar oriya story from Classics