Arjuni charan Behera

Inspirational Others

4  

Arjuni charan Behera

Inspirational Others

ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି

ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି

5 mins
7


 

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ, ଚୈତ୍ର ମାସର ଶୁକ୍ଳତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଦୟଣା ଚୋରି ନୀତି l ଏହା ଦମନକ ତ୍ରୟୋଦଶୀ, ଦମନକ ଭଞ୍ଜିକା ନୀତି ତଥା ଅନଙ୍ଗ ତ୍ରୟୋଦଶୀ ନାମରେ ମଧ୍ୟ ବିଦିତ l ଯୁଗେ ଯୁଗେ ଚୋରି କରି ମହାପ୍ରଭୁ ମହାଚୋୖର ନାମରେ ବିଖ୍ୟାତ ହୋଇଛନ୍ତି l କେତେବେଳେ ତାହା ବସ୍ତ୍ର ଚୋରି ତ କେତେବେଳେ ତାହା ପଣସ, ଲବଣୀ, କ୍ଷୀରା ଆଉ ପାପ ଚୋରି l ପ୍ରଭୁ ଶ୍ରୀକ୍ଷେତ୍ରରେ ଥାଇ ପୁଣି ସେହି କର୍ମ ବା ନ କରନ୍ତେ କିପରି,ଏଠାରେ ସେ ଲୀଳା କଲେ ଦୟଣା ଚୋରି l ତାଙ୍କର ସେହି ଲୀଳାକୁ ନେଇ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ଦୟଣା ଚୋରି ନୀତି l ଦୟଣା ମହାପ୍ରଭୁଙ୍କ ଅତି ପ୍ରୀୟ l ତେଣୁ ଭକ୍ତକବି ସାଲବେଗ କହିଛନ୍ତି :-

        ଆହେ ନୀଳଗିରି, 

   ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ll

ଏହି ନୀତି ଉଦ୍ଭବ ପଛରେ ରହିଛି ଗୋଟିଏ ସୁନ୍ଦର ଉପାଖ୍ୟାନ l

କେଉଁ ସୁଦୂର ଅତୀତର କଥା l ରାଜ ନଅରରେ ଠାକୁର ରାଜା ମଜ୍ଜି ଯାଇ ଥାନ୍ତି ଦ୍ୟୁତ କ୍ରୀଡ଼ାରେ l ସେଦିନ ମହାପ୍ରଭୁଙ୍କ ମସ୍ତକରୁ କେଉଁ ଅଘଟଣରୁ ଖସି ପଡ଼ି ଥାଏ ଲାଗି ହୋଇଥିବା ଚନ୍ଦ୍ରିକା l ପ୍ରଥା ଅନୁଯାୟୀ ତାହା ରାଜାଙ୍କୁ ସମର୍ପିତ ହେବ, ଏବଂ ରାଜା ଏହାକୁ ଯଥାଵିଧି ପୁନଃ ମହାପ୍ରଭୁଙ୍କୁ ଲାଗି କରିବେ l ବଡ଼ ପଣ୍ଡା ଚନ୍ଦ୍ରିକାଟି ନେଇ ପହଞ୍ଚିଲେ ଛାମୁଙ୍କ ନିକଟରେ l ପଶା ଖେଳରେ ବ୍ୟସ୍ତ ଥିବା ରାଜା ଅନ୍ୟ ମନସ୍କ ଭାବେ ବଢ଼ାଇ ଦେଲେ ବାମ ହସ୍ତଟି l କିନ୍ତୁ ଚନ୍ଦ୍ରିକାଟି ଧରିବାକ୍ଷଣି ରାଜା ଚମକିଉଠିଲେ l ଆହା କ'ଣ କଲି ! ଜଗନ୍ନାଥଙ୍କ ମସ୍ତକ ଚ୍ୟୁତ ଚନ୍ଦ୍ରିକାକୁ ମୁଁ ବାମ ହସ୍ତରେ ଧାରଣ କରିଛି, କିପରି ଏକ ଅପରାଧ ବୋଧରେ ଭାଙ୍ଗି ପଡ଼ିଲେ ଠାକୁର ରାଜା l ଖୋଦ ମହାପ୍ରଭୁଙ୍କୁ ମୋର ଏ ଦୁଷ୍କର୍ମରେ ମୁଁ ଅପମାନିତ କରିଛି, ମୋର ବଞ୍ଚିରହି ଲାଭ କଅଣ, ଯାଉଛି ଆତ୍ମ ହତ୍ୟା କରିବି l ମାତ୍ର ଆତ୍ମ ହତ୍ୟା ଯେ ମହା ପାପ l ରାଜା କିଂକର୍ତ୍ତବ୍ୟ ବିମୁଢ଼ ହୋଇ ନିଜେ ସ୍ଥିର କରିନେଲେ ସେହି ଅପରାଧର ଦଣ୍ଡ ବିଧାନ l

ରାଜା ନିର୍ଣ୍ଣୟ ନେଲେ ଯେଉଁ ବାମ ହସ୍ତରେ ସେ ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି ସେହି ହାତଟି ଛେଦନ ହେବ, କିନ୍ତୁ ରାଜାଙ୍କ ହସ୍ତ ଛେଦନ ପରି କାର୍ଯ୍ୟ କରିବ କିଏ ? ସେଦିନ ଦୁଶ୍ଚିନ୍ତାରେ ରାଜା ବିତାଉ ଥିଲେ ବିନିଦ୍ର ରଜନୀ l ପର ଦିନ ମହା ମନ୍ତ୍ରୀଙ୍କୁ ସେ କହିଲେ, କାଲି ନିଶବ୍ଦ ରାତିରେ ଶୟନ କକ୍ଷ ଗବାକ୍ଷ ଦେଇ କୁଆଡ଼ୁ ଗୋଟିଏ ଅଶରିରୀ ହାତ ଲମ୍ବି ଆସିଲା l କିଛି ସମୟ ଝୁଲନ୍ତା ଅବସ୍ଥାରେ ରହି ତାହା ପୁଣି କୁଆଡ଼େ ଅଦୃଶ୍ୟ ହୋଇ ଗଲା l ଖୁବ ଭୟଙ୍କର ଥିଲା ସେହି ଦୃଶ୍ୟଟି l ତାହା କୁଆଡ଼ୁ ଆସିଲା କୁଆଡ଼େ ଗଲା, ମୋର ଆଉ ଜାଣିବାର ଅବସର ନ ଥିଲା l ମହା ମନ୍ତ୍ରୀ କହିଲେ,ମୋତେ ତେବେ ଥରେ ସୁଯୋଗ ଦିଆଯାଉ ତାହା ଦେଖି ସେହି ପରିସ୍ଥିତିର ସାମ୍ନା କରିବା ପାଇଁ l ରାଜାଙ୍କ ଠାରୁ ଅନୁମତି ପାଇ ମହାମନ୍ତ୍ରୀ ଚାଲିଗଲେ l

ପର ଦିନ ଏକ ଭିନ୍ନ କକ୍ଷରେ ରାଜାଙ୍କ ଶୟନର ବ୍ୟବସ୍ଥା କରା ହେଲା l ମନ୍ତ୍ରୀ ଗଭୀର ରାତ୍ରୀର ନିସ୍ତବ୍ଧ ଅନ୍ଧକାର ମଧ୍ୟରେ ଖଡ୍ଗ ହସ୍ତରେ ଅପେକ୍ଷା କରି ରହିଲେ ସେହି ଆଶରିରି ହସ୍ତପାଇଁ l ଧୀରେ ଧୀରେ ନିଶାର୍ଦ୍ଧ ବେଳକୁ କୋଠରି ଭିତରକୁ ଲମ୍ବି ଆସିଲା ଫୁଙ୍ଗୁଳା ହାତଟିଏ l ମନ୍ତ୍ରୀ ଖଡ୍ଗରେ ଏକ ଶକ୍ତ ଚୋଟ ମାରି ସେ ହାତକୁ ଛିନ୍ନ କରି ଦେଲେ l ସେହି ହାତଟି ଆଉ କାହାର ନଥିଲା l ତାହା ଥିଲା ସ୍ୱୟଂ ମହାରାଜାଙ୍କର l ଏବେ ସେହି ପାପ ହସ୍ତଟି ସମୁଚିତ ଦଣ୍ଡ ପାଇଛି, ଉଲ୍ଲସିତ ହୋଇ ପଡ଼ିଲେ, ମହାରାଜା l ମନ୍ତ୍ରୀ କିନ୍ତୁ ଖୁବ ବିଷାଦ ଗ୍ରସ୍ତ l ପୁଣି ରାଜା ଆଦେଶ ଦେଲେ ଏହି କର୍ତ୍ତିତ ହସ୍ତକୁ ନେଇ ପ୍ରମୋଦ ଉଦ୍ୟାନ ମଧ୍ୟରେ ସମାଧିସ୍ଥ କରାଅ l ତାହାହିଁ ହେଲା l 

ତତ୍ ପରେ ଛିନ୍ନ ଅଙ୍ଗ ହୋଇ ଠକୁର ରାଜା ମହାପ୍ରଭୁଙ୍କ ରତ୍ନ ସିଂହାସନ ପାଖକୁ ଯିବାରୁ ଦୁରେଇ ରହିଥିଲେ l ବିଷାଦ ଗ୍ରସ୍ତ ମନରେ ତାଙ୍କର ଅଧିକାଂଶ ସମୟ ବିତୁଥିଲା ପ୍ରମୋଦ ଉଦ୍ୟାନରେ l ହାତର ସମାଧିସ୍ଥଳ ଥିଲା ତାଙ୍କ ପ୍ରିୟତମ ସ୍ଥାନ l କାଳ କ୍ରମେ ସେହି ସମାଧି ଉପରେ ଅଙ୍କୁରିତହେଲା ଏକ ସୁବାସିତ ପତ୍ର ଯୁକ୍ତ ଗୁଳ୍ମ l ରାଜାଙ୍କ ଆଦେଶରେ ପ୍ରମୋଦ ଉଦ୍ୟାନରେ ତାହା ସୁରକ୍ଷିତ ରହିଲା ଓ କାଳ କ୍ରମେ ତାହାର ବଂଶ ବୃଦ୍ଧିହେଲା l କିନ୍ତୁ ସେ ଅନାମଧେୟ ସୁବାସିତ ବୃକ୍ଷର କୌଣସି ଅଂଶକୁ ମହାପ୍ରଭୁଙ୍କ ସେବାରେ ଲାଗିହେବା ପାଇଁ ବାରଣ କରିଥିଲେ ମହାରାଜା l

ଏକଦା ମହାରାଜା ଦେଖିଲେ ସେହି ବୃକ୍ଷରୁ ପତ୍ର ସବୁ ତୋଳା ଯାଇଛି l ବଡ଼ ପଣ୍ଡା ଆସି କହିଲେ, ସେହି ସୁବାସିତ ପତ୍ରରୁ କେଇଟି ଲାଗି ହୋଇଛି ମହାପ୍ରଭୁଙ୍କୁ l ରତ୍ନ ସିଂହାସନ ତଳେ କେତୋଟି ପତ୍ର ପଡ଼ିଛି l ମହାରାଜା କହିଲେ, ଏହା ନିଶ୍ଚିନ୍ତ ସେହି ମାଳିର କାର୍ଯ୍ୟ ଯିଏ ଉଦ୍ୟାନରୁ ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ ଫୁଲ ମାନଙ୍କ ମଧ୍ୟରେ ଏହି ବର୍ଜିତ ବୃକ୍ଷର ପତ୍ର ତୋଳି ପଠାଇ ଦେଉଛି l ମାଳିକୁ ମୁଣ୍ଡ କାଟ ଆଦେଶରେ କାରାରୁଦ୍ଧ କରାଗଲା l

କାରା କକ୍ଷରେ ଥାଇ ମାଳି ମହାପ୍ରଭୁଙ୍କୁ ଆକୁଳ ନିବେଦନ କଲା, ହେ ମହାପ୍ରଭୁ ! ମୋ ପ୍ରତି କାହିଁପାଇଁ ଏଡ଼େ ନିର୍ଦ୍ଦୟ ହେଲେ ଆପଣ l କଅଣ ଆପଣଙ୍କ ସେବାରେ କେବେ କିଛି ତ୍ରୁଟି କରିଛି ମୁଁ l ମହାପ୍ରଭୁ ଭକ୍ତର ସେ ଆକୁଳ ନିବେଦନ ଶୁଣିଲେ l ପ୍ରଭୁ ତ ଭକ୍ତ ଅଧୀନ ଭଗବାନ l ସେହି ଦିନଟି ଥିଲା ଚୈତ୍ର ଶୁକ୍ଳ ତ୍ରୟୋଦଶୀ l ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ ହେଲା,ନିର୍ଦୋଷ ମାଳିକୁ ମୁକ୍ତିଦିଅ ରାଜା l ନିଜେ ମୁଁ ଚୟନ କରି ଆଣି ସେହି ସୁବାସିତ ପତ୍ରକୁ ଲାଗି ହୋଇଛି l ତୁମର ନିର୍ମଳ ଭକ୍ତିରୁ ହିଁ ସୃଷ୍ଟ ସେହି ଗୁଳ୍ମଟି l ସେଥି ପାଇଁ ତାହା ଆଡ଼କୁ ଆକର୍ଷିତ ହୋଇ ପଡ଼ିଛି ମୁଁ ଓ ସ୍ଵହସ୍ତରେ ତୋଳି ଆଣୁଛି ପ୍ରତିଦିନ l ସେ ପତ୍ରସବୁ ମୁଁ ଚୋରି କରୁଛି l ପ୍ରଭୁ ପୁଣି ରାଜାଙ୍କୁ ସୂଚନା ଦେଲେ,ଏ ଗୁଳ୍ମର ଅନୁରୂପ ଗୁଳ୍ମ ସ୍ୱର୍ଗର ନନ୍ଦନ କାନନରେ ଅଛି l ନାମ ତାହାର ଦୟଣା l ମହାରାଜାଙ୍କ ନିଦ ହଠାତ୍ ଭାଙ୍ଗି ଗଲା l ସେ ଦେଖନ୍ତି ତ ତାଙ୍କ ଛିନ୍ନ ହସ୍ତଟି ପୁଣି ଯୋଡ଼ା ହୋଇ ଯାଇଛି l ତାଙ୍କୁ ଆଉ ବୁଝିବାପାଇଁ ବାକି ରହିଲାନାହିଁ, ଏହା ମହାପ୍ରଭୁଙ୍କ ଲୀଳା ବୋଲି l ସଙ୍ଗେ ସଙ୍ଗେ କାରାମୁକ୍ତ ହେଲେ ଅଭିଯୁକ୍ତ ମାଳି l ସେହି ଦିନ ଠାରୁ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୟଣା ଚୋରି ନୀତି l

ଦୟଣା ଗୁଳ୍ମ ଉତ୍ପତ୍ତି ବିଷୟରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତୀରୁ ଜଣାଯାଏ, ସତ୍ୟ ଯୁଗରେ ଦମନକ ନାମରେ ଜଣେ ଦୈତ୍ୟ ଥିଲା l ସମୁଦ୍ର ଜଳରେ ବାସକରି ସେ ନାନା ଦୌରାତ୍ମ୍ୟ କରୁଥିଲା l ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ତାକୁ ବଧ କଲେ l ବଧପରେ ଦମନକ ଗୋଟିଏ ସୁଗନ୍ଧିତ ତୃଣ ରୂପରେ ଆବିର୍ଭାବ ହେଲା ଏବଂ ଭଗବାନ ବନମାଳା ରୂପେ ତାହାକୁ ନିଜ ଗଳାରେ ଧାରଣ କଲେ ଯାହାର ନାମ ହେଲା, ଦୟଣା ବା ଦଅଣା l ସେ ଦିନଟି ଥିଲା ଚୈତ୍ରଶୁକ୍ଳ ତ୍ରୟୋଦଶୀ l ଦୟଣା ବିଷ୍ଣୁଙ୍କ ସହିତ ଶିବଙ୍କୁ ମଧ୍ୟ ଅର୍ପଣ କରା ହେବାର ଵିଧି ଅଛି l କପିଳ ସଂହିତା ଅନୁସାରେ :-

ଅନ୍ୟଥାମ୍ ନ ପ୍ରବକ୍ଷାମି ଯାତ୍ରା ଦମନଭଞ୍ଜିକାମ୍ ସର୍ବପାପ ବିନିର୍ମୁକ୍ତ ଶିବଲୋକଂ ବ୍ରଜେଦ୍ଧୃବମ୍ ll

ମହାପ୍ରଭୁଙ୍କର ଏହି ଦୟଣା ଚୋରି ନୀତି ଅନଙ୍ଗ ତ୍ରୟୋଦଶୀ ବା କାମ ତ୍ରୟୋଦଶୀ ଭାବେ ମଧ୍ୟ ଜଣା l ପ୍ରେମ, କାମର ଦେବତା କାମ ଦେବଙ୍କର ଅଙ୍ଗ ନଥିବାରୁ ସେ ଅନଙ୍ଗ l ଦେବତାଙ୍କ ଦ୍ୱାରା ପ୍ରେରିତ କାମଦେବ ଫୁଲ ଶର ମାରି ଶିବଙ୍କ ତପ ଭଙ୍ଗ ପାଇଁ ଚେଷ୍ଟା କଲା ବେଳେ ତାଙ୍କ ତୃତୀୟ ନୟନାଗ୍ନିରେ ଭଷ୍ମହୋଇ ଅନଙ୍ଗ ହେଲେ l ମନ ମନ୍ଥନ କରି ସେ ପ୍ରାଣୀଙ୍କ ଠାରେ କାମ ଭାବ ସୃଷ୍ଟି କରୁ ଥିବାରୁ ତାଙ୍କର ଅନ୍ୟ ନାମ ମନ୍ମଥ l

ବସନ୍ତ ହେଉଛି କୁସୁମ ଋତୁ l ଏ ଋତୁର ପାଞ୍ଚଟି କୁସୁମ କାମଦେବଙ୍କ ଫୁଲ ଧନୁରେ ପାଞ୍ଚଟି ଶର l ସେ ପଞ୍ଚଶର ହେଉଛନ୍ତି ଅଶୋକ, ଅରବିନ୍ଦ, ଚୂତ, ନବମଲ୍ଲିକା ଏବଂ ନୀଳୋତ୍ପଳ l ଏହି ପୁଷ୍ପ ଗୁଡ଼ିକ କାମଦେବଙ୍କ ପଞ୍ଚଶର ରୂପେ ପ୍ରାଣୀଙ୍କ ମନରେ ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନ ଆଦି ଭାବ ଜାତ କରିଥାନ୍ତି l

ଶ୍ରୀମନ୍ଦିରର ଦୟଣାଚୋରି ନୀତି ସହ କାମଦେବ ବା କନ୍ଦର୍ପ ସଂପୃକ୍ତ l ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ l ଏଥିପାଇଁ ଦ୍ୱାଦଶୀରେ କନ୍ଦର୍ପ ପଟି ବା କାମ ଦେବଙ୍କ ଚିତ୍ରପଟ ଅଧିବାସ ହୁଏ l ଦୟଣାଚୋରି ନୀତି ନିମନ୍ତେ ରାମ, କୃଷ୍ଣ ଜଗନ୍ନାଥ ବଲ୍ଲଭକୁ ଯିବାବେଳେ କନ୍ଦର୍ପ ପଟି ଆଗେ ଆଗେ ଯାଆନ୍ତି l ସେଠାରେ ତାଙ୍କର ପୂଜା ହେବା ପରେ ରାମ କୃଷ୍ଣ ଦୟଣା ଚୋରି କରନ୍ତି l ତାପରେ ସେଠାରେ କନ୍ଦର୍ପ ପଟିଙ୍କୁ ବିସର୍ଜନ କରି ଦିଆଯାଏ l 

ରାମ କୃଷ୍ଣ ଚୋରାଇ ଆଣି ଥିବା ଦୟଣା ପ୍ରଥମେ ଶ୍ରୀଦେବୀ, ଭୂଦେବୀ ଓ ମଦନ ମୋହନଙ୍କୁ ପ୍ରଦାନ କରାଯାଏ ଓ ପରେ ତାହା ଶ୍ରୀଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଏ l

 ଉପର ବର୍ଣ୍ଣିତ ଦମନକ ରାକ୍ଷସ ବଧ କାହାଣୀରୁ ଏହା ପ୍ରତୀୟମାନ ହୁଏ ଯେ ଏହା ତାମସିକତାରୁ ସାତ୍ତ୍ୱିକତାରେ ପରିବର୍ତ୍ତିତ ହେବା ଆଖ୍ୟାନଟିଏ l ବସନ୍ତ ଋତୁରେ କାମନା ବାସନା ବଢ଼ି ଦୟଣାର ସୁବାସ ପ୍ରାୟେ ପ୍ରସରି ଯାଏ l ଏଣୁ କାମଦେବଙ୍କୁ ପୂଜନ କରି, ତାହାକୁ ନିୟନ୍ତ୍ରଣକୁ ଅଣା ଯାଇଥାଏ ଓ ଶେଷରେ ସମସ୍ତ କାମନା ବାସନାକୁ ଭକ୍ତିରେ ପରିବର୍ତ୍ତିତ କରି ନୈବେଦ୍ୟ ସ୍ୱରୂପେ ମହାପ୍ରଭୁଙ୍କୁ ସମର୍ପଣ କରାଯାଏ l ଏହାର ପ୍ରତୀକ ହେଉଛି ଅନଙ୍ଗ ତ୍ରୟୋଦଶୀର ଦୟଣା ଚୋରି l ଦୟଣା ଚୋରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ମୁଖ୍ୟ ଯାତ୍ରା l କବି ଶ୍ରୀ ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣର ଜଗନ୍ନାଥ ବନ୍ଦନାରେ ଲେଖିଛନ୍ତି :-

   ଶ୍ରୀ ନୀଳଗିରିଶିଖରେ ବିଜେ ହରି 

     ଦ୍ୱାଦଶ ଯାତ୍ରା ବିନୋଦେ l

   ସ୍ନାନ ଶ୍ରୀଗୁଣ୍ତିଚା ଅୟନ ଶ‌ୟନ 

     ପାରଶ୍ୱ ପାଲଟ ମୋଦେ ll

   ଦେବ ଉତ୍ଥାପନ ଓଢ଼ଣ ମକର 

     ଦୋଳ ଦମନ‌କ ଚୋରି l

    ଚନ୍ଦନ ଚମ୍ପକ ଉତ୍ସବ ସ‌ହିତେ 

      ଏ ବିଧି ଲୀଳା ଆଚରି ll

     


Rate this content
Log in

Similar oriya story from Inspirational