Arjuni charan Behera

Inspirational Others

3  

Arjuni charan Behera

Inspirational Others

ମହାନ୍ ଶିବଭକ୍ତ ରାବଣ

ମହାନ୍ ଶିବଭକ୍ତ ରାବଣ

4 mins
5



ରାବଣର ପିତା ଥିଲେ ମହର୍ଷି ବିଶ୍ରବା l ମାଆ ଥିଲେ ରାକ୍ଷସୀ କୈକେସି ବା ନିକଷା l ତେଣୁ ଜନ୍ମ ଜାତ ସଂସ୍କାର ଅନୁଯାୟୀ ବିଶ୍ରବାନନ୍ଦନ ବୈଶ୍ରବଣ ଥିଲା ବ୍ରହ୍ମବେତ୍ତା ବ୍ରାହ୍ମଣ l ରାବଣ ଚତୁର୍ବେଦକୁ ଆୟତ୍ତ କରିଥିଲା, ପରମ ଜ୍ଞାନୀ ଓ ବେଦବେଦାଙ୍ଗ ପାରଙ୍ଗମ ଥିଲା l ହେଲେ ରାକ୍ଷସୀ ମାତାଙ୍କ ଗର୍ଭରୁ ଜନ୍ମ ହୋଇଥିବାରୁ ତାର ବେଳେବେଳେ ରାକ୍ଷସ ପ୍ରବୃତ୍ତି ପ୍ରକାଶ ପାଉଥିଲା l ପୁରାଣ ଅନୁସାରେ ପୁର୍ବ ଜନ୍ମରେ ରାବଣ, କୁମ୍ଭକର୍ଣ୍ଣ ଥିଲେ ବୈକୁଣ୍ଠପୂରର ଦ୍ଵାର ପାଳ ଜୟ ଓ ବିଜୟ l ଋଷି ସନତ୍ କୁମାରଙ୍କୁ ଅବଜ୍ଞା କରି ସେମାନେ ଅଭିଶାପ ପାଇଥିଲେ ତିନିଜନ୍ମ ପାଇଁ ନିଚ୍ଚ ରାକ୍ଷସ ଯୋନିରେ ଜନ୍ମ ହେବେ ଓ ଭଗବାନ ବିଷ୍ଣୁଙ୍କ ହସ୍ତରେ ମୋକ୍ଷ ପାଇବେ l ଏହାର ପୂର୍ବ ଜନ୍ମରେ ସେମାନେ ରାକ୍ଷସ ହିରନ୍ୟାକ୍ଷ ଓ ହିରଣ୍ୟକଶିପୁ ରୂପେ ମୁକ୍ତିଲାଭ କରି ସାରିଥିଲେ l ସେମାନଙ୍କ ଏହି ଜନ୍ମ ମଧ୍ୟ ସେହି ମୁକ୍ତି ଓ ମୋକ୍ଷ ଲାଭ ପାଇଁ ଉଦ୍ଦିଷ୍ଟ l

ଦଶାନନ, ବ୍ରହ୍ମା ବରରେ ବଳୀୟାନ ହୋଇ ତ୍ରିପୁର ବିଜୟ କରିବା ପାଇଁ ଶକ୍ତି ହାସଲ କରିବାକୁ ଚିନ୍ତା କରୁଥାଏ l ଏହି ସମୟରେ ଦିନେ ଦେବର୍ଷି ନାରଦ ଆସି ରାବଣ ପୁରରେ ପହଁଚିଲେ l ରାବଣ ମୁନିଙ୍କ ପଦବନ୍ଦନା କରି ତାଙ୍କୁ ସବୁକଥା କହିଲା l ନାରଦ କହିଲେ, ବାବୁରେ ! ତୁ ତ ବ୍ରହ୍ମବେତ୍ତା ପରମଜ୍ଞାନୀ l ତତେ ମୁଁ ବା କି ଉପଦେଶ ଦେବି l ତେବେ ଏତିକି କହୁଛି ତୁ ସିଦ୍ଧିଲାଭ ପାଇଁ ଆଶୁତୋଷ ଭଗବାନ ଶିବଙ୍କୁ ତପସ୍ୟା କର, ତୋର ମଙ୍ଗଳହେବ l ଏହା କହି ନାରଦ ଅନ୍ତର୍ଦ୍ଧାନ ହୋଇଗଲେ l

ନାରଦଙ୍କ କଥାମାନି ରାବଣ ଶିବଙ୍କୁ ତୁଷ୍ଟ କରିବାକୁ କଠୋର ତପସ୍ୟା ଆରମ୍ଭ କଲା l ତପସ୍ୟାରେ ବହୁ କାଳ ବିତିଗଲା, ମାତ୍ର କୌଣସି ଫଳ ହେଲାନାହିଁ l ଶେଷକୁ ରାବଣ ତାର ଶିରଗୁଡ଼ିକୁ କାଟି ହୋମରେ ଆହୁତି ଦେବାକୁ ଲାଗିଲା l ସେ ନବମ ମସ୍ତକଟିକୁ କାଟିବାକୁ ଯାଉଛି, ଏହି ସମୟରେ ଭଗବାନ ଶିବ ପ୍ରକଟ ହୋଇ ତାକୁ ବର ଯାଚିଲେ l ରାବଣ ଶିବଙ୍କୁ ପ୍ରାର୍ଥନା କରିବାରୁ ସେ ତାକୁ ସର୍ଵସିଦ୍ଧି ପ୍ରଦାନ କରି ତା ହାତରେ ଚନ୍ଦ୍ରହାସ ଖଡ୍ଗ ପ୍ରଦାନ କଲେ l

ରାବଣ ବହୁ ଆନନ୍ଦ ହେଲା ମାତ୍ର କଥା ଏତିକିରେ ସରିଲା ନାହିଁ l ଦିନେ ରାବଣ ଭାବିଲା, ମୁଁ ଯାଉଛି ଭଗବାନ ଶଙ୍କରଙ୍କୁ କୈଳାସରୁ ଲଙ୍କାପୁରକୁ ଘେନି ଆସିବି l ଏହା ଭାବି ଦିନେ ଯାଇ କୈଳାସରେ ପହଞ୍ଚିଲା l ଦ୍ଵାର ଜଗିଥାନ୍ତି, ନନ୍ଦି l ସେ ଅନୁରୋଧ କରିବାରୁ ନନ୍ଦି ତାଙ୍କୁ ଶିବଙ୍କ ଦର୍ଶନ ହୋଇ ପାରିବ ନାହିଁ ବୋଲି କହିଦେଲେ l 

ଏଥିରେ କ୍ରୁଦ୍ଧ ହୋଇ, ରାବଣ ଭଗବାନ ଶଙ୍କରଙ୍କୁ ଲଙ୍କାପୁରୀକୁ ଘେନି ଯିବାପାଇଁ କୈଳାଶ ପର୍ବତକୁ ନିଜ ବିଂଶବାହୁ ଦ୍ୱାରା ତୋଳି ଧରିଲା l ମହାଦେବ ରାବଣର ଏ ଅହଙ୍କାରକୁ ଵୁଝି ପାରିଲେ l ତାର ଏ ଗର୍ବକୁ ଖର୍ବକରିବା ପାଇଁ କୈଳାଶ ପର୍ବତର ଭାର ଶଙ୍କର ବଢ଼ାଇ ଚାଲିଲେ l ଧୀରେ ଧୀରେ କୈଳାସ ଏତେ ଗରୁ ହୋଇଗଲା ଯେ ରାବଣ ଏହାକୁ ବହନ କରିବା ଆଉ ସମ୍ଭବ ହେଲା ନାହିଁ l ନିଜର ଭୁଲ ବୁଝି ପାରି ରାବଣ ଖୁବ୍ ଅନୁତପ୍ତ ହେଲା l ସେ ଶିବଙ୍କ ତୁଷ୍ଟି ନିମନ୍ତେ ଶିବତାଣ୍ଡବ ସ୍ତୋତ୍ର ରଚନା କଲା :-

  ଜଟାଟବିଗଲଜ୍ଜଲ ପ୍ରବାହ ପାବିତସ୍ଥଲେ

       ଗଲେବଲଂବ୍ୟ ଲଂବିତାଂ 

       ଭୁଜଂଗତୁଂଗ ମାଲିକାମ୍ l

    ଡମଡ୍ଡମଡ୍ଡମଡ୍ଡମନ୍ନିନାଦ ବଡ୍ଡମର୍ବୟଂ

     ଚକାର ଚଂଡତାଂଡବଂ ତନୋତୁ 

         ନମଃ ଶିବଃ ଶିବମ୍ ll

ଏହି ପ୍ରଭାବଶାଳୀ ସ୍ତୋତ୍ରକୁ ସେ ନୃତ୍ୟକରି ତାଣ୍ଡବ ପ୍ରୀୟ, ତାଣ୍ଡବକାରୀ ଶିବଙ୍କୁ ଗାଇ ଶୁଣାଇବାରୁ ଶିବ ଅତ୍ୟନ୍ତ ପ୍ରୀତ ହେଲେ l ରାବଣ ଭଗବାନ ଶଙ୍କରଙ୍କୁ ତା ମନୋଭାବ ବ୍ୟକ୍ତ କଲା l କିନ୍ତୁ ଶିବ ଲଙ୍କାକୁ ଯିବା ପାଇଁ ମନା କରି ତାକୁ ଏକ ଲିଙ୍ଗ ପ୍ରଦାନ କରି କହିଲେ, ମୋର କୈଳାସ ଛାଡ଼ି ଲଙ୍କା ଯିବା ସମ୍ଭବ ନୁହେଁ l ତୁ ଏହି ଲିଙ୍ଗକୁ ଘେନି ଯାଆ ଲଙ୍କାରେ ସ୍ଥାପନ କରି ପୂଜା କରିବୁ l ଏହା ମୁଖଲିଙ୍ଗ l ଏହାର ଉପସ୍ଥିତି ମୋ ଉପସ୍ଥିତି ସହ ସମାନ l କିନ୍ତୁ ମନେରଖ, ଏହି ଲିଂଗକୁ ଘେନିଗଲା ବେଳେ ଏହାକୁ କେଉଁଠି ସୁଦ୍ଧା ରଖିବୁନାହିଁ l ଯଦି ଏହାକୁ ରଖିଦେବୁ ତେବେ ଆଉ ଏହାକୁ ଉଠାଇ ନେଇ ପାରିବୁ ନାହିଁ l

ଦଶାନନ ଅତି ହର୍ଷିତ ହୋଇ ଲିଙ୍ଗ ଧରି କୈଳାସରୁ ଲଙ୍କା ଅଭିମୁଖେ ଯାତ୍ରାକଲା l ଭଗବାନ ବିଷ୍ଣୁ କିନ୍ତୁ ଶିବଙ୍କ ସେ ଜ୍ୟୋତିର୍ଲିଙ୍ଗ ରାବଣ ପୁରୀରେ ସ୍ଥାପିତ ହେବା ଚାହୁଁ ନ ଥିଲେ l ଏକ ମାୟା ରଚନା କଲେ ବିଷ୍ଣୁ l ବିଷ୍ଣୁ, ଭଗବତୀ ଗଙ୍ଗାଙ୍କୁ ରାବଣ ଉଦରରେ ପ୍ରବେଶ କରିବାକୁ ଅନୁରୋଧ କଲେ l ମାଆ ଗଙ୍ଗା ରାବଣ ଉଦରରେ ପ୍ରବେଶ କରିବାରୁ ତାକୁ ପ୍ରବଳ ପରିଶ୍ରା ଲାଗିଲା l ସେ ଚିନ୍ତା କଲା ଯାଉଛି ଲିଙ୍ଗଙ୍କୁ କାହା ହାତରେ ରଖି ପରିଶ୍ରା କରି ନେବି l ସେତିକି ବେଳେ, ବିଷ୍ଣୁ ଜଣେ ଗୋପାଳ ରୂପରେ ସେଠାରେ ପ୍ରକଟ ହେଲେ l ରାବଣ ତାଙ୍କ ହାତରେ ଶଙ୍କରଙ୍କ ଜ୍ୟୋତିର୍ଲିଙ୍ଗଙ୍କୁ ଧରାଇ ଦେଲା ଓ ପରିଶ୍ରା କରିବାକୁ ଚାଲିଗଲା l ଗଲାବେଳେ ତାଙ୍କୁ କହିଗଲା, ଦେଖ ମୁଁ ନଆସିବା ଯାଏ ତୁମେ ଏହି ଜ୍ୟୋତିର୍ଲିଙ୍ଗକୁ କୌଣସି ସ୍ଥିତିରେ ମଧ୍ୟ ଭୂମିରେ ରଖିବ ନାହିଁ l

ରାବଣ ଯେତେବେଳେ ପରିଶ୍ରା କରିବାକୁ ଲାଗିଲା ପରିସ୍ରା ଆଉ ଶେଷ ହେଲାନାହିଁ l ବହୁ ସମୟ ଧରି ରାବଣ ନ ଫେରିବାରୁ ଗୋପାଳ ଶିବ ଲିଙ୍ଗଙ୍କୁ ମାଟି ଉପରେ ଥୋଇ ଦେଇ ଉଭାନ ହୋଇଗଲେ l ରାବଣ ଫେରି ଆସି ଶତ ଚେଷ୍ଟାକରି ମଧ୍ୟ ସେଠାରୁ ଲିଙ୍ଗଙ୍କୁ ଟିକିଏ ସୁଦ୍ଧା ହଲାଇ ପାରିଲା ନାହିଁ l ଶୂନ୍ୟ ହସ୍ତରେ ଲଙ୍କା ଫେରିଗଲା ରାବଣ l

ପରେ ସମସ୍ତ ଦେବତା ଆସି ସେଠାରେ ପହଞ୍ଚିଲେ l ଜ୍ୟୋତିର୍ଲିଙ୍ଗଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କଲେ l ବହୁ ଦିନ ପରେ ଦିନେ ବୈଜନାଥ ନାମରେ ଜଣେ ଗାଇ ଚରାଳିକୁ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ମିଳିଲା l ସେ ପ୍ରତି ଦିନ ସେହି ଜ୍ୟୋତିର୍ଲିଙ୍ଗକୁ ପୂଜା କରିବାକୁ ଲାଗିଲା l ବୈଜନାଥ ନାମରୁ ସେହି ପବିତ୍ର ମାଟି ବୈଦ୍ୟନାଥ ଧାମ ନାମରେ ବିଦିତ ହେଲା l 

ଭଗବାନ ଶିବଙ୍କ ଲଙ୍କା ଯିବା ନୋହିଲା l ଶିବଭକ୍ତ ରାବଣ ଆନୀତ ସେହି ଶିବଲିଙ୍ଗ, ଆଜି ବାବାଧାମ ବୈଦ୍ୟନାଥ ଧାମରେ କୋଟି କୈବଲ୍ୟ ଦାତା ବାବା ବୈଦ୍ୟନାଥ ରୂପେ ପୂଜା ପାଉଛନ୍ତି l ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଏହା ଅନ୍ୟତମ ଜ୍ୟୋତିର୍ଲିଙ୍ଗ l

ରାବଣ ନିଧନପରେ ଦିନେ ମାଆ ସୀତା ପ୍ରଭୁ ଶ୍ରୀରାମଙ୍କୁ ପ୍ରଶ୍ନକଲେ, ପ୍ରଭୁ ! ଆପଣ ମହାନ୍ ଶିବଭକ୍ତ ପରମ ଜ୍ଞାନୀ, ବେଦଜ୍ଞ, ବ୍ରହ୍ମଜ୍ଞାନୀ ରାବଣକୁ ହତ୍ୟା କଲେ କିପରି ? ଶ୍ରୀରାମ ହସି ହସି କହିଲେ ମୁଁ ବ୍ରହ୍ମଜ୍ଞାନୀ ରାବଣକୁ ମାରିଛି କେଉଁଠି,ମୁଁ ତ ସେ ରାବଣକୁ ମୋକ୍ଷ ପ୍ରଦାନ କରିଛି l ମୁଁ ଯତିରୂପୀ ନାରୀ ଚୋର ବ୍ୟଭିଚାରୀ ଓ ମୁଁରୂପୀ ରାବଣକୁ ହିଁ ମାରିଛି l ଏହି ଥିଲେ ମହାନ୍ ଶିବଭକ୍ତ ରାବଣ l

       !!! ଓଁ ନମଃ ଶିବାୟଃ !!!

     


Rate this content
Log in

Similar oriya story from Inspirational