Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶୁନଃଶେପଙ୍କ କଥା

ଶୁନଃଶେପଙ୍କ କଥା

3 mins
7


 

କଥାରେ ଅଛି ମାଆର ସାନ l ବାପର ବଡ଼ l ମଝିଆଁ ପୁଅଟି ନୁହେଁ କାହାର l ଆମର ଏହି ଲୋକ କଥା ପୁଣ୍ୟ କାବ୍ୟ ରାମାୟଣର ଏକ ସୁନ୍ଦର ପ୍ରସଙ୍ଗରୁ ଆସିଛି l ସେହି ପ୍ରସଙ୍ଗ ହେଉଛି ୠଷି ଋଚୀକଙ୍କ ପୁତ୍ର ଶୁନଃଶେପଙ୍କ କଥା l

ଋଷି ବିଶ୍ଵାମିତ୍ର ବ୍ରହ୍ମର୍ଷିପଦ ପାଇଁ ଘୋର ତପସ୍ୟା କରୁଥାନ୍ତି l କିନ୍ତୁ ସେ ବଶିଷ୍ଠଙ୍କ ସହ ବିବାଦ କରି ମହାରାଜ ତ୍ରିଶଙ୍କୁଙ୍କୁ ଅଧା ସ୍ଵର୍ଗରେ ସ୍ଥାପନ କଲା ପରେ ତାଙ୍କର ତପୋଭଙ୍ଗ ହୋଇଗଲା l ତାଙ୍କର ସମସ୍ତ ତପୋବଳ ନଷ୍ଟ ହୋଇ ଗଲା l ବିଶ୍ଵାମିତ୍ର କିନ୍ତୁ ଏଥିରେ ତିଳେମାତ୍ର ବିଚଳିତ ନ ହୋଇ ଦୃଢ଼ ସଂକଳ୍ପକରି ପୁଣି ପଶ୍ଚିମଦିଗକୁ ଯାଇ ପୁଷ୍କରତୀର୍ଥ ନିକଟରେ ଘୋର ତପସ୍ୟାରେ ବସିଗଲେ l 

ଏହିସମୟରେ ଅଯୋଧ୍ୟାର ରାଜା ଅମ୍ବରୀଷ ଏକ ଯଜ୍ଞ କରୁଥିଲେ, କିନ୍ତୁ ତାଙ୍କର ଯଜ୍ଞ ଶେଷ ହେବା ପୂର୍ବରୁ ଇନ୍ଦ୍ର ଆସି ତାଙ୍କ ଯଜ୍ଞ ପଶୁଟିକୁ ଅପହରଣ କରିନେଲେ l ଯଜ୍ଞକାରୀ ବ୍ରାହ୍ମଣମାନେ କହିଲେ, ଯେଉଁ ରାଜା ଯଜ୍ଞ ରକ୍ଷା କରିବାକୁ ଅସମର୍ଥ ସେ ନିଜେ ବିନଷ୍ଟ ହୋଇଯିବ l ରାଜା, ତୁମ ଦୋଷରୁହିଁ ଏ ଯଜ୍ଞ ନଷ୍ଟ ହେବାକୁ ବସିଛି l ଏହାର ଏବେ ଏକ ମାତ୍ର ପ୍ରାୟଶ୍ଚିତ ହେଉଛି, ଜଣେ ମନୁଷ୍ୟକୁ ଆଣି ଏ ଯଜ୍ଞରେ ବଳି ଦେବାକୁ ପଡ଼ିବ l 

ଅମ୍ବରୀଷ ଏକସହସ୍ର ଗାଭୀ ଦାନ କରି ଗୋଟିଏ ମନୁଷ୍ୟ ପାଇବା ପାଇଁ ଘୋଷଣା କଲେ l କେହି କିନ୍ତୁ ଏହାକୁ ଗ୍ରହଣ କଲେ ନାହିଁ l ଶେଷରେ ସେ ବହୁ ଦେଶ, ନଗର, ଜନପଦ ଭ୍ରମଣ କରି ଯାଇ ୠଷି ଋଚୀକଙ୍କ ଆଶ୍ରମରେ ପହଞ୍ଚିଲେ l ତାଙ୍କର ତିନି ଗୋଟି ପୁତ୍ର ଥିଲେ l ଏକ ସହସ୍ର ଧେନୁ ବିନିମୟରେ, ସେ ଋଷିଙ୍କୁ ଗୋଟିଏ ପୁତ୍ର ଦେବା ପାଇଁ ଅନୁରୋଧ କଲେ l ୠଷି ରୁଚିକ କହିଲେ ଜ୍ୟେଷ୍ଠ ପୁତ୍ର ମୋର ଅତି ପ୍ରିୟ l ମୁଁ ତାକୁ କେବେହେଲେ ଦେଇ ପାରିବି ନାହିଁ l ୠଷି ପତ୍ନୀ କହିଲେ କନିଷ୍ଠ ପୁତ୍ରଟି ମୋର ଅତି ପ୍ରିୟ, ମୁଁ ତାକୁ କଦାପି ଦେଇ ପାରିବି ନାହିଁ l ଏହାଶୁଣି ମଧ୍ୟମପୁତ୍ର ଶୁନଃଶେପ କହିଲା ଜ୍ୟେଷ୍ଠପୁତ୍ର ପିତାଙ୍କର,ମାତାଙ୍କର କନିଷ୍ଠ ପୁତ୍ର ପ୍ରିୟ l ମୁଁ ତା' ହେଲେ କାହାର ନୁହେଁ l ସେ ସଙ୍ଗେସଙ୍ଗେ ଅମ୍ୱରୀଷଙ୍କୁ କହିଲେ, ରାଜା ! ପିତା ମାତାଙ୍କ କଥାରୁ ମୁଁ ବୁଝିଲି, ଜ୍ୟେଷ୍ଟ ଏଵଂ କନିଷ୍ଠ ପୁତ୍ର ବିକ୍ରୟ ଯୋଗ୍ୟ ନୁହଁନ୍ତି l ମୁଁ କେବଳ ବିକ୍ରୟ ଯୋଗ୍ୟ, ଚାଲନ୍ତୁ ମୁଁ ଆପଣଙ୍କ ବଳି ସ୍ଵରୂପ ଯିବି l ରାଜା ଲକ୍ଷେ ଧେନୁ,ବହୁ ସୁବର୍ଣ୍ଣ ଓ ଧନ ଦାନକରି ଶୁନଃଶେପଙ୍କୁ ସାଙ୍ଗରେ ଧରି ଆସିଲେ l 

ପଥ ମଧ୍ୟରେ ମଧ୍ୟାହ୍ନରେ ସେମାନେ ପୁଷ୍କର ତୀର୍ଥ ନିକଟରେ ବିଶ୍ରାମକଲେ l ସେଠାରେ ଶୁନଃଶେପ ମାତୁଳ ବିଶ୍ଵାମିତ୍ରଙ୍କୁ ଦେଖି ଶୋକ ବିହ୍ବଳ ହୋଇ ତାଙ୍କ ପାଦତଳେ ପଡ଼ିଯାଇ କହିଲେ, ମୁଁ ଅନାଥ l ମୋର ପିତା,ମାତା,ଜ୍ଞାତି, ସ୍ୱଜନ କେହି ନାହାନ୍ତି l ଆପଣ ମୋତେ ରକ୍ଷାକରନ୍ତୁ l ବର୍ତ୍ତମାନ୍ ମୁଁ ରାଜା ଅମ୍ୱରୀଷଙ୍କ ଯଜ୍ଞରେ ବଳି ପଡ଼ିବା ପାଇଁ ଯାଉଛି l ମୋତେ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ !!!

ଏହା ଶୁଣି ମହର୍ଷି ବିଶ୍ୱାମିତ୍ରଙ୍କ ହୃଦୟ କରୁଣାରେ ବିଗଳିତ ହେଇଗଲା l ତାଙ୍କୁ ସାନ୍ତ୍ଵନା ଦେଇ ନିଜ ପୁତ୍ର ମାନଙ୍କୁ ଡାକି କହିଲେ, ଦେଖ ! ଶରଣାଗତ ଏହି ବାଳକକୁ ମୁଁ ରକ୍ଷା କରିବାକୁ ଚାହେଁ l ତେଣୁ ତୁମ ମଧ୍ଯରୁ କେହି ଜଣେ ଯଜ୍ଞ ପଶୁ ହେବା ପାଇଁ ପ୍ରସ୍ତୁତ ହୋଇ ଯାଅ ଓ ଏହାର ପ୍ରାଣ ରକ୍ଷା କର l ପିତାଙ୍କ ବାକ୍ୟକୁ ଉପେକ୍ଷା କରି ବିଶ୍ଵାମିତ୍ରଙ୍କ ପୁତ୍ର ମାନେ କହିଲେ, ଯେଉଁ ପିତା ଅନ୍ୟର ପୁତ୍ର ପାଇଁ ନିଜ ପୂତ୍ରକୁ ତ୍ୟାଗ କରିବାକୁ ଚାହେଁ, ତାର ସେହି କାର୍ଯ୍ୟ ଶ୍ୱାନମାଂସ ଭକ୍ଷଣ ପରି ନିନ୍ଦାର ଯୋଗ୍ୟ l ପୁତ୍ରମାନଙ୍କର ଅବଜ୍ଞାପୂର୍ଣ୍ଣ ବାକ୍ୟ ଶୁଣି ବିଶ୍ଵାମିତ୍ର ସେମାନଙ୍କୁ ଅଭିଶାପ ଦେଇ କହିଲେ ତୁମେ ସବୁ ଏବେ ବଶିଷ୍ଠଙ୍କ ପୁତ୍ର ପରି ପତିତ ହୋଇ କୁକୁର ମାଂସ ଭକ୍ଷଣ କରିବ l ଶୁନଃଶେପଙ୍କୁ ସେ ଦୁଇଟି ମନ୍ତ୍ର ଦେଇ କହିଲେ, ତୁମେ ଏ ଦୁଇଟି ମନ୍ତ୍ର ଯଜ୍ଞ ସ୍ଥଳୀରେ ଗାୟନ କରିବ l ତୁମର ନିଶ୍ଚିନ୍ତ ଭାବେ ସମସ୍ତ କୁଶଳ ହେବ l

ଶୁନଃଶେପଙ୍କୁ ଯଜ୍ଞ ସ୍ଥଳୀରେ ଚନ୍ଦନ, ସିନ୍ଦୁର ଓ ରକ୍ତବସ୍ତ୍ର ପିନ୍ଧାଇ ଯୁପକାଠରେ ବାନ୍ଧି ଦିଆଗଲା l ସେହି ସମୟରେ ବିଶ୍ୱାମିତ୍ରଙ୍କ ପ୍ରଦତ୍ତ ମନ୍ତ୍ର ଦୁଇଟି ସେ ପାଠ କରିବାକୁ ଲାଗିଲେ l ମନ୍ତ୍ରବଳରେ ଇନ୍ଦ୍ର ସେଠାରେ ଉପସ୍ଥିତ ହୋଇ, ଅମ୍ବରୀଷଙ୍କୁ ଯଜ୍ଞର ଫଳ ପ୍ରଦାନ କଲେ l ଋଚୀକପୁତ୍ର ଶୁନଃଶେପଙ୍କୁ ଯୁପ କାଠରୁ ମୁକ୍ତ କରି ଦୀର୍ଘାୟୁ ପ୍ରଦାନ କଲେ l କିନ୍ତୁ କ୍ରୋଧରୁ ଅଭିଶାପ ଦେବାଦ୍ବାରା ବିଶ୍ଵାମିତ୍ରଙ୍କ ସମସ୍ତ ତପୋବଳ ନଷ୍ଟ ହୋଇ ଗଲା l ସେ ପୁନଃ କଠୋର ତପସ୍ୟାରେ ବସିଗଲେ l 

ମଝିଆଁ ପୁଅ କାହାର ନୁହେଁ l ଏହି କଥାକୁ ମହର୍ଷି ବାଲ୍ମୀକି ଶୁନଃଶେପଙ୍କ ବାକ୍ୟରେ କହିଛନ୍ତି:-

   ପିତା ଜ୍ୟେଷ୍ଠମବିକ୍ରେୟଂ 

        ମାତା ଚାହ କନିୟସମ୍ l

    ବିକ୍ରେୟଂ ମଧ୍ୟମଂ ମନ୍ୟେ 

        ରାଜପୁତ୍ର ନୟସ୍ଵ ମାମ୍ ll

      


Rate this content
Log in

Similar oriya story from Inspirational