Arjuni charan Behera

Inspirational Others

4  

Arjuni charan Behera

Inspirational Others

ବୈଦେହୀଙ୍କ ବିଦେହ ରାଜ୍ୟ କଥା

ବୈଦେହୀଙ୍କ ବିଦେହ ରାଜ୍ୟ କଥା

4 mins
10



ଦେବୀ ଭାଗବତର ଉପାଖ୍ୟାନ l ବହୁକାଳ ପୂର୍ବେ, ଈକ୍ଷାକୁ ବଂଶରେ ଜଣେ ଧାର୍ମିକ ପ୍ରଜା ବତ୍ସଳ ରାଜା ଥିଲେ ନିମି l ସେ ଖୁବ୍ ସୁଖରେ ପ୍ରଜା ପାଳୁଥିଲେ l ନିମିଙ୍କ ରାଜ୍ୟରେ ନଥିଲା କୌଣସି ଦୁଃଖ, ଦୈନ୍ୟ କିମ୍ବା ଅସତ୍ୟ l ଧନ ଧାନ୍ୟରେ ନିମିଙ୍କ ରାଜ୍ୟ ପୂର୍ଣ୍ଣ ଥିଲା ଓ ପ୍ରଜା ମାନେ ସୁଖରେ ବାସ କରୁଥିଲେ lଥରେ ମହାରାଜ ନିମି, ପ୍ରଜା କଲ୍ୟାଣ ଅର୍ଥେ ତାଙ୍କ ରାଜଧାନୀ ଜୟନ୍ତପୁରରେ ଗୋଟିଏ ବିରାଟ ଯଜ୍ଞର ଆୟୋଜନ କଲେ l ଯଜ୍ଞକୁ ଭୃଗୁ, ଅଙ୍ଗିରା, ଗୌତମ, ବାମଦେବ, ଆଦି ପ୍ରମୁଖ ଋଷି ମାନଙ୍କୁ ଆସିବ ପାଇଁ ନିମନ୍ତ୍ରଣ କରାହେଲା l ନିମି ଯାଇ କୁଳ ପୁରୋହିତ ବଶିଷ୍ଠଙ୍କୁ କହିଲେ, ମହାଭାଗ ! ମାଆ ଭଗବତୀଙ୍କ ପ୍ରିତ୍ୟାର୍ଥେ, ମୁଁ ପାଞ୍ଚ ବର୍ଷ ବ୍ୟାପୀ ଏହି ମହା ଯଜ୍ଞର ଆୟୋଜନ କରିଛି, ଆପଣ ଦୟାକରି ଏହି ଯଜ୍ଞର ପୁରୋଧା ହୋଇ ମୋତେ ଧନ୍ୟ କରନ୍ତୁ lରାଜା ନିମିଙ୍କ କଥା ଶୁଣି କୁଳଗୁରୁ ବଶିଷ୍ଠ କହିଲେ, ବତ୍ସ ! ତୁମେ ଆସିବା ପୂର୍ବରୁ ଦେବରାଜ ଇନ୍ଦ୍ର ଆସି ମୋତେ ନିମନ୍ତ୍ରଣ କରି ଗଲେ l ସେ ମଧ୍ଯ ପରାଶକ୍ତି ନାମରେ ଏକ ମହାଯଜ୍ଞ କରୁଛନ୍ତି l ସେହି ମହାଯଜ୍ଞ ଦୀର୍ଘ କାଳ ଧରି ଚାଲିବ l ସେହି ଯଜ୍ଞରେ ପୁରୋଧା ହେବାକୁ, ମୁଁ ଇନ୍ଦ୍ରଙ୍କୁ ସ୍ଵୀକୃତି ଦେଇ ସାରିଛି l ତୁମେ ଯଜ୍ଞ ସାମଗ୍ରୀ ସବୁ ଅୟୋଜନ କରି ରଖିଥାଅ l ଇନ୍ଦ୍ରଙ୍କ ଯଜ୍ଞ ସାରି ମୁଁ ଆସି ତୁମ୍ଭ ଯଜ୍ଞ କରିବି lବଶିଷ୍ଠ ଦେବରାଜ ଇନ୍ଦ୍ରଙ୍କ ଯଜ୍ଞ କରିବା ପାଇଁ ସ୍ୱର୍ଗ ଯାତ୍ରାକଲେ l ନିମିଙ୍କ ପକ୍ଷରେ ଯଜ୍ଞ ସ୍ଥଗିତ ରଖିବା ସମ୍ଭବନଥିଲା l ତେଣୁ ମହର୍ଷି ଗୌତମଙ୍କୁ ଆଚାର୍ଯ୍ୟ ରୂପେ ବରଣକରି ସେ ଯଜ୍ଞ ଆରମ୍ଭ କଲେ l ବଶିଷ୍ଠ ଇନ୍ଦ୍ର ଯଜ୍ଞ ସାରି ଫେରିଆସି ଦେଖନ୍ତି ତ ମହର୍ଷି ଗୌତମଙ୍କ ଅଧ୍ୟକ୍ଷତାରେ ନିମିଙ୍କ ଯଜ୍ଞ ଚାଲିଛି l ବଶିଷ୍ଠ କ୍ରୋଧିତ ହୋଇ ରାଜାଙ୍କୁ କହିଲେ, ରେ ମୂର୍ଖ ! ତୋର ଟିକିଏ ବି ଧୈର୍ଯ୍ୟ ରହିଲା ନାହିଁ l ମୁଁ ତୋ କୁଳ ପୁରୋହିତ l ତୁ ମୋ କଥା ନମାନି, ମୋତେ ଉପେକ୍ଷା କରି ଅନ୍ୟ ପୁରୋହିତଙ୍କୁ ଆଣି ଯଜ୍ଞକଲୁ l ତୋତେ ମୁଁ ଅଭିଶାପ ଦେଉଛି, ତୋର ଏହି ସ୍ପର୍ଦ୍ଧାଶୀଳ ଦେହ ନଷ୍ଟ ହୋଇ ଯାଉ l ତୁ ବିଦେହ ହୋଇ ଯାଆ lବଶିଷ୍ଠଙ୍କୁ ବହୁତ କ୍ରୋଧିତ ଦେଖି ରାଜା ନିମି କହିଲେ, ହେ ଗୁରୁ ! ଆପଣ ଅଯଥା ମୋତେ ଦୋଷ ଦେଉଛନ୍ତି l ମୁଁ ଆପଣଙ୍କୁ ଅନୁରୋଧ କଲି, କିନ୍ତୁ ଧନ ଲୋଭରେ ଆପଣ ମୋ ଅନୁରୋଧ ରକ୍ଷା ନ କରି ଚାଲିଗଲେ l ଆପଣ ବ୍ରାହ୍ମଣ l ଏପରି କ୍ରୋଧିତ ହେବା ଆପଣଙ୍କ ଠାରେ ଶୋଭା ପାଏନାହିଁ l ଏଣୁ ମୁଁ ମଧ୍ୟ ଆପଣଙ୍କୁ ଅଭିଶାପ ଦେଉଛି, "ଆପଣଙ୍କ ଏହି କ୍ରୋଧାବିଷ୍ଟ ଶରୀର ନଷ୍ଟ ହୋଇଯାଉ" lରାଜା ନିମିଙ୍କ ଦ୍ୱାରା ଅଭିଶପ୍ତ ହୋଇ, ବଶିଷ୍ଠ ଯାଇ ନିଜ ପିତା ବ୍ରହ୍ମାଙ୍କୁ କହିଲେ,ହେ ପିତୃ ଦେବ ! ରାଜା ନିମିଙ୍କ ଅଭିଶାପ ଯୋଗୁଁ ମୁଁ ବଡ଼ ଚିନ୍ତାରେ ପଡ଼ିଛି l ମୋର ଏହି ଶରୀର ଅଚିରେ ନାଶ ହୋଇଯିବ l କିପରି ପୁନର୍ବାର ମୁଁ ଦେହ ଧାରଣ କରିବି ଏବଂ ମୋର ସମସ୍ତ ଜ୍ଞାନ ସେ ଶରୀରରେ ରହିବ, ତାର ଉପାୟ ଆପଣ ସ୍ଥିରକରନ୍ତୁ l ବ୍ରହ୍ମା ବଶିଷ୍ଠଙ୍କୁ ସାନ୍ତ୍ଵନା ଦେଇ କହିଲେ, ହେ ପୁତ୍ର ! ତୁମେ ଯାଅ ମିତ୍ରାବରୁଣଙ୍କ ତେଜରେ ପ୍ରବେଶ ପୂର୍ବକ ଶାନ୍ତିରେ ଅବସ୍ଥାନ କର l ଉପଯୁକ୍ତ ସମୟ ଆସିଲେ ସେମାନଙ୍କ ତେଜରେ ତୁମେ ପୁଣି ଆଯୋନିଜ ପୁତ୍ର ଭାବେ, ଜାତ ହେବ ଏବଂ ତୁମେ ଏ ଜନ୍ମରେ ଆହରଣ କରିଥିବା ସମସ୍ତ ବିଦ୍ୟା ତଥା ଜ୍ଞାନ ବଳରେ ଏହି ସଂସାରରେ ଜ୍ଞାନୀଶ୍ରେଷ୍ଠ ଭାବେ ସର୍ବତ୍ର ପରିଚିତ ହେବ l 

ବଶିଷ୍ଠ ପିତାଙ୍କୁ ପ୍ରଣାମ ଓ ପ୍ରଦକ୍ଷିଣ କରି ଚାଲିଲେ ମିତ୍ରାବରୁଣଙ୍କ ଆଶ୍ରମକୁ l ଆଶ୍ରମରେ ତପସ୍ୟାରତ ଥାନ୍ତି ଦୁଇ ୠଷି ମିତ୍ର ଓ ବରୁଣ l ଋଷିଙ୍କ ତେଜରେ ସେହି ସ୍ଥାନଟି ଆଲୋକିତ ହେଉଥାଏ l ସେଠାରେ ପହଞ୍ଚି ବଶିଷ୍ଠ ନିଜର ସ୍ଥୂଳ ଶରୀର ପରିତ୍ୟାଗ କରି ସୂକ୍ଷ୍ମ ଶରୀରରେ ତପସ୍ୱୀ ଦ୍ୱୟଙ୍କ ଦେହରେ ପ୍ରବେଶ କରି ଅବସ୍ଥାନ କଲେ l 

ବହୁଦିନ ପରେ ଦିନେ ପରମା ସୁନ୍ଦରୀ ସ୍ବର୍ଗ ନର୍ତ୍ତକୀ ଉର୍ବଶୀ ମିତ୍ରବରୁଣଙ୍କ ଆଶ୍ରମ ଭ୍ରମଣରେ ଆସିଲେ l ତାଙ୍କୁ ଦେଖି ଦୁଇ ତପସ୍ୱୀ କାମ ବିମୋହିତ ହୋଇ ପଡ଼ିଲେ ଏବଂ ତାଙ୍କ ରେତ ସ୍ଖଳିତହୋଇ ଗୋଟିଏ ପାତ୍ରରେ ପତିତହେଲା l ସେହି ପାତ୍ରରୁ କାଳ କ୍ରମେ ଦୁଇଜଣ ମୁନିକୁମାର ଜାତ ହେଲେ ଓ ସଂସାରରେ ମହର୍ଷି ଅଗସ୍ତି ଓ ବଶିଷ୍ଠ ବୋଲି ବିଦିତ ହେଲେ l

ଇଆଡ଼େ ବଶିଷ୍ଠଙ୍କ ଅଭିଶାପ ଯୋଗୁଁ ରାଜା ନିମିଙ୍କ ଶରୀର ମୃତ ପ୍ରାୟ ଅବଶ ହୋଇ ପଡ଼ିଲା l ଯଜ୍ଞକୁ ଆସିଥିବା ୠଷି ମାନେ ମନ୍ତ୍ର ପ୍ରୟୋଗ କରି ନିମିଙ୍କ ଅବଶ ଶରୀରକୁ ରକ୍ଷା କଲେ l ସେ ଶରୀରରେ ପ୍ରାଣ ଥାଏ ଓ ୠଷି ମାନେ ତାକୁ ଫୁଲ ଓ ଚନ୍ଦନରେ ସଜାଇ ରଖି ପୂଜା କରୁଥାନ୍ତି l 

ରାଜା ନିମିଙ୍କ ଯଜ୍ଞକୁ ସମସ୍ତ ଦେବତା ମାନେ ଆସିଥିଲେ l ବିଧି ଅନୁସାରେ ଯଜ୍ଞ ସମାପ୍ତ ହେଲା l ଯଜ୍ଞରେ ତୃପ୍ତ ଦେବତା ମାନଙ୍କୁ ଋତ୍ୱିଜମାନେ ଭକ୍ତିପୂତ ସ୍ତୁତି କରି ରାଜା ନିମିଙ୍କୁ କରୁଣାକରନ୍ତୁ ବୋଲି ମିନତି କଲେ l ସେମାନଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ଦେବତା ମାନେ କହିଲେ, ଏହି ଯଜ୍ଞ କରି, ରାଜା ବହୁ ପୂଣ୍ୟ ଅର୍ଜନ କରିଛନ୍ତି l ସେ ଇଚ୍ଛାନୁସାରେ ଶରୀରଧାରଣ କରିବାକୁ ଯୋଗ୍ୟ l ନିମିଙ୍କୁ ସମ୍ବୋଧନ କରି ସେମାନେ କହିଲେ, ହେ ରାଜା ନିମି ! ତୁମେ ମାନବ ଶରୀର ଅଥବା ଦେବ ଶରୀର ଯାହା ଲାଭ କରିବାକୁ ଇଚ୍ଛା କରୁଛ, ତାହା ଧାରଣ କର l ଦେବତାଙ୍କ ଆଶୀର୍ବାଦ ଶୁଣି ନିମିଙ୍କ ଆତ୍ମା କହିଲା, ଏ ଜନ୍ମ ମରଣ କ୍ଳୀଷ୍ଟ ଶରୀରକୁ ଧରିବା ପାଇଁ ଆଉ ମୁଁ ଆଗ୍ରହୀ ନୁହେଁ l ସମସ୍ତ ପ୍ରାଣୀ ଯେଉଁ ଚକ୍ଷୁଦ୍ୱାରା ଜଗତର ସବୁ କଛି ଦର୍ଶନ କରୁଛନ୍ତି ମୋତେ ସେହି ଚକ୍ଷୁରେ ଅବସ୍ଥାନ କରିବା ସୌଭାଗ୍ୟ ଦିଅନ୍ତୁ l ରାଜା ନିମିଙ୍କ କଥା ଶୁଣି ଦେବତା ମାନେ କହିଲେ, ତୁମର ଏ ଅଭିଳାଷ ପୂରଣ କରିବା କ୍ଷମତା କେବଳ ମାଆ ପରମେଶ୍ବରୀ, ଜଗଦମ୍ବାଙ୍କର ଅଛି l ତୁମେ ମାଆଙ୍କୁ ପ୍ରାର୍ଥନା କର l ନିମିଙ୍କ ଆତ୍ମା ମହାମାୟାଙ୍କୁ ସ୍ତୁତି କରିବାକୁ ଲାଗିଲା l ସ୍ତୁତିରେ ସନ୍ତୁଷ୍ଟା ହୋଇ ଦେବୀ ଆବିର୍ଭାବ ହେବାରୁ ନିମିଙ୍କ ଆତ୍ମା, ତାଙ୍କୁ ଅଭୀଷ୍ଠ ପୂରଣ ପାଇଁ ଓ ଦିବ୍ୟ ଜ୍ଞାନ ପ୍ରଦାନ ପାଇଁ ନିବେଦନ କଲା l ଜଗଦମ୍ବା କହିଲେ, ତୁମର ବର୍ତ୍ତମାନ ପ୍ରାରବ୍ଧ ଭୋଗ, ସମାପ୍ତ ହୋଇନାହିଁ l ପ୍ରାରବ୍ଧ ଭୋଗ ସମାପ୍ତ ହେଲେ ଯାଇ ତୁମେ ଦିବ୍ୟଜ୍ଞାନ ପାଇବ l ବର୍ତ୍ତମାନ ତୁମେ ସକଳ ପ୍ରାଣୀଙ୍କ ନେତ୍ରରେ ଅବସ୍ଥାନ କର l ତୁମ ପ୍ରଭାବରେ ସେମାନେ ପଲକ ପାତର କ୍ଷମତା ପାଇବେ lଏପରି ଆଶୀର୍ବାଦ କରି ମା' ପରମେଶ୍ୱରୀ ଅନ୍ତର୍ଦ୍ଧାନ ହୋଇଗଲେ l ଋଷିମାନେ ନିମିଙ୍କ ବଂଶ ରକ୍ଷା ପାଇଁ ତାଙ୍କ ମୃତ ଶରୀରରେ କାଷ୍ଠ ପୁରାଇ ମନ୍ଥନକଲେ l ସେହି ମନ୍ଥନରୁ ଗୋଟିଏ ଦିବ୍ୟସନ୍ତାନ ଜନ୍ମହେଲା l ମନ୍ଥନରୁ ଜାତ ହୋଇଥିବା ସେହି ସନ୍ତାନଟିର ନାମ ହେଲା ମିଥି l ପିତାଙ୍କ ଶରୀରରୁ ଜନ୍ମ ହୋଇ ଥିବାରୁ ସେ ପୁଣି ଜନକ ନାମରେ ପରିଚିତ ହେଲେ l ନିମି ଅଭିଶପ୍ତ ହୋଇ ବିଦେହ ହୋଇଥିବାରୁ ତାଙ୍କ ବଂଶକୁ ବିଦେହ ବୋଲି କୁହାଗଲା l ରାଜା ମିଥିଙ୍କ ଶାସିତ ରାଜ୍ୟ, ମିଥିଳା ନାମରେ ପରିଚିତ ହେଲା l 

ବହୁଦିନ ପରେ ଅପୁତ୍ରିକ ରାଜା ଜନକ ଭୂମି କର୍ଷଣ କରୁ କରୁ ମାଆ ସୀତାଙ୍କୁ ପାଇ ନିଜ ଦୁହିତା ରୂପେ ପାଳନ କଲେ l ସେ ବିଦେହ ମିଥିଳା ଓ ଜନକଙ୍କ କନ୍ୟା ଭୂମିସୂତା ସୀତା, ପୁଣି ପରିଚିତହେଲେ ବୈଦେହୀ ମୈଥିଳୀ ଓ ଜାନକୀ ନାମରେ l 

    !!! ଜୟ ମାଆ ଜଗଦମ୍ବେ !!!

    ୍


Rate this content
Log in

Similar oriya story from Inspirational