ଓଡ଼ିଆ ଗଳ୍ପ - ସ୍ମୃତି ଫରୁଆରେ ହଜିଲା ପ୍ରେମ
ଓଡ଼ିଆ ଗଳ୍ପ - ସ୍ମୃତି ଫରୁଆରେ ହଜିଲା ପ୍ରେମ
ହଠାତ୍ ଲୋକଙ୍କ ମୁହଁରୁ କଥା ପଦେ ଶୁଣି
ସେ ଏମିତି ଇତସ୍ତତଃ ହୋଇ ପଡିବ, ତାର ଦରଦର ଦରିଆରେ ସୁନାମିର ଭୟଙ୍କର ଜୁଆର ମାଡି ଆସିବ କେବେ ଭାବି ନ ଥିଲା। ନିଜକୁ
ଯେତେ ସମ୍ଭାଳିବାକୁ ବାହାରେ ବାହାରେ ଚେଷ୍ଟା କରୁଥିଲା ଭିତରକୁ ସେତିକି ଭାଙ୍ଗି ପଡୁଥିଲା।
ତା ଅଜାଣତରେ ଆଖିରୁ କେଇ ବୁନ୍ଦା ଲୁହ ଝରି ପଡିଲା। ପକେଟ୍ ରୁ ରୁମାଲ୍ କାଢି ପୋଛୁ ପୋଛୁ
ଭିଜି ଯାଇଥିଲା ତାର ଆଖି ତଳ।
ପ୍ରସାଦ ଆଜି ବେଶ୍ ଜଣାଶୁଣା। ଜନ୍ମ
ହୋଇଥିବା ତା ଛୋଟିଆ ଗାଁରେ। ଆଖପାଖ ଅଞ୍ଚଳରେ ବି। ଜଣେ ଭଲ କୃଷି ବିଭାଗୀୟ କର୍ମଚାରୀ ଭାବେ। ତାର ଏ ହସ ଖୁସିର ସଂସାର ଓ ଯଶ ଖ୍ୟାତି ଅର୍ଜ୍ଜନ କରିବା ମୂଳରେ
ସେଇ ସରିତା। ସ୍ମୃତି ଫରୁଆର ହଜିଲା ପ୍ରେମ ଆଜି ହୋଇଛି ଅତୀତ। ହେଲେ ବି ତା ହୃଦୟରେ ଏବେବି ବଞ୍ଚିଛି। କେମିତି ତାକୁ ଭୁଲି ପାରିବ ପ୍ରସାଦ। ଅନ୍ତତଃ ତାର ଏ ଜୀବନ ଥିବା ପର୍ଯ୍ୟନ୍ତ ନୁହେଁ।
ନିଶାସକ୍ତ ସ୍ଵାମୀର ନିର୍ଯ୍ୟାତନା, ମାଡ ଗାଳି ସହି ସହି ଜୀଅନ୍ତା ଶବ ହୋଇ ବଞ୍ଚିଥିଲା।
କୋଳରେ ଝିଅଟିଏ, ତା ଉପରକୁ ଆଠ ବର୍ଷର ପୁଅ। ବିବାହର ଦଶ କି ଏଗାର ବର୍ଷ ହେବ।
ବାହା ହୋଇଥିଲା ସେ ପାଖ ଗାଁର ଜମିଦାରଙ୍କ ପୁଅ ପ୍ରଭାକରକୁ। ଏକମାତ୍ର ପୁଅ ଥିଲା ବଂଶର।
ହୃଦଘାତରେ ତା ବାପାଙ୍କ ମୃତ୍ୟୁ ହେଲା ପରେ
ବିଗିଡି ଗଲା ସେ। ଜୀବନକୁ ଉପଭୋଗ କରିବା ପାଇଁ ନିଶା ଆଉ ନାରୀ ପଛରେ ପାଣି ପରି ଅର୍ଥ ଖର୍ଚ୍ଚ କଲା। ଋଣ ଭାରରେ ବୁଡି ରହିଲା। ମାନସିକ ଭାରସାମ୍ୟ ହରାଇ ତାର ସ୍ତ୍ରୀ ଉପରେ
ଦାଉ ସାଜିଲା। କେତେ ସହିବ ଜଣେ ନାରୀ, ସ୍ଵାମୀ ବିପଥଗାମୀ, ନିଶାସକ୍ତ। ତାପରେ ବି ବିନା ଦୋଷରେ ମାଡ ଗାଳି, ଅମାନୁଷିକ ବ୍ୟବହାର।
ଶେଷ ବିଷ ପିଇ ଜୀବନ ହାରି ଦେଲା ଏ ସରିତା।
ଯା ପାଇଁ ଆଜି ବି ପ୍ରସାଦର ହୃଦୟ ଭିତରେ
ଲାଗି ରହିଛି ତାର ପ୍ରତିଛବି।
ସେଇ ସରିତା, ପ୍ରସାଦ ଗାଁର ଝିଅଟିଏ।
ଏକ ଆର୍ଥିକ ସ୍ଵଚ୍ଛଳ ଥିବା ପରିବାରରେ ଜନ୍ମ
ହୋଇଥିଲା। ମାଆବାପାଙ୍କର ଅଲିଅଳି। ସୁନ୍ଦରୀ
ତନୁ ପାତଳି। ଫୁଲ ଫୁଟା ଲତା ପରି ତାର ଅଙ୍ଗରଙ୍ଗ। ଚାଲି ଗଲେ ବାଟେ ଥରୁଟିଏ ଚାହିଁବ
ଜଣେ।
ରୂପ ସାଙ୍ଗକୁ ସରିତାର ବ୍ୟବହାର ଶାନ୍ତ ସୁଧାର। ମିଠା ମିଠା ସରୁ ସରୁ କଥା। ମନ କିଣ
ି ନେବ ସମସ୍ତଙ୍କର। ଗାଆଁ ଯାକ ତାକୁ ସଭିଏଁ ଆଦର କରନ୍ତି ଭଲ ପାଆନ୍ତି। ସେ ସମସ୍ତଙ୍କୁ ମାନେ। ସାନକୁ ଶ୍ରଦ୍ଧା ଓ ବଡଙ୍କୁ ଭକ୍ତି କରେ।
ସରିତା ସବୁରି ହୃଦୟରେ ଭରି ଦିଏ ସରସତା।
ସରିତା ସହିତ ପ୍ରସାଦ ଏକ ଶ୍ରେଣୀରେ ପଢୁଥିଲେ ମ୍ୟାଟ୍ରିକ ପର୍ଯ୍ୟନ୍ତ। ମ୍ୟାଟ୍ରିକ ପାଶ୍ କଲା ପରେ ପ୍ରସାଦ କଲେଜ ପଢିବାକୁ ସହର ଚାଲିଗଲା। ସରିତା ଆଉ ପଢିଲାନି। ଗାଁରୁ ସହର
ଦୂର। ଯିବା ଆସିବାର ସୁବିଧା ସେତେବେଳେ ନ ଥିଲା। ସରିତାର ପାଠ ବି ଏତେ ଭଲ ହେଉ ନ ଥିଲା। ଉଚ୍ଚ ଶିକ୍ଷାରୁ ସେ ବଞ୍ଚିତ ହେଲା।
ପ୍ରସାଦ ବହୁତ ଗରିବ ଘରର ପିଲା। ବିଚକ୍ଷଣ ବୁଦ୍ଧିମାନ। ପଢାପଢିରେ ଅର୍ଥ ତା' ପଥ ବାରମ୍ଵାର ଉଗାଳୁ ଥିଲା। ତାର ଏ ଦୟନୀୟ ଅବସ୍ଥା ଦେଖି ଅଯାଚିତ ଭାବେ ସରିତା ସହଯୋଗର ହାତ ବଢାଇଥିଲା। ପ୍ରସାଦ ତାର ଏ
ସାହାଯ୍ୟ ନେବାକୁ ପ୍ରଥମେ ପ୍ରଥମେ ଅନିଚ୍ଛା ପ୍ରକାଶ କରୁଥିଲା। ଯେଉଁଦିନ ସରିତା ତାର ମନ କଥା ଖୋଲି କହିଦେଲା ତାକୁ, ସେ ଆଉ ମନା କରି ପାରିଲା ନାହିଁ। ପରସ୍ପର ମଧ୍ୟରେ ଗଢି ଉଠିଲା ମଧୁର ପ୍ରେମ ସମ୍ପର୍କ। ଅପରିପକ୍ଵ ମାନସିକତାରେ ଦୁହେଁ ଦୁହିଁଙ୍କୁ ମନ ଦେଇଥିଲେ।
ତାଙ୍କର ଏ ଭଲ ପାଇବା ଦେଖି ସରିତାକୁ ମାଆ ବାପା ଆକଟ କରିଥିଲେ। ଭବିଷ୍ୟତକୁ ପ୍ରମାଦ ଗଣି ପାଖ ଗାଁର ଜମିଦାରଙ୍କ ପୁଅ ପ୍ରଭାକର ସହିତ ସରିତାର ବାହାଘର ହୋଇଥିଲା।
ପ୍ରସାଦ କାହା ଆଗେ ଏହାର ପ୍ରତିବାଦ କରି ପାରି ନ ଥିଲା କି ପ୍ରତିବାଦ କରି ସରିତାକୁ ନିଜର କରିବା ପାଇଁ ସାମର୍ଥ୍ୟ ମଧ୍ୟ ନ ଥିଲା। ମନେ ମନେ ମରି ମାରି ଦେଇଥିଲା ତାର ଏ କଅଁଳିଆ
ପ୍ରେମକୁ। ତଥାପି ତାର ସ୍ମୃତିକୁ ବଞ୍ଚାଇ ତାର ପ୍ରେରଣାରେ ଆଗକୁ ବଢୁଥିଲା। ଗ୍ରାଜୁଏଟ ହେଲା ପରେ ଛୋଟ ଚାକିରିଟିଏ କଲା। ସଂସାର ବାନ୍ଧିଲା। ଏବେ ସେ ଭଲରେ ଅଛି। ମନ କିନ୍ତୁ
କେଉଁଠି ନା କେଉଁଠି ଖୋଜି ବୁଲୁଛି ସେ ଦିନର
ସେ ପ୍ରେମକୁ।
ସରିତା ଆଜି ଆଉ ନାହିଁ। ମଦୁଆ ମାତାଲ୍ ପୁଣି ଦ୍ଵିତୀୟ ସଂସାର ବାନ୍ଧିଲା। ପ୍ରସାଦ ତାର ପରିପୂର୍ଣ୍ଣ ସପରିବାରେ ରହି ସବୁ ପାଉଥିଲା ପରେ ବି ହୃଦୟ ଭିତରେ ଅନୁଭବ କରୁଛି ଏକ
ଶୂନ୍ୟତା। ସ୍ମୃତି ଫରୁଆର ହଜିଲା ପ୍ରେମ ଆଜି
ଅତୀତ ହେଲେ ବି ବଞ୍ଚି ରହିଛି ତା ସୂକ୍ଷ୍ମ ଚେତନାର, ହୃଦୟର ସ୍ପନ୍ଦନରେ..।