ଉଡା ଚଢ଼େଇ
ଉଡା ଚଢ଼େଇ
ଏଇ ସେ ସୁନ୍ଦର ବଗିଚା। ଯାହାର ରଙ୍ଗୀନ ଫୁଲ, ମିଠା ମହକ ଆଉ ପ୍ରଜାପତିର ଖେଳ ତାକୁ ଆକୃଷ୍ଟ କରିଥିଲା ଦିନେ। ଜୀବନଟା ତାର ଲାଗୁଥିଲା ଚିର ବସନ୍ତ ବସନ୍ତ । ଏଇଠି ଦେଖିଛି ସେ କୋଇଲି, କୁମ୍ଭାଟୁଆ, କଜଳପାତି, ହଳଦୀବସନ୍ତ। ଶୁଣିଛି ମଧୁର ସ୍ଵରର କୁଉ..ତାନ,କେତେ ପକ୍ଷୀର ସେ କଳରବ। ଚାରିଆଡେ ଏକ ଆଡମ୍ବର ଶୋଭାର ମନଲୋଭା କାଉଁରି ପରଶ।
ଆଜି କାହିଁକି ଲାଗେ ସବୁ ବେରଙ୍ଗ ? ଯା' ସୌନ୍ଦର୍ଯ୍ୟର ଜୁଆର ଭାଙ୍ଗି ବେଳାଭୂଇଁକୁ କରି ଦେଉଥିଲା ଚମକପ୍ରଦ। ସେ ନିର୍ବାକ୍ ନିଥର।
ଏକ ନିସ୍ତବ୍ଧତାର ଶୋକ ମୁହୂର୍ତ୍ତ।
ଶ୍ରେୟାଂଶୁ ଏମିତି ଏକ ଭାବନାର ଚକ୍ରବ୍ୟୂହ ଭିତରେ ଫସି ଯାଇଛି। ଯେମିତି ସେ ପାଲଟି ଯାଇଛି ପାଷାଣ। ତା' ଉପରେ ମହାବାତ୍ୟା ଅତିକ୍ରମ କରି ଯାଇଛି। ସତେ କି ସେ ବାତ୍ୟାରେ ଓଲଟି ପଡିଥିବା ଦ୍ରୁମଟିଏ।
ଆଉ ଜୁଝିବାକୁ ଜୁ ନାହିଁ କି ତା ତାହାର କେହି ସାହା ନାହିଁ। ଗୋଟା ପଣେ କ୍ଳାନ୍ତ ବିବଶ। ବୋଧହୁଏ ଭାବନାକୁ ତାର କ୍ରମଶଃ ରଖି ଦୀର୍ଘନିଃଶ୍ଵାସ ଛାଡିଲା...
ଏଇ ଶ୍ରେୟାଂଶୁ ଦିନେ ବିଶ୍ୱବିଦ୍ୟାଳୟର ବିଚକ୍ଷଣ ମେଧାବୀ ଛାତ୍ର ଥିଲା, ସ୍ୱର୍ଣ୍ଣପଦକ ପାଇ
ସାରା ଓଡ଼ିଶାର ଗୌରବ ବଢାଇ ଥିଲା। ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।
ଅନେକ ସ୍ୱପ୍ନ ସେ ତା' ଆଖିରେ ସାଇତି ରଖିଥିଲା। କଳ୍ପନାର ହିମାଳୟରେ ସେ ପ୍ରାଣ ପ୍ରାଚୁର୍ୟ୍େର ଉଚ୍ଚତମ ଏଭାରେଷ୍ଟ ଶୃଙ୍ଗ ତୋଳି ଥିଲା। ଐଶ୍ୱର୍ଯ୍ୟର ଜମାଟ ବନ୍ଧା ବରଫ ଶିଳା ଉପରେ ଖେଳୁଥିଲା ଦ୍ରୁତଗତିରେ ସ୍କେଟିଙ୍ଗ୍।
ଆଉ ଏ ସବୁର ଏକମାତ୍ର ପ୍ରେରଣା, ଇନ୍ଧନ ଥିଲା ତା' ପାଖରେ ତମନ୍ନା। ସେ ହାସ୍ୟମୟୀ ଲାସ୍ୟମୟୀ ସୁନ୍ଦରୀ ତମନ୍ନା, ଶ୍ରେୟାଂଶୁର ଜୀବନ ଥିଲା। ସେ ଥିଲା ତା ହୃଦୟର ସ୍ପନ୍ଦନ...ଛାତିର କମ୍ପନ..ଶରୀରର ଶିହରଣ...
ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଏକ ମନ ଏକ ଆତ୍ମା ଥିଲା ଦୁଇ ଦେହର। ଯିଏ ଦେଖୁଥିଲା କହୁଥିଲା, ବାଃ ଯୋଡି ହେବ ଏମିତି... ଅନେକେ ଈର୍ଷାରେ ହୁତୁ ହୁତୁ ଜଳି ଯାଉଥିଲେ।
ତମନ୍ନା ଶ୍ରେୟାଂଶୁକୁ... ଶ୍ରେୟାଂଶୁ ତମନ୍ନାକୁ ନ ଦେଖି ରହି ପାରୁ ନ ଥିଲେ। ଲୁହା ଚୁମ୍ବକର
ଦୃଢ ଆକର୍ଷଣ ପରି ତାଙ୍କର ବି ପରସ୍ପରର ମଧ୍ୟରେ ଦୃଢ ଆକର୍ଷଣ ଥିଲା। ଖୁବ୍ ଗଭୀର ଥିଲା ତାଙ୍କର ପ୍ରେମ। ଆଉ ସେ ପ୍ରେମର କେନ୍ଦ୍ରବିନ୍ଦୁ ଥିଲା 'ଲଭର୍ ପଏଣ୍ଟ ପାର୍କ', ଏଇ ସୁନ୍ଦର ବଗିଚା।
ଆଜି କିନ୍ତୁ ଏକା ଏକା ଆସି ବସିଛି ଶ୍ରେୟାଂଶୁ। ତାକୁ ଭାରି ନିଚ୍ଛାଟିଆ ଲାଗୁଛି। କ୍ଷତବିକ୍ଷତ ମନରୁ ସ୍ମୃତିର ତତଲା ଲହୁ ଝରି ପଡୁଛି... ରକ୍ତ ରଞ୍ଜିତ ତା ଭାବନାର ସର୍ବାଙ୍ଗ ଅବୟବ।
ପୁଣିଥରେ ଦୀର୍ଘନିଶ୍ଵାସ ଛାଡିଲା..
ମୂମୁର୍ଷୁ ଅବସ୍ଥାରେ ପଡିଥିବା ଆହତ ସୈନିକ ପରି, ଆଖି ଆଗରେ ସତେଜ ହୋଇ ଉଠିଲା ତାର ସେ ଅତୀତ... ତମନ୍ନା ଥିଲା ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକମାତ୍ର ଅଲିଅଳି କନ୍ୟା। ସୁନାର ଚାମଚ ରୂପାର ଥାଳି ନେଇ ଜନ୍ମ ହୋଇଥିଲା। ଭୋଗ ବିଳାସର ଅଟ୍ଟାଳିକାରେ ରହୁଥିଲା, ଗଜଦନ୍ତ ପଲଙ୍କରେ ଶୋଉଥିଲା। ଯାହା ମଣିଷ ସ୍ୱପ୍ନ ଦେଖେ ତାହା ଥିଲା ତା ବାସ୍ତବତା। ଶ୍ରେୟାଂଶୁକୁ ଭଲ ପାଇଥିଲା, ମନ ପ୍ରାଣ ହୃଦୟ ଦେଇ କିନ୍ତୁ ଆଶା କରିଥିଲା ଶ୍ରେୟାଂଶୁ ଆଇ. ଏ. ଏସ୍. ପାଇବ... ତା ବାପାଙ୍କ ପରି ଜଣେ ଉଚ୍ଚପଦସ୍ଥ ଅଧିକାରୀ ହେବ...
ଶ୍ରେୟାଂଶୁର ସତ ଚେଷ୍ଟାରେ ବି ସେ ଆଇ. ଏ. ଏସ୍. ପାଇ ପାରି ନଥିଲା। ତିନି ଥର ଯାକ ଅକୃତକାର୍ଯ୍ୟ ହେଲା। ଭାଗ୍ୟର ବିଡ଼ମ୍ବନା, ସତେ ଯେମିତି ବିଫଳତାର ରାହୁ ତାକୁ ଗ୍ରାସ କରି ପକାଇଛି।
ସେ ଦିନ ଉୟୁ. ପି. ଏସ୍. ସି. ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ତମନ୍ନା ଜାଣିଲା ଶେଷ ସୁଯୋଗରେ ବି ଶ୍ରେୟାଂଶୁ ଆଇ.ଏ.ଏସ. ପାଇ ପାରିଲା ନାହିଁ। ଏ ଜୀବନ ତମାମ୍ କେବେ ସେ ଆଉ ଉଚ୍ଚ ପଦାଧିକାରୀ କର୍ମଚାରୀ ହୋଇ ପାରିବ ନାହିଁ। ଆଉ ସେ ଫୋନ୍ କରି ଶ୍ରେୟାଂଶୁକୁ ଜଣାଇ ଦେଇଥିଲା, ଦେଖ ଶ୍ରେୟାଂଶୁ... ତୁମେ ଶେଷ ସୁଯୋଗରେ ବି କିଛି ସ୍ଥାନ ପାଇ ପାରିଲ ନାହିଁ। ମୋ ଆଶା ବିଶ୍ଵାସ ଥିଲା ତୁମେ ଆଇ.ଏ.ଏସ୍. ପାଇବ, କିନ୍ତୁ ପାଇଲ ନାହିଁ। କେଉଁ ଭରସାରେ ତୁମକୁ ଚାହିଁ ରହିବି.... ହଁ ବଳି ବଳି ହେଲେ ହୋଇ ପାର ଜଣେ ଶିକ୍ଷକ ନତୁବା ଜଣେ ଅଧସ୍ତନ କିରାଣି। ସାମନ୍ୟ କେଇଟା ଟଙ୍କାର ଗୋଲାମ ହେବ। ତୁମକୁ ନେଇ ମୁଁ ବଞ୍ଚିବି କେମିତି ? ତୁମେ ଜାଣିଛ ମୋ ବାପାଙ୍କର ପ୍ରତିଷ୍ଠା, ଲାଇପ୍ ଷ୍ଟାଇଲ୍, ଷ୍ଟେଟସ୍... ଶୁଣ ଶ୍ରେୟାଂଶୁ... ତୁମକୁ ଭଲ ପାଇବା ମାନେ ନୁହେଁ ଜୀବନ ଯାକ ତୁମ ସହିତ ଫ୍ରଷ୍ଟ୍ରେଟେଡ୍ ଲାଇପ୍ ମେଣ୍ଟେନ୍ କରିବି। ଦାରିଦ୍ର୍ୟତାରେ ସଢି ସଢି ଜିଇଁବି। ଏ ଭଳି ଜୀବନ ମୁଁ ଚାହେଁ ନା... ମୁଁ ଗୌରୀ ନୁହେଁ କି ତୁମେ କେଦାର ନୁହେଁ। ପ୍ରେମକୁ ଅମର କରିବା ପାଇଁ ମରି ଯିବା। ଆଜି ଯୁଗରେ ଏ ସବୁ ବାଚାଳର ପ୍ରଳାପ। ଏ ଦୁନିଆଁରେ ବଞ୍ଚିବାକୁ ହେଲେ ଲୋଡା ବଡ ପଦ ପଦବୀ, ମୋଟା ଅଙ୍କର ଟଙ୍କା... ଏମିତି ଅନେକ କିଛି... ତୁମ ପାଖରେ ଅଛି କଣ
...ମାତ୍ର କିଛି ପଢା ଜ୍ଞାନ.. ଶୁଣ ଆଜିଠୁ ମୋତେ କେବେ ଦେଖା କରିବ ନାହିଁ କି କଲ୍ କରିବ ନାହିଁ। ବାପା ମୋ ବାହାଘର ଜଣେ ଆଇ.ଏ.ଏସ୍. ଅଫିସରଙ୍କ ସହିତ ଠିକ୍ କରିଛନ୍ତି। ନିକଟରେ ମୋର ବାହାଘର। ମୁଁ ଆଶା କରୁଛି ଆଇ.ଏ.ଏସ୍. ନ ପାଇ ସେ ପଦ ଭୁଲିଲା ଭଳି ମୋତେ ଭୁଲି ଯିବ... ବାୟ....
ଶ୍ରେୟାଂଶୁ ପ୍ରତ୍ୟୁତ୍ତରରେ ପଦୁଟିଏ କହିବା ସୁଯୋଗ ବି ପାଇ ନ ଥିଲା। ତମନ୍ନାର କଥା ଶୁଣି ତା ପାଦ ତଳୁ ମାଟି ଖସି ଗଲା। ଏକ ବିସ୍ମିତ ଅବସ୍ଥାରେ ତମନ୍ନାର ଭିତରର ସେ ଘୃଣ୍ୟ ସ୍ୱାର୍ଥ
ମତଲବୀ ଭଲ ପାଇବା ସେ ଜାଣିଗଲା। ତାର ଆତ୍ମଚେତନା ବିଳାପ କରି ଉଠିଲା, ସ୍ମୃତି ବିଭ୍ରାଟ
ହେଲା। ମାନସିକ ଦ୍ୱନ୍ଦ୍ୱ ଭିତରେ ସନ୍ତୁଳିତ ହେଉଛି ତାର ଅନାଗତ ଭବିଷ୍ୟତ....
ଶ୍ରେୟାଂଶୁ ବେଶ୍ ବୁଝି ପାରିଲା ତମନ୍ନାର ଭଲ ପାଇବା ଥିଲା ଅର୍ଥ ଆଉ ସ୍ଵାର୍ଥ ସର୍ବସ୍ୱ। ଏକ ଶାରୀରିକ ସମ୍ପର୍କର ଆକର୍ଷଣ। ହୀନ ଇନ୍ଦ୍ରିୟ କାମନାକୁ ଚରିତାର୍ଥର ଏକ ଯୋଜନା ବଦ୍ଧ ଅଭିସନ୍ଧି।
ଅନେକ ସମୀକ୍ଷା କରିଛି... ଭଲ ପାଇବା ପ୍ରେମ କରିବାର ସଂଜ୍ଞାକୁ ମାନସିକ ସ୍ତରରେ ବହୁବାର ପର୍ଯ୍ୟବେକ୍ଷଣ କରିଛି। ଗଭୀରଭାବେ ହୃଦୟର ସହିତ ବିଚାର କରିଛି। ସବୁଠି ତମନ୍ନାକୁ ଏକ ଛଳନା ପ୍ରତାରଣାର ମରୀଚିକା ରୂପେ ଅନୁଭବ କରୁଛି।
ତଥାପି କାହିଁକି ସେ ତାକୁ ଭୁଲି ପାରୁନି। ଅନେକ ସମୟରେ ତାର ମନ ଆକାଶକୁ ଝଡ଼ ହୋଇ ସେ ଆସୁଛି, ତାର ଶାନ୍ତ ବକ୍ଷକୁ ଆଲୋଡ଼ିତ କରି ଧ୍ୱସ୍ତ ବିଧ୍ୱସ୍ତ କରି ପକାଉଛି। ଶ୍ରେୟାଂଶୁ ନିଜକୁ ନିଜେ ସମ୍ଭାଳି ପାରୁନି। ଏକ ଆଗ୍ନେୟଗିରି ଭଳି ତା ଅନ୍ତର ଭିତରରୁ ଅସନ୍ତୋଷର ଲାଭା ଉଦ୍ଗିରଣ ହେଉଛି। ଭଲ ପାଇବା ଯେ ଚିରନ୍ତନ ସତ୍ୟ, ଏକ ସ୍ୱର୍ଗୀୟ ଅବଦାନ, ଏ କଥାକୁ ସେ ଆନ୍ତରିକ ଭାବେ ସମର୍ଥନ କରି ପାରୁନି...
ହୁଏତ ତମନ୍ନାର ଭଲ ପାଇବାରେ ଆବିଳତା ଥିଲା। କିନ୍ତୁ ସେ ତ କାୟ ମନ ବାକ୍ୟରେ ଭଲ ପାଇଥିଲା, ସେଥିରେ ନ ଥିଲା ତିଳେ ବି କପଟତା କି ପ୍ରବଞ୍ଚନା। ବିନିମୟରେ ଯାହା ପାଇଲା ତାହା କଣ ତାର ପ୍ରାପ୍ୟ ଥିଲା?
ଶ୍ରେୟାଂଶୁ ନିଜେ ନିଜକୁ ବୁଝାଇ ଚାଲିଛି।
ନିଜେ ନିଜର ଅଣାୟତ୍ତ ହୋଇନି କି ସଂଯମତା ହରାଇ ନାହିଁ। ଅନ୍ୟମାନଙ୍କ ପରି ବିବେକ ଶୂନ୍ୟ ହୋଇ, ନିଶାସକ୍ତ ହୋଇନାହିଁ କି ପ୍ରତିଶୋଧ ନେବାକୁ କ୍ରୋଧାଗ୍ନିରେ ଜଳି ଯାଇନି। ବରଂ ଏ ଦୁନିଆଁର ଅହମିକା ଆଭିଜାତ୍ୟରେ ମଣିଷ କେତେ ସଂକ୍ରମିତ ହେଉଛି, ତାହା ମର୍ମେ ମର୍ମେ ଅନୁଭବ କରି ପାରୁଛି...
ଏକ ନିରବ ସ୍ଥାଣୁ ଅବସ୍ଥାରେ ବସିଥାଏ। ଅବସନ୍ନ କ୍ଳାନ୍ତ ହୋଇ ପଡିଛି।
....ଶ୍ରେୟାଂଶୁ.. ଶ୍ରେୟାଂଶୁ.. କିଏ ଜଣେ ତାକୁ ଡାକି ଜାଗ୍ରତ କରି ପକାଇଛି।
--ସେ ଦେଖିଛି ତା ଆଗରେ ତାର ଆତ୍ମ ପୁରୁଷ,
ଆତ୍ମସ୍ଵତ୍ତା ବିବେକ...
-- କଣ କହିବାର ଅଛି କୁହ...
--ଆରେ ମୁଁ ତୋତେ ଅଧିକ ଆଉ କଣ କହିବି,
ତୋ ଭିତରେ ବୁଦ୍ଧି ବିବେକ ଜ୍ଞାନ ଭରପୁର। ତଥାପି ତୁ ଏମିତି ଭାବେ ଭାଙ୍ଗି ପଡୁଛୁ। ନିଜ ସାମର୍ଥ୍ୟତାକୁ ଅସମ୍ମାନୀତ କରୁଛୁ, ଆତ୍ମବିଶ୍ୱାସକୁ ସନ୍ଦେହ କରୁଛୁ...
-- ମୋ ଭିତରେ ମୁଁ କେବଳ ଭୁଲ୍ଖୋଜୁଛି, କାହିଁକି ତମନ୍ନା ମୋତେ ଉପେକ୍ଷା କରି ଚାଲିଗଲା, କାହିଁକି ମୁଁ ମୋର ଦକ୍ଷତାକୁ ପ୍ରମାଣ କରି ସଫଳତା ପାଇ ପାରିଲି ନାହିଁ ? ଏହା ହିଁ ମୋର ଭାରାକ୍ରାନ୍ତ ହେବାର କାରଣ...
--ଆରେ ଏ ସବୁ ଏକ ସାମୟିକ ବିଘଟନ, ବଳିଷ୍ଠ ବ୍ୟକ୍ତିତ୍ଵ ଓ ନିର୍ମଳ ଚରିତ୍ର ଗଠନର ପ୍ରକ୍ରିୟା। ନିଜକୁ ସଜାଡି ଜୀବନ ଅବଲମ୍ବନ କରିବାର ଏକ ସୂକ୍ଷ୍ମ ଦୃଷ୍ଟିକୋଣ। ଆଗକୁ ଅନେକ ଅନେକ ସମ୍ଭାବନା, ସ୍ଵାଗତ କରିବାକୁ ଅପେକ୍ଷାରେ ଅଛି। ତୋ ଭିତରେ ଅନେକ ପ୍ରତିଭା, ନିଶ୍ଚିତଭାବେ ତୋର ଅଗ୍ରଗତି ଅଛି।
ଏକ ଶାନ୍ତିମୟ ସୁଖ ଜୀବନ ପାଇଁ ଆହ୍ଵାନ ଦେଉଛି। ଆରେ ଝୁଣ୍ଟି ପଡି ଉଠିବା ହେଉଛି ଜୀବନର ଲକ୍ଷଣ...
-- ତୁମେ ଠିକ୍ କହୁଛ, ତଥାପି ମୁଁ କାହିଁକି ମୋ ଭିତରେ ସ୍ଥିରତା ଆଣି ପାରୁନି, ଏ ଦ୍ବନ୍ଦର ଭଉଁରୀ
ଭିତରେ ଫସି ରହିଛି...
-- ଏଇ ତୋ ଆଗରେ ଥିବା ସେ ଗଛକୁ ଦେଖ୍, ଶାଖା ପ୍ରଶାଖା ମେଲାଇ କେମିତି ପଲ୍ଲବିତ ହୋଇଛି। ଫୁଲ ଫଳର ସମ୍ଭାରରେ ନିଜକୁ ସଜାଇ ତାର ସର୍ବସ୍ୱକୁ ଏ ଦୁନିଆଁ ଆଗରେ ଅଜାଡି ଦେବାକୁ ପ୍ରସ୍ତୁତ ହୋଇଛି। ଏ ସବୁରେ ଆକୃଷ୍ଟ ହୋଇ କେତେ କେତେ ଚଢେଇ ଆସୁଛନ୍ତି। କିଏ ବସା ବାନ୍ଧି ରହୁଛି, କିଏ ପୁଣି ସାମୟିକ କ୍ଳାନ୍ତି ଦୂର କରି ଦୂରକୁ ଉଡି ଯାଉଛି। ସେମିତି ତମନ୍ନା ଆସିଥିଲା ଉଡି ଉଡି ତୋ ପରି ଗଛର ଡାଳରେ ବସିବାକୁ। ବସା ବାନ୍ଧିବାକୁ ନୁହେଁ। ତାର କ୍ଳାନ୍ତି ଦୂର ହୋଇଗଲା, ସେ ଦୂରେଇ ଗଲା। ସେ ଥିଲା ଏକ ଉଡ଼ା ଚଢ଼େଇ..
--ଏ ପଦୁଟିଏ କଥା ଶୁଣି ଶ୍ରେୟାଂଶୁ କେମିତି ପ୍ରକୃତିସ୍ଥ ହୋଇ ଉଠିଲା। ଫେରି ପାଇଲା ତାର ସାମର୍ଥ୍ୟ ଆତ୍ମବିଶ୍ୱାସ... କାନେ କାନେ ଗୁଞ୍ଜରିତ ହେଉଥିଲା ସେ ଏକ ଉଡ଼ା ଚଢ଼େଇ.. ଉଡି ଗଲା, ଏଥିରେ ଗଛ କାହିଁକି ଦୁଃଖ କରିବ, ମ୍ରିୟମାଣ ହୋଇ ପଡିବ।
-- ସ୍ଵତ୍ତଃପୂର୍ତ୍ତଭାବେ ତା କଣ୍ଠରୁ ଭାସି ଆସିଲା ଶବ୍ଦ ଯୋଡିଏ, ଉଡ଼ା ଚଢ଼େଇ....