STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Action

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Action

ବୁଡ୍ ବକ୍

ବୁଡ୍ ବକ୍

2 mins
215


     ଲେଖା ଯୋଖାରେ ବଡ ବାପା ହେବେ। ଆମ ଗାଆଁକୁ ବନ୍ଧୁ ବାସିଆ ଆସିଥିଲେ, ତାଙ୍କ ସମୁଦି ଘର। ବେଶ୍ ଉଚ୍ଚା ପାହ୍ୟା ମୋଟାସୋଟା। ଖାନ୍ ଦାନୀ ଜମାନାର ଲୋକ ସେ। ଯାହା ମୁଁ 

ଶୁଣିଥିଲି ବାପାଙ୍କ ପାଖରୁ। ଆଗରୁ ମହାଜନୀ ଥିଲା। ଏବେ ସେ ଏକ ସରକାରୀ କର୍ମଚାରୀ। ଅବସର ନେବାକୁ ଆଉ କିଛି ବର୍ଷ ବୋଧହୁଏ ଅଛି। 

    ସେ ଦିନ ସେ ଉପର ଓଳି ଆମ ଗାଁ ମୁଣ୍ଡ ଗଛ ତଳ ପିଣ୍ଡିରେ ବସିଥିଲେ। ପାଖରେ ତାଙ୍କ ବୟସର ଦୁଇଜଣ ଆମ ଗାଁ ଲୋକ ବି ଥିଲେ। ବସି ଗପୁଥିଲେ। ମୁଁ ସେଇ ବାଟ ଦେଇ ଯାଉଥିଲି, ମୋ ଆଡକୁ ସେ ବଡବାପା ଚାହୁଁଥିଲେ। ମୁଁ ନମସ୍କାର କରି ପାଖରେ ଠିଆ ହେଲି। 

  ସେ ମୋତେ ପଚାରିଲେ, ଛୁଆ.. ଖବର ସବୁ ଭଲ ତ...

  --ହଁ, ବଡବାପା, ସବୁ ଭଲ। 

 -- ତୁମ ବାପାଙ୍କୁ ଦେଖୁ ନାହିଁ...ଘରେ ଅଛନ୍ତି... 

  ମୁଁ ହଁ କହି ଯିବାକୁ ପାଦ ବଢାଇଲା ବେଳକୁ ମୋତେ କହିଲେ, ଛୁଆ.. ବସ.. ବସ.. ତୁମ ସାଥିରେ କଥା ଅଛି। 

    ତାଙ୍କଠାରୁ ଦି ହାତ ଛାଡି ମୁଁ ବସିଲି ପିଣ୍ଡି ଉପରେ। ଅନ୍ୟ ଦୁଇଜଣ କଥା ହୁଅ କହି ଚାଲିଗଲେ। 

     ସେ ଇୟାଡୁ ସିଆଡୁ ନାନା କଥା ପଚାରି ମୋ ମଗଜଟାକୁ ଘାଣ୍ଟି ଦେଲେ। ଜମାରୁ ଏ ବକ୍ ବାଜି ମୋର ପସନ୍ଦ ନୁହେଁ। କଣ କରିବି। ଗାଁର କୁଣିଆଁ, ପୁଣି ଦୂର ସଂପର୍କରେ ବଡବାପା। ତାଙ୍କୁ ଏମିତି ବେଖାତିର କରି ଯିବଟା ସୌଜନ୍ଯତାର ବାହାରେ। ମନ ନ ଥିଲେ ବି ବାଧ୍ୟ ହୋଇ ଦଣ୍ଡେ ବସିଲି। 

   ସେ ମୋତେ ପଚାରିଲେ... ଆଛା ଛୁଆ, ତୁମେ ତ ୧୫/୨୦ ବର୍ଷ ଚାକିରି କଲଣି। କାହିଁ କଣ କରିଛ। ମୁଁ ଦେଖୁଛି ତୁମର ସେଇ ଦି ବଖରା ଜେଜେ ବାପା ଅମଳର ଘରଟିଏ। ଜମିବାଡି ବି କିଛି କିଣିନ। ଆଜିକାଲି ସମସ୍ତେ ମଟର ସାଇକେଲ୍ ଚଳୁଛନ୍ତି। ତୁମେ ଏ ଯାଏଁ ତା 'ବି କରିନ। ଦରମା ଟଙ୍କା କଣ କରୁଛ... 

    ଏମିତି ଗୁଡାଏ କଥା ଯାହା ଜାଣିବା ତାଙ୍କର ଆଦୌ ଦରକାର ନ ଥିଲା, ମୋ ଉପରେ ବୋଝ ପରି ଲଦି ଚାଲିଥିଲେ। 

     ତଥାପି ମୁଁ ତାଙ୍କୁ ବୁଝାଇବା ପାଇଁ କହିଲି.. ହଁ ବଡବାପା, ମୁଁ ଏ ଯାଏଁ ସେମିତି କିଛି କରିନି। 

ଅଳପ ଦରମା। ବାପାଙ୍କର ରୋଜଗାର ଆଉ ଏବେ ନାହିଁ। ତୁମେ ଜାଣିଛ ମୁଁ ଚାକିରି କଲା ପରେ ଦି ଭଉଣୀଙ୍କର ବାହାଘର ହୋଇଛି। ସବୁ 

ଖର୍ଚ୍ଚ ମୁଁ ତୁଲାଇଛି। ସାନ ଭାଇର ପଢାପଢିରେ ମଧ୍ୟ ମୁଁ ଖର୍ଚ୍ଚ କରୁଛି। ସବୁ ଘର ଖର୍ଚ୍ଚ ବି ତୁଲାଉଛି। ଆଉ ଟଙ୍କା ବଳୁଛି କାହିଁ ଯେ ମୁଁ... 

     ମୋ ମୁହଁରୁ କଥା ଛଡାଇ ନେଇ ସେ କହିଲେ... ତୁମେ ଭାରି ବୁଡ୍ ବକ୍, ଆରେ ଆଜିକାଲି କେହି କଣ ଭାଇ ଭଉଣୀ ପଛରେ ଖର୍ଚ୍ଚ କରେ। ତୁମେ ହୁସିଆର୍ ହୁଅ। ନିଜ ପାଇଁ କିଛି କର। ଏମିତି ବୋକା ବୁଡ୍ ବକ୍ ପିଲା ମୁଁ ଦେଖି ନାହିଁ। 

    ମୋତେ ଯଦିଓ ଏତେ ସବୁ କଥା ଆଘାତ ଲାଗୁଥିଲା ତଥାପି ସଂଯମତା ରକ୍ଷାକରି ସହି ଯାଉଥିଲି। ନିଜ ଭିତରେ ରାଗ ଜମାଟ ବାନ୍ଧୁଥିଲା। ଏବେ ଆଉ ଚୁପ୍ ନ ରହି ନମ୍ରତାରେ 

ବିଦ୍ରୁପ କରି କହିଲି... ସତରେ ବଡବାପା, ମୁଁ ବୁଡ୍ ବକ୍। ଦେଖୁନ ଆଜି କାଲି ଲୋକେ ଚଲାଖ୍ ଚତୁର ହୋଇ କେତେ କଣ କରୁଛନ୍ତି ? କିଏ ଗାଡି ଘୋଡା କୋଠାବାଡି କେତେ କଣ କଲେଣି।ଯେତେ ଭାଇ ସେତେ ଘର। ବାପାମାଆକୁ ବୁଢାବୁଢି କହି ପୁଅମାନେ ସବୁ ଅଲଗା ରହୁଛନ୍ତି। 

ମୁଁ ଶୁଣୁଛି ତୁମେ ବି ବଡ ମାଆ ସାଥିରେ ଅଲଗା ହିଁ ରହୁଛ। ଆଉ ତୁମ ପୁଅମାନେ ବି ତୁମଠାରୁ ଅଲଗା ଅଲଗା ରହୁଛନ୍ତି। 

   ଶୁଣ ବଡବାପା, ମୁଁ ବୁଡ୍ ବକ୍ ହୋଇଥିବାରୁ ଆମେ ଏ ଯାଏଁ ତୁମ ପରି ହୋଇ ନାହୁଁ। ସବୁ ଏକାଠି ଅଛୁଁ। ମୁଁ ଭାବୁଛି ମୋ ପରି କିଛି ବୁଡ୍ ବକ୍ ରହିବା ସମାଜ ପାଇଁ ଭଲ। 

   ବଡବାପା ଆଉ କିଛି ନ କହି ମୋ ମୁହଁଟାକୁ ବଲବଲ ଚାହିଁ ଥିଲେ। ମୁଁ ହାତ ଯୋଡ଼ି ମୁଣ୍ଡ ନୁଆଁଇ ଆଗକୁ ଆଗେଇଲି। ସେ ମୋ ଯିବା ବାଟକୁ ହିଁ ଚାହିଁ ରହିଥିଲେ, ଖଣ୍ଡେ ଦୂରରୁ ପଛକୁ 

ଫେରି ଦେଖିଲି। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Similar oriya story from Abstract