ନୂଆ ବର୍ଷ
ନୂଆ ବର୍ଷ
ଖଜୁରୀ ରସ ,ଭୋରୁ ସୁରୁଜ ଉଇଁବା ଉତ୍ତାରେ ତାଡ ପାଲଟେ ତା' ଆଗରୁ ରସ । ଖାଲି ରସ। ନିରୁତା ରସ ।ସେଇ ରସ କୁ ପି' ଦେଲେ ପେଟେ ଦେହ ସ୍ଫୁର୍ତି ।ପରେ ପିଇଲେ ତ ସୋମ ରସ ଆଉ ।ହିମାଳୟ ଦର୍ଶନ ସାକ୍ଷାତ ।ହା ହା ।
ହେଲେ ରସ ଟିର ମହାତ୍ମ୍ଯ ଅଲଗା ପ୍ରକାର ।ପାଇଦେଲେ
ବଜ୍ରକାପ୍ତା ଖୋଳ ମଡେଇଲାମିତି ବଳ କୁଆଡୁ ମାଡି ଆସେ ।ଝରା ଝୁମ୍ପା ଛାଡି ଝୁମାଏ ସେ ରସ ।ଆମେ ,ମାନେ ମୁଁ ଆଉ ବାବୁନି ସିଏ ଗୁରୁବାରେ ଜନମି ଥିଲା ବୋଲି ତାକୁ ଆଉ ସମତେ ଡାକନ୍ତି ଗୁରୁବାରିଆ ।ମୋ ଜାଗିରି ଦୋସ୍ତ ।ସିଏ ମିଶ୍ର ବ୍ରାହ୍ମଣ ,ଆମେ ଖଣ୍ଡେଇତ ତଥାପି ଆମ ଭିତରେ ପାଣି ଗଳେନି ।ଆମେ ପୁରା ଖାସା ଦୋସ୍ତି ନିଭାଉ ଖିରନୀର ମାରେକା ।ଯୁଆଡେ ଯିବୁ ଏକାଠି, ଯାହା କରିବୁ ଏକାଠି ଯାହା ଭାବିବୁ ବି ଶଃ ଏକାଠି ।ଆମର ମାନେ, ଅଲଗା ପକାର ଖେଳ ।ଘରଠୁ ପାହୁଣ୍ଡ ତେଜ କରି ଚାଲିଲେ ହେ କୋଶେକର ବାଟ ହବ କି ନାଇଁ ଆମେ ସବୁ ରବିବାରିଆ ସେ ନଈ ପଠା ସେପଟେ ଯୋଉ ମେଲା ଖଜୁରୀ ବାରି ଅଛି ସେଠି ଦି ଦି ଚାରିଅଣା ନେଇ ଦଉଡି ଦଉଡି ଗାଁ ଠଉ ଯାଉ ।ଦଉଡୁ କାରଣ ସୂର୍ଯ୍ୟ ଆସିଗଲା ମାମଲା ଗଡିଶା ଧରିବ ।ଆଉ ପି' ହବ କି ! ଯା' ପାଇଁ ଏତେ ଧାଇଁଲୁ ସିଏ ମିଳିବ କି ଆଗେ? ଲାଭ କଣ ହବ ଏତେ କାରସାଦି, କସରତ କରି ।ପାଣିଫାଟିଯିବନି ନା ସବୁ ଫିକର ।
କଣ୍ଟା ପତରିଆ ମୂଳରୁ ଝରେ, ମାଟି ଆଟିକାରେ ରାତିହୁଁ ଝରୁଥାଏ ।ପିତ୍ତ, ବାତ ନାଶକ, ବଳବର୍ଦ୍ଧକ ବୋଲି ବଇଦ ବୁଢାଠୁ ଶୁଣିବା ଦିନୁ ବୋଉ ନିଜେ ଦି ଅଣା ବାପାଙ୍କଠୁ ଆଣି ହାତରେ ଗୁଞି କହେ ," ସହଳ ଯ ହରି ।ଆଗୁଆ ଆଗୁଆ କରି ପେଟେକି ପି ଦବ ।ମନେ ରହିଲାଟି? ଦିବାକର ଉଇଁଲା ଆଗରୁ ଯେମନ୍ତ ପହଞ୍ଚ ।ବାଟରେ ଆଉ ଖେଳି ବୁଲି ଯିବନି ହେଲା ।ଆଇଲା ବେଳେ ଥିରି ଚାଲିବ, ନହେଲେ ଦଲକାଏରେ ସବୁ ପେଟରୁ ଆସି ମାଟିରେ ।"
ବୋଉ ର କଥା ମାନେ ବେଦର ଗାର ଟି ।ସେ ଖଜୁରୀ ତୋଳା ମନୁଆଭାଇନା ଟି ଆମକୁ ପିଲାମଣିଷ ବୋଲି ସୁଖ ପାଇ ଦି ଅଣାରେ ତିନି କଂସା ରସ ପି' ଆକୁ ଦିଏ ।ମନଖୁସିଆ କି ପି ' ନାରଙ୍ଗୀଖଜୁରୀ ଫଳ,ଧଳା ଧଳା ଝିଅଖଜୁରୀଫୁଲ,ଆଉ ହଳଦୀସବୁଜ ମିଶା ପୁଅଖଜୁରୀଫୁଲର ଗୋଟିଏ ଗଛରେ ଫୁସ୍ ଫୁସିଆ କଥାର ମହୁଲିଆ ବାସ୍ନା ରେ ଆମେ ଟୁଲ୍ ଟୁଲ୍ ପେଟ ଫୁଲ୍ ହଉ ,କିନ୍ତୁ ନିଶା ବୋଲି ଯୋଉ କୁହନ୍ତି ସେଇଟା ଘାରେନା ।ମନୁଆ ଭାଇ ଆମକୁ ସେ ଗଛ ବାବଦେ କେତେ ନୂଆ କଥା ଜଣାଏ ଆଉ ଲଗେଇ ଟାଣି ଗପରେ ବି ପୁରାଏ ।ଭୁତ ଗପ।ବୁଦ୍ଧିବୃତ୍ତି ବାଟକେ ଥାଏ, ଥିରି ପାଦ ପକେଇ ବୋଉ କଥା ମାନି ଗୋଟିଏ ଗୋଟିଏ ଟି ହୁଡା ବନ୍ଧ ବାଟେ ଘରମୁହାଁ ହଉ ।ସିନ୍ଦୁରା ଫିଟୁଥାଏ, ପୋଖରୀ ପାଣି ଯାଉଥିବା ମାଷ୍ଟ୍ରେ ହାବୁଡିଲେ ଓଳିକି ହଉ ।ଆମକୁ ଫେରିଲା ବେଳେଟି ଯିଆ ବେଳଠୁ ବଳାଏ ।ଘରଠି ପହଞ୍ଚି ପୁଣି ବାସି ପାଇଟି ସାରି ଇସ୍କୁଲୁ ଯାଉ ।
ଓଅଅଅ ପାଞ୍ଚ ସାତ କି ଦଶ ମନିଷ ଉଞ୍ଚା ହବନି କି ସେ ଡେଙ୍ଗା ତାଳ ଗଛ ।ମାଲପା ଘସି ସେ ମନୁଆଭାଇଟା କେମିତି ଖପ ଖାପ ଚଢିଲା ସେଇ କଥା ଗପୁ ଗପୁ ଇସ୍କୁଲୁ ପିଣ୍ଢା ଠି ହାବୁଡୁ ।
ପର ଚିତ୍ର ଟି ସେ ଦିନ ସବୁ ଗଲାଣି ।ଯେଝା ବାଟରେ ଆମର ପଟରି ଓଲ୍ହାରି ହେଇ ବଡ ପାଠ ପଢି ଚାକିରୀ ବାକିରି ଖୋଜାରେ ଲାଗିଲୁଣି ।ଆମ ଦୋସ୍ତି କିନ୍ତୁ ଟୋପେ ଫିକେଇନି ।ବାବୁନି ଆମର ବାଙ୍ଗାଲୋର ରେ ଆଗ ଚାକିରି ପାଇଲା ।ବାହ୍ମୁଣ ଘର ଟୋକା, ଆଖି ଖୋସି ଗଲାମିତି ଚେହେରା.... ରଜାପୁଅ ସରିହେବେକି ଆଗେ ।ଗଜୁରା ନିଶକୁ ମେଣ୍ଟି ବାଳ, କଲି କରି ପଛକୁ ମୋଡିଥାଏ ।ବେଲ୍ ପ୍ଯାଣ୍ଟ କୁ ଉବର ଫୁଲପକା ସାଟ୍ ରେ ପୁରା ଉତ୍ତମ ମହାନ୍ତି ।
ତା' ପାଖାପାଖି ମୁଁ ବି କୋଉ କମ କି, ଖାଣ୍ଟି ଅଜିତ୍ ଦାସ ।ସିଏ ଯିବାର ଦି ମାସେରେ ମତେ ଡକେଇଲା, କହିଲା,'ଏଠି ଚାକିରି ଯାହାକୁ ଯେତେ କାଇଁ ସେଠି ମୁହଁ ମାଡି ପଡିଛୁ କିରେ, ଆ ଉଡିଆ ।ଲାଗିଯିବୁ ଯୋଉ କୂଳକୁ ହେଲେ । ' ।
ମଳୁ ଖୋଜୁଥିଲା ଯାହା ବୋଉକୁ ପାଲେଇପୁଲେଇ. ଉଡିଗଲି ।ପ୍ରଥମେ ପ୍ରଥମେ ପହଞ୍ଚନ୍ତେ ଲାଗିଲା ଅମରାପୁରୀ କି ସତେ ।ବେଳୁ ବେଳ ବେଶୀ ତ ମାୟା ଘାରିଲା ଆଉ ।ଏମିତି ଆନନ୍ଦେ ସମୟ ବିତୁ ବିତୁ ମଝିରେ ମଝିରେ ବାପା ଙ୍କ ହାତଲେଖା ଲଫାପା ଟି ରେ ଆଶାଟେ ଅପେକ୍ଷା ରେ ଥିବା ଦେଖି ଚେତା ପଶେ, ଆରେ ଚାକିରି ଖୋଜା ଯୋଜନା ଫସର ଫାଟୁଛି ଯେ ପୁଣି ଚେତା ବୁଡେ ।ନୂଆ ବରଷ ପାଖେଇଲା, ସଂକଳ୍ପ ନାଆ ହେଲା ଯେ ଯା ପଛେ ହଉ ଜାନୁୟାରୀ କୁ ଯେମିତି ବାପା ନୂଆ ବାସ୍ନା ଥିବା ତାଙ୍କ ମନଖୁସି ହେଲା ଭଳିଆ ଲଫାପା ଟେ ପାଇବେ ।
ମୁଁ, ବାବୁନି ଆଉ ତାର ଦଟା ଏଠିଆ ସାଙ୍ଗ ପିଲେ ଏକାଠି ଘର ବଖରାଏ ନେଇ ରହିଥାଉ । ସେମାନେ ସବୁ ନୂଆ ବର୍ଷ ନେଇ କେତେକ କଣ ଯୋଜନା ଗଢୁଥାନ୍ତି ।ମଉଜ କରିବେ ବୋଲି ।
ବାବୁନି ତାର ପ୍ରେମରେ ଗାଇବା ଆରମ୍ଭ କରୁଥିଲା ନୂଆ ନୂଆ ତା ଅଫିସ୍ ର ଚଢେଇ ଟେ ସହ ।
ପ୍ରିୟା ବିନା ଝୁରେ ଖାଲି
ପ୍ରିତି ବିନା ଝୁରେ ଖାଲି ।
ପଚିଶ ଡିସେମ୍ବର ।ନୂଆ ବୋହୁପିଲା ପରି ଦିଶୁଛି ଏ ସହରବଜାର ।ଏକ ତାରିଖ ଯାଏ କି ଆଉ ଚାରି ଆଠ ଦିନ ଯାଏ ଏମିତି ରହେ ।
ଡିସେମ୍ବର ଏକତିରିଶ ତାରିଖ ରାତି ବାର ।ବାବୁନି କହିଲା, ଚାଲ୍ ତତେ ଆଜି ଅପସରଗଣଙ୍କ ଓଲ୍ହାରି ପର୍ବ ପୃଥିବୀ ରେ ଦେଖେଇବି ।
ମୁଁ କହିଲି, କିରେ କୁଆଡେ?ଏତେ ରାତିରେ?କିଛି ଅଡୁଆ ହବନି?ବାହାର ଯାଗା ?
_ ତୁ ଚାଲୁନୁ? ଦେଖିଲେ ଜାଣିବୁନି?ଅଖାଡୁଆ କଥା ଯେତେକ ଭାବିବା ଛାଡ୍ ହେଲା ।ଜୀନଦଗୀ ଜି ଲେ ମେରୀ ଜାନ୍ ।ଫିର ମିଲେ ନା ମିଲେ ଦୋବାରା ।
ତାର ଏ ଫିଲିମିଆ କାଣ୍ଡ କାରଖାନା ମୋର ମଗଜରେ ଘରୁ ନଥାଏ କି ଭଲ ବି ଲାଗୁନଥାଏ ।ହେଲେ ହରଡଘଣାରେ ପଡିଛି ଯେତେବେଳେ ପେଶି ନହେବି କେମିତି !
ଅଗତ୍ଯା ଘରୁ ବାହାରିଲୁ ଦିହେଁ ସଜପଟା ହେଇ,ବସନାସ୍ନୋ କ୍ରିମ, ମଡେଇ ।ବାବୁନି କହିଲା, " ଆଜି ଚାଲ ଦେଖେଇଦେବି ତୋ ଭାଉଜକୁ " ।
"ଜୁଲିଆ"
କ୍ଯାବ କରାହେଲା ।ଠିକଣା ହେଲା
ଏମ୍ ଜି ରୋଡ୍ ।
ବ୍ରିଗେଡ୍ ରୋଡ୍ ।
କ୍ଯାବ ଆସିଲା, ମୁଁ ଜୁଲିଆ ପୁରାଣ ଶୁଣୁ ଶୁଣୁ ପ୍ରଥମ ଥର ତାକୁ ଦେଖିବା ନେଇ ଯେତିକି ଉଲ୍ଲସିତ ଥିଲି, ଭିତିରିଆ ଇର୍ଷା ଟେ ବି କାଇଁ ପ୍ରଥମ କରି ବାବୁନି ପାଇଁ ଉଲୁସୁଥିଲା ଛାତିତଳେ ।
ବାଟରୁ ସେଇ ଗାଢ ଇଲିପିଷ୍ଟିକି ଜୁଲିଆ ସୁନ୍ଦରୀ ଗାଡିରେ ଉଠିବା ବେଳୁ ଯେ ବାବୁନି ଟା ମୋର ମତେ ଅଚିହ୍ନା ବାରିଲା ମ ।ଆଡେଇହେଇ ତ ଖାଲି ରହିଲା।ମତେ ମଫ ମଫ ଲାଗୁଥାଏ ।ହିନୀମାନିଆ ଭାବ ଗୋଟେ ଛନ୍ଦୁଥାଏ।ଇଏ ଏମିତି କଣ ବଦଳିଗଲା କିରେ ! ଘଡିଏ ହେଇନି। ହ ହଉ ସାଙ୍ଗଟେ ତ ପୁଣି ଜିଗିରି ।ଛାଡ ଭୁଲ୍ ଚୁକ୍ ମାଫ୍ । ପହଞ୍ଚି ଗଲୁ ,ବ୍ରିଗେଡ୍ ରୋଡ୍ ରେ ।
ବାହାରୁ ଦିଶେ ଘର ,ଭିତରେ ପବ୍ ।ନୂଆ ବର୍ଷ ରେ ପୁରା ରାସ୍ତା ଝିକ୍ ମିକ୍ ।ସୁନାସରୁ ତାରକସିଆ ଝିଅ ସବୁ ଏଇଠି ସିଧା ଅବତରିତ ।ଯୋଡି ମାନେ ହଳି ଖାଲି ଅନୁମତି ପ୍ରାପ୍ତ ।ଏ ଝିଅ ସବୁ ସତରେ ଏତେ ସୁନ୍ଦରିଆ ନା କଣ ? ଅଣ୍ଟା ନାହିଁ, ବେକ କଣ୍ଟା । ଡମ୍ବୁରୁ କାଚ ଘଡି ଦେଖିଛଟି, ଯୋଉଥିରୁ ବାଲି ଖସି ସମୟ କହେ ସେଇମିତି ଦେହ ସବୁ ।
ମନ୍ତୁରା ପାଣି ସିନ୍ଚା ହେଇ ଆମ ଆଖି ରେ ମାୟାଜାଲ ବନ୍ଧନ ପଟ୍ଟି ମରାହେଇଛି ଯେ ।ସାରା ସହର ଏଇ ଆମ ପରି ଅବିବାହିତ ବାବାଜୀ ଗୋଷ୍ଠୀ କେତେକ କୁ ଛାଡିଦେଲେ ଅଞନ କଳା ବିଦ୍ଯା ପଢି ନିଦ୍ରାଧୂଳି ନାଇ ଅସାଷ୍ଟାମ ନିଦ୍ରାଗୁଣ୍ଡି ରେ ଚୁପ୍ ।କାମଦେବ ଫୁଲ ସର ଧରି ଏଠି କି ଭ୍ରାନ୍ତି ଭିଆଇଛନ୍ତି କେ'ଜାଣେ ! ଜୁଲିଆ କୁ ବାବୁନି ଧରା ଧରି ହେଇ ଆଖି ରେ ଆଖି ପାଦରେ ପାଦ ଆଉ ଓଠରେ ଦେଇ ମିଳେଇ ଗଲେ ସେଠି ଭିଡ ଭିତରେ ।
ମୁଁ ତ ଶଃ ଏଠି ପାଳଭୁତ ଭଳିଆ ପର୍ସ, ଜୋତା ଚପଲ ଜଗି ଦଣ୍ଡାୟମାନ ।ଉପାୟ କଣ ?ମୋର ତ ପିଆ ଚଳେନି, ଏ ଯାଏ ଶିଖିନି ବୋଲି ବ୍ଯାକ୍ ୱାର୍ଡ ।ବୋଉ ତ କହିଥିଲା ସୂର୍ଯ୍ୟ ଉଦୟ ପରେ ପିଇବା ମନା, ମୁଁ କେମିତି ଅମାନିଆ ଧରିବି ଯେ ।ଆଉ ହଳି ହବା ଯୋଗ ତ ଫିଟିନି ।ତେଣୁ ଖମ୍ବାଧାରୀ ବାବା ।
ବାଃ ବାଃ କେମିତି ମଜା,
ଭାଲୁ ନାଚ କରେ ବଜେଇ ବାଜା ।
ଚାହୁଁ ଚାହୁଁ କାହୁଁ ଏକ ରୂପବତୀ ମାଡି ଆସିଲେ କି ,ଢଳି ଢଳିକା ।ଆକଣ୍ଠ ସୋମରସ ରେ ଦ୍ରବୀଭୂତ ।ଓଜାରି ହେଇପଡି ମୋ ଉପରକୁ କହିଲେ, 'ୱିଲ୍ ଇୟୁ ମ୍ଯାରୀ ମି ? ଆମ୍ ଫ୍ରମ୍ ଗୋଆ ।"
କରେଣ୍ଟ ଖେଳିଗଲା ହୋ ।କି କରା ଯାଏ, କି ଅବସ୍ଥା ।ଏ ଲଳିତ ସୁକୁମାରୀ ଯିଏ ଏଇ ମୂହୁର୍ତ୍ତ ରେ ହି ମୋତେ ବିବାହ ପ୍ରସ୍ତାବ ଦେଇ ମୋରି କୋଳରେ ଚେତା ହରେଇଲେ ପୂର୍ବ ନିର୍ଦ୍ଧାରିତ ପରି ।ଝିମ୍ ଝିମେଇଗଲିଣି ମୁଁ ।ଏ ଭାଇ ,ଏତିକି ବେଳେ ଏ ବାବୁନି ଚୋର କୁଆଡେ ଗଲା? ବିକଳରେ ଏଣ୍ଡୁଅ ପରି ମୁଣ୍ଡ ବୁଲେଇ ଦେଖେ, ଦୂରରୁ ରୁମାଲ ହଲେଇ ଗ୍ରୀନ୍ ସିଗନାଲ ଦଉଛି ।ର ରେ ପୁଅ, ତୋ ସାଙ୍ଗେ ପରେ କଥା ।ଆଗେ ୟାକୁ ନିପିଟେ ।ଭଲ ଭାଲୁ ଧରାହେଲା ହୋ କମଳ ପରି ଉଷୁମିଆ ଲପଟିଛି, ଛାଡୁନି ।ଖେନ୍ଚେ ମାଡୁ କମଳ ଘୋଡୁ ।
ମଲି ମୁଁ ।ଗୋଟେ କୋଣକୁ ଘୋସାରି ନେଇ ବନ୍ଦ କେବିନଟିଣଟେ ରେ ଆଉଜେଇଦେଲି ।କି ଅବସ୍ଥା? କା'ଘର ଝିଅ, କଣ ହେଇ ପଡିଛି । ଆହା ଚୁ ଚୁ ଏମିତି କରି ମନେ ମନେ ଶଙ୍ଖାଳୁଚି କି ମାଟିଆ ପୁଲିସି ମାମୁଁ କାହୁଁ ଆସି ମୋ କାଲର ଧରିଲେ । ମୁଁ ଭାବିଲି ତାଙ୍କ ଜିମାରେ ଏ ନାରୀ ସଂପତ୍ତି ସମର୍ପି ମୁଁ ମୁକ୍ତ ହେବି ।କିନ୍ତୁ ଏଠି ତ ଅବସ୍ଥା ଓଲଟ ।ମତେ ଦୋଷି କରି ଟାଣିନେଲେ ।ସକାଳ ଯାଏ ଥାନାରେ ମଶା ମାରିଲି, ବୁଝି ନ ପାରିଲି କି କଲି କଣ ?ବାହାରେ ବାଣ ,ଡିଜେ ଶବ୍ଦ ରେ ହାପି ନ୍ଯୁ ଇୟର ର ଘର୍ଘର ଶବ୍ଦ ନନ୍ଦିଘୋଷ ଚକ ଶବ୍ଦ କୁ ଟପୁଥିଲା ।ଆଉ ଭିତରେ ମୁଁ ବତୁରି ଭାଙ୍ଗି ଖଣ୍ଡ ଖଣ୍ଡ ହେଉଥିଲି ଲଜ୍ଜା ଓ ଅଭିମାନ ରେ ।ରାଗ ଆସୁଥିଲା କି ନାହିଁ ଜାଣିନି ହେଲେ କୋହ ଉଠୁଥିଲା ।ବୋଉ ମୁହଁ ଆଖି ଆଗରେ ଭାସିଯାଥିଲା ।ବାପା ଯଦି ଜାଣିବେ ପୁଅ ଥାନାରେ ରାତି ବିତେଇଛନ୍ତି ସିଏ ପୁଣି କୋଉ ଝିଅ କେଶ୍ ତାଙ୍କ ମଥା ତଳକୁ ହେଇଯିବ ।ସିଏ ସହି ପାରିବେ ତ !ଏମିତି କେତେ କୁଆଡୁ କଥା ମୁଣ୍ଡ ଯାକ ଡାଗରା ଡିଙ୍ଗା ପରି କାମୁଡୁଥାନ୍ତି ।ରାମ୍ପିବିଦାରୀ ଲାଗୁଥାଏ ରାଗରେ ନିଜ ଉପରେ କି କାହିଁକି ଆସିଲି ୟା ତା କଥାରେ ପଡି ।କଣ କରାଯାଏ ଏବେ । ମନେ ପଡିଲେ ଜାଗୁଳେଇ ।ଯାହା ଉଚୁନିଚୁ ହେଲେ ଘରେ ବୋଉ ତାଙ୍କଠି ଶରଣ ପଶେ ।ହାତ ଯୋଡିଲି ।କହିଲି, " ମାଆ ମୁକୁଳେଇଦେ ଏଇ ଥରକ ।କାନ ମୋଡି ଚାପୁଡା ଖାଉଛି ଆଉ ଦିନେ ଏ ବାଟ ମାଡିବିନି।ପିଣ୍ଡରେ ପ୍ରାଣ ଥିବା ଯାଏ ମାଡିବିନି ।ମୁହଁ କୁ ଚାହିଁବିନି ସେ ବାବୁନିର ।କି ସାଙ୍ଗ ସିଏ ? ଛେଃ ।"
ସକାଳୁ ଆମ ବାବୁନି ର ମୋ କଥା ମନେ ପଡିଲା ।ଯା ହଉ ଖୋଜି ଲୋଡି ଆସି ଗଣି ଗଣି ଦଶ ହଜାରେ ଜୋରିମାନା ଗଣିଲା ଆଉ ନେଇକି ଗଲା ।
ଏତେ ଦିନ ପରେ ଜାଣି ତାର ମୋର ଏକାଠି ନୂଆ ବର୍ଷ ର ନୂଆ ସକାଳରେ ଏକ ଏକ କରି ପାଦ ଥାପି ଥାପି ହାତ ଧରା ଧରି ହେଇ ଚାଲୁଥିଲୁ। ପିଲାଦିନ ଫେରୁଥିଲା ।ନିଶା ଉତ୍ତୁରି ଥିଲା କି ନାଇଁ ତାର କେଜାଣି?ଲଜ୍ଜା କିନ୍ତୁ ଥିଲା ତା ସ୍ବରରେ ।ଖରା ପୂର୍ବ ପଟୁ ଆମ ପରକୁ ଛିଟା ମାରୁଥିଲା ।ହୋସ ଫେରେଇବାକୁ ।
ସିଏ ପଚାରୁଥିଲା, ଆଜି କେତ୍ ତାରିଖ କିରେ ?
_ ଜାନୁଆରୀ ଏକ୍ ।
_ ହାପି ନ୍ଯୁ ଇୟର ଦୋସ୍ତ ।ହାପି ନ୍ଯୁ ଇୟର ।ଆମ୍ ସରି ସାଙ୍ଗ ।ବହୁତ ବିଗ୍ ସରି ।ମତେ କ୍ଷମା କରିଦବୁ ନା ରେ ତୁ ? ତୁ ମୋର ଭାଇ ଟା ପରା ।ମୁଁ ସଂକଳ୍ପ ନେଇ ଆଉ ଛୁଇବିନି ଦିନେ ନା ନିଶା ନା ପାଣି ନା ଜୁଲିଆ।
ମୋ ଭିତରର ରାଗ ସବୁ ବାଷ୍ପ ହେଇ ଉଡିଯାଉଥିଲେ ।ମୁଁ ଧରିରଖିବାକୁ ଚାହୁଁ ବି ନ ଥିଲି । କୁଣ୍ଢେଇ ପକେଇଲି ତାକୁ ।ଫେରିଗଲୁ ପିଲାଦିନକୁ ।
ନୂଆ ବର୍ଷର ନୂଆ ଆରମ୍ଭ କରି ।
