Sambit Srikumar

Abstract Action Classics

4.3  

Sambit Srikumar

Abstract Action Classics

ନନ୍ଦନ

ନନ୍ଦନ

3 mins
247



ମୋ ଅଣଜେଜେମା, ମାନେ ଜେଜେଙ୍କ ବୋଉ ଆଉ ମୋ ଭିତରେ ବିଶେଷ ପରିଚୟ ନଥିଲା ବୋଲି ମୁଁ ଶୁଣିଛି ଆମ ଘର ଲୋକଙ୍କ ଠାରୁ। ମୋର ଜନ୍ମ ବେଳେ ବୁଢ଼ୀ କାଳେ ମୋତେ ଦେଖି କହୁଥିଲା, "ଧନରେ, ମୁଁ ତୋତେ ଚିହ୍ନିଲିନି କି ତୁ ବି ମୋତେ ଚିହ୍ନିଲୁନି।" ଆମେ ଦୁହେଁ ଦୁହିଁଙ୍କୁ ଚିହ୍ନିବା ବେଳକୁ ବୁଢ଼ୀ ଆଉ ଏପାରିରେ ନଥିଲା, ଗାଁ ମଶାଣିରେ ମିଶି ଯାଇଥିଲା। ହେଲେ ଆଜିବି ତା'ର ବହୁତ କଥା ମନରେ ଘର କରି ରହିଛି। ଅବଶ୍ୟ ଏଇ କଥାଗୁଡ଼ିକୁ ମୁଁ ଶୁଣିଛି ତା'ର ଆବର୍ତ୍ତମାନରେ।

କଥା କଥାକେ ବୁଢ଼ୀ କାଳେ ଢ଼ଗ ବୋଲେ, କଥା କମ୍ କୁହେ ଢଗଢମାଳି ଅଧିକ। ସେଥିରୁ ଗୋଟିଏ ମୋ ମନକୁ ଭାରି ଛୁଏଁ। ସେଇଟି ହେଉଛି, "ଯେଝା ନନ୍ଦନ ତାକୁ ଚନ୍ଦନ!" କେଡ଼େ ନିରାଟ ସତ କଥାକୁ କେତେ ସହଜ ଓ ସରଳ ରେ କହି ଦେଉଥିଲା ବୁଢ଼ୀ। ମୋର ହେତୁ ହେବା ପରେ ଦୁନିଆର ରୀତିନୀତି ହାବଭାବକୁ ଦେଖି ମୁଁ ଏଥିରେ ଆଉ ପଦେ ଯୋଡି଼ କରି କହେ ସାଙ୍ଗସାଥିମାନଙ୍କ ମହଲରେ। "ଯେଝା ନନ୍ଦନ ତାକୁ ଚନ୍ଦନ! ଆନ ସନ୍ତାନ ଅସହ୍ୟ ପୀଡ଼ନ!!"

ଏଇ କଥାଟିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସଦା ସର୍ବଦା ତତ୍ପର କାହାଣୀର ମହାନାୟକ ଯାହାଙ୍କୁ ମୁଁ ଜାଣେ ପିଲାଟିଦିନରୁ। ଏପରି ଅନେକ ଚରିତ୍ର ଆମର ଆଖପାଖରେ ଦେଖିବାକୁ ମିଳନ୍ତି, ଖାଲି ଅନୁସନ୍ଧିତ୍ସୁ ମନଟେ ନେଇ ଅନ୍ବେଷଣ କରି ପାରିଲେ ହେଲା। ବହୁ ଚର୍ଚ୍ଚିତ ବ୍ଯକ୍ତିତ୍ବଟିଏ ସେ। ନାମ ବାବୁ ଗଙ୍ଗାରାମ। ଖୋସାମତୀ, ପରପଦଲେହନ ଓ କର୍ମନଷ୍ଠରେ ସ୍ନାତକୋତ୍ତର ଉପାଧିଧାରୀ, ବୃତ୍ତିରେ କୁଜିନେତା। ବଡ଼ କରିତକର୍ମା ଲୋକଟେ ସେ, ଅଭିଧାନରେ ଉପଲବ୍ଧ ସମସ୍ତ ବିଶେଷଣ ତାଙ୍କ ପାଇଁ ଉଣା ହେବ। ଛାମୁଆ ନେତାମାନଙ୍କ ବୋକଚା ବୋହି ବୋହି କାନ୍ଧରେ କୁଜ ବାହାରି ଆସିଲା ବେଳକୁ ହିଁ କ୍ଷମତାର ସ୍ବାଦ ଚାଖିଲେ। ଆଉ ସେବେଠାରୁ ପଛକୁ ଫେରି ଚାହିଁ ନାହିଁନ୍ତି। ଛଳ କଳ ବଳ କୌଶଳ ଉପଯୋଗ କରି ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଛନ୍ତି ସେ।

ଗାଁଟାଯାକର ପିଲା କି ଶିକ୍ଷିତ କି ଅଶିକ୍ଷିତ ସଭିଙ୍କୁ ଧରି ଗଙ୍ଗାରାମ ଗଢ଼ିଛନ୍ତି ଗୋଟେ ସଂଗଠନ, "ସର୍ବଭୁକ୍ ଯୁବକ ସଂଘ"! କୌଣସି ନୀତି ଆଦର୍ଶ ନାହିଁ ଏହାର। କିନ୍ତୁ ସବୁକିଛି କାମ କରିବାକୁ ଏହି ବେନାମୀ ସଂଗଠନର ସଦସ୍ୟମାନେ ସବୁ ବେଳେ ପ୍ରସ୍ତୁତ। ଅଞ୍ଚଳରେ କିଛି ଗଠନମୂଳକ କାମ ନକଲେ ମଧ୍ୟ ପତିଆରାର ଲଢେଇ ପାଇଁ ଏମାନେ ସଦା ଆଗଭର। ନିୟମିତ ବ୍ୟବଧାନରେ ନିଶାପାଣି ଓ ଭୋଜିଭାତରେ ଏମାନଙ୍କୁ ଆପ୍ଯାୟିତ କରି ରଖିଥାଆନ୍ତି ଗଙ୍ଗାରାମ। ଏହାଙ୍କ ଗୋଟିଏ ଇସାରାରେ ମେଣ୍ଢା ଭଳି ପାଣିକୁ ଡେଇଁ ପଡ଼ିବେ କିଛି ନବୁଝି ନଶୁଝି। ଅନ୍ଯର ଜୀବନ ନେଇ ପାରିବେ ଆଉ ନିଜର ଦେଇ ବି ପାରିବେ!

ନିର୍ବାଚନ ବେଳେ ପ୍ରଚାର ପାଇଁ ଛାମୁଆ ନେତାମାନଙ୍କ ପଛରେ ଗୋଡ଼େଇବା, ପୋଷ୍ଟର, ବ୍ୟାନର ମାରିବା, ବାଇକ୍ ରାଲି କରିବା ଇତ୍ୟାଦି ଇତ୍ୟାଦି ଏଇମାନଙ୍କର ମୁଖ୍ୟ କାମ। ସେମାନଙ୍କ କଥାରେ ହିଂସାକାଣ୍ଡ ଭିଆଇବାକୁ ଟିକେ ବି ହେଳା କରନ୍ତି ନାହିଁ। ଅବଶ୍ୟ ବିନା ପଇସାରେ କରନ୍ତି ନାହିଁ। ବିଡ଼ା ବିଡ଼ା ଟଙ୍କା ଉଡେ ମଫସଲରେ ଏଇ ନିର୍ବାଚନ ବେଳେ। ଖାଲି ଗୋଟେଇ ପାରିବା କଥା ଯାହା।

ଏମାନଙ୍କ ରାସ୍ତାରେ ଯିଏ ବି ଆସିବ ତାକୁ ତଳିତଳାନ୍ତ କରିଦିଅନ୍ତି ଆର୍ଥିକ, ସାମାଜିକ ଓ ବ୍ଯକ୍ତିଗତ ସ୍ତରରେ। ଗାଁ ପିଲାମାନଙ୍କୁ କୁକାର୍ଯ୍ଯରେ ଲିପ୍ତ କରାଇ ନିଜର ରାଜନୈତିକ ପତିଆରାକୁ ବଢାଇବାରେ ଲାଗିଛନ୍ତି ଦିନକୁ ବାବୁ ଗଙ୍ଗାରାମ। ସମିତି ସଭ୍ୟରୁ ସରପଞ୍ଚ ହେବା ପରେ ଏବେ ବ୍ଲକ୍ ସଭାପତି ହେବାଟା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ। ଆଖି ବୁଜିବା ଆଗରୁ ଅନ୍ତତଃପକ୍ଷେ ବିଧାୟକ ହେବା ପାଇଁ ମନରେ ଲୁକ୍କାୟିତ ଲାଳସା ବେଳେ ବେଳେ ମଦ ନିଶାରେ ବାହାରି ଆସେ ତୁଣ୍ଡରୁ।

ସେଥିପାଇଁ କୌଣସି ଗୋଟିଏ ପିଲା ଚାକିରି ବାକିରି କରିବା ତ ଦୂରର କଥା କିଛି ବୋଲି କିଛି ରୋଜଗାରର ପନ୍ଥା ଅବଲମ୍ବନ କରନ୍ତି ନାହିଁ। ବରଂ ବାବୁ ଗଙ୍ଗାରାମଙ୍କ ସମ୍ମୋହନରେ ରାତିଦିନ ତାଙ୍କ ପଛରେ ଗୋଡ଼ାଣିଆ ହୋଇ ବୁଲନ୍ତି। ମଝିରେ ମଝିରେ ଠିକାଦାରମାନଙ୍କ ଠାରୁ ଆସୁଥିବା ବଟିକୁ ବାଣ୍ଟିକୁଣ୍ଟି ଖୁସିରେ ଜୀଅଁନ୍ତି। ନା ସେମାନଙ୍କର ଅଛି ନିଜ ଭବିଷ୍ୟତର ଚିନ୍ତା ନା ଘରପରିବାରର ସମ୍ମାନର ଖିଆଲ। କେବଳ ବାବୁ ଗଙ୍ଗାରାମଙ୍କ ଗୋଲାମୀ କରି ତାଙ୍କ ଛତ୍ରଛାୟାରେ ଜୀଇଁବା ହିଁ ଏମାନଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ! ଏଥିରେ ଏମାନଙ୍କର ଚଉବର୍ଗ ପ୍ରାପ୍ତି!

ମାତ୍ର ବାବୁ ଗଙ୍ଗାରାମ ବଡ଼ ଚତୁର ଚରିତ୍ର ବିଶିଷ୍ଟ ବ୍ଯକ୍ତି। ମାଛ ତେଲରେ ମାଛ କିପରି ଭଜାଯାଇଥାଏ ବେଶ୍ ଭଲ ଭାବେ ତାଙ୍କୁ ମାଲୁମ। ନିଜ ହାତରୁ ଅଧୁଲାଟିଏ ଖର୍ଚ୍ଚ କରନ୍ତିନି ସେ ଏଇ ସର୍ବଭୁକ୍ ଯୁବକ ସଂଘର ସଦସ୍ୟଙ୍କ ପାଇଁ। ଛାମୁଆ ନେତାଙ୍କ ଠାରୁ ଆସୁଥିବା ଅର୍ଥର ଅର୍ଦ୍ଧେକ ଉଦରସ୍ଥ କରିବା ପରେ ଯାହା ବଳେ ସେଥିରେ ଏମାନଙ୍କୁ ପୋଷିଥାନ୍ତି ଏକ ପ୍ରକାର। ଗାଁଟାଯାକର ପିଲାମାନଙ୍କୁ ନିଜର ନ୍ଯସ୍ତ ସ୍ବାର୍ଥର ସୁରକ୍ଷା ପାଇଁ କୁପଥଗାମୀ କରାଇ ଗୋଟିଏ ପୀଢ଼ିଟାକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲେ ମଧ୍ୟ ନିଜର ଏକୋଇର ବଳା ବିଶିକେଶନ ଧନଞ୍ଜୟକୁ କିନ୍ତୁ ମଣିଷ ପରି ମଣିଷଟିଏ କରି ଗଢି ତୋଳିଛନ୍ତି ସେ। ଗାଁ ସ୍କୁଲରୁ ଯାହିତାହି ମ୍ଯାଟ୍ରିକ୍ ପାଶ୍ କରି ସାରିବା ପରେ ରାଜଧାନୀର ନାମୀ ଶିକ୍ଷାନୁଷ୍ଠାନରେ ପାଠ ପଢିଛି ତାଙ୍କର ପୁଅ। ଅବଶ୍ୟ ଏଥିପାଇଁ କେତେ ନେତା ମନ୍ତ୍ରୀଙ୍କ ସୁପାରିଶ ପରେ ମୋଟାଅଙ୍କର ଅର୍ଥ ବି ବିନିର୍ବ୍ଯୟ ହୋଇଛି। କିନ୍ତୁ ପୁଅ ତ ପାଠଶାଠ ପଢି ନାଁ ବି ରଖିଛି ବାପର।

ପାଠପଢ଼ା ଶେଷ ହେବା ପରେ ପରେ ଧନଞ୍ଜୟ ଚାକିରି ପାଇଛି ଗୋଟିଏ ବହୁ ରାଷ୍ଟ୍ରୀୟ ସଫ୍ଟୱେର୍ କମ୍ପାନୀରେ। ଉଚ୍ଚ ବେତନ ହାର, ପ୍ରଥମେ ପୋଷ୍ଟିଂ ହେବ ବାଙ୍ଗାଲୋରରେ। ସେଠାରେ କିଛିଦିନ କାମ କରିବା ପରେ ବିଦେଶ ଯିବ ସେ, ସେଇଠି ହିଁ ରହିବ ଆଉ ଫେରିବା ଦରକାର ନାହିଁ ଏଇ ମଫସଲକୁ। ବାବୁ ଗଙ୍ଗାରାମଙ୍କ ମନ କୁଣ୍ଢେ ମୋଟ! ଯାହା ହେଉ ନା କାହିଁକି ପୁଅ ତାଙ୍କ ନାଁର ଟେକ ରଖିଛି ଏଇ ଖଣ୍ଡମଣ୍ଡଳରେ। ଶୁଭେଚ୍ଛାର ସୁଅ ଛୁଟୁଛି ତାଙ୍କ ପାଖକୁ।

ଗାଁର ସବୁ ପିଲାଙ୍କୁ ଡକାଇ ଭୋଜିଭାତର ଆୟୋଜନ ଚାଲିଛି ପୁଅର ଚାକିରି ହେବା ଖୁସିରେ। ଏଇ ପିଲାମାନେ ତ ଆଉ ଯେମିତି ପୁଅ ନୁହଁନ୍ତି ସେମାନଙ୍କ ବାପାମାଆଙ୍କର। ସେମାନଙ୍କର ଭବିଷ୍ୟତ ବୋଲି କିଛି ନାହିଁ। ସେମାନେ ତ ବେଠିଆ ବାବୁ ଗଙ୍ଗାରାମଙ୍କ ପରି ସାମାଜର ଠିକାଦାରମାନଙ୍କର। ନାଚୁଥିବେ କ୍ରୀଡ଼ନକ ସାଜି ଅନନ୍ତକାଳ ପର୍ଯ୍ୟନ୍ତ...



Rate this content
Log in

Similar oriya story from Abstract