Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ନମ୍ଵର

ନମ୍ଵର

2 mins
204


"ଆରେ ବାବା! ଖାତାରେ ତ କିଛି ବି ଲେଖି ନାହଁ, କଣ ଦେଖି ନମ୍ବର ଦେବି? ଏବେ ସିନା ଟେଷ୍ଟ୍ ହେଇକି ମେଟ୍ରିକ୍ ପରୀକ୍ଷା ଦେବାକୁ ଯିବ, ହେଲେ ସେଠି କରିବ କଣ? ପାଠଘର ତ ଶୂନ୍ୟ। ଗଣିତ ତ ଗଣିତ, ତୁମର ବିଲକୁଲ ସାଧାରଣ ଜ୍ଞାନ ମଧ୍ୟ ନାହିଁ... ବ୍ରହ୍ମା ସମସ୍ତଙ୍କୁ ବିଦ୍ଯା ବୁଦ୍ଧି ବାଣ୍ଟୁଥିବା ବେଳେ ତୁମେ ତ ଘୁମେଇ ପଡିଥିବ..." ବିରକ୍ତି ପ୍ରକାଶ କରି କହୁଥିଲେ ହରିପୁର ଉଚ୍ଚବିଦ୍ୟାଳୟର ନୀତିନିଷ୍ଠ ଶିକ୍ଷକ ପ୍ରଶାନ୍ତ ବାବୁ। 


"ସାର୍, ଆପଣ ଛାଡନ୍ତୁ ସେ କଥା। ଯାହା ତ ହେବାର ହେଲାଣି। ନେଡିଗୁଡ଼ କହୁଣୀ ଧରିଲାଣି, ଆଉ କଣ ମୋ ଦ୍ୱାରା ହେବ? ଯାହିତାହି ପାସ୍ ନମ୍ବର ଦେଇ ଟେଷ୍ଟ୍ କରେଇ ଦିଅନ୍ତୁ ମୋତେ। ପରୀକ୍ଷା ଦେବା ଆଉ ପାସ୍ କରିବା, ଆଉ... ଆଉ ଯୋଉଁ ସବୁ ବାକି କଥା ଅଛି ସେଗୁଡାକ ମୋ ବାପା ଦେଖି ନେବେ।" ପ୍ରତ୍ଯୁତ୍ତରରେ କହିଲା ଅବାଧ୍ଯ ଛାତ୍ର ଅମିତ୍। 


: ନାଇଁ ବାବା। ଏସବୁ ହେବ ନାହିଁ ମୋ ଦ୍ୱାରା। ଦୀର୍ଘ କୋଡ଼ିଏ ବର୍ଷର ଶିକ୍ଷକତା ଜୀବନରେ ତୁମ ଭଳି ଅଦ୍ଭୁତ ଛାତ୍ର ପ୍ରଥମ କରି ଦେଖୁଛି। ଯାଅ ତୁମେ ହେଡ୍ ସାର୍.ଙ୍କୁ କୁହ। ଯଦି ସିଏ କିଛି କଣ କରି ପାରିବେ, କରନ୍ତୁ... ମୁଁ ପାରିବି ନାହିଁ। ମୋ ନୀତି ଆଦର୍ଶ ସହିତ ସାଲିସ୍ କରି ପାରିବି ନାହିଁ। 


: ଆଛା ସାର୍। ତାହେଲେ ମୋ କଥା ଆପଣ ରଖିବେନି। ମନେରଖନ୍ତୁ ଏହାର ପରିଣାମଟା କିଛି ଭଲ ହେବ ନାହିଁ। ଭବିଷ୍ୟତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ... ଆପଣଙ୍କର ବି ପରିବାର ଅଛି, ପିଲାଛୁଆ ଅଛନ୍ତି। ଏଥିପାଇଁ ମୁଁ ଦାୟୀ ରହିବି ନାହିଁ, ଆଗୁଆ କହି ଦେଉଛି। 


: କଣ ମୋତେ ଧମକ ଦେଉଛ ତୁମେ? 


: ନାଇଁମ ସାର୍। ମୁଁ ପୁଣି ଧମକ, ଏମିତି କହୁଥିଲି ନା... ଆପଣଙ୍କ ହାତରେ ମୋ ଭାଗ୍ୟ ଆଉ ଭବିଷ୍ୟତ। ଟିକେ ଦେଖିବେ ମୋ କଥା। 


ବହୁ ବାଦବିବାଦ ପରେ ମଧ୍ୟ ଶିକ୍ଷକ ପ୍ରଶାନ୍ତ ବାବୁ ନିଜ ଯିଦ୍.ରେ ଦୃଢ଼ ନିଶ୍ଚଳ ରହିଲେ। ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷା ବିଭାଗର ଅଧିକାରୀ କାହାରି ଚାପ ଆଗରେ ମୁଣ୍ଡ ନୁଆଁଇଲେ ନାହିଁ କି ଅମିତ୍.ର ବାପାଙ୍କ ଭଡାଟିଆ ଗୁଣ୍ଡାଙ୍କ ଧମକଚମକରେ ଆଦୌ ଭୟଭୀତ ହେଲେ ନାହିଁ। ସୂତରାଂ ଅମିତ୍ ନିୟମିତ ଛାତ୍ର ଭାବେ ମେଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହେଲା। ମନର ଆଶା ଆକାଂକ୍ଷା ମନରେ ରହିଗଲା ତା'ର। 


ସେବେ ଠାରୁ ଆଉ କେହି ବି ଅମିତ୍.କୁ ଦେଖିବାକୁ ପାଇନାହିଁ ହରିପୁର ଗ୍ରାମରେ। ସିଏ କୁଆଡ଼େ ଗଲା? କଣ କଲା? କେଉଁଠି ଅଛି? କେମିତି ଅଛି? କଣ କରୁଛି? ଏସବୁର ହିସାବ କେହି ରଖି ନାହାଁନ୍ତି। ଗୋଟିଏ ନଷ୍ଟ ଚରିତ୍ରର ପିଲାର ହାନିଲାଭ ବୁଝିବା ପାଇଁ କାହାର ଇଛା ଅବା ଫୁରସତ୍ ଅଛି? 


ଏଇ ଘଟଣାକୁ ବିତିଗଲାଣି ଦୀର୍ଘ ପଚିଶି ବର୍ଷ। କୃତୀ ଶିକ୍ଷକ ପ୍ରଶାନ୍ତ ବାବୁ ଏବେ ସେବାନିବୃତ୍ତ। ବୟସାଧିକ୍ୟ ହେତୁ ବିଭିନ୍ନ ରୋଗରେ ପୀଡ଼ିତ। ସରକାରଙ୍କ ପକ୍ଷରୁ ମିଳୁଥିବା ପେନସନ୍ ଗଣ୍ଡାକ ଯଥେଷ୍ଟ ନୁହେଁ ପରିବାର ପ୍ରତିପୋଷଣ କରିବା ପାଇଁ। ବାର୍ଦ୍ଧକ୍ଯରେ ଶାରୀରିକ କଷ୍ଟ ସହିତ ଆର୍ଥିକ ନିଅଣ୍ଟ ତାଙ୍କୁ ଘାଣ୍ଟିଚକଟି ମାରୁଛି। 


ଆଉ ମେଟ୍ରିକ୍ ପରୀକ୍ଷା ଦେବା ପାଇଁ ଅକୃତକାର୍ଯ୍ୟ ହୋଇଥିବା ହରିପୁର ଉଚ୍ଚବିଦ୍ୟାଳୟର ଛାତ୍ର ଅମିତ୍ ଏବେ ରାଜ୍ୟର ଶିକ୍ଷାମନ୍ତ୍ରୀ, ତାହା ପୁଣି କ୍ୟାବିନେଟ୍ ପାହ୍ୟା। ସେଦିନ ଗଣିତ ବିଷୟରେ ଶୂନ୍ଯ ନମ୍ବର ଥିବାରୁ ମେଟ୍ରିକ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇ ପାରି ନଥିବା ଅମିତ୍ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ବିଧିବଦ୍ଧ ଭାବେ ଯୋଗ୍ୟତା ହାସଲ କରିଛି। ଆପଣାକୁ ଶିକ୍ଷା ବିଭାଗର ସର୍ବମୟ କର୍ତ୍ତା ବୋଲାଉଛି ଏଇ ଗଣତାନ୍ତ୍ରିକ ନମ୍ବର ଖେଳରେ। 


ଅମିତ ସହିତ ପାଠ ପଢିଥିବା ମେଧାବୀ ସହପାଠୀଗଣ ଯେଉଁମାନେ ପ୍ରଶାନ୍ତ ବାବୁଙ୍କ ପରି ଆଦର୍ଶ ଶିକ୍ଷକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶିକ୍ଷକତା ପରି ମହାନ ବୃତ୍ତିକୁ ଆଦରି ନେଇଥିଲେ, ସେମାନେ ଆଜି ନିଜର ନାର୍ଯ୍ୟ ଦାବି ହାସଲ କରିବାକୁ ରାଜଧାନୀର ରାଜପଥରେ ଧାରଣା ଅନଶନରେ ବସିଛନ୍ତି। ଶୀତ କାକର ସହିତ ବର୍ଷା ମାଡ଼ ସହି ଅନିଶ୍ଚିତତା ଭିତରେ କାଳ କାଟୁଛନ୍ତି। 



Rate this content
Log in

Similar oriya story from Abstract