ନିରବ ପ୍ରେମିକ
ନିରବ ପ୍ରେମିକ
ଶୀତ ଦିନର ସକାଳ କୁହୁଡିର କୁହୁକ ଦୁନିଆଁ ସତେ ଯେମିତି କଳାଯାଦୁ କରିଛି ସମ୍ପୂର୍ଣ୍ଣ ଭୂପୃଷ୍ଠକୁ l ଆକାଶ ପୃଥିବୀକୁ ବାନ୍ଧିଦେଇଛି ତାର ଧୂଆଁଳିଆ ଜାଲରେ କି ବସ୍ତୁ କି ପଦାର୍ଥ କେଇ କ୍ଷଣି ପାଇଁ ସମସ୍ତେ ବନ୍ଦୀ l ସବୁଜ ବନାନୀର ବିଧବା ବର୍ଣ୍ଣ ମଧ୍ୟରେ ଚିଲିକା କୂଳର ଏକ ବରଗଛ ଡାଳରେ ବସିଥାଏ ଗଡ଼ୱାଲ ପକ୍ଷୀଟିଏ l ପବନରେ ଝାଉଁ ଗଛର ଶବ୍ଦ ପଛରେ ସମୁଦ୍ର ଲହରୀର ଶବ୍ଦ ଆହୁରି ଭୟାନକ କରିଦେଉଥାଏ ପରିବେଶଟିକୁ କିନ୍ତୁ ସେମିତି ନିରବ ଓ ନିଶ୍ଚଳ ଭାବରେ ଭଗ୍ନାବଶେଷ ମୂର୍ତ୍ତି ସଦୃଶ୍ୟ ବସିଥାଏ ଗଡ଼ୱାଲ ପକ୍ଷୀଟି l ମନରେ ତାର ଖଣ୍ଡ ବିଖଣ୍ଡିତ ଭାବନା ଉଙ୍କି ମରୁଥାଏ l ଜୀବନରେ ସବୁକିଛି ହରେଇ ଦେଇଥିବାର ଯନ୍ତ୍ରଣା, ହୃଦୟରୁ କାହାକୁ ଦୂରେଇ ଦେବାକୁ ପ୍ରତିଜ୍ଞାକରି ବାରମ୍ବାର ବିଫଳତା, ମନ ଆଉ ହୃଦୟ ଭିତରେ ଅରାଜକତାର ଶୀତଳ ଯୁଦ୍ଧ ଚାଲିଥାଏ l ମନରେ ତାର ଯନ୍ତ୍ରଣାର ବହ୍ନି ଜଳୁଥାଏ କିନ୍ତୁ ହୃଦୟ ସ୍ଥିର ଓ ଗମ୍ଭୀର କିଛି ଗୋଟେ ବସି ଭାବୁଥାଏ l
ଆଜକୁ ଠିକ ଚାରିବର୍ଷ ତଳେ ସୁଦୂର ସାଇବେରିଆ ଅଂଚଳରୁ ନିଜର ସାଙ୍ଗସାଥି ମେଳରେ ଚିଲିକା ଅଭିମୁଖେ ଆସିଥିଲା ତରୁଣ ଗଡ଼ୱାଲ ପକ୍ଷୀଟି l ସହଜେତ ବରଫାଞ୍ଚଳ ପକ୍ଷୀଟି ଦେହ ସାରା ଧଳାରଙ୍ଗ ମିଶା ସାତରଙ୍ଗର ପର ସତେ ଯେମିତି ପ୍ରକୃତି ନିଜ ହାତେ ରଙ୍ଗତୁଳୀ ଧରି ତା ଦେହ ସାରା ରଙ୍ଗ ବୋଳି ଦେଇଛି l ଆହାଃକି ସୁନ୍ଦର ରୂପ ତାର ଅତ୍ୟନ୍ତ ମନଲୋଭା l ଶୀତ ଦିନର ଆଗମନ ହେତୁ ମରାଳ ମାଳିନୀ ନୀଳମ୍ବୁ ଚିଲିକା ଶୁଭ୍ରବସ୍ତ୍ର ପରିଧାନ କରି ସଜେଇ ହୋଇଯାଇଛି ଯେମିତି ବିଦେଶୀ ପକ୍ଷୀ ମାନଙ୍କୁ ସ୍ୱାଗତ ଓ ଅତିଥିଚର୍ଚ୍ଚା କରି ସାରାବିଶ୍ୱରେ ନାଁ କରିବ ବୋଲି l
ଚିଲିକାରେ ପହଞ୍ଚି ସାଙ୍ଗମାନଙ୍କ ମେଳରେ କୁମାର ଗଡ଼ୱାଲ ପକ୍ଷୀଟି ଉଡ଼ିବୁଲୁଥାଏ ଚାରିଦିଗକୁ l ଜାତିଜାତିକା ମାଛ ଖାଇ ଖୁସିମନରେ ଜୀବନକୁ ଉପଭୋଗ କରୁଥାଏ l ଦିନେ ସୂର୍ଯ୍ୟାସ୍ତର ସମୟ ଦୁଇଗୁଣିତ ହୋଇଯାଇଛି ଚିଲିକା ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ l ସୁସ୍ୱାଦୁ ଖାଦ୍ୟ ଆଶାରେ ଏକ ପର୍ଯ୍ୟଟକ ଡ଼ଙ୍ଗାର ପିଛା କରୁକରୁ ସାଙ୍ଗମାନଙ୍କ ମେଳରେ କୁମାର ଗଡ଼ୱାଲ ପକ୍ଷୀଟି ଯାଇ ପହଞ୍ଚିଯାଇଛି ଚିଲିକା ଆରାଧ୍ୟାଦେବୀ ମା କାଳିଜାଇଙ୍କ ପୀଠରେ l ସୁଦୂର ସାଇବେରିଆରୁ ଶୁଣି ଆସିଥିଲା କାଳିଜାଇରେ ସନ୍ଧ୍ୟାର ମନମୁଗ୍ଧକର ଅପରୂପ ସୌନ୍ଦର୍ଯ୍ୟ ବିଷୟରେ l ଆଉ ଆଜି ସେ ସ୍ୱୟଂ ସେ ଦୃଶ୍ୟକୁ ଦେଖି କେଇକ୍ଷଣି ଅଟକିଗଲା l ମା କାଳିଜାଇଙ୍କ ମନ୍ଦିର ଚାରିପଟେ ଘେରାଏ ବୁଲିଆସିବାକୁ ଉଦ୍ୟତ ହେଲାବେଳେ ତାର ନଜର ପଡିଗଲା ପାଖରେ ଥିବା ଓହଳଭରା ବୁଢା ବରଗଛ ଏବଂ ତାର ଡାଳରେ ଏକାକୀ ବସିଥିବା ଏକ କୁମାରୀ ଗଡ଼ୱାଲ ପକ୍ଷୀଟି ଉପରେ l ସହଜେ ତ ତରୁଣ ମନ ଆଉ କି ମନ୍ଦିର କଥା ଭାବେ ଏକା ନିଶ୍ୱାସରେ ଯାଇ ପହଞ୍ଚେ ସେଇ ବରଗଛ ପାଖରେ ଏବଂ ଏକାଲୟରେ ଚାହିଁରହିଲା ତରୁଣୀ ପକ୍ଷୀଟିକୁ l କିଛି ସମୟ ସେଠାରେ ଅଟକି ପଡିଲା l ଯେପରି ତାକୁ ମନେ ହେଲା ତାର ବହୁତ ଦିନର ପରିଚିତ ବାନ୍ଧବୀ, ତାର ମୁହଁ ଚିହ୍ନାଜଣା ପରି ମନେ ହେଲା l ବାରମ୍ବାର ତାର ଚାରିପାଖରେ କଣେଇ କଣେଇ ଅନାଇ ବୁଲିବାକୁ ଲାଗିଲା l କିନ୍ତୁ କୁମାରୀ ପକ୍ଷୀଟି କୌଣସି ଧ୍ୟାନ ନ ଦେଇ ସେମିତି ମନମାରି ବସିଥାଏ l ତାହା ଦେଖି କୁମାର ଗଡ଼ୱାଲ ପକ୍ଷୀଟି ତା ନିକଟରେ ଯାଇ ବସିପଡ଼ିଲା ଏବଂ କହିବାକୁ ଲାଗିଲା କଣ ପାଇଁ ମନମାରି ବସିଛ?? ନାଁ ଏ ପରିବେଶର ସୁନ୍ଦର ରୂପରେ ବିମୋହିତ ହୋଇଯାଇଛ l ଏତିକି କହୁକହୁ କୁମାରୀ ଗଡ଼ୱାଲ ପକ୍ଷୀର ଆଖିରୁ ଦୁଇଟୋପା ଲୁହ ଝରିପଡିଲା l ତା କାନ୍ଦଦେଖି କୁମାର ଗଡ଼ୱାଲ ପକ୍ଷୀର ହୃଦସ୍ପନ୍ଦନ ବଢିବାକୁ ଲାଗିଲା ଏବଂ ତାକୁ ବୁଝାଇବାକୁ ଯାଇ କୁମାର ପକ୍ଷୀ ପଚାରିବାକୁ ଲାଗିଲା କଣ ହୋଇଛି ତ କୁହ; କୁମାରୀ ପକ୍ଷୀ କହିବାକୁ ଲାଗିଲା କାହିଁ କେତେ ବର୍ଷତଳୁ ମୋ ମାଆ ମଧ୍ୟ ସାଇବେରିଆ ଅଂଚଳରୁ ଖାଦ୍ୟ ଅନ୍ବେଷଣରେ ଏଠାକୁ ଆସିଥିଲା ଆଉ ଏଠାରେ ହିଁ ମୋର ଜନ୍ମ ମା କାଳିଜାଇଙ୍କୁ ସୁମରଣା କରି ଆମ ଜୀବନ ଖୁସିରେ କଟିଚାଲିଥିଲା କିନ୍ତୁ ଗତ ସପ୍ତାହରୁ ମୋ ମାଆକୁ ମୁଁ ଆଉ ପାଉନି l ମଙ୍ଗଳଯୋଡି ଠାରୁ ଆରମ୍ଭ କରି ରମ୍ଭା ପର୍ଯ୍ୟନ୍ତ ସବୁଠି ଖୋଜିଖୋଜି ଥକିସାରିଲାଣି l କିଛି ବୁଦ୍ଧି ବିଚାର ଆଉ ମୋ ମୁଣ୍ଡକୁ ଆସୁନି l ଏତିକି ବେଳେ କୁମାର ଗଡ଼ୱାଲ ପକ୍ଷୀଟି କହି ଉଠିଲା ମା'ଙ୍କ ଉପରେ ବିଶ୍ୱାସ ରଖ ସବୁକିଛି ଠିକ ହୋଇଯିବ l ଭୋ-କିନା କାନ୍ଦିଉଠି କୁମାରୀ ଗଡ଼ୱାଲ କହିଉଠିଲା ମା'ଙ୍କ ଉପରେ ମୋର ବିଶ୍ୱାସ ଅଛି କିନ୍ତୁ ଏ ସଭ୍ୟଶିକ୍ଷିତ ଉନ୍ନତ ମନୁଷ୍ୟ ଉପରେ ମୋର ଭରସା ନାହିଁ l ନିଜ ପାଟିର ଲାଳସା ମେଣ୍ଟାଇବାକୁ ସେ କିଛି ବି କରିପାରେ l କୁମାର କହି ଉଠିଲା ସେମିତି କୁହନି ମୁଁ ତମ ମାଆକୁ ଖୋଜିବାରେ ସାହାଯ୍ୟ କରିବି l ଦୁହେଁ ରାତିଦିନ ଏକ କରି ଖୋଜିଲେ l କିଛି ଦିନ ବିତିଯାଇଛି ମାଆ ସିନା ମିଳିଲେନି କିନ୍ତୁ ଦୁଇପକ୍ଷୀ ମଧ୍ୟରେ ଗଢିଉଠିଛି ପ୍ରେମ ସମ୍ପର୍କ l ଏଇ କିଛିଦିନର ମିଳାମିଶା ମଧ୍ୟରେ ଦୁହେଁ ଦୁହିଁଙ୍କୁ ଦୂରେଇବାକୁ ପ୍ରସ୍ତୁତ ନୁହନ୍ତି l ଗୋଟେ ମିନିଟର ଦୂରତା ମଧ୍ୟ ସେମାନଙ୍କ ସହିବା ସମର୍ଥ ବାହାରେ l କୁମାର ପ୍ରେମର ଖୁସିରେ କୁମାରୀ ମଧ୍ୟ ତା ମାଆର ଦୁଃଖକୁ ଧୀରେ ଧୀରେ ଭୁଲିଗଲାଣି l ଶୀତଋତୁ ମଧ୍ୟ ସରିବାକୁ ବସିଲାଣି ସାଇବେରିଆ ଫେରିଯିବାର ସମୟ ଉପନୀତ ଏମିତି ଏକ ସନ୍ଧ୍ୟାରେ ଦୁହେଁ ସେଇ ବରଗଛରେ ବସି ଦୂର ଜହ୍ନକୁ ହିଁ ଚାହିଁରହିଛନ୍ତି l କୁମାର ଗଡ଼ୱାଲ ପକ୍ଷୀଟି କହିବାକୁ ଆରମ୍ଭ କରି କହୁଛି ତୁମେ ସବୁକିଛି ଛାଡି ମୋ ସହିତ ଚାଲିଆସ, ମୋର ସବୁ ସମ୍ପର୍କରେ ତୁମକୁ ଦେଖିବାକୁ ଚାହେଁ ତୁମ ଭିତରେ ହଜିଯିବାକୁ ଚାହେଁ l ତୁମ ନିଶ୍ୱାସ ପ୍ରଶ୍ୱାସକୁ ଅନୁଭବ କରିବାକୁ ଚାହେଁ l ତୁମ ହୃଦୟରେ ଗଢି ଉଠିଥିବା ମହଲରେ ରାଜକୁମାର ହେବାକୁ ଚାହେଁ, ତୁମ ପ୍ରେମର ରଙ୍ଗରେ ରଙ୍ଗୀନ ହେବାକୁ ଚାହେଁ l ତୁମ ଓଠର ସ୍ମିତହସକୁ ମୁଁ ମୋ ହାତମୁଠାରେ ସାଇତି ରଖିବାକୁ ଚାହେଁ l ସ୍ୱପ୍ନରେ ତୁମେ ଆସିବାର ଭାବନାକୁ ମୁଁ ବାସ୍ତବରେ ପାଇବାକୁ ଚାହେଁ l ତୁମ ସୁଖଦୁଃଖକୁ ନିଜର କରିବାକୁ ଚାହେଁ l ମୁଁ ତୁମକୁ ରାଣୀ ପରି ରଖିବି l ମୋ ପରିବାର ତୁମକୁ ପାଇଁ ବହୁତ ଖୁସି ହେବେ; ଦୟାକରି ମୋ ସହିତ ଚାଲିଆସ l ଏତେ ସବୁକିଛି ଶୁଣିସାରି କୁମାରୀ ଗଡ଼ୱାଲ ପକ୍ଷୀଟି କିଛି ସମୟ ପାଇଁ ସମ୍ପୂର୍ଣ୍ଣ ନିରବ ଓ ନିଶ୍ଚଳ l ଚାରିପଟର ଶାନ୍ତ ପରିବେଶ ମଧ୍ୟରେ କୁମାର ମୁହଁକୁ କରୁଣ ଚାହାଣୀରେ ଟିକେ ଚାହିଁଦେଇ କୁମାରୀ ପକ୍ଷୀଟି କହିଲା: ନାଇଁ କୁମାର ମୁଁ ତୁମ ସହିତ ଯାଇପାରିବି ନାହିଁ l ମୁଁ ମା'କାଳିଜାଇଙ୍କ ଦୟାରୁ ଏଇଠି ଜନ୍ମ ହୋଇଛି l ଏଠାକାର ପାଣି ପବନରେ ବଢିଛି ମୋ ମାଆର ସ୍ମୃତି ମଧ୍ୟ ଏଇ ଜଳବାୟୁରେ ଭାସିବୁଲୁଛି ତେଣୁ ଏସବୁକୁ ପଛରେ ପକାଇ ମୁଁ ଯାଇପାରିବିନି l ତମେ ଯାଅ ନିଜ ଜୀବନ ନିଜେ ଖୁସିରେ ବିତାଅ l ଏତିକି ଶୁଣିସାରି ଅଭିମାନ ଭରା ପ୍ରେମ ନଜରରେ ଟିକେ କୁମାରୀ ଆଡକୁ ଚାହିଁଦେଇ ସେଇ ମୁହୂର୍ତ୍ତରୁ ସାଇବେରିଆ ଅଭିମୁଖେ ଯାତ୍ରା ଆରମ୍ଭ କଲା କୁମାର ଗଡ଼ୱାଲ ପକ୍ଷୀଟି l ସେଠାରେ ପହଞ୍ଚିଲା ପରେ ମଧ୍ୟ ସାଇବେରିଆର ସୁନ୍ଦର ପରିବେଶ ତାକୁ ମଧ୍ୟ ଶାନ୍ତିଦେଇ ପାରିଲାନି l ଶୟନେ ସପନେ ଜାଗରଣେ କେବଳ ଆଉ କେବଳ କୁମାରୀ କଥା ହିଁ ଭାବିଲା l ସମ୍ପୂର୍ଣ୍ଣ ଖାଇବା ପିଇବା ଭୁଲିଗଲା ଏବଂ ଏସବୁ କଥା ପରିବାରକୁ ଜଣାଇ ପୁଣି ଅଦିନରେ ଚିଲିକା ଅଭିମୁଖେ ଯାତ୍ରା ଆରମ୍ଭ କଲା ସମ୍ପୂର୍ଣ୍ଣ ପରିବେଶ ତାକୁ କେବଳ କୁମାରୀ କୁମାରୀ ଲାଗୁଥାଏ l ଖରାଦିନେ ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନ କରି ଦୀର୍ଘ ଛଅ ହାଜର କିଲୋମିଟର ରାସ୍ତା ଯାତ୍ରାକରି ସିଧା ଆସି ପହଞ୍ଚିଲା ସେଇ ବରଗଛ ନିକଟରେ କିନ୍ତୁ କୁମାରୀ ନାହିଁ !! କୁମାରୀକୁ ଦେଖିବାର ନିଶା ତ ଘାରିଛି ସେଇଠୁ ପୁରା କ୍ଷିପ୍ରବେଗରେ ଚାଲିଲା ନଳବଣ ଆଡକୁ କିନ୍ତୁ ସେଠାରେ ବି କୁମାରୀ ନାହିଁ l ଦିନ ସରି ରାତି ଆସିଗଲାଣି କେଉଁଠି ବି କୁମାରୀର ପତ୍ତା ମିଳୁନାହିଁ l ଦେହ ସମ୍ପୂର୍ଣ୍ଣ ଥକିଗଲାଣି ତଥାପି କୁମାରୀ ସନ୍ଧାନର ଯାତ୍ରା ସରୁନଥାଏ କୁମାର ଗଡ଼ୱାଲ ପକ୍ଷୀର l ଶୀତଦିନ ଭଳି ପକ୍ଷୀମାନଙ୍କ ସମ୍ଭାର ଆଉ ଦେଖିବାକୁ ମିଳୁନାହିଁ ସୂର୍ଯ୍ୟବି ଦିନର ସବୁକାମ ସାରି ଅସ୍ତ ହେବାକୁ ବସିଲେଣି ଏଇ ସମୟରେ କୁମାର ପକ୍ଷୀକୁ କୁମାରୀର ଜଣେ ବାନ୍ଧବୀ ମିଳିଗଲେ l ହଠାତ ଉଡ଼ିଆସି କୁମାର ତାଙ୍କୁ ଅଟକାଇଲେ ଏବଂ ଲୁହ ଦୁଇଟୋପା ଗଡ଼ାଇଦେଇ ପଚାରିଉଠିଲେ କୁମାରୀ କାହିଁ??ତାକୁ ଦେଖିଛନ୍ତି କି ! ବାନ୍ଧବୀ ଜଣକ ଏହା ଶୁଣି ବି ପ୍ରଥମେ ଚମକି ଉଠିଲେ ଏବଂ କହିବାକୁ ଲାଗିଲେ ତୁମେ ଫେରିଗଲା ପରେ ସେ ଠିକରେ ବୁଲାବୁଲି କରୁନଥିଲା, ଅନେକ ଦିନଧରି ଖାଦ୍ୟ ନ ଖାଇ ଗୋଟିଏ ସ୍ଥାନରେ ବସିରହୁଥିଲା l ମୁଁ ହଜାରେ ଥର ତାକୁ ମନାକଲି ପାରିକୁଦ ମାଲୁଦ ଅଂଚଳ ସିନା ଚିଲିକା ଆଉ ତା ସୌନ୍ଦର୍ଯ୍ୟ ପାଇଁ ନିଜକୁ ଗର୍ଵକରୁଛି ଏବଂ ଚିଲିକା ପରିଚୟ ଦେଇଛି କହୁଛି କିନ୍ତୁ ସେପଟେ ନିଜେ ପାରିକୁଦ ବନ କର୍ମଚାରୀ ପକ୍ଷୀସୁରକ୍ଷା କର୍ମୀ ଆଉ ନିଜକୁ ପକ୍ଷୀପ୍ରେମୀ କହୁଥିବା କିଛି ଧୋବଧବଳିଆ ଭଦ୍ରଲୋକ ହିଁ ଆମ ପାଇଁ ବଇରୀ ସାଜୁଛନ୍ତି ତେଣୁ ତୁ ସେପଟକୁ ଯିବୁନି କିନ୍ତୁ ତା ମାଆକୁ ଖୋଜିବ ଜିଦିଧରି ସେ ଅଂଚଳକୁ ଯାଇଥିଲା ଶେଷଥର ପାଇଁ ଆଉ ତାପରଠୁ ମୁଁ ତାକୁ ଦେଖିନି l ମାନେ ସେ କଣ ଆଉ ଫେରିବନି ଏତିକି କହି କୁମାର ଗଡ଼ୱାଲ ଫେରିଚାଲିଲା ସେଇ ଓହଳଭରା ବରଗଛକୁ l
ଏହା ମଧ୍ୟରେ ଦୀର୍ଘ ଚାରିବର୍ଷ ବିତିଯାଇଛି କିନ୍ତୁ କୁମାର ପକ୍ଷୀଟି ଆଉ ସାଇବେରିଆ ଫେରିନି, ସେଇ ବରଗଛରେ ସେମିତି ବସି ରହିଛୁ ଆଉ ସବୁବେଳେ ଭାବନାରେ ମଗ୍ନ ହୋଇଯାଉଛି l ଭାରି ନିଆରା ସେଦିନ ଥିଲା ଯେତେବେଳେ କୁମାରୀ ସପନରେ ଆସୁଥିଲା ଅନେକ ସମୟ ପାଇଁ l କେତେ ମିଠା ମିଠା କଥା କହୁଥିଲା ମୋ ସପନରେ ଆସି l ପ୍ରିୟା କଥା ଭାବିଭାବି ଅନେକ ସମୟ ବିତେଇ ସାରିଲାଣି କିନ୍ତୁ ଜାଣିନି ସେ କୋଉଠି ଥିବ ଆଉ କେବେ ଆସିବ l ମୋ ପାଖରେ ବସି ମୋର ଟିକିଟିକି କଥା ଶୁଣିବ l ବେଳେବେଳେ ଦେଖେ ସେ ପାଖେ ଆସି ବସିଛି ମତେ ଆହୁରି ପାଖକୁ ଡାକୁଛି ଓ କହୁଛି କୁମାର ତୁମେ ବହୁତ ସୁନ୍ଦର ଦେଖାଯାଉଛ l ହେଲେ କିଛି ସମୟ ପରେ ସେ ଉଭାନ ହେଇଯାଉଛି କେଉଁ ଏକ ଦୁନିଆଁକୁ l ମୁଁ ଥକି ପଡ଼ିଲାଣି ସେ ସ୍ୱପ୍ନ ଗୁଡାକ ଦେଖି କିନ୍ତୁ ଆଜି କାହିଁକି ସେ ସ୍ୱପ୍ନ ଦେଖିବାକୁ ଇଛା ହେଉଛି l ମତେ ଲାଗେ ସେ ଆସିବ ମୋ ପାଖରେ ବସି ତା ମନ କଥା କହିବ, ମୁଁ ଟିକିଏ ହସିଦେବି ସେ ମତେ ରାଗରେ ଚାହିଁବ ତାପରେ ମୁଁ ତା ଆଖିରେ ନିଜକୁ ଖୋଜି ଚାଲିବି ହଜିଯିବି ତାର ଆଖି ପଲକରେ l ସେ ନିଶ୍ଚୟ ପୁଣି ଏ ଦୁନିଆରେ ଜନ୍ମହୋଇ ସାରିଥିବ l ବେଳେବେଳେ ମୋ କଥା ଭାବୁଥିବ ଆଉ କହୁଥିବ ମୋ ପାଖକୁ ଆସିବା ପାଇଁ ହେଲେ ମୋର ଠିକଣା ଖୋଜି ପାଉନଥିବ l ବେଳେବେଳେ ମନ କହେଁ ତାକୁ ଖୋଜିବି ନିରୋଳାରେ କିନ୍ତୁ କେତେବେଳେ ବିବେକ କହେଁ କହିକି ଖୋଜୁଛୁ ତାକୁ ସେ ଆଉ ମିଳିବନି l ଏସବୁ ପରିସ୍ଥିତିରେ ବି ବେଳେବେଳେ ଏ ମଣିଷ ଜାତିକୁ ଦେଖି ହସଲାଗେ ଏମାନେ କେମିତି ପ୍ରେମ କରୁଛନ୍ତି ସତରେ କଣ ଏମାନଙ୍କ ପାଖରେ ହୃଦୟ ବୋଲି କିଛିଅଛି ଯଦି ହୃଦୟ ଅଛି ତେବେ ଏମାନେ କେମିତି ନିଜ ଜିଭର ଲାଳସା ମେଣ୍ଟାଈବାକୁ ଅନ୍ୟ ଜୀବଜନ୍ତୁକୁ ମାରିପାରୁଛନ୍ତି ସେମାନଙ୍କ ପ୍ରେମକୁ ଛଡାଇନେଇଛନ୍ତି l ବାଃ ବାଃ ରେ ମଣିଷ ତତେ ଧନ୍ୟବାଦ l ମୁଁ ତ ଏକ ଅଫେରାନ୍ତ ବାଟର ବାଟୋଇ ସାଜିଛି ନିରବୀ ନିରବୀ ମୋ ପ୍ରେମିକାର ବାଟକୁ ଅନାଇ ବସିଛି ନିରବ ପ୍ରେମିକ ସାଜି କିନ୍ତୁ ଈଶ୍ୱର କରନ୍ତୁ ତୁ ଯେମିତି କେବେ ନିରବ ପ୍ରେମିକ ନ ସାଜେ...!!!!
