ଇତି ତୁମରି ସାଥି
ଇତି ତୁମରି ସାଥି
ସମୟ ଆସିକି ରାତି ୯ଟା ବାଜିଥିବ l ଆକାଶରେ ଚୁନା ଚୁନା ତାରା ସାଙ୍ଗକୁ ଶୀତଳ ପବନ ବହୁଥାଏ - ସତେ ଯେମିତି ଝଡ଼ ପର'ର ଆକାଶ ନିର୍ମଳ ଓ ଅନ୍ଧାରିଆ l ପପୁ ତରତର ହୋଇ ଟ୍ୟୁସନ ସାରି ଘରକୁ ଫେରୁଥାଏ l ଘରକୁ ଅପା ପିଇସା ଆସିଛନ୍ତି ପୁଣି ସୁଦୂର ଭୁବନେଶ୍ୱର'ରୁ ନାନା ରକମର ମିଠା ସାଙ୍ଗକୁ ଚକୋଲେଟ ଓ ଆଇସକ୍ରିମ ଆସିଥିବ ଏବଂ ଘରେ ଚିକେନ ସହିତ ଚିଲିକା ଚିଙ୍ଗୁଡ଼ି କଙ୍କଡା ଝୋଳ ମଧ୍ୟ ହୋଇଥିବ l ଏହା ମନରେ ଭାବିଭାବି ପପୁର ପାଦ ତଳେ ପଡ଼ୁନଥାଏ l ଏକମୁହାଁ ହୋଇ ସାଙ୍ଗସାଥୀକୁ ପଛରେ ପକାଇ ଏକା ଚାଲିଥାଏ ଘରକୁ l ଟ୍ୟୁସନ ଠାରୁ ଘର ପ୍ରାୟ ପାଖାପାଖି ୧କିମି ଦୂରତା ହେବ l ରାସ୍ତାର ଦୁଇ ପାର୍ଶ୍ୱରେ ଚାଷଜମି ମଝିରେ ମଝିରେ ଖଣ୍ଡେ ଖଣ୍ଡେ କାଜୁତୋଟା ଏବଂ ସମ୍ପୂର୍ଣ୍ଣ ରାସ୍ତା ପୁରା ଶୂନଶାନ l ହଠାତ ପପୁ ଅଗରେ କୌଣସି ଏକ ଜୀବ ଦୌଡ଼ି କାଜୁତୋଟାକୁ ଗଲା ଭଳି ପପୁ କୁ ଅନୁଭବ ହେଲା l ପପୁ ଠିକେ ଭୟରେ ଅଟକି ଗଲା ପୁଣି ତୋଟା ପଟୁ ଗଛ ଗୁଡାକ ବିକଟାଳ ଶବ୍ଦ କରିବା ସହ ଚାଲିବାକୁ ଲାଗିଲେ l ପପୁ କଣ ଆଉ ଅଛି ଭୟରେ ଥରଥର ହୋଇ କାନ୍ଦିବୋବାଇ ଯାଇ ସିଧା ଘରେ l
ଖରାଦିନ କରେଣ୍ଟର ଲୁଚକାଳି ଖେଳ ଯୋଗୁଁ ସମସ୍ତେ ବାହାରେ ବସିଥାନ୍ତି l ପପୁ ର ଲୁହ ସରବର ମୁହଁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ l ସମସ୍ତେ ପପୁ ପାଖକୁ ଧାଇଁଗଲେ l କଣ ହେଲା କାହିଁକି ଏତେ ଜୋରେ କାନ୍ଦୁଛୁ ବୋଲି ପଚାରିଲେ l ପପୁ ସଇଁସଇଁ ହୋଇ ରାସ୍ତାରେ ଘଟିଥିବା ପୁରା ଘଟଣାଟିକୁ କହିଲା l ଏହା ଶୁଣିସାରି ପପୁର ବୋଉ ମାନେ ଭାଉଜ ହଠାତ କହି ଉଠିଲେ "ସେ ପୋଡ଼ାମୁହିଁ ଅଲକ୍ଷଣୀ ରୁପା ସବୁବେଳେ ପରା ଲୋକଙ୍କୁ ନାହିଁ ନଥିବା ହଇରାଣ କରୁଛି"l କାଲିପରା ଆରସାହି ବେଣୁ ଦଦାଙ୍କ ଖୁଡିଙ୍କୁ ଝାଡାବାନ୍ତି କରେଇ ଦେଇଛି l ମଲା ତ ଗଲା - କାହିଁକି ଲୋକଙ୍କୁ ହଇରାଣ କରୁଛି କେଜାଣି l ଭାଉଜର କଥା ନ ସରୁଣୁ ମୁଁ ପଚାରିଲି "ରୁପା କଣ ଏବେ ବି ଡରାଉଛି ?" ଭାଉଜ କହିଲେ ଡରାଉଛି ନା ବେଳ ନ ବୁଡ଼ୁଣୁ ବାଟ ଚଲାଇ ଦଉନି l
ଆମର ତାଙ୍କେ ତ ସହଜେ ସହରିଆ ଲୋକ - ତାଙ୍କ ପାଇଁ ଏସବୁ ହାସ୍ୟାସ୍ପଦ କଥା ତେଣୁ ଟିକିଏ ମୁରୁକି ହସିଦେଇ କହିଲେ "ହଉ କରେଣ୍ଟ ଆସିଗଲାଣି ଚାଲ ଖାଇବା" l
ଖାଇବା ସରିଲା - ତାଙ୍କେ ଶେଜକୁ ଚାଲିଗଲେ କିନ୍ତୁ ମୁଁ ଜାଣିଛି ସେ ଅବଶ୍ୟ ଭୂତ ପ୍ରେତରେ ବିଶ୍ୱାସ କରନ୍ତି ନି ହେଲେ ଟିକେ ଭାବୁକ ପ୍ରକୃତିର ଲୋକ ତାଙ୍କୁ ସବୁ ଜିନିଷ ପଛର କାରଣ ଜାଣିବାକୁ ଆଗ୍ରହ ରଖନ୍ତି l ମୁଁ ବି ଖାଇବାସାରି ଶେଜକୁ ଯାଉ ଯାଉ ତାଙ୍କୁ କହିଲି "ହଇହୋ, ତମେ ଯୋଉଁ ବାହାରେ ହସିଦେଲ ଜାଣିଛ ରୁପା ମୋର ସାଙ୍ଗ ବୋଲି ? ସେ କହିଲେ "ସତରେ କଣ ତମ ସାଙ୍ଗ, କାଇଁ ମତେ ତ ତମେ କେବେ ଏ ବିଷୟରେ କହିନ?" ମୁଁ କହିଲି ସେ ହତଭାଗିନୀ ଦୁଃଖିନୀର କଥା କଣ ବା ତୁମକୁ କୁହନ୍ତି l ତା କଥା ମାନକୁ ଆସିଲେ ମୋ ଆଖିରୁ ଲୁହ ଆସିଯାଏ l ମନରେ ଏକ ଅବ୍ୟକ୍ତ ବେଦନା ଖେଳିଉଠେ ତେଣୁ କୁହେନି କେବେ ତଥାପି ଆଜି କହୁଛି ତମକୁ - ଶୁଣ l"
ରୁପା ମୋ କ୍ଲାସମେଣ୍ଟ l ଆମେ ଗୋଟିଏ ସ୍କୁଲରେ ପଢ଼ୁଥିଲୁ l କହିବାକୁ ଗଲେ ସେ ମୋର ସବୁଠାରୁ ପ୍ରିୟ ସାଙ୍ଗ ଥିଲା l ତା ନାଁଟି ଯେମିତି ତାକୁ ଦେଖିବାକୁ ବି ସେମିତି l ଚମ୍ପାକଢ଼ି ପରି ଗୋରା ମୁହଁକୁ ଝାମ୍ପୁରିଆ ଚୁଟି - ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ଚାଉଳରେ ଗଢ଼ା l ଆଖି ଦୁଇଟି ଚୁମ୍ବକୀୟ ଶକ୍ତିରେ ଭରପୁର l ଚାଲି ପୁରା ଗଜଗାମିନୀ - ଚାହାଣି ହରିଣୀ ଠୁ ବଳି, ଯେମିତି ଇଛା ହୁଏ ବୁଡିଯିବା ପାଇଁ l କହିବାକୁ ଗଲେ ସେ ସର୍ବଗୁଣ ସମ୍ପର୍ଣ୍ଣ l ଆମ ସାହି ଲୋକ କହନ୍ତି "ରୁପା ଦାଣ୍ଡରେ ଚାଲିଗଲେ ସ୍ୱର୍ଗର ଅପସରୀର ମରୀଚିକା ସୃଷ୍ଟିକରେ" l ମୁଁ ଏତିକି କହୁକହୁ ସେ ଧୀରେ ମୋ ପିଠିରେ ହାତଟାକୁ ବୁଲାଇ ଦେଇ କହିଲେ "ଆଜ୍ଞା ମାଡାମ-ତମ ମୁହଁରୁ ପ୍ରଂଶସା ଶୁଣି ଲାଗୁଛି ତମ ସାଙ୍ଗ ବହୁତ ସୁନ୍ଦର ଥିବେ ନିଶ୍ଚୟ - ଏବେ ତ ପୁରା ଘଟଣାଟା କୁହ" l ମୁଁ ଟିକେ ପୁଣି ପ୍ରକୃତିସ୍ଥ ହୋଇ କହିବାକୁ ଆରମ୍ଭ କଲି, "ମୁଁ ଜାଣିବାରେ ରୁପାର ଜୀବନରେ ଗୋଟେ ବହୁତ ବଡ଼ ଦୁଃଖ ଥିଲା l ସେ ପିଲାଟି ବେଳୁ ମା' ଛେଉଣ୍ଡ ଥିଲା l ରୁପା ଜନ୍ମ ହେବାର ୧୦ ମାସରେ ତା' ମା ତାକୁ ଛାଡି ଆରପାରିକୁ ଚାଲିଯାଇଥିଲେ l ସେ ପିଲାଟି ବେଳୁ ସାବତ ମା' ପାଖରେ ବଢ଼ି ଆସିଛି କିନ୍ତୁ କେବେବି ତା ସାବତ ମା' ବିଷୟରେ ଖରାପ କିଛି କଥା ମତେ କୁହେନି l ମୁଁ ଜାଣିବାରେ ତା' ସାବତ ମା' ତାକୁ ଭଲ ବ୍ୟବହାର ନ କରିଲେ ସୁଦ୍ଧା କେବେ ଖରାପ ବ୍ୟବହାର ମଧ୍ୟ କରନ୍ତି ନାହିଁ l ରୂପର ବଡ଼ ଭାଇ ଜଣେ ଥିଲେ - ବହୁତ ଭଲ ଅଟନ୍ତି l ସେ ଗାଁରେ ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରନ୍ତି l ରୁପା ସବୁବେଳେ ଭଲ ପାଠ ପଢୁଥିଲା l ଶ୍ରେଣୀରେ ପାଠରେ ଶାଠରେ ସବୁବେଳେ ଅଗରେ ଥାଏ l ଆମର ସବୁ ଶିକ୍ଷକ ତାକୁ ବହୁତ ଭଲପାଆନ୍ତି l ସେ ସବୁ ସାଙ୍ଗସାଥିଙ୍କ ଅତିପ୍ରିୟ ଥିଲା l ଆମର ସେତେବେଳେ ୧୦ମ ଶ୍ରେଣୀ ଆରମ୍ଭ ହୋଇଥାଏ l ଦିନେ ସେ ତା ବ୍ୟାଗରୁ ଦାମିକା ଚକୋଲେଟ ବାହାର କରି ମୋ ଆଡକୁ ବଢ଼ାଇଦେଲା - ମୁଁ ବି ପଚାରିଲି କୋଉଠୁ ଆଣିଲୁ? ସେ ଉତ୍ତର ଦେଲା "ସମୀର ଭାଇ ଆଣିଥିଲେ l "ସମୀର ଭାଇ ସେ ପୁଣି କିଏ?" ମୁଁ ପଚାରିଲି l ସେ ଟିକିଏ ସ୍ୱଳ୍ପ ମୁରୁକି ହସିଦେଇ କହିଲା "ଆମ ପଡିଶା ଦଳେଇ ଜେଜେଙ୍କ ନାତି, ତାଙ୍କର ଏ ବର୍ଷ ବି.ଏସ.ସି ପରୀକ୍ଷା ସରିଛି ତ ଆମ ଗାଁ କୁ ବୁଲିବାକୁ ଆସିଛନ୍ତି କିଛି ଦିନ ରହିବେ" l ଦଳେଇ ଜେଜେ ଆମ ଗାଁର ମୁରବୀ l ବୁଢା ହୋଇଯାଇଥିଲେ ମଧ୍ୟ ଚେହେରାରେ ଅଭିଜାତ୍ୟର ଛଟା - ପାନ ପଚା ଦାନ୍ତ, ବେକରେ ମୋଟା ସୁନା ଚେନ l କାନ୍ଧ ଉପରକୁ ଝୁମ୍ପୁରା ବାଳ ସାଙ୍ଗକୁ ମୋଟା ମୋଟା ନିଶ l ମୁଁ ଲୋକଙ୍କ ଠାରୁ ଶୁଣିଛି ସେ ଦଳେଇ ବୁଢା ପାରିକୁଦ ରାଜାଙ୍କ ଦରବାରରେ ଉଚ୍ଚପଦସ୍ଥ ଅଧିକାରୀ ଥିଲା l ମୋ ଗାଁ କଥା ଛାଡ଼ - ଏ ଖଣ୍ଡ ମଣ୍ଡଳରେ ତାଙ୍କ ଅଗରେ କଥା କହିବାକୁ କିଏ ସାହସ କରୁନଥିଲେ l ମୁଁ ଶୁଣିବାରେ ବୁଢ଼ାର ଗୋଟିଏ ଝିଅ ଅଛନ୍ତି, ସେ ଭୁବନେଶ୍ୱର ନଗରୀରେ ବାହା ହୋଇଛନ୍ତି - ସମୀର ଭାଇ ତାଙ୍କରି ପୁଅ ବୋଲି ମୋର କିଛି ସନ୍ଧେହ ରହିଲାନି l ସମୟ ଗଡି ଚାଲିଥାଏ, କିଛି ଦିନ ପରେ ମତେ ରୁପାର ଚାଲିଚଳନରେ କିଛି ଟା ଅଲଗା ଅଲଗା ଲାଗୁଥାଏ l ଏମିତି ଦିନେ ସୁଯୋଗ ଉଣ୍ଡି ତାକୁ ପଚାରିଲି--"କଣ ହୋଇଛି ତୋର? ସବୁବେଳେ କଣ ଡେରିରେ ଆସୁଛୁ ଆଉ ଶୀଘ୍ର ଚାଲିଯାଉଛୁ? ପାଠ ପଢ଼ାରେ ମନ ଧ୍ୟାନ ଦେଉନୁ--କଣ ହୋଇଛି ସତ କହ ମତେ? ସେ ଟିକେ ହସିଦେଇ କହିଲା "ନାଁ କିଛି ନାଇତ" l ମୁଁ ତାକୁ ବାଧ୍ୟ କରି ପଚାରିବାରୁ କହିଲା "ମୁଁ ସମୀର ଭାଇକୁ ଭଲପାଏ" l ମୁଁ ହଠାତ ଡରିଗଲି ତା ପାଖରେ କିଛି ସମୟ କିଛି ନ କହି ବସିରହିଲି, ସେ ବି ଚୁପ ହୋଇକି ବସି ରହିଥାଏ l ପୁଣି ସେ ନୀରବତା ଭାଙ୍ଗି କହିବାକୁ ଲାଗିଲା "ସମୀର ଭାଇ ହିଁ ମତେ ପ୍ରଥମେ କହିଲେ ସେ ମତେ ଭଲପାଆନ୍ତି ବୋଲି, ମୋ ପାଇଁ ସବୁକିଛି କରିପାରିବେ ବୋଲି l ଏମିତି ନା ନା କଥା କହି ପୁଣି ମତେ ପଚାରିଲା "ତୁ କହ ମୁଁ କଣ କରିବି" l ମୁଁ କିଛି କହିବା ପୂର୍ବରୁ ସ୍କୁଲର ଶେଷ ଘଣ୍ଟି ବାଜିସାରିଥାଏ l ସେ ମୋ ହାତ ଧରି ତା ଘରକୁ ଯିବାକୁ ବାଧ୍ୟ କଲା ବୋଧେ ସମୀର ଭାଇଙ୍କୁ ଦେଖାଇବା ଉଧ୍ୟେଶ୍ୟରେ l ରୁପା ଘରକୁ ଲାଗି ପକ୍କା ଘରଟି ଦଳେଇ ଜେଜେଙ୍କର l ସେତେବେଳେ ଦଳେଇ ଜେଜେ ଛାତ ଉପରେ ବସିଥାନ୍ତି - ପାଖରେ ସମୀର ଭାଇ ଠିଆ ହୋଇଥାନ୍ତି l ସମୀର ଭାଇ ଦେଖିବାକୁ ବହୁତ ସୁନ୍ଦର, ତରୁଣ ମଧ୍ୟ ପାଠ ପଢି ସଭ୍ୟଭଳି ଜଣା ପଡୁଥାନ୍ତି l ତାଙ୍କ ଅଧରର ସ୍ମିତହାସ୍ୟ କହି ଦେଉଥାଏ ପିଲାଟି ମିଳାମିଶା ପ୍ରକୃତିର ବୋଲି l ମୁଁ ସେଠାରେ କିଛି ସମୟରେ ଘରକୁ ଫେରିଆସିଲି l ତା ପରଦିନ ସ୍କୁଲରେ ରୁପାକୁ ବହୁତ ବୁଝାଇଲି - ଏବେ ଏସବୁର କିଛି ଦରକାର ନାହିଁ ବୋଲି କିନ୍ତୁ ରୁପା ଖାଲି ମୁହଁରେ ହଁ ମରୁଥାଏ ଆଉ ମନରେ ଏସବୁ ଶୁଣିବାକୁ ପୁରା ନାରାଜ l ଯେତିକି ପରୀକ୍ଷା ପାଖେଇ ଆସୁଥାଏ ରୁପାର ଉପସ୍ଥାନ ସେତିକି କମିକମି ଆସୁଥାଏ l ତା' ଭାଇ ଚାକିରୀ କରିବାକୁ ବାହାରକୁ ଚାଲିଯାଇଥାନ୍ତି ଆଉ ସାବତ ମା' ଲୋକ ନିନ୍ଦାକୁ ଭୟ କରି ସାବତ ଝିଅ ବୋଲି କିଛି କହେନି - ରୁପା ଏହାର ସୁଯୋଗ ନେଇ ସ୍କୁଲକୁ ଆସିବା ବାହାନାରେ ସମୀର ଭାଇ ସହିତ ଲୁଚିକି ଗପେ l ଯୋଉଁ ଦିନ ସ୍କୁଲକୁ ଆସିଥାଏ ଖାଲି ସମୀର ଭାଇ ବିଷୟରେ ଅନ୍ୟ ସାଙ୍ଗ ମାନଙ୍କୁ କହେ l ଶିକ୍ଷକ ମାନଙ୍କ କଥାର ଆଉ ଉତ୍ତର ଦିଏନି l ଏଣିକି ବେଳକୁ ବେଳ ଦଶମ ପରୀକ୍ଷା ବି ପକେଇ ଆସିଥାଏ l ଦିନେ ଶୁଣିବାକୁ ପାଇଲି ସେ ସମୀର ଭାଇ ଭୁବନେଶ୍ୱର ଚାଲିଗଲେଣି - ମୁଁ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲି ଭାବିଲି ଅନ୍ତତଃ ପରୀକ୍ଷା ସମୟଟା ରୁପାଟା ଟିକେ ମନ ଧ୍ୟାନ ଦେଇ ପଢିବ କିନ୍ତୁ ସବୁ ଓଲଟା ହୋଇଗଲା l ରୁପା ପୁରାପୁରି ନୀରବ ନିଶ୍ଚଳ ହୋଇଗଲା l କାହା ସହିତ କଥାବାର୍ତ୍ତା କଲାନାହିଁ l ଘଣ୍ଟାଘଣ୍ଟା ଧରି ମନମାରି ବସେ l ଏକା ଏକା କାନ୍ଦିବାକୁ ଲାଗେ l ମୁଁ ଏନେକ ଚେଷ୍ଟା କରିଛି ତାକୁ ବୁଝାଇବା ପାଇଁ - ସବୁକିଛି ପଛକଥା ଭୁଲିଯିବା ପାଇଁ କିନ୍ତୁ ସେ କିଛି ନ କହି ଉଠି ଚାଲିଯାଏ l ମୋର ସେଦିନ କଥା ପୁରା ଠିକ'ରେ ମନ ଅଛି ଆମର ପରୀକ୍ଷା ଆଉ ଗୋଟେ ସ୍ଥାନରେ ହେବା ପାଇଁ ଆମେ ଗୋଟେ ବସରେ ବାହାରିଥାଉ ଆଉ ରୁପା ମୋ ପାଖରେ ବସିଥାଏ - ମୁଁ ତା ହାତଟାକୁ ଟିକେ ଧରିଦେଲି କିନ୍ତୁ କେଜାଣି କାହିଁକି ତା' ଆଖିରୁ ଲୁହ ଗୁଡାକ ଧାର ଧାର ହୋଇ ତଳକୁ ଝରି ଆସିଲା - ଆଉ ମୋତେ ଜୋରେ କୁଣ୍ଢେଇ ଧରିଲା, ମୁଁ ମଧ୍ୟ ନିଜକୁ ସମ୍ଭଳି ନ ପରି ତାକୁ କୁଣ୍ଢେଇ ଧରିଲି କିନ୍ତୁ ରୁପା ହଠାତ ମରିଗଲି କହି ଛିଟିକି ଉଠିଲା l ମୁଁ ଟିକେ ଶଙ୍କି ଉଠିଲି ଏବଂ ତାକୁ ପଚାରିଲି କଣ ହେଲା? ସେ ଟିକେ ଡରିଯାଇ କହିଲା "କିଛି ନାହିଁ" l ମୁଁ କିନ୍ତୁ ଜୋର କରି ତା ପିଠିଟାକୁ ସାମାନ୍ୟ କଣେଇ ଦେଖିଲି ତା' ପିଠିରେ ତିନି ଚାରୋଟି କଟା ଦାଗ ପଡିଛି - ସତେ ଯେପରି କୋଉ ବନ୍ୟଜନ୍ତୁ ତା ତୀକ୍ଷ୍ଣ ନଖରେ ରାମ୍ପି ପକେଇଛି l ମୁଁ ତାକୁ ଏ ଦାଗ ବିଷୟରେ ଯେତେ ବାଧ୍ୟ କରି ପଚାରିଲି ସେ କିଛି ଉତ୍ତର ଦେଲାନି ଓଲଟି ମୋ ପାଖରୁ ଉଠିଯାଇ ଅନ୍ୟ ସିଟରେ ବସିଲା l ଆଉ ତାପରେ ତା ସହିତ ମୋର କେବେ ଭେଟ ହୋଇନି କାହିଁକି ନାଁ, ଗାଁ-ଗଣ୍ଡା କଥା ତ ଅଲଗା l ପଢା ସରିଗଲେ ଦାଣ୍ଡ ଦୁଆରକୁ ଗଲେ ବି ଲୋକମାନେ ତମ ବିଷୟରେ ଟାହିଟାପୁରା ହେବେ l ସେଥିରେ ପୁଣି ଆମର ଗାଁ ମୁଣ୍ଡରେ ଘର ଆଉ ରୁପାର ଗାଁ ଶେଷରେ ଘର l ମୋର ତାଙ୍କ ଘରକୁ ଯିବାଟା ପୁରା ବନ୍ଦ ହୋଇଗଲା l ମୋର ଦିନରାତି ଘର କାମ କରିବା ଛଡା କିଛି ଆଉ ବାହାନା ନଥାଏ - ଏହା ମଧ୍ୟରେ ୨ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲା l ଦିନେ ସକାଳୁ ସୂର୍ଯ୍ୟଙ୍କ କିରଣ ଘର ଭିତରକୁ ପଡିବାରୁ ମୁଁ ଉଠି ବସିଲି l ବୋଉ ବାରଣ୍ଡାରେ ଚାଉଳ ପାଛୋଟିଥାଏ ଓ ଖୁଡି ବୋଉ ପାଖରେ ବସିଥାନ୍ତି - କୋଉ ଗୋଟେ ବିଷୟରେ କଥା ଚାଲିଥାଏ l ମୁଁ ବାହାରକୁ ବାହାରିବା ବେଳେ ଖୁଡିଙ୍କ କଥା ମୋ କାନରେ ପଡିଲା "ଅଲକ୍ଷଣୀ ଟା ପୋଡାମୁହିଁଟା କୋଉ ନିଆଁଲଗା ବେଳାରେ ଜନମ ହୋଇଥିଲା କେଜାଣି ବରଷେ ନ ପୂରୁଣୁ ମା' କୁ ଖାଇଥିଲା ଆଉ ଏବେ ବାପା ଭାଇଙ୍କ ମୁଣ୍ଡରେ କଳଙ୍କ ବୋଲି ମଲା l ମତେ ଖୁଡିଙ୍କ କଥାଶୁଣି କିଛି ଅଲଗା ଅଲଗା ଲାଗୁଥାଏ - କିଛି ବୁଝି ହେଉନଥାଏ l ମୁହଁରେ ପାଣି ଆଞ୍ଜୁଳାଏ ମାରିଦେଇ ଦାଣ୍ଡ ଦୁଆରକୁ ଯାଇ ଦେଖେ ରୁପା ଦୁଆରେ ଗାଁ ଲୋକଙ୍କ ଭିଡ଼ ଜମିଛି l ମୋ ମନକୁ ପାପ ଛୁଉଁଥାଏ l ବୋଉର ଅକାଟ ନ ମାନି ରୁପା ଘରକୁ ଧାଇଁଗଲି l ସେଠି ଯାଇ ଯାହା ଦେଖିଲି, ମୁଁ ସ୍ତବ୍ଧ ହୋଇଗଲି - କିଛି କ୍ଷଣପାଇଁ ଜଡ଼ ପାଲଟିଗଲି l ରୁପା ତାର ନାଲି ଚୁନରିଟା ବେକରେ ଲଗାଇ ଆତ୍ମହତ୍ୟା କରିଛି l ସେପ୍ଟିପିନଟା ଖସିଯିବାରୁ ତା କଳା ଫ୍ରକଟା ପାଦ ପର୍ଯ୍ୟନ୍ତ ଖସି ଆସିଛି l ନୁଖୁରା ଚୁଟି ଗଣ୍ଡାକ ମୁହଁରେ ପଡି ଯାଇଥିବାରୁ ମୁହଁଟା ଭଲରେ ଦେଖା ଯାଉନଥିଲା l ରୁପାର ବାପା ଗୋଟିଏ କୋଣରେ ମୁଣ୍ଡରେ ହାତ ଦେଇ ବସିଥାନ୍ତି l ଘରର ଇଜତ ନଷ୍ଟକରି ଚାଲିଗଲା କହି ତାର ସାବତ ମା' ମୁଣ୍ଡଟାକୁ କାନ୍ଥରେ ବଡେଇ ବଡେଇ କାନ୍ଦୁଥାନ୍ତି l ରୁପା ଏମିତି ମତେ ଛାଡିକି ଚାଲିଗଲା ବିଶ୍ୱାସ କରିବା ମୋ ପକ୍ଷରେ କଷ୍ଟକର ଥିଲା l ମତେ ଲାଗୁଥାଏ ସେ ମୋତେ ତା' ପାଖକୁ ଡାକୁଛି ଆଉ ପଚାରୁଛି - "ଏତେ ଦିନ ହେଲା କୁଆଡେ ଯାଇଥିଲୁ ଆଜି ମୋ କଥା ତୋର ମନେପଡିଲା କି" ? ମୁଁ ନିଜକୁ ଆୟତ୍ତରେ ରଖି ପାରୁନଥାଏ କିନ୍ତୁ କାହିଁକି କେଜାଣି ମୋ ଆଖିକୁ ଲୁହ ଆସୁନଥାଏ l ମୁଁ ବାହାରକୁ ଆସୁଥିବା ବେଳେ ଆମ ମକର ମା' କହୁଥାଏ "ସେ ଅଲାଜୁକ ଟୋକାଟା ସହରରେ ରହୁଛି ବୋଲି ଏତେ ଖରାପ ହୋଇଯାଇଛି ଯେ, ମା' ଛେଉଣ୍ଡ ପିଲାଟାର ଜୀବନ ନେଇଗଲା, ତାକୁ ଆଉ ଗାଁରେ ପୁରେଇଦେବା କଥା ନୁହଁ l" ମୁଁ ଘରକୁ ଫେରିଆସିଲି ଅଜାଣତରେ ବୋଉକୁ ଧରି କାନ୍ଦି କହିଲି "ବୋଉ ରୁପା ମରିଗଲା" l ବୋଉ କହିଲା "ସେ ଯେମିତି କାମକଲା ତା'ରି ଫଳ ପାଇଲା - କଣ ବାଡ଼ୁଅ ହୋଇକି ଦାଣ୍ଡରେ ପିଲା ଧରି ବୁଲିଥାନ୍ତା କି? ତୁ ମନ ଦୁଃଖ କରେନା " l ମୁଁ ଏ କଥା ଶୁଣି ପୁରା ନିର୍ବାକ ହୋଇଗଲି ଆଉ କିଛି କହିପାରିଲି ନାହିଁ କିନ୍ତୁ ମୁଁ ବୁଝିପାରୁ ନଥାଏ ରୁପାର ନିସ୍ଵାର୍ଥପର ଭଲପାଇବାରେ ଭୁଲ ବା ରହିଲା କୋଉଠି? ସମୀର ଭାଇ ତା' ସହିତ ଏତେବଡ ଧୋକା କେମିତି କଲେ l ଏମିତି ଅନେକ କଥା ମତେ ବିଚଳିତ କରୁଥାଏ l ପନ୍ଦର କି କୋଡିଏ ଦିନ ଅନ୍ତେ ମୁଁ ସୁଯୋଗ ଦେଖି ଦିନେ ରୁପାର ଘରକୁ ଗଲି କାହିଁକି କେଜାଣି ତା' ବହିପାତ୍ର ସବୁ ଖୋଲିବାକୁ ଲାଗିଲି l ମତେ ହଠାତ ରୁପାର ହାତଲେଖା କାଗଜ ଖଣ୍ଡେ ମିଳିଗଲା ଯାହା ସମୀର ଭାଇଙ୍କ ପାଇଁ ଲେଖାଥିଲା --"ପ୍ରିୟ ସମୀର ଭାଇ, ମୁଁ ତମକୁ ବହୁତ ଭଲପାଏ l ବହୁତ ଅଳ୍ପ ସମୟରେ ମୁଁ ତୁମକୁ ନେଇ ଅନେକ ସ୍ବପ୍ନ ଦେଖିଥିଲି l ତୁମକୁ ମୋ ମନ ମନ୍ଦିରର ଦେବତା ଭାବରେ ବସାଇ ସାରିଥିଲି l ମୋ ସହିତ ଯାହା ସବୁ ଘଟିଛି ତାହା ତ ତମେ ଜାଣିଛ l ତମେ ମତେ ବାଧ୍ୟକଲ ତମ ସହିତ ଭୁବନେଶ୍ୱର ଚାଲିଯିବା ପାଇଁ କିନ୍ତୁ ମୁଁ ସାହସ ଜୁଟାଇ ପାରିଲିନି l ତମେ ଫେରିବ ଆଉ ସବୁକିଛି ଠିକ କରିଦେବ କହିଥିଲ ଆଉ ସେତିକି ଦିନ ମତେ ଧର୍ଯ୍ୟ ଧରିବାକୁ ପଡିବ ବୋଲି କହିଥିଲ l କିନ୍ତୁ ମୁଁ ଧର୍ଯ୍ୟହରା ହୋଇ ପଡିଲିଣି l ମତେ ଚାରିଆଡେ ଅଣ ନିଶ୍ୱାସୀ ଲାଗୁଛି l ସେ ତିନି ରାକ୍ଷସ ଗୁଡା ପ୍ରତିଦିନ ମୋ ସ୍ବପ୍ନରେ ଆସି ମୋ ସାରା ଶରୀରକୁ କ୍ଷତାକ୍ତ କରି ଚାଲିଯାଉଛନ୍ତି ଯେତେ କାକୁତି ମିନତି ହେଲେ ମଧ୍ୟ ଛାଡୁନାହାନ୍ତି ଭାରି କଷ୍ଟ ହୋଉଛି l ପ୍ରତିଥର ସେ କାଳମୁହୂର୍ତ୍ତ ମୋ ଆଖିରେ ଝଲସି ଉଠୁଛି, ମୋ ଆତ୍ମା ମଧ୍ୟ ଭୀରୁତା ଭାବ ପ୍ରଦର୍ଶନ କରୁଛି l ମୁଁ ଆଉ ଏ ଶରୀର ମନର ଯାତନା ସହିପାରୁନି, ମରିଯିବାକୁ ଚାହୁଁଚି l ମତେ କ୍ଷମା କରିଦେବ - ମୁଁ ଏ ଜନ୍ମରେ ତୁମର ହୋଇ ପାରିଲିନି କିନ୍ତୁ ତୁମକୁ କଥା ଦେଉଛି ଆର ଜନ୍ମରେ ନିଶ୍ଚୟ ତୁମର ସାଥିହୋଇ ଜନ୍ମନେବି l "ଇତି ତୁମର ସାଥି ରୁପା" l
ମୁଁ ଏଇ ଚିଠି ଖଣ୍ଡକ ପଢି ପୁରା ଆତ୍ମହରା ହୋଇ ଯାଇଥିଲି l ଏ ବିଷୟରେ କାହାକୁ ବା କଣ କହିବି କିଛି ବୁଝି ପାରିଲିନି କିନ୍ତୁ ମୁଁ ସବୁବେଳେ ଭାବୁଥାଏ ରୂପ ପିଠିର ସେଇ କଟାଦାଗ ଏ ନିଷ୍ଠୁର ରାକ୍ଷସ ମାନଙ୍କର ଥିଲା l ହାୟ ଭଗବାନ - ମୁଁ ଯଦି ତାର କଟାଦାଗର ରହସ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି, ତେବେ ହୁଏତ ରୁପାକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥାନ୍ତି l ମୁଁ ନିଜକୁ ନିଜେ ସବୁବେଳେ ଦୋଷୀ ମନେ କରୁଥାଏ, କାହାକୁ କିଛି ଏ ବିଷୟରେ କୁହେନି l ମୋ ଦେହରେ ସେଦିନ ଗୋଟେ ବହୁତ ବଡ଼ କ୍ଷତ ରହିଗଲା - ଯାହାର କ୍ଷତ ଏଇ ପନ୍ଦର ବର୍ଷପରେ ମଧ୍ୟ ମୋ ମନରୁ ଲିଭିନି l
ଏଇ ଦୁଇବର୍ଷ ତଳେ ମୋର ମାଷ୍ଟର କ୍ୟାଣ୍ଟିନି ଠାରେ ସମୀର ଭାଇଙ୍କ ସହିତ ଦେଖା ହୋଇଥିଲା l ମୁଁ ଦୋ-ଦୋ ପାଞ୍ଚ ହୋଇ ତାଙ୍କୁ ଚିହ୍ନି ପାରିଲି ଆଉ ସେ ବି l ମତେ ଜାଣିପାରି ଛୋଟ ପିଲାଙ୍କ ପରି ବହୁତ କାନ୍ଦିଲେ l ତାଙ୍କ କଥାରୁ ଯାହା ଜାଣିଲି ପାରିବାରିକ ବାଧ୍ୟବାଧକତା ରେ ସେ ବିବାହ କରିଛନ୍ତି - ତାଙ୍କର ଗୋଟିଏ ପୁଅଟିଏ ଅଛି l ମୁଁ ରୁପାର ଶେଷ ଚିଠି ବିଷୟରେ ଯାହା ପଢ଼ିଥିଲି ସବୁ ଗୋଟି ଗୋଟି କରି ପଚାରିଲି l ସେ କାନ୍ଦିକାନ୍ଦି ହୁଁ ହୁଁ କରୁଥାନ୍ତି - ସେଦିନ ଆମ ଦୁହିଁଙ୍କ ଲୁହରେ ମାଟି ମା' ତା'ର ଅନେକ ଦିନର ତୃଷ୍ଣା ମେଣ୍ଟାଉଥାଏ ଯେମିତି l ସମୀର ଭାଇ ରୁପାର ମାରିବା ପରଠୁ ଆଜି ପର୍ଯ୍ୟନ୍ତ ଆମ ଗାଁ କୁ ଯାଇ ନାହାନ୍ତି ବୋଲି ଜାଣିବାକୁ ପାଇଲି l ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲି ଜଣେ ମଣିଷ କେମିତି ଏତେ ବଡ ଦୋଷକୁ ନିଜ ମୁଣ୍ଡକୁ ନେଇଗଲା ଏବଂ ଏମିତି କାହିଁକି? ତାହା ଜାଣିବାକୁ ଇଛା ଥିଲେ ମଧ୍ୟ ତାଙ୍କୁ ସେଦିନ ପଚାରିପାରିଲିନି, ବୋଧେ ଯଦି ପଚାରିଥାନ୍ତି ଉତ୍ତର "ପ୍ରେମ" ବୋଲି ଅସିଥାନ୍ତା l ରୁପା କେମିତି ତାଙ୍କୁ ବାରିପଟ କାଜୁ ତୋଟାରେ ଏକା ଅପେକ୍ଷା କରିଥିବାର ସୁଯୋଗ ନେଇ ତିନିଜଣ ଦେହଭୋକୀ କାମାର୍ଥ ରାକ୍ଷସ ରୂପୀ ପୁରୁଷ ତା' କୋମଳ ଶରୀରକୁ ଛିନ୍ନଭିନ୍ନ କରି ଧର୍ଷଣ କରିଥିଲେ ଓ ଧମକ ଦେଇଥିଲେ ଜୀବନରୁ ମତେ ତାଙ୍କ ବାପା ଆଉ ଭାଇଙ୍କୁ ମାରିଦେବେ ବୋଲି ତେଣୁ ରୁପା ଚୁପ ରହିବା ସହିତ ମତେ ବି ଚୁପ କରାଇ ଦେଇଥିଲା l ମୁଁ ତାକୁ ଛାଡି ଆସିବାକୁ ରାଜି ନଥିଲି ସେ ହିଁ ମତେ ବାଧ୍ୟ କରି ପରୀକ୍ଷା ଦେବା ପାଇଁ ପଠାଇଲା ଆଉ ନିଜେ ମତେ ସବୁଦିନ ପାଇଁ ଏକା କରି ଚାଲିଗଲା l ଏତକ କହି ପୁଣି କାନ୍ଦିବାକୁ ଲାଗିଲେ - ମୁଁ କିନ୍ତୁ ତାଙ୍କ ଆଖିରେ ଓ ମନରେ ଆଜି ପର୍ଯ୍ୟନ୍ତ ରୁପା ପ୍ରତି ଥିବା ଭଲପାଇବା ଦେଖିପାରି ସାହସ ଜୁଟାଇ ହଠାତ ରୁପା'ର ଭାଇଙ୍କୁ ଫୋନ ଯୋଗେ ଡାକିଲି ସେ ବି ଭୁବନେଶ୍ୱରରେ ରୁହନ୍ତି ପ୍ରଥମେ ତ ସମୀର ଭାଇ କଥା ଶୁଣି ମନା କଲେ ତଥାପି ମୁଁ ରାଣ ପକାଇ ଡାକିବାରୁ କିଛି ସମୟରେ ଆସି ପହଞ୍ଚିଲେ ଏବଂ ଗୋଟି ଗୋଟି କରି ମୋ ଠାରୁ ଓ ସମୀର ଭାଇଙ୍କ ଠାରୁ ସତ ଶୁଣି ଅନେକ ସମୟ ପର୍ଯ୍ୟନ୍ତ ଧୀରେ ରହିଲେ - ଶେଷରେ ରେ ନୀରବତା ଭାଙ୍ଗି କହିଲେ "ସେ ତିନି ରାକ୍ଷସ ମଧ୍ୟରୁ ଏବେ ଜଣେ ଗାଁ ସରପଞ୍ଚ ଆଉ ଜଣେ ସରକାରୀ ଦଳ ମନ୍ତ୍ରୀଙ୍କ ଖାସ ଲୋକ ଏବଂ ଅନ୍ୟ ଜଣଙ୍କ କଳା ବ୍ୟବସାୟ କରି କୋଟିପତି ବାବୁ ତେଣୁ ଆମେ ଚାହିଁଲେ କି ଆଇନ ଚାହିଁଲେ ତାଙ୍କର କିଛି କରି ପାରିବନି ନିର୍ଭୟା, ଅଞ୍ଜନା, ମାଧବୀଲତା ଓ ପରୀ କେସ ପରି ଖାଲି କ୍ୟାଣ୍ଡେଲ ମୋର୍ଚ୍ଚା ବାହାର କରିବା ସିନା ଦୋଷୀକୁ ଦଣ୍ଡ ଦେଇପାରିବନି - ବାସ ଏତିକି କହି ରୁପାର ଭାଇ ଚାଲିଗଲେ l ସମୀର ଭାଇ ଆଉ ମୁଁ ନିର୍ବାକ ପରି ପରସ୍ପରକୁ ଚାହିଁ ରହିଥାଉ l ତା' ପରଠୁ ସମୀର ଭାଇଙ୍କ ସହିତ ମୋର କେବେ ଦେଖା ସାକ୍ଷାତ ହୋଇନି l
ଏଭଳି କାମାନ୍ଧା ରାକ୍ଷସ ମାନଙ୍କର ଏ ସମାଜରେ ବଞ୍ଚିବାର କିଛି ଅଧିକାର ନାହିଁ, ଏମାନଙ୍କ ପାଇଁ ଅନେକ ରୁପା ଅଦିନରେ ପ୍ରାଣ ହରାଉଛନ୍ତି l


