ମୁଁ ଶାବନା ରଙ୍ଗ'ର ପୁଅ
ମୁଁ ଶାବନା ରଙ୍ଗ'ର ପୁଅ
ପ୍ରେମ ସବୁବେଳେ ସୁନ୍ଦର ସହ ଅସୁନ୍ଦରକୁ ହୋଇଥାଏ....ଉଚ୍ଚ ଜାତି ସହ ନୀଚ ଜାତିର ହୋଇଥାଏ....ଗରିବ ସହିତ ଧନୀର ହୋଇଥାଏ, ବୋଧେ ସେଥିପାଇଁ ପ୍ରେମ କେବେ ଏକାଠି ହୋଇ ପାରିନଥାଏ l ତମ କଥାର ଉତ୍ତର ଦେଉ ଦେଉ ସେଦିନ କାନ୍ଦି ପଡ଼ିଥିଲି ବସଷ୍ଟାଣ୍ଡର ମାଗାଜିନ ଷ୍ଟଲ ସାମ୍ନାରେ କିନ୍ତୁ ତମେ ଅନେକ ଲୋକ ଦେଖୁଛନ୍ତି ତମକୁ ଖରାପ ଲାଗୁଚି କହି ପ୍ରତିଥର ପରି ମିଛି-ମିଛିକା ରାଣ ପକାଇ ମତେ କାନ୍ଦିବାରୁ ନିବୃତ କରିଥିଲ ଆଉ ମୁଁ ଅଟକି ଯାଇଥିଲି l ସେଦିନ ତମ ସହିତ ଦେଖା ବୋଧେ ଦୀର୍ଘ ୪ ବର୍ଷ ପରେ ଥିଲା l ତମ ହାତରେ ଚୁଡ଼ି ମଥାରେ ସିନ୍ଧୁ୍ର ଦେଖି ମୋ ମନ ତମ ପାଖକୁ ଯିବା ପାଇଁ ମନା କରୁଥିଲେ ମଧ୍ୟ ମୋ ପୁରୁଷ ପଣିଆ ତମ ପାଖରୁ କିଛି ଉତ୍ତର ପାଇବା ଆଶାରେ ଯିବା ପାଇଁ ବାରମ୍ବାର ବାଧ୍ୟ କରୁଥିଲା l ଯୋଉଁ ଉତ୍ତର ପାଇଁ ମୁଁ କେତେ ରାତି ଯେ ଅନିଦ୍ରା ରହି କାନ୍ଦିଛି ସେକଥା କେବଳ ଜହ୍ନ ଆଉ ତାରା କହି ପାରିବେ l ତାହା ଉତ୍ତର ନୁହେଁ ତ ଯେମିତି ମୋ ଜୀବନ ଗୋଟେ ନେପଥ୍ୟ ଲକ୍ଷ୍ୟ ହୋଇ ଯାଇଥିଲା l ତମେ ମତେ ସେଦିନ ହଠାତ ଦେଖି ନଥର ଓ ନିଷ୍ପ୍ରଭ ହୋଇ ଯାଇଥିଲ l କଁଅଳ ହରିଣ ଛୁଆଁ ପରି ଖାଲି ଆଖିକୁ ଏପଟ ସେପଟ କରୁଥିଲ l ତମକୁ ପ୍ରକୃତିସ୍ତ କରିବା ପାଇଁ ମୁଁ କହିଲି କିଛି ବ୍ୟସ୍ତ ହୁଅନି ଶ୍ରୀୟା କେବଳ ଏତିକି କୁହ ମୋର ଭୁଲ ରହିଲା କୋଉଠି ମୋ ସହିତ କାହିଁକି ଏମିତି କଲ?? ଦୟାକରି ଏତିକି କହିଦିଅ ମୁଁ ଚାଲିଯିବି l ଏତିକି ଶୁଣିସାରି ତମେ କିଛି ସମୟ ଚୁପ ରହିଲ ଓ ଆଗରେ ପଡ଼ିଥିବା ଚୌକି ଉପରେ ମତେ ବସିବାକୁ ଇସାରା କଲ l ଦୁହେଁ ବସୁ ବସୁ କହିବାକୁ ଲାଗିଲ ମୁଁ ଜାଣିଛି ରାଜ ତମେ ମତେ ବହୁତ ଭଲ ପାଉଥିଲ, ମୁଁ ହିଁ ତମକୁ ମୋ ପ୍ରେମରେ ପଡ଼ିବାକୁ ବାଧ୍ୟ କରିଥିଲି l ମୁଁ ବି ତମକୁ ବହୁତ ଭଲ ପାଉଥିଲି l ତମକୁ ନେଇକି ବହୁତ କିଛି ସ୍ବପ୍ନ ଦେଖିଥିଲି l ମା' ଠାକୁରାଣୀଙ୍କୁ ସାକ୍ଷୀ ରଖି ତମକୁ ସ୍ୱାମୀ ହିସାବରେ ଗ୍ରହଣ କରି ନେଇଥିଲି l ତମେ ମତେ ଆମ ୪/୫ ବର୍ଷ ପ୍ରେମ ଭିତରେ ଅନେକ ଭଲ ପାଇବା ଦେଇଥିଲ, ନିଜ ଜୀବନଠୁ ମତେ ବେଶୀ ଭଲ ପାଉଥିଲ l ସେ ସମୟରେ କରୋନା ପାଇଁ ସରକାର ସବୁକିଛି ବନ୍ଦ କରିଦେଲେ ମୁଁ ବାଧ୍ୟ ହୋଇ ଗାଁ'କୁ ଯିବା ପାଇଁ ବାହାରିଲି l ଅନେକ ଲୁହ କାନ୍ଦ ଭିତରେ ତମକୁ ମୁଁ କଥା ଦେଇ ଗାଁ'କୁ ଚାଲି ଯାଇଥିଲି l ଘରେ ସମସ୍ତ ରହୁଥିଲେ ତେଣୁ ତମ ସହିତ ଭଲରେ କଥା ହୋଇ ପାରୁନଥିଲି l ସେ ସମୟରେ ଗାଁ ମାନଙ୍କରେ ଅନେକ ବାହାଘର ହୋଉଥାଏ, ମତେ ବି ଗାଁ ଆଖପାଖରୁ ଅନେକ ପ୍ରସ୍ତାବ ଆସୁଥାଏ ମୁଁ ମନା କରୁଥାଏ l ବାପା ସବୁବେଳେ କହୁଥାନ୍ତି ଭଲ କାହାକୁ ବି ପାଏ କିନ୍ତୁ ବିବାହ ଭଲ ବର ଦେଖିକି କରିବା କଥା ନହେଲେ ଭଲ ଘର ଦେଖିକି l ସବୁବେଳେ ଖାଲି ଏଇ ଗୋଟେ କଥା ବାପାଙ୍କର, ଧୀରେ ଧୀରେ ମୁଁ ବି ସେ କଥାକୁ ଗୁରୁତର ସହ ଭାବିବାକୁ ଲାଗିଲି ନା ତମ ପାଖରେ ଧନ ଅଛି ନା ତମେ ଦେଖିବାକୁ ଏତେ ସୁନ୍ଦର l ଧନ କେମିତି ହେଲେ ଜୀବନରେ ଆସିଯିବ କିନ୍ତୁ ତମେ ଦେଖିବାକୁ ବେଶୀ 'ଶବନା' ଥିଲ, ଆଗକୁ ମୋ ବନ୍ଧୁ ବାନ୍ଧବ ସାଙ୍ଗ ସାଥି କଣ କହିଥାନ୍ତେ ଶ୍ରେୟା ତୁ ଏତେ ସୁନ୍ଦର କିନ୍ତୁ ଶ୍ୟାମଳ କଳା ରଙ୍ଗର ପୁଅଟାକୁ ବାହା ହେଇଛୁ ତେଣୁ ଏସବୁ ଭାବି ମୁଁ ବଦଳିଗଲି, ତମକୁ ସେଦିନ ଫୋନ କରିକି ମିଛ କହିଥିଲି ମତେ ଜୋର କରିକି ଘରେ ବାହା କରାଇ ଦେଲେ କିନ୍ତୁ ସତ ହେଲା ମୁଁ ମୋ ନିଜ ଇଛାରେ ଆମ ଗାଁ ପାଖର ଗୋଟେ ସୁନ୍ଦର ଗୋରା ପୁଅକୁ ବିବାହ କରିଥିଲି ଆଉ ମୁଁ ସେ ସମୟରେ ସମ୍ପୂର୍ଣ୍ଣ ଭୁଲ ଥିଲି l ବାହାଘର'ର କିଛି ଦିନ ପରେ ଜାଣି ପାରିଲି ଚେହେରା'ର ସୌଧର୍ଯ୍ୟକୁ ସୁନ୍ଦରତା କୁହାଯାଏନି l ଗୋରା ମାନେ ଯଦି ସୁନ୍ଦର ହୋଇଥାନ୍ତେ ତାହେଲେ ବଜାରରେ ସେଓ ଠାରୁ ମୂଳା'ର ମୂଲ୍ୟ ଅଧିକା ହୋଇଥାନ୍ତା ତେଣୁ ପ୍ରକୃତରେ ହୃଦୟର ସୌଧର୍ଯ୍ୟକୁ ସୁନ୍ଦରତା କୁହାଯାଏ l ଯାହା ରୂପ ସୁନ୍ଦର ତା ପାଖରେ ଯଦି ସୁନ୍ଦର ହୃଦୟଟେ ନାହିଁ ତେବେ ତା ରୂପର କିଛି ମୂଲ୍ୟ ନାହିଁ l ଭଲ ମଣିଷଟେ ହେବାକୁ ସୁନ୍ଦର ଚେହେରା ନୁହଁ ବରଂ ସୁନ୍ଦର ହୃଦୟଟେ ଦରକାର l ରଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ ମାନସିକତା ଗୁରୁତ୍ୱପୂର୍ଣ୍ଣ l ଏତିକି କହି ହଠାତ ଅଦିନିଆ ବର୍ଷା ପରି ତମେ ଉଠିକି ଚାଲିଗଲ l ସତରେ କଣ ଗୋରା ରଙ୍ଗଟା ଏତେ ମହତ୍ୱପୂର୍ଣ୍ଣ ଯେ କଳା ରଙ୍ଗକୁ ଘୃଣା କରାଯାଏ l ଜାଣିଛି ଶବନା ରଙ୍ଗ ସମସ୍ତଙ୍କୁ ପସନ୍ଦ ଆସେନି, ଭିତରେ କଳା ଚରିତ୍ର ଉପରେ ଗୋରା ଚମଡା ଏଠି ସମସ୍ତଙ୍କୁ ଦରକାର l ଗୁଣ ପଛେ କଳା ହୋଉ ରଙ୍ଗ ଏଠି ଗୋରା ଦରକାର l ତାହେଲେ ମୋ ନିସ୍ଵାର୍ଥପର ଭଲ ପାଇବା କେବଳ ମୁଁ ଶବନା ବୋଲି ମୋ ଠୁ ଦୁରେଇ ଯାଇଥିଲା l ବାଃ ବାଃ ସମାଜ ଧନ୍ୟ ତମ ଦୃଷ୍ଟିକୋଣ ଏତିକି କହି ମୁଁ ନିର୍ବାକ ହୋଇ ବସି ରହିଲି ଆଉ ପାଖ ହୋଟେଲ ରେଡ଼ିଓରୁ ଛୁଟି ଆସୁଥିଲା ଖୋକା ଭାଇଙ୍କ ପ୍ରିୟା ମୋର ଏକି କଲ ଭଲ ପାଇଁ ଭୁଲିଗଲ....

