ଚାଟ ବିକାଳି
ଚାଟ ବିକାଳି


ଶ୍ରାବଣୀ ସହିତ ଅପ୍ରତ୍ୟାଶିତ ଦେଖା ହୋଇଗଲା ସେଦିନ ଛତ୍ରପୁର ବସଷ୍ଟାଣ୍ଡ ମାଗାଜିନ ଷ୍ଟଲ ସାମ୍ନାରେ l ଶୁଣିବାକୁ ପାଇଥିଲି ସେ ଡିପ୍ଲୋମା ସାରି ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଛି l ଏମିତି ରୂପରେ ତାକୁ ମୁଁ ପ୍ରଥମଥର ଦେଖୁଥିଲି ହାତଦୁଇଟିରେ ଦୁଇପଟ ଲେଖାଏଁ ସୁନାର ଚୁଡି ମଥାରେ ସିନ୍ଦୁର ସଙ୍ଗକୁ ପାଦରେ ଅଳତା ଓ ରୁପାର ପାଉଚି ତଥାପି ଶୁଖିଲା ଜଣାପଡୁଥିଲା ସେ, ନିଥର ଓ ନିଷ୍ପ୍ରଭ l ଶ୍ରାବଣୀର ସେଇ ବନଝରଣାର ଛନ୍ଦକୁ ମୁଁ ଖୋଜୁଥିଲି ତା' ନୀରବତାରେ l ମୁଁ ହଠାତ ତା' ପାଖରେ ଅଟକି ଗଲି ଏବଂ ତାକୁ ଟିକିଏ ଚମକାଇଦେଲି l ସେ ହଠାତ କହି ଉଠିଲା ଆରେ ଅମର ତୁମେ ! ମୁଁ କହିଲି ଶ୍ରାବଣୀ ତମେ ମତେ ଚିହ୍ନିଦେଲ କି ? ଏମିତି କଣ କହୁଛ ମୁଁ ପୁଣି ତୁମକୁ ଚିହ୍ନି ପାରିବିନି, ଅବଶ୍ୟ ଏତେ ଦିନପରେ ଆମେ ଦେଖାହେଲେ ତା' ମାନେ କଣ ମୁଁ ତୁମ ଚେହେରାକୁ ଏମିତି କେମିତି ଭୁଲିଯିବି ଯେ ! ସେତେବେଳକୁ ପଶ୍ଚିମ ଆକାଶରେ ରବି ଲୁଚି ଯିବାକୁ ତତ୍ପର ହେଉଥାନ୍ତି, ସେ ଧୀରେ ଧୀରେ ତା ସ୍କୁଟି ବୁଲାଇବାକୁ ଆରମ୍ଭ କରୁକରୁ ପଚାରିଦେଲା ତୁମେ ଏବେ କୁଆଡେ ଯିବ l ମୁଁ ଟିକିଏ ଅଭିମାନ ଭରା କଣ୍ଠରେ କହିଲି ଦିଦିଙ୍କ ଘରକୁ ଯିବି, ସେ କହିଲା ଆସ ମୁଁ ତ ସେଇବାଟରେ ଯିବି ଘରପାଖରେ ଛାଡ଼ିଦେବି l ଏତେ ଦିନପରେ ପରିଚିତ ବାନ୍ଧଵୀର କଥାକୁ କେମିତି ବା କାଟିଦେଇଥାନ୍ତି l ଟିକିଏ ଦୋ ଦୋ ପାଞ୍ଚ ହୋଇ ପଛରେ ବସିପଡିଲି l ବସଷ୍ଟାଣ୍ଡରୁ ଘର ପ୍ରାୟ 5km ହେବ ପ୍ରାୟ 10 ମିନିଟର ରାସ୍ତା l ସେଦିନ ଉପର ବେଳଟାରେ ଝିପିଝିପି ବର୍ଷା ହୋଇଥିବାରୁ ସେ ସ୍ୱଳ୍ପ ଓଦା ହୋଇଯାଇଥିଲା l ତେଣୁ ଟିକିଏ ଗାଡି ଧୀରେ ଚଳାଉଥାଏ, ତା'ର ମୁକୁଳା କେଶ ଗୁଡିକ ପବନରେ ଉଡିଆସି ମୋ ଦେହରେ ବାଜି ସତେ ଯେମିତି ମତେ କହୁଥାଏ 'ଅମର' କଣ ସତରେ ତମର ପଛକଥା କିଛି ମନେ ନାହିଁ ? ନା ମନେ ନଥିବାର ଅଭିନୟ କରୁଛ ! ରାସ୍ତା ସରି ଆସିଲାଣି ପ୍ଲିଜ କିଛି ତ କୁହ ! ସେତେବେଳେକୁ ମାର୍କେଟ ସରିଆସିଲାଣି ଲକ୍ଷ୍ମଣ ଭାଇଙ୍କ ଚାଟ ଦୋକାନ ପାଖରେ ମୁଁ ଶ୍ରାବଣୀକୁ ଗାଡି ଅଟକାଇବାକୁ କହିଲି ସେ ମଧ୍ୟ ଗାଡି ଦୋକାନ ପାଖରେ ହିଁ ରଖିଦେଲା l
ମୋର ପ୍ରିୟ ପାଠକେବନ୍ଧୁ ମୁଁ ଏଇଠି ଆପଣଙ୍କୁ ଟିକିଏ ଅଟକାଇବାକୁ ଚାହୁଁଛି ଏମାନଙ୍କ ସହିତ ଘଟିଥିବା ପୂର୍ବ ଘଟଣାଟି କହିଦିଏ ତାପରେ କାହାଣୀଟି ଏହିଠାରୁ ହିଁ ଆରମ୍ଭ କରିବି l
'ଅମର' ଭାରି ଚଗଲା ପିଲାଟିଏ l ଶ୍ରେଣୀରେ ସବୁବେଳେ ପ୍ରଥମ ହୁଏ ଏବଂ ଦୁଷ୍ଟାମୀରେ ମଧ୍ୟ କିଏ ତାକୁ ବଳି ଯିବେନି l ନବମ ଶ୍ରେଣୀ ସରୁସରୁ ପଢ଼ାରେ କିଛି ଅସୁବିଧା ହେଇନଯାଉ ଏହା ଚିନ୍ତାକରି ଘରେ ଛତ୍ରପୁର ଭଉଣୀ ଘରକୁ ପଠାଇଦେଲେ ପାଠ ପଢିବା ପାଇଁ l ଭାଇନା ମଧ୍ୟ ସେଠାରେ ଏକ ଭଲ କୋଚିଂର ବ୍ୟବସ୍ଥା କରିଦେଲେ l ପ୍ରାୟ ଆଖପାଖ ଦଶଟି ହାଇସ୍କୁଲର ପିଲା ସେଇଠାରେ ହିଁ ପାଠ ପଢୁଥିଲେ l ଦୁର୍ଭାଗ୍ୟ କି ସୁଭାଗ୍ୟ ତାହା ଜଣା ନାହିଁ କିନ୍ତୁ ଟ୍ୟୁସନର ପ୍ରଥମ ଦିନ ହିଁ ସଂସ୍କୃତ ପରୀକ୍ଷା ଥାଏ, ଅମର ମଧ୍ୟ ପରୀକ୍ଷା ଦେଲା ଏବଂ ସମ୍ପୂର୍ଣ୍ଣ ଶ୍ରେଣୀରେ ସର୍ବାଧିକ ନମ୍ବର ମଧ୍ୟ ରଖିଲା l ପ୍ରଥମ ଦିନରେ ହିଁ ସଭିଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲା l ସେଦିନ ସାରେ ପରୀକ୍ଷା ଖାତା ଦେଉଦେଉ ଜଣଙ୍କ ଆଡକୁ ଇଙ୍ଗିତ କରି ପଚାରିଲେ ଶ୍ରାବଣୀ ତମର କଣ ମାର୍କ କମିଗଲା, ମୁଁ ଟିକିଏ ଝିଅ ମାନଙ୍କ ଗହଳିକୁ ଚାହୁଁ ଚାହୁଁ ଜଣେ ଝିଅ ଠିଆହୋଇ କହିଲା ସାରେ ଦୁଇଦିନ ହେଲାଣି ଜ୍ୱର ତେଣୁ କିଛି ପଢିନଥିଲି l ସାରେ ମାନଙ୍କ ପ୍ରଶଂସା ଓ ପିଲାମାନଙ୍କ ଇର୍ଷାନ୍ଵତ ଚାହାଣିରେ ପ୍ରଥମ ଦିନଟି ସରିଗଲା ଏବେ ଯିବାର ବେଳ l ମୁଁ ଭାଇନାଙ୍କୁ ଅପେକ୍ଷା କରି ଠିଆ ହୋଇଥାଏ ଓ ଝିଅଟି ମଧ୍ୟ ବୋଧହୁଏ ତା ବାପାଙ୍କ ଅପେକ୍ଷାରେ ଥାଏ l ସେ ଧୀରେ ଧୀରେ ମୋ ନିକଟତର ହେଲା ଏବଂ ପଚାରିଲା ତମ ଘର କୋଉଠି? ମୁଁ କହିଲି ବାଲୁଗାଁ, ପୁଣି ପଚାରିଲା ଏଠାରେ ତମର କିଏ ଅଛନ୍ତି କି? ମୁଁ ଉତ୍ତର ଦେଲି ବଡ ଭଉଣୀ l ସେ ଆଉ କିଛି ପଚାରିବା ପୂର୍ବରୁ ତା ବାପା ଆସିଯାଇଥିଲେ ଆଉ ଆମ ଭାଇନା ମଧ୍ୟ l ସେ ତା ବାପାଙ୍କ ସହିତ ଆଗରେ ଆଗରେ ଚାଲିଥାଏ ଆଉ ଆମ ଗାଡି ପଛରେ, ସେ ବାଟସାରା ବାରମ୍ବାର ପଛକୁ ଚାହୁଁଥାଏ l ତା'ପର ଦିନ ସକାଳୁ ଆସି ମତେ କହିଲା ମୁଁ ତମ ଦିଦିଙ୍କ ଘର ଦେଖିଦେଲି ଆଛା ତମର ସାଇକେଲ ଅଛି କି? ମୁଁ ହଁ କଲି ପୁଣି କହିଲା ରାତିରେ ସାଇକେଲ ନେଇକି ଆସିବ ମୁଁ ବି ଆଣିବି ଆଉ ଘରେ ମନା କରିଦେବ ତମକୁ ନେବାକୁ ଆସିବାକୁ ଆମେ ମିଶିକି ଚାଲିଯିବା l ରାତିରେ କୋଚିଂ ଛୁଟି ହୋଇଯାଇଥାଏ ଅଦିନିଆ ଝିପିଝିପି ବର୍ଷା ଚାଲିଥାଏ ଏବଂ ଆମେ ଦୁହେଁ ସାଇକେଲରେ କଥାବାର୍ତ୍ତା ହୋଇ ଚାଲିଥାଉ l ହଠାତ ମାର୍କେଟର ଶେଷ ଆଡକୁ ଏକ ସାଇକେଲ ବେପାରୀ ପାଖରେ ସେ ଅଟକି ଗଲା ଆଉ ମତେ କହିଲା ଚାଲ ଘୁଗୁନିଚାଟ ଖାଇକି ଯିବା l ମୁଁ ମଧ୍ୟ ସାଇକେଲଟିକୁ ଦୋକାନୀ ପାଖରେ ରଖିଦେଲି l ଦୋକାନୀର ବୟସ ପ୍ରାୟ ଚାଳିଶି କି ପଞ୍ଚଚାଳିଶି ହେବ, ସାଇକେଲ ପଛରେ ଗୋଟେ ଗରମ ଘୁଗୁନି ହଣ୍ଡା ବାନ୍ଧିଥାଏ ଆଗରେ ଦୁଇଟି ବ୍ୟାଗରେ ମିକ୍ସର ବାନ୍ଧିଥାଏ ଏବଂ ସାଇକେଲ ସିଟ ଉପରେ ଗୋଟିଏ କାଠପଟାରେ ପିଆଜ କାଟୁଥାଏ l ଶ୍ରାବଣୀ ଚାଟଵାଲା ପାଖକୁ ଯାଇ କହିଲା ଲକ୍ଷ୍ମଣଭାଇ ଆମକୁ ଦୁଇପ୍ଲେଟ ଚାଟ ଦିଅ କହି ତାଙ୍କ ବ୍ୟାଗରୁ ହାତପୁରାଇ ମିକ୍ସର ମୁଠାଏ ଧରି ଆସିଲା ସେ ମଧ୍ୟ ଏହା ଦେଖି କିଛି କହିଲେନି, ମିକ୍ସର ଆଣି ମୋ ଆଡକୁ ବଢ଼ାଇଦେଇ କହିଲା ଦେଖ କେମିତି ଟେଷ୍ଟ ହୋଇଛି ଲକ୍ଷ୍ମଣଭାଇ ଟିଜେ ତିଆରି କରନ୍ତି l ମୁଁ ବି ଖାଇଦେଖିଲି ସତରେ ବହୁତ ଭଲ ହୋଇଥିଲା ଇତି ମଧ୍ୟରେ ଲକ୍ଷ୍ମଣଭାଇ ଚାଟ ରେଡି କରିଦେଇଥିଲେ l ମିକ୍ସର ମଟର ଘୁଗୁନି ଉପରେ ଆମ୍ବକଷି ଅଦା ମିଶା ପିଆଜ ସାଙ୍ଗକୁ ଦହିବୁନ୍ଦିଆ ଏବଂ ତାଳପତ୍ର ଚାମଚ ବହୁତ ଆକର୍ଷଣୀୟ ଥିଲା ତା'ଠୁ ବି ଅଧିକ ଆକର୍ଷଣୀୟ ଥିଲା ତା'ର ସ୍ୱାଦ ସତରେ ମନ ମୋହିଦେଲା ପରି ସ୍ୱାଦ ସେ ଚାଟ' ର ଥିଲା l ଆଗରୁ ଶୁଣିଥିଲି ଖାଦ୍ୟର ସ୍ୱାଦ ତିଆରି କରିଥିବା ଲୋକର ସ୍ନେହ ଶ୍ରଦ୍ଧା ଉପରେ ନିର୍ଭରକରେ ବୋଲି l ମୁଁ ଟିକିଏ ସେ ଲକ୍ଷ୍ମଣଭାଇ ଆଡକୁ ଚାହିଁ ଦେଖିଲି ଲୋକଟି ଗ୍ରାହକର ହସରେ ଖୁସି ହୋଇଯାଉଛି ଏବଂ ଗ୍ରାହକର ଖୁସି ଭାବନାକୁ ଜୀବନର ଆଶୀର୍ବାଦ ମାନିନେଉଛି l ସେ ଗୋଟିଏ ଦିନରୁ ମୁଁ ଅନୁମାନ କରିପାରୁଥିଲି ଲୋକଟି ବହୁତ ଖୋଲା ହୃଦୟର ଓ ମିଳାମିଶା ସ୍ୱଭାବର ବୋଲି l ତା'ର ହରଷ ଭରା ମୁହଁ ଗ୍ରାହକକୁ ଶକ୍ତ ଚୁମ୍ବକୀୟ ଶକ୍ତିରେ ଟାଣି ରଖୁଥିଲା l ଆମର ଚାଟ ଖାଇବା ସରିଯାଇଥାଏ ଶ୍ରାବଣୀ ତା'ବହି ଭିତରୁ ଗୋଟିଏ କୋଡିଏ ଟଙ୍କିଆ ନୋଟଟି ବଢ଼ାଇଦେଲା ଓ ଲକ୍ଷ୍ମଣଭାଇଙ୍କୁ ଅନାଇ ଏକ ସ୍ମିତହସ ଦେଇ କହିଲା ଭାଇ ଆସୁଛୁ କହି ଆଗକୁ ଚାଲିଲା ମୁଁ ମଧ୍ୟ ତା' ସ
ହିତ ଚାଲିଥାଏ l ମୁଁ ସେତେବେଳେ ଯାଏ ଭାବୁଥିଲି ଚାଟ ଦୋକାନୀ କାଳେ ଶ୍ରାବଣୀର ବନ୍ଧୁବାନ୍ଧବ ହେବ କିନ୍ତୁ ଶ୍ରାବଣୀକୁ ତାହା ପଚାରି ବୁଝିଲି ସେମିତି କିଛି ନାଇଁ ! ଲକ୍ଷ୍ମଣଭାଇ ସଭିଙ୍କ ପ୍ରିୟ ତେଣୁ ସମସ୍ତେ ତାଙ୍କୁ ଭାଇ ବୋଲି ଡାକନ୍ତି ଏବଂ ଏମିତି ଥଟ୍ଟାମଜା କରନ୍ତି l ତେଣୁ ତମେ ବି କାଲିଠୁ ତାଙ୍କୁ ଭାଇ ବୋଲି ଡ଼ାକିବ ବୋଲି ସେ ମତେ କହିଲା l ଦିନକୁ ଦିନ ଆମର ବନ୍ଧୁତାଟା ବଢ଼ିଚାଲିଥାଏ, ଦୁହେଁ ଦୁହିଁଙ୍କର ନିକଟରୁ ନିକଟତର ହେବାରେ ଲାଗିଥାଉ l ପ୍ରତିଦିନ ଟ୍ୟୁସନ ସରି ଲକ୍ଷ୍ମଣଭାଇ ଚାଟ ଦୋକାନରେ ଭେଟହେଉ ଆଉ ସାରା ଦିନର ଘଟଣାବଳୀକୁ ପରସ୍ପର ମଧ୍ୟରେ ବାଣ୍ଟିଦେଉ l ଲକ୍ଷ୍ମଣ ଭାଇଙ୍କ ସହିତ ବି ମୋର ସମ୍ପର୍କ ବଢ଼ିଯାଇଥାଏ l ବୟସର ସାମଞ୍ଜସ୍ୟ ନଥିଲେ ମଧ୍ୟ ସେ ମୋ ସହିତ ଓ ଶ୍ରାବଣୀ ସହିତ ବନ୍ଧୁଭଳି କଥାବାର୍ତ୍ତା କରନ୍ତି ଏବଂ ତାଙ୍କୁ ସବୁ ଦୁଃଖସୁଖ ଜଣାଇଦେଉ l ବେଳେବେଳେ ବେପାର ସରିଯାଇଥିଲେ ମଧ୍ୟ ଦୁଇପ୍ଲେଟ ଚାଟ ସହିତ ସେ ଆମ ଦୁହିଁଙ୍କୁ ଅପେକ୍ଷା କରି ରହିଥିବେ, ଆମେ ଦୁଇଜଣ ଆସି କିଛି ସମୟ ଗପିବା ପରେ ଯାଇକି ଘରକୁ ଯିବେ l ଏମିତି ଦିନେ ରାତିରେ ଚାଟ ଖାଉଖାଉ ମୁଁ କହିଦେଲି ଲକ୍ଷ୍ମଣଭାଇ ତମର ତ' ବଢିଆ ବିକ୍ରି ହେଉଛି ଏକ ବଡ ଦୋକାନ ଭଡାକୁ ନେଇଯାଉନ ଅଧିକା ବେପାର ହେବ l ସେ ବି ଟିକିଏ ହସିଦେଇ କହିଲେ ତମ ଦୁହେଁ ବଡହୋଇ ଚାକିରୀ କରି ବାହା ହୋଇଯାଅ, ତା'ପରେ ମତେ କିଛି ଟଙ୍କା ଦେଲେ ମୁଁ ଭଡାଘର କାହିଁକି ନେବି ନିଜେ ହିଁ ବଡ ଦୋକାନଟିଏ କରିଦେବି ! ଶ୍ରାବଣୀ ଏହା ଶୁଣି ଠୋ ଠୋ କରି ହସିବାକୁ ଲାଗିଲା କିନ୍ତୁ ଏଇ କଥା ପଦକ ମୋ ହୃଦୟ କବାଟକୁ ଏକ ଶକ୍ତ ଆଘାତ ଦେଲା ପରି ମନେ ହେଲା l ମୁଁ ଟିକେ ନିରଵୀ ଗଲି l ଫେରିବା ବାଟରେ ଶ୍ରାବଣୀ ମତେ ପଚାରିଲା 'ଅମର' ତୁମେ ଲକ୍ଷ୍ମଣଭାଇଙ୍କ କଥାରେ ଏମିତି ଗଭୀର ଚିନ୍ତାମଗ୍ନ ହୋଇଗଲ କାହିଁକି?? ମୁଁ ଶ୍ରାବଣୀ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଚୁପ ରହିଲି l ତା'ପର ଦିନ ରାତିରେ ମୁଁ ଦେଖେ ତ ସେ ସାଇକେଲ ନେଇକି ଆସିନି ଆଉ ତା' ବାପା ତାକୁ ନେବାକୁ ଆସିଛନ୍ତି l ଯିବା ବାଟରେ ଲକ୍ଷ୍ମଣଭାଇ ବି ପଚାରିଲେ ଶ୍ରାବଣୀର କଣ ହୋଇଛି ଏପଟକୁ ନ ଅନାଇ ହିଁ ଚାଲିଗଲା?? ମୁଁ କହିଲି ମୁଁ ବି ଜାଣିନି l ସେ ଧୀରେ ଧୀରେ ମୋ ଠାରୁ ଦୂରେଇ ଗଲା ପରି ପ୍ରତୀତ ହୋଉଥାଏ l ଲକ୍ଷ୍ମଣଭାଇଙ୍କ ଦୋକାନକୁ ମଧ୍ୟ ଆଉ ଯାଏନି l ମୁଁ କିନ୍ତୁ ସବୁବେଳେ ଫେରିବା ବାଟରେ ଲକ୍ଷ୍ମଣଭାଇଙ୍କ ସହିତ ଦୁଇପଦ କଥା ହୋଇ ଆସିଲେ ମନଟା ଟିକିଏ ହାଲକା ଲାଗେ l ଇତି ମଧ୍ୟରେ ଆମର ଦଶମ ପରୀକ୍ଷା ପାଖେଇ ଆସିଯାଇଥାଏ l ମୁଁ ମଧ୍ୟ ଗାଁ'କୁ ଫେରିଗଲି l ପରୀକ୍ଷା ଭଲରେ ଭଲରେ ସରିଗଲା, ଦୁଇଦିନ ପରେ ମୁଁ ପୁଣି ଛତ୍ରପୁର ଫେରିଲି କିନ୍ତୁ ସେଠାରେ ଯାଇ ଶୁଣିବାକୁ ପାଇଲି ସେ ପରୀକ୍ଷା ସରିବା ଦିନ ହିଁ ହାଇଦ୍ରାବାଦ ଚାଲିଯାଇଛି ତା' ମାଉସୀ ଘରକୁ ଏହା ଶୁଣିସାରି ମତେ ବହୁତ କଷ୍ଟଲାଗିଲା କିନ୍ତୁ ତା'ଠୁ ଅଧିକ କଷ୍ଟ ଏଥିପାଇଁ ହେଲା ଯେ ମୋର ବା ଭୂଲ ରହିଗଲା କୋଉଠି ଏତେସାରା IGNORE ଓ AVOID କାହିଁକି ଏହା ଜାଣିପାରିଲିନି ! ସେଦିନ ସନ୍ଧ୍ୟାରେ ଲକ୍ଷ୍ମଣଭାଇଙ୍କ ନିକଟକୁ ଗଲି ଆଉ ଜାଣିବାକୁ ପାଇଲି ସେ ଶେଷ ପରୀକ୍ଷା ପୂର୍ବଦିନ ତାଙ୍କ ପାଖକୁ ଆସିଥିଲା କାଲି ହାଇଦ୍ରାବାଦ ଚାଲିଯିବା କଥା କହିଲା ଏବଂ ଏଇକଥା 'ଅମର'କୁ ଜଣାଇଦେବ ବୋଲି କହି ଚାଲିଗଲା l ଏତିକି କଥା ମତେ କହିଦେଇ ଲକ୍ଷ୍ମଣଭାଇ ନିଶବ୍ଦ ହୋଇଗଲେ କିନ୍ତୁ ଏକଥା ଯେବେ ବି ମୋ ମାନସ ପଟରେ ଉଙ୍କିମାରିଛି ମତେ ଯନ୍ତ୍ରଣା ଦେବା ଛଡା ଆଉ କିଛିବି ଦେଇପାରୁନି l ଇତି ମଧ୍ୟରେ ପ୍ରାୟ ଆଠବର୍ଷ ସମୟ ବିତିଯାଇଛି, ଲକ୍ଷ୍ମଣଭାଇ ଚାଟ ଦୋକାନ ସମ୍ପୂର୍ଣ୍ଣ ଛତ୍ରପୁର ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିସାରିଛି ଏମିତି କି ଖୋଦ ଛତ୍ରପୁର ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକାରୀ ମହୋଦୟ ଲକ୍ଷ୍ମଣଭାଇଙ୍କ ପାଖରେ ଠିଆହୋଇ ତାଙ୍କ ଚାଟର ମଜା ନେଇଛନ୍ତି l ଲକ୍ଷ୍ମଣଭାଇ ନିଜ କାମରେ ସାହାଯ୍ୟ କରିବା ପାଇଁ ଦୁଇଜଣ ଲୋକଙ୍କୁ ମଧ୍ୟ କାମ ଦେଇଛନ୍ତି, ପ୍ରତିଦିନ ପ୍ରାୟ ତିନି ରୁ ଚାରି ହଜାର ଟଙ୍କାର ବେପାର ମଧ୍ୟ ହେଉଛି ଆଉ ସେପଟେ ଶ୍ରାବଣୀ ତା' ଅଫିସର ଜଣେ ବଡ ଅଧିକାରୀଙ୍କୁ ବିବାହ କରିସାରିଛି ଏବଂ ବହୁତ ଖୁସିରେ ମଧ୍ୟ ଅଛି l ମୁଁ ମଧ୍ୟ ମଝିରେ ମଝିରେ ଛତ୍ରପୁର ଆଡେ ଟିକେ ବୁଲିଯାଏ ଏବଂ ଲକ୍ଷ୍ମଣଭାଇଙ୍କ ସହିତ ଟିକେ ଗପସପ ହୋଇଗଲେ ମତେ ଟିକେ ଶାନ୍ତି ଲାଗେ l
ସେ ପ୍ରଥମ ଦିନର କାହାଣୀ ପରି ଆଜି ମଧ୍ୟ ଠିକ ସେମିତି ସମୟ ଖାଲି ଫରକ ଏତିକି ସେଦିନ ତା'ହାତରେ ସାଇକେଲ ଥିଲା ଆଜି କିନ୍ତୁ ସ୍କୁଟି ଆଉ ସେଦିନ ସେ କାହା ଝିଅ ଥିଲା କିନ୍ତୁ ଆଜି ଆଉ କାହା ସ୍ତ୍ରୀ l ଏହା ମଧ୍ୟରେ ସେ ସ୍କୁଟି ଅଟକାଇ ଲକ୍ଷ୍ମଣଭାଇଙ୍କ ଦୋକାନ ସାମ୍ନାରେ ରଖିସାରିଥାଏ l ମୁଁ ତାକୁ ଦୋକାନ ଭିତରକୁ ଡାକିନେଲି l ଆମ ଦୁହିଁଙ୍କୁ ଦେଖି ଲକ୍ଷ୍ମଣଭାଇ ହତବାକ ହୋଇ ପଥରଟାଏ ଭଳି ଠିଆ ହୋଇଥାନ୍ତି l ତାଙ୍କ ଆଖିରୁ ଦୁଇଟୋପା ଲୁହ ଓଠ ଭିତରକୁ ପଶିଯିବାକୁ ଉଦ୍ୟମ କରୁଥାନ୍ତି l ମୁଁ ଟିକେ ଏଭଳି ପରିସ୍ଥିତିକୁ ଦୂରେଇବାକୁ ଯାଇ ଟିକେ ଉଚ୍ଚସ୍ୱରରେ କହିଲି ଲକ୍ଷ୍ମଣଭାଇ ଚାଟ ଦୁଇଟି ଆମକୁ ଦିଅ l ଲକ୍ଷ୍ମଣଭାଇ ତତକ୍ଷଣ ଦୁଇଟି ଚାଟ ଆଣିକି ଆମକୁ ଧରେଇଦେଲେ l ଅବଶ୍ୟ ସେଦିନର ତାଳପତ୍ର ଚାମଚ ଆଜି ପ୍ଲାଷ୍ଟିକରେ ପରିଣତ ହୋଇଥିଲା ଆଉ ସେଦିନର ଦଶଟଙ୍କିଆ ଚାଟ ଟି ଆମଦୁହିଁଙ୍କୁ ଖାଇବାକୁ ଅଧଘଣ୍ଟା ସମୟ ଲାଗୁଥିଲା କିନ୍ତୁ ଆଜିର କୋଡିଏ ଟଙ୍କିଆ ଚାଟ ଟି ପାଞ୍ଚମିନିଟରେ ହିଁ ସରିଗଲା l ଏହାକୁ ହିଁ ତ ସମୟର ପାର୍ଶ୍ୱପରିବର୍ତନ କହନ୍ତି ନାଁ ! ସେ ହଠାତ ମୁହଁ ଧୋଇ ଗାଡିନିକଟକୁ ଚାଲିଗଲା ମୁଁ ତା ପଛେ ପଛେ ଯାଉଥାଏ l ସେ ଅଳ୍ପ ଟିକିଏ ବୁଲିପଡି ପଚାରିଲା ତମେ ଏବେ କଣ କରୁଛ?? ମୁଁ ଉତ୍ତରଦେଲି ଏବେ B.ED ସରିଗଲାଣି ଆଗକୁ ଶିକ୍ଷକତାକୁ ପାଥେୟ କରି ଚାଲିବାକୁ ଭାବୁଛି l ପୁଣି ପଚାରିଲା ତମ ମାନସୀ ତମକୁ ମିଳିଲାଣି ନା ନାଇଁ ? ମୁଁ କିନ୍ତୁ ଏହା ଶୁଣି ଜାଣିପାରିଲି ସେ ମଧ୍ୟ ମୋ ଲେଖାଲେଖି ପଢେ ! ମୁଁ ଟିକିଏ କ୍ଷଣ ସ୍ୱରରେ କହିଲି "ସେ ଦେଖିବାକୁ ଠିକ ତମପରି ଟିକିଏ ବଡବଡ ଆଖି ଲମ୍ବାବେଣୀ ସାଙ୍ଗକୁ ଚାନ୍ଦପରି ଗୋଲାକାର ମୁହଁ ଆଉ ବହୁତ ସରଳ ଓ ନିଷ୍କପଟୀ ପ୍ରତି ସମୟରେ ତମଭଳି ହିଁ ହସହସ ମୁହଁ", ଏତିକି ଶୁଣି କହିଲା ଥାଉଥାଉ ମୋ ସହିତ ତୁଳନା କରନି ସେ ନିଶ୍ଚୟ ମୋ'ଠୁ ବହୁତ ସୁନ୍ଦର ହୋଇଥିବ ଆଉ ତମର କେୟାର ନେଉଥିବ, ତାକୁ କେବେବି ଛାଡି ଯିବନି ଆଉ ମୋ ତରଫରୁ ଆଗୁଆ ଅଭିନନ୍ଦନ ଜଣାଇଦେବ l ଏତିକି କହି ହଠାତ ଅଦିନିଆ ବର୍ଷାପରି ଆଗକୁ ଚାଲିଗଲା l ମୁଁ ପଛରେ ତାକୁ ଅନାଇ ଠିଆ ହୋଇଥାଏ ଏବଂ ଅଳ୍ପ ଟିକିଏ ଦୂରରେ ଲକ୍ଷ୍ମଣଭାଇ ବି ଖୁଣ୍ଟଟିପରି ମୁଣ୍ଡରେ ହାତଦେଇ ନିର୍ବାକ ହୋଇ ଠିଆ ହୋଇଥାନ୍ତି l