ନିଜ ସହ ରାତିଏ
ନିଜ ସହ ରାତିଏ
ରାତି ଅନ୍ଧାରର ଛାତି ଚିରି ମାଟିକୁ ଘୋଷାରୁଥିବା ପାଦ ହଳକୁ ଚାହିଁ ସେଇ ରାତିର ରାସ୍ତା ଭୁକିବାକୁ ଲାଗିଲା ।
_ ଭୋ,ଭୋ ,ଭୋ ,ଭାଉ
_ ହେ ର ,ରହିଯା କହୁଛି ।ପାଟି ଚୁପ୍ ଏକଦମ ଚୁପ୍ ।
_ ଭୋ, ଭୋ ,ଭୋ
_ ଚୁପ୍ ର ,ଆଇ ଅର୍ଡର ।ତୁ ଜାଣିନୁ ହାଁ ? ଜାଣିନୁ ମୁଁ କିଏ ?ମତେ ଜବାବତଲକ କରୁଛୁ ।ଇଉ ଡୋଣ୍ଟ ନୋ ?ଆଇ ଆମ୍ ! ସିଦ୍ଧାର୍ଥ ରାଏ । ଦ ସିଦ୍ଧାର୍ଥ ରା.....ଏ।ବିଜନେସ ଇଣ୍ଡଷ୍ଟ୍ରି ର ୱାର୍ଲଡ କ୍ଲାସ ଆଇକନ । ।ହୁସ୍ ।ମୋର ସମ୍ମାନ କରିବା ଚାହି ବୁଝିଲୁ, ଜବରଦସ୍ତ ଚାହି ।ତୁ କେମିତି ଭୁକି ପାରିବୁ ମୋ ମୁହଁ ଉପରେ ହାଁ ? ତୋତେ ସେ ସ୍ବାଧୀନତା ଦେଲା କିଏ ? ଏ ଦେଶ ନାଁ କୁ ସ୍ବାଧୀନ ବୁଝିଲୁ ।ଆମେ ସବୁ ବି ।ତୁ ଆଉ ମୁଁ ବି ।ହା ହା ମୁଁ ବି ।
ପୋଷା ପରି ଲାଙ୍ଗୁଡ ଜାକି କୁଁ କୁଁ ହେଲା ରାସ୍ତା ।ସିଲଭର୍ ଗ୍ରେ ଏକଜୋଟିକ୍ ମର୍ସିଡିଜ୍ ର ମସୃଣ କାନ୍ଥ କୁ ଆଉଜିର ବାରବାର ପଣ ଟେ ହସୁଥିଲା ସମୟ କୁ ଗାଲ ଭଉଁରୀ ତଳେ ଘୁରେଇ ।ଆଉଜି ବସିଲେ ଦିହେଁ ଦିହିଁଙ୍କି ପିଠି କରି ,ରାସ୍ତା ଓ ସିଦ୍ଧାର୍ଥ..... ସିଦ୍ଧାର୍ଥ ଓ ରାସ୍ତା
ଆଛ୍ଛା ତୁ ମତେ ସଲାମ କଲୁନି ତ ଯେମିତି ସବୁଦିନେ ମୋରି ପରି ଦିଶୁଥିବା ମଣିଷ ସବୁ ତଳ ମୁହାଁ ହେଇ ମତେ ଠୁଙ୍କନ୍ତି ସଲାମ ପରେ ସଲାମ । ଓ ତୁ ତ ଅଫିସ୍ ଯାଇନୁ କେବେ ଶିଖିବୁ ବା କେମିତି ।ଆ ,ଆ ,ଆ ନା ତତେ ଆଜି ମୋ ଅଫିସ୍ ଦେଖେଇଆଣିବି ।ମୋ ପ୍ରତିପତ୍ତି,ପ୍ରାଚୁର୍ଯ୍ୟରେ ଭରା ଜୀବନ ଆ ଦେଖି ଆସିବୁ ।ଆ ଯାହା ଆଜି ଯାଏ ମୋ ମାଆ ଦେଖିନି ତତେ ଦେଖେଇଆଣିବା ଆ ।ୟା ଠୁ ଆଉ ବଡ କଥା କଣ ଥାଇ ପାରେ ଭଲା ।ଆ ।ତୋର ଏତେ ଆସ୍ପର୍ଦ୍ଧା ଯେ ତୁ ମୋ କଥାରୁ ବାହାରିଯିବୁ? ଆଉ ତୁ ଭାବିଛୁ ମୁଁ ସହିଯିବି ।ନାଃ ନା ନା ନା ନା ।ମୁଁ ଦ ସିଦ୍ଧାର୍ଥ ।ସିଦ୍ଧାର୍ଥ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ର ଏକଲୌତା ମାଲିକ୍ ।ମୋ କଥା ସେ ସବୁ ଦରଜା ଖୁଲ୍ ଯା ସିମ୍ ସିମ୍ ପରି ଖୋଲିଯାନ୍ତି ।ମୁଁ ସିନ୍ଦବାଦ ର ରାଜକୁମାର ।ଏଇ ତୁ ଶୁଣିଛୁ ତ ?
ଢଳି ପଡୁଥିବା ଅସମ୍ଭାଳ ପାଦକୁ ମାଧ୍ୟାକର୍ଷଣ ଲଗେଇ ଅଟକେଇରଖିବାର ଦୁର୍ବାର ଚେଷ୍ଟା ରେ ସାରା ରାସ୍ତା ।
_ ଏଇ ଶୁଣ ତ! ତୁ ଗପ ଶୁଣିବୁ? ମୁଁ କହିବି ।କାହା ଗପ ପଚାରଛୁ କି ? ଶୁଣୁ ତ ଆଗେ ।ଜାଣିଯିବୁ ।ଜାଣିଛୁ ତୋ ମୋ ଭିତରେ ବେଶୀ ଫରକ ନାହିଁ ହେଲେ ବି ଗୋଟେ ବଡ ଫରକ ଅଛି ।ତୁ ଲମ୍ବିପାରୁ, ତୁ ଖୋଳା ହେଇଯାଇପାରୁ,ତୋ ଉପରେ ପିଚୁ ରାଳ ଢାଳିହୁଏ ତତଲା । ତଥାପି ତୁ ଯିବାକୁ ଦଉ ତୋ ଉପରେ ମୋ ପରି ଲକ୍ଷେ ପାଦକୁ । ଆଉ ତୋ ଆତ୍ମସମ୍ମାନ କୁ ବାଧିଲେ ତୁ ଭୁମି ଥରେଇ ଦଉ ।
ତୋର ବନ୍ଧନ ସହ ସ୍ବାଭିମାନ ଅଛି ।
ମୋର ..... ହା ହା ।ନା ନା ତୁ ଭାବନା କିଛି ।ମୋର ବି ଥିଲା ।ଥିଲା ରେ ।କେବେଠୁ ଦବେଇ ଦେଇଛି ।ଚାପଦେଇ ମାଡିବସି ଦବେଇଦେଇଛି ।ଆଗେ ଆଗେ କାଟୁଥିଲା ।ପରେ ପରେ ଏତେ ଚିକ୍କଣ ଅଠା ବୋଳିହେଲା ଯେ କାଟିବା ଟା ଭେଦି ଆସିପାରୁନଥିଲା ଓ ମସ୍ତିସ୍କ ଯାଏ ।କିନ୍ତୁ ଭିତରେ ଭିତରେ କାଟୁଥିଲା ।ଏବେ .... ? ଏବେ ଏବେ ଆଉ ସହିହୁଏନା ।ପାରେନା ।ପରଳ ପରଳ ଖୋଳପା ତଳ ଅନ୍ଧାର ଖସି ପଡିବା ପରେ ଏଇ ଦେଖ୍ ସେଇ ଆକାଶର ଜହ୍ନ କୁ ସିଏ ବାଟ ଦେଖେଇଲା ।ହଁ ହଁ ସିଏ କେବେଠୁ ମତେ କହିଛି, ସେପଟେ ପଙ୍କ ଅଛି ।ହେଲେ ମତେ କି ଜଣା ଥିଲା ଯେ ସେ ପଦ୍ମ ତକ ନକଲି ? ମୁଁ ତ ପଦ୍ମ ଆଶାରେ ପହଁରୁଥିଲି ।ବହଳ ଶାଳ ବଣ ମଝିର ସେ ନିଃସଙ୍ଗ ସୁନାପାଣି ର ପୋଖରୀଟା ଯେ ବୁଢୀଅସୁରୁଣୀ ର ମାୟାଜାଲ ଥିଲା ।କେତେ ଯେ କଣ୍ଟା ।
ରାସ୍ତା ହସିଲା ।କହିଲା, " ଏସବୁ ତ ସରିଯାଇଥିବା ଗପ ।ଶୁଣା ସରିଥିବା କଥା ।ଆଗକୁ କହ .... ।
ଜହ୍ନ ବି ଆକାଶରୁ ଉହୁଙ୍କି ଚାହିଁଲା ଶୁଣିବାକୁ ।ହେଲେ ମୁଁ କହିବାକୁ ଚାହିଁଲିନି ସେଇ ସବୁ ଭୋଗିଥିବା ଦାଗର ଗପ ।କହିଥାନ୍ତି ଯଦି ତରଳି ଯାଇଥାନ୍ତା ନା ବହକା ଖୋଳପା ତକ ମୋ ଚାରିପଟୁ ।ବହେଇନେଇଥାନ୍ତା ଜହ୍ନ ଆଲୁଅ ତାକୁ ନଦୀ ଦିଗକୁ ଆଉ ନଦୀ? ସିଏ ତ ଅପେକ୍ଷା ରେ ଥାଏ ନିକ୍ଷେପିବାକୁ ସମୁଦ୍ର କୋଳକୁ ଟିକିନିଖି ପ୍ରାପ୍ତି ତାର ।ହଁ ଆଉ ଯଦି ଏତକ ଘଟନ୍ତା ତେବେ ସକାଳ ହଉ ହଉ ସମସ୍ତେ ମତେ ଚିହ୍ନିଯାନ୍ତେ ମୋର ସେଇ ନୀରିହ, କୋମଳ ରୂପ ଆଉ ସରଳ ତରଳ ବୁଦ୍ଧି ତକ ...... ଯାହାକୁ ଚାବିକାଠି କରି ଏତେ ପାହାଚ ମୋ ପିଠିରେ ବୁହା ହେଇପାରିଛି ଅକ୍ଲେଶରେ ।ଦାଗ ମାନଙ୍କୁ ଘୋଡେଇଦିଆ ହେଇଛି ମଖମଲି ଚଦରରେ ।
ଏବେ ବହୁତ ଡେରି ହେଇ ସାରିଛି ଫେରିବାକୁ ଓଲଟପାଦରେ ।ଏବେ ରାତିପାହିବା ଆଗରୁ ତାକୁ ମଡେଇନେବାକୁ ହେବ ମିଛ ପ୍ରତିପତ୍ତି ର ତ୍ବକ ଟିକୁ ଅଠା ଦେଇ । ରିଟାର୍ଡ ଚିଫ୍ ଡେପୁଟି କମିସନର୍ ଙ୍କର ଏକ ମାତ୍ର ଅଲିଅଳ ଜାମାତା ।କୋଟି କୋଟି ଅରବ ରେ ତାର ଅୟସ ।ଏଇ ଐଶ୍ଚଯ୍ଯ ପାଇବା ତାକୁ ଅନ୍ଧ କରିଥିଲା ଦିନେ ।ସିଏ ତାର ଅଳପ ସନ୍ଚା ଭଲ ତକକୁ ଜଳାଞ୍ଜଳି ଦେଇଥିଲା ଏଇ ବିଭବ ପାଇଁ ।ଆଜି ପୁଣି ଅନୁତାପ କାହିଁକି? ଅନ୍ତକରଣର କୋଉ କବିଟ ପେଲି ସଂସ୍କାର ମୁଣ୍ଡ ଟେକୁଛି ରକ୍ତ ରୁ ? କାହିଁକି ? ଏଇ ସୁଖ ପାଇଁ ତ ମାଆ ର ହାତ ଛାଡି, ଗାଆଁ ର ହାତ ଛାଡି ଏକମୁହାଁ ଚାଲିଆସିଥିଲା ସିଏ ବିଭବା ରାଏ ପଛରେ ।ବିବାହ ପରେ ନିଜର ସାଧାରଣ ଲାଗୁଥିବା ସାଙ୍ଗିଆ ଟିକୁ କୋଉ ଲଜ୍ଜା ବଶତଃ ଓହ୍ଲାଇ ପକେଇ ପଦକ ପରି ବେକରେ ଗଳେଇଥିଲା " ଦ ସିଦ୍ଧାର୍ଥ ରାଏ " ର ଓଜନ ପଥର ।ସେବେ ତ ଭାରି ଉସୁଆସ ଲାଗୁଥିଲା ।ପୁଣି ଏବେ ...... ?
ସିଏ କାରର ହ୍ଯାଣ୍ଡେଲ ପଟକୁ ହାତ ବଢେଇଲା ।ଓଟାରି ହେଇ ଉଠିବା ଚେଷ୍ଟା ରେ ଧାପୁଲ୍ କରି ଖସିପଡିଲା ।
ସମ୍ଭାଳି ନେଲା ତାକୁ ଉଦାର ରାସ୍ତା ।
ରାସ୍ତା ଝିଙ୍କି ହଲେଇଦେଲା ତାକୁ ।ଆଉ ପଚାରିଲା, " କିଛି କହିଲୁନି ଯେ ।ତା ' ପରେ ...... ।କହିଥାନ୍ତୁ ପରା ଗୋଟେ ସାଧାରଣ ମଣିଷ ର ଆକାଶ ଛୁଇଁବା ଗପ ।"
ସେ ତଥାପି ଚୁପ୍ ଥିଲା ।ଓଠ କୁ ମନା କରିଦେଇଥିଲା ତା ବଡିମା କଥା ହେବାକୁ ।
ରାସ୍ତା କହିଲା, " ଏଇ ମୋରି ଅସରନ୍ତି ଲମ୍ବ ପଥରେ ଦିନେ ଜଣେ ରାଜକୁମାର ଫେରିପାଇଥିଲେ ନିର୍ବାଣ ।ଜାଣୁ କେମିତି ପଛ କରି ଦେଇ ସେଇ ମାୟାପୁରୀ କି ।ତୁ ତ ତାଙ୍କରି ଉତ୍ତର ପୁରୁଷ ..... ତୋତେ କଣ ବଳି ଯିବ ଏ କଥା ? ତାଙ୍କ ନାଆଁ ବି ତ ଥିଲା ସିଦ୍ଧାର୍ଥ ।"
ସିଏ ଏଥର ସବୁ ଦମ୍ଭ ଡେରା ଲଗେଇ ଉଠି ବସିଲା ।ଆଉ ଭାବିଲା, " ସାଧାରଣ ହେଇ ରହିବା କଣ ଏତେ ସହଜ ? ତୁମକୁ ଲାଗେନି କି ସାଧାରଣ ହେବା ବି ଗୋଟେ ସାଧନା ! " ହେଲେ କହିଲା, " ହୁଗୁଳା ହୁଗୁଳା ଜହ୍ନ ଆଲୁଅରେ ତୋ କୋଳରେ ମୋର ଗୋଟେ ରାତି ନିଜ ସହ ନିଜେ ବିତେଇବାର ଇଛ୍ଛା ଟେ ଥିଲା ।ଆଜି ପୁରିଲା ।ମୁଁ ଚାଲିଲି ।"ସକାଳ ଫିଟିଲା।
