Lopamudra Parida

Action Inspirational

3  

Lopamudra Parida

Action Inspirational

ନିଜ ଭୂଇଁ

ନିଜ ଭୂଇଁ

5 mins
135



ଅଜଣା ଉପତ୍ଯକା । ଧୂମାଭ ଆକାଶ । ଅସୀମଙ୍କୁ ଦିଶୁଛି ସିଏ ଚାଲୁଛନ୍ତି , ଅନୁଧାବନ କରୁଛନ୍ତି କହିଲେ ବେଶୀ ଠିକ୍ ହେବ .......ସମ୍ମୋହିତ ହେଲା ପରି ।ପ୍ରଶାନ୍ତି ତାଙ୍କ ମୁଖମଣ୍ଡଳ ର ଦୀପ୍ତି କୁ ବହୁଗୁଣିତ କରୁଛି ।ସିଏ ଦେଖିପାରୁଛନ୍ତି ଆଗରେ ତାଙ୍କର ଆଲୁଳାୟିତ କେଶ ରାଶିର ଢେଉ , ସଜେଇ ହେଇଛି ଶ୍ବେତ ତାରା ଫୁଲରେ ।ପଣତ ତାର ଅସୀମ ... ଭୂ ରୁ ଭୁମା ଯାଏ ।ଉନ୍ମୀଳିତ, ଅଦ୍ଭୁତ ନୀଳିମା ଚହଟି ଯାଉଛି ଚତୁର୍ଦିଗେ ସେଇ ପଣତର ଛୁଆଁରେ ।ଫୁଟିଯାଉଛି ସହସ୍ର କୁମୁଦ, କାଦମ୍ବିନୀ ।ଯାଦୁଗରୀ ନଗରୀ ପରି ଲାଗୁଛି ସେ ଉପତ୍ଯକା ..... ଅସୀମଙ୍କୁ ଚାହିଁ ସିଏ ହସୁଛି ।ଅସୀମ ତା' ଆଖିର ସାଗରରେ ଉଦ୍ବେଳିତ ହେଉଛନ୍ତି ଘଡିକି ଘଡି ।ସିଏ ଚିହ୍ନି ପାରୁଛନ୍ତି ତାକୁ ।ଆରେ ! ହଁ ତ ! ଇଏ ତ ମୋ ଅଭୟା .......

ସିଏ ଡାକୁଛନ୍ତି, " ଅଭୟା, ଅଭୟା ରୁହ ଅଭୟା ।କେଉଁ ଅଭିମାନରେ ତୁମେ କାହିଁ କେତେ ଦିନରୁ କେଉଁଠି ଅବା ଲୁଚିଯାଇଥିଲ କୁହ ତ ? ଦୀର୍ଘ ଅଠର ବର୍ଷ .... ତୁମେ ଗଲା ପରେ ମୁଁ ପ୍ରତିଟି ଦିନ ପ୍ରତିଟି ରାତି କେମିତି କାଟିଛି କେବେ ଥରେ ବୁଝିଛ? ଭାବିଛ ଏକୁଟିଆ ଜୀବନ ଟେ କେତେ ଅସହ୍ଯ?


ତୁମର କଣ ମୁଁ ତିଳେ ବି ମନେ ପଡୁନଥିଲି ? ଥରେ ବି ଭାବିଲନି ତୁମ ବିନା ମୁଁ କେମିତି ଜୀଇଁଥିବି ଏକା । ପୁରା ଏକା ମୁଁ ତୁମ ବିନା ଅଭୟା।ତୁମେ କେମିତି ରହିପାରିଲ ମତେ ଛାଡି ? କଥା ତ ଥିଲା ତୁମେ ନଦୀ ଟିଏ ହୋଇ ବହି ଯିବ ମୋ ଜୀବନରେ ଆଉ ମୁଁ ତୁମ ଧାରେ ଧାରେ ଧାନ କ୍ଷେତ ହେଇ ହସୁଥିବି ଶେଷନିଶ୍ବାସ ଯାଏ।ବେଦୀରେ ହାତଗଣ୍ଠି ପଡିଲା ବେଳଠୁ ତୁମେ ମୋର ମଳୟ, ବର୍ଷା, ମହକ ସବୁ ତ ଥିଲ !ହେଲେ ମତେ ଶୁଷ୍କ ଏ ଖରାମରୁଡିରେ ଏକା କରି ଅଧାବାଟରେ ଛାଡି କାହିଁ ହଜିଗଲ ତୁମେ ? ମୋ ହାତ ଆଉ ଛାଡି ଯିବନି ନା କେବେ, କଥା ଦିଅ .....ଅ...ଭ...ୟା ।"


ଅଭିମାନରେ ଭିଜି ନିଜକୁ ଇଡି ନିଗାଡି ଦେଉ ଦେଉ ସିଏ ଅଭୟାଙ୍କୁ ଚାହିଁ ଦେଖିଲେ । ହସିଦେଇ ଉଭେଇ ଗଲେ ଅଭୟା ।ବ୍ଯାକୁଳ ହେଲେ ଅସୀମ ।ନେହୁରା ହେଲେ , " ଫେରିଆସ ଅଭୟା, ଫେରିଆସ । ବିଳପି ଉଠୁ ଉଠୁ ପୁଣି କାହାର କୋମଳ ଉଷ୍ମ ହାତର ଛୁଆଁ ରେ ବୀଜରୁ ଜୀବନ ଉନ୍ମେଷ ହେଲା ।ଲୁହ ପୋଛି ଦେଉଥିଲା ସେ ହାତ ।କରୁଣାମୟୀ ନାରୀ ମୂର୍ତ୍ତି ଟିଏ ।ଲାଗିଲା ନୂତନ ଉଦ୍ଦିପନା କିଏ ଭରିଲା ।ଆଖି ଉଠେଇ ଚାହିଁଲେ ଅସୀମ ..... ଆଶାଟି ଉଇଁଲା । ତାଙ୍କ ଆଖି ଉଜ୍ବଳ ଦିଶିଲା, ଜୀବନ୍ତ ଦିଶିଲା ତାଙ୍କ ପାଣ୍ଡୁର ମୁହଁ ।ସିଏ ହସିଦେଲେ ଗୋଟେ ଅମୃତ ବୋଳା ମଧୁର ଶିଶୁର ହସ ।ତାଙ୍କ ଆଗରେ ବସିଥିଲେ ତାଙ୍କ ମାଆ ..... ସବୁ ସ୍ନେହ ଢାଳି ହେଉଥିଲା ତାଙ୍କ ଦୃଷ୍ଟି ରେ ।ମଥାକୁ ଆଉଁସି ଦେଇ କୋଳେଇ ଆଣୁଥିଲେ ସିଏ ସେଇ ଅମ୍ଲାନ ପଣତ ଆଶ୍ରୟକୁ ।ଅସୀମ କୁ ଅସୀମ ଶାନ୍ତି ଲାଗିଲା ।ସିଏ ଡାକିଲେ, " ମାଆ " ।

.

ସ୍ମିତ ଟିଏ ଲାଖିଥିଲା ଛାୟାମୂର୍ତ୍ତି ର ଅଧରରେ ।

ସିଏ ଦେଖିଲେ ମାଆ ତାଙ୍କ ଆଙ୍ଗୁଳି ଧରି ଚଲେଇନେଉଥିଲେ ଏକ ଦିବ୍ଯ ଆଭାମୟ ପଥରେ ।ଖଦ୍ଯୋତ ମାନେ ନକ୍ଷତ୍ର ର ଭ୍ରମ ସୃଷ୍ଟି କରୁଥିଲେ ମାଟିର ଚଦରରେ ମଣ୍ଡି ହୋଇ।ମାଆ ର ପାଦ ଚିହ୍ନ କୁ ଚାହିଁ ଚାହିଁ ସିଏ ଚାଲୁଥିଲେ ତା' ପଛେ ପଛେ ।ମାଆ ତାକୁ କାହା ହାତରେ ସମର୍ପି ଦେଇ ଉଭେଇ ଗଲା ।ସିଏ ପୁଣି ଅଧୀର ହୋଇଉଠିଲେ ।ଲୁହ ଲୁହ ହେଇ ଡାକିଲେ, " ମାଆ ... ମାଆ " ଯାହା ହାତରେ ମାଆ ତାଙ୍କ ହାତ ଦେଇଥିଲା ସିଏ ତାକୁ ବୁଲି ଚାହିଁଲେ ।ଆଉ .......

ଥରିଗଲା ସତରେ ତାଙ୍କ ବୁକୁ ....ଥରି ଉଠିଲେ ସିଏ ନିଜ ଅଜାଣତେ।ଧିରେ ଧିରେ ତାଙ୍କ ସମ୍ବିତ ଫେରୁଥିଲା ।ସିଏ ପ୍ରକୃତିସ୍ଥ ହେଉଥିଲେ ।


ଚେତା ଫେରିପାଇଲା ପରେ ସେ ଦେଖୁଥିଲେ ,ତାଙ୍କୁ ଘେରି ରହିଛନ୍ତି ଅନେକ ଅପରିଚିତ ବ୍ଯକ୍ତି ।ହେଲେ ଆଖି ଖୁବ୍ ଖୋଜୁଥିଲା ସେଇ ଆଖି ହଳକୁ, ଅଥଚ ପାଉ ନଥିଲା ।ଗହଳିକୁ ଭେଦି ସିଏ ଖୋଜୁଥିଲେ ସେଇ ଆସ୍ବସ୍ତ କରୁଥିବା, ଭରସା ଭରୁଥିବା ଦୁଇ ଆଖି କୁ।

ତାଙ୍କୁ ଶୁଭୁଥିଲା ଝାପ୍ସା ଡାକ୍ତର ଓ ନର୍ସ ମାନଙ୍କ କଥୋପକଥନ ।ତାଙ୍କୁ ଶୁଭୁଥିଲା ଅଚିହ୍ନା ସ୍ବର ସବୁର ଅନେକ ପ୍ରଶ୍ନ ।ସିଏ ଭାବୁଥିଲେ," କିଏ ଏମାନେ? ସିଏ ଏଠି କେମିତି?"


ପୁଣି ତାଙ୍କର ମନେପଡୁଥିଲା ,ତାଙ୍କ ଘର ।ଯାହାକୁ ସିଏ ନିଜେ ତିଆରିଥିଲେ ।ଯୋଉ ଘରେ ସିଏ ଓ ଅଭୟା ପିଲାମାନଙ୍କୁ ହାତ ଧରି ଚଲେଇବାଠୁ ଉଡି ଶିଖିବା ଯାଏ ଦମ୍ଭ ଦେଲେ । ଚାକିରୀରୁ ରିଟାର୍ଡ ହେବାପରେ, ସ୍ତ୍ରୀ ଚାଲିଯିବା ପରେ ,ଏମିତି କି ବୋହୂ ଆଣିବା ପରେ ଦାରୁଭୂତ ପରି ସେଇଠି ଥିଲେ ।ଯୋଉଠି ଆଜିକାଲି ସିଏ ଅଦରକାରୀ, ଅପଦାର୍ଥ ପରି, ଖୁଣ୍ଟ ଟେ ପରି କି ବରଗଛଟେ ପରି ବସିରହୁଥିଲେ ।ଯୋଉଠି କୋଣ ଘରଟିଏ ରେ ନୀରବ ପଡିରହି ବି କାଳେ ପିଲାଙ୍କର ବର୍ତ୍ତମାନ ଜୀବନ ଶୈଳୀ ରେ ବାଧକ ସାଜୁଥିଲେ ବୋଲି ନିତି ଶୁଣିବାକୁ ମିଳୁଥିଲା ସେଇ ଘର ।ତାଙ୍କ ନିଜ ଘର।

ସେଦିନ ତାଙ୍କ ଚାରିବର୍ଷ ର ନାତୁଣୀ ଯାହାକୁ ସିଏ ଅଭୟା ଫେରିଛନ୍ତି ବୋଲି ଭାବନ୍ତି, ଆଦରନ୍ତି ଆସି ତାଙ୍କ କୋଳରେ ବସି ଅଳି କରୁଥିଲା , " ଚାଲ ନା ଜେଜେ, ପ୍ରଜାପତି ଧରିବା " ।ସିଏ ଆଣ୍ଠୁ ଟି ଧରି ଉଠୁ ଉଠୁ ଅଜାଣତେ ନାତୁଣୀଟିର କୁନି ପାଦରେ ଚଢି ଯାଇଥିଲେ ଅଳ୍ପ ।ସିଏ ତ ଲାଗିକି ଠିଆ ହେଇ ଆଙ୍ଗୁଳି ଟାଣୁଥିଲା ନା ।ହଁ ସାନ ଛୁଆଟି, ତାକୁ କାଟିଥିବ ନିଶ୍ଚିତ ।ସେଥିଲାଗି କାନ୍ଦିଲା ।ତା ମାଆ ଦୌଡି ତାକୁ ଟେକି ତ ନେଲା ହେଲେ ଅସୀମ ଙ୍କ ଆଗରେ ହି କୁଟି ପକେଇଥିଲା ଯେ ସିଏ କାହିଁକି ତାଙ୍କ ପାଖକୁ ହଜାରେ ମନା ସତ୍ତ୍ବେ ଆସୁଛି ।କାଶ କଫ ଜୋର୍, ସଂକ୍ରମିତ ହେବନିନା ।ଆହୁରି ଶୁଣେଇଗଲା, ବୁଦ୍ଧିହୀନ ମଣିଷ ,ଜାଗା ମାଡିବସିଛନ୍ତି,ମାଗଣାରେ ଗିଳୁଛନ୍ତି, ମୁଣ୍ଡ ରେ ଶନି ପରି ବସିଛନ୍ତି,କୋଉ ଦିନ ଏ ଗଳଗ୍ରହ ବେକରୁ ଓହ୍ଲେଇବ କେଜାଣି,ବୁଢାକାଉ ପରି ଅନେକ ନିତିଦିନିଆ ଉପାଧି ।ସହିପାରିଲେନି ଅସୀମ ।ପୁରୁଷପିଲା । ସ୍ବାଭିମାନ ଧିକ୍କାରିଲା ।ବାହାରିଗଲେ ଘରୁ ନ ଫେରିବାର ପଣ ନେଇ ..........________

_ ଆପଣଙ୍କ ନାଁ କଣ ମଉସା? ଘର କୋଉଠି? ଭଲ ଲାଗୁଛି ଟିକେ ଏବେ?

ପାଖରେ ବସିପଚାରୁଥିଲା କୋମଳ ବୟସର ଝିଅଟି ।ନର୍ସ ତ ନୁହେଁ ।ପୋଷାକରୁ ଲାଗୁନି ।ମଥାକୁ ଆଉଁସି ଦେଉଛି କିନ୍ତୁ ଠିକ୍ ମାଆ ପରି ।


ବସେଇବାକୁ ଠାରିଲେ ଅସୀମ ।ସିଏ ହାତ ଧରି ଖଟକୁ ଡେରେଇଦେଇ ବସେଇଲା ଆଉ ଗୋଟିଏ ପୁଅ ସାହାଯ୍ୟ ରେ । ପୁଣି ପଚାରିଲା,

_ ଦେହ କେମିତି ଲାଗୁଛି ଏବେ ଆପଣଙ୍କୁ?

ଠାରରେ ମୁଣ୍ଡ ଟୁଙ୍ଗାରି କହିଲେ ଅସୀମ, " ଆଗ ଅପେକ୍ଷା ଭଲ " ହେଲେ ସେ କେଉଁଠି ଓ ଏମାନେ କିଏ ? ପରି ପ୍ରଶ୍ନ ତାଙ୍କୁ ଘାରୁଥିଲା ।ବୁଝିପାରଲା ପରି ଝିଅ ଟି କହିଲା,

_ ଆପଣ ତିନି ଦିନରୁ ଅଚେତା ଥିଲେ ।ସେଦିନ ସଂଧ୍ୟା ରେ ଆମ ନାସନାଲ ହାଇୱେ କଡ ବିଲ କତିରେ ଅଚେତା ହେଇ ପଡିଥିଲେ ।ଏଇ ମୋ ଭାଇ ଦେଖିକି ବାପା ଙ୍କୁ ଡାକ ପକେଇଲା ।ଆମେ ସବୁ ଗାଁ ଲୋକଙ୍କ ସାହାଯ୍ୟରେ ଏଇ ଆମ ପାଖ ଡାକ୍ତରଖାନାକୁ ଘିନି ଆସିଲୁ ।ଆଜି ଜାଣିକି ମାଆ ଗୋସେଇଁମଣିଙ୍କ କୃପା ରୁ ଆପଣ ଆଖି ଖୋଲିଲେ ।ଆପଣଙ୍କ ନିଜଭୂଇଁ କୋଉଠି କହିଲେ ବାପା ସେଠିକି ଖବର ଦେବେ ଯେ ଆପଣଙ୍କ ଘରମଣିଷ ଆସି ଆପଣଙ୍କୁ ପାଇ ଖୁସି ହେବେ ।"


ହସୁଥାଏ ଏକ ସ୍ମିତ ମଧୁର ହସ ଝିଅଟିର ଓଠ ଦେଇ ।ତା ' ଆଖି ରେ ଗୋଟେ ଅଦ୍ଭୁତ ଆକର୍ଷଣ , ଆପଣାପଣ ଖୁନ୍ଦି ହେଇଥିଲା ଯେମିତି ।


ମଧ୍ୟ ବୟସ୍କ ଲୋକଟିଏ ଆସି ତାକୁ କହିଲା," ଆ ଲୋ , ତୁ ଏତେ ଗପନି ବାବୁଙ୍କ ସାଙ୍ଗେରେ ।ସିଏ ଟିକେ ଆରାମ କରୁନ୍ତୁ ।ଏଇଲେ ତ ଚେତା ଫେରିଛି ।ରହ ସିଏ ସବୁ କହିବେନି ଧିରେ ଧିରେ !"


କେତେ ଆମାୟିକ ଭଦ୍ର ଥିଲା ଏମାନଙ୍କ ବ୍ଯବହାର ।ଅସୀମ ଙ୍କର ମନେ ପଡୁଥିଲା ସିଏ ଗୋଟେ ବସରେ ଚଢିଯାଇଥିଲେ ଘରୁ ବାହାରି ।କୋଉ ଯାଗାର ବସ ନାଁ ଟି ପଢିନଥିଲେ ।ଦରକାର ନଥିଲା ପଢିବା ।

ଝିଅ ଟି ତାର ସେଇ ସୁନ୍ଦର ହସଟି ପିନ୍ଧି କହିଚାଲିଥାଏ ଚପଳମତୀ ନିର୍ଝରିଣୀ ପରି ,


_ ମଉସା ତମେ କଣ ଭଲ ପାଅ ଖାଇବାକୁ? କୁହ ତିଆରି ଦବ ମୋ ମାଆ ।ମୋ ମାଆ ହାତ ରନ୍ଧା ଥରେ ଚାଖିଲେ ନା ଆଉ କୋଉ ଜିନିଷ ରୁଚିବନି ଟି ! ଦେହ ପା ପୁରା ଚାଙ୍ଗା ହେଇଯିବ ଚଟ୍ କରି ।

ହଠାତ୍ କାହାର ଡାକ ଶୁଣି ସିଏ ଉଠି ଚାଲି ଯାଉ ଯାଉ ପବନ ତାର ପଣତ ଅସୀମ ଙ୍କ ମୁହଁକୁ ଛୁଏଁଇ ନେଲା ।ଆଃ ।ଇଏ ତ ଅତି ଆପଣାର ବାସ୍ନା ଭାବୁଥିଲେ ଅସୀମ ।

ତାଙ୍କୁ ଶୁଭୁଥିଲା ସେଇ ଝିଅଟିକୁ କିଏ ଡାକୁଥିବାର ଶବ୍ଦ ତା ନାଁ ଧରି , ଅଭୟା ..... ଅଭୟା

ସେ ଆଶ୍ଚର୍ଯ୍ୟ ଥିଲେ ।ତାଙ୍କୁ ସେଇ ଆଖି ହଳକ ମିଳିସାରିଥିଲା ।

ଏବେ ସିଏ ଭାବୁଥିଲେ ଅତୀତ ର ଚରାଭୂଇଁ ,ସେଠିକା କଣ୍ଟା ।ନା ନା ଆଉ ନୁହେଁ ।

ତେବେ ସିଏ କହିବେ କଣ ଏମାନଙ୍କୁ , ଯେ ସିଏ ଭୁଲିସାରିଛନ୍ତି ଯେ ସିଏ କିଏ ?ନା କହିବେ ଯେ ମୁଁ ଫେରିବାକୁ ଚାହେଁନି, ନା କେବେ ନୁହେଁ ?ଅଭିନୟ ତ ଆସେନି ତାଙ୍କୁ ।


Rate this content
Log in

Similar oriya story from Action