STORYMIRROR

Pravanjan Dash

Classics Inspirational Others

3  

Pravanjan Dash

Classics Inspirational Others

ନୀଳବ୍ୟାଗ୍

ନୀଳବ୍ୟାଗ୍

2 mins
357


୨୦୨୧ ମସିହା ଫେବୃଆରୀ ମାସ ୧୯ ତାରିଖର ଘଟଣା। ସେଦିନ ଶୁକ୍ରବାର ହୋଇଥାଏ। ସମୟ ରାତି ୭.୧୫ ପାଖାପାଖି ହେବ। ଭୁବନେଶ୍ୱର ଟଙ୍କପାଣି ରୋଡ଼ ସ୍ଥିତ ଘର ପାଖ ଛକରେ ଥିବା ଜଳଖିଆ ଦୋକାନରୁ ବରା ଆଳୁକସା ଖାଇସାରି ମୁଖ୍ୟରାସ୍ତା ପାର ହେବା ପାଇଁ ଠିଆ ହୋଇଥାଏ। ମାତ୍ର ଗହଳି କାରଣରୁ ଅନନ୍ୟୋପାୟ ହୋଇ ମୁଖ୍ୟରାସ୍ତା ରୋକ କରିଥିବା ଦୁଇଟି କାର୍ ମଧ୍ୟରେ ଥିବା ଏକ ସଂକୀର୍ଣ୍ଣ ବାଟରେ ଯିବା ସମୟରେ ହଠାତ୍ ଏକ ବସ୍ତୁ ମୋ ଗୋଡ଼ରେ ବାଜି କାର୍ ର ବନେଟ୍ ଆଡ଼କୁ ଟିକେ ଚାଲିଗଲା। ମୁଁ କୌଣସି ଏକ ଛୋଟ ପିଲାର ବ୍ୟାଗ୍ ଭାବି ଉଠାଇ ଆଣି ଦେଖେତ ଛିଟ ପଡ଼ିଥିବା ଏକ ସୁନ୍ଦର ଇଶତ୍ ନୀଳରଙ୍ଗର ଦାମୀ ବ୍ୟାଗ୍। ବ୍ୟାଗ୍ ର ଗଠନରୁ ମୁଁ ଅନୁମାନ କରିନେଲି ଯେ ଏହା ନିଶ୍ଚିତ ରୂପେ କେଉଁ ମହିଳା ଅବା ଯୁବତୀଙ୍କର ହୋଇଥିବ। ଅନେକ ଦ୍ୱନ୍ଦ୍ୱ ଓ ଭୟ ଭିତରେ ନିଜ ମନ ବ୍ୟାକୁଳତାର ଅନ୍ତ କରିବାକୁ ଯାଇ ବ୍ୟାଗ୍ ଟିକୁ ଖୋଲିବା ପରେ ସେଥିରେ ଏକ ଦାମୀ ସ୍ମାର୍ଟ୍ ଫୋନ୍ ଓ କିଛି ଟଙ୍କା ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ତେବେ ଘଟଣା ସ୍ଥଳରେ କେହି ବିଶୃଙ୍ଖଳା କରିବା ଆଗରୁ ବା କେହି ମିଛରେ ଜିନିଷଟିକୁ ନିଜର ବୋଲି ସାବ୍ୟସ୍ତ କରିବା ପୂର୍ବରୁ ଶାନ୍ତି ଶୃଙ୍ଖଳାକୁ ଲକ୍ଷ୍ୟ କରି ବ୍ୟାଗ୍ ଟିକୁ ଧରି ତୁରନ୍ତ ସେଠାରୁ ଚାଲିଆସିଲି। ତେବେ ମନରେ ଏକ ଦୃଢ ନିଷ୍ପତି ନେଇଥିଲି ଯେ ଯେଉଁ ଉପାୟରେ ବି ହେଉ ହଜାଇଥିବା ଲୋକକୁ ବ୍ୟାଗ୍ ଫେରାଇବା ମୋର ପ୍ରଧାନ କର୍ତ୍ତବ୍ୟ। ସେଥିପାଇଁ ନିରୁପାୟ ହୋଇ ସ୍ଥାନୀୟ ପ୍ରମୁଖ ମହାଦେବ ବାବା ମେଘେଶ୍ୱରଙ୍କୁ ପାର୍ଥନା କରୁଥାଏ। ତେବେ ଚାଲିଚାଲି ମହାଦେବ ମେଘେଶ୍ୱର ମନ୍ଦିର ନିକଟକୁ ଆସିବା କ୍ଷଣି ହଠାତ୍ ଧରିଥିବା ବ୍ୟାଗ୍ ଟି ଥରିବାର ଅନୁଭବ କଲି। ବ୍ୟାଗ୍ ଖୋଲି ଫୋନ୍ ଟିକୁ କାଢି ଦେଖେତ ଏକ କଲ୍ ଆସିଛି ସାହସର ସହିତ କଲକୁ ରିସିଭ୍ କରି “ହ୍ୟାଲୋ” କହିବା କ୍ଷଣି ଶୁଣାଗଲା ଜଣେ ମହିଳାଙ୍କର ଭୟ ମିଶା ସ୍ୱର, “ଆଜ୍ଞା ମୋ ବ୍ୟାଗ୍ ଟା ବାଟରେ ଖସି ପଡିଛି”। ସାନ୍ତ୍ୱନା ଦେବାକୁ ଯାଇ ମୁଁ କହିଲି, “ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ବ୍ୟାଗ୍ଟି ମୋ ପାଖରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଆପଣ ଯଥା ଶୀଘ୍ର ମେଘେଶ୍ୱର ମନ୍ଦିର ଫାଟକ ସମ୍ମୁଖକୁ ଆସି ମୋ ଠାରୁ ବ୍ୟାଗ୍ଟିକୁ ନେଇଯାଅନ୍ତୁ”। ମୋର ଏହି କଥା ପଦକ ଶୁଣି ସେ ବହୁତ ଖୁସି ହୋଇଥିବେ ନିଶ୍ଚୟ। ତେବେ ଘଟଣା ସ୍ଥାନରୁ ଅନୁନ୍ୟ ଆଠ କି.ମି. ଦୂର(ଲିଙ୍ଗିପୁର)ରେ ଥିବା ସେହି ମହିଳା ଜଣଙ୍କ କିଛି ସମୟ ପରେ ନିଜ ମାମୁଁଙ୍କ ସହାୟତାରେ ଏକ ସ୍କୁଟିରେ ଆସି ମନ୍ଦିର ସମ୍ମୁଖରେ ଉପସ୍ଥିତ ହେଲେ। ମୁଁ କିଛି ପ୍ରମାଣରୁ ନିଶ୍ଚିତ ହୋଇସାରି ପାଇଥିବା ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ତାଙ୍କୁ ହସ୍ତାନ୍ତର କଲି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଦୀର୍ଘ ସମୟ ଧରି ବ୍ୟାଗ୍ ଟି ଗହଳି ରାସ୍ତାରେ ପଡ଼ି ରହିଥିବା ସତ୍ୱେ କୌଣସି ଗାଡି ମୋଟରର ଆଘାତ ପାଇନଥିଲା, ଯାଦ୍ୱାରା ସେଥିରେ ଥିବା ମୋବାଇଲ୍ ଫୋନ୍, ଟଙ୍କା ଓ ଜିନିଷ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଅକ୍ଷୁର୍ଣ୍ଣ ଥିଲା। ତେବେ ହଜାଇ ଦେଇ ନିଖୁଣ ଭାବେ ଖୋଜି ପାଇବାର ଯେଉଁ ଖୁସି ଓ ଆନନ୍ଦକୁ ମୁଁ ଅନ୍ୟ ମୁହଁରେ ଦେଖି ପାରୁଥିଲି ପାଇସାରି ଫେରାଇ ଦେଇ ନିଜ ମନକୁ ମିଳିଥିବା ଆନନ୍ଦ ଓ ଆତ୍ମତୃପ୍ତି ନିଶ୍ଚିତରୂପେ ତା’ଠାରୁ ଟିକେ ଅଧିକ ଥିଲା। ପ୍ରଶଂସା ଓ ଧନ୍ୟବାଦ ରୂପକ ଯେଉଁ ଶବ୍ଦ ମତେ ମିଳୁଥିଲା ତାହା ପ୍ରକୃତରେ ଥିଲା ପ୍ରଭୁ ମେଘେଶ୍ୱରଙ୍କ କୃପା ଏବଂ ଆଶୀର୍ବାଦ। ବାସ୍ତବରେ ମୁଁ କୃତଜ୍ଞ ପ୍ରଭୁ ମେଘେଶ୍ୱର ମହାଦେବ ଏବଂ ସେହି ମହିଳାଙ୍କ ପାଖରେ, ଯିଏ ମତେ ଦେଇଥିଲେ ଏପରି ଏକ ଅପୂର୍ବ ସୁଯୋଗ ଯାହା ସାରା ଜୀବନ ପାଇଁ ଏକ ଅପାସୋରା ସ୍ମୃତି ହୋଇରହିଛି ଏବଂ ରହିବ ମୋ ସାଥୀରେ ମୋ ଜୀବନର ସବୁ ସମୟରେ।

                                                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics