STORYMIRROR

Pravanjan Dash

Tragedy Inspirational

3  

Pravanjan Dash

Tragedy Inspirational

ପାଉଜି

ପାଉଜି

2 mins
174


  ସେଦିନ ଟିକେ ଶୀଘ୍ର କାମରୁ ଫେରିଆସିଲା କପିଳା। ଏମିତିରେ ବି ହରିଆ ସେଦିନ କାମକୁ ନଯାଇ ବସ୍ତିରେ ଥିଲା। କପିଳାର ଶୀଘ୍ର ଆସିବା ଦେଖି ହରିଆ କିରେ, “ଆଜି କଣ ବେଗି କାମ ସରିଗଲା ନା କଣ? ଠିକାଦାର ତ ଛାଡିବା ଜନ୍ତୁ ନୁହେଁ, ଆକାଶରେ ତାରା ନଦେଖିଲା ଯାଏଁ ସେ ଜୋକ ଭଳିଆ ଲାଗି କାମ ଶୋଷି ନଉଥିବ। କପିଳା, “ଆରେ ନାଇଁରେ, ମୋର ଟିକେ କାମ ଥିଲା ତ କହିକି ପଳେଇ ଆସିଲି, ଆରଥରକୁ ବେଗି ଯାଇ ଆଜିର ବାକିଆ କାମ ଶୁଝି ଦେବିନି”। ଶୀତଦିନ ସନ୍ଧ୍ୟା କହିଲେ ଅପରାହ୍ନ ପାଞ୍ଚଟା। ବାଲି, ସିମେଣ୍ଟ ବୋଳା ଧୂସର ଗୋଡ଼କୁ ଭଲକି ସାବୁନୁ ମାରି ଧୋଇଦେଲା ସେ। ଭଲ ପେଣ୍ଟ୍, ସାର୍ଟ ହଳେ ପିନ୍ଧି ନୁଖୁରା ଛୁଟିରେ ତେଲ ମାରି କୁଣ୍ଡେଇ ଦେଲା ଟିକେ। ----“ଦାଦନ ଖଟିବାକୁ ବାହାରକୁ ଆଇଛୁ ବୋଲି କଣ ଆମର ମାନ ଇଜ୍ଜତ ନାହିଁ? ଭେକ ନଥିଲେ ଏଠି କିଏ ପଚାରେ ମ”। ଆଜି ଏ ଅବେଳରେ କପିଳାକୁ ଏମିତି ବେଶ ଭୁଷାରେ ଦେଖି ହରିଆ ମନର ପ୍ରଶ୍ନ, “କୁଆଡେ ଯିବୁ ନା କଣ? ତରବର ହେଇ କପିଳା, ----“ହଁ ମ ଟିକେ କାମ ଅଛି। ତୋ ସାଇକେଲ ଚାବିଟା ଦେଲୁ ମୋର ହାୱା କମ୍ ଅଛି। ବେଶି କିଛି ପଚାରିବାକୁ ନଚାହିଁ ସେ ବଢ଼େଇ ଦେଲା ତା’ ସାଇକେଲ ଚାବିଟାକୁ କପିଳା ହାତକୁ। ସନିଆ ମନେମନେ ଭାବିଲା, “କପିଳାର ଏମିତି କଣ କିଣିବାକୁ ଅଛି ଯେ ସେ ଏମିତି ତରବର ହେଇ ବଜାରକୁ ଚାଲିଗଲା?” କପିଳାର ଘରକଥା ହରିଆକୁ ବେଶ ଭଲ ଭାବରେ ଜଣା। ବା-ସାହା ହେଇ ତା’ର ଦେଢ଼ ବର୍ଷର ଗୋଟେ ଝିଅ ହେଲେ ସ୍ତ୍ରୀ ତା’ର ଏକାଜିଦିଆ ମଣିଷଟେ। ସବୁବେଳେ ସ୍ୱାମୀ ସ୍ତ୍ରୀ କଳହ। ଆଜକୁ ପ୍ରାୟ ବର୍ଷେ ହବ ସ୍ତ୍ରୀ ତା’ ବାପଘରେ। କେତେଥର ନ୍ୟାୟ ନିଶାବ ହେଲାଣି କିନ୍ତୁ ସମସ୍ୟା ସୁଧୁରୁନି।

   ରାତିରେ ଖାଇ ସାରିଲା ପରେ କପିଳା, “ଦେଖିଲୁ ହରିଆ ଏ ପାଉଜି ହଳକ କେମିତି ଲାଗୁଛି? ଘୁଙ୍ଗୁର ଲଗା ପାଉଜି ହଳକ ହାତକୁ ନେଇ ହରିଆ, “ଭାରି ଭଲ ହେଇଛି ତ କା ପାଇଁ ଆଣିଛୁ କିରେ? କେତେ ପଡିଲା?” ଉଦାସ ଆଖିରେ କପିଳା, “ମୋ ଝିଅ ପାଇଁ ଆଣିଛିରେ, ମୋ ଭଲ ପାଇବାଠୁ ଏ ସେମିତି କିଛି ଅଧିକ ନୁହେଁ। ଗତଥର ନିଶାବ ପାଇଁ ତା’ ବୋଉ ସହ ଆସିଲା ବେଳେ ସେ ଠୁକୁଠୁକୁ ଚାଲୁଥିଲା। ଭାରି ଭଲ ଲାଗୁଥିଲା ତାକୁ ଦେଖିବାକୁ। ଇଚ୍ଛା ହଉଥିଲା ତାକୁ କୋଳେଇ ନବାକୁ ହେଲେ ଛାଡ଼ ତୁ ତ ସବୁ ଜାଣୁ। ତା’ର ସେ କୁନିକୁନି ପାଦରେ କିଛି ଗୋଟେ ଖାଁ ଖାଁ ଲାଗିଲା ମତେ। ଭାବିଲି ଆରଥରକୁ ତା’ ପାଇଁ ହଳେ ପାଉଜି କିଣି ନେବି। ଏଇ ଦି ମାସରେ କିଛି ସଞ୍ଚୟ କରି ଆଉ କିଛି ଠିକାଦାରଠୁ ଧାର ଆଣି ଏ ପାଉଜି ହଳକ କିଣିଛି। କାଲି ନିଶାବ ଅଛି ଗାଁକୁ ଯିବି। ସେ ଆସିବ। ତାକୁ ପିନ୍ଦେହି ଦେବି। ତା’ର ଠୁକୁଠୁକୁ ଚାଲିରେ ଏ ଘୁଙ୍ଗୁର ଶବଦ ଭାରି ଭଲ ଲାଗିବ”। ବ୍ୟସ୍ତତାର ସହ ହରିଆ, “ହେଲେ ତୋ ସ୍ତ୍ରୀ କଣ ଆକୁ ତୋଠୁ ରଖିବ”? ଢଳଢଳ ଲୁହକୁ ଆଖିରେ ଧରି କପିଳା, “ସେ ରଖିବ କି ନା ମୁଁ ଜାଣିନି କିନ୍ତୁ ଏତିକି ଜାଣିଛି ସେ ମୋ ଝିଅ, ମୋ ଜୀବନ, ମୋ ଜୀବନର ଖୁସି ପାଇଁ, ତା’ ହସ ପାଇଁ ଦରକାର ହେଲେ ମୁଁ ତାକୁ ଗୁହାରି ବି କରିବି”। ଝରକା ସେପାଖେ ଜହ୍ନ ଟିକେ ଅଧିକ ଉଜ୍ଜ୍ୱଳ ଦିଶୁଥିଲା। ହେଲେ କିଏ ଜାଣେ କାଲି ସେ ଜହ୍ନ ସେମିତି ଝଟକିବ କି କଳା ବାଦଲର ଘୋଡ଼ଣି ଭିତରେ ଲୁଚିଯିବ? ସେ କଥା କେବଳ ସମୟ ହିଁ କହିବ।                                              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy