STORYMIRROR

Pravanjan Dash

Tragedy Inspirational

2  

Pravanjan Dash

Tragedy Inspirational

ଦୂର ସମ୍ପର୍କ

ଦୂର ସମ୍ପର୍କ

2 mins
51

  ସେଦିନ ସନ୍ଧ୍ୟାରେ ୱାକିଂ ସାରି ଫେରୁଥିବା ବେଳେ ହଠାତ୍ ଦେଖା ହେଇଗଲା ପରେଶ ସହ ଶେଫାଳିର। ପରସ୍ପରକୁ ଦେଖି ଉଭୟେ ଯେତିକି ଖୁସି ହେଲେ ସେତିକି ଭାବ ବିହ୍ୱଳିତ ବି ହେଇ ପଡୁଥିଲେ। ଦୀର୍ଘ ଦଶବର୍ଷ ପରେ ଏ ମିଳନ ସେ ବି ପୁଣି ଏମିତି ଆକସ୍ମିକ ଭାବେ। ଆଶା ତ ନଥିଲା ଯେ ପୁଣି କେବେ ଦେଖା ହବ କିନ୍ତୁ ହଁ ଏମିତି ବି କେବେକେବେ ହୁଏନା କି ଆଶା ଠାରୁ ବି ଢେର ଅଧିକ ମିଳିଯାଏ କିଛି ଜଣଙ୍କୁ। ଖୁବ୍ ହସୁଥିଲା ଶେଫାଳି। ହସି ହସି ସେ ପଚାରୁଥିଲା, “କେମିତି ଅଛ ପରେଶ?” ଉତ୍ତରରେ ପରେଶ, “ହଁ ସେମିତି ଭଲ। ଆଉ ତୁମେ”?

 ଆଉ ଟିକେ ହସିଦେଇ ଶେଫାଳି, “ମୁଁ ବହୁତ ଭଲ ଅଛି। ତମ ସହ ଦେଖା ହେଇ ଖୁବ୍ ଖୁସି ଲାଗିଲା। ଏଇ ପାର୍କ ପଛରେ ମୁଁ ରହୁଛି। ଘର ନଂ ବି ସେଭେନ୍। କେତେବେଳେ ଆସିବ ନିଶ୍ଚୟ”। ଠିକଣା ଦେଇ ଶେଫାଳି ଚାଲିଗଲା। ପରେଶ ମନେମନେ ଭାବୁଥିଲା, “ସତରେ ହାତକୁ ଦି ହାତ ହେଲେ, ଟିକିଲି ଜାଗାରେ ସିନ୍ଦୂର ନାଇଲା ପରେ ଏ ମଣିଷ କେତେ ବଦଳିଯାଏ! ସେଇ ଶେଫାଳି ଯିଏ ଦିନେ ମୋ କୋଳରେ ମୁଣ୍ଡ ରଖି କେତେ କଣ ଗପି ଯାଉଥିଲା ମନ ଖୋଲି। ହେଲେ ଆଜି ସେ ନିଜ ଆଖିର ଲୁହକୁ ଲୁଚେଇ ରଖୁଛି ମୋ ଆଖିରୁ। ସେ ନ ଦେଖେଇଲେ ବି ମୁଁ ଦେଖି ପାରୁଥିଲି ଶାଢ଼ୀ ଆଢୁଆଳରେ ସେ ଲୁଚେଇ ରଖୁଥିବା ନିଆଁ ଚେଙ୍ଗର ଦାଗକୁ। ଗୋରା ଚମରେ ସ୍ପଷ୍ଟ ଭାବେ ବାରି ହେଇ ପଡୁଥିଲା ସେ ସବୁ। ସେ ନକହିଲେ ବି ମୁଁ ପଢିପାରୁଥିଲି ତା’ ମନ ଗୋପନରେ ଥିବା ଅସଂଖ୍ୟ ଅକୁହା କଥାର ଯନ୍ତ୍ରଣାକୁ। ଟିକିଏ ହସର ପରଦା ପଛରେ ସେ କେମିତି ଲୁଚେଇ ରଖିପାରୁଛି ତା’ ଅଜସ୍ର ଲୁହର ପାହାଡ଼ ସବୁ? ସତରେ ମୁଁ କଣ ଏତେ ପର?”

  ଶେଫାଳି ବି ଅଭିମାନ କରି ମନେ ମନେ, “ଆ ଭିତରେ ତମେ କେତେ ବଦଳି ଯାଇଛ ପରେଶ! ଅନ୍ୟମାନଙ୍କଠାରୁ ତୁମ ଅବସ୍ଥା, ତୁମ ପରିସ୍ଥିତି ଆଉ ସମସ୍ୟା ବିଷୟରେ ମୁଁ ସବୁଜାଣେ। ପାରିବାରିକ ଅଶାନ୍ତିରେ ତୁମେ କିଭଳି ଦିନ କାଟ ସେକଥା ମତେ ବେଶ୍ ଭଲ ଭାବେ ଜଣା। ହେଲେ ଆଜି ଏ କି ଅଭିନୟ ତୁମର! ମିଛକୁ ଘୃଣା କରୁଥିବା ତମେ ଆଜି ମିଛର ସାହାରା ନେଇ ଖୁବ୍ ସୁନ୍ଦର ଅଭିନୟ କରିପାରୁଛ। ମନେ ହେଉଛି ମୁଁ ଯେମିତି ତମର କେହି ନୁହେଁ। ଖୁବ୍ ପର। ଆଉ ଆମ ସମ୍ପର୍କ ବହୁତ ଦୂର।”



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy